Unknown

 

 

 

 

 

 

 

 

 

ମୁକ୍ତି ଯୁଦ୍ଧ

ସାତକଡ଼ି ହୋତା

 

ଦିଲ୍ଲୀର ଚାକଚକ୍ୟ ଦେଖି ଚକିତ ହୋଇଯାଇଥିଲା ଅରବିନ୍ଦ । ଏଇ ବିରାଟ ଦେଶର ରାଜଧାନୀ ଯେ ଏଇପରି ଅସାଧାରଣ ହୋଇଥିବ ତାହା ଯଦିବି ସେ ଭାବିଥିଲା, ସେ ଆଦୌ ଭାଵି ନ ଥିଲା ଯେ ଏଇ ଦେଶର କୋଟି କୋଟି ଗରିବ ଜନସାଧାରଣଙ୍କଦ୍ୱାରା ନିର୍ବାଚିତ ସରକାର ଏପରି ଥାଟରେ ଶାସନ ଚଳାଉଥିବ । ପାଚେରୀ ଘେର ଭିତରେ ଥିବା ମନ୍ତ୍ରୀ ଓ ସଚିବମାନଙ୍କ ବଡ଼ ବଡ଼ ଉଆସ ଦେଖି ତାକୁ ଭାବିବା ପାଇଁ କଷ୍ଟ ହେଉଥିଲା ଯେ ସେମାନେ ସାଧାରଣ ଲୋକଙ୍କ ପ୍ରତିନିଧି ଓ ସେବକ । ବ୍ରିଟିଶ ସରକାର ଦେଢ଼ଶହ ବର୍ଷ ଶାସନ କରି ଏ ଦେଶରୁ ବିଦାୟ ନବାପରେ ମଧ୍ୟ ସାହେବମାନଙ୍କର ଚଳଣି, ଆଦବକାଏଦା, ସମ୍ଭ୍ରାନ୍ତପଣ ଏବଂ ଶାସକ ହେବାର ଔଦ୍ଧତ୍ୟ ଆଦୌ ମଳିନ ଦିଶୁ ନ ଥିଲା, ବରଂ ଚାକଚକ୍ୟ ଏବଂ କ୍ଷମତାରେ ଥିବାର ବଡ଼ପଣ ପୂର୍ବପରି ବଜାୟ ରହିଥିଲା । ଅରବିନ୍ଦ କିଛିଟା ହତାଶ୍‍ ହେଲା, କାରଣ ଗାନ୍ଧୀଙ୍କ ଦର୍ଶନ ସହିତ ତା’ର ଯେତିକି ପରିଚୟ ଥିଲା ସେଥିରୁ ସେ ବୁଝିଥିଲା ଯେ ସ୍ୱାଧୀନ ଭାରତର ଲୋକପ୍ରତିନିଧି ଓ ମନ୍ତ୍ରୀମାନେ ସାଧାରଣ ଲୋକଙ୍କ ସେବକ ସହିତ ସାମିଲ ହେବେ ଏବଂ କଂସର କବାଟ ସାଧାରଣ ପ୍ରଜାଙ୍କ ପାଇଁ ସଦାବେଳେ ବନ୍ଦ ରହିବ ନାହିଁ । ଗଣତନ୍ତ୍ରର ଚାରିଦୁଆର ଖୋଲା ରହିବ ଚଳପ୍ରଚଳ ପାଇଁ । ଲୋକମାନେ ଅନୁଭବ କରିବେ ଯେ ସେମାନେ ମୁକ୍ତ, ସେମାନେ ସ୍ଵାଧୀନ ଏବଂ ସାର୍ବଭୌମ ରାଷ୍ଟ୍ର ଶକ୍ତିର ପ୍ରକୃତ ଉତ୍ସ ।

 

ଦିଲ୍ଲୀ ଆଉ ଦୂର ନୁହେଁ ଏବଂ ସେମାନଙ୍କର ଅତି ନିକଟରେ ବୋଲି ଯେଉଁ ଗୋଟେ ଧାରଣା ମନରେ ଥିଲା ତାହା ଦୁର୍ବଳ ହୋଇଯିବା ପରି ଲାଗିଲା । ଗାନ୍ଧୀଙ୍କ କଳ୍ପିତ କୁଟୀରରେ ମନ୍ତ୍ରୀମାନେ ବାସ କରିବା ପରିବର୍ତ୍ତେ ଫାଟକ ଜଗିଥିବା ପ୍ରହରୀର ସୁରକ୍ଷା ବଳୟ ମଧ୍ୟରେ ଲୋକ ପ୍ରତିନିଧିମାନେ ସ୍ଵସ୍ତିର ନିଶ୍ଵାସ ମାରୁଥିବା ଦେଖି ଅଶ୍ଵସ୍ତି ଅନୁଭବ କଲା ଅରବିନ୍ଦ । ରାଷ୍ଟ୍ରପତି ଭବନ, ସଚିବାଳୟ, ମନ୍ତ୍ରୀମାନଙ୍କ ଉଆସ, ସାଂସଦମାନଙ୍କ ବାସଭବନ, କନଟ୍‌ପ୍ଳେସ୍‌ର ବର୍ଣ୍ଣାଢ଼୍ୟ ବଜାର, ଆଡ଼ମ୍ବରପୂର୍ଣ୍ଣ ବିପଣୀ ଦେଖି ଅରବିନ୍ଦର ମନେହେଲା ଯେପରି ଦେଶ ଆଉଥରେ ଦୁଇଭାଗ ହୋଇଯାଇଛି, ଗୋଟିଏ ଇଣ୍ଡିଆ ଏବଂ ଅନ୍ୟଟି ଭାରତ । ଦେଶର ଲକ୍ଷ ଲକ୍ଷ ଗ୍ରାମ ଅନ୍ଧାରରେ । ଅନେକ ଗ୍ରାମକୁ ରାସ୍ତା ନ ଥିବାବେଳେ ଏବଂ ଶିକ୍ଷା ଓ ସ୍ଵାସ୍ଥ୍ୟସେବା ଲୋକମାନଙ୍କୁ ମିଳୁ ନ ଥିବାବେଳେ ସେମାନଙ୍କଠାରୁ ଆସୁଥିବା ରାଜସ୍ଵ ଖର୍ଚ୍ଚ କରି ବେଶ୍‌ ବ୍ୟୟବହୁଳ ଶାସନ ଚାଲିଛି ଦେଶରେ । ସ୍ଵଚ୍ଛଳ ଉଚ୍ଚଶିକ୍ଷିତ ଓ ସମ୍ଭ୍ରାନ୍ତଙ୍କ ରାଜତ୍ଵ ଏଠାରେ । ସେହିମାନେହିଁ ଏ ଜାତିର ମୁଖ୍ୟସ୍ରୋତ ଏବଂ ଅନ୍ୟ ସମସ୍ତେ ଅର୍ବାଚୀନ ଅପ୍ରାସଙ୍ଗିକ । ପ୍ରଶସ୍ତ ରାସ୍ତାର ଦୁଇ କଡ଼ରେ ସାରିସାରି ଗଛ । ଚୌଛକିରେ ଫୁଲ ବଗିଚା । ଆହୁରି ଆକର୍ଷଣୟ ସ୍ଥାନରେ ବୀର ବା ବରେଣ୍ୟ ନେତାମାନଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଠାଏ ଠାଏ ପାଣିର ଫୁଆରା ଓ ପାବଚ୍ଛକୁ ଲାଗି ରଙ୍ଗୀନ ମାଛମାନଙ୍କ ଖେଳାଲୀଳା । ରାସ୍ତାକଡ଼ର ଦୃଶ୍ୟ ଦେଖୁ ଦେଖୁ କେତେବେଳେ ଆସି ରାଜଘାଟର ଗାନ୍ଧିଙ୍କ ସମାଧି ପାଖରେ ପହଞ୍ଚି ଯାଇଛି ଜାଣିପାରିଲା ନାହିଁ ଅରବିନ୍ଦ । ସୁନ୍ଦର, ସବୁଜ କୋମଳ ଘାସ ଉପରେ କିଛି ସମୟ ମୌନ ହୋଇ ବସିଲା, ତାପରେ ସମାଧି ପ୍ରଦକ୍ଷିଣ କରି ନତଜାନୁ ହୋଇ ଭୂମିଷ୍ଠ ପ୍ରଣାମ କଲା ଏବଂ ମନେ ମନେ କହିଲା ‘ଏ ଜାତିକୁ କ୍ଷମା କର ମହାତ୍ମା.. ।’

 

ସୂର୍ଯ୍ୟାସ୍ତ ପରେ ସେ ଫେରି ଆସିଲା ଜଗନ୍ନାଥ ମନ୍ଦିରକୁ । ଠାକୁରମାନଙ୍କ ଆରତି ହେଉଥିଲା ସେତେବେଳେ । ନତମସ୍ତକ ହୋଇ ପ୍ରଣାମ କରି ଉଠୁଥିବାବେଳେ ତା’ କାନ୍ଧ ଉପରେ ହାତ ରଖି କହିଲେ ଜଣେ ବୃଦ୍ଧ–‘‘ଏଇ ଜଗନ୍ନାଥହିଁ ଆମର ପରିଚୟ ବାବୁ... ତାଙ୍କୁ ଛାଡ଼ି ଓଡ଼ିଆ ଜାତିର ଅସ୍ତିତ୍ୱ ନାହଁ ।’’ ଆରତି ଶେଷ ହେବା ପରେ ଭଜନ ସଂଧ୍ୟା ଆରମ୍ଭ ହେଲା । କେହି ଜଣେ କଣ୍ଠଶିଳ୍ପୀଙ୍କ ସ୍ଵରରେ ଭାସି ଆସିଲା–‘‘ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ।’ ସାଲବେଗଙ୍କ ରଚନା । ସେ କେବଳ ଓଡ଼ିଆ ସଂସ୍କୃତିର ପ୍ରତୀକ ନୁହଁନ୍ତି ଭାରତୀୟ ସଂସ୍କୃତି ଏବଂ ସର୍ବଧର୍ମ ସମଭାବର ପ୍ରତୀକ ।

 

ବାହାରୁ ଆସୁଥିବା ଓଡ଼ିଆମାନଙ୍କର ଆଶ୍ରୟସ୍ଥଳ ହେଉଛି ଜଗନ୍ନାଥ ମନ୍ଦିର । ସେଠାରେ ଥବା କେତେ ବଖରା କୋଠରୀ ମଧ୍ୟରୁ ଗୋଟିକରେ ଚାରିଜଣଙ୍କ ରହିବା ପାଇଁ ଜାଗା ପାଇଛି ଅରବିନ୍ଦ । ସେ ଏହାପୂର୍ବରୁ ଆଉ କେବେ ଦିଲ୍ଲୀ ଆସି ନ ଥିଲା, ଦିଲ୍ଲୀ ସହର ଦେଖି ନ ଥିଲା, କିମ୍ବା କେହି ଆତ୍ମୀୟ ସ୍ୱଜନ ଚିହ୍ନା ପରିଚୟଙ୍କ ଠିକଣା ମଧ୍ୟ ତା’ ପାଖରେ ନ ଥିଲା । ଗୋଟିଏ ବିଦେଶୀ କମ୍ପାନୀର ଚିଠିପାଇ ସେ ଚାଲି ଆସିଥିଲା ଇଣ୍ଟରଭିଉ ଦବା ପାଇଁ । ଇଣ୍ଟରଭିଉ ସରି ଯାଇଛି । ସେମାନେ ତାକୁ ନିଯୁକ୍ତି ଦେବେ ବୋଲି ମଧ୍ୟ ସଂକେତ ଦେଇଛନ୍ତି । ନିଯୁକ୍ତି ପତ୍ର ପରେ ଯିବ ଡାକରେ । ଦିଲ୍ଲୀରେ ତାର କାମ ଶେଷ ହୋଇଛି । ନିଯୁକ୍ତି ପତ୍ର ପାଇଗଲେ ନୂତନ ଜୀବନ ଆରମ୍ଭ କରିବ ଅରବିନ୍ଦ । ଲକ୍ଷଲକ୍ଷ ଲକ୍ଷ୍ୟହୀନ ଯୁବକଙ୍କ ପରି ତାକୁ ଆଉ ପଞ୍ଚାକ୍ଷର ମନ୍ତ୍ର ଜପିବାକୁ ପଡ଼ିବ ନାହିଁ । ବାପାଙ୍କ ସ୍ଵପ୍ନ ସଫଳ ହେବ । ମା’ ଖୁସି ହେବେ ଯେ ପୁଅ ଚାକିରି ପାଇଛି, ଗାଁ ଲୋକଙ୍କ ମଧ୍ୟରେ ସେ ଉଚ୍ଚ ଦିଶିବ । ମୁଣ୍ଡ ଗଣତି ହେଲେ ସେ ଆପେ ଆପେ ବାରି ହୋଇପଡ଼ିବ ।

 

ହଠାତ୍‌ କାହାର ସ୍ୱର ଶୁଣି ସେ ଚମକିପଡ଼ିଲା । ସେ ପଚାରୁଥିଲା–‘‘ତମର ତ ସବୁ ହେବ...ଆଉ ଯେଉଁମାନେ ରାସ୍ତାକଡ଼ରେ, ଗ୍ରାମାଞ୍ଚଳରେ, ଜଙ୍ଗଲରେ ବା ସହର ବଜାରରେ କାମଧନ୍ଦା ନ ପାଇ ବୁଲୁଛନ୍ତି ସେମାନଙ୍କର କ’ଣ ହେବ ?’’

 

ଅରବିନ୍ଦ ଥତମତ ହୋଇଗଲା, ତା ତୁଣ୍ଡରୁ ଶବ୍ଦଟିଏ ସ୍ଫୁରିଲା ନାହିଁ । ସେ କେବଳ ସେଇ ପ୍ରଶ୍ନକର୍ତ୍ତା ମୁହଁକୁ ଅନାଇଥିଲା ଅପଲକ ନୟନରେ । ସେ ପରିଚୟ ଦେଇ କହିଲା–“ମୋ ନାମ ଶ୍ରୀହରି । ମାଲକାନଗିରିରୁ ଆସିଛି ।’’

 

–ମୋ ନାମ ଅରବିନ୍ଦ ମିଶ୍ର । ଭୁବନେଶ୍ୱରରୁ ଆସିଛି ।

 

ମୁଁ ଜାଣିଛି କିନ୍ତୁ ମୋ ପ୍ରଶ୍ନର ଉତ୍ତର ତୁମେ ଦେଇନ । ତରତର ହେବା ଦରକାର ନାହିଁ-। ଭାବିଚିନ୍ତି କହିବ । କାମଧନ୍ଦା ନ ଥିଲେ ଲୋକମାନେ ଗଛର ପତ୍ର, ବଣର ଚେରମୂଳ ଖାଆନ୍ତି । ସେମାନଙ୍କ କଥା କେବେ ଭାବିଚ ?

 

–ଆପଣଙ୍କ ପ୍ରଶ୍ନର ଉତ୍ତର....

 

–ପରେ ଦେଲେ ଚଳିବ । ଆପଣ ନୁହେଁ ତୁ ବା ତମେ । ଆଜି ଆମର ପରିଚୟ ହେଲା-। ଏଇ ମୁହୂର୍ତ୍ତରୁ ଆମେ ବନ୍ଧୁ ହୋଇଗଲୁ.... ଆମେ ଆଉ ଅଜଣା ଅପରିଚିତ ନୋହୁଁ । ଆସ ବାହାରେ ଟିକେ ବୁଲି ଆସିବା । ଚା’ ପିଇବା ପାଇଁ ମନ ହେଉନି ?

 

ଦୁହେଁ ବାହାରକୁ ଗଲେ । କୃଷ୍ଣଚୂଡ଼ା ଗଛର ଶାଖାପ୍ରଶାଖାରେ ଭର୍ତ୍ତି ହୋଇଥିଲା ଲାଲ୍‍ଫୁଲ । ମୁହୂର୍ତ୍ତେ ସେ ଆଡ଼କୁ ଚାହିଁ ରହି ଅରବିନ୍ଦର କାନ୍ଧ ଉପରେ ହାତ ରଖି କହିଲା ଶ୍ରୀହରି–‘‘ଏଇ ଲାଲ୍‍ ଫୁଲର ଆକର୍ଷଣ ଅମୋଘ ଅସ୍ତ୍ର । କାହିଁକି ଜାଣିଛ ?’’

 

କିନ୍ତୁ ତା’ଠାରୁ ଉତ୍ତର ପ୍ରତ୍ୟାଶା ନ କରି ଶ୍ରୀହରି ନିଜେ କହିଲା–‘‘ମଣିଷର ଶିରାପ୍ରଶିରାରେ ପ୍ରବାହିତ ହେଉଥିବା ଲାଲ୍‍ରକ୍ତ ସହିତ ଏହାର ସାଦୃଶ୍ୟ ଅଛି ଏବଂ ଲଢ଼ୁଆ ମଣିଷର ରକ୍ତ ବି ଲାଲ୍‍ ...।’’

 

ଚା’ ଦୁଇ କପ୍‌ ଦବା ପାଇଁ ବରାଦ କଲା ଶ୍ରୀହରି । ଗୋଟେ ଗ୍ଳାସ ତା’ ହାତକୁ ଏବଂ ଆଉ ଗୋଟେ ନିଜ ହାତରେ ରଖି କହିଲା ସେ–‘‘ତମ ପରି ମୁଁ ଏତେ ପାଠ ପଢ଼ି ନାହିଁ । କିନ୍ତୁ କମ୍ପ୍ୟୁଟର ଉପରେ ହାତ ରଖି ମୁଁ ଜାଣି ସାରିଛି ଯେ ଏହା ମଣିଷର ବିକଳ୍ପ ହେବାକୁ ଯାଉଛି । ଭାରତ ପରି ଗୋଟିଏ ଗରିବ ଦେଶରେ ସବୁକ୍ଷେତ୍ରରେ ଯନ୍ତ୍ରର ଆବଶ୍ୟକତା ଅଛିକି ? ଦିନେ ଯେ ରୋବଟ୍ (ଯନ୍ତ୍ର ମଣିଷ) ମଣିଷର ସ୍ଥାନ ଅଧିକାର କରିବା ପାଇଁ ପ୍ରତିଯୋଗିତା କରିବ, ଏ ବିଷୟରେ ତମେ କେବେ ଭାବିଛ ?’’

 

ଏ ବିଷୟରେ ଅରବିନ୍ଦ ଏତେ ଭାବିନାହିଁ । ସେ କମ୍ପ୍ୟୁଟରକୁ ମଣିଷର ସହାୟକ ବୋଲି ଭାବିଛି । ମଣିଷ ଭାବିବ, ଚିନ୍ତା କରିବ, ସୂତ୍ର ବାହାର କରିବ ଏବଂ କମ୍ପ୍ୟୁଟର ତାହା କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିବ । ବିଶ୍ୱକୁ ଗବାକ୍ଷ ପରି କମ୍ପ୍ୟୁଟର ମଧ୍ୟ ଜ୍ଞାନ ରାଜ୍ୟର ଗବାକ୍ଷ । ସେ ଶ୍ରୀହରି ସହିତ ଯୁକ୍ତି କଲାନି, ବରଂ ତା ସହିତ ନିକଟତର ହେବା ପାଇଁ କହିଲା–‘‘ତୁମ କଥା କୁହ । ମାଲକାନଗିରି ମୁଁ କେବେ ଯାଇନି । ଖବର କାଗଜରୁ କେବଳ ପଢ଼ିଛି ଯେ ନକ୍ସଲମାନେ ମାତିଛନ୍ତି ସେଠାରେ...ସାହୁକାର, ପୁଲିସ୍‍ ଓ କର୍ମଚାରୀମାନଙ୍କୁ ହତ୍ୟା କରୁଛନ୍ତି... ।’’

 

ତା ମୁହଁରୁ କଥା ଛଡ଼ାଇ ନେଇ କହିଲା ଶ୍ରୀହରି–‘‘କିନ୍ତୁ କାହିଁକି ସେମାନଙ୍କୁ ହତ୍ୟା କରୁଛନ୍ତି କେହି କିଛି କହୁ ନାହାନ୍ତି ! ମୁଁ ମାନୁଛି ଯେ ହିଂସା ଭଲ ନୁହେଁ । ଜଣେ ଆଉ ଜଣକୁ ହତ୍ୟା କରିବା ଠିକ୍‌ ନୁହେଁ । ଆଇନ ଅଛି, ଅଦାଲତ ଅଛି । ପୁଲିସ୍‍ ଅଛି, ପ୍ରଶାସନ ଅଛି । କିଛୁ ଭାଇ ! ଯଦି ସେମାନେ ସାଧାରଣ ଲୋକର ସେବକଭାବେ କାର୍ଯ୍ୟ ନ କରି ସେମାନଙ୍କୁ ଶୋଷଣ କରନ୍ତି, ଶୋଷକକୁ ସମର୍ଥନ କରନ୍ତି, ସାହୁକାରକୁ ରକ୍ଷା କରିବାକୁ ଯାଇ ସାଧାରଣ ପ୍ରଜାକୁ ପୀଡ଼ା ଦିଅନ୍ତି ତେବେ ସେ ଗୁହାରି କରିବ କାହା ଆଗରେ ? କେତେଦିନ ସହ୍ୟ କରିବ ଅନ୍ୟାୟ ଅବିଚାର... ?’’

 

ଆହୁରି କ’ଣ କହିଥାନ୍ତା ଶ୍ରୀହରି, ଆଉ ଜଣେ କିଏ ତା’ କଥା ଟିକିଏ ଦୂରରୁ କାନପାରି ଶୁଣୁଥିବା ପରି ଅନୁମାନ କରି ହଠାତ୍‌ ଆଲୋଚନା ବନ୍ଦ କରି କହିଲା ସେ–‘‘ସନ୍ଧ୍ୟାବେଳେ ଆଉ କିଛି କରିବ ନା ବୁଲିଯିବା ?’’

 

ଦିନସାରା ବୁଲି ବୁଲି ହାଲିଆ ଲାଗୁଥିଲା ଅରବିନ୍ଦକୁ । କିନ୍ତୁ ଭଲ ଲାଗୁଥିବା ଏଇ ଲୋକଟିର ଅନୁରୋଧ ଅଗ୍ରାହ୍ୟ କରିଦବା ପାଇଁ ଇଚ୍ଛା ହେଲାନି, ବରଂ ସେ କହିଲା–‘‘ମୁଁ ଦିଲ୍ଲୀ ବିଷୟରେ ଅଜ୍ଞ । ଏଇ ପ୍ରଥମ ଆସିଛି ।’’

 

ତାକୁ ଅପେକ୍ଷା କରିବାକୁ କହି ଶ୍ରୀହରି ଚାଲିଗଲା ମନ୍ଦିର ବେଢ଼ା ଭିତରେ ଥିବା ରହିବା କୋଠରୀକୁ ଶୀଘ୍ର ଫେରିବ ବୋଲି ପ୍ରତିଶ୍ରୁତି ଦେଇ । ସେ ଚାଲିଗଲା ପରେ କୃଷ୍ଣଚୂଡ଼ା ଗଛ ପାଖରେ ଛିଡ଼ା ହୋଇଥିବା ସେଇ ଅପରିଚିତ ଲୋକଟି ପାଖକୁ ଆସି କହିଲା–‘‘ଆପଣ କ’ଣ ଏଇ ମନ୍ଦିର ବେଢ଼ାରେ ରହୁଛନ୍ତି ?’’

 

–‘‘ହଁ । ’’ ଉତ୍ତର ଦେଲା ଅରବିନ୍ଦ ।

 

–‘‘ମୁଁ ଭୁବନେଶ୍ୱରରୁ ଆସିଛି । ଜାଗା ପାଉନି ରହିବା ପାଇଁ । ଆପଣଙ୍କ କୋଠରୀରେ ମୋତେ ଯଦି ଟିକେ ଜାଗା ଦିଅନ୍ତେ...’’

 

ସହସା କିଛି ଉତ୍ତର ଦେଇ ପାରିଲାନି ଅରବିନ୍ଦ । ସେ ତ ଆଉ ତିନିଜଣଙ୍କ ଦୟାରୁ ଆଡ଼ଜଷ୍ଟ କରି ରହିଛି ତିନିଦିନ ପାଇଁ । ଆର ଦିନକ ପରେ କ’ଣ ହେବ ସେ ଜାଣେନି । ଭାବିଲେ ଛାତି ତଳର ସ୍ପନ୍ଦନ ବଢ଼ିଯାଏ । ବାପା, ମା, ଭାଇ ଓ ଭଉଣୀ କେତେ ଆଶା କରି ଅପେକ୍ଷା କରିଥିବେ ତା ଚାକିରି ଖବର ଜାଣିବା ପାଇଁ । ସେ ପହଞ୍ଚିଗଲେ ସବୁ କହିବ । ସମସ୍ତଙ୍କୁ ଆଗରୁ କହିଦେଲେ ମଧୁରତା, ଉତ୍କଣ୍ଠା କମିଯିବ । କିନ୍ତୁ ଚାକିରି ଯେ ସେ ନିଶ୍ଚିତଭାବେ ପାଇବ ଏଇ ଗ୍ୟାରେଣ୍ଟି ଦବ କିଏ ? ଯଦି ନ ପାଏ, ଯଦି ଖାଲି ହାତରେ ଶୁଖିଲା ମୁହଁରେ ଫେରିଯିବାକୁ ହୁଏ ତେବେ କ’ଣ ହେବ ? କିପରି ଏଇ ଶକ୍ତ ଆଘାତଟାକୁ ସମ୍ଭାଳିବେ ସେମାନେ ? ଏମ.ସି.ଏ. ପରୀକ୍ଷୀରେ ପାସ୍‌ କରିବା ପରେ ସ୍ୱର୍ଗର ଚାନ୍ଦ ପାଇଛି ବୋଲି ସେ ନିଜେ ଖୁସି ହୋଇଥଲା, ବାପା, ମା’ ଏବଂ ଆଉ ସମସ୍ତେ ତା’ ଖୁସିରେ ଭାଗ ନେଇଥିଲେ । ଦେଶର ରାଜଧାନୀ ଦିଲ୍ଲୀକୁ ଅନେକ ଆସନ୍ତି ମନରେ କେତେ ସ୍ଵପ୍ନ ନେଇ, ଯେମିତି ଆସିଥିଲେ ଏ ଦେଶକୁ ଆକ୍ରମଣକାରୀମାନେ । କେବଳ ବାବର ସିନା ରହିଗଲେ ମୋଗଲ ସାମ୍ରାଜ୍ୟ ସ୍ଥାପନ କରି ହିନ୍ଦୁସ୍ଥାନୀ ହୋଇଯିବା ପାଇଁ । ଅନ୍ୟମାନେ କିନ୍ତୁ ଫେରି ଯାଇଥିଲେ । ଆଲେକଜାଣ୍ଡରଙ୍କଠାରୁ ଆରମ୍ଭ କରି ଚେଙ୍ଗିଜ୍‌ ଖାଁ ଓ ଅନ୍ୟାନ୍ୟ ବହୁ ପଠାଣ ଲୁଣ୍ଠନକାରୀମାନଙ୍କୁ ଭୁଲି ଯାଇଛି ଭାରତବର୍ଷ, କିନ୍ତୁ ବାବର ରହିଯାଇଛନ୍ତି ସ୍ମୃତି ହୋଇ ।

 

ସେଇ ଅପରିଚିତ ଆଉ କିଛି କହିବା ପୂର୍ବରୁ ଶ୍ରୀହରିକୁ ଫେରି ଆସୁଥିବାର ଦେଖି ଲୋକ ଗହଳିରେ ମିଶିଗଲା କେଉଁଠି । ଶ୍ରୀହରି କହିଲା–‘‘କ’ଣ କହୁଥିଲା ସେ ?’’

 

–‘‘ଏଇଠି ରହିବା ପାଇଁ ପାଇଁ ଜାଗା ଖୋଜୁଥିଲା... ।’’ କହିଲା ଅରବିନ୍ଦ।

–‘‘କିଛି କହିଲୁ ?’’

 

–‘‘ନା, ଏ ବିଷୟରେ ଅନଧିକାର ଚର୍ଚ୍ଚା କରିବା ପାଇଁ ବା ମୁଁ ଯାଆନ୍ତି କାହିଁକି ଯେ... ।’’ କହିଲା ଅରବିନ୍ଦ ।

 

–‘‘ଭଲ କଲୁ । ମୋର ସନ୍ଦେହ ହେଉଛି ସେଇ ଲୋକଟା ଉପରେ । ମୁଁ ଆସିବା ଦିନୁ ତାକୁ ଏଇ ମନ୍ଦିର ହତାରେ ପଇଁତରା ମାରିବାର ଦେଖୁଛି । ଅଥଚ ସେ ଏଠାରେ ରହେନା । ନିଶ୍ଚୟ ଖବର ସଂଗ୍ରହ କରିବାକୁ ଆସିଥିବ ...।’’ କହିଲା ଶ୍ରୀହରି ।

 

–‘‘କ’ଣ ଖବର ସଂଗ୍ରହ କରୁଛି ?’’

 

–‘‘ତୋ ବିଷୟରେ, ମୋ ବିଷୟରେ ଏବଂ ଅନ୍ୟମାନଙ୍କ ବିଷୟରେ... ଇଣ୍ଟେଲିଜେନ୍ସିର ଲୋକ ତ... ।’’ କହିଲା ଶ୍ରୀହରି ।

 

 

ଆକାଶରୁ ଖସିଲା ଅରବିନ୍ଦ । ସେ ତ ଚୋର ତସ୍କର ନୁହେଁ, ରାହାଜାନୀ କରିନି କି କାହା ଘରେ ସିନ୍ଧି ଦେଇନି । ସରକାର ବିରୁଦ୍ଧରେ ବିଦ୍ରୋହ ବି କରିନି । ତାହେଲେ କାହିଁକି ଇଣ୍ଟେଲିଜେନ୍ସ ଲାଗିବ ତା’ ପଛରେ ?

 

ତାକୁ ଚିନ୍ତିତ ହେବାର ଦେଖି କହିଲା ଶ୍ରୀହରି–‘‘ତୁ ଚିନ୍ତାରେ ପଡ଼ିଗଲୁ ଦେଖୁଛି । ତୋ ପରି ନିର୍ଦ୍ଦୋଷ, ନିର୍ମଳ ପିଲା ପଛରେ ସେ କାହିଁକି ପଡ଼ିବ ଯେ... ତା’ର ଲକ୍ଷ୍ୟ ଅନ୍ୟ ସ୍ଥାନରେ...’’

 

–‘‘ଚାଲ୍‌ ଯିବା ହାଉଜ୍‌ଖାସ୍‌ଆଡ଼େ... ଟିକେ ବୁଲି ଆସିଲେ ଫୁର୍ତ୍ତି ଲାଗିବ ।’’ କହିଲା ଶ୍ରୀହରି ।

 

ଦୁହେଁ ହାତ ଧରାଧରି ହେଇ ଫୁଟ୍‌ପାଥ୍‌ରେ ଚାଲିଥିଲେ । କିଛିଦୂର ଯିବା ପରେ ପଛକୁ ଚାହିଁଲା ଶ୍ରୀହରି । ସେମାନଙ୍କୁ ଅନୁସରଣ କରିବା ପରି ଦୂରତ୍ୱ ରକ୍ଷାକରି ପଛେ ପଛେ ଆସୁଥିବା ସେଇ ଲୋକଟି ବାଟ ଭାଙ୍ଗିଲା ପରି ଲାଗିଲା । ସେ ମନକୁ ମନ ପ୍ରଶ୍ନ କଲା–ଏଇ ଲୋକଟା ତା’ହେଲେ ତାକୁ ଭୁବନେଶ୍ୱରରୁ ଅନୁସରଣ କରୁଛି । ମାଲକାନଗିରିରୁ ସେ ଯାଇଥିଲା ଭାଇଜାଗ, ସେଠାରୁ ବସ୍‌ରେ ଶ୍ରୀକାକୁଲମ୍‍ ଏବଂ ସେଠାରୁ ଭୁବନେଶ୍ଵର ରେଳଗାଡ଼ିରେ ।

 

ହଠାତ୍‌ ତା’ର ମନେପଡ଼ିଗଲା ଯେ ଏଇ ଲୋକଟା ତା’ ପିଛା ଧରିଛି ପୁରୁଷୋତ୍ତମ ଏକ୍ସପ୍ରେସ୍‌ରେ ଉଠିବା ବେଳୁ.... ।

 

–‘‘କ’ଣ ହେଲା ?’’ ପଚାରିଲା ଅରବିନ୍ଦ ।

 

–‘‘ନା, କିଛି ନୁହେଁ... ଏଇ ବସ୍‌ଟା ଆସୁଛି ଯିବ ସାକେତ ଆଡ଼େ । ଚାଲ୍ ବରଂ ଟିକେ ଦୂରକୁ ଚାଲିଯିବା ।’’

 

ଦୁଇ

 

ସଭ୍ୟତାର ଜୁଆରରେ ଦୂରତ୍ୱ କେଉଁଦିନୁ ଘୁଞ୍ଚି ଗଲାଣି ଦୂରକୁ, ଆହୁରି ଦୂରକୁ-ଉତ୍ତର ଓ ଦକ୍ଷିଣ ମେରୁଆଡ଼କୁ । ସେଠାରେ ବି କିନ୍ତୁ ପହଞ୍ଚିଗଲାଣି ମଣିଷ । ସ୍ଳେଜ୍‌ଗାଡ଼ିରେ ବୁଲିବାର ଉଚ୍ଚାଟନ, ବରଫ ଘର ଭିତରେ ଶୋଇବାର ଉଦ୍ଦୀପନା ଏବଂ ଏସ୍‌କିମୋମାନଙ୍କ ସହିତ ବାସ କରିବାର ଆକର୍ଷଣ ପାଗଳ କରିଛି ମଣିଷକୁ । ସେ ଜାହାଜରେ ଭାସି ବୁଲୁଛି ଗୋଲାର୍ଦ୍ଧରୁ ଗୋଲାର୍ଦ୍ଧ । ବିମାନରେ ଅତିକ୍ରମ କରୁଛି ଆକାଶରୁ ଅନ୍ତରୀକ୍ଷ... । ମହାକାଶ ଭେଦକରି ଚନ୍ଦ୍ରପୃଷ୍ଠରେ ଓହ୍ଲାଇ ସାରିଛି । ଗ୍ରହରୁ ଗ୍ରହାନ୍ତର ବୁଲିବା ତା’ର ଲକ୍ଷ୍ୟ ହୋଇଛି ।

 

ଦୂରତ୍ୱ ଯେତେ ଘୁଞ୍ଚି ଯାଉଛି ଆଦର୍ଶ ସେତିକି ଅସ୍ପଷ୍ଟ ହୋଇଯାଉଛି । ସତୁରି ବର୍ଷର ସାମ୍ୟବାଦୀ ଶାସନ ପରେ ସୋଭିଏତ୍‌ ସଂଘ ପୁଣି ଲେଉଟିଲା ବୁର୍ଜୁଆ ବ୍ୟବସ୍ଥାକୁ । ମୁକ୍ତ ଅର୍ଥନୀତିର ମୂଳନୀତିକୁ ଗ୍ରହଣ କରିନେଇଛନ୍ତି ଚୀନ, ଋଷିଆ ସମେତ ସାମ୍ୟବାଦୀ ଦେଶମାନେ । ଗଣତନ୍ତ୍ର ଧୀରେ ଧୀରେ ପାଦ ବଢ଼ାଉଛି ଏକଛତ୍ରବାଦୀ ଶାସନର ଅନ୍ତ କରିବା ପାଇଁ । କିନ୍ତୁ ଏହାସତ୍ତ୍ୱେ ସତ୍ୟପାଠ କରି କ’ଣ କହିହେବ ଯେ ମାର୍କସବାଦ ଅବାନ୍ତର ବା ଅପ୍ରାସଙ୍ଗିକ ହୋଇଯାଇଛି ? ଲୋକମାନେ ଦୁଃଖ ଯନ୍ତ୍ରଣାରେ ଥିବା ପର୍ଯ୍ୟନ୍ତ ଶୋଷଣ, କଷଣ ଓ ଉତ୍ପୀଡ଼ନ ସମାପ୍ତ ନ ହେବା ପର୍ଯ୍ୟନ୍ତ ନ୍ୟାୟ ନ ପାଇ ସାଧାରଣ ଲୋକର ଆଖିରୁ ଲୁହ ବହୁଥିବା ପର୍ଯ୍ୟନ୍ତ ମାର୍କସବାଦ ଅପ୍ରାସଙ୍ଗିକ ହେବ ନାହିଁ କି ଏଥିରେ ଥିବା ମହାନ୍‌ ମାନବିକ ଚେତନା ଅବାନ୍ତର ହେବ ନାହିଁ । ଗଣତନ୍ତ୍ର ନ ଥିଲା ବୋଲି ମାର୍କସବାଦୀ ଶାସନର ପତନ ହେଲା, କିନ୍ତୁ ଗଣତନ୍ତ୍ରରେ ବି ସବୁ ମଣିଷ ସମାନ ହୋଇ ପାରିନାହାନ୍ତି । ଗଣତନ୍ତ୍ରର ସାରସତ୍ତାକୁ ଏବେ ବଜାର ଶକ୍ତି କବଳିତ କରିବା ପାଇଁ ହାତ ବଢ଼ାଇଲାଣି ।

 

ଶ୍ରୀହରି ମାର୍କସବାଦର ସାର ମର୍ମ କହିଯାଉଥିବାବେଳେ ତା’ର ହାତ ମୁଠାଟାଣ ହୋଇଯାଉଥିଲା, ତା’ର ମୁହଁ ଝଲକି ଉଠୁଥିଲା ସଂକଳ୍ପ ଦୃଢ଼ତାରେ । ତା’ର ମଥାର କେଶ ଠିଆ ହୋଇ ଯାଉଥିଲା ଉତ୍ତେଜନାରେ ।

 

–‘‘ତୁ କ’ଣ ଭାବୁଛୁ ଆମେ କେଇଜଣ ସୁଖରେ ରହିଲେ ସମସ୍ତ ମଣିଷଙ୍କ ସୌଭାଗ୍ୟ ଆସିଯିବ ? କେବେ ନୁହେଁ । ତୋର ଦୃଷ୍ଟି ପଡ଼ିଛି କି ନାହିଁ ମୁଁ କହିପାରିବି ନାହିଁ, କିନ୍ତୁ ମନ୍ଦିର ପଛପଟେ ପଡ଼ିଥିବା ଅଇଁଠାପତ୍ର ଅଣ୍ଡାଳୁଥିବା ଦୁଇଟି ପିଲାଙ୍କୁ ମୁଁ ଦେଖିଛି । ସେମାନେ ନିଶ୍ଚୟ ହୀରା ମୋତି ଖୋଜୁ ନ ଥିଲେ, ସେମାନେ ଖୋଜୁଥିଲେ ମୁଠାଏ ଅନ୍ନ... ଦୁଇଖଣ୍ଡ ରୋଟି.... !’’ କହିଲା ଶ୍ରୀହରି ।

 

ମନେ ପଡ଼ିଯାଇଥିଲା ଅରବିନ୍ଦର ନିଜର ପିଲାଦିନର କଥା । ସେତେବେଳେ ଅବସ୍ଥା ସ୍ୱଚ୍ଛଳ ନ ଥିଲା, ବାପାଙ୍କ ଖାତାରେ ସଞ୍ଚୟ ନ ଥିଲା କିଛି । ସେ କିନ୍ତୁ ଖଟୁଥିଲେ ଉଦୟାସ୍ତ । ତାଙ୍କର ଝାଳୁଆ ଦେହରେ ଥରେ ଥରେ ଲଦି ହୋଇ ତାଙ୍କ ମୁହଁକୁ ଚାହିଁ କ’ଣ ଭାବୁଥିଲା ସେ ! ବାପା କିନ୍ତୁ ତା’ ଓଠ ଛୁଇଁ କହୁଥିଲେ–‘‘ତୁ ମନଦେଇ ପାଠ ପଢ଼, ଭଗବାନ କଲେ ଆମ ଦୁଃଖ ଚାଲିଯିବ । ତୁ ବଡ଼ ଅଫିସର ହେବୁ ....।’’

 

ଶ୍ରୀହରି କହିଲା–‘‘ସୁଖରେ ରହିବା ପାଇଁ ସମସ୍ତେ ଚାହାଁନ୍ତି । କିନ୍ତୁ ଯେଉଁମାନେ ଧନ ଅର୍ଜନ କରନ୍ତି ଅନ୍ୟମାନଙ୍କୁ ଶୋଷଣ କରିବା ପାଇଁ, ସେମାନେ ସାଧାରଣ ମଣିଷର ମିତ୍ର ହେବେ କିପରି ? ସେମାନେ ସମାଜର ଶତ୍ରୁ...।’’

 

ଅରବିନ୍ଦର ଅଙ୍ଗେନିଭା କାହାଣୀ ପରି ଲାଗୁଥିଲା ଏସବୁ । ସେତେବେଳେ ପରିବାରର ଅବସ୍ଥା ଥିଲା ଶୋଚନୀୟ । ଜମି ପାଞ୍ଚମାଣ ବନ୍ଧକ ଦେଇ ଜେଜେବାପା ପଧାନ ପାଖରୁ ଟଙ୍କା ଋଣ ଆଣିଥିଲେ ଜେଜେମା’ଙ୍କ ଚିକିତ୍ସା ପାଇଁ । କିନ୍ତୁ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ । କେନ୍‌ସର ରୋଗରେ ମୃତ୍ୟୁ ହେଲା ତାଙ୍କର । ତା’ ପରେ ପରେ ଜେଜେବାପା ବି ଚାଲିଗଲେ । ତାଙ୍କୁ ଡାକ୍ତର ଦେଖାଇବା ପାଇଁ ହାତରେ ପଇସା ନ ଥିଲା ବାପାଙ୍କର କିମ୍ବା ପଧାନ ଆଉ କରଜ ଦବା ପାଇଁ ରାଜି ନ ଥିଲା । ଜେଜେବାପାଙ୍କ ଦେହାନ୍ତ ହେବା ପରେ ବାପା ଆହୁରି ପରିଶ୍ରମ କଲେ । ହାଡ଼ଭଙ୍ଗା ପରିଶ୍ରମ କରି ଅରବିନ୍ଦକୁ ପାଠ ପଢ଼ାଇଲେ । କ୍ରମଶଃ ଘରର ଅବସ୍ଥା ବି ଟିକେ ଭଲ ହେଲା । ଋଣ ଶୁଝି ଦେଲେ ବାପା । ପରିବାରର ପ୍ରତିପୋଷଣ ପାଇଁ ତାଙ୍କର କୃଛ୍ର ସାଧନା ଦେଖି ଆହୁରି ଭଲ ପଢ଼ିବା ପାଇଁ ଚେଷ୍ଟା କରୁଥିଲା ଅରବିନ୍ଦ । ସେ କ୍ଲାସ୍‌ରେ ପ୍ରଥମ ହେଲା । ମେଟ୍ରିକ୍‌ ପରୀକ୍ଷାରେ ଫାଷ୍ଟ୍‍ ଡିଭିଜନରେ ପାସ୍‌ କଲା । ଆଇ.ଏସ.ସି.ରେ ବିଶ୍ଵବିଦ୍ୟାଳୟରେ ଦ୍ୱିତୀୟ ହେଲା-। ତା’ ପରେ ତ କମ୍ପ୍ୟୁଟର ବିଜ୍ଞାନରେ ନାମ ଲେଖାଇଥିଲା । ଚାରିବର୍ଷ ପରେ ଏମ୍‌.ସି.ଏ, କରି ବାହାରି ଆସିବାବେଳକୁ ଜଗତର ପରିବର୍ତ୍ତନ ହୋଇଥିଲା ଅନେକ । ଦରଖାସ୍ତ କରିଥିଲା ପରୀକ୍ଷା ଦବା ପାଇଁ । ପରୀକ୍ଷାରେ ପାସ୍‌ କରିବା ପରେ ଚିଠି ଆସିଲା ଇଣ୍ଟରଭିଉ ପାଇଁ । ସେ ଆସିବାବେଳେ ବାପାଙ୍କ ମୁହଁରୁ ପ୍ରସନ୍ନତା ଉଛୁଳି ପଡ଼ୁଥିଲା । ମା’ ତା ମଥା ଉପରେ ହାତରଖି କହିଥିଲେ–‘‘ତୁ ନିଶ୍ଚୟ ଚାକିରି ପାଇବୁ । ମୁଁ ମା’ ଭୁବନେଶ୍ୱରୀଙ୍କ ପାଖେ ମାନସିକ କରିଛି ।’’

 

–‘‘କିନ୍ତୁ ଭାଇ, ତମର କ’ଣ ବିଶ୍ୱାସ ହୁଏ ଯେ ଏ ସମାଜ ବଦଳିଯିବ ? ଶୋଷଣ, ନିର୍ଯ୍ୟାତନା ଆଉ ରହିବନାହିଁ ?’’ ଶ୍ରୀହରିର ମୁହଁକୁ ଚାହିଁ ପଚାରିଲା ଅରବିନ୍ଦ ।

 

–‘‘ଏଥିପାଇଁ ଦୀର୍ଘ ସଂଗ୍ରାମର ଆବଶ୍ୟକତା ଅଛି ଅରବିନ୍ଦ । ଶହ ଶହ ବର୍ଷର ପ୍ରଥା, ପରମ୍ପରା ଓ ଆଇନ ଭାଙ୍ଗିଯିବ ନାହିଁ ଆପେ ଆପେ । ସେଥିପାଇଁ ଲଢ଼େଇ କରିବାକୁ ହେବ । ତ୍ୟାଗ କରିବାକୁ ହେବ । ଦୁଃଖ କଷ୍ଟ ଓ ଲାଠି ମାଡ଼ ସହିବାକୁ ହେବ ଏବଂ ଦରକାର ହେଲେ ହସି ହସି ଫାଶୀ କାଠରେ ଝୁଲିବାକୁ ହେବ । କିନ୍ତୁ ମୁଁ ନିଶ୍ଚିତ ଯେ ଦିନେ ନା ଦିନେ ଶୋଷଣ ବିହୀନ ସମାଜ ପ୍ରତିଷ୍ଠିତ ହେବ । ହୁଏତ ତାହା ହବା ପାଇଁ ପଚିଶ ବା ପଚାଶ ବର୍ଷ ଲାଗିପାରେ ବା ତା’ଠାରୁ ଆହୁରି ଆଗରୁ ହୋଇପାରେ । ପଚାଶବର୍ଷ ଲାଗିବ ବୋଲି ଆମେ ଭୟରେ ପଛେଇ ଯିବୁ ?’’

 

ଅରବିନ୍ଦର ଅନ୍ତର ଭିତର ଆଉଟ ପାଉଟ ହୁଏ । ସ୍ୱତଃ ତା’ର ସହାନୁଭୂତି, ସମବେଦନା ଚାଲିଯାଏ ସେଇ ଅବହେଳିତ ଦୀନଦୁଃଖୀମାନଙ୍କ ପ୍ରତି । କ୍ଷୁଧାଗ୍ନି ସେମାନଙ୍କ ଜଠର ଭିତରେ ଜଳୁଥିବା ଯାଏ ସେମାନେ ସ୍ଵସ୍ତିରେ, ଶାନ୍ତିରେ ନିଶ୍ଵାସ ମାରିପାରିବେ ନାହିଁ । ଆଦର୍ଶ ସେମାନଙ୍କ କଳ୍ପନାର ପରିଧି ବାହାରେ ରହିଯିବ । କାଲି ପାଇଁ ସେ ନିଶ୍ଚିନ୍ତ ଅଛି ବୋଲି ତ ତାର ଚିନ୍ତା ନାହିଁ, ଦକ ନାହିଁ ମନରେ । ଯେଉଁମାନଙ୍କୁ କାଲି କଥା ଭାବିବା ଆଗରୁ ଆଜି ପାଇଁ ଡହଳ ବିକଳ ହେବାକୁ ହୁଏ ସେମାନଙ୍କୁ ପ୍ରବଚନ ଶୁଣାଇ ଶାନ୍ତ କରି ହେବ ନାହିଁ । ଶ୍ରୀହରିର କଥାଗୁଡ଼ା ତାକୁ ଭାବିବାପାଇଁ ବାଧ୍ୟ କରୁଥାଏ ଆଗାମୀ କାଲି ପାଇଁ ।

 

ଫେରୁଫେରୁ ରାତି ଏଗାରଟା ବାଜିଗଲା । ମନ୍ଦିରରେ ପହଞ୍ଚିବାବେଳକୁ ସମସ୍ତେ ପ୍ରାୟ ଖାଇପିଇ ଶୋଇ ସାରିଥିଲେ । ସେ କାହାକୁ କହିଯାଇ ନ ଥିଲା ଫେରିଲେ ଖାଇବ ବୋଲି । ଶ୍ରୀହରି କହିଲା–‘‘ମୋ ପାଇଁ ଖାଇବାର ଅଛି । ସେତକ ହୋଇଯିବ ଦୁଇ ଜଣଙ୍କର ।’’ ଶ୍ରୀହରି ଅଳ୍ପାହାରୀ । ବେଶୀଭାଗ ଅରବିନ୍ଦକୁ ଦେଇ କହିଲା–‘‘ସୁଖ ଦୁଃଖରେ ଭାଗ ବସାଇବାର ଅଧିକାର ତୋର ଅଛି । ଆଉ ନ ଥିଲେ କମ୍ରେଡ଼୍‌ ହେବୁ କିପରି ?’’

 

ତୃପ୍ତିରେ ଆହାର କରୁଥିବାବେଳେ କମ୍ରେଡ଼୍‍ ଶବ୍ଦ ଶୁଣି ସେ ଖୁସି ହେଲା । ମନ ତା’ର ଆବିଷ୍ଟ ହୋଇ ରହିଥାଏ ଗୋଟିଏ ପ୍ରକାର ଅନନୁଭୂତ ଅନ୍ତରଙ୍ଗତାରେ ।

 

ହାତଧୋଇ ଯେଝା କୋଠରୀକୁ ଯିଏ ଚାଲିଗଲେ । କିନ୍ତୁ ଲକ୍ଷ୍ୟ କଲା ଅରବିନ୍ଦ ତାକୁ ଦେଖି ଝରକା ପାଖରେ ଛିଡ଼ା ହୋଇଥିବା ଗୋଟିଏ ଛାୟା ମୂର୍ତ୍ତି ଅଦୃଶ୍ୟ ହୋଇଗଲା । ବାହାରର ଚେନାଏ ଆଲୁଅ ଝରକା ବାଟ ଦେଇ ପଶି ଆସିଥିଲା କୋଠରୀ ଭିତରକୁ ବତୀ ଜାଳିବାକୁ ମନ ହେଲାନି । ମସିଣା ଉପରେ ଲମ୍ବ ହୋଇ ଶୋଇ ପଡ଼ିଲା ! କିନ୍ତୁ ଅନେକ ରାତ୍ରି ପର୍ଯ୍ୟନ୍ତ ନିଦ ହେଲାନି ତାକୁ । ବାରବାର ମନେପଡ଼ୁଥାଏ ପିଲାଦିନର କଥା, ବାପା ମା’ଙ୍କ ମୁହଁ, ତାକୁ ନେଇ ସେମାନଙ୍କର ଆଶା ଓ କଳ୍ପନା ।

 

ଚାକିରି ନ କଲେ ତାକୁ ନେଇ ସେମାନେ ଯେତେ ଯାହା ଆଶା କରିଥିଲେ ସବୁ ଧୂଳିସାତ୍‌ ହୋଇଯିବ । ଯେମିତି ହେଲେ ଚାକିରି କରିବାକୁ ହେବ । ଯଦି ଏଠାରେ ନ ମିଳେ ଆଉ କାହିଁ ଚେଷ୍ଟା କରିବ । ଦିଲ୍ଲୀ ଦେଶର ରାଜଧାନୀ । କେଡ଼େ ବଡ଼ ସହର । ଏଇ ରାଜଧାନୀକୁ ଆସୁଥିଲାବେଳେ ବାଟରେ କଳ୍ପନାର କେତେ ସୌଧ ତୋଳିଥିଲା ମନେ ମନେ । କିନ୍ତୁ ଏଠାରେ ପହଞ୍ଚିବା ପରେ ନିଷ୍ଠୁର ବାସ୍ତବତା ତା ସହିତ ଖତେଇ ହେବା ପରି କହିଲା–‘‘ଏଇ କଂକ୍ରିଟ୍‌ ରାସ୍ତା ପରି ଏମାନଙ୍କର ହୃଦୟ ବି କଠୋର । ଏମାନଙ୍କ କଲିଜା ସିମେଣ୍ଟରେ ତିଆରି, ଦୟାମାୟା ନାହିଁ ଏମାନଙ୍କର । କେବଳ ବଞ୍ଚିବାର, ବଡ଼ ହେବାର, ସମ୍ପତ୍ତି ଠୁଳ କରିବାର ନିଶା ଘାରିଛି ଏମାନଙ୍କୁ । ପଦେ ପଦେ ପ୍ରତିଯୋଗିତା । ସେଥିରେ ହାରିଗଲେ ମରୁଭୂମିର ମରୀଚିକା ପରି ମିଳେଇ ଯାଏ ସ୍ୱପ୍ନ, ସବୁ କଳ୍ପନା । ର‍୍ୟାଟ୍‌ରେସ୍‌ ଆରମ୍ଭ ହୋଇଯାଇଛି; କିଏ ଜିତିବ, କିଏ ହାରିବ କେହି ବି ଜାଣନ୍ତି ନାହିଁ ।

 

ମଥାଟା ଭାରି ଭାରି ଲାଗୁଥାଏ । ପଙ୍ଖା ତଳେ ଶୋଇ ବି ସେ ଅଶ୍ୱସ୍ତି ଅନୁଭବ କରୁଥାଏ । ଉଠି ପଡ଼ି ସେ ଛାତ ଉପରକୁ ଗଲା । ରାଜଧାନୀର ନୀରବ ନିସ୍ତବ୍ଧ ରୂପ ତା’କୁ ମୋହିତ କଲା । ସେ ଆକାଶକୁ ଚାହିଁଲା । ନକ୍ଷତ୍ରମାନଙ୍କର ଆଖିମିଟିକା ଦେଖି ମନ ଭିତରଟା ହାଲୁକା ହୋଇଗଲା । ଜହ୍ନ ନ ଥିଲା ଆକାଶରେ । ଅମାବାସ୍ୟା ହେବ କି କ’ଣ ? ଶୀତଳ ପବନ ଦେହରେ ଲାଗିଲା । ପ୍ରକୃତିର ଶାନ୍ତ, ସ୍ନିଗ୍‍ଧ ପରିବେଶ ଚନ୍ଦନ ବୋଳିଦେଲା ଶରୀରରେ । ହାତ ଘଡ଼ିକୁ ଚାହିଁଲା । ରାତି ଗୋଟାଏ ତିରିଶ ମିନିଟ ।

 

ଧୀରେ ଧୀରେ ଓହ୍ଲାଇ ଆସିଲା ତଳକୁ । ସେ କୋଠରୀ ଭିତରକୁ ପଶିଯିବା ପୂର୍ବରୁ ବାଥରୁମ୍‌ ଖୋଲି କେହି ଜଣେ ବାହାରି ଯିବା ପରି ଲାଗିଲା । ସେତେବେଳକୁ ଆଖିର ନିଦ ତାକୁ ଅବଶ କରୁଥାଏ ଶୋଇବା ପାଇଁ । ସେ ବାଧ୍ୟ ଶିଶୁଟି ପରି ମସିଣା ଉପରେ ଶୋଇପଡ଼ିଲା ।

 

କେତେବେଳ ଶୋଇଥିଲା କେଜାଣି, କିନ୍ତୁ ବାହାରେ ଅନେକ ଲୋକଙ୍କ ପାଦ ଶବ୍ଦ ଶୁଣି ତା’ର ନିଦ ଭାଙ୍ଗିଗଲା । ସେ ବାହାରି ଆସିଲା କ’ଣ ହେଉଛି ଦେଖିବା ପାଇଁ । ସେତେବେଳକୁ କୋଠରୀଗୁଡ଼ିକ ଭିତରୁ ବାହାରି ଆସୁଥିଲେ ଅନ୍ୟମାନେ କ’ଣ ଘଟୁଛି ଜାଣିବା ପାଇଁ । କିନ୍ତୁ ଶ୍ରୀହରିର କୋଠରୀ ଚାରିପାଖରେ ଦୁଇଜଣ ପୁଲିସ୍‍ ପାଇଁତରା ମାରୁଥିବା ଦେଖି ସେ ଆଶ୍ଚର୍ଯ୍ୟ ହେଲା । ଫାଟକ ପାଖରେ ଦୁଇଜଣ ପୁଲିସ୍‍ ଛିଡ଼ା ହୋଇଥିଲେ ବନ୍ଧୁକ ଧରି ।

 

କିନ୍ତୁ ସବୁ କୋଠରୀ ତନ୍ନ ତନ୍ନ କରି ସେମାନେ ଖୋଜିଲେ ମଧ୍ୟ ଶ୍ରୀହରିକୁ ପାଇଲେ ନାହିଁ । ମନ୍ଦିରର ପୂଝାରୀ ଓ ସେବକମାନଙ୍କୁ ଶ୍ରୀହରି ସମ୍ପର୍କରେ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଲେ-। କିନ୍ତ ତା’ ବିଷୟରେ ବେଶୀ କିଛି ତଥ୍ୟ କେହି ଦେଇପାରିଲେ ନାହିଁ । ଇନିସପେକ୍ଟର ଅରବିନ୍ଦକୁ ଡାକିନେଇ ତାର ନାମ, ଠିକଣା, ଆସିବାର ଉଦ୍ଦେଶ୍ୟ ଲେଖି ନେଇ କହିଲେ–‘‘ଶ୍ରୀହରି ସହିତ ତୁମର କେତେ ଦିନର ପରିଚୟ ?’’

 

–‘‘ଦିନକର । ଉତ୍ତର ଦେଲା ଅରବିନ୍ଦ ।’’

–‘‘ତାକୁ ଆଗରୁ ଜାଣି ନ ଥିଲ ?’’

–‘‘ନା ।’’

–‘‘ତା ନାମ ଯେ ଶ୍ରୀହରି କିଏ କହିଲା ତୁମକୁ ?’’

–‘‘ସେ ନିଜେ ।’’

–‘‘ତା ସହିତ କେଉଁଠିକୁ ଯାଇଥିଲ ସନ୍ଧ୍ୟାବେଳେ ?’’

–‘‘ସାକେତ....’’

–‘‘ସେଠାରେ କିଏ ଅଛି ?’’

–‘‘ଜଣେ ସାଙ୍ଗ ଘରକୁ ଯାଇଥିଲେ ସେ ।’’

–‘‘ତାଙ୍କ ନାମ ?’’

–‘‘ମୁକେଶ ପାଚୌରୀ ।’’

–‘‘ସେଇ ଜାଗାଟା ଦେଖାଇ ଦେଇପାରିବ ?’’

 

–‘‘ନା, ମୁଁ ଦିଲ୍ଲୀକୁ ଆଗରୁ କେବେ ଆସି ନ ଥିଲି । ତେବେ ଗୋଟେ ତିନି ମହଲା ବଡ଼ କୋଠାଘର ପଛରେ ଥିବା ଆଉଟ୍‌ ହାଉସ୍‌ରେ ମୁକେଶଙ୍କ ସହିତ ତାଙ୍କର ଭେଟ ହେଲା । ତାଙ୍କ ସହିତ ଏକାନ୍ତରେ କ’ଣ କଥାବାର୍ତ୍ତା କରି ସେ ମୋତେ ନେଇ ଚାଲି ଆସିଲେ ଗୋଟେ ରାସ୍ତାକଡ଼ର ରେସ୍ତୋଁରାକୁ ।

 

–‘‘କ’ଣ କଥାବାର୍ତ୍ତା ହେଲେ କହିପାରିବ ?’’

–‘‘ନା, ସେମାନେ ଏକାନ୍ତରେ କଥାବାର୍ତ୍ତା ହେଉଥିଲେ ।’’

–‘‘ମୁକେଶ ପାଚୌରୀ ଦେଖିବାକୁ କିପରି ?’’

 

–‘‘ଲମ୍ବା । ଛଅଫୁଟ ହେବେ । ଦେହର ରଙ୍ଗ ଗୋରା । ନିଶ ହଳକ ବ୍ୟକ୍ତିତ୍ୱକୁ କରିଛି ଆହୁରି ଶାଣିତ । ବୟସ ପଇଁତିରିଶ ମଧ୍ୟରେ । ସ୍ପୋର୍ଟସ୍‌ମ୍ୟାନ୍‌ ପରି ଦେଖାଯାଆନ୍ତି.....।’’

 

–‘‘ଧନ୍ୟବାଦ । ତୁମେ ଶ୍ରୀହରି ସମ୍ପର୍କରେ ଆଉ କ’ଣ ଜାଣ ?’’

 

–‘‘ସେପରି କିଛି ନୁହେଁ । ତେବେ କଥା କହିବାର ଚାତୁରୀ ଜଣାଅଛି ତାଙ୍କୁ । ସହଜରେ ଅନ୍ୟ ସହିତ ବନ୍ଧୁତ୍ୱ କରିବାର ଆକର୍ଷଣୀୟ ବ୍ୟକ୍ତିତ୍ୱ ଅଛି ତାଙ୍କର ।’’

 

–‘‘ତୁମକୁ କ’ଣ କହୁଥିଲେ ?’’

–‘‘ଏଇ ବର୍ତ୍ତମାନର ସମାଜ ବ୍ୟବସ୍ଥା ସମ୍ପର୍କରେ । ଶୋଷକ ଓ ଶୋଷିତଙ୍କ ସମ୍ପର୍କରେ....’’

–‘‘ଆଉ କିଛି ?’’

–‘‘ନା....’’

 

–‘‘ତୁମେ ଯାଇପାର । କିନ୍ତୁ ମନେ ରଖ ଯେ ତା ନାମ ଶ୍ରୀହରି ନୁହେଁ... ଶ୍ରୀକୁମାର । ଶ୍ରୀକୁମାର ମହାନ୍ତି । ସେ ଜଣେ ଦୁର୍ଦ୍ଦାନ୍ତ ନକ୍ସଲ... ସେପରି ଲୋକଙ୍କ ସହିତ ସମ୍ପର୍କ ନ ରଖିବା ଭଲ... ବିପଦର ସମ୍ଭାବନା ଅଛି । ତୁମେ ନୂଆ... ତଥାପି ତୁମକୁ ସାବଧାନ କରିଦେଉଛି ।’’

 

ପୁଲିସ୍‍ ବାହିନୀ ଫେରିଯିବା ପରେ ମନଟା ଉଦାସ ହୋଇଗଲା ଅରବିନ୍ଦର । ଶ୍ରୀହରି ସହିତ ତା’ର ମାତ୍ର ଦିନକର ପରିଚୟ । ସେଇ ଅଛ ସମୟ ମଧ୍ୟରେ ସେ ତା ମନଭିତରେ ଗୋଟେ ନିର୍ଦ୍ଦିଷ୍ଟ ଆସନ ଦଖଲ କରି ନେଇଛି । ତା’କୁ ଆଉ କଣ୍ଟାଗଛ ପରି ଉଠାଇ ଫୋପାଡ଼ି ଦବା ସମ୍ଭବ ନୁହେଁ । ଶ୍ରୀହରି ଯେ ପୁଲିସ୍‍ ହାତରେ ଧରାପଡ଼ିନି ଏଥିପାଇଁ ଭଗବାନଙ୍କୁ କୃତଜ୍ଞତା ଜଣାଇଲା ଅରବିନ୍ଦ । ତା’ ସହିତ ଆଉ ଦେଖାହେବାର ସମ୍ଭାବନା ନାହିଁ । ସେ ହୁଏତ ଜାଣିଥିବ ଯେ ପୁଲିସ୍‍ ତା ପିଛା ଧରିଛି । ନଚେତ ପୁଲିସ୍‍ ହାତରୁ ବଞ୍ଚିବା ପାଇଁ ସେ ପଳାଇ ଯାଇଥାନ୍ତା କାହିଁକି କିନ୍ତୁ ସେ ନକ୍ସଲ ହେଉ ବା ଆଉ କେହି ହେଉ, ଗରିବ, ଦୁଃଖୀ, ସାଧାରଣ ଲୋକଙ୍କ ପ୍ରତି ଯେ ତା ହୃଦୟରେ ଅନେକ ସ୍ଥାନ ଅଛି ଏହା ସେ ଜାଣିପାରିଛି । ସାକେତକୁ ଫେରିବାବେଳେ ସେ କହୁଥିଲା ଯେ ଉତ୍କଳମଣି ଗୋପବନ୍ଧୁ ଯଦି ବଞ୍ଚିଯାଇଥାନ୍ତେ ତେବେ ସେ କମ୍ପ୍ୟୁନିଷ୍ଟ ହୋଇଥାନ୍ତେ ଅନ୍ୟାୟ, ଅତ୍ୟାଚାର, ଅବିଚାର ବିରୁଦ୍ଧରେ ଲଢ଼ିବା ପାଇଁ ।

 

ଶ୍ରୀହରି ଯେ ସାମାନ୍ୟ ଲୋକ ନୁହେଁ, ଜଣେ ଗରିବର ବନ୍ଧୁ, ଦରଦୀ ମଣିଷ ଏ ବିଷୟରେ ସେ ନିଃସନ୍ଦେହ । ସେ ନକ୍ସଲ କିମ୍ବା ଆଉ କିଛି ସେଥିରେ ତା’ର କିଛି ଯାଏ ଆସେନା । ସେ କେବଳ ଏତିକି ମନେରଖିବ ଯେ ଶ୍ରୀହରି ସେମାନଙ୍କ ପାଇଁ ଭାବେ । ଯୋଉଁମାନେ ଶୋଷିତ, ଦୁଃଖୀ, ଉତ୍ପୀଡ଼ିତ ସେମାନଙ୍କର ହୃଦୟର ରାଜା ସେ ।

 

ଶ୍ରୀହରି ବିଷୟରେ ଅରବିନ୍ଦ ଯେତିକି ଭାବିଲା ସେ ତା’ର ସେତିକି ପ୍ରିୟ ମନେହେଲା । ସେ ତ ନିଜ ବିଷୟ ଭାବୁଛି, ନିଜର ଭବିଷ୍ୟତ ନେଇ ଚିନ୍ତା କରୁଛି, ନିଜର ପରିବାରର ଭଲମନ୍ଦ ବ୍ୟତୀତ ଆଉ କୌଣସି ବିଷୟ ତା ମନକୁ ଆନ୍ଦୋଳିତ କରୁନାହିଁ; କିନ୍ତୁ ଶ୍ରୀହରି ଭାବେ ଅନ୍ୟମାନଙ୍କ କଥା, ସେମାନଙ୍କ ଦୁଃଖ ସୁଖ କଥା ଏବଂ ଆଶା ଓ ନିରାଶା ସମ୍ପର୍କରେ । ସମାଜ ଶ୍ରୀହରି ପରି ଲୋକଙ୍କୁ ନେଇ ବଞ୍ଚେ, ସେମାନଙ୍କ ସଫଳତାରେ ଉଲ୍ଲସିତ ହୁଏ, ବିଫଳତା ଦେଖି ମ୍ରିୟମାଣ ହୁଏ । ନିଜ କଥା ନ ଭାବି ସମାଜ ଓ ଦୁଃଖୀମାନଙ୍କ ବିଷୟ ଯେଉଁମାନେ ଭାବନ୍ତି ସେମାନଙ୍କୁ ଇତିହାସ ମନେରଖୁ ବା ନ ରଖୁ ସାଧାରଣ ମଣିଷ ଭୁଲନ୍ତି ନାହିଁ । ସେମାନଙ୍କ ନାମ ଲେଖା ହୋଇ ରହିଥାଏ ଶୋଣିତରେ ।

 

ରାତିସାରା ଶୋଇ ପାରିନି ନିଶ୍ଚିନ୍ତରେ । ଦେହର ଅବସନ୍ନତା କଟାଇବା ପାଇଁ ଚା’ କପେ ପିଇବା ପାଇଁ ବାହାରକୁ ଗଲା ଅରବିନ୍ଦ । ସକାଳର ପ୍ରଥମ ଚା’ କପ୍‌ ତା’ ହାତକୁ ବଢ଼ାଇ ଦବାବେଳେ କାଗଜ ଟୁକୁରାଏ ବି ତା’ ହାତକୁ ବଡ଼ାଇ ଦେଲା ନଟବର । କାଗଜ ଟୁକୁରା ଉପରେ ଲେଖାଥିବା କେତୋଟି ଶବ୍ଦ ଝଲସି ଉଠିଲା ତା’ ଆଖି ଆଗରେ ।

 

‘ମୁଁ ଯିବା ଆଗରୁ ତୋତେ କହିପାରିଲି ନାହିଁ । ସମୟ ନ ଥିଲା । ତେବେ ତୁ ତ କାଲି ଫେରିବୁ । ରାସ୍ତାରେ ଦେଖାହେବ ।’

 

–‘‘କିଏ ଦେଇଛି ଏ କାଗଜ ଖଣ୍ଡକ ?’’ ଚା’ରେ ଓଠ ଭିଜାଇ ପଚାରିଲା ଅରବିନ୍ଦ ।

 

–‘‘ଜଣେ ବାବୁ ଦେଇଗଲେ । ତାଙ୍କୁ ମୁଁ ଚିହ୍ନିନି । ଆପଣଙ୍କୁ ଦବାପାଇଁ ଅନୁରୋଧ କରିଥିଲେ ।’’

 

କିଏ ଲେଖିଛି ତଳେ ଲେଖା ନ ଥିଲେ ମଧ୍ୟ ଏହା ଯେ ଶ୍ରୀହରିର ଚିଠି, ଏ ବିଷୟରେ ଆଉ ସନ୍ଦେହ ରହିଲା ନାହିଁ ଅରବିନ୍ଦର ।

 

ତିନି

 

ପଚିଶ ବର୍ଷ ପୂର୍ବରୁ ଦିଲ୍ଲୀ ଓ ଭୁବନେଶ୍ୱର ମଧ୍ୟରେ ପ୍ରତ୍ୟକ୍ଷ ରେଳସଂଯୋଗ ନ ଥିଲା । କଲିକତା ବାଟ ଦେଇ ବା ବିଳାସପୁର କଟନି ବାଟେ ବୁଲି ବୁଲି ଦିଲ୍ଲୀ ଯିବାକୁ ପଡ଼ୁଥିଲା । ଏବେ ତ ଛଅଟା ଡାଇରେକ୍ଟ ଟ୍ରେନ୍‍ ଓଡ଼ିଶା ଓ ଦିଲ୍ଲୀ ମଧ୍ୟରେ । ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍‌, ଉତ୍କଳ, ନୀଳାଚଳ, ରାଜଧାନୀ, ପୁରୁଷୋତ୍ତମ ଓ ଭୁବନେଶ୍ଵର-ସମ୍ବଲପୁର-ନିଜାମୁଦ୍ଦିନ ଏକ୍ସପ୍ରେସ୍‌ । ଶ୍ରୀହରି ଯେ ଅତି ଚତୁର ଏହି ଚିଠିରୁ ଜାଣିପାରିଲା ଅରବିନ୍ଦ । କୋଉ ଗାଡ଼ିରେ କେଉଁ ବାଟ ଦେଇ ସେ ଫେରିବ ସେ ବିଷୟରେ ଚିଠିରେ କାହିଁ ଉଲ୍ଲେଖ କରିନାହିଁ । ଯଦି ବି ଚିଠିଟା ଆଉ କାହା ହାତରେ ପଡ଼ିଥାନ୍ତା ସହଜରେ ସେ ଜାଣି ପାରି ନ ଥାନ୍ତା କିଏ କେଉଁ ଗାଡ଼ିରେ କାହାକୁ କେଉଁଠାରେ ଭେଟିବ ।

 

ଶ୍ରୀହରି ପଛରେ ପୁଲିସ୍‍ ଲାଗିଛି ଯେତେବେଳେ କେତେବେଳେ କ’ଣ ହେବ କହି ହେବନି । ସରକାର ବାହାଦୁର ମହା ପରାକ୍ରମୀ । ତାଙ୍କର ପ୍ରଭାବ ଦେଶର ସର୍ବତ୍ର । ରାଷ୍ଟ୍ରଶକ୍ତି ବିରୁଦ୍ଧରେ କେତେଦିନ ଲଢ଼ିବ ଶ୍ରୀହରି ? ତଥାପି ସେ ଯେଉଁ ପଥ ବାଛି ନେଇଛି ଜନସେବା କରିବା ପାଇଁ ସେଥିରୁ କିଛି ମିଳେ ନାହିଁ, କେବଳ ଦବାକୁ ହୁଏ । ଆଇନର ଶାସନ ଚାଲିଛି ବୋଲି ନେତାମାନେ କହୁଛନ୍ତି ସଦାବେଳେ । କିନ୍ତୁ ଯାହାର ପଇସା ନାହିଁ, ଅଦାଲତରେ ମାମଲା ଲଢ଼ିବା ପାଇଁ ପଇସା ଖର୍ଚ୍ଚ କରିବା ସକାଶେ ଯାହା ପାଖରେ କପର୍ଦ୍ଦକଟିଏ ବି ନାହିଁ, ତାକୁ ଆଇନ ସୁରକ୍ଷା ଦବ କେମିତି ? ଆଇନକୁ ମୋଡ଼ି ତେଡ଼ି ବିଭିନ୍ନ ଅର୍ଥ ଅର୍ଥାନ୍ତର କରି ପଇସାବାଲା ଲୋକ ଖସିଯାଆନ୍ତି । ଅପରାଧ କରି ମଧ୍ୟ ସେମାନଙ୍କୁ ଦଣ୍ଡ ହୁଏ ନାହିଁ । କିନ୍ତୁ ଗରିବ ମାଇପ ଯେ ସମସ୍ତଙ୍କ ଶାଳୀ । ଆଇନ ରଗଡ଼େ ସେଇମାନଙ୍କୁ ଯେଉଁମାନେ କଥା କହିପାରନ୍ତି ନାହିଁ ବା ଆଉ କାହାକୁ ନିଯୁକ୍ତ କରି ନିଜ କଥା କୁହାଇ ପାରନ୍ତି ନାହିଁ ।

 

ନୀଳାଚଳ ଏକ୍ସପ୍ରେସ୍‌ରେ ଉଠିବା ପାଇଁ ବଡ଼ିଭୋରରୁ ହାଉଜ୍‌ଖାସ୍‌ରୁ ଅଟୋ ଧରିଥିଲା ଅରବିନ୍ଦ । ଗାଡ଼ି ଛାଡ଼ିବାର ପନ୍ଦର ମିନିଟ୍‌ ପୂର୍ବରୁ ପହଞ୍ଚିଗଲା ଷ୍ଟେସନରେ । ଦ୍ୱିତୀୟ ଶ୍ରେଣୀ ସ୍ଳିପର କୋଚରେ ଜାଗା ସଂରକ୍ଷିତ କରି ରଖିଥିଲା, ବର୍ଥ ତଳେ ବ୍ୟାଗ୍‌ଖଣ୍ଡକ ରଖି ଦୋକାନରୁ ଜଳଖିଆ କିଣିଲାବେଳେ ତା ପାଖକୁ ଲାଗି ଆସି ଜଣେ ଅପରିଚିତ କହିଲା–‘‘ଆପ୍‌ କହାଁ ଜାଏଁଗେ-?’’ ଅରବିନ୍ଦର ଉତ୍ତର ଶୁଣି ସେ କହିଲା–‘‘ମେଁ ଭି ଓଡ଼ିଶା ଯା ରହା ହୁଁ । ଆଚ୍ଛା ହୈ ସାଥୀ ମିଲ୍‌ ଗୟା । ଆପ୍‌କେ ସାଥ୍‌ ଔର କୋଇ ହୈ ?’’

 

–‘‘ନାଁ, ମୁଁ ଏକା ।’’ ପାଟି ଭିତରେ ପୁରି ଗୋଟିଏ ପୂରାଇ ଦେଇ କହିଲା ଅରବିନ୍ଦ ।

 

ଘରୁ ଆସିବାବେଳେ ବାପା ସାବଧାନ କରି ଦେଇଥିଲେ ଅଚିହ୍ନା ଲୋକ ସହିତ ଉପରେ ପଡ଼ି କଥା ନ କହିବା ପାଇଁ, ତା ହାତରୁ କିଛି ନ ଖାଇବା ପାଇଁ । ସେଇ ଅଚିହ୍ନା ଲୋକଟି ତା ହାତକୁ ଗୋଟେ ମିଠାଇ ବଢ଼ାଇ ଦେଇ କହିଲା–‘‘ମୁହଁ ମିଠା କର ଲିଜିଏ ।’’ ପରେ ଖାଇବି କହି ଅରବିନ୍ଦ ପାଣି ପିଇ ଡବା ଭିତରେ ପଶିଗଲା ।

 

କିନ୍ତୁ ଗାଡ଼ି ଚାଲୁଥିବାବେଳେ ଜଣେ କେହି ଦଉଡ଼ି ଦଉଡ଼ି ଆସି ସେଇ ଡବା ଭିତରକୁ ଉଠିବାକୁ ଚେଷ୍ଟା କରି ବି ପାରିଲା ନାହିଁ । ଗାଡ଼ିର ଗତି ବଢ଼ି ଯାଇଥିଲା । ଅରବିନ୍ଦର ହଠାତ୍‌ ମନେପଡ଼ିଗଲା ସେଇ ମୁହଁ, କିନ୍ତୁ କେଉଁଠାରେ ତାକୁ ଦେଖିଥିଲା । କିଛି ଠିକ୍‌ କରିପାରିଲା ନାହିଁ । ମନରେ ସଂଶ୍ଚୟ ବଢ଼ିଲା । ହୁଏତ ସେଇ ଲୋକଟା ଶ୍ରୀହରିର ପିଛା ଧରିଛି, ତାକୁ ଖୋଜି ବାହାର କରିବା ପାଇଁ ଚେଷ୍ଟା କରୁଛି । ଭଲ ହେଲା ସେ ଗାଡ଼ି ଭିତରକୁ ଉଠି ପାରିଲା ନାହିଁ । ଉଠିଥିଲେ କିଛି ନା କିଛି ଅଘଟଣ ଘଟିଥାଆନ୍ତା ।

 

ଏତେବେଳ ପର୍ଯ୍ୟନ୍ତ ତା’ ପାଖରେ କେଉଁମାନେ ବସିଛନ୍ତି ଦେଖି ନ ଥିଲା ଅରବିନ୍ଦ । ସେମାନଙ୍କ କଥାଭାଷାରୁ ଜାଣୁଥିଲା ଯେ ସେମାନେ ଓଡ଼ିଆ । ଖବରକାଗଜ ଧରି ପଢ଼ୁଥିଲେ ଜଣେ ମହିଳା । ତାଙ୍କ ମୁହଁ ଢାଙ୍କି ରହିଥିବାରୁ ତାଙ୍କୁ ଭଲ କରି ଦେଖିପାରିଲା ନାହିଁ ସେ । କିନ୍ତୁ ଖବରକାଗଜର ପ୍ରଥମ ପୃଷ୍ଠାର ହେଡ଼୍‌ଲାଇନ୍‌ଗୁଡ଼ା ପଢ଼ିନବା ପାଇଁ ବଗ ପରି ବେକ ଲମ୍ବାଇ ଦେଲା ।

 

‘‘ମୁଁ ପଢ଼ିସାରିଲିଣି । ନିଅନ୍ତୁ’’ ଏତିକି କହି ଯେତେବେଳେ ସେ ଖବରକାଗଜଟା ତା ହାତକୁ ବଢ଼ାଇ ଦେଲେ ଅରବିନ୍ଦ ଦେଖିଲା ଜଣେ ସୁଦର୍ଶନା ଯୁବତୀଙ୍କୁ । ଜିନ୍‌ପ୍ୟାଣ୍ଟ୍‌ ଓ ସାର୍ଟ । ଆଧୁନିକା । ହୁଏତ ଛାତ୍ରୀ ହୋଇଥିବେ ।

 

ତା’ର ଅନୁମାନ ସତ୍ୟ ପ୍ରମାଣିତ କରି ସେ କହିଲ।–‘‘ମୋ ନାଁ ଶ୍ରୀୟା....ଜେ.ଏନ.ୟୁ.ରେ ସମାଜ ବିଜ୍ଞାନରେ ଏମ୍‌.ଏ. ପରୀକ୍ଷା ଦେଇ ଘରକୁ ଫେରୁଛି ।

 

ତାଙ୍କୁ ନମସ୍କାର କରି କହିଲା ଅରବିନ୍ଦ-‘‘ମୁଁ ଅରବିନ୍ଦ ମିଶ୍ର....ଏମ.ସି.ଏ. କରି ଆସିଥିଲି ଇଣ୍ଟରଭିଉ ଦବାପାଇଁ । ଭଲ ହେଲା ଆପଣଙ୍କ ସହିତ ପରିଚୟ ହେଲା । ଆଉ ଅଚିହ୍ନା ଅଚିହ୍ନା ଲାଗିବ ନାହିଁ ।’’

 

ଶ୍ରୀୟା ସହିତ ପରିଚୟ ହେବାପରେ ପରେ ଆଉ କେତେଜଣଙ୍କ ସହିତ ମଧ୍ୟ ପରିଚୟ ହେଲା । ତାରୁଣ୍ୟର ଚଞ୍ଚଳତା ଶୀଘ୍ର ବାରି ହୋଇପଡ଼େ । ଶ୍ରୀୟା ବୋଧହୁଏ ଟିକେ ଗପୁଡ଼ି.... ପରିଚୟ ହେବା ପରେ ପରେ ସେ ଗପ ଆରମ୍ଭ କରିଦେଲା । ଜେ.ଏନ.ୟୁ.ର କଥା । ଦିଲ୍ଲୀରେ ବାସ କରୁଥିବା ଓଡ଼ିଆମାନଙ୍କ କଥା । ସେମାନଙ୍କର ସଂକୀର୍ଣ୍ଣତା, ପରସ୍ପର ସହିତ ମିଳିମିଶି ନ ଚଳିବାର ମାନସିକତା ଏବଂ ଅପ୍ରତ୍ୟାଶିତ ସହିତ ସାମନା ସାମନି ହେବାର ବିମୁଖତା ।

 

ନୀଳାଚଳ ଏକ୍ସପ୍ରେସ୍‌ଟା ଯେ ଓଡ଼ିଆମାନଙ୍କ ଗାଡ଼ି ତାହା ସହଜରେ ଅନୁମାନ କରିହୁଏ-। ଓଡ଼ିଆମାନଙ୍କର ଚଳଣି ଓ ଫେସନ ଦେଖି ସହଜରେ କହିହେବ ସେମାନେ ଆସିଛନ୍ତି ସୁଦୂର ଓଡ଼ିଶାରୁ । କିନ୍ତୁ ଦିଲ୍ଲୀବାଲାମାନଙ୍କୁ ଦେଖିଲେ ଜଣାଯାଏ ଯେ ସେମାନେ ଦୁଃସାହସୀ, ସେମାନେ ଯେପରି ଯିଏ ସିଏ ଜଣେ ଜଣେ ଅନାମ ସତ୍ତା ନୁହଁନ୍ତି, ବରଂ ସେମାନେ ରାଜଧାନୀର ରାଜା ସାହେବ...

 

ଗାଡ଼ି ଅଟକିଲା ଆଗ୍ରା ଷ୍ଟେସନରେ । ଦୁଇ କପ୍‌ ଚା’ ଆଣିଲା ଶ୍ରୀୟା । ଗୋଟିଏ କପ୍‌ ଅରବିନ୍ଦ ହାତକୁ ବଢ଼ାଇ ଦେଇ କହିଲା–‘‘ନିଅନ୍ତୁ ଗରମ ଚା’.... ଭଲ ଲାଗିବ !’’

 

ଭଲ ଲାଗି ନ ଥିଲେ ବି ଫେରାଇ ଦେଇପାରି ନ ଥାନ୍ତା ଅରବିନ୍ଦ । ଭଦ୍ର ମହିଳାଙ୍କ ସହିତ ଅଭଦ୍ରାମୀ ନ କରି ସେ ହାତ ବଢ଼ାଇ ଦେଇ କହିଲା–‘‘ଥ୍ୟାଙ୍କ୍‌ ୟୁ....’’

 

କାହାଣୀପେଡ଼ି ଖୋଲି ଦେଲା ଶ୍ରୀୟା ।

 

–‘‘ମୁଁ ଯେତେବେଳେ ପ୍ରଥମ ଆସିଲି ଦିଲ୍ଲୀ, କ’ଣ ହେଲା ଜାଣନ୍ତି ? ସିଧା ଯାଇ ଜେ.ଏନ୍‌.ୟୁ. କ୍ୟାମ୍ପସରେ ପହଞ୍ଚିଲି । କୋଉଠି ଜାଗା ମିଳିବ କିଛି ଠିକ୍‌ ହୋଇ ନ ଥାଏ । ପଚାରି ପଚାରି ସୋସିଆଲ୍‌ ସାଇନ୍ସର ବିଭାଗ ମୁଖ୍ୟ ପ୍ରଫେସର ଗୋପାଳକୃଷ୍ଣ ତଲଓ୍ୱାରଙ୍କ ବାସଭବନରେ ପହଞ୍ଚିଲି । ପ୍ରଫେସର ସାହେବ ମୋତେ ଦେଖି ଚକିତ ହେଲେ ଅବଶ୍ୟ; କିନ୍ତୁ ହଷ୍ଟେଲରେ ସିଟ୍‌ ନ ମିଳିବା ପର୍ଯ୍ୟନ୍ତ ତାଙ୍କରି ଘରେ ରହିବା ପାଇଁ ବ୍ୟବସ୍ଥା କରିଦେଲେ । ତାଙ୍କ ସ୍ତ୍ରୀ ବି ସେହିପରି । ମା’ ପରି ନାରୀଟିଏ ।’’

 

ଗପୁଗପୁ କେତେବେଳେ ପେଣ୍ଟ୍ରି କାରରୁ ବେହେରା ମିଲ୍‌ ଦେଇଗଲା ସେମାନେ ଜାଣିବି ପାରିଲେ ନାହିଁ । ଅନ୍ୟମାନେ ଖାଇବା ଆରମ୍ଭ କଲାବେଳକୁ ଅରବିନ୍ଦ କହିଲା– ‘‘ଆରେ ଆମ ମିଲ୍‌ ବି ଥୋଇ ଦେଇଛି ଏଇଠି.....’’

 

ଖାଇସାରି ହାତ ଧୋଇବା ପାଇଁ ଆଗ ଚାଲିଗଲା ଶ୍ରୀୟା । ସେ ଫେରିଆସିବା ପରେ ଓ୍ୱାସ୍‌ ବେସିନ୍‌ରେ ହାତ ଧୋଇ ମୁହଁ ପୋଛି ଫେରିବା ପାଇଁ ଅରବିନ୍ଦ ପାଦ ଟେକିଥିବାବେଳେ ଜଣେ ଗୈରିକ ବସ୍ତ୍ର ପରିହିତ ଓ ମୁଣ୍ଡରେ ପଗଡ଼ି ଥିବା ସାଧୁବାବାଙ୍କୁ ତା’ ପାଖରେ ଅଭୟ ମୁଦ୍ରାରେ ଠିଆ ହୋଇଥିବା ଦେଖି ତାଙ୍କ ମୁହଁକୁ ଚାହିଁଲା ଚିହ୍ନା ଚିହ୍ନା ଲାଗିଲା, କିନ୍ତୁ କୋଉଠି ଏହାପୂର୍ବରୁ ତାଙ୍କ ସହିତ ଦେଖା ହୋଇଥିଲା ହଠାତ୍‌ ମନେପକାଇ ପାରିଲାନି ଅରବିନ୍ଦ । ତା’କୁ ମନେପକାଇ ଦବାପାଇଁ କହିଲେ ସାଧୁବାବା–‘‘ଏତେଶୀଘ୍ର ପାସୋରି ଗଲୁ ?’’ କିନ୍ତୁ ତାଙ୍କ ସେଇ ପରିଚିତ କଣ୍ଠସ୍ଵର ଶୁଣି ମଧ୍ୟ । ନିଶ୍ଚୟ କରିପାରୁ ନ ଥିଲା ସେ ସାଧୁବାବାଙ୍କୁ କେଉଁଠି ଦେଖିଲା ।

 

ସେ ତାକୁ ସ୍ମରଣ କରାଇ ଦେବାପାଇଁ କହିଲେ–‘‘ତୁ ମୋ ଚିଠି ପାଇଥିବୁ ନିଶ୍ଚୟ ?’’

ଏଥର ଅରବିନ୍ଦ ନିଃସନ୍ଦେହ ହୋଇଗଲା ଯେ ସାଧୁବାବା ଆଉ କେହି ନୁହଁନ୍ତି ଶ୍ରୀହରି ।

 

କିନ୍ତୁ ସେ ମୁହଁ ଫିଟାଇବା ପୂର୍ବରୁ ତା’ ମୁହଁ ଉପରେ ହାତ ରଖି କହିଲେ ସାଧୁବାବା–‘‘ଟ୍ରେନ୍‍ର ଯାତ୍ରୀ ମୁଁ । ମୋର ନାମ ସାଧୁ ନରୋତ୍ତମ । ଆଉ ମନେରଖିବୁ ସାଧୁସନ୍ନ୍ୟାସୀମାନଙ୍କର ପୂର୍ବାଶ୍ରମର ନାମ ଠିକଣା କୁହାଯାଏନା । ମୁଁ ଏସ୍‌. ପାଞ୍ଚନମ୍ବର ବଗିର ତେତିଶ ନମ୍ବର ବର୍ଥରେ ଅଛି । ତୁ ଆସିଲେ କଥାଭାଷା ହେବା । ସେଠାରେ ବିହାରର ରାଜତ୍ଵ ।’’

 

ଏତିକି କହି ସେ ଅଦୃଶ୍ୟ ହୋଇଗଲେ । ତାଙ୍କ ଯିବା ପଥକୁ ଅନାଇ ରହିଲା ଅରବିନ୍ଦ । ନିଜ ସିଟ୍‌କୁ ଫେରି ଆସି କହିଲା ସେ ଶ୍ରୀୟାକୁ–‘‘ଆଉ ଜଣକ ସହିତ ଚିହ୍ନା ପରିଚୟ ହେଲା । ନାମ ସାଧୁ ନରୋତ୍ତମ । ତମେ ବରଂ ବସି ବସି ଉପନ୍ୟାସ ପଢ଼ ନ ହେଲେ ଏଇ ମ୍ୟାଗାଜିନ୍‌ଟା ପଢ଼ୁଥାଆ.....ମୁଁ ଯାଉଛି, କିଛି ସମୟ ତାଙ୍କ ସହିତ ଗପିବି....ଟି.ଟି.ଇ. ଆସିଲେ କହିଦବ.... ।’’

 

ସାଧୁ ନରୋତ୍ତମ ନାମ ଆଉ କେବେ ଶୁଣି ନ ଥିଲା ଶ୍ରୀୟା । ହସିଦେଇ କହିଲା–‘‘ସାଧୁ ସନ୍ୟାସୀଙ୍କ ସାନିଧ୍ୟ ମିଳିବା ଭାଗ୍ୟର କଥା । ଆପଣ କିନ୍ତୁ ଧର୍ମରୁ ମୋତେ କିଛି ଭାଗ ଦେବେ ?’’ ଦୁଇଟା ବଗି ଅତିକ୍ରମ କରି ଏସ୍‌-୫ରେ ପହଞ୍ଚିଲା ଅରବିନ୍ଦ । ସିଟ୍‌ ନମ୍ବର ୩୩ରେ ବସି ଗୋଟିଏ ଧର୍ମପୁସ୍ତକ ଉପରେ ଆଖି ବୁଲାଉଥିଲେ ସାଧୁବାବା ।

 

ଅରବିନ୍ଦ ପାଇଁ ଜାଗା କରିଦେଇ କହିଲେ ସେ–’’ତୁ ଜାଣିଥିବୁ ନିଶ୍ଚୟ । ଓଡ଼ିଶାର ଶତକଡ଼ା ୪୭ ଜଣ ଦାରିଦ୍ର୍ୟର ସୀମାରେଖା ତଳେ । ଅର୍ଥାତ୍ ଏମାନେ ଓଳିଏ ଓପାସ ରହନ୍ତି । ଏମାନଙ୍କର ନିଜସ୍ଵ ଜମିଜମା ସମ୍ପତ୍ତି ନାହିଁ । ରୋଗର ଚିକିତ୍ସା କରିବାପାଇଁ ଏମାନଙ୍କ ହାତରେ ପଇସା ନ ଥାଏ । ପୁଅ ଝିଅଙ୍କୁ ସ୍କୁଲକୁ ପଠାଇବା ପାଇଁ ସମ୍ବଳ ନାହିଁ ଏମାନଙ୍କର । ଦେହ ଢାଙ୍କିବା ପାଇଁ ଆବଶ୍ୟକ ବସ୍ତ୍ର ବା ବାସଗୃହ ନାହିଁ । ବର୍ତ୍ତମାନକୁ ନେଇ ବଞ୍ଚନ୍ତି ଏମାନେ । ଏମାନଙ୍କର ନା ଅଛି ଭବିଷ୍ୟତ, ନା ଅଛି ଆଗାମୀ କାଲି... । ଅତୀତ ସେମାନଙ୍କର ସ୍ମୃତିରେ ନ ଥାଏ, କିମ୍ବା ନ ଥାଏ ଭବିଷ୍ୟତର ସ୍ୱପ୍ନ... ।’’

 

ଅଥଚ ଆଗାମୀ କାଲିର ସୂର୍ଯ୍ୟ ଲୋଭନୀୟ ହୋଇଥିବେ, ତା’ ପାଇଁ କିଛି ନୂତନ ବାର୍ତ୍ତା, ନୂତନ ପ୍ରତିଶ୍ରୁତି ଆଣିଥିବେ ଏଇ ଚିନ୍ତା କରି ଅରବିନ୍ଦ ନିଦ୍ରା ଯାଏ ପ୍ରତିଦିନ । ଅରବିନ୍ଦ କହିଲା–‘‘ସ୍ୱାଧୀନ ଦେଶର ଲଜ୍ଜା ଏମାନେ....।’’

 

–‘‘ନା, ନା ତୁ ଭୁଲ କହୁଛୁ, ଏମାନେ ଲଜ୍ଜା ନୁହଁନ୍ତି, ଶହେ କୋଟି ମଣିଷଙ୍କର ମେଳରେ ଏମାନେ ବି ଦେଶର ନାଗରିକ । ଏମାନଙ୍କୁ ନେଇ ଦେଶ ବଞ୍ଚେ, ଏମାନଙ୍କର ଶ୍ରମଦ୍ଵାରା ନିର୍ମିତ ହୁଏ ବିରାଟ ସୌଧ, ସଚିବାଳୟ, ଦୋକାନ ବଜାର ଓ ମନୋରଞ୍ଜନ କେନ୍ଦ୍ର । କିନ୍ତୁ ସେଥିରେ ଏମାନଙ୍କର ପ୍ରବେଶ ନିଷେଧ । ସେସବୁ ଏମାନଙ୍କ ପାଇଁ ନିଷିଦ୍ଧ ଇଲାକା । ଏମାନେ କ’ଣ ଜନ୍ମୁଥିବେ ଆଉ ମରୁଥିବେ । ଏମାନଙ୍କୁ ଜାତି ଦବ ନାହିଁ କିଛି....। ଏମାନଙ୍କ ବର୍ତ୍ତମାନ ପରି ଭବିଷ୍ୟତ ବି ଅନିଶ୍ଚିତ ହୋଇ ରହିଥିବ ।’’

 

ଶ୍ରୀହରି କହୁଥାଏ, ବାଧ୍ୟ ଛାତ୍ର ପରି ସବୁ ଶୁଣି ଯାଉଥାଏ ଅରବିନ୍ଦ । ‘‘ସମାଜ ଏମାନଙ୍କୁ ଶୋଷଣ କରୁଛି, ପ୍ରଥା ପରମ୍ପରା ଜାତି ଗୋତ୍ର ଓ ଧର୍ମ ନାମରେ ହଜାରେ ଶୃଙ୍ଖଳ ସୃଷ୍ଟି ହୋଇଛି ଏମାନଙ୍କୁ ବାନ୍ଧି ରଖିବା ପାଇଁ । ଦେଶ କୋଉଦିନୁ ସ୍ୱାଧୀନ ହେଲାଣି, ଏମାନଙ୍କର ଶୃଙ୍ଖଳ କିନ୍ତୁ ଫିଟିନାହିଁ, ଏମାନେ ମୁକ୍ତିର ସ୍ୱାଦ ଜାଣି ନାହାନ୍ତି... ।’’

 

–‘‘ତୁ ଏମ.ସି.ଏ. ପାସ୍‌କରି ଗୋଟେ ବଡ଼ କାମ କରିଛୁ ବୋଲି ଭାବୁଛୁ । କିନ୍ତୁ ତୁ କ’ଣ ହଲପକରି କହିପାରିବୁ ଯେ ତୋତେ ମଣିଷ କରିବାରେ ଏମାନଙ୍କର କୌଣସି ଅବଦାନ ନାହିଁ ? ସେମାନେ ସର୍ବସ୍ଵ ଦେଇ ଦେଇ ସର୍ବହରା ହୋଇଯାଇଛନ୍ତି, କିନ୍ତୁ ସେମାନଙ୍କୁ ତୁ ଦବୁ କ’ଣ ? ତୁ ଯଦି ଚାକିରି ପାଇଯାଉ ତେବେ ସେଇ ଶୋଷକମାନଙ୍କ ଶିବିରରେ ଯୋଗଦବୁ... ଆଉ ଯଦି ତାହା ନ ଜଗି ଏମାନଙ୍କ ସେବକ ହେଉ ତେବେ କେଉଁଥିରେ ଅଧିକ ମର୍ଯ୍ୟାଦା ଅଧିକ ଗୌରବ... ? ତୋତେ ମୁଁ ବାଧ୍ୟ କରୁନାହିଁ, କେବଳ କହୁଛି ବାସ୍ତବତା ସମ୍ବନ୍ଧରେ । ତୁ ଭାବିଦେଖ, ଚିନ୍ତା କର୍‌ । ହଠାତ୍‌ କିଛି ନିଷ୍ପତ୍ତି ନେବାକୁ ମୁଁ କହୁନାହିଁ... ।’’

 

ଟିଟିଇଙ୍କୁ ଡବା ଭିତରକୁ ପ୍ରବେଶ କରୁଥିବା ଦେଖି ସାଧୁ ବାବା କହିଲେ–‘‘ଆଜି ଏତିକି....ହୁଏତ କେହି ନଜର ରଖିଥିବ ମୋ ଉପରେ... ତୁ ସିଟ୍‌କୁ ଫେରିଯାଅ....ସୁବିଧା ହେଲେ ରାତିରେ କଥା ହେବା...।’’

 

ସାଧୁବାବା ଧ୍ୟାନସ୍ଥ ହେଲେ ଏବଂ ଧୀରେ ଧୀରେ ତାଙ୍କ ପାଖରୁ ନିଜ ଡବାକୁ ଫେରିଆସିଲା ଅରବିନ୍ଦ । ତା’ ଆଗରେ ମଣିଷର ନୂତନ ପରିଚୟ ପତ୍ର ଉନ୍ମୋଚିତ ହେଉଥିଲା ।

 

ଅରବିନ୍ଦ ଭାବେ ଏଇ ଭାରତ କେବଳ ଗୋଟିଏ ନଦନଦୀ, ବଣପାହାଡ଼, ଜନବସତିର ଦେଶ ନୁହେଁ; ଏଥିରେ ବିକଶିତ ହେଉଛି ଭାରତମାତାଙ୍କ ଅନନ୍ୟ ନୈସର୍ଗିକ ରୂପ । ହିମାଳୟର ବରଫ ଭିତରୁ ଦିବ୍ୟଜନନୀଙ୍କ କରୁଣାଧାରା ବହି ଆସିଛି ମନ୍ଦାକିନୀର କଲ୍ଲୋଳ ଓ ଉଚ୍ଛ୍ୱାସରେ । ତାଙ୍କରି କରୁଣାରୁ ଏ ଦେଶର ଅଭିଶପ୍ତ ପିତୃପୁରୁଷଙ୍କୁ ଉଦ୍ଧାର କରିବା ପାଇଁ ଜନ୍ମ ହୁଅନ୍ତି ଭଗୀରଥମାନେ । ଗଙ୍ଗାବତରଣର ଲୋମହର୍ଷକ ଚିତ୍ର ଦେଖିବା ପାଇଁ ଦିବ୍ୟ ଦୃଷ୍ଟି ଦରକାର ।

 

ଶ୍ରୀୟା କହିଲା–‘‘ହଠାତ୍‌ ମୌନାବତାର ଧାରଣ କରି କ’ଣ ଏତେ ଭାବୁଛ ? ମୁଁ ତ ଚୁପ୍‌ଚାପ୍‌ ଆଦୌ ବସିପାରେ ନାହିଁ।’’ ଅରବିନ୍ଦ ଆଖି ଖୋଲି କହିଲା–‘‘ମୁଁ ନିଜ କଥା ଭାବୁ ନାହିଁ, ଭାବୁଛି ଦେଶକଥା, ଅଗଣିତ ନିରୀହ ଅବହେଳିତ ଲୋକଙ୍କ କଥା । ଅଥଚ ଭାଗ୍ୟର କି ବିଡ଼ମ୍ବନା ଜାଣ ଶ୍ରୀୟା, ମୁଁ ସେମାନଙ୍କ ପାଇଁ କିଛି କରିନାହିଁ, କେବଳ ନିଜେ କିପରି ସୁଖୀ ହେବି, ନିଜ ପରିବାର କିପରି ସୁଖରେ ରହିବେ, ସେଇ କଥାହିଁ ଭାବି ଆସିଛି । ମୋର ସ୍ଵାର୍ଥପରତା ଦେଖି ମୁଁ ନିଜେ ବେଳେ ବେଳେ ଚମକି ପଡ଼େ... ।’’

 

–‘‘କିନ୍ତୁ ତୁମକୁ ତ ସ୍ୱାବଲମ୍ବୀ ହେବାକୁ ପଡ଼ିବ । ଘରେ ବାପା, ମା’, ଭାଇ ଉଉଣୀ ଅଛନ୍ତି । ସେମାନଙ୍କୁ କ’ଣ ନିରାଶ କରିବ ?’’

 

–‘‘ସେଇ କଥା ଭାବୁଛି । କେବଳ ନିଜ କଥା ହୋଇଥିଲେ ନିଆରା, କିନ୍ତୁ ଯେଉଁମାନଙ୍କର ତ୍ୟାଗରୁ ମୁଁ ବଡ଼ ହେଲି, ପାରିବାର ହେଲି ସେମାନଙ୍କୁ ହଠାତ୍‌ ଭସେଇ ଦେବି କିପରି ?’’ ଢୋକ ଗିଳି କହିଲା ଅରବିନ୍ଦ ।’’

 

ରାତ୍ରିଭୋଜନ ବି ସରି ଯାଇଥିଲା । ବିଛଣା ପାରି ଶ୍ରୀୟା କହିଲା–‘‘ତମେ ଶୋଇବନି-?’’

 

–‘‘ହଁ ମୁଁ ବି ଶୋଇବି । ମୋତେ ବି ନିଦ ଲାଗିଲାଣି ।’’ କହିଲା ଅରବିନ୍ଦ ।

 

କରିଡୋର ଖାଲି ହୋଇଗଲାଣି । ଯାତ୍ରୀମାନଙ୍କର କୋଳାହଳ ଆଉ ଶୁଭୁନାହିଁ । ତାଳ ଦେଇ ଚାଲିଥିବା ଟ୍ରେନ୍‍ର ମୋହିନୀ ଶକ୍ତି ଯାତ୍ରୀମାନଙ୍କୁ ବିବଶ କରୁଥାଏ ଶୋଇବା ପାଇଁ । ଶ୍ରୀୟାକୁ ସେ ବି ଶୋଇବ ବୋଲି କହିଲା ସିନା, କିନ୍ତୁ ଶୋଇବା ବାହାନା କରି ତାକୁ ଜାଗ୍ରତ ରହିବାକୁ ହେବ । କାଳେ ଯଦି କିଛି ବିପଦ ଘଟିଯାଏ... ।

 

ବାଥ୍‌ରୁମକୁ ଯିବାବେଳେ ଦୁଇଜଣ ସଶସ୍ତ୍ର ପୁଲିସ୍‍ ଦରଜା ପାଖରେ ଛିଡ଼ା ହୋଇଥିବାର ଦେଖି ସେ ଟିକେ ରହିଗଲା । ସେମାନେ ତାକୁ ନ ଦେଖିବା ପରି ବାହାରକୁ ଚାହିଁ ରହିଥାନ୍ତି । ହୁଏତ ଗାଡ଼ିରେ ଚୋରି ଡକାୟତି ରୋକିବା ପାଇଁ କର୍ତ୍ତୃପକ୍ଷ ଏଇ ସୁରକ୍ଷା ବ୍ୟବସ୍ଥା କରିଛନ୍ତି ।

 

ଆଖି ଲାଗି ଆସିଥିଲା, ହଠାତ୍‌ ଟ୍ରେନ୍‌ର ଗତି କମିଯାଇ କେତେକ୍ଷଣ ପରେ ଛିଡ଼ା ହୋଇଯିବାରୁ ବାଥ୍‌ରୁମ୍‌ଆଡ଼କୁ ଦୃଷ୍ଟି ପକାଇଲା ଅରବିନ୍ଦ । ଗାଡ଼ି କାହିଁକି ଷ୍ଟେସନ ପହୁଞ୍ଚିବା ପୂର୍ବରୁ ଛିଡ଼ା ହୋଇଗଲା ତାହା ଜାଣିବାପାଇଁ ପୁଲିସ୍‍ ଦୁଇଜଣ ଡେଇଁପଡ଼ିଲେ ତଳକୁ । ଦୌଡ଼ା ଦୌଡ଼ି କରୁଥିବାର ଶବ୍ଦ ଭାସିଆସିଲା । କିଛି ସମୟ ଗାଡ଼ି ସେଇ ଅନ୍ଧାର ଭିତରେ ଅଟକି ରହିବା ପରେ ପୁଣି ତୂରୀ ବଜାଇ ଆଗକୁ ଚାଲିଲା । ସେଇ ଦୁଇଜଣ ସଶସ୍ତ୍ର ପୁଲିସ୍‍ ଡବା ଭିତରକୁ ପଶିଆସିଲେ-। କହିଲା ଜଣେ, ‘‘ଖସିଗଲା ଲୋକଟା । ଚଳନ୍ତା ରେଳଗାଡ଼ିରୁ ଡିଆଁ ମାରି ଖସିଗଲା ବୋଧହୁଏ-।’’

 

ଅନ୍ୟଜଣକ କହିଲା–‘‘କିନ୍ତୁ ଜାଣି ହେଲାନି ସେ ଏକା ଥିଲା ନା ଆଉ କେହିବି ଖସିଗଲେ ତା’ ସାଙ୍ଗରେ ।’’

 

କିଛି ସମୟ ପରେ ଟ୍ରେନ୍‍ ଛିଡ଼ା ହେଲା ଗୟା ଷ୍ଟେସନରେ । କୌତୁହଳ ଦମନ କରି ନ ପାରି ଅରବିନ୍ଦ ଚାଲିଗଲା ଏସ୍‌-୫ ନମ୍ବର ବଗିକୁ । ପୁଲିସ୍‍ ଠୁଳ ହୋଇଥାଏ ସେଇ ଡବା ଆଗରେ-। ସେମାନେ କୁହାକହି ହେଉଥିବାର ସେ ଶୁଣିପାରିଲା–‘‘ଖସିଗଲା । ବଡ଼ ସାହସୀ କିନ୍ତୁ । ଚଳନ୍ତା ଟ୍ରେନ୍‍ର ଚେନ୍ ଟାଣି ଅନ୍ଧାର ଭିତରେ ଗାଡ଼ି ଉପରୁ ଡେଇଁ ପଡ଼ିବା କିଛି କମ୍‌ କଥା ନୁହେଁ । ଅଦ୍ଭୁତ ଶକ୍ତି ସାଧୁବାବାର । ହୁଏତ ଗୋଡ଼ ହାତ ଭାଙ୍ଗିଯାଇଥିବ ।’’

 

ଆଉ କିଛି ଜାଣିବାପାଇଁ ସମୟ ବ୍ୟୟ ନ କରି ଚୁପ୍‌ଚାପ୍‌ ନିଜ ବଗିକୁ ଫେରି ଶୋଇପଡ଼ୁଥିଲାବେଳେ ଶ୍ରୀୟା କହିଲା–‘‘କ’ଣ ହେଲା, କୁଆଡ଼େ ଯାଇଥିଲ ? ମୁଁ ଡରି ଯାଇଥିଲି ତୁମକୁ ନ ଦେଖି । କିଛି ଅଘଟଣ ଘଟିଲା ?’’

 

–‘‘ନା କିଛି ନୁହେଁ....ଜଣେ କେହି ଚଳନ୍ତା ଟ୍ରେନ୍‍ରୁ କୁଦାମାରି ଓହ୍ଲାଇ ଗଲା ବୋଲି ପୁଲିସ୍‍ ଅନୁସନ୍ଧାନ କରୁଛି.... ।’’

 

–‘‘ଚୋର ତସ୍କର ନୁହେଁ ତ ?’’

 

ଶ୍ରୀୟା ନଇଁପଡ଼ି ବର୍ଥ ତଳେ ଜିନିଷପତ୍ର ଠିକ୍‍ଥିବା ଦେଖି କହିଲା–‘‘ନା, ସବୁ ଠିକ୍‍ ଅଛି-।’’

 

ଅରବିନ୍ଦର ତୁଣ୍ଡରୁ ବାହାରିଗଲା–‘‘ବିପ୍ଳବୀମାନେ କିଛି ନିଅନ୍ତି ନାହିଁ ।’’

 

ତା’ କଥାର ଅର୍ଥ ବୁଝି ନ ପାରି ଶ୍ରୀୟା ଅରବିନ୍ଦର ମୁହଁକୁ ଚାହିଁ ରହିଲା କେବଳ ।

 

ଚାରି

 

ବାଲେଶ୍ୱର ଷ୍ଟେସନରେ ନୀଳାଚଳ ଏକ୍ସପ୍ରେସ୍‌ ପହଞ୍ଚିବାବେଳକୁ ପ୍ଲାଟଫର୍ମ୍‌ ଲୋକାରଣ୍ୟ ଓ ପୁଲିସ୍‍ ପଇଁତରା ମାରୁଥିବା ଦେଖି କେହି ଜଣେ ବଡ଼ ନେତା ଯାଉଥିବେ ବା କିଛି ଅଘଟଣ ଘଟିଥାଇପାରେ ବୋଲି ଆଶଙ୍କା ହେଲା ଅରବିନ୍ଦର । ପ୍ଲାଟଫର୍ମ୍‌କୁ ସେ ଯାଉଥିବାବେଳେ ଶ୍ରୀୟା କହିଲା ଓଡ଼ିଆ ଖବରକାଗଳ ଆଣିବା ପାଇଁ । ‘ସମାଜ’ ଖଣ୍ଡେ କିଣୁଥିବାବେଳେ ଜଣେ ପୁଲିସ୍‍ ଇନିସ୍‌ପେକ୍ଟର ତା ପାଖକୁ ଆସି କହିଲା–‘‘ତମେ ଏଇ ଗାଡ଼ିରେ ଆସୁଛ ?’’

 

–‘‘ହଁ’’

–‘‘କେଉଁଠୁ ଆସିଲ ?'’

–‘‘ନୁଆଦିଲ୍ଲୀରୁ”

–‘'ବାଟରେ ସାଧୁବାବା ସହିତ ତମର ଦେଖା ହୋଇଥିଲା ?''

–'‘ଜଣେ ଗୈରିକ ଲୁଗା ପିନ୍ଧା ବ୍ୟକ୍ତିଙ୍କୁ ମୁଁ କରିଡୋରରେ ଦେଖିଥିଲି...’’

–‘‘ତାଙ୍କ ସହିତ କଥା କହିଥିଲ ?''

–‘‘ହଁ, ସେ ମୋତେ କେଉଁଠୁ ଆସିଛ କୁଆଡ଼େ ଯିବ ପଚାରୁଥିଲେ...''

–‘‘ଆଉ କିଛି ?”

–‘‘ନା ।’’

–‘‘ତାଙ୍କୁ ପୂର୍ବରୁ ଜାଣିଥିଲ ?’’

–‘‘ନା’’

–‘‘ସତ କହୁଛ ?’’

–‘‘ମିଛ କହିବି କାହିଁକି ?’’ ଓଲଟା ପ୍ରଶ୍ନ କଲା ଅରବିନ୍ଦ ।

 

ଅରବିନ୍ଦର ନାମ ଓ ଠିକଣା ଲେଖିନେଇ ଇନିସପେକ୍ଟର କହିଲେ–‘‘ଦରକାର ହେଲେ ତୁମକୁ ପୁଣି ଡକାଯିବ । ଏଥର ତୁମେ ଯାଇପାର ।’’

 

ଇନିସପେକ୍ଟର ହାତରୁ ଖସି ବଗିକୁ ଫେରୁଥିବାବେଳେ ଇନିସପେକ୍ଟର ଆଉ ଜଣେ ପୁଲିସ୍‍ ଅଫିସରଙ୍କୁ କହୁଥିବାର ଶୁଣିପାରିଲା ଅରବିନ୍ଦ–‘‘ଏଥର ଖସିଗଲା ଶ୍ରୀହରି, କିନ୍ତ ସେ ଯେ ଶୀଘ୍ର ଧରାପଡ଼ିବ ଏଥିରେ ସନ୍ଦେହ ନାହିଁ ।’’

 

ସାଧୁବାବା ଯେ ଟ୍ରେନ୍‍ରୁ ବାଟରେ ଓହ୍ଲାଇ ଯାଇଛନ୍ତି ଏବେ ନିଶ୍ଚିନ୍ତ ହେଲା ଅରବିନ୍ଦ । ତାଙ୍କ ସହିତ ତା’ର ପରିଚୟ ମାତ୍ର ଅଢ଼େଇଦିନର । କିନ୍ତୁ ଇତି ମଧ୍ୟରେ ସେ ଜାଣିଥିଲା ଯେ ଶ୍ରୀହରି ଜଣେ ସାଧାରଣ ବ୍ୟକ୍ତି ନୁହେଁ, ସେ ଜଣେ ବିପ୍ଲବୀ, ମୁକ ଜନତାର ପ୍ରତିନିଧି.... । ସ୍ଥିତାବସ୍ଥାର ବିଦ୍ରୋହୀ... ।

 

ଡବାକୁ ଫେରିଲାପରେ ଶ୍ରୀୟା ପଚାରିଲା–‘‘କ’ଣ ହେଲା, ଟ୍ରେନ୍ ଅଟକି ରହିଛି କାହିଁକି-?’’

 

–‘‘ଜଣେ ବିପ୍ଲବୀ ଏଇ ଟ୍ରେନ୍‍ରେ ଆସୁଥିଲେ, କିନ୍ତୁ ବାଟରେ ଓହ୍ଲାଇ ଯାଇଥିବା ପୁଲିସ୍‍ ସନ୍ଦେହ କରୁଛି । ସେ ନୀଳାଚଳରେ ଆସୁଥିବା ଖବର ପାଇ ତାଙ୍କୁ ଧରିବା ପାଇଁ ପୁଲିସ୍‍ ସଜବାଜ ହୋଇ ଅପେକ୍ଷା କରୁଥିଲା । କିନ୍ତୁ ସେମାନଙ୍କ ଆଖିରେ ଧୂଳିଦେଇ ସେ ବାଟରେ ଓହ୍ଲାଇ ଯାଇଛନ୍ତି ବୋଧହୁଏ... ।’’ କିଛି ନ ଜାଣିଲା ପରି କହିଲା ଅରବିନ୍ଦ ।

 

–‘‘ଦେଶ ସ୍ୱାଧୀନ ହୋଇଛି । ଗଣତନ୍ତ୍ର ଶାସନ ଚାଲିଛି । ତଥାପି କାହିଁକି କେହି ବିଦ୍ରୋହ କରିବ, ବିପ୍ଲବର ସ୍ଵପ୍ନ ଦେଖିବ ?’’ କହିଲା ଶ୍ରୀୟା ।

 

–‘‘କାରଣ ଦେଶ ସ୍ୱାଧୀନ ହୋଇଛି ସତ, କିନ୍ତୁ ମନ ପରାଧୀନ ହୋଇ ରହିଛି । ସେଇ ପୁରୁଣା ସାମନ୍ତବାଦୀ ପ୍ରଥାକୁ ଜାବୋଡ଼ି ଧରି ପଡ଼ି ରହିଛୁ ଆମେ । ନୂତନକୁ ସ୍ଵାଗତ ନ କରି ସ୍ଥିତାବସ୍ଥାର ଜୟଗାନ କରୁଛୁ । କେହି କେହି ବି କହୁଥାନ୍ତି ଯେ ବରଂ ବ୍ରିଟିଶ୍‌ ଶାସନ ଭଲ ଥିଲା । କିନ୍ତୁ ସ୍ଵଦେଶୀ ଶାସନରେ ଲୋକଙ୍କୁ ନ୍ୟାୟ ମିଳୁନାହିଁ, ଲାଞ୍ଚ ନ ଦେଲେ କିଛି କାମ ହୁଏନାହିଁ । ରାଷ୍ଟ୍ର ପ୍ରତି ଆନୁଗତ୍ୟ ନାହିଁ, ସମାଜ ପ୍ରତି ଅଙ୍ଗୀକାରବଦ୍ଧତା ନାହିଁ । ଦେଖୁଛ ଚତୁର୍ଦ୍ଦିଗରେ କିପରି ବିଶୃଙ୍ଖଳା... । ଯେଉଁମାନଙ୍କର ଅଛି ସେମାନେ ମାରି ନେଉଛନ୍ତି ଅନ୍ୟମାନଙ୍କ ଭାଗ । ଦୁର୍ବଳମାନେ ଭକୁଆ ପରି ଚାହିଁଛନ୍ତି । ବିଦ୍ରୋହ ନ କଲେ, ବିପ୍ଲବ ନ କଲେ ଏଇ ପ୍ରଥା ବଦଳିବ ନାହିଁ, ସ୍ଥିତାବସ୍ଥା ଟଳିପଡ଼ିବ ନାହଁ... ।’’ ଅରବିନ୍ଦ ବେଶ୍‌ ଉତ୍ତେଜିତ ହୋଇ କହୁଥିଲା ।

 

କିନ୍ତୁ ଶ୍ରୀୟା ହସିଦେଇ କହିଲା–‘‘ତମେ ବିପ୍ଲବରେ ଝାସ ଦେବ ନା କମ୍ପ୍ୟୁଟର ସ୍ପେଶାଲିଷ୍ଟଭାବେ କାର୍ଯ୍ୟ କରିବ ଭାବିଛ ଅରବିନ୍ଦ ?’’

 

ଅରବିନ୍ଦ କହିଲା–‘‘ଠିକ୍‌ କରିନି କିଛି । କିନ୍ତୁ ଦେଶର ଅବସ୍ଥା ଯେତିକି ଦେଖୁଛି ସେତିକି ମନ ଅସ୍ଥିର ହେଉଛି, ବିବେକ ବାଧ୍ୟ କରୁଛି କିଛି ଗୋଟେ ନିଷ୍ପତ୍ତି ନବାପାଇଁ । କେବଳ ପରିବାରର ଦାୟିତ୍ଵ କଥା ଭାବି ମ୍ରିୟମାଣ ହୋଇ ପଡ଼ୁଛି ମୁଁ ।’’

 

–‘‘ହଉ ସେତିକିରେ ଥାଉ.... ଏବେ ଜଳଖିଆ ଖାଇବାବେଳ । ଉଛୁର ହୋଇଗଲାଣି ।’’

 

ସେ କହୁ କହୁ ପେଣ୍ଟ୍ରିକାର୍‌ର ବେହେରା ପହଞ୍ଚିଗଲା ପ୍ଲେଟ୍ ଧରି । ଶ୍ରୀୟା ଅର୍ଡର ଦେଇଥିଲା ବ୍ରେଡ଼୍, ବଟର୍‌, ଆମଲେଟ୍‌ । ଅରବିନ୍ଦ କହିଥିଲା–ଇଡ୍‌ଲି ଦୋସା ଆଣିବା ପାଇଁ ।

 

ତା’ ପ୍ଲେଟ୍‌ଟା ଟାଣି ନେଇ କହିଲା ଶ୍ରୀୟା–‘‘ସତରେ ଆମଲେଟ ଖାଇବ ନାହିଁ ?’’

 

–‘‘କିଛି ଭାବିବ ନାହିଁ ଶ୍ରୀୟା, ମୁଁ କାଲି ରାତିରେ ନିଷ୍ପତ୍ତି ନେଇ ସାରିଛି ନିରାମିଷ ହେବା ପାଇଁ...’’

 

–‘‘କାହିଁକି ?’’

 

–‘‘ଖାଇବା ପାଇଁ କ’ଣ ମଣିଷ ବଞ୍ଚେ ? ସେ ଖାଏ ବଞ୍ଚିବା ପାଇଁ । ତେଣୁ ଖାଦ୍ୟ ଯେତେ ସରଳ ହେବ ଜୀବନଚର୍ଯ୍ୟାକୁ ତାହା ସାହାଯ୍ୟ କରିବ । ତମେ କିଛି ମନେକରିବନି । ଲେଟ୍‌ଅସ୍‌ ବିଗିନ୍‌... ।’’

 

ଦୁହେଁ ଖାଇବା ପାଇଁ ଆରମ୍ଭ କଲେ । ଶ୍ରୀୟାର ଆମ୍ବିସନ ଅଛି ବଡ଼ ହେବାପାଇଁ । ସିଭିଲ୍ ସର୍ଭିସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି ସେ । ସେଇଥିପାଇଁ ତ ବାଣୀବିହାରରେ ନ ପଢ଼ି ଦିଲ୍ଲୀ ଚାଲି ଆସିଛି । ସମାଜ ବିଜ୍ଞାନରେ ସ୍କୋପ୍‌ ଅନେକ ବେଶି ବିଦେଶରେ । ଯଦି ଚାନ୍ସ ପାଏ ଆମେରିକା ଚାଲିଯିବ, ନ ହେଲେ ଅଷ୍ଟ୍ରେଲିଆ କି ଆଉ କେଉଁ ଦେଶ । ଦିଲ୍ଲୀରୁ ଫେରିବା ପରେ ଭୁବନେଶ୍ୱରରେ ତା’ ପାଇଁ ଜାଗା ଅକୁଳାଣ ହୋଇ ନ ପାରେ, କିନ୍ତୁ ସେଇ ଶ୍ଵାସରୁଦ୍ଧ ଅବସ୍ଥା ସହିତ ଖାପ୍‌ଖୁଆଇ ଚଳିବା ତା’ ପକ୍ଷେ ସମ୍ଭବ ହେବନାହିଁ । ଅଥଚ ଅରବିନ୍ଦ କାହିଁକି ଭାବୁଛି ସେଇ ଆବସ୍ଟ୍ରାକ୍ଟ୍ ଆଦର୍ଶଗୁଡ଼ାକ ବିଷୟରେ ? ଆଦର୍ଶ ଯେ ମଣିଷକୁ ବଞ୍ଚାଇ ରଖିପାରେ ନାହିଁ ତାହା କ’ଣ ସେ ଜାଣେ ନାହିଁ ? ତଥାପି ସେଥିରୁ ମୁକୁଳିବା ପାଇଁ ଚେଷ୍ଟା କରୁନି କାହିଁକି ? କମ୍ପ୍ୟୁଟରରେ ବିଦେଶରେ ନିଯୁକ୍ତି ପାଇବାର ସମ୍ଭାବନା ଅନେକ ବେଶି । ପହଞ୍ଚୁ ପହଞ୍ଚୁ ହୁଏତ ଚାକିରି ଶୀଘ୍ର ମିଳିଯିବ । କିନ୍ତୁ ତା ସତ୍ତ୍ୱେ ଅରବିନ୍ଦ ଉଚ୍ଚାଭିଳାଷୀ ହେଉନି କାହିଁକି ବିଦେଶ ଯିବା ପାଇଁ ? ଥରେ ପରୀକ୍ଷା ଦେଇ ସେ କ୍ଲାନ୍ତ ହୋଇପଡ଼ିବା ପରି ମନେହେଉଛି । ଜୀବନଟା ସାରା ତ ପରୀକ୍ଷା ଦେବାକୁ ହେବ । ଏବଂ ସେଇ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେଲେ ଯାଇ ଜଣେ ମଣିଷଭାବେ ପ୍ରତିଷ୍ଠିତ ହେବ, ନଚେତ୍ ଅଳିଆଗଦାର କାଗଜ ପରି ଅନାବଶ୍ୟକ, ଅଲୋଡ଼ା ରହିଯିବ ଜୀବନରେ-

 

ଶ୍ରୀୟାର ନୀରବତା ମାଡ଼ି ମାଡ଼ି ପଡ଼ୁଥିଲା ତାକୁ । ତେଣୁ ଆଉ ସମ୍ଭାଳି ନ ପାରି କହିଲା ଅରବିନ୍ଦ–‘‘ତମେ ତ ଚୁପ୍‌ହୋଇ ବସିବା ଲୋକ ନୁହଁ, ତଥାପି ଏତେ ଚୁପ୍‌ଚାପ୍‌ କାହିଁକି ? କ’ଣ ଭାବୁଛ ? ନା ଓମଲେଟ୍‍ଟା ଠିକ୍‍ ହୋଇନାହିଁ ?’’ ହସି ଦେଇ କହିଲା ଶ୍ରୀୟା–‘‘ନା, ନା । ସେପରି କିଛି ନୁହେଁ । ବେଳେବେଳେ ନିଜ କଥା, ଅନ୍ୟମାନଙ୍କ କଥା ଭାବିବାକୁ ହୁଏ । ସେହିପରି ମୁହୂର୍ତ୍ତ ଗୋଟେ ଥରିଗଲା ବୋଲି ମୁଁ ନୀରବ ହୋଇଯାଇଥିଲି... ।’’

 

–‘‘ଭେରିଗୁଡ଼୍‍....ଅନ୍ୟମାନଙ୍କ ବିଷୟରେ ଭାବିବା ଭଲ । ଆମେ କେବଳ ନିଜ ବିଷୟରେ ଭାବି ଅନ୍ୟମାନଙ୍କୁ ଭାବରାଜ୍ୟରୁ ଠେଲି ବାହାର କରିଦେଉ ବୋଲି ପୃଥିବୀରେ ଏତେ ଜଞ୍ଜାଳ, ଏତେ ସମସ୍ୟା... ବୁଝାମଣାରେ ଏତେ ଅଭାବ....।’’ କହିଲା ଅରବିନ୍ଦ ।

 

ନୀଳାଚଳ ଏକ୍ସପ୍ରେସ୍‌ ଯାଜପୁର ଛାଡ଼ି କଟକ ଅଭିମୁଖେ ଧାଇଁ ଥିଲା ଅଣନିଶ୍ୱାସୀ ପରି-। ରାସ୍ତାର ଦୁଇ ପାଖରେ ଗୋଟିକ ପରେ ଗୋଟିଏ ଗାଁର ଦୃଶ୍ୟ ଆଖିରେ ପଡ଼ୁଥିଲା ସେମାନଙ୍କର-। ଖାଲି ପଡ଼ିଛି ଜମି । ଜଳସେଚନ ବ୍ୟବସ୍ଥା ଯଦି ସବୁଠାରେ କରାଯାଇପାରନ୍ତା ତେବେ ଏହି ଜମିରୁ ସୁନା ଫଳନ୍ତା । ଓଡ଼ିଶାର ସବୁଥାଇ ବି ଗରିବ । ନଦୀମାତୃକା ଦେଶ ଓଡ଼ିଶା । କିନ୍ତୁ ସମୁଦ୍ରକୁ ବହିଯାଉଛି ସବୁ ପାଣି । ଏହାର କିଛି ଅଂଶ ଯଦି ଜଳସେଚନ ପାଇଁ ଉପଯୋଗ କରାଯାଆନ୍ତା ଓଡ଼ିଶା ଗରିବ ହେବା ପରିବର୍ତ୍ତେ ଆଗୁଆ ରାଜ୍ୟରେ ପରିଗଣିତ ହୁଅନ୍ତା । ପଚାଶ ବର୍ଷ ମଧ୍ୟରେ ଭୂସଂସ୍କାର କରାଯାଇ ପାରିଲା ନାହିଁ । ପ୍ରକୃତ ଚାଷୀ ଜମିର ମାଲିକ ହୋଇନାହିଁ । ସାର, ଉତ୍କୃଷ୍ଟ ବିହନ, କୀଟନାଶକ କିଣିବା ପାଇଁ ଚାଷୀ ହାତରେ ପଇସା ନାହିଁ । ବର୍ଷା ଜଳ ଉପରେ ନିର୍ଭର କରନ୍ତି ଓଡ଼ିଶାର ଚାଷୀକୁଳ । ପ୍ରାକୃତିକ ବିପର୍ଯ୍ୟୟ ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛି । ସ୍ଥାୟୀ ପ୍ରତିକାର ବିଷୟରେ ଚିନ୍ତା କରାଯାଇନାହିଁ । ଗୋଟିଏ ଫସଲ ଉପରେ ନିର୍ଭର କରନ୍ତି ଅଧିକାଂଶ ଚାଷୀ । ଛଅମାସ କାମ, ଛଅମାସ ଘରେ ବସି ଖାବାକୁ ହୁଏ ଲକ୍ଷ ଲକ୍ଷ ଲୋକଙ୍କୁ । ଏପରି ଅବସ୍ଥାରେ ଉତ୍ପାଦନ ବଢ଼ିବ କିପରି ? ଅର୍ଥନୈତିକ ଅବସ୍ଥା ସୁଧୁରିବ କିପରି ? ଓଡ଼ିଶାରୁ ଦାରଦ୍ର୍ୟ ଦୂର ହେବ କିପରି ? ତଥାପି କିଛି ଲୋକଙ୍କ କ୍ରୟ ଶକ୍ତି ନାହିଁ ବୋଲି ଓଡ଼ିଶାର ଚାଉଳ ଉତ୍ପାଦନ ଆବଶ୍ୟକତାଠାରୁ ବଳିପଡ଼େ । କିନ୍ତୁ ଅଭାବୀ ଲୋକଙ୍କ ହାତରେ ପଇସା ଥିଲେ ଚାଉଳ ବଳକା ହୁଅନ୍ତା ନାହିଁ । ଆଉସବୁ ଜିନିଷ ଆମଦାନୀ ହୁଏ ବାହାରୁ ।

 

ତା’ କଥା ଶୁଣିବା ପାଇଁ ଭଲ ଲାଗୁଥଲା ଶ୍ରୀୟାକୁ । ଅନ୍ୟମାନଙ୍କ ସମ୍ପର୍କରେ କେହି ଭାବନ୍ତି ନାହିଁ ବୋଲି କିପରି କହୁଥିଲା ସେ ? ସେ ନିଜେ ଯଦି ଭାବୁଛି ତେବେ ଆଉ କେହି ବି ଭାବୁ ଥିବ । ଏଇ ଭାବନାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ବେଳ ଆସିଛି । ଓଡ଼ିଶା ଆଉ ପଛରେ ନ ପଡ଼ି ଆଗକୁ ଯିବାର ସମୟ ଆସିଛି ।

 

ସେ କହିଲା–‘‘ସମୟ ଆସିଛି କିଛି କରିବା ପାଇଁ । କାମର ବେଳ ଇଏ । ବସି ନ ରହି କର୍ମ ଯଜ୍ଞରେ ଝାସ ଦବାହିଁ ଏକମାତ୍ର ବାଟ ।’’

 

କଟକ ଷ୍ଟେସନରେ ଗାଡ଼ି ପହଞ୍ଚିବାବେଳକୁ ଏମୁଣ୍ତରୁ ସେମୁଣ୍ଡ ପର୍ଯ୍ୟନ୍ତ ନୀଳାଚଳ ଏକ୍ସପ୍ରେସକୁ ଘେରିଗଲେ ପୁଲିସ୍‍ । ପ୍ରତି ଡବାରେ ଯାଞ୍ଚ କରାଗଲା କାଳେ କାହା ପାଖରେ ଗୁପ୍ତ ଦଲିଲ୍‌ ବା ବିପ୍ଲ‌ବୀମାନଙ୍କର ଆଉ କିଛି ସୁତ୍ର ମିଳିଯାଇପାରେ ଏଇ ଆଶାରେ । କିନ୍ତୁ ପୁଲିସ୍‍କୁ ବୋକା ବନେଇ ଯେ ସାଧୁବାବା ଓରଫ ଶ୍ରୀହରି ଓ ତାଙ୍କ ସାଥୀମାନେ ଟ୍ରେନ୍‍ରୁ ବାଟରେ ଓହ୍ଲାଇ ଯାଇଛନ୍ତି ତାହା ଜାଣି ନିରାଶ ହେଲା ପୁଲିସ୍‍ । ପୁଲିସ୍‍ ଆଖିରେ ଧୂଳି ଦେଇ ସେମାନେ ଯେ ବିହାରର ମୀଓବାଦୀମାନଙ୍କ ସହିତ ଗୁପ୍ତ ସମ୍ପର୍କ ରଖୁଛନ୍ତି ସେ ସମ୍ବନ୍ଧରେ ଆଗରୁ କିଛି ତଥ୍ୟ ପୁଲିସ୍‍ର ହସ୍ତଗତ ହୋଇଥିଲା । ବିହାରର ମାଓବାଦୀ ଓ ନେପାଳର ମାଓବାଦୀ ମାର୍କସବାଦୀମାନଙ୍କ ମଧ୍ୟର ଯେ କ୍ରମଶଃ ସଂଯୋଗ ବୃଦ୍ଧି ପାଉଛି ଏହା ବିବ୍ରତ କରୁଥିଲା ଓଡ଼ିଶା ପୁଲିସ୍‍କୁ । ଯଦି ଆନ୍ଧ୍ରର ପିପୁଲସ୍‌ ୱାର୍‌ଗ୍ରୁପ୍‌ ଓ ବିହାରର ମାଓବାଦୀଙ୍କ ସହିତ ଯୋଗସୂତ୍ର ରଖିଥାନ୍ତି ଓଡ଼ିଶାର ମୁକ୍ତିଯୋଦ୍ଧାମାନେ ତେବେ ତ ସାବଧାନ ହେବାକୁ ହେବ । କେଉଁଠି କିପରିଭାବେ ସେମାନେ ଚଢ଼ାଉ କରିବେ ବା ଲୋକମାନଙ୍କୁ ମତାଇବେ ତାହା କହିହେବ ନାହିଁ ।

 

ଜଣେ ଭଦ୍ରବ୍ୟକ୍ତି ଆସି ଅରବିନ୍ଦ ପାଖରେ ବସିଲେ । କଥାବାର୍ତ୍ତା ଆରମ୍ଭ କରିଦେଲେ ଭଦ୍ରଲୋକ । ବଡ଼ ଗପୁଡ଼ି । କଥା କହିବା ଛନ୍ଦରେ ନିଜ ପରିଚୟ ଦେଲେ ଏବଂ ଅରବିନ୍ଦର ପରିଚୟ ଜାଣିଦେଲେ । ସେ ଦିଲ୍ଲୀ କାହିଁକି ଯାଇଥିଲା, କେଉଁଠି ରହୁଥିଲା ଏବଂ ଇଣ୍ଟରଭିଉରେ କ’ଣ ପ୍ରଶ୍ନ ହେଲା, ସେ କ’ଣ ଉତ୍ତର ଦେଲା, ଦିଲ୍ଲୀରେ ଆଉ କାହା ସହିତ ଆଳାପ ପରିଚୟ ହେଲା ଏ ସମସ୍ତ ବିବରଣୀ ସଂଗ୍ରହ କରିଦେଲେ । କିନ୍ତୁ କ’ଣ ଭାବି କେଜାଣି ଶ୍ରୀହରି ବା ସାଧୁବାବା କାହାରି ନାମ ମଧ୍ୟ ଘୂଣାକ୍ଷରେ ବି ଉଚ୍ଚାରଣ କଲାନାହିଁ ଅରବିନ୍ଦ ।

 

ସେ ଭୁବନେଶ୍ଵର ପର୍ଯ୍ୟନ୍ତ ଟିକେଟ କରିଥିଲା, କିନ୍ତୁ କଟକରେ ଓହ୍ଲାଇ ଯିବାପାଇଁ ପୁଲିସ୍‍ କହିବାରୁ ସେ ଆଶ୍ଚର୍ଯ୍ୟ ଚକିତ ହୋଇ ପଚାରିଲା–‘‘ମୁଁ ଭୁବନେଶ୍ଵର ପର୍ଯ୍ୟନ୍ତ ଟିକଟ କରିଛି-। କଟକରେ ଓହ୍ଲାର ଯିବି କାହଁକି ?’’

 

–‘‘କାରଣ ପରେ ଶୁଣିବ । ଏଇନେ ଓହ୍ଲାଇବାକୁ ପଡ଼ିବ ।’’ କହିଲେ ଇନିସପେକ୍ଟର ।

 

–‘‘ଯଦି ଏଇ ଅନ୍ୟାୟ ଆଦେଶ ନ ମାନେ...’’ ଅରବିନ୍ଦ କଥା ସମ୍ପୂର୍ଣ୍ଣ କରିବା ପୂର୍ବରୁ କହିଲେ ଇନିସପେକ୍ଟର ‘‘ତେବେ ତୁମକୁ ଗିରଫ କରିବାକୁ ବାଧ୍ୟ ହେବି । ଆଇନ ମୋତେ ସେଇ କ୍ଷମତା ଦେଇଛି ।

 

ଏହାପରେ ଆଉ ଯୁକ୍ତି ନ କରି ବାଧ୍ୟ ପିଲାଟି ପରି ଜିନିଷପତ୍ର ଧରି ଗାଡ଼ିରୁ ଓହ୍ଲାଇବା ପାଇଁ ଅରବିନ୍ଦ ଉପକ୍ରମ କଲାବେଳେ କହିଲା ଶ୍ରୀୟା–‘‘ମୋର ଏଇ ଠିକଣାଟା ରଖ, ଦରକାରବେଳେ କାମରେ ଆସିବ । ମୁଁ ମାମୁଁଙ୍କୁ କହିବି, ସେ ଆଡ଼୍‌ଭୋକେଟ ଜେନେରାଲ୍‌ ଓଡ଼ିଶାର । ସରକାରଙ୍କ ସହିତ ତାଙ୍କ ଭଲ ସମ୍ପର୍କ ।

 

ପୁଲିସ୍‍ ଇନିସ୍‌ପେକ୍ଟର କ’ଣ ଭାବି କହିଲେ–‘‘ତୁମକୁ ପଚରା ଉଚୁରା କରି ଛାଡ଼ି ଦିଆଯିବ । ହେଡ୍‌କ୍ୱାର୍ଟସ ଅଫିସ୍‌କୁ ଯିବାକୁ ହେବ ତୁମକୁ । କିଛି ଭୟ ନାହିଁ ।’’

 

ଶ୍ରୀୟାକୁ ଶୁଣାଇ ଶୁଣାଇ ଇନିସପେକ୍ଟର ଏତକ କହିବାର ଉଦ୍ଦେଶ୍ୟ ଭଲଭାବେ ବୁଝିପାରିଲା ଅରବିନ୍ଦ । ସେ ଶ୍ରୀୟାର ଠିକଣା ପକେଟରେ ରଖି କହିଲା–‘‘ସାଙ୍ଗମାନେ ଷ୍ଟେସନକୁ ଆସିବେ ମୋତେ ରିସିଭ୍‌ କରିବାପାଇଁ, ନ ପାଇ ଫେରିଯିବେ । ଯଦି ଏଇ ଡବାକୁ ଆସନ୍ତି ତେବେ କହିଦେବ ଯେ ମୁଁ କଟକରୁ ବସ୍‌ରେ ଯିବି । ପୁଲିସ୍‍ ସାଙ୍ଗରେ ଯାଉଛି ବୋଲି କହିବନି । ସେମାନେ ବାପାଙ୍କୁ ଯଦି ସେ କଥା ଜଣାଇ ଦିଅନ୍ତି ତେବେ ଅବସ୍ଥା କ’ଣ ହେବ ସହଜରେ ବୁଝିପାରୁଥିବ ।’’

 

ଅରବିନ୍ଦ ଓହ୍ଲାଇଗଲା । ଇତି ମଧ୍ୟରେ ସେଇ ଭଦ୍ରଲୋକ କେତେବେଳେ ଗାଡ଼ିରୁ ଓହ୍ଲାଇ ଗଲେ ଶ୍ରୀୟା ଆଦୌ ଜାଣିପାରିଲା ନାହିଁ । ତା ମନରେ ସନ୍ଦେହ ହଲା, ହୁଏତ ସେ ବି ସାଦା ପୋଷାକଧାରୀ ପୁଲିସ୍‍ କର୍ମଚାରୀ ହୋଇଥିବେ । ଟ୍ରେନ୍‌ରେ ନକ୍ସଲମାନେ ଯିବା ଆସିବା କରୁଥିବା ଖବର ପୁଲିସ୍‍ ପାଖରେ ଅଛି ନିଶ୍ଚୟ । ନ ହେଲେ ସେମାନେ ଟ୍ରେନ୍‍ ଉପରେ ଚଢ଼ାଉ କରି ନ ଥାନ୍ତେ । କିନ୍ତୁ ଗୋଟିଏ ସ୍ଵାଧୀନ ଦେଶରେ ମୁକ୍ତିଯୋଦ୍ଧା ନକ୍ସଲମାନଙ୍କର ମତ ପ୍ରକାଶ କରିବାର ଅଧିକାର କ’ଣ ନାହିଁ ?

 

ଭୁବନେଶ୍ଵର ଷ୍ଟେସନରେ କିନ୍ତୁ କୋଳାହଳ ବଢ଼ିଲା । ପ୍ଲାଟଫର୍ମର ଗୋଟିଏ ସ୍ଥାନରେ ପୁଲିସ୍‍ ବିରୁଦ୍ଧରେ ସ୍ଲୋଗାନ୍ନ ଦେଉଥିବା କୋଡ଼ିଏ କି ପଚିଶ ଜଣ ଯୁବକଙ୍କୁ ଘେରି ରହିଥାନ୍ତି ଲାଠି ଧାରୀ ପୁଲିସ୍‍ । ସେମାନଙ୍କ ମଧ୍ୟରୁ ଜଣେ ଉଚ୍ଚସ୍ଵରରେ କହୁଥାଏ ‘‘ପୁଲିସ୍‍ ରାଜ୍‌ ଚଳିବ ନାହିଁ, ଅନ୍ୟାୟ ବରଦାସ୍ତ କରାଯିବ ନାହିଁ... ଇନ୍‌କିଲାବ୍ ଜିନ୍ଦାବାଦ..... ।’’

 

ପୁଲିସ୍‍ ସେମାନଙ୍କୁ ଉଚ୍ଚସ୍ୱରରେ ତାଗିଦ କରୁଥାଏ ସ୍ଲୋଗାନ ବନ୍ଦ କରିବା ପାଇଁ । ଜଣେ ଯୁବକ ଉତ୍‌କ୍ଷିପ୍ତ ହୋଇ ବାହାରକୁ ଆସିବା ପାଇଁ ବଳପ୍ରୟୋଗ କଲାରୁ ତା’ ଉପରେ କେତେ ଲାଠି ବସାଇଦେଲା ପୁଲିସ୍‍ । ମଥା ଫାଟି ରକ୍ତ ପିଚ୍ ପିଚ୍ ଝରିପଡ଼ୁଥାଏ ମୁଣ୍ଡରୁ...

 

ଶ୍ରୀୟା ଯାଉଥିଲା, ହଠାତ୍ ଠିଆ ହୋଇଯାଇ କହିଲା–‘‘ମୁଁ ପ୍ରତିବାଦ କରୁଛି... ଏପରି ଲାଠିଚାର୍ଜ କରିବାର ଅଧିକାର ପୁଲିସ୍‍କୁ ଦେଲା କିଏ ? ମୁଁ ଏହି ଘଟଣା ସରକାରଙ୍କ ଦୃଷ୍ଟିକୁ ଆଣିବି.... ।’’

 

ତାକୁ ନବାକୁ ଆସିଥିବା ଆତ୍ମୀୟ ଜଣକ କହିଲେ–‘‘ଏମାନଙ୍କର ନୃଶଂସତା ଏହିପରି । ଚାଲ୍‌, ଉଛୁର ହୋଇଯାଉଛି... ।’’

 

ସେମାନଙ୍କୁ ଚାହିଁ ଆଉ ଚଣେ ଲାଠୀଧାରୀ ପୁଲିସ୍‍ ଖତେଇ ହେବାପରି କହିଲା–‘‘ଯାହାକୁ କହିବାର କୁହ.....କେହି ଆମର ବାଳ ବଙ୍କା କରିପାରିବେ ନାହିଁ । ଆମେ ପୁଲିସ୍‍... ।’’

 

ପାଞ୍ଚ

 

କଟକରୁ ଆସିବାବେଳେ ସେ ଦେଖୁଥିଲା କିପରି ଦ୍ରୁତ ବେଗରେ ପ୍ରସାରିତ ହେଉଛି ସହର ସଭ୍ୟତା ଏବଂ ଘୁଞ୍ଚିଘୁଞ୍ଚି ଯାଉଛି କୃଷିପ୍ରଧାନ ଓଡ଼ିଶା । କଟକ ଓ ଭୁବନେଶ୍ୱର ମଝିରେ ରାସ୍ତାର ଦୁଇ ପାଖରେ ଥିବା ଉର୍ବର ଚାଷଜମି ଚାଷୀମାନଙ୍କଠାରୁ କିଣି ନେଇ ବଡ଼ ବଡ଼ କୋଠା, ଗୋଦାମଘର, ବିଦ୍ୟାଳୟ ଓ ବଜାର ତିଆରି କରିଛନ୍ତି ବ୍ୟବସାୟୀମାନେ । ସହର ମାଡ଼ି ଆସୁଛି, ଗାଁ ହଟି ଯାଉଛି । ପ୍ରାଚୁର୍ଯ୍ୟ ଘନୀଭୂତ ହେଉଥିବାବେଳେ ଦରିଦ୍ର ହଟିବାରେ ଲାଗିଛି । ଓଡ଼ିଶା ଭୂଇଁର ସବୁଜ ଶ୍ୟାମଳ ଶ୍ରୀ ଆଉ ଦୃଷ୍ଟିଗୋଚର ହେଉନାହିଁ । ରାସ୍ତା ପ୍ରଶସ୍ତ କରିବାପାଇଁ ଏବଂ ସହର ବସାଇବାକୁ ଯାଇ ବଡ଼ ବଡ଼ ବନସ୍ପତିମାନଙ୍କୁ କାଟି ଦିଆଯାଉଛି । ରାସ୍ତାର ଦୁଇ ପାଖରେ ଥିବା ବର, ଅଶ୍ଵତ୍‌ଥ, କଦମ୍ବ, ଚାକୁଣ୍ଡା, ଆମ୍ବ, କୃଷ୍ଣଚୂଡ଼ା, ଅର୍ଜୁନ, ତେନ୍ତୁଳି ଗଛ ଆଉ ଦେଖିବାକୁ ମିଳୁନାହିଁ ।

 

ରାଜଧାନୀରେ ଯେ ପ୍ରାଚୁର୍ଯ୍ୟ ଅଛି, ପ୍ରାଣନାହିଁ ଏଇ ପ୍ରଥମ ଅନୁଭବ କଲା ସେ । ସହର ମାଡ଼ି ଯାଉଛି ଚାରିଦିଗରେ । ଗଛକଟା ଅଭିଯାନ ବନ୍ଦ ହୋଇନାହିଁ । ବସ୍ତି ସଫା କରିବା ନାମରେ ହଜାର ହଳାର ଲୋକ ବାସହରା ହୋଇଯାଇଛନ୍ତି । ସେମାନେ କେଉଁଠି ରହିବେ ସେଥିପାଇଁ କର୍ତ୍ତୃପକ୍ଷଙ୍କ ନଜର ନାହିଁ । ଅଥଚ ସେମାନଙ୍କୁ ଛାଡ଼ି ସହରବାସୀ ଦିନଟିଏ ବି ସୁଖସ୍ୱାଚ୍ଛନ୍ଦ୍ୟରେ ବଞ୍ଚି ପାରିବେ ନାହିଁ । ଧୋବା, ବାରିକ, ଗଉଡ଼, ମିସ୍ତ୍ରୀ, ଶ୍ରମିକମାନେ ନଥିଲେ ଚଳିବ ନାହିଁ, କିନ୍ତୁ ସେମାନଙ୍କୁ ସ୍ଥାୟୀଭାବେ ରଖିବା ପାଇଁ ମଧ୍ୟ ଯୋଜନା ନାହିଁ ।

 

ଅରବିନ୍ଦ ଘରେ ପହଞ୍ଚିବାବେଳକୁ ସନ୍ଧ୍ୟା ହୋଇଯାଉଥିଲା । ରାସ୍ତା କଡ଼ରେ କିନ୍ତୁ ଏବେବି ଆଲୁଅ ଜଳି ନ ଥିଲା । ହୁଏତ ଆଉଟିକେ ପରେ ଆଲୁଅର ବନ୍ୟା ସହିତ ପାନ ଭୋଜନର ମହୋତ୍ସବ ଲାଗିଯିବ ସହରରେ ।

 

ଘରେ ପହଞ୍ଚିବା ପରେ ଶୁଣିଲା ଯେ ଶ୍ରୀୟା ଦୁଇଥର ଫୋନ୍‍ କରିଥିଲା ସେ ଆସିଲା କି ନାହିଁ ଜାଣିବା ପାଇଁ । ସେ ବୋଧହୁଏ ଚୁପ୍‌କରି ବସି ନ ଥିବ । ସେ ହୁଏତ ତା ମାମୁଁଙ୍କୁ କହିଥିବ, ନ ହେଲେ ପୁଲିସ୍‍ ତାକୁ ହାଜତ ଭିତରେ ଭର୍ତ୍ତି ନ କରି ଜ୍ୱାଇଁପୁଅ ପରି ବ୍ୟବହାର କରି ନ ଥାନ୍ତା । ତା’ ବିରୁଦ୍ଧରେ ରାଜଦ୍ରୋହର ଅଭିଯୋଗ ନାହିଁ, କିନ୍ତୁ ରାଜଦ୍ରୋହୀ ସହିତ ସମ୍ପର୍କ ରଖିବାର ଅଭିଯୋଗ ପୁଲିସ୍‍ ପାଇଥିଲା ଦିଲ୍ଲୀରୁ । ଶ୍ରୀହରି ପଛେ ପଛେ ଗୁଇନ୍ଦାମାନେ ଯେ ବୁଲୁଛନ୍ତି ଏଇ ଧାରଣା ପରିଷ୍କାର ହୋଇଗଲା ମନରେ ।

 

ବାପା, ମା’, ଆତ୍ମୀୟମାନେ ତାକୁ ଘେରିଯାଇ କାହିଁକି ଭୁବନେଶ୍ୱରରେ ନ ଓହ୍ଲାଇ କଟକରେ ରହିଯାଇଥିଲା ବୋଲି ଏତେ ପ୍ରଶ୍ନ ପଚାରିଲେ ଯେ ସେମାନଙ୍କୁ ସେଇ କଥା ବୁଝାଇବାକୁ ଯାଇ ମିଛ କହିଲା ଅରବିନ୍ଦ । ସତକଥା କହିଲେ ଘାବରେଇ ଯିବେ ସେମାନେ । ପୁଲିସ୍‍ ତାକୁ ଧରି ନେଇଥିଲା ଶୁଣିଲେ ତା ଚରିତ୍ର ଉପରେ କଳା ଦାଗ ଲାଗିଯିବ ।

 

ତଥାପି ମା’ଙ୍କୁ ଠକି ପାରିଲା ନାହିଁ ଅରବିନ୍ଦ । ତାଙ୍କୁ ଏକାନ୍ତରେ କହିଲା ସତକଥା । ତାଙ୍କୁ ଏହା ବି ଶୁଣାଇଦେଲା ଯେ ଶ୍ରୀହରି କୌଣସି ବ୍ୟକ୍ତି ବିରୁଦ୍ଧରେ ଲଢ଼ୁନାହିଁ, ପୁଲିସ୍‍ ବା ପ୍ରଶାସନ ତାର ଶତ୍ରୁ ନୁହେଁ । କିନ୍ତୁ ପ୍ରଚଳିତ ସମାଜ ଓ ଶାସନ ବ୍ୟବସ୍ଥା ବିରୁଦ୍ଧରେ ସେ ବିଦ୍ରୋହ କରୁଛି, ସେସବୁକୁ ବଦଳାଇ ସମସ୍ତେ ଯେପରି ସୁଖୀ ହୁଅନ୍ତି ଓ ନ୍ୟାୟ ପାଆନ୍ତି ତାହା କରିବା ସକାଶେ ଚେଷ୍ଟା କରୁଛି । ସେ ଡାକୁ ନୁହେଁ କି ଘାତକ ନୁହେଁ–ସେ ଜଣେ ଖାଣ୍ଟି ବିପ୍ଲବୀ ।

 

ମା’ ଆଶ୍ଵସ୍ତ ହେଲେ ସତ, କିନ୍ତୁ ତାକୁ ସତର୍କ କରି ଦେଇ କହିଲେ ସାବଧାନ ହେବା ପାଇଁ । ମାଲକାନଗିରି ଜିଲ୍ଲାରେ ଥାନା ଉଡ଼ାଇ ଦବା ପାଇଁ ନକ୍ସଲମାନେ ଯାହା କରିଥିଲେ ସେ କଥା ପୁଅକୁ କହିଲେ । ଖରବକାଗଜରୁ ଯେତିକି ଜାଣିଥିଲେ ସେ ସବୁ ତାଙ୍କଠାରୁ ଶୁଣି ମା’ଙ୍କୁ କହିଲା ଅରବିନ୍ଦ–‘‘ନିରୀହ ଲୋକଙ୍କୁ, କର୍ମଚାରୀମାନଙ୍କୁ ହତ୍ୟା କରିବା ସେମାନଙ୍କର ଲକ୍ଷ୍ୟ ନୁହେଁ ମା’ । ଅତ୍ୟାଚାରୀକୁ ଶାସ୍ତି ଦବା ପାଇଁ ହୁଏତ ସେମାନେ ଏହା କରିଥିବେ । କିନ୍ତୁ ସେମାନଙ୍କ ସହିତ ମୋର ଏ ବିଷୟରେ ସମ୍ପର୍କ ନାହିଁ ବା ମତର ମେଳ ନାହିଁ ।’’

 

ଖବର ପାଇ ଶ୍ରୀୟା ଆସି ପହଞ୍ଚିଲା ଏବଂ ତାକୁ ଅଭିନନ୍ଦନ ଜଣାଇ କହିଲା–‘‘ଏବେ ତମେ ହିରୋ ହୋଇଗଲ ଅରବିନ୍ଦ, ପୁଲିସ୍‍ ଖାତାରେ ତୁମ ନାମ ରହିଗଲା ସ୍ଵର୍ଣ୍ଣାକ୍ଷରରେ ।’’

 

ହସିଲା ଅରବିନ୍ଦ । ସେଇ ହସରେ ଏମିତି ଆତ୍ମୀୟତା ଥିଲା ଯେ ତାହା ଶ୍ରୀୟାର ଅନ୍ତରର ରଙ୍ଗକୁ ଆହୁରି ଗାଢ଼ କରି ଦେଲା ।

 

ସାବିତ୍ରୀ ଗିନାଏ ବୁଟ ସିଝା, ଆଉ ଦୁଇଟି ନଡ଼ିଆ କୋରା ତାକୁ ଧରାଇ ଦବାବେଳେ କହିଲା ଶ୍ରୀୟା–‘‘ମାଉସୀ ଏତେଗୁଡ଼ା ମିଠା...’’ । ତା’ ତୁଣ୍ଡରୁ କଥା ଛଡ଼ାଇ ନେଇ କହିଲେ ସାବିତ୍ରୀ–‘‘ଆଜିକାଲିକା ଝିଅମାନେ ମିଠା ପସନ୍ଦ କରନ୍ତି ନାହିଁ । କିନ୍ତୁ ମା’, ଇଏ ମୋ ହାତ ତିଆରି ନଡ଼ିଆ କୋରା... । ପ୍ରଥମ ଥର ଆସିଛୁ... ।’’

 

ତାଙ୍କର ଆଗ୍ରହ ଟାଳିପାରିଲା ନାହିଁ ଶ୍ରୀୟା । ‘‘ମା’ମାନେ ଏହିପରି ଶ୍ରୀୟା... ସେମାନଙ୍କୁ ଯେତେ ଦେଖୁଥିବ ସେମାନଙ୍କର ସମୁଦ୍ର ପରି ଗଭୀର ହୃଦୟର ଗଭୀରତା ସେତିକି ଅନୁଭବ କରୁଥୁବ ।’’

 

ସାବିତ୍ରୀ ମୁହଁ ଉପରେ ପ୍ରଗଳ୍‌ଭତା ଖେଳାଇ କହିଲେ–“ଏ ପାଗଳାର କଥା ଛାଡ଼ ମା’... ସେ ଗପୁଥିବ ଯଦି ଗପୁଥିବ... ତାର କୂଳ କିନାରା ପାଇବା ମୁସ୍କିଲ୍... ।’’

 

ସାବିତ୍ରୀ ଚାଲିଯିବା ପରେ ଦୀର୍ଘନିଶ୍ଵାସ ଛାଡ଼ି କହିଲା ଶ୍ରୀୟା–‘‘ମୋ ମା’ କିନ୍ତୁ ସୋସାଇଟି ଲେଡ଼ି, ଅରବିନ୍ଦ । ପିଲାମାନଙ୍କ ପାଇଁ, ପରିବାର ପାଇଁ ତାଙ୍କ ହାତରେ ସମୟ କମ୍‌; କ୍ଲବ୍, ସୋସାଇଟି, ହୋଟେଲ ଏ ସବୁ ପାଇଁ ସମୟ ଅକୁଳାଣ ହୁଏ ତାଙ୍କର । କିନ୍ତୁ ବାପା ଠିକ୍‌ ଓଲଟା । ବହି ତାଙ୍କର ଅତି ପ୍ରିୟ... ସେଇ ବହି ତାଙ୍କୁ ସାନ୍ନିଧ୍ୟ ଦିଏ, ସାଙ୍ଗ ଦିଏ...। ତାଙ୍କର ନିରୋଳା ପାରିବାରିକ ଜୀବନ ମୁଖର ହୋଇଯାଏ ନୂଆ ବହି ଖଣ୍ଡେ ହାତକୁ ଆସିଲେ... । ଡାକ୍ତରୀ ପଢ଼ିବାବେଳେ ହିପୋକ୍ରିଟାସଙ୍କ ମନ୍ତ୍ର ଉଚ୍ଚାରଣ କରି ଶପଥ ନେଇଥିଲେ ରୋଗୀ ସେବା କରିବା ପାଇଁ । ଏବେ ବି ସେଥିରେ ହେଳା କରନ୍ତି ନାହିଁ ... ।’’

 

–“ପରୀକ୍ଷା ଫଳ ବାହାରିବା ପାଇଁ ଆଉ ଅଳ୍ପଦିନ ବାକୀ । ତାପରେ କ’ଣ କରିବ କିଛି ଭାବିଛ ?’’

 

–‘‘ବାପା ଚାହାଁନ୍ତି ମୁଁ ଘର ସଂସାର କରେ...କିନ୍ତୁ ମା’ ଚାହାଁନ୍ତି ମୁଁ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଦିଏ । ଏ ଦୁଇଜଣଙ୍କ ଇଚ୍ଛାରୁ କେଉଁଟା ମୁଁ ମାନିନେବି ସେ ବିଷୟରେ ଭାବିବାକୁ ସମୟ ପାଇନି ’’–କହିଲା ଶ୍ରୀୟା ।

 

–‘‘କେବଳ ନିଜର ସୁଖ ସୁବିଧା, ପରିବାରର ସୁଖସୁବିଧା ପାଇଁ କେହି ପାଠପଢ଼ିବା ଉଚିତ ନୁହେଁ... ସମାଜ ପ୍ରତି, ଜୀବନ ପ୍ରତି ଯଦି ଅଙ୍ଗୀକାରବଦ୍ଧତା ନ ଥାଏ ତେବେ କେବଳ ର‍୍ୟାଟ୍‌ରେସ୍‌ରେ ଯୋଗଦେଇ ଲାଭ କ’ଣ ? ତମକୁ ଶ୍ରୀହରି ବିଷୟରେ କିଛି କହିନି । କିନ୍ତୁ ଯଦି ତାଙ୍କ ସହିତ କେବେ ଦେଖାହୁଏ ତେବେ ଦେଖିବ ଜଣେ ମଣିଷ ଅନ୍ୟାମାନଙ୍କ ପାଇଁ କିପରି ବଞ୍ଚେ... କେତେ ସୁଖ ପାଏ ସେ ଦଶ ଜଣଙ୍କୁ ସୁଖ ଦବା ପାଇଁ ନିଜକୁ ସ୍ଵାହା କରିଦବାରେ ।’’

 

–‘‘ଷ୍ଟ୍ରେଞ୍ଜ୍ । ତମର ତାଙ୍କ ସହିତ କେତେଦିନର ପରିଚୟ ?'' ପଚାରିଲା ଶ୍ରୀୟା ।

 

–‘‘ଏଇମାତ୍ର ଅଳ୍ପ ଦିନର । କିନ୍ତୁ ମୋର କ’ଣ ମନେହୁଏ ଜାଣ.. ମୁଁ ଯେପରି ତାଙ୍କୁ ଅନେକ ଦିନୁ ଚିହ୍ନିଛି... ତାଙ୍କୁ ଦେଖିବା ଓ ତାଙ୍କୁ ଜାଣିବା ପରେ ମୁଁ ଭାବୁଛି ଯେ ମୋର ପୁନର୍ଜନ୍ମ ହୋଇଛି । ଭିତରଟା ପ୍ରାଣପ୍ରାଚୁର୍ଯ୍ୟରେ ଢଳଢଳ... ଭଲ ପାଇବାର ଉତ୍ସ ସେଇଠି; କିନ୍ତୁ ଦରକାର ପଡ଼ିଲେ ଇସ୍ପାତ ପରି କଠିନ... ଆତତାୟୀ ପରି ନିର୍ଦ୍ଦୟ... । ସମ୍ମୋହନ ଶକ୍ତି ଅଛି ଆଖିରେ, ନଚେତ ଏଇ ଅଳ୍ପ ସମୟ ଭିତରେ ମୋର ଭାବନାରେ ପରିବର୍ତ୍ତନ ହୋଇ ନ ଥାନ୍ତା ।’’

 

ତାଙ୍କ ବିଷୟରେ ଯେତିକି ଜାଣେ ସବୁ କହିଲା ଅରବିନ୍ଦ । ରୁଦ୍ଧଶ୍ଵାସ ହୋଇ ଶୁଣୁଥିଲେ ଶ୍ରୀୟା । ଉଠିବା ଆଗରୁ ଅରବିନ୍ଦର କାନ ପାଖେ ଅସ୍ପଷ୍ଟ ସ୍ଵରରେ କହିଲା–‘‘ଏପରି ଲୋକଠାରୁ ଯେତିକି ଦୂରେଇ ଯିବାକୁ ଚାହିଁବ, ସେତିକି ଟାଣି ହୋଇ ଆସିବ । ଚୁମ୍ବକ ଯେପରି ଟାଣେ ଲୁହାକୁ ଏମାନେ ସେପରି ଟାଣନ୍ତି ଅନ୍ୟମାନଙ୍କୁ । ଗାନ୍ଧିଜୀ ଏହାର ଉତ୍ତମ ଉଦାହରଣ ।’’

 

ଶ୍ରୀୟାକୁ ରିକ୍ସାରେ ଛାଡ଼ି ଘରକୁ ଫେରିବାବେଳେ ଭାବୁଥିଲା ଅରବିନ୍ଦ ଏଇ ସହରୀ ସଭ୍ୟତା ବିଷୟରେ । ଗ୍ରାମର ଭାବୁକତା ଏଠାରେ ନାହିଁ, ମୂଲ୍ୟବୋଧ ପାଳନ କରିବା ସକାଶେ ଏଠାରେ କେହି ତାଡ଼ନା ଅନୁଭବ କରନ୍ତି ନାହିଁ । କେବଳ ଅଟ୍ଟାଳିକା କେତେ ଉପରକୁ ଉଠୁଛି ତାହା ଦେଖିବାରେ ସେମାନଙ୍କର ଆନନ୍ଦ । ଅଟ୍ଟାଳିକା ତଳେ ଛିଡ଼ା ହୋଇଥିବା ମଣିଷର ଉଚ୍ଚତା ପାଞ୍ଚଫୁଟ ତିନିଇଞ୍ଚ ହୋଇପାରେ, କିନ୍ତୁ ତା’ର ହୃଦୟ ଯେ ଅଟ୍ଟାଳିକାଠାରୁ ଅନେକ ବେଶି ଉଚ୍ଚ ଏ କଥା କେବଳ ଗାନ୍ଧି କହିଥିଲେ । ସେଥିପାଇଁ ଭାରତକୁ ନେଇ ଗାନ୍ଧି ବଞ୍ଚୁଥିଲେ, ଅନ୍ୟମାନେ ସହରକୁ ନେଇ ଯୋଜନା କରୁଥିଲେ । ଗାନ୍ଧି ଚାଲିଯିବା ପରେ ଗ୍ରାମୀଣ ଭାରତର ନଗ୍ନ, ନୁଖୁରା, ରୁଗ୍‌ଣ ଚେହେରା ଆହୁରି ମଳିନ ହୋଇଯାଇଛି । ଭାରତ ଓ ଇଣ୍ଡିଆ ମଧ୍ୟରେ ପାର୍ଥକ୍ୟ ବଢ଼ିଚାଲିଛି ସେଇଦିନୁ ।

 

କ’ଣ କରିବ କିଛି ଭାବି ପାରୁ ନ ଥିଲା ଅରବିନ୍ଦ । ଶ୍ରୀହରି ତାକୁ ଦେଶସେବା ମନ୍ତ୍ରରେ ଦୀକ୍ଷିତ କରିବା ପରେ ଏ ପର୍ଯ୍ୟନ୍ତ ସେ ଯାହା ଭାବି ଆସିଥିଲା ସେଥିରେ ସବୁ ଓଲଟପାଲଟ ହୋଇଯାଇଛି । ସେ ନିଜ ପାଇଁ କେବେ ଭାବି ନାହିଁ, କିନ୍ତୁ ପରିବାର ତା’ ଭାବନାର କେନ୍ଦ୍ର ହୋଇ ରହିଥିଲା ଏ ପର୍ଯ୍ୟନ୍ତ । ବାପା, ମା’, ଭାଇ, ଭଉଣୀଙ୍କ ପ୍ରତି ତା’ର ଯେ କିଛି କର୍ତ୍ତବ୍ୟ ଅଛି ଏବଂ ଦେଶ ପ୍ରତି ବି ତାର କିଛି କରିବାର ଅଛି ଏଇ ଭାବନା ତାକୁ ବାଧ୍ୟ କରୁଥିଲା କିଛି ଗୋଟେ ସମାଧାନରେ ପହଞ୍ଚିବା ପାଇଁ । ଶ୍ରୀହରି ତ ଜୀବନକୁ ସମର୍ପି ଦେଇଛି ସମସ୍ତଙ୍କ ପାଇଁ । ତା’ପାଇଁ ପରିବାରର ସଂଜ୍ଞା ବଦଳି ଯାଇଛି । ‘ବସୁଧୈବ କୁଟୁମ୍ବକମ୍‌’ କେବଳ ଆଦର୍ଶ ହୋଇ ଆଉ ରହିବ ନାହିଁ, ଏହାକୁ ବାସ୍ତବତାରେ ରୂପାନ୍ତରିତ କରିବାକୁ ହେବ । ବାଇବେଲ୍‍ରେ ଯୀଶୁ କହଥି‌ଲେ ଯେ ନିରୀହ ଓ ମୂକମାନେ ଦିନେ ଏଇ ପୃଥିବୀର ଉତ୍ତରାଧିକାରୀ ହେବେ । ତାହା ନିଜ ଜୀବନକାଳ ମଧ୍ୟରେ ନ ହେଲେ ମଧ୍ୟ ଏଇ ଶତାବ୍ଦୀରେ ସମ୍ଭବ ହେବ । ସୋଭିଏତ ସଂଘରେ ଭାଙ୍ଗି ପଡ଼ିଥିବା ସର୍ବହରାମାନଙ୍କ ସାମ୍ରାଜ୍ୟ ମିଶରର ସ୍ପିଙ୍କ୍‌ସ୍‌ପରି ଆଉସବୁ ମୁଣ୍ଡ ଟେକିବ । ମାର୍କ୍ସ୍ ଯେଉଁ ମାନବବାଦର ସ୍ଵପ୍ନ ଦେଖୁଥିଲେ ତାହା କମ୍‌ ଶକ୍ତିଶାଳୀ ? ଅର୍ଥନୀତିର ଉଦାରୀକରଣ ନାମରେ ଦିନକୁ ଦିନ କାୟା ବିସ୍ତାର କରୁଥିବା ଅର୍ଥନୈତିକ ସାମ୍ରାଜ୍ୟବାଦ ଯେ ଶ୍ରମିକ, କାରିଗର, କୃଷକମାନଙ୍କୁ ମୁକ୍ତ ଅର୍ଥନୀତିର ଗୋଲାମ କରି ସବୁଦିନ ରଖିପାରିବ ନାହିଁ ଏହି ଭାବନା ଦିନେ ନା ଦିନେ ତ ସାକାର ହେବ ।

ରାତି ଗଭୀର ହେଉଥିଲା । କ୍ଲାନ୍ତ ଲାଗୁଥିଲା ଅରବିନ୍ଦକୁ । ଖାଇସାରି ସେ ଶୋଇପଡ଼ିଲା ଗଭୀର ନିଦରେ ।

କେତେବେଳ ପର୍ଯ୍ୟନ୍ତ ଏଇପରି ଶୋଇଥିବ ସେ କେଜାଣି; ଖୋଲା ଝରକା ପାଖରେ କାହାର ସାଂକେତିକ ଶବ୍ଦ ଶୁଣି ନିଦ ଭାଙ୍ଗିଲା ଅରବିନ୍ଦର । ସେ ବିଛଣାରୁ ଉଠି ବସି ଝରକା ପାଖକୁ ଯାଇ କହିଲା–“କିଏ ?’’

କେହି ଜବାବ ଦେଲେ ନାହିଁ । ହୁଏତ ତା ମନର ଭ୍ରମ ଭାବି ସେ ଅଉଥରେ ବିଛଣା ଉପରକୁ ଫେରି ଆସିବାବେଳକୁ ସେଇ ଶବ୍ଦ ପୁଣି ଭାସି ଆସିଲା ଫଗୁଣ ପବନ ସହିତ ।

ଏଥର ତା’ ପ୍ରଶ୍ନର ଉତ୍ତର ଦେଇ କହିଲା ଆଗନ୍ତୁକ–‘‘ଏଇ ଚିଠିଟା ନିଅ ...ମୋ ହାତରେ ସମୟ ନାହିଁ... କାହା ଦୃଷ୍ଟିରେ ପଡ଼ିଗଲେ ସର୍ବନାଶ... ।’’

ଚିଠିଟା ପଢ଼ିବା ପାଇଁ ଆଲୁଅ ଜାଳିବା ପୂର୍ବରୁ କହିଲା ଆଗନ୍ତୁକ–‘‘ପୁଲିସ୍‍ ପିଛା କରୁଛି-। ତଥାପି ସେମାନଙ୍କ ଆଖରେ ଧୂଳି ଦେଇ ଖସି ଆସିଛି । ଆପଣ ଲାଇଟ୍ ବନ୍ଦ କରି ଦିଅନ୍ତୁ, ଘରେ ଲୋକ ଉଠି ପଡ଼ିବେ ।’’

Unknown

କଥା ଶେଷ ହେବା ପରେ ପରେ ଆଗନ୍ତୁକ ଜଣକ ଅନ୍ତର୍ଦ୍ଧାନ ହୋଇଗଲା । ସେ କୁଆଡ଼େ ଗଲା ଜାଣି ପାରିଲାନାହିଁ ଅରବିନ୍ଦ । ବାହାରେ କିଟିକିଟିଆ ଅନ୍ଧାର, ବିଦ୍ୟୁତ୍‍ ସରବରାହ ବନ୍ଦ ହୋଇଯାଇଛି ବୋଧହୁଏ । କବାଟ ଝରକା ବନ୍ଦ କରି ଚିଠିଟା ଖୋଲିଲା ସେ ।

 

ଦିଲ୍ଲୀରୁ ଫେରିବାବେଳେ ବାଧ୍ୟ ହୋଇ ମୋତେ ବାଟରେ ଓହ୍ଲାଇ ଯିବାକୁ ହେଲା । ଓହ୍ଲାଇ ନ ଥିଲେ ମୁଁ ଧରାପଡ଼ିଥାନ୍ତି ପୁଲିସ୍‍ ହାତରେ । ଗୟାରେ ଆମର ଶିବିର ଅଛି, ସାଥୀମାନେ ଅଛନ୍ତି । ସେମାନଙ୍କ ସହାୟତା ପାଇ ମୁଁ ନିରାପଦରେ ଅଛି । ତେବେ ତୋତେ ସତର୍କ ରହିବାକୁ ହେବ । ପୁଲିସ୍‍ ତୋ ଉପରେ ଆଖି ରଖିଛି... ।

ମୁଁ ଓଡ଼ିଶା କେବେ ଫେରିବି କହିପାରୁନି । ନୀଳାଚଳରୁ ଓହ୍ଲାଇ ଆଉ ଗୋଟେ ଟ୍ରେନ୍‌ଧରି ମୁଁ ଜାମ୍‌ସେଦପୁର ଫେରିଲି.... ପାଖାପାଖି କୌଣସି ଏକ ଜାଗାରେ ରହୁଛି । ପତ୍ରବାହାକ ଅନ୍ୟ କାମରେ ଯାଉଛି... ଚିଠି ଖଣ୍ଡକ ତୋ ହାତକୁ ବଢ଼ାଇ ଦବାହିଁ ଏକମାତ୍ର କାମ ତାର ଭୁବନେଶ୍ଵରରେ ।’’

ତାରିଖ ନାହିଁ, କିଏ ପାଇବ ତାର ଠିକଣା ନାହିଁ, ପ୍ରେରକର ମଧ୍ୟ ଠିକଣା ନାହିଁ ।

 

ଛଅ

 

ବିହାର ଛାଡ଼ି ମୟୂରଭଞ୍ଜ ବାଟ ଦେଇ ଓଡ଼ିଶାରେ ପାଦ ଦବାକ୍ଷଣି ନିଜ ଘରେ ପହଞ୍ଚି ଯିବାର ଶିହରଣ ଅନୁଭବ କଲା ଶ୍ରୀହରି । ଜାମଶୋଳାରେ ସୁବର୍ଣ୍ଣରେଖା ନଦୀ କୂଳରେ କିଛି ସମୟ ନୀରବରେ ବସି ମାତୃଭୂମିର ଛବି କଳ୍ପନା କଲା ଶ୍ରୀହରି । ମୟୂରଭଞ୍ଜରୁ ମାଲକାନଗିରି ହଜାରେ କି ଏଗାରଶହ କିଲୋମିଟର । କିନ୍ତୁ ଏଇ ଦୂରତ୍ୱ ବଦଳାଇ ଦେଇପାରିନି ଲୋକମାନଙ୍କ ମଧ୍ୟରେ ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ କ୍ଷେତ୍ରରେ ଥିବା ଏକତ୍ୱକୁ । ଶୋଷଣର ସଂଜ୍ଞା ଯେପରି ଗୋଟିଏ ସେହିପରି ଶୋଷିତର ବର୍ଣ୍ଣ ମଧ୍ୟ ଗୋଟିଏ । ମୟୂରଭଞ୍ଜର ସାନ୍ତାଳ, ବାଥୁଡ଼ି, ଭୂମିଜ, ଚଷା ଏବଂ ମାଲକାନଗିରିର କୋୟା, ପରଜା ଆଦି ବିଭିନ୍ନ ସମ୍ପ୍ରଦାୟର ଲୋକମାନଙ୍କ ଆକୃତି ଓ ପ୍ରକୃତିରେ କିଛି ପାର୍ଥକ୍ୟ ଥାଇପାରେ; କିନ୍ତୁ ସେମାନଙ୍କର ପ୍ରାଣଶକ୍ତି ଏକ ପ୍ରକାର । ସେମାନଙ୍କର ଶୋଷକମାନେ ମଧ୍ୟ ଏକାପରି ।

 

ଦୁଇ ହଜାର ଟଙ୍କା ଦରମାର ଚାକିରି ଛାଡ଼ି ସେମାନଙ୍କ ଦଳରେ ଯୋଗ ଦେଇଥିବା ବରୁଣ ମାରାଣ୍ଡିକୁ ସେ ଯେଉଁ ଦାୟିତ୍ଵ ଦେଇଥିଲା ତାହା ଯେ ସେ ନିର୍ବିଘ୍ନରେ ପାଳନ କରିଛି, ଏଇ ଖବର ଟେଲିଫୋନ୍‍ ଯୋଗେ ଯଥା ସମୟରେ ପାଇ ଆଶ୍ଵସ୍ତ ହେଲା ଶ୍ରୀହରି । ଏଇଟା ଥିଲା ପ୍ରଥମ କାମ ବରୁଣର । ସେ ଦୁଇବର୍ଷ ଧରି ଦଳର କାମ କରୁଛି ଜାମଶୋଳା, ବାହାଡ଼ାଗୋଡ଼ା, ଶୀର୍ଷା ଇଲାକାରେ । ତାର କମିଟ୍‌ମେଣ୍ଟର ତୁଳନା ନାହିଁ । ବୟସ ବେଶୀ ନ ହେଲେ ବି ବହ୍ନିମାନ ତା’ର ଆଦର୍ଶ ।

 

ମୋବାଇଲ ଟେଲିଫୋନ୍‌ରେ ଶ୍ରୀହରି ଖବର ଦେଇଥିଲା ତାକୁ ଗୁଣୁପୁର ଚାଲିଯିବା ପାଇଁ । ସେ ତାହା ପାଳନ କରିଛି । ରତନା ଆସି ଖବର ଦେଲା ଯେ ରାତିରେ ନଦୀ କୂଳରେ ନିର୍ଦ୍ଦିଷ୍ଟ ସ୍ଥାନରେ ସଭା ହେବ । କର୍ମୀମାନଙ୍କୁ ଜଣାଇ ଦିଆଯାଇଛି ଠିକ୍‌ ସମୟରେ ଉପସ୍ଥିତ ରହିବା ପାଇଁ ।

 

ଶ୍ରୀହରି ଜାଣିବାକୁ ଚାହିଁଲା ନରେଶ ପାଳ ପୂର୍ବପରି ଲୋକଙ୍କୁ ହଇରାଣ ହରକତ କରୁଛି ନା ବଦଳିଛି । ରତନା କହିଲା–‘‘ବଦଳି ନାହିଁ କି ବଦଳିବାର ଲକ୍ଷଣ ମଧ୍ୟ ତା’ଠାରେ ଦେଖାଯାଉ ନାହିଁ । ସେ ବରଂ ଚେକ୍‌ଗେଟ୍‍ର ଦୁର୍ନୀତିଗ୍ରସ୍ତ ଅଫିସର ଓ କର୍ମଚାରୀମାନଙ୍କୁ ସାହାଯ୍ୟ କରୁଛି, ଗାଁ ଗାଁରେ ଗଢ଼ିଉଠୁଥିବା ଦମନ ବିରୋଧୀ ଆନ୍ଦୋଳନ ସମ୍ପର୍କରେ ପୁଲିସ୍‍କୁ ସେ ଖବର ଯୋଗାଇ ଦେଉଛି ।’’

 

ଶ୍ରୀହରି କିଛି ସମୟ ନୀରବ ରହିବା ପରେ କହିଲା–‘‘ଆଜି ତା ବିଷୟ ପଡ଼ିବ ସଭାରେ-। ମୁଁ କର୍ମୀମାନଙ୍କ ମତ ଜାଣିବା ପାଇଁ ଚାହେଁ ।’’

 

ଶ୍ରୀହରିର ନିର୍ଦ୍ଦେଶ ଅନୁସାରେ ଜାମଶୋଳାଠାରୁ ପ୍ରାୟ ପାଞ୍ଚ ମାଇଲ ଦୂରରେ ବିହାର ସୀମାନ୍ତରେ ସୁବର୍ଣ୍ଣରେଖା ନଦୀତୀରରେ ପନ୍ଦର କୋଡ଼ିଏ ଜଣ ବସିବା ଓ ଖାଇବା ପାଇଁ ସମସ୍ତ ଆୟୋଜନ ରତନା କରିଥଲା । ଶ୍ରୀହରିର କଡ଼ା ଆଦେଶ ଥଲା ଯେପରି ଏ ବିଷୟରେ କେହି ନ ଜାଣୁ । କର୍ମୀମାନଙ୍କୁ କେବଳ ଭାତ ଆଉ ଡାଲମା ଖାଇବାକୁ ଦିଆଯିବ । ଜହ୍ନ ଉଠିଥିବ ଆକାଶରେ ସେତେବେଳକୁ । ତେଣୁ କୌଣସି ଆଲୁଅ ଜାଳିବାର ପ୍ରୟୋଜନ ନାହିଁ । କେବଳ ଖାଇବାବେଳେ ଟର୍ଚ୍ଚ ଲାଇଟ ବ୍ୟବହାର କରାଯାଇ ପାରିବ । ନଦୀଘାଟ, ଚେକ୍‌ଗେଟ୍‍, ପୁଲିସ୍‍ ଥାନା ଓ ନରେଶ ପାଳର ଘର ଆଗରେ କର୍ମୀମାନେ ନଜର ରଖିବେ । କିଛି ସନ୍ଦେହଜନକ ଚଳାଚଳ ବା ଅନ୍ୟକିଛି ଅସାଧାରଣ କାର୍ଯ୍ୟ ହେଉଥିବା ଖବର ପାଇବା କ୍ଷଣି ନେତାଜୀଙ୍କୁ ଖବର ଦବାକୁ ହେବ । ଯଦି କେହି ଅଚାନକ ବାଧାବିଘ୍ନ ସୃଷ୍ଟିକରେ ତେବେ ତାକୁ ଖତମ କରିବା ଛଡ଼ା ଅନ୍ୟବାଟ ନାହିଁ । କିନ୍ତୁ ସବୁ ଉଦ୍ୟମ ନିଷ୍ଫଳ ନ ହେଲେ କାହାକୁ ଆହତ ବା ନିହତ କରିବାର ପ୍ରୟୋଜନ ନାହିଁ ।

 

କର୍ମୀମାନେ ଆଦେଶ ପାଇ ଚାଲିଗଲେ । କେବଳ ଚାରିଜଣ ଅତି ବିଶ୍ୱସ୍ତ କମ୍ପ୍ରେଡ଼୍‌ଙ୍କୁ ସାଙ୍ଗରେ ନେଇ ଶ୍ରୀହରି ବାହାରି ପଡ଼ିଲା ବିପଦଶଙ୍କୁଳ ଯାତ୍ରାରେ ।

 

ସଡ଼କ ବା ଚଲାପଥ ଛାଡ଼ି ସେମାନେ ଚାଲିଲେ ଅବାଟରେ । ଆବଡ଼ା ଖାବଡ଼ା ରାସ୍ତା । କୋଉଠି କଣ୍ଟାବୁଦା ତ ଆଉ କୋଉଠି ନଦୀକୂଳ ଆଡ଼କୁ ଠେଲି ହୋଇଯାଇଥିବା ବଡ଼ ବଡ଼ ପଥର-। ଏପରି ଅବାଟରେ ଗଲେ କାହାରି ଦୃଷ୍ଟିରେ ପଡ଼ିବାର ଆଶଙ୍କା ନାହିଁ । କିନ୍ତୁ ରାତିରେ ହ୍ରଦରୁ ମାଛ ଚୋରି କରୁଥିବା ଲୋକଙ୍କ ହାବୁଡ଼ରେ ପଡ଼ିଯିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ । ଆଗେ ଆଗେ ସ୍ଥାନୀୟ କର୍ମୀ ରତନା । ତା’ ଉପରେ ଶ୍ରୀହରିର ଅଗାଧ ବିଶ୍ୱାସ । ଦଳର କାମ କରିବା ପାଇଁ ସେ ଜୀବନକୁ ପାଣି ଛଡ଼ାଇ ଦେଇଛି ।

 

ବଡ଼ ବଡ଼ ଢିମା ପଥର ଅତିକ୍ରମ କରୁଥିବାବେଳେ ହଠାତ୍‌ ଝୁଣ୍ଟି ପଡ଼ିଲା ଶ୍ରୀହରି । ତା’ ଗୋଇଠି ମୋଡ଼ି ହୋଇଗଲା । କିନ୍ତୁ ଖାତିର ନ କରି ଆଗେଇ ଚାଲିଲା ଶ୍ରୀହରି । ରତନା ପାଖକୁ ଆସି କହିଲା ତା’ କାନ୍ଧ ଉପରେ ହାତ ରଖି ଚାଲିବା ପାଇଁ । କିନ୍ତୁ ଶ୍ରୀହରି ଏଡ଼େ ଦୁର୍ବଳ ନୁହେଁ, ସେ ନେତା, ସାମାନ୍ୟ ଆଘାତ ପାଇ ସେ ଯଦି କାତର ହେବାର ସଂକେତ ଦିଏ ତେବେ ମନୋବଳ ଭାଙ୍ଗିଯିବ କର୍ମୀମାନଙ୍କର ।

 

ନଦୀଘାଟ ପାର ହେବାବେଳେ ରତନା କହିଲା–‘‘ଏଇଠୁ ଅଳ୍ପବାଟ ନରେଶ ପାଳର ଘର ।’’

 

ଶ୍ରୀହରି ଦୃଢ଼ ସ୍ଵରରେ କହିଲା–‘‘ତା କଥା ଭୁଲି ଯାଇନି ମୁଁ । ଏଣ୍ଡୁଅର ଦୌଡ଼ ବାରୁଣା ମୁଣ୍ଡ ପର୍ଯ୍ୟନ୍ତ । ସେ ଯାହା କରୁଛି ତାକୁ କରିବାକୁ ଦିଅ । ଅତି ପାପେ ହତ ଲଙ୍କା କଥାଟା ମିଛ ନୁହେଁ ।’’

 

ରତନା କହିଲା–“କାଲି ଗାଁରେ ସଭା ହେବ । ସରପଞ୍ଚ ନରେଶପାଳ ହୁକୁମ ଜାରି କରିଛି ସମସ୍ତଙ୍କୁ ଆସିବା ପାଇଁ । ଗୁଣିଗାରେଡ଼ି କରି ଛୁଆମାନଙ୍କ ରକ୍ତ ଶୋଷୁଛି ବୋଲି ଚମ୍ପା ବିରୁଦ୍ଧରେ ଅନେକ ଅଭିଯୋଗ ।’’

 

–‘‘କିନ୍ତୁ ଅଭିଯୋଗ କ’ଣ ସତ ?'' ପଚାରିଲା ଶ୍ରୀହରି ।

 

–‘‘ନା, ସତ ନୁହେଁ । ତା’ ଉପରେ ନରେଶ ପାଳର ଆଖି ପଡ଼ିଛି, କିନ୍ତୁ କୌଣସି ପ୍ରଲୋଭନରେ ସେ ବଶ ନ ହେବାରୁ ତା ସ୍ୱାମୀ ଚୋରି କରିଛି ବୋଲି ଥାନାରେ ଏତଲା ଦବାରୁ ଥାନାବାବୁ ଅର୍ଜୁନକୁ ଗିରଫ କରି ବାରିପଦା ପଠାଇ ଦେଇଛି । ସେ ନ ଥିବାବେଳେ ନରେଶ ପାଳ ନିଜେ ଯାଇଥିଲା ଚମ୍ପାକୁ ବୁଝାଇବା ପାଇଁ । ତା’ କଥା ମାନି ତା’ ଖମାର ଘରକୁ ଗଲେ ସେ ପୁଲିସ୍‍କୁ କହି ଅର୍ଜୁନକୁ ଖଲାସ କରି ଆଣିବ ବୋଲି କହିଲା । କିନ୍ତୁ ସେଥିରେ ବି ଚମ୍ପା ରାଜି ନ ହେବାରୁ ସେ ଗୁଣିଗାରେଡ଼ି କରି ପିଲାମାନଙ୍କ ରକ୍ତ ଶୋଷୁଛି ବୋଲି ଗୁଜବ ଘଟାଇ ଦବାପରେ ଗାଁବାଲା ଚମ୍ପାକୁ ଡାକିଛନ୍ତି ବିଚାର ପାଇଁ... ।’’

 

ଶ୍ରୀହରି କିଛିକ୍ଷଣ ଚୁପ୍‌ ରହି କହିଲା–‘‘ଆଜି ରାତିଟା ଯାଉ । ମୁଁ ତ ସାଙ୍ଗେ ସାଙ୍ଗେ ଚାଲି ଯାଉନି । କାଲି ଯଦି ନରେଶ ପାଳ ଚମ୍ପା ଉପରେ ଅବିଚାର କରେ ତେବେ କ’ଣ କହିବାକୁ ହେବ ମୁଁ ତୋତେ ପରେ କହିବି ରତନା ।’’

 

ଘାଟ ପାରି ହୋଇ କିଛି ବାଟ ଆଗକୁ ଯିବା ପରେ ଗୋଟେ ସମତଳ ସ୍ଥାନଦେଖି ସେଇଠି ବସିଲେ ସେମାନେ । ହାତ ପାଆନ୍ତାରେ ସୁବର୍ଣ୍ଣରେଖାର ପ୍ରବହମାନ ସ୍ରୋତ ।

 

ଶ୍ରୀହରି ସ୍ୱର ନରମକରି କହିଲା–‘‘ଏଇ ନଦୀପରି ହେବାକୁ ପଡ଼ିବ । ଅନନ୍ତକାଳ ଧରି ବହୁଛି ସୁବର୍ଣ୍ଣରେଖା, କିନ୍ତୁ କାହାରି ଆଗରେ ହାତ ପାତିନି କିଛି ନବା ପାଇଁ କେବଳ ଦେଇଯାଇଛି-। ନଦୀ ପାଣି ଖେତରେ ମଡ଼ାଇ ଚାଷୀକୁଳ ଅନ୍ନ ଯୋଗାଉଛନ୍ତି ରାଜ୍ୟବାସୀଙ୍କୁ । ନଦୀର ପାଣି ପିଅନ୍ତି ଜୀବଜନ୍ତୁ । ନଦୀରୁ ମାଛ ଧରି କୁଟୁମ୍ବ ପୋଷନ୍ତି କେଉଟମାନେ । ନଦୀକୁ ଆଶ୍ରାକରି ଜୀବନ ଧାରଣ କରନ୍ତି ଗଛବୃଚ୍ଛ ଗୁଳ୍ମଲତା... ।’’

 

–‘‘ନଦୀ ଆମର ମା’ ପରି... ।’’ କହିଲା ଚତୁର୍ଭୁଜ ।

 

ନଦୀପଠାରେ ବସି ଆଲୋଚନା କଲେ କମ୍ପ୍ରେଡ଼୍‍ମାନେ । ଲାଞ୍ଚ ନେଉଥିବା ଓ ଅନ୍ୟାୟ କରୁଥିବା ଅଫିସର, ଲୋକଙ୍କୁ ହଇରାଣ ହରକତ ଏବଂ ସେମାନଙ୍କର ଅସୁବିଧା ଓ ଦାରିଦ୍ର୍ୟର ସୁଯୋଗ ନେଇ ସେମାନଙ୍କୁ ଶୋଷଣ କରୁଥିବା ସରପଞ୍ଚ ଓ ମହାଜନମାନଙ୍କ ତାଲିକା ପ୍ରସ୍ତୁତ ହେଲା । ଉପରଭାଗ ପ୍ରଗନ୍ନାରେ ସାମ୍ୟବାଦୀ ଆନ୍ଦୋଳନକୁ ପ୍ରଖର କରିବା ପାଇଁ ଜନସହଯୋଗ ଓ ଜନସଙ୍ଗଠନର ଆବଶ୍ୟକତା ଉପରେ ଯୋର ଦେଲା ଶ୍ରୀହରି । ଅନ୍ୟାୟ ଅତ୍ୟାଚାର ଯେତିକି ବଢ଼ିବ ସେମାନଙ୍କ ଆନ୍ଦୋଳନ ସେତିକି ଶକ୍ତିଶାଳୀ ହେବ । ନ୍ୟସ୍ତସ୍ଵାର୍ଥ ସହିତ ସାଲିସ ନ କରି ନିସ୍ଵାର୍ଥ ହେବା ପାଇଁ ସମସ୍ତଙ୍କୁ ଶପଥ ନବା ପାଇଁ କହିଲା ଶ୍ରୀହରି ।

 

ସମସ୍ତେ ଛିଡ଼ା ହୋଇଗଲେ ଏବଂ ବଜ୍ରମୁଷ୍ଠି ଉତ୍ତଳୋନ କଲେ ଆକାଶ ଆଡ଼କୁ ।

 

ଶ୍ରୀହରି ଶପଥ ପାଠ କରାଇନେଲା ସେମାନଙ୍କୁ । ତା’ପରେ ଭାତ ଓ ଡାଲମା ପରଶା ଗଲା ସମସ୍ତଙ୍କୁ । କିନ୍ତୁ ଠିକ୍‌ ଖାଇବାପାଇଁ ବସିଥିବାବେଳେ ଆଲୁଅ ଦେଖାଗଲା କିଛି ଦୂରରେ ।

 

ନଦୀ ଭିତରକୁ ପଶି ଆସିଥିବା ଏକ ବୃହତ୍‌ଶିଳା ଖଣ୍ଡ ଓ ପାଣିଧାରକୁ ଲାଗି ରହିଥିବା ଗଛ ଆଢ଼ୁଆଳରେ ସୋମନେ ଲୁଚିଗଲେ । ଖଲିପତ୍ର ଉପରେ ବଢ଼ା ହୋଇଥିବା ଖାଦ୍ୟ ନଦୀ ଗର୍ଭରେ ଢାଳି ଦେଇଥିଲେ ତା ଆଗରୁ । ଅଳ୍ପ ସମୟ ପରେ ପାଞ୍ଚଜଣ କନେଷ୍ଟବଳ ନଦୀଘାଟ ପାର ହେବାର ଦେଖି ଆସିଲା ରତନା । ସେମାନେ ଟର୍ଚ୍ଚ ପକାଇଲେ ସବୁ ଆଡ଼କୁ । କିନ୍ତୁ କେହି ଦୃଶ୍ୟ ନ ହେବାରୁ ଇନିସପେକ୍ଟର କହୁଥିବା କାନରେ ପଡ଼ିଲା ରତନାର–‘‘ଶଳା ନରେଶ ପାଳ ମିଛ ଖବର ଦେଇଥିଲା । ମୋ ଇଲାକାରେ ନକ୍ସଲ ପ୍ରବେଶ କରିବା ଏତେ ସହଜ ନୁହେଁ । ମୁଁ ଜାମଶୋଳାରେ ଥିବା ପର୍ଯ୍ୟନ୍ତ ଦୁର୍ଗ ଜଗି ରହିଥିବି । ଯଦି ଏ ଅଞ୍ଚଳକୁ କେହି ଆସିବାର ଦୁଃସାହସ କରେ ତେବେ ସେ ଆଉ ଫେରି ଫେରିଯାଇ ପାରିବ ନାହିଁ ।’’

 

ସେମାନେ ଦିଗ ପରିବର୍ତ୍ତନ କରି ଫେରିଯିବାପରେ ଆଶ୍ଵସ୍ତ ହେଲା ରତନା । କିନ୍ତୁ ମୋନେ ନଈପଠାରେ ସଭା କରୁଥିବା ବିଷୟ ନରେଶ ପାଳକୁ ଦେଲା କିଏ ? କିଏ ସେଇ ବିଶ୍ୱାସଘାତକ ? ହୁଏତ ଦଳ ଭିତରେ ଏପରି କେହି ଅଛି ଯାହାର ଗୁପ୍ତ ସଂଯୋଗ ରହିଛି ନରେଶ ପାଳ ସହିତ ।

 

ସେ ଫେରୁଥିବାବେଳେ ଘାଟ ପାର ହୋଇ ଗାଁ ଆଡ଼କୁ ମୁହାଁଇ ଥିବା ଲୋକଟାକୁ ଚିହ୍ନିବା ପାଇଁ ପଛେ ଫଛେ ଅନୁସରଣ କଲା ରତନା । ଆକାଶରେ ଜହ୍ନ ଉଠିବା କ୍ଷଣି ଗଛ ଆଢ଼ୁଆଳରେ ଛିଡ଼ା ହୋଇ ସେ ଚାହିଁ ରହିଲା ଆଗନ୍ତୁକ ଆଡ଼କୁ... ।

 

ସେଇ ଲୋକଟା ଯେ ମନୁ ଦଳେଇ ଏଥିରେ ଆଉ ସନ୍ଦେହ ରହିଲା ନାହିଁ ରତନାର । ସେ ରୁଦ୍ଧଶ୍ୱାସରେ ଦୌଡ଼ି ଦୌଡ଼ି ଫେରିଗଲା ପୁଣି । ଏ ସ୍ଥାନ ତ୍ୟାଗ କରିବା ବ୍ୟତୀତ ଅନ୍ୟଗତି ନାହିଁ ।

 

ତା’ ମୁହଁରୁ ସବୁକଥା ଶୁଣି କିଛି ସମୟ ଭାବିଲା ଏବଂ ରତନା ଓ ପହଲିକୁ ଏକାନ୍ତରେ କ’ଣ କହିଲା ଶ୍ରୀହରି । ତାପରେ କର୍ମୀମାନଙ୍କୁ ଯେଝା ଘରକୁ ଫେରିଯିବା ପାଇଁ କହି ସତର୍କ ରହିବା ପାଇଁ ଆଦେଶ ଦେଲା ।

 

ବିପ୍ଲବର ମାର୍ଗ ଦୀର୍ଘ ଓ ବିପଦଶଙ୍କୁଳ । କେବଳ ଦୁଃସାହସୀମାନେହିଁ ଚାଲିପାରନ୍ତି ଏଇ ମାର୍ଗରେ । ନିଜ କଥା ଭୁଲି, ଜୀବନକୁ ପାଣି ଛଡ଼େଇ ଯେଉଁମାନେ ଗୋଟିଏ ଆଦର୍ଶକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଏଇ ବାଟ ବାଛି ନିଅନ୍ତି, ଶତ୍ରୁର ଗୁଳିରେ ସେମାନଙ୍କର ମୃତ୍ୟୁ ହୋଇପାରେ, କିନ୍ତୁ ତଥାପି ବିପ୍ଳବର ଇତିହାସରେ ସେଇ ସହିଦ୍‍ମାନେ ଚିରଦିନ ଅମର ।

 

ଶ୍ରୀହରି ଆକାଶକୁ ଚାହିଁ ବଜ୍ରମୁଷ୍ଟି ଉତ୍ତୋଳନ କଲା । ରତନା କିନ୍ତୁ ଜାଣିପାରିଲା ନାହିଁ କ’ଣ ସଂକଳ୍ପ କଲେ ନେତାଜୀ ।

 

ସେଇ ରାତିରେ ଆଉ ପୂର୍ବସ୍ଥାନକୁ ଫେରିଲା ନାହିଁ ଶ୍ରୀହରି । ପୁଲିସ୍‍ ଯେ ତାର ଆଗମନ ସମ୍ପର୍କରେ ସୂଚନା ପାଇ ସାରିଛି ସେଥିରେ ଆଉ ସନ୍ଦେହ କରିବାର କାରଣ ନାହିଁ । ଓଡ଼ିଶା ସୀମା ଅତିକ୍ରମ କରି ବିହାରକୁ ଚାଲିଯିବାହିଁ ଅଧିକ ନିରାପଦ ବୋଲି କହିଲା ରତନା । ସେମାନେ ଘାଟରେ ବନ୍ଧା ହୋଇଥିବା ଡଙ୍ଗାରେ ନଦୀପାର ହେବା ପରିବର୍ତ୍ତେ ପହଁରି ପହଁରି ନଦୀ ପାର ହେଲେ । କିଛି ଦୂରରେ ଶାସନ ଗ୍ରାମ । ସେଇଠି ବାସ କରନ୍ତି ତାରାପଦ ତର୍କଚୂଡ଼ାମଣି । ତାଙ୍କ ଘରେ ପହଞ୍ଚିବାବେଳକୁ ରାତି ଦୁଇଟା ।

 

କବାଟରେ ତିନିଥର ଠକ୍‌ ଠକ୍‌ କଲା ରତନା ।

 

ଭିତରୁ ତର୍କଚୂଡ଼ାମଣିଙ୍କ ଶବ୍ଦ ଭାସି ଆସିଲା–“କିଏ ?’’ ସେ କବାଟ ଖୋଲିବା କ୍ଷଣି ଶ୍ରୀହରିକୁ ସ୍ୱାଗତ କରି କହିଲେ–‘‘ଆସ, ଭିତରକୁ ଆସ । କବାଟରେ ତିନିଥର ଠକ୍‌ ଠକ୍ ଶବ୍ଦ ହେବାର ଶୁଣି ମୁଁ ଧରି ନେଇଥି‌ଲି ଯେ ତମେ ବା ତୁମ ଲୋକ କେହି ଆସିଛନ୍ତି ।’’

 

‘‘ଆପଣଙ୍କ ଉପରେ ସେଥିପାଇଁ ମୋର ଅଗାଧ ବିଶ୍ୱାସ...,’’ ମୁଁହ ଉପରେ ମର୍ଯ୍ୟାଦାପୂର୍ଣ୍ଣ ପ୍ରସନ୍ନତା ଖେଳାଇ କହିଲା ଶ୍ରୀହରି । ନଇଁପଡ଼ି ତର୍କଚୂଡ଼ାମଣିଙ୍କ ପାଦସ୍ପର୍ଶ କରିବା ଆଗରୁ ସେ ଶ୍ରୀହରିକୁ ଉଠାଇ ନେଇ ଆଲିଙ୍ଗନ କଲେ ।

 

ଖମାରଘରେ ଧାନ ରହେ, ପାରା ରହନ୍ତି, ଦୁଇ ଚାରିଟା ବିଲେଇ ମଧ୍ୟ ମୂଷା ଧରିବା ପାଇଁ ରହନ୍ତି ସେଠାରେ । ଖମାର ଘରକୁ ସମସ୍ତଙ୍କ ଯିବା ମନା । ସେଠାରେ ଶ୍ରୀହରି ଓ ରତନାର ରହିବା ପାଇଁ ବ୍ୟବସ୍ଥା କରିଦେଲେ ସେ । ରାତି ବେଶି ବାକୀ ନ ଥିଲା । ତଥାପି କଡ଼େ କଡ଼େ ଶୋଇଗଲେ ଦୁହେଁ ।

 

ସାରାଦିନ ସେମାନେ ଆଉ ବାହାରକୁ ଗଲେ ନାହିଁ । ସେମାନଙ୍କର ଖାଇବା ଜନିଷ ଗୋଟେ ଟିଫିନ କ୍ୟାରିଅରେ ସନେଇ ନିଜେ ଯାଇ ଦେଇ ଆସିଲା । ପାଣି କଳସୀ, ଗ୍ଲାସ, ଆଉ ଅନ୍ୟାନ୍ୟ ସରଞ୍ଜାମ ଖମାର ଘରେ ଥିଲା ।

 

ଦି’ପହର ସମୟରେ ତାରାପଦ ତର୍କଚୂଡ଼ାମଣିଙ୍କ ସହିତ ଆଲୋଚନା କଲା ଶ୍ରୀହରି ।

 

ସେ କହିଲେ–‘‘ଦେଶର ଗତି କୁଆଡ଼େ ମୁଁ ବୁଝିପାରୁନି ଶ୍ରୀହରି । ଆମେ ତ ବିହାରର ଅଧିବାସୀ । ସୀମାନ୍ତରେ ରହିଥିବାରୁ ଆମକୁ କୌଣସି ସୁବିଧା ମିଳେ ନାହିଁକି ସରକାର ବାହାଦୁରଙ୍କ ଲୋକ ଏ ଗାଁକୁ ଆସନ୍ତି ନାହିଁ । ଚାଷୀମାନେ ବର୍ଷା ଉପରେ ନିର୍ଭର କରନ୍ତି ନଦୀକୂଳରେ ଥାଇ ସୁଦ୍ଧା । ଜଳସେଚନର ସୁବିଧା ନାହିଁ । ଗାଁକୁ ସବୁଦିନିଆ ରାସ୍ତା ନାହିଁ । ବର୍ଷାଦିନେ ବାହାର ଜଗତ ସହିତ ସମ୍ପର୍କ ଛିନ୍ନ ହୋଇଯାଏ । କେବଳ ଏତିକି ସାନ୍ତ୍ୱନା ଯେ ନଦୀପଠାରେ ଚାଷୀମାନେ ଶସ୍ୟ ଅମଳ କରି ବର୍ଷସାରା କୌଣସି ରକମ ଚଳିଯାଆନ୍ତି । କିନ୍ତୁ କେହି ରୋଗବ୍ୟାଧିରେ ପଡ଼ିଲେ ଚିକିତ୍ସା ପାଇଁ ପାଖରେ କିଛି ସୁବିଧା ନାହିଁ । ବହଡ଼ାଗୋଡ଼ାରେ ଡାକ୍ତରଖାନା ଅଛି, କିନ୍ତୁ ଔଷଧ ନାହିଁକି ଗୁରୁତର ରୋଗୀର ଚିକିତ୍ସା କରାଯାଏ ନାହିଁ ।’’

 

ଶ୍ରୀହରି କହିଲା–‘‘ସବୁଠାରେ ସମାନ ଅବସ୍ଥା । ବରଂ ମାଲକାନଗିରିଠାରୁ ଏଜାଗା ଭଲ, କିଛି କାମଦାମ ହୁଏ ସରକାର ପକ୍ଷରୁ । ଆମର ସେଠାରେ କିଛି ହୁଏନା । ସରକାର ଉନ୍ନୟନ କାର୍ଯ୍ୟ ପାଇଁ ଯାହା ଦିଅନ୍ତି ସେତକ ଅମଲା ଅଫିସର ବାଣ୍ଟି ନିଅନ୍ତି ଏବଂ ରାଜନେତାମାନେ ଭାଗ ପାଆନ୍ତି ସେଥିରୁ... ।’’

 

‘‘ଅଶିକ୍ଷା, ଅଜ୍ଞତା, କୁସଂସ୍କାରରେ ବୁଡ଼ି ରହିଛନ୍ତି ଲୋକମାନେ । ତମେ ଶୁଣି ଆଶ୍ଚର୍ଯ୍ୟ ହେବ ଯେ ୧୯୧୯ ମସିହାରେ ଉତ୍କଳମଣି ଗୋପବନ୍ଧୁ ପ୍ରଥମେ ଆସିଥିଲେ ଏଇ ଅଞ୍ଚଳକୁ ଓଡ଼ିଆଭାଷାର ସୁରକ୍ଷା ଓ କଂଗ୍ରେସର ବାର୍ତ୍ତା ପ୍ରଚାର କରିବା ପାଇଁ । ଆମେ ବିହାରରେ ରହିଗଲୁ, ଆମ କଥା ବି ଓଡ଼ିଆ ଭାଇମାନେ ଭୁଲିଗଲେ... ।’’ କହିଲେ ତର୍କଚୂଡ଼ାମଣି ।

 

ଶ୍ରୀହରି କହିଲା–‘‘ସ୍ଥିତାବସ୍ଥାର ପୂଜାରୀ ସମସ୍ତେ । ପରିବର୍ତ୍ତନର ବିରୋଧୀ ସମସ୍ତେ । କାଳେ ନିଜ ସ୍ୱାର୍ଥରେ ବାଧା ପଡ଼ିବ, ନିଜ ଭାଗ କମିଯିବ ଏଇ ଆଶଙ୍କାରୁ ସେମାନେ ନୂଆ କିଛି କରିବାକୁ ଚାହାଁନ୍ତି ନାହିଁ, ନୂତନକୁ ବାଟ ବରଣ କରି ପାଛୋଟି ନ ଆଣି ଅଟକାଇ ରଖିବାପାଇଁ ଚାହାଁନ୍ତି ବାଟରେ । ନ୍ୟସ୍ତସ୍ଵାର୍ଥର ହାତ ମୁଠାରେ ସମାଜ ଓ ଶାସନ । ଏଥିରୁ ମୁକ୍ତିର ବାଟ ଗୋଟିଏ–ବିପ୍ଳବ-ବିପ୍ଳବ ନ ହେଲେ ପରିବର୍ତ୍ତନ ହେବ ନାହିଁ... ।

 

–‘‘କିନ୍ତୁ ଏତେ ସହଜରେ ବା ଏତେଶୀଘ୍ର କ’ଣ ବିପ୍ଳବ ଆସିବ ଶ୍ରୀହରି ? ବିପ୍ଳବରେ ଝାସ ଦବା ପାଇଁ ଲୋକ କାହାନ୍ତି ? ସେମାନଙ୍କୁ ସେଥିପାଇଁ ପ୍ରସ୍ତୁତ କରିବା ସକାଶେ ସମୟ ବି ଦରକାର । ଗାନ୍ଧିଜୀ କେତେ ସମୟ ନେଇଥିଲେ ସ୍ଵାଧୀନତା ପାଇଁ ଲୋକଙ୍କୁ ପ୍ରସ୍ତୁତ କରିବା ଲାଗି... ?’' କହିଲେ ତର୍କଚୂଡ଼ାମଣି ।

 

ଶ୍ରୀହରି କହିଲା–“ଆପଣ ଠିକ୍‌ କହିଛନ୍ତି... କିନ୍ତୁ ଆମ ହାତରେ ସମୟ ବେଶୀ ନାହିଁ । ଲୋକଶକ୍ତି ଜାଗ୍ରତ କରିବାହିଁ ପ୍ରଥମ କାମ । ଥରେ ଯଦି ଅନ୍ୟାୟ ଅବିଚାର ବିରୁଦ୍ଧରେ ଲୋକମାନେ ସଚେତନ ହୁଅନ୍ତି ଆମ କାମ ସହଜ ହୋଇଯିବ । ଗାଁ ଗାଁରେ ପ୍ରତିରୋଧ ବଢ଼ିବ ନ୍ୟସ୍ତସ୍ୱାର୍ଥ ବିରୁଦ୍ଧରେ । ପୁଲିସ୍‍ କେତେ ଲୋକଙ୍କୁ ଗିରଫ କରିବ ? ସୈନ୍ୟବାହିନୀ ମଧ୍ୟ ଏଥିପାଇଁ ଯଥେଷ୍ଟ ନୁହେଁ । ମାଓସେତୁଙ୍ଗ୍ ଚାଷୀମାନଙ୍କୁ ନେଇ କେଡ଼େ ବିରାଟ ବିପ୍ଲବ କରିଥିଲେ ଚୀନରେ ମନେପଡ଼ୁଛି ଆପଣଙ୍କର... । ଆଉ ଗାନ୍ଧି ତ ଏଇ ଅପାଠୁଆ, ଅର୍ଦ୍ଧନଗ୍ନ, ଦରିଦ୍ରମାନଙ୍କୁ ଏମିତି ମତାଇ ଦେଲେ ଯେ ସୂର୍ଯ୍ୟ ଉଇଁ ନ ଥିବା ବ୍ରିଟିଶ ସାମ୍ରାଜ୍ୟରୁ ସୂର୍ଯ୍ୟ ଅସ୍ତହେଲା ଏଇ ଭାରତରେ ।’’

 

–‘‘ତମେ ଗାନ୍ଧିଜୀଙ୍କ ଅହିଂସା ସଂଗ୍ରାମରେ ବିଶ୍ଵାସ କର ?’’ ପଚାରିଦେଲେ ତର୍କଚୂଡ଼ାମଣି ।

 

କିଛି ସମୟ ଚୁପ୍‌ଚାପ୍‌ ବସି ରହିଲା ଶ୍ରୀହରି । ତାପରେ ଧୀରେ ଧୀରେ କହିଲା–“ଗାନ୍ଧିଜୀଙ୍କ ସତ୍ୟ, ଅହିଂସା କୌଣସି କାଳରେ ଅପ୍ରାସଙ୍ଗିକ ନୁହେଁ; କିନ୍ତୁ ଏଇ ପଥ ବଡ଼ ଦୁର୍ଗମ, ବଡ଼ ପିଚ୍ଛିଳ... କିନ୍ତୁ ଚାଲି ନ ଜାଣି ବାଟର ଦୋଷ ଦେବିନି ମୁଁ,... ଗାନ୍ଧିଜୀ ନମସ୍ୟ ପୁରୁଷ... କିନ୍ତୁ ମାର୍କସବାଦ ଏ ଯୁଗରେ ଅଧକ ଗ୍ରହଣୀୟ.... ।” କହିଲା ଶ୍ରୀହରି ।

 

–‘‘ସୋଭିଏତ ସଂଘ ଓ ପୂର୍ବ ଇଉରୋପରେ ମାର୍କସବାଦୀ ଶାସନ ଭାଙ୍ଗି ପଡ଼ିବା ପରେ ବି ତମେ ଏକଥା କହୁଛ ଶ୍ରୀହରି ?’’ କହିଲେ ତର୍କଚୂଡ଼ାମଣି ।

 

–‘‘ଏଇ ବିପର୍ଯ୍ୟୟ ସାମୟିକ । ମାର୍କସବାଦର ପ୍ରୟୋଗରେ ଯେଉଁ ତ୍ରୁଟି ରହିଗଲା ତାହା ସଂଶୋଧନ କରିଥିଲେ ସୋଭିଏତ ସଂଘ ଭୁଷୁଡ଼ି ପଡ଼ି ନ ଥାନ୍ତା । କିନ୍ତୁ ସେଇ ରୁଲ୍‍ ପାଇଁ ମାର୍କସବାଦ ଅପ୍ରାସଙ୍ଗିକ ହୋଇଯାଇନାହିଁ । ମନେରଖନ୍ତୁ ଯେ ଏବେବି ପୃଥିବୀରୁ ଦୁଃଖ, ଯନ୍ତ୍ରଣା, ଶୋଷଣ, ଉତ୍ପୀଡ଼ନ ଲୋପ ପାଇନାହିଁ । ଏବେବି ପଚିଶଭାଗ ଲୋଙ୍କ ଅଧୀନରେ ପଞ୍ଚସ୍ତରୀ ଭାଗ ସମ୍ପତ୍ତି ରହିଛି, ପଞ୍ଚସ୍ତରୀ ଭାଗ ଲୋକ କେବଳ ପଞ୍ଚସ୍ତରୀ ରାଗ ସମ୍ପତ୍ତିର ଅଧିକାରୀ ।’’

 

‘‘ସେମାନଙ୍କର ଆଲୋଚନାରେ ବାଧା ସୃଷ୍ଟି କରି କହିଲା ରତନା–‘‘ଜଣେ କେହି ଅଚିହ୍ନା ବ୍ୟକ୍ତି ଏହି ଖମାର ଘର ଉପରେ ନିଘା ରଖୁଥିବା ପରି ମୋତେ ଲାଗିଲା । ସେ ବାରମ୍ବାର ଏଇବାଟ ଦେଇ ଯିବାଆସିବା କରୁଛି ।’’

 

ସାଙ୍ଗେ ସାଙ୍ଗେ ତାରାପଦ ତର୍କଚୂଡ଼ାମଣି ବାହାରକୁ ଚାଲି ଆସିଲେ ଏବଂ ସେତିକିବେଳେ ସେଇ ଲୋକଟି ହଠାତ୍‌ ତାଙ୍କ ଦୃଷ୍ଟିରେ ପଡ଼ିଯିବାରୁ ସେ ତାକୁ ପାଖକୁ ଡାକି କ’ଣ ସବୁ କଥାଭାଷା ହେଲେ । ତା’ପରେ ସେ ଯେପରି ହଠାତ୍‌ ଆବିର୍ଭାବ ହୋଇଥିଲା ସେହିପରି କେଉଁଆଡ଼େ ଅଦୃଶ୍ୟ ହୋରଗଲା ।

 

ତର୍କଚୂଡ଼ାମଣି ଫେରି ଆସି କହିଲେ–‘‘ନା, ଭୟର କୌଣସି କାରଣ ନାହିଁ । ସେ ମୋ ଲୋକ । ମୁଁ ତାକୁ ନିଯୁକ୍ତ କରିଥିଲି ଏଇ ବାଟ ଦେଇ ଯାଇଥିବା ସମସ୍ତଙ୍କ ଉପରେ ଆଖି ରଖିବା ପାଇଁ । ସେଇ କାମ କରୁଥଲା ସେ ।’’

 

ସନ୍ଧ୍ୟାପୂର୍ବରୁ ଶିର୍ଷା ଗାଁରେ ନରେଶ ପାଳ କ’ଣ କରୁଛି ତାହା ଦେଖି ଆସିବାପାଇଁ ଚାଲିଗଲା ରତନା । ଯିବାବେଳେ ତା’ ହାତକୁ ଗୋଟିଏ ଛୋଟିଆ ହାତବ୍ୟାଗ ବଢ଼ାଇ ଦେଇ କହିଲା ଶ୍ରୀହରି–‘‘ଦରକାର ହେଲେ ବ୍ୟବହାର କରିବୁ ।’’

 

ରତନା ଅଦୃଶ୍ୟ ହୋଇଯିବା ପରେ ଶ୍ରୀହରି ପରବର୍ତ୍ତୀ ଘଟଣା ସମ୍ବନ୍ଧରେ ଜାଣିବା ପାଇଁ ଆଗ୍ରହର ସହିତ ଅପେକ୍ଷା କରି ରହିଲା ।

 

ସଂଧ୍ୟାହେବା ପୂର୍ବରୁ ଚା’ ଜଳଖିଆ ଦେଇଗଲେ ତର୍କଚୂଡ଼ାମଣିଙ୍କ ସ୍ତ୍ରୀ ।

 

ତାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିଲା ଶ୍ରୀହରି–‘‘ମା ଆପଣଙ୍କୁ ଅଯଥାରେ କଷ୍ଟ ଦେଲି । କିନ୍ତୁ ଆଉ କୌଣସି ଚାରା ନ ଥିଲା ।

 

ଲକ୍ଷ୍ମୀ କହିଲେ–‘‘ପିଲାମାନଙ୍କ ସୁଖ ସୁବିଧା ଦେଖିବା ମା’ର କର୍ତ୍ତବ୍ୟ ବାବା । ତୁମେ ଏତେବଡ଼ ଦେଶର ସେବା କରୁଛ । ଲୋକମାନଙ୍କ ଭାଗ୍ୟ ପରିବର୍ତ୍ତନ କରିବା ପାଇଁ ନିଜର ସୁଖ ସମ୍ଭୋଗ ବଳି ଦେଇଛ । ତୁମ ପାଇଁ ମୁଁ ଏତିକି କରିପାରିବି ନାହିଁ ?’’

 

ତାରାପଦ ତର୍କଚୂଡ଼ାମଣି ପଣ୍ଡିତ ବ୍ୟକ୍ତି । ପଞ୍ଚସ୍ତରୀ ଚାଲିଛି । ଦେଖିବାକୁ ସରଳ ରେଖାପରି । ମେଦହୀନ ଗୋରା ଶରୀରର ଉଚ୍ଚତା ଛଅଫୁଟ ହେବ ।

 

ତୀକ୍ଷ୍‍ଣ ନାକ । ଟଣା ଟଣା ଭ୍ରୂ । କାନ ଦୁଇଟି ମୁହଁକୁ ଚାହିଁ ବଡ଼ । ବୟସ ସହିତ ତାଳ ଦେଇ କେଶ କିନ୍ତୁ ପାଚି ନାହଁ । ଏବେବି ନଦୀରେ ବନ୍ୟା ଆସିଲେ ପହଁରି ପହଁରି ନଦୀପାରି ହୁଅନ୍ତି । ସ୍ୱାଧୀନତା ସଂଗ୍ରାମବେଳେ ବନ୍ଦେମାତରମ୍‌ ଆନ୍ଦୋଳନରେ ଯୋଗ ଦେଇ ସାତବର୍ଷ କାରାବରଣ କରିଥଲେ । ଲକ୍ଷ୍ମୀ ମଧ୍ୟ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇ ଦୁଇବର୍ଷ ଜେଲ ଯାଇଥଲେ । ସତୁରୀ ବର୍ଷର ଏଇ ବୟସ୍କା ମାତୃପ୍ରତିମାଙ୍କୁ ଦେଖିଲେ ମଥା ଅବନତ ହୋଇଯାଏ ଆପେ ଆପେ । ଉଭୟଙ୍କ ପରିଧାନ ଖଦୀ । ନିରାଡ଼ମ୍ୱର ବେଶଭୂଷା ! ଚୁଡ଼ାଭଜା ସହିତ ଚା’ ବେଶ୍‌ଭଲ ଲାଗୁଥିଲା ଶ୍ରୀହରିକୁ ।

 

ସଶସ୍ତ୍ର ସଂଗ୍ରାମରେ ଥିଲାବେଳେ ତାରାପଦ ତର୍କଚୂଡ଼ାମଣି ଜଣେ ଅତ୍ୟାଚାରୀ, ଅହଙ୍କାରୀ ସାହେବକୁ ଗୁଳି ମାରି ଛୋଟା କରିଦେଇଥିଲେ । କିନ୍ତୁ ସେ ଆତ୍ମଗୋପନ କରିବା ଫଳରେ ବ୍ରିଟିଶ ସରକାର ତାଙ୍କୁ ବହୁ ଅନୁସନ୍ଧାନ କରି ମଧ୍ୟ ଗିରଫ କରି ପାରି ନ ଥିଲେ । କିନ୍ତୁ ଆଉ ଗୋଟେ ମିଥ୍ୟା ମୋକଦ୍ଦମାରେ ଜଜ୍‌ ତାଙ୍କୁ ସାତବର୍ଷ ଜେଲଦଣ୍ଡ ଦେଇଥିଲେ ।

 

ଶ୍ରୀହରି ଯେତେବେଳେ ପ୍ରଥମ ଆସିଥିଲା ଏ ଅଞ୍ଚଳର ବିପ୍ଳବୀମାନଙ୍କ ସହିତ ସଂଯୋଗ ସ୍ଥାପନ କରିବା ପାଇଁ ସେତିକିବେଳେ ତାକୁ କେଉଁଠି ରଖିବେ କର୍ମୀମାନେ ସ୍ଥିର କରିପାରୁ ନ ଥିବାବେଳେ ତର୍କଚୂଡ଼ାମଣି ସ୍ଵାଗତ କରିଥିଲେ ଶ୍ରୀହରିକୁ । ସେ ତାଙ୍କ ପାଦ ଛୁଇଁ ପ୍ରଣାମ କରିବା ପୂର୍ବରୁ ତାକୁ ଆଲିଙ୍ଗନ କରି କହିଥିଲେ ତାରାପଦ ତର୍କଚୂଡ଼ାମଣି–‘ତୁମେ ମୋର ଅତିଥି ହେଲେ ମୁଁ ଧନ୍ୟ ହେବି... । ଆସ ଭିତରକୁ ଆସ ।’’ ସେହିଦିନୁ ଦୁହିଁଙ୍କ ମଧ୍ୟରେ ଗଢ଼ି ଉଠିଛି ଅନାବିଳ ସମ୍ପର୍କ । ଏଇ ମାନବିକ ବନ୍ଧନରେ ସନ୍ଧି ନାହିଁ, ସମର୍ପଣ ନାହିଁ–ଅଛି ମାନବିକ ଆତ୍ମନିବେଦନର ଗଭୀର ଉଚ୍ଚାରଣ ।

 

ସେଇ ରାତି ଖମାର ଘରୁ ଶ୍ରୀହରିକୁ ସ୍ଥାନାନ୍ତର କଲେ ତର୍କଚୂଡ଼ାମଣି ନିଜ କୋଠରୀକୁ ।

 

ମଧ୍ୟ ରାତିର ନିସ୍ତବ୍ଧତା ଭାଙ୍ଗି କବାଟ ସେପାଖରୁ ପରିଚିତ ପଦଶବ୍ଦ ଶୁଣି ସଜାଗ ହୋଇଗଲା ଶ୍ରୀହରି । ତା’ପରେ କାଳବିଳମ୍ବ ନ କରି ବିଛଣା ଉପରୁ ଲମ୍ଫ ଦେଇ ତଳେ ଠିଆ ହୋଇଗଲା ।

 

ତିନିଥର ସାଂକେତିକ ଶବ୍ଦ ଶୁଣି କବାଟ ଖୋଲିଦେଲା ଶ୍ରୀହରି ।

 

ରତନା ତା’ ହାତକୁ ବ୍ୟାଗଟା ବଢ଼ାଇ ଦେଇ କହିଲା–“ଦରକାର ହେଲା ବୋଲି ବାଧ୍ୟ ହୋଇ ବ୍ୟବହାର କଲି । ଏହାପରେ ଆଉ ଏ ଅଞ୍ଚଳରେ ରହିବା ନିରାପଦ ନୁହେଁ । ଶୀଘ୍ର ବାହାରିପଡ଼...’’

 

ତାରାପଦ ତର୍କଚୂଡ଼ାମଣି ସବୁ ଶୁଣି କହିଲେ–‘‘ସବୁ ପ୍ରସ୍ତୁତ କରି ରଖିଛି । ଆଉ ଜାମଶୋଳା ବାଟଦେଇ ଓଡ଼ିଶା ଭିତରକୁ ପ୍ରବେଶ ନ କରି ତୁମେ ବରଂ ମୋଟର ସାଇକେଲ ନେଇ ଖଡ଼ଗପୁର ଚାଲିଯାଅ । ସେଇଠୁ ଟ୍ରେନ୍‍ ପାଇବ । ରାତିରେ ରାତିରେ ବିହାର, ବଙ୍ଗଳା, ସୀମା ଅତିକ୍ରମ କରିଯାଅ ଯେପରି ।’’

 

ଶ୍ରୀହରି ସେତେବେଳେକୁ ବ୍ୟାଗ୍‌ଭିତରେ ନିଜର ଲୁଗାପଟା ଭର୍ତ୍ତି କରି ସାରିଥିଲା । ତାକୁ ନିରାପଦରେ ଖଡ଼ଗପୁର ପର୍ଯ୍ୟନ୍ତ ନେଇଯିବା ପାଇଁ ଅପେକ୍ଷା କରି ରହିଥିଲା ବିପ୍ଲବର ବାର୍ତ୍ତାବହ ଅନିରୁଦ୍ଧ ।

 

କିନ୍ତୁ ମୋଟର ସାଇକଲରେ ବସିବା ପୂର୍ବରୁ ତା’ର ଇଙ୍ଗିତ ପାଇ କହିଲା ରତନା–‘‘ସଭା ବସିଥିଲା ଶୀର୍ଷା ଗ୍ରାମରେ । ନରେଶ ପାଳର ଆଜ୍ଞା ମାନି ବୟାନ ଦବାକୁ ଆସିଥିଲା ଚମ୍ପା । କିନ୍ତୁ ସେ ତା ସର୍ତ୍ତ ନାମଞ୍ଜୁର କରିବା ପରେ ତାକୁ ଉଲଗ୍ନ କରି ଗାଁ ଦାଣ୍ଡରେ ପ୍ୟାରେଡ଼୍‌ କରିବା ପାଇଁ ଆଦେଶ ଦେଇଥିଲା ନରେଶ ପାଳ । ଦ୍ରୌପଦୀକୁ ଦୁଃଶାସନ ଉଲଗ୍ନ କରିବା ମୁହୂର୍ତ୍ତରେ ଯେପରି ଶ୍ରୀକୃଷ୍ଣ ବସନ ଯୋଗାଇ ଦେଇଥିଲେ ସେହିପରି ନରେଶ ପାଳର ବିଶ୍ଵସ୍ତ ଚମ୍ପାକୁ ବିବସ୍ତ୍ର କରିବାକୁ ଉଦ୍ୟମ କଲାବେଳେ ମୁଁ ଗୁଳି କରିଥିଲି । ନରେଶ ପାଳକୁ ଲକ୍ଷ୍ୟକରି । ସେ ବଞ୍ଚିଛି କି ମରିଛି ମୁଁ ଜାଣିବା ପାଇଁ ଅପେକ୍ଷା ନ କରି ଚାଲି ଆସିଛି ପରିସ୍ଥିତିର ଚାପରେ ।’’

 

ଶ୍ରୀହରି ତାର କାନ୍ଧ ଉପରେ ହାତ ରଖି କହିଲା–‘‘ସାବାସ୍‌ । ସେ ମରୁ କି ବଞ୍ଚୁ ସେଇଟା ବଡ଼ କଥା ନୁହେଁ ... ସେମାନେ ଠିକ୍‌ବାର୍ତ୍ତା ପାଇସାରିଥିବେ... । ତୁ ଚାଲି ଆସି ନ ଥିଲେ ହୁଏତ ଧରାପଡ଼ି ଯାଇଥାନ୍ତୁ ।”

 

ଶ୍ରୀହରି ଆକାଶକୁ ବଜ୍ରମୁଷ୍ଟି ଉତ୍ତୋଳନ କରି କହିଲା–“ଇନ୍‌କିଲାବ୍‌ ଜିନ୍ଦାବାଦ୍‌... ।”

ପ୍ରାୟ ସମସ୍ଵରରେ ତର୍କଚୂଡ଼ାମଣିଙ୍କ ତୁଣ୍ଡରୁ ସ୍ଫୁରିତ ହେଲା–ବିପ୍ଳବ ଦୀର୍ଘଜୀବୀ ହେଉ...

ରତନା କହିଲା–‘‘ଲାଲ୍‌ ସଲାମ୍‌ ।’’

 

ସାତ

 

ଋଷ୍‌ ଓ ଚୀନ୍‌ବିପ୍ଲବ ଉପରେ ଲିଖିତ ଦୁଇଟି ଗ୍ରନ୍ଥ ଇତି ମଧ୍ୟରେ ପଢ଼ିସାରିଛି ଶ୍ରୀୟା । ଭାରତର ସ୍ଵାଧୀନତା ସଂଗ୍ରାମ, ଶିଳ୍ପ ବିପ୍ଳବ ଓ ଭିଏତନାମ ଯୁଦ୍ଧର କାହାଣୀ ଆଗରୁ ପଢ଼ିଥିଲା । ଯେତିକି ପଢ଼ୁଛି ସେତିକି ତା’ ଜ୍ଞାନର ଦିଗନ୍ତ ପ୍ରସାରିତ ହେଉଛି । ଆଉ ଗୋଟିଏ ଲାଭ ବି ହୋଇଛି–ଏସବୁ ଗ୍ରନ୍ଥ ଅଧୟନ କରିବା ପରେ ତା’ର ଲକ୍ଷ୍ୟ ବଦଳିଯାଇଛି, ସେ ଆଉ ସିଭିଲ ସର୍ଭିସରେ ଭର୍ତ୍ତି ହେବା ପାଇଁ ଅଧ୍ୟବସାୟ ନ କରି ସମାଜସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ନିଷ୍ପତ୍ତି କରିଛି । ଚାକିରି ସେହିମାନଙ୍କ ପାଇଁ ଜୀବନ ଧାରଣର ଶ୍ରେଷ୍ଠ ଉପାୟ ଯେଉଁମାନଙ୍କର କୌଣସି ଉଚ୍ଚତର ଆଦର୍ଶ ନାହିଁ ବା ନିଜ ସ୍ଵାର୍ଥ ଛାଡ଼ି ସେମାନେ ଅନ୍ୟମାନଙ୍କ କଥା ଭାବନ୍ତି ନାହିଁ । ବ୍ୟତିକ୍ରମ ଯେ ନାହିଁ ତାହା ନୁହେଁ, ସବୁଠାରେ ସେପରି ଲୋକ ଅଛନ୍ତି । କିନ୍ତୁ ଚାକିରି କରି ଯେ ସମାଜର ବୃହତ୍ତର କଲ୍ୟାଣ କରିବା ପାଇଁ ସମର୍ପିତ ଉଦ୍ୟମ କରି ହୁଏ ନାହିଁ ଏହା ସେ ଅତି ନିକଟରୁ ଦେଖିପାରିଛି ।

 

ମା’ଙ୍କୁ ଯେତେବେଳେ ସେ ନିଜର ମନକଥା କହିଲା ସେ କହିଲେ–‘‘ତୋ ଆଚରଣରୁ ମୁଁ ଜାଣୁଥିଲି ଯେ ତୋ ଭିତରେ କିଛି ଗୋଟେ ପରିବର୍ତ୍ତନ ହେଉଛି । କିନ୍ତୁ ଏତେବଡ଼ ପରିବର୍ତ୍ତନ ପାଇଁ ତୁ ଯେ ପ୍ରସ୍ତୁତ ହେଉଛୁ ଏହା ମୁଁ ଭାବି ନ ଥିଲି । ମୁଁ ତ ବିଶ୍ଵାସ କରିପାରୁନାହିଁ...ସିଭିଲ ସର୍ଭିସ୍‌ ଛାଡ଼ି ତୁ ସମାଜ ସେବା ଆଡ଼କୁ ଢଳୁଛୁ କୋଉ ଦୁଃଖରେ ?’’

 

–‘ନା, ଦୁଃଖ ନୁହେଁ, ମନ ସୁଖରେ ମୁଁ ଭାବୁଛି... ଚାକିରିଟା ଯେ ଜୀବନର ପରମ ଲକ୍ଷ୍ୟ ନୁହେଁ କାହିଁକି କେଜାଣି ଏଇ ଭାବନା ମୋତେ ବାଧ୍ୟ କରୁଛି ମାର୍ଗ ପରିବର୍ତ୍ତନ କରିବା ପାଇଁ ।’’

 

–‘‘ବାପାଙ୍କୁ କହିଛୁ ତୋ କଥା ? ଶୁଣିଲେ ସେ ମନରେ ଆଘାତ ପାଇବେ ନିଶ୍ଚୟ । ବରଂ ଏ ପ୍ରସଙ୍ଗ ବର୍ତ୍ତମାନ ତାଙ୍କୁ ନ କହିବା ଭଲ । ତୋ ପଢ଼ାପଢ଼ି ଆଗ ଶେଷ ହେଉ । ତା’ପରେ ଆଲୋଚନା କରିବା...।’’

 

ଶ୍ରୀୟା କ’ଣ ଭାବୁଥିଲା କେଜାଣି ସେ କିନ୍ତୁ ତା’ ସମ୍ପର୍କରେ ଅନେକ କଥା ଭାବୁଥିଲେ । ଏଇ କେତେଦିନ ଧରି ସେ ବାରମ୍ବାର ଅରବିନ୍ଦ ପାଖକୁ ଫୋନ୍‍ କରିବା ଏବଂ ତା ସହିତ ଖଣ୍ଡଗିରି ଓ ପଟିଆ ଅଞ୍ଚଳକୁ ଯିବା ସେ ପସନ୍ଦ କରି ନ ଥିଲେ ମଧ୍ୟ ଝିଅକୁ ମନା କରପାରି ନ ଥିଲେ । ଆଜିକାଲିକା ଝିଅ ପୁଅମାନେ ସ୍ଵାଧୀନଭାବେ ବିଚରଣ କରବା ପାଇଁ ପସନ୍ଦ କରନ୍ତି । ବାପା, ମା’ ବା ଆଉ କେହି ସେମାନଙ୍କ କଥାରେ ହସ୍ତକ୍ଷେପ କରନ୍ତୁ ଏହା ସେମାନେ ସହ୍ୟ କରିପାରନ୍ତି ନାହିଁ । ଶ୍ରୀୟା ତାଙ୍କର ଅବାଧ୍ୟ ନୁହେଁ, ତଥାପି ଭୟ ଲାଗେ କାଳେ ସେ ଅବୁଝା ବନ୍ୟାଜଳ ପରି ବାଟଭାଙ୍ଗି ଏଣେତେଣେ ଚାଲିଯିବ ଏଇ କାରଣରୁ ।

 

ସେବକ କ୍ଲିନିକ୍‌ରୁ ଫେରିବା ପରେ ସରୋଜ ବାବୁ ଚିନ୍ତିତ ଜଣାପଡ଼ୁଥିଲେ । କରୁଣା ତାଙ୍କୁ ଚା’ ଦବାବେଳେ କହିଲେ–‘‘ଦେହ ଭଲ ଲାଗୁ ନାହିଁକି ? ଏମିତି ମୁହଁଟା ଭାରି ଭାରି ଦିଶୁଛି-।’’

 

ସରୋଜ ବାବୁ କଛି କହିଲେ ନାହିଁ । ଚା’ ଥଣ୍ଡା ହେଉଥିବାର ଦେଖି କରୁଣା କହିଲେ–‘‘କିଛି କହୁନା ଯେ.. କ’ଣ ଭାବୁଛ ?’’

 

ଚା’ କପରୁ ଢୋକେ ପିଇ କହିଲେ ଡାକ୍ତର–‘‘ଏ ଚିଠିଟା ପଢ଼... କିନ୍ତୁ ଚୁପ୍‌ଚାପ୍‌ ରହିବ... ଏଇଟା ସିକ୍ରେଟ୍‌... ।’’

 

ଚିଠିଟା ପଢ଼ିବାକୁ ଲାଗିଲେ କରୁଣା ।

ମର୍ତ୍ତ୍ୟଲୋକ ।

ଡାକ୍ତର ସରୋଜ ଚୌଧୁରୀ,

 

ଆପଣ ଜଣେ ଦକ୍ଷ ଡାକ୍ତରଭାବେ ଖ୍ୟାତି ଅର୍ଜିଛନ୍ତି । କିନ୍ତୁ ତାହାସତ୍ତ୍ୱେ ଗରିବ, ଦୁଃଖୀଙ୍କ ପ୍ରତି ଆପଣଙ୍କର ହୃଦୟରେ ଦୟା ନାହିଁ କି ମାୟା ନାହିଁ । ଆପଣ ଭୁଲି ନ ଥିବେ ଶନିବାରଦିନ ସଂଧ୍ୟାର ଘଟଣା । ଆମ ଦଳର ଜଣେ ଲଢ଼ୁଆ ସୈନିକ ଆହତ ଅବସ୍ଥାରେ ଆପଣଙ୍କ କ୍ଲିନିକ୍‌କୁ ଯାଇଥିଲେ.... ତାଙ୍କ ତାହାଣ କାନ୍ଧ ତଳ ଜଖମ ହୋଇଥିଲା ଗୁଳିବାଜି । ପୁଲିସ୍‍କୁ ନ ଜଣାଇ ଆପଣ ତା’ର ଚିକିତ୍ସା କରିବେ ନାହିଁ ବୋଲି ଜିଦ୍‌ ଧରିବାରୁ ସେ ଫେରି ଆସିଲା । ପୁଲିସ୍‍ର ଗୁଳିରେ ଆହତ ସେଇ ଯୁବକର ଯଦି ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା ହୋଇଥାନ୍ତା ତେବେ ସେ ବଞ୍ଚି ଯାଇଥାନ୍ତା । ଆପଣଙ୍କ ବେପରୁଆ, ନିର୍ଦ୍ଦୟ ବ୍ୟବହାର ଯୋଗୁଁ ସେ ଫେରି ଆସିଥିଲା । ରବିବାର ରାତିରେ ତା’ର ମୃତ୍ୟୁ ହେଲା । ପୁଲିସ୍‍ ଡାହାଳ କୁକୁର ପରି ତା’ର ପିଚ୍ଛା କରୁଥିବାରୁ ଗୁଳି ବାହାର କରିବା ସମ୍ଭବ ହେଲାନାହିଁ । ଆପଣ କେଡ଼େ ବଡ଼ ପାପ କଲେ ବୁଝିପାରୁଛନ୍ତି ?

 

ଆପଣ ଲୋକଙ୍କର ଜୀବନରକ୍ଷା କରୁଥବାରୁ ଆପଣଙ୍କୁ ସ୍ଵର୍ଗଲୋକକୁ ନ ପଠାଇ ଏଇ ପତ୍ରଦ୍ୱାରା ସତର୍କ କରି ଦବା କର୍ତ୍ତବ୍ୟ ମନେକଲି । ଯଦି ଆପଣ ନିଜକୁ ସଂଶୋଧନ ନ କରନ୍ତି ତେବେ ଅବଶ୍ୟ ଆପଣଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ।

 

ଶଶାଙ୍କ

 

ଚିଠି ପଢ଼ା ଶେଷ କଲାବେଳକୁ ତାଙ୍କ ହାତ ଥରୁଥିଲା । ସେ ମୂକ ପାଲଟି ଯାଇଥିଲେ । ଡାକ୍ତର ତାଙ୍କୁ ହଲାଇ ଦେଇ କହିଲେ–‘‘ଏତେ ଭାଙ୍ଗି ପଡ଼ୁଛ କାହିଁକି ?’’

 

–‘‘ତୁମେ ଜାଣନି ସେମାନେ କେଡ଼େ ଭୟଙ୍କର... ବାପା କହୁଥିଲେ ଯେ ଥରେ ଏଇ ‘ମୁକ୍ତି ଯୁଦ୍ଧ’ର ଜଣେ ଲଢ଼ୁଆ ସୈନିକକୁ କାବୁ କରି ସେ ଜେଲ ପଠାଇ ଦେଇଥିଲେ ବୋଲି ସେମାନେ ତାଙ୍କୁ କ୍ଷମା କରି ନ ଥିଲେ ଏବଂ ଭଗବାନଙ୍କ ଦୟାରୁ ସେମାନଙ୍କ ଗୁଳି ମୁହଁରୁ ଦୁଇଥର ବାପା ବର୍ତ୍ତିଯିବା ପରେ ସ୍ଵେଚ୍ଛାରେ ଚାକିରିରୁ ଅବସର ନେଇ ଗୁଣୁପୁରରୁ ଚାଲି ଆସିଥିଲେ ପାରାଦ୍ଵୀପ ।

 

–‘‘ସେମାନେ ନିର୍ଦ୍ଦୋଷକୁ କେବେ ଦଣ୍ଡ ଦିଅନ୍ତି ନାହିଁ । କିନ୍ତୁ ସାଧାରଣ ମଣିଷର ଶତ୍ରୁକୁ ବି ସେମାନେ କ୍ଷମା କରନ୍ତି ନାହିଁ... ? କହିଲେ ଡାକ୍ତର ।

 

–‘‘କିନ୍ତୁ ତମେ ସେଇ ଲୋକଟାର ଚିକିତ୍ସା କଲ ନାହିଁ କାହିଁକି ? ଆହତ ଓ ପୀଡ଼ିତର ଚିକିତ୍ସା କରିବା ପାଇଁ ହିପୋକ୍ରିଟାସ୍‌ଙ୍କ ଉପଦେଶ ଭୁଲିଗଲ କିପରି ?’’

 

ସରୋଜ ଚୁପ୍‌ ହୋଇଗଲେ । ସାମାନ୍ୟ ଭୁଲ ପାଇଁ ଏବେ ତାଙ୍କୁ ମନସ୍ତାପ କରିବାକୁ ପଡ଼ୁଛି । ଆଇନ ଅନୁସାରେ ଏପରି ଘଟଣା ପୁଲିସ୍‍କୁ ଜଣାଇବା ଉଚିତ । କିନ୍ତୁ ଆଇନରେ ତ ଏପରି ଅନେକ କଥା ଅଛି ଯାହା ମାନି ଚଳିବା ସମ୍ଭବ ନୁହେଁ । ପୁଲିସ୍‍ ଝାମେଲାରେ ନ ପଶିବା ପାଇଁ ସେ ଯାହା କରିଥିଲେ ସେତକ ଆଉ କେହି ବି କରିଥାନ୍ତା । କିନ୍ତୁ ଚିକିତ୍ସା ଅଭାବରୁ ପ୍ରଚୁର ରକ୍ତସ୍ରାବ ଯୋଗୁ ଆହତ ଲୋକଟିର ମୃତ୍ୟୁ ହେଲା । ସେ ତା’ର ଚିକିତ୍ସା କରିଥଲେ ହୁଏତ ସେ ବର୍ତ୍ତି ଯାଇଥାନ୍ତା ।

 

ସରୋଜ କହିଲେ “ଏ ବିଷୟ କାହାକୁ ଘୁଣାକ୍ଷରେ ବି କହିବ ନାହିଁ । ଏ ଚିଠିଟା ମୁଁ ରଖି ଦେଉଛି ସେଫ୍‌ ଭିତରେ । ଯଦି ମୋର ସେପରି କିଛି ହୁଏ ତେବେ ପୁଲିସ୍‍କୁ ଦବ । ନଚେତ୍‌ ଅଚଳ ମୁଦ୍ରାପରି ପଡ଼ିଥାଉ ସେଫ୍‌ ଭିତରେ ।’’ ସମୟ ବଦଳୁଛି । ଆଦର୍ଶ, ଅଭ୍ୟାସ, ଆଚାର ବିଚାର ସବୁ ବଦଳି ଯାଉଛି । କିନ୍ତୁ ବଦଳି ପାରୁନାହାନ୍ତି ଚୌଧୁରୀ । ଅନ୍ୟମାନଙ୍କ ନିରାପତ୍ତା ସୁନିଶ୍ଚିତ କରିବାକୁ ଯାଇ ବେଳେ ବେଳେ ନିଜର ନିରାପତ୍ତା ଯେ ବିସର୍ଜନ ଦବାକୁ ହୁଏ ଏହା ସେ ଭୁଲି ଯାଇଥିଲେ । ଡାକ୍ତରଭାବେ ଖ୍ୟାତି ଅଛି ତାଙ୍କର । ଅଜସ୍ର ଅର୍ଥ ଉପାର୍ଜନ ବି କରନ୍ତି । କିନ୍ତୁ ଏତେ ଅର୍ଥ କ’ଣ ପ୍ରକୃତରେ ଦରକାର ବଞ୍ଚିବା ପାଇଁ ! ଅନେକ ଲୋକ ଭୋକ ଓପାସରେ ଫୁଟ୍‌ପାଥ ଉପରେ ରାତି କଟାଉଥିବାବେଳେ ପ୍ରତିଦିନ ସୁପ୍‌ ନ ହେଲେ ତାଙ୍କର ଚଳେନା କାହିଁକି ? ଅନେକ ଅସୁରକ୍ଷିତ ଜୀବନ ଯାପନ କରୁଥିବାବେଳେ ସେ ନିଜର ସୁରକ୍ଷା ପାଇଁ ପ୍ରାଇଭେଟ୍‌ ସିକ୍ୟୁରିଟି ଗାର୍ଡ଼, ଚାରିଟା ଆଲ୍‌ସେସିଆନ୍‌ ରଖିବାର ଅର୍ଥ କ’ଣ ? ତଥାପି ଷ୍ଟାଟସ୍‌ ଜଗି ଚଳିବା ସମ୍ଭ୍ରାନ୍ତପଣର ଏକ ଅଂଶ ।

 

ସ୍ତ୍ରୀଙ୍କ ହାତରୁ ଚିଠିଟା ନେଇ ସେଫ୍‍ ଭିତରେ ରଖିଦେଲେ ଡାକ୍ତର । ବୟସ ଅଡ଼ଚାଳିସ-। ତଥାପି ପ୍ରତିଦିନ ଘଣ୍ଟାଏ ଜଗିଂ କରୁଥିବା ଡାକ୍ତରଙ୍କୁ ଦେଖିଲେ ତିରିଶ ବର୍ଷର ଯୁବକ ବୋଲି ଭ୍ରମ ହୁଏ ମନରେ । କରୁଣା ପାରନ୍ତିନି ସ୍ଵାମୀଙ୍କ ସହିତ ତାଳ ଦେଇ । ବାହାର ଜୀବନକୁ ଡାକ୍ତର ପସନ୍ଦ କରନ୍ତି ନାହିଁ । ତେଣୁ ବାଧ୍ୟବାଧକତା ନ ଥିଲେ ସେ କ୍ଲବ, ହୋଟେଲ, କକ୍‌ଟେଲ୍‌କୁ ଯାଆନ୍ତି ନାହିଁ । ସ୍ଵାମୀଙ୍କ ସହିତ ଏଇ କାରଣରୁ ତର୍କ ହୁଏ ତାଙ୍କର ।

 

ଶ୍ରୀୟା ସେମାନଙ୍କର ଏକମାତ୍ର କନ୍ୟା ।

 

ବାପା ଚାହିଁଥିଲେ ସେ ବି ଡାକ୍ତର ହେଉ, କିନ୍ତୁ ମା’ଙ୍କ ଇଚ୍ଛାରୁ ସେ ସୋସିଆଲ୍‌ ସାଇନ୍ସ ପଢ଼ିବା ପାଇଁ ଦିଲ୍ଲୀ ଯାଇଥିଲା, ଭବିଷ୍ୟତରେ ସିଭିଲ ସର୍ଭିସ୍‌ରେ ଯୋଗଦବା ଉଦ୍ଦେଶ୍ୟ ନେଇ । କିନ୍ତୁ ସେଇ ଝିଅଠାରୁ ଏବେ ମନ ପରିବର୍ତ୍ତନ କରିବାର ଆଭାସ ପାଇ ଅବସନ୍ନ ଅନୁଭବ କରୁଥିଲେ କରୁଣା । ତା’ ଉପରେ ସ୍ଵାମୀଙ୍କ କଥା ଶୁଣିବା ପରେ ସେ ଆହୁରି ଅସହାୟ ମନେକଲେ-। ଚାରିଦିଗରେ ଏତେ ସୁରକ୍ଷା ଥିବା ସତ୍ତ୍ୱେ କରୁଣା ଯେପରି ସବୁଠାରୁ ବେଶୀ ଅସୁରକ୍ଷିତ, ଅସହାୟ ଜୀବନ ଯାପନ କରୁଛନ୍ତି, ଏଇ ଭାବନା ତାଙ୍କୁ ଘାରୁଥିଲା ସଦାବେଳେ ।

 

କଲିଂବେଲ୍‌ ବାଜିଲା । କାନ୍ଥର ଘଡ଼ିକୁ ଚାହିଁଲେ କରୁଣା । ରାତି ନଅଟା । ଏଇ ଅବେଳରେ କିଏ ଆସିଲା ପୁଣି ! ସରୋଜବାବୁ ଡିନର ଟେବୁଲକୁ ଆସନ୍ତି ଠିକ୍‌ ସାଢ଼େ ନଅରେ । ଯଦି କୌଣସି ଜରୁରୀ କାମଥାଏ ବା କୌଣସି ରୋଗୀକୁ ଦେଖିବା ପାଇଁ ଆବଶ୍ୟକତା ଥାଏ ତେବେ କଥା ଅଲଗା । ସ୍ୱାମୀଙ୍କର କ୍ଲାନ୍ତ ମୁହଁ ମନେପଡ଼ିଲା, ଭାବୁଥିଲେ କହିଦେବେ ଘରେ ନାହାନ୍ତି ବୋଲି । କିନ୍ତୁ ସେ କିଛି କହିବା ଆଗରୁ କବାଟ ଖୋଲି ଦ୍ଵାର ମୁହଁରେ ଠିଆ ହେଲେ ସରୋଜ ।

 

ତାଙ୍କୁ ନମସ୍କାର କରି ଲୋକଟି କହିଲା– ‘‘ମୁଁ ନୂଆପଲ୍ଲୀରୁ ଆସିଛି । ମୋ ପୁଅ । ଶକ୍ତ ବେମାର । ଆପଣ ଯଦି ଟିକେ ଦେଖି ଆସନ୍ତେ.. ।’’

 

ଦାବି ନୁହେଁ ଅନୁନୟ ଥଲା ବୃଦ୍ଧଙ୍କ କଣ୍ଠରେ । ଆଉ ଡେରି ନ କରି ଗାଡ଼ି ଧରି ବାହାରି ପଡ଼ିଲେ ଡାକ୍ତର ।

 

ରୋଗୀ ଦେଖି ସେ ଘରକୁ ଫେରିବାବେଳକୁ ରାତି ସାଢ଼େ ଦଶଟା । କନ୍ତୁ ସେ ପର୍ଯ୍ୟନ୍ତ ଖାଇ ନ ଥାନ୍ତି କରୁଣା, ଖାଇ ନ ଥାଏ ଶ୍ରୀୟା । ସମସ୍ତେ ସାଙ୍ଗ ହୋଇ ଡିନର କରନ୍ତି । ଲଞ୍ଚବେଳେ ଘରେ ନ ଥାନ୍ତି ସରୋଜ । ସେ ସାତଟାବେଳେ ଜଳଖିଆ ଖାଇ ବାହାରି ଯାଆନ୍ତି ଯେ ଫେରିବାବେଳକୁ କୋଉଦିନ ସାତଟା ତ କୋଉଦିନ ଆଠଟା ବା ତା’ଠାରୁ ବେଶୀ । କ୍ଲିନିକ୍‌ରେ ଲଞ୍ଚ୍‌ ଓ କଫି ପାନ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଅଛି ।

 

ଗାଡ଼ି ରଖି ହାତ ଧୋଇ ସିଧା ଡାଇନିଂ ଟେବୁଲକୁ ଆସି କହିଲେ ସରୋଜ ‘‘ଭଲ ହେଲା ଦେଖି ଆସିଲି । ଏଇ ରାତିରେ ତାକୁ ନର୍ସିଂ ହୋମକୁ ସିଫ୍ଟ୍ କରିବା ପାଇଁ କହି ଆସିଛି । କ’ଣ କରିବାକୁ ହେବ ଡାକ୍ତର ନାୟକଙ୍କୁ କହିଦେଇଛି । ଆଉ ଭୟ ନାହିଁ । ’’

 

ଗୁଳିବିଦ୍ଧ ଯୁବକର ଚିକିତ୍ସା କରି ନ ଥିଲେ ବୋଲି ମନରେ ଯେଉଁ ଗ୍ଳାନି ଥିଲା ନୂଆପଲ୍ଲୀର ହରେଶ ଦାସକୁ ଦେଖିସାରିବା ପରେ ଅନେକାଂଶରେ କଟି ଯାଇଥଲା ।

 

ସ୍ଵାମୀଙ୍କୁ ଅସ୍ଵାଭାବିକଭାବେ ପ୍ରସନ୍ନ ଥିବା ଦେଖି ସାହସ ହେଲା କରୁଣାଙ୍କର ଘରକଥା କିଛି କହିବା ପାଇଁ ।

 

ଡିନର ବଢ଼ା ହୋଇଥିଲା ଟେବୁଲ ଉପରେ । ସୁପ୍‌ଟା ବେଶ୍‌ ଭଲ ହୋଇଛି ବୋଲି ତାରିଫ୍‍ କଲେ ଡାକ୍ତର ।

 

ଏଇ ସୁଯୋଗରେ କହିଲେ କରୁଣା–‘‘ତମେ ତ ଏତେ ବ୍ୟସ୍ତ ଯେ ମୁଁ ପରିବାରର କୌଣସି ବିଷୟ ତମ ସହିତ ଆଲୋଚନା କରିବା ପାଇଁ ସମୟ ପାଏନି । କିନ୍ତୁ ତୁମକୁ ଶୁଣିବାକୁ ହେବ... ।’’

 

ଡାକ୍ତର କବାବରୁ ଖଣ୍ଡେ ପାଟିରେ ପୂରାଇ କହିଲେ–“ଗୋ ଏହେଡ଼୍‌...ଆଉ ଡେରି କରୁଛ କାହିଁକି ?’’

 

–‘‘ଶ୍ରୀୟାର ପଢ଼ା ଶେଷ ହୋଇଯାଇଛି । ଯେ କୌଣସି ଦିନ ରେଜଲ୍ଟ ବାହାରିବ । କିନ୍ତୁ ତା’ପରେ ସେ କ’ଣ କରିବ ଭାବିଛ ?’’

 

–‘‘ତମର କ’ଣ ଇଛା ?’’ ପଚାରିଲେ ସରୋଜ ।

 

–‘‘ମୁଁ ଚାହୁଁଥିଲି ସେ ସିଭିଲ ସର୍ଭିସ ପରୀକ୍ଷା ଦେଉ । କିନ୍ତୁ ଇତି ମଧରେ ସେ ମନ ପରିବର୍ତ୍ତନ କରିଥିବା ପରି ଲାଗୁଛି.... ।’’

 

ସଳଖି ବସିଲେ ଡାକ୍ତର । କବାବରୁ ବାକି ଅଂଶ ପାଟିରେ ପୂରାଇ କହିଲେ ‘‘କ’ଣ କରିବାକୁ ଚାହୁଁଛି ?’’

 

–‘‘ଦେଶ ସେବା... ଜନସେବା...’’

 

–‘‘ଗୁଡ଼୍‌ ଆଇଡ଼ିଆ... ଗୋଟେ ଏନ.ଜି.ଓରେ ଯୋଗ ଦେଇପାରେ ବା ନିଜେ ନୂଆକରି ଗୋଟେ ଏନ୍‌.ଜି.ଓ. ଷ୍ଟାର୍ଟ କରିପାରେ । ତେବେ ପ୍ରଥମେ ପ୍ରଥମେ ଅନେକ ଖଟିବାକୁ ହେବ... ।’’

 

–ତାପରେ ଝିଅ ମୁହଁକୁ ଚାହିଁ କହିଲେ–‘‘ପାରିବୁ ଶ୍ରୀ ?’’

 

ଶ୍ରୀୟା ମୁଣ୍ଡ ହଲାଇଲା ।

 

କରୁଣା ଭାବିଥିଲେ ଅନ୍ୟରକମ । ହୁଏତ ଝିଅର ପ୍ଲାନ୍‌ ଶୁଣି ସେ ବିଗିଡ଼ିଯିବେ ବା ମନା କରିଦେବେ । ତାଙ୍କ କଥାମାନି ସେ ଡାକ୍ତରୀ ପଢ଼ିଲାନି ବୋଲି ଅଭିମାନ ଅଛି ତାଙ୍କର । କିନ୍ତୁ ସ୍ୱାମୀଙ୍କ ମୁହଁରୁ ଏପରି କଥା ଶୁଣି ସେ ଜାଣିଲେ ଯେ ଶ୍ରୀୟାକୁ ସେ ମାଫ୍‌ କରିଦେଇଛନ୍ତି । କଥା ପ୍ରସଙ୍ଗରେ କାଲି ତ ସେ କହୁଥିଲେ ଯେ କୌଣସି ବିଷୟରେ ପିଲାମାନଙ୍କୁ ବାଧ୍ୟ କରିବନାହିଁ, ବୁଝାବୁଝି ପରେ ଯଦି ସେମାନେ ଅବୁଝା ହୁଅନ୍ତି, ତେବେ ସେମାନଙ୍କ ଇଛାକୁ ସମ୍ମାନ ଦବ । ସେତେବେଳେ କିନ୍ତୁ କରୁଣା ଅନୁମାନ କରି ନ ଥିଲେ ଯେ ନିଜ ଝିଅ ସମ୍ବନ୍ଧରେ ମଧ୍ୟ ସେ ଏପରି ଉଦାରଭାବ ପ୍ରଦର୍ଶନ କରିବେ ।

 

ସେଇ ରାତିରେ ବେଡ଼ ଲାଇଟ୍‌ ଲିଭାଇବା ପୂର୍ବରୁ କହିଲେ କରୁଣା–‘‘ଆଉ ଗୋଟେ କଥା ତମକୁ ଏ ଯାଏ କହିନି...’’

 

–‘‘କ’ଣ କହିଦିଅ ଏଇନେ...’’

–‘‘ଶ୍ରୀୟା ବିଷୟରେ କିଛି ଭାବିଛ ?’’

–‘‘ତା ବିଷୟରେ ମାନେ ତା ବାହାଘର ବିଷୟରେ ?’’

–‘‘ହଁ ହଁ...’’

–‘‘ସେଇଟା ତା’ ବ୍ୟକ୍ତିଗତ ଇଚ୍ଛା ବା ଅନିଚ୍ଛା ଉପରେ ଛାଡ଼ିଦିଅ ।’’

 

ଏପରି ଲୋକଙ୍କୁ ଆଉ କ’ଣ କହିବେ କରୁଣା । ଝିଅ ଉପରେ ସେ ଛାଡ଼ିଦେଲେ ଯୌବନର ଉନ୍ମାଦନାରେ ସେ ଯେ ଅରବିନ୍ଦକୁ ହିଁ ବାଛିବ ଏକଥା ତାଙ୍କୁ ସେ ସ୍ପଷ୍ଟ ଭାବରେ କହି ନ ଥିଲେ ମଧ୍ୟ ଦୁଇଜଣଙ୍କ ପରସ୍ପର ପ୍ରତି ଆକର୍ଷଣରୁ ବୁଝିଛନ୍ତି କରୁଣା । ତଥାପି ବାଧ୍ୟ ହୋଇ କହିଲେ ସେ–

 

‘‘ଗୋଟେ ପିଲାକୁ ସେ ପସନ୍ଦ କରୁଛି... ’’

–‘‘ହୁ ଇଜ୍‌ ହି... ସେ କିଏ ?’’

–‘‘କମ୍ପ୍ୟୁଟରରେ MCA କରିଥିବା ଜଣେ ବେକାର ଯୁବକ...’’

 

–‘‘କିନ୍ତୁ ଏମ.ସି.ଏ. କରିଥବା ପିଲାମାନଙ୍କୁତ ଚାକିରି ଖୋଜିବାକୁ ପଡ଼େନି । ଦେଖିବ ସେ ଶୀଘ୍ର ଅଫ୍‍ର ପାଇଯିବ... ।’’

 

ସ୍ୱାମୀଙ୍କ କଥା ଶୁଣି ନିରାଶ ହେଲେ କରୁଣା । ଆଲୁଅ ଲିଭାଇ ଦେଇ ବିଛଣା ଉପରେ ଦେହ ମେଲାଇ ଦେଲେ । ତାଙ୍କ ଉପରେ ହାତ ରଖି କହିଲେ ସରୋଜ–‘‘ମୋତେ ଲାଗୁଛି ତମେ ମୋଠାରୁ ଦୂରକୁ ଚାଲି ଯାଉଛ... କିନ୍ତୁ ଆମ ଦିନ କ’ଣ ସରି ଗଲାଣି... ?’’

 

ତାଙ୍କ ହାତଟାକୁ କୋଳ ଉପରେ ରଖି କହିଲେ କରୁଣା–‘‘ଚାଲ ବରକୂଳ ଯାଇ ଦୁଇଦିନ ବୁଲିଆସିବା ।’’

 

ତାଙ୍କୁ ନିଜ ଆଡ଼କୁ ଟାଣି ନେଇ କହିଲେ ସରୋଜ ‘‘An excellent idea. ଚମତ୍କାର ହେବ କରୁଣା...’’

 

କେତେ ରାତି ହେବ କେଜାଣି, ହଠାତ୍‌ ପ୍ରଚଣ୍ଡ ଶବ୍ଦରେ ନିଦ ଭାଙ୍ଗିଗଲା । ଏକ ସମୟରେ ବିଛଣାରୁ ସରୋଜ ଓ କରୁଣା ଉଠି ବସି ପରସ୍ପରର ମୁହଁକୁ ଚାହିଁଲେ ପଚାରିବା ଭଙ୍ଗୀରେ–କ’ଣ ହୋଇଛି ?

 

ଲାଇଟ୍ ଜାଳି ଦୁହେଁ ବାହାରକୁ ଆସିଲେ କ’ଣ ହେଲା ଜାଣିବା ପାଇଁ । ଅଳ୍ପ ସମୟ ପରେ ଘର ବାହାରେ ଗୋଟେ ଜିପ୍‌ଗାଡ଼ି ଓ ଦମକଳ ପହଞ୍ଚିବାର ଦେଖି ସରୋଜ ବାହାରି ଆସିଲେ ରାସ୍ତା ଉପରକୁ । ତାଙ୍କ ଘରୁ ତିନିଟା ଘର ଛାଡ଼ି ବହୁଦେଶୀୟ କମ୍ପାନୀର ଯେଉଁ ଅଫିସଟା ଅଛି ସେଇଠି ବିସ୍ଫୋରଣ ହୋଇଛି ବୋଲି ଖବର ପାଇ ପୁଲିସ୍‍ ଆସିଛି ।

 

–‘‘କେହି ଆହତ କି ନିହତ ହୋଇଛନ୍ତି ?’’ ସ୍ୱତଃ ତୁଣ୍ଡରୁ ବାହାରିଗଲା ଡାକ୍ତରଙ୍କର ।

 

ପୁଲିସ୍‍ ଇନିସପେକ୍ଟର କହିଲେ–‘‘ମୁଁ ଦେଖି ଆସେ । ଦରକାର ହେଲେ ସାହାଯ୍ୟ କରିବେ । କିନ୍ତୁ ଏଘଟଣାଟା ସାଧାରଣ ନୁହେଁ ଅତି ବେଶୀ ସିରିଅସ୍ । ତିନିମାସ ପୂର୍ବରୁ ସ୍ଵୟଂ ମୁଖ୍ୟମନ୍ତ୍ରୀ ଏଇ ଅଫିସ୍‍ ଉଦ୍‌ଘାଟନ କରିଥିଲେ । ସେମାନେ ବିଦେଶରୁ ଆସିଛନ୍ତି, ଓଡ଼ିଶାରେ ପୁଞ୍ଜି ବିନିଯୋଗ କରିବା ଦିଗରେ କିପରି ସୁବିଧା ଅଛି ତାହା ଦେଖିବା ପାଇଁ ।

 

ନିଆଁଲିଭାଳି ଦଳ ନିଆଁ ଲିଭାଇବାରେ ଲାଗିଲେ । ବିସ୍ଫୋରଣ ଯୋଗୁ ଅନେକ ଝରଜା କବାଟ ଭାଙ୍ଗି ଯାଇଥଲା । ଅଫିସ୍‌ର ଆସବାବ ଓ କାଗଜପତ୍ର ମଧ୍ୟ ନଷ୍ଟ ହୋଇଥିଲା ।

 

ରାତି ତମାମ୍‍ ଅନୁସନ୍ଧାନ ଚାଲିଲା । ପୁଲିସ୍‍ କୁକୁର ଅପରାଧୀକୁ ଠାବ କରିପାରିଲା ନାହିଁ । ବୋମା ବିସ୍ଫୋରଣ କରି ଦୁବୃର୍ତ୍ତମାନବ ସମସ୍ତଙ୍କ ଆଖିରେ ଧୂଳି ଦେଇ ଖସି ପଳାଇ ଥିଲେ-। କିନ୍ତୁ ଖବର କାଗଜର ସକାଳ ସଂସ୍କରଣରେ ବାହାରିଗଲା–‘ମଧ୍ୟରାତ୍ରିରେ ରାଜଧାନୀରେ ବୋମା ବିସ୍ଫୋରଣ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ସମାଜ ବରୋଧୀ ଅପରାଧୀମାନଙ୍କର ହିଂସାକାଣ୍ଡ ବୋଲି ପୁଲିସ୍‍ର ସନ୍ଦେହ ?’

 

ସକାଳ ଆଠଟା ସମୟରେ ସାଇରନ ବାଜି କମ୍ପି ଉଠିଲା ଉପଦ୍ରୁତ ଅଞ୍ଚଳ । ସ୍ଵୟଂ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରି ଅପରାଧୀକୁ ଖୋଜି ବାହାର କରିବା ସକାଶେ ନିର୍ଦ୍ଦେଶ ଦେଲେ । ବହୁଦେଶୀୟ କମ୍ପାନୀର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ସମାଜ ବିରୋଧୀମାନଙ୍କ ସହିତ ମିଶି କୌଣସି ଉଗ୍ରବାଦୀ ସଙ୍ଗଠନ ଜଘନ୍ୟ କାର୍ଯ୍ୟ କରିଥିବେ ବୋଲି ସରକାର ସନ୍ଦେହ କରୁଥିବାରୁ ପୁଲିସ୍‍ ଅନୁସନ୍ଧାନ ଉପରେ ଗୁରୁତ୍ଵ ଦେଉଛି । ସମ୍ବାଦପତ୍ର ରିପୋର୍ଟର ଅନୁସନ୍ଧାନ କରି ଜାଣିପାରିଛନ୍ତି ଯେ କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ପ୍ରଚୁର ବକ୍ସାଇଟ୍‌ ଖଣିଜ ସମ୍ପଦ ଥିବାରୁ ସେଠାରେ ଆଲୁମିନା କାରଖାନା ସ୍ଥାପନ କରିବା ସକାଶେ ବହୁଦେଶୀୟ କମ୍ପାନୀ ଆଗ୍ରହୀ-। ବିଶ୍ଵବ୍ୟାଙ୍କର ଚାପ ପଡ଼ୁଛି ଏଥିପାଇଁ । କୋରାପୁଟ ଓ ରାୟଗଡ଼ା ଅଞ୍ଚଳର ଆଦିବାସୀମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ କରିବା ଉଦ୍ଦେଶ୍ୟ ନେଇ ବହୁଦେଶୀୟ କମ୍ପାନୀ କାର୍ଯ୍ୟ ଆରମ୍ଭ କରିଥିବା କୁହାଯାଉଥିଲେ ମଧ୍ୟ ଖଣିଜ ସମ୍ପଦ ଅକ୍ତିଆର କରିବା ହେଉଛି ଅସଲ ଉଦ୍ଦେଶ୍ୟ । ଏହାଦ୍ୱାରା ଜଙ୍ଗଲ, ଜମି, ଜଳ ଉପରେ ଆଦିବାସୀମାନଙ୍କ ଅଧିକାର ଚାଲିଯିବ-। ସେମାନେ ବାସହରା ହୋଇଯିବେ ।

 

ଏଇ ବୋମା ବିସ୍ଫୋରଣ ପଛରେ ମୁକ୍ତିଯୁଦ୍ଧର ନେତା ଶ୍ରୀହରିର ହାତ ଥିବା ଗୁଇନ୍ଦା ବିଭାଗ ସନ୍ଦେହ କରୁଛି । ଇତି ମଧ୍ୟରେ ଉଭାନ ହୋଇଯାଇଥିବା ଶ୍ରୀହରି ପୁଣି ଓଡ଼ିଶା ଫେରି ଆସିଥିବା ଖବର ଗୁଇନ୍ଦା ବିଭାଗର ହସ୍ତଗତ ହୋଇଛି । ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି ଯେପରି ହେଉ ଶ୍ରୀହରିକୁ ଗିରଫ କରିବା ପାଇଁ । ଜାତୀୟ ନିରାପତ୍ତା ଓ ପୋଟା ଆଇନ ବଳରେ ତାକୁ ଗିରଫ କରିବା ପାଇଁ ପୁଲିସ୍‍ ରାଜ୍ୟସାରା ତଲାସି କାର୍ଯ୍ୟ ଆରମ୍ଭ କରିଦେଇଛି ।

 

ମଧ୍ୟାହ୍ନରେ ହଠାତ୍ ଘର ଆଗରେ ପୁଲିସ୍‍ ଗାଡ଼ି ପହଞ୍ଚିବା ଦେଖି କରୁଣା ଉଦ୍‌ବିଗ୍ନ ହେଲେ କାରଣ ଜାଣିବା ପାଇଁ । ପ୍ରକୃତରେ ପୁଲିସ୍‍ ଇନିସ୍‌ପେକ୍ଟର ଆସିଥିଲେ ଶ୍ରୀହରି ସହିତ ଯେଉଁମାନଙ୍କ ସମ୍ପର୍କ ହୋଇଛି ସେମାନକୁ ଠାବ କରିବା ପାଇଁ । ଇନିସ୍‍ପେକ୍ଟର ମୃତ୍ୟୁଞ୍ଜୟ ସାମଲ ଶ୍ରୀୟାକୁ ଖୋଜୁଥିଲେ । ତାହାରଠାରୁ ହୁଏତ ଅରବିନ୍ଦ ସମ୍ପର୍କରେ କିଛି ସୂଚନା ମିଳିପାରେ ଭାବି ସେ ଡାକ୍ତରଙ୍କ ଘରକୁ ଆସିଥିବା ପ୍ରକାଶ କରିବା ମାତ୍ରେ କରୁଣା ଆତଙ୍କରେ ଶିହରି ଉଠିଲେ ।

 

ଶ୍ରୀୟା କିନ୍ତୁ ସେଠାରେ ପହଞ୍ଚିଯାଇ ଇନିସ୍‍ପେକ୍ଟରଙ୍କୁ କହିଲା–‘‘ଯଦି ଅରବିନ୍ଦ ବାବୁଙ୍କ ସମ୍ବନ୍ଧରେ ଆପଣ ଜାଣିବାକୁ ଚାହାଁନ୍ତି କହନ୍ତୁ, ମୁଁ ଯାହା ଜାଣେ କହିବି । କିନ୍ତୁ ତା ଆଗରୁ ମୁଁ କହିରଖେ ଯେ ତାଙ୍କ ସହିତ ମୋର ପରିଚୟ ବେଶୀ ଦିନର ନୁହେଁ, କିନ୍ତୁ ଆମର ବନ୍ଧୁତ୍ୱ ବଢ଼ିବାରେ ଲାଗିଛି... ।’’

 

–‘‘ଅରବିନ୍ଦ ବାବୁ ଏଠାକୁ ଆସନ୍ତି ?’

–‘‘ହଁ, ଚାରିପାଞ୍ଚ ଥର ଆସିଥିଲେ...’’ କହିଲା ଶ୍ରୀୟା ।

–‘‘ଶୀହରିଙ୍କୁ ତୁମେ ଜାଣ ?’’

–‘‘ନା, ବରଂ ସେ କିଏ ମୁଁ ଜାଣିବାକୁ ଚାହେଁ...”

–‘‘ସେ ଜଣେ ବିପ୍ଲବୀ, ମୁକ୍ତିଯୁଦ୍ଧ ଗୋଷ୍ଠୀର ନେତା...’’

 

–‘‘ଯେଉଁମାନେ ବିପ୍ଲବୀ ସେମାନଙ୍କର କିଛି ନୂଆ ଚିନ୍ତା ଥାଏ, ସମାଜକୁ ବଦଳାଇବା ପାଇଁ କିଛି ଆଦର୍ଶ ଥାଏ । ବିପ୍ଲବୀ ହେବା କ’ଣ ଖରାପ ?’’

 

–‘‘ନା, ଖରାପ ନୁହେଁ, କିନ୍ତୁ ହିଂସା ଓ ଅସ୍ତ୍ର ବ୍ୟବହାର କରି ଗଣତାନ୍ତ୍ରିକ ଶାସନ ବିରୁଦ୍ଧରେ ଯଦି ବିଦ୍ରୋହ କରାଯାଏ, ପୁଲିସ୍‍ ଓ ଅଫିସରମାନଙ୍କୁ ହତ୍ୟା କରାଯାଏ ତେବେ ତାହା ଆଇନ ବିରୋଧୀ । ସେଇ କାମ ଯିଏ କରେ ତାକୁ ଗିରଫ କରି ଅଦାଲତରେ ପେଶ୍‌ କରିବା ପୁଲିସ୍‍ର କାର୍ଯ୍ୟ ।’’

 

–‘‘କିନ୍ତୁ ଶ୍ରୀହରିକୁ ଖୋଜୁ ଖୋଜୁ ଆପଣ ଅରବିନ୍ଦଙ୍କ ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି ଯେ...’’

 

–‘‘ଶ୍ରୀହରି ସହିତ ଅରବିନ୍ଦର ସଂଯୋଗ ଅଛି । ଶ୍ରୀହରି ଅରବିନ୍ଦର ବ୍ରେନ୍‌ ଓ୍ୱାସ୍‌ କରି ତାକୁ ଦଳଭୁକ୍ତ କରିବାକୁ ଚେଷ୍ଟା କରୁଛି... ।’’ କହିଲେ ଇନିସ୍‍ପେକ୍ଟର ମୃତ୍ୟୁଞ୍ଜୟ ସାମଲ ।

 

– ‘‘କିନ୍ତୁ ଆଉ କିଛି ସମାଜ ବିରୋଧୀ କାର୍ଯ୍ୟ ସହିତ ସେ ସମ୍ପୃକ୍ତ ନୁହଁନ୍ତି ତ... ଆଇନ ଭାଙ୍ଗିବାର ଅପରାଧ ସେ କରିନାହାନ୍ତି ତ ?’’

 

–‘‘ନା, ତଥାପି ତାଙ୍କୁ ଠାବ କରିବା, ତାଙ୍କଠାରୁ ଶ୍ରୀହରି ସମ୍ପର୍କରେ ତଥ୍ୟ ଆଦାୟ କରିବା ଆମର କାମ...। ମୋର ଗୋଟେ ଅନୁରୋଧ । ତମେ ବା ତମ ପରିବାର ସହିତ ଶ୍ରୀହରିର ପ୍ରତ୍ୟକ୍ଷ ବା ପରୋକ୍ଷ ସଂଯୋଗ ନ ରହେ ଯେପରି । ଡାକ୍ତରବାବୁଙ୍କ ଖ୍ୟାତି ଅଛି । ଉପକାରୀ ଲୋକ । ତାଙ୍କ ସୁନାମରେ ଆଞ୍ଚ ନ ଆସେ ଯେପରି ।’’ ଉଠିବା ପାଇଁ ଉପକ୍ରମ କଲେ ଇନିସ୍‌ପେକ୍ଟର ।

 

ଶ୍ରୀୟ କହିଲା–‘‘ଧନ୍ୟବାଦ ଆପଣଙ୍କ ସଜେସନ ପାଇଁ । କିନ୍ତୁ ସ୍ୱାଧୀନ ଦେଶର ଜଣେ ନାଗରିକ କ’ଣ କରିବ ବା ନ କରିବ ତା ଉପରେ ଛାଡ଼ିଦବା ଠିକ୍ ନୁହେଁକି ?’’

 

ଇନିସ୍‍ପେକ୍ଟର ମୃତ୍ୟୁଞ୍ଜୟ ସାମଲ ଫେରିଗଲେ । କିନ୍ତୁ ଭାବିବା ପାଇଁ ବହୁତ ଖୋରାକ ଛାଡ଼ିଗଲେ ଶ୍ରୀୟା ପାଇଁ ।

 

ଆଠ

 

ଭୁବନେଶ୍ଵର ଷ୍ଟେସନରେ ଓହ୍ଲାଇଲେ କାଳେ କାହାରି ନଜରରେ ପଡ଼ିଯାଇପାରେ ଏଇ ଆଶଙ୍କା କରି ଶ୍ରୀହରି ଓହ୍ଲାଇ ଯାଇଥଲା ଯାଜପୁର ରୋଡ଼ ଷ୍ଟେସନରେ । ଖଡ଼ଗପୁରରେ ପହଞ୍ଚିବାବେଳକୁ ସଂଧ୍ୟା ହୋଇ ଯାଇଥିଲା ଏବଂ ସେଠାରୁ ଗୋଟିଏ ଦ୍ୱିତୀୟ ଶ୍ରେଣୀ ଟିକଟ କାଟି ତାକୁ ସାଧାରଣ କମ୍ପାଟମେଣ୍ଟରେ ବସାଇଦେଇ ଫେରି ଯାଇଥିଲା ରତନା ।

 

ଶ୍ରୀହରି ବେଶ ବଦଳାଇ ନେଇଥିଲା ଖଡ଼ଗପୁର ଆସିବା ବାଟରେ ନୁଧାଶୂଳ ଛକ ପାଖରେ । ତାକୁ ଦେଖି କେହି ସନ୍ଦେହ କରିବାର ଯୁ ନ ଥିଲା । ଯେକେହି ଦେଖିଲେ କହିବ ସେ ଜଣେ ସାଧାରଣ ଶିଖ୍‌ ଯୁବକ । ସେଇ ବେଶରେ ପୁଲିସ୍‍ ଆଖିରେ ଧୂଳି ଦବା ସହଜ ଭାବି ଯାଜପୁର ରୋଡ଼ରୁ କେନ୍ଦୁଝର ଭୁବନେଶ୍ୱର ବସ୍‌ରେ ଭୁବନେଶ୍ୱର ଆସି ଜଣେ କମ୍ରେଡ଼୍‌ ଘରେ ସକାଳୁ ପହଞ୍ଚି ଯାଇଥିଲା ଶ୍ରୀହରି ।

 

ଖଣ୍ଡିଗିଗିର ତପୋବନ ଅଞ୍ଚଳରେ ଗତ କେତେବର୍ଷ ମଧ୍ୟରେ ଗଢ଼ି ଉଠିଛି ଅନେକ ଆଶ୍ରମ ଓ ବିଦ୍ୟାଳୟ । ପଛରେ ସବୁଜ ପାହାଡ଼ । ସହରଠାରୁ ଟିକେ ଦୂରରେ ଅବଶ୍ୟ । କିନ୍ତୁ ବିଦ୍ୟାଧ୍ୟୟନ କରିବା ପାଇଁ ହେଉ ବା ସାଧୁସଙ୍ଗ ଓ ଅଧ୍ୟାତ୍ମଚିନ୍ତନ ପାଇଁ ହେଉ ଏ ସ୍ଥାନର ମହିମା ଅତୁଳନୀୟ । ଆଶ୍ରମର ଅନତିଦୂରରେ ପୋତି ହୋଇ ରହିଛି ଅଢ଼େଇ ହଜାର ବର୍ଷ ତଳର ଇତିହାସ । ପଥର ଖଣ୍ଡେ ଆଡ଼େଇଦେଲେ ଦିଶି ଯାଏ ଶିଳାଲିପିଟିଏ । ପକ୍ଷୀର ତାଳ ଶୁଣି ଖଣ୍ଡଗିରି ପାହାଡ଼ ଆଡ଼ୁ ଭାସି ଆସେ ପ୍ରତିଧ୍ଵନି । ସାନ୍ଧ୍ର ନୀରବତାର ପ୍ରସନ୍ନତାରେ ଦେହମନ ତଲ୍ଲୀନ ହୋଇଯାଏ ଉଚ୍ଚତର ଚେତନାରେ ।

 

ବେଳେ ବେଳେ ଶ୍ରୀହରି ଭାବେ ସେ କୌଣସି ଆଶ୍ରମର ସାଧକ ହୋଇଥାନ୍ତାକି ! ଅନେଷ୍ଵଣ କରୁଥାନ୍ତା କି ! ଅନ୍ୱେଷଣ କରୁଥାଆନ୍ତା ସେଇ ନିୟତିକୁ ଯାହାର ନିର୍ଦ୍ଦେଶରେ ବିବର୍ତ୍ତନ ଧାରାରେ ଶିଳାଖଣ୍ଡ ଶାଳଗ୍ରାମ ପାଲଟିଯିବା ପରି ସେ ମଧ୍ୟ ପାଲଟି ଯାଇଥାନ୍ତା ନଦୀ ତୁଠରେ ଶିଳାଖଣ୍ଡଟିଏ ଏବଂ ସେଇ ଶିଳା ଉପରେ ପାଦ ରଖି ସାଧାରଣ ପଥଚାରୀ ମନେ ମନେ ପ୍ରାର୍ଥନା କରୁଥାଆନ୍ତେ ଦେବାବତରଣ ପାଇଁ ।

 

ଶ୍ରୀହରି ହାତରେ ଭାବିବା ପାଇଁ ସମୟ ନ ଥିଲା, ସମୟ ନ ଥିଲା ଆଶ୍ରମରେ ବସି ସାଧନା କରିବା ପାଇଁ ।

 

ସେ ସକାଳୁ ସକାଳୁ ଫୋନ୍‍ କଲା ଅରବିନ୍ଦକୁ । ଯଦି ଅନ୍ୟ କାହା ହାତରେ ଟେଲିଫୋନ୍‌ ପଡ଼ିଯାଏ ତେବେ ଅକୁହା ରହିଯିବ ସବୁ କଥା ।

 

କିନ୍ତୁ ଟେଲିଫୋନ୍ ଧରିଲା ଅରବିନ୍ଦ । ଶ୍ରୀହରିର କଣ୍ଠସ୍ୱର ଶୁଣିପାରି ସେ କହିଲା–‘‘ତୁମେ କେଉଁଠୁ କହୁଛ ଭାଇ, କିପରି ଅଛ,... ସବୁ ଭଲ ତ !’’

 

ତାକୁ ଆଉ ବଢ଼େଇବା ପାଇଁ ନ ଦେଇ କହିଲା ଶ୍ରୀହରି–‘‘ମୁଁ ଭଲରେ ପହଞ୍ଚିଛି ଏଇ ସହରରେ...ତୋ ସହିତ କଥା ଅଛି.... ଜରୁରୀ... ଆସି ପାରିବୁ ?’’

 

–‘‘କେଉଁଠି ଦେଖା ହେବ ?’’

 

–‘‘ନିୟତି’ ଆଶ୍ରମକୁ ଆ’ । ଖଣ୍ଡଗିରି ପାହାଡ଼ ତଳେ ଏଇ ଆଶ୍ରମ, ଅସୁବିଧା ହେବ ନାହିଁ । ସାଙ୍ଗ ଘରେ ତୋ ସହିତ ଦେଖାକରିବା ସୁବିଧା ହେବନି । ଆଶ୍ରମ ବରଂ ଭଲ... ।’’ ଅରବିନ୍ଦ ପହଞ୍ଚିଗଲା ନିର୍ଦ୍ଦିଷ୍ଟ ଜାଗାରେ ।

 

ଦୁହେଁ ଯାଇ ଗୋଟିଏ ଝଙ୍କାଳିଆ ବରଗଛ ମୂଳେ ବସିଲେ । ସେଇ ଗଛରେ ଆଶ୍ରୟ ନେଇଥିଲେ କେତେ ପକ୍ଷୀ । ବେଳେବେବେ ହୁଏତ କ୍ଳାନ୍ତ ପଥଚାରୀ ବି ବସିପଡ଼ୁଥି‌ବ ଗଛ ଛାଇରେ ଦଣ୍ଡେ ବିଶ୍ରାମ ନବା ପାଇଁ, ଝାଳ ପୋଛିବା ପାଇଁ । ଏବଂ ଦଣ୍ଡେ ଶୋଇପଡ଼ି ସ୍ଵପ୍ନ ଦେଖୁଥିବେ ଅନାଗତର । ପକ୍ଷୀମାନଙ୍କ ପରି ସେ ଘୂରି ବୁଲେ ଅନନ୍ତ ଆକାଶରେ । ସର୍ବାଙ୍ଗରେ ବୋଳି ହୁଏ ଆକାଶର ନୀଳିମା । ହଠାତ୍ କାହାର ବିକଟ ଚିତ୍କାର ଣୁଣି ନିଦ ଭାଙ୍ଗି ଯାଏ । ଉଠି ବସି ଚାରି ଆଡ଼କୁ ଅନାଏ । ଡହଡହ ଖରାପରି ଚତୁର୍ଦ୍ଦିଗରେ ମେଲି ହୋଇ ପଡ଼ିଥାଏ ନିରାଟ ନିଷ୍ଠୁ‌ର ବାସ୍ତବତା ।

 

ଶ୍ରୀହରି କହି ଯାଉଥିଲା ଏବଂ ଶୁଣୁଥିଲା ଅରବିନ୍ଦ ।

 

‘‘ଗୁଣୁପୁରରୁ ଚିଠି ଆସିଛି । ଘରେ ଦାନା ନାହିଁ ଖାଇବା ପାଇଁ । ସୁଆଁ ଖାଇ, ତେନ୍ତୁଳି ପତର ଚୋବାଇ କେତେଦିନ ଆଉ ଯୁଝିବେ ସେମାନେ ? ସେମାନଙ୍କ ଗାଁକୁ ରାସ୍ତା ନ ଥିଲା ବୋଲି ପାଞ୍ଚ ଲକ୍ଷ ଟଙ୍କା ଦେଇଥିଲା ସରକାର ଗୋଟିଏ ରାସ୍ତା ତିଆରି କରିବା ପାଇଁ । ପଇସା ଖର୍ଚ୍ଚ ହେଲା, ଅଥଚ ରାସ୍ତା ଆଉ ହେଲା ନାହିଁ । ଜନବସତିଠାରୁ ଦୂରରେ ରହିଗଲା ସେମାନଙ୍କ ଗାଁ-। ଆଉ ଅମଲାମାନଙ୍କର ଅନୁକମ୍ପାରୁ ଦୂରରେ ରହିଗଲେ ସେମାନେ । ସେମାନଙ୍କ ନାମରେ ଆସିଥିବା ଚାଉଳ ସାହୁକାର ନେଇ ଯାଇଛି । ସେମାନଙ୍କ ପାଇଁ ଆସିଥି‌ବା ଔଷଧ ପହଞ୍ଚିନାଇଁ ସେମାନଙ୍କ ପାଖରେ । ଚେମା ଶବର ମୁହଁ ଫିଟାଇ କ’ଣ ଆପତ୍ତି କରିଥିଲା ବୋଲି ତାକୁ ବାଡ଼େଇ ବାଡ଼େଇ ମାରିଦେଲେ ସାହୁକାରର ଲୋକମାନେ । ଏମିତି ବଞ୍ଚିବାଠାରୁ ମରିଯିବା ଭଲ।’’

 

ଶ୍ରୀହରି ପୁଣି କହିଲା–“ତୁ ତୋ ଚାକିରି ପାଇଁ ଅପେକ୍ଷା କରିଥା, ମୁଁ ତ ଆଉ ଅପେକ୍ଷା କରିପାରିବି ନାହିଁ । ଆଜି ରାତି ବାହାରି ଯିବି । ତୋତେ ଏଠାକୁ ଡାକିବାର କାରଣ ଏଇ ଯେ ତୋତେ ସେମାନଙ୍କ କଥା କହିଯିବି । ଯଦି ପାରୁ କିଛି କରିବୁ... । ସମୟ ହେଲେ ସେମାନଙ୍କ ବିଷୟରେ ଭାବିବୁ ।’’

 

ଶ୍ରୀହରି ଆଉ ବେଶୀ ସମୟ ନଷ୍ଟ କଲାନି । ପୁଲିସ୍‍ ଆଖିରେ ଧୂଳି ଦେଇ ବୁଲୁଚି ସେ । କାଳେ କିଏ ଅନୁସରଣ କରୁଥିବ କିଏ ଜାଣେ !

 

ଶ୍ରୀହରି ହାତ ଉପରେ ହାତ ରଖି କିନ୍ତୁ ଚମକି ପଡ଼ିଲା ଅରବିନ୍ଦ । ଦେହରେ ତାତି । ଖଇଫୁଟିଯିବ । ତଥାପି ଲୋକଟା କୌଣସି ଏକ ନିରାପଦ ଆଶ୍ରୟରେ ଶୋଇପଡ଼ିନି ଟିକେ । ତାକୁ ଘରକୁ ନେଇ ଯାଇ ତା’ ନିଜ ବିଛଣାରେ ଶୁଆଇ ଦବା ପାଇଁ ଇଚ୍ଛା ହେଲା । କିନ୍ତୁ ଶ୍ରୀହରି ଜାତକରେ ବିଶ୍ରାମ ଲେଖା ନାହିଁ । ଆରାମ ହାରାମ୍‌ ହୈ । ଜୀବନର ପ୍ରତିଟି ମୁହୂର୍ତ୍ତ ତାର କରୁଣ ହୋଇଉଠୁଥାଏ ପୋକମାଛି ପରି ଜୀବନ ସହିତ ଲଢ଼ି ଲଢ଼ି ଟଳି ପଡ଼ୁଥିବା ଗୁଣୁପୁର, କାଶୀପୁର, ଗଜପତି ଓ ମାଲାକାନଗିରିର କମ୍ପ୍ରେଡ଼୍‌ମାନଙ୍କ ପାଇଁ । ସେ ବି ହୁଏତ ଦିନେ ଧରାପଡ଼ିବ ପୁଲିସ୍‍ ହାତରେ....ସେମାନେ ଦିନେ ହୁଏତ ତାକୁ ଗୁଳି କରି ମାରିଦେବେ ପାଗଳ କୁକୁର ପରି...। ଲଢ଼ୁଲଢ଼ୁ ମରିଯିବା ବରଂ ଶ୍ରେୟ, କିନ୍ତୁ ଅନ୍ୟାୟ ସହିଯିବା ଭଲ ନୁହେଁ ।

 

ତାକୁ ଅଟକାର ରଖି ପାରିଲା ନାହିଁ ଅରବିନ୍ଦ । ସାହସ ହେଲା ନାହିଁ ଅଟକାଇ ରଖିବା ପାଇଁ ।

 

ଖଣ୍ଡଗିରି ଛକରେ ବସ୍‌ ଗୋଟେ ଠିଆ ହେବାକ୍ଷଣି ଉଠିଯାଇ ହାତ ହଲାରଲା ଶ୍ରୀହରି ।

 

କିନ୍ତୁ ହାତ ହଲାଇ ପାରିଲା ନାହିଁ ଅରବିନ୍ଦ । ଅନେକ ସମୟ ଚୁପ୍‌ହୋଇ ଛିଡ଼ହୋଇ ରହିଲା ସେଠାରେ ।

 

ତା’ପରେ ବାଟ ଭାଙ୍ଗି ଧୀରେ ଧୀରେ ଫେରି ଆସୁଥିଲା ଘରକୁ ।

 

ତାକୁ ବୋଧହୁଏ ଖୋଜିଖୋଜି ଆସୁଥିଲା ଶ୍ରୀୟା, ନ ହେଲେ ଅଧାବାଟରେ ତା ସହିତ ଦେଖା ହୁଅନ୍ତା କିପରି ? ଅରବିନ୍ଦର ପଥରୋଧ କରି କହିଲା ଶ୍ରୀୟା, ‘‘ତମେ ସକାଳୁ ସକାଳୁ କୁଆଡ଼େ ବାହାରି ଆସ ? ମାଉସୀ କହିଲେ ପାଗଳଟା କୁଆଡ଼େ ବୁଲୁଥିବ । ମୁଁ କିନ୍ତୁ ଜାଣେ ତମେ ନିରୁଦ୍ଦିଷ୍ଟଭାବେ ବୁଲ ନାହିଁ । ତମ ବୁଲିବାର ଉଦ୍ଦେଶ୍ୟ ପ୍ରାତଃଭ୍ରମଣ ନୁହେଁ, ଅନ୍ୟକିଛି... ।’’

 

ଅରବିନ୍ଦ କହିଲା–‘‘କାଲି ପୁଲିସ୍‍ ଇନିସ୍‌ପେକ୍ଟର ମୃତ୍ୟୁଞ୍ଜୟ ସାମଲ ତୁମ ଘରକୁ ଯାଇଥିଲେ । କ’ଣ ସୁଖବର ଦେଲେ ଜାଣିପାରେକି ?’’

 

ଶ୍ରୀୟା ଗୋଟିଏ ଗୋଟିଏ କରି ସବୁ କହିଲା ତାକୁ । ଏହା ବି କହିବାକୁ ଭୁଲିଗଲାନି ଯେ ଅରବିନ୍ଦ ସାବଧାନ ହେବା ଉଚିତ । ପୁଲିସ୍‍ ପିଛା କରୁଛି... । ହୁଏତ ଅଘଟଣ ଘଟିଯାଇପାରେ-

 

–‘‘ମୁଁ ତ ସେଥିପାଇଁ ପ୍ରସ୍ତୁତ କରୁଛି ନିଜକୁ । ଏବେ ମୁଁ ଭାବୁଛି ଯେ ଏମ୍.ସି.ଏ. ନ କରି ଶ୍ରୀହରି ପରି ଅଧ୍ୟାପକ ଚାକିରି ଛାଡ଼ି ସେଇ ମରୁ ମରୁ ବଞ୍ଚି ଥିବା ଲୋକମାନଙ୍କ ସାଙ୍ଗରେ ସାମିଲ ହୋଇଥିଲେ ସେମାନଙ୍କ କାମରେ ଲାଗିଥାନ୍ତି । ବାପା ମା’ଙ୍କର ଉଚ୍ଚାଶା, ପରିବାରର ପ୍ରତ୍ୟାଶା ମୋ ଗୋଡ଼ ହାତ ବାନ୍ଧି ଦେଇ ନ ଥାନ୍ତା ।

 

ଦୁହେଁ ରାସ୍ତାକଡ଼ରେ ଗୋଟେ ଚା’ ଦୋକାନରେ ବସିଗଲେ । ଚା’ ଦୁଇ କପ୍ ଦେଇଗଲା ପିଲାଟା । ବୟସ ବାଆର କି ତେଏରରୁ ବେଶୀ ନୁହେଁ । ପିଲାମାନେ ସ୍କୁଲ ଯିବା କଥା-। କନ୍ତୁ ଦାମୁ କହିଲା ଯେ ସେ ଆଦୌ ପାଠ ପଢ଼ିନି । ଅକ୍ଷର ଶିଖୁଥିବାବେଳେ ବାପା ମରିଗଲା, ତାପରେ ପରେ ମା’ ତାକୁ ଛାଡ଼ି କୁଆଡ଼େ ଚାଲିଗଲା । ସେ ମାଉସୀ ଘରେ ବଢ଼ି ଆସଛି-। ଏଇ ଦୋକାନରେ ଚାରିବର୍ଷ ହେବ କାମ କରୁଛି । ଆଗେ ବାସନ ମାଜୁଥିଲା, ଚୁଲି ଜାଳୁଥିଲା, ଘର ସଫା କରୁଥିଲା । ଏବେ ଚା’ ତିଆରି କରୁଛି । ସେ କେତେ ଦରମା ପାଏ ଜାଣେନି କି ତାକୁ ମାଲିକ କେବେ କହିନି । ମାଉସୀ ଆସି ମଝିରେ ମଝିରେ ତା’ କଥା ବୁଝିଯାଏ, ଦୋକାନୀ ତା ଦରମା ବାବଦକୁ କିଛି ପଇସା ଦିଏ ମାଉସୀକୁ । ସେ ଖୁସି ଯେ ମା’ ନ ଥିଲେ ବି ମାଉସୀ ତା କଥା ବୁଝୁଛି । ଦୋକାନୀ ତାକୁ ଦୁଇବେଳା ଭାତ, ଡାଲି ଖାଇବାକୁ ଦିଏ, ସକାଳେ ଓ ସନ୍ଧ୍ୟାରେ ଚା’ ବି ଦିଏ । ଯତ୍ନ ନ ପାଇ ଖଣ୍ଡଗିରି ପାହାଡ଼ର ଗଛମାନେ ବଢ଼ୁଥିବା ପରି ଦାମୁ ବି ବଢ଼ୁଛି । ସେ ସ୍ଵପ୍ନ ଦେଖେ ବଡ଼ ହେଲେ ସେ ବି ଏଇପରି ଗୋଟେ ଚା’ ଦୋକାନ ଖୋଲିବ... ।

 

ଚା’ର ମୂଲ୍ୟ ଦେଲା ଅରବିନ୍ଦ । ତା’ ବାଦ୍‍ ଦାମୁ ହାତରେ ଆଉ ଟଙ୍କାଟିଏ ବି ଦେଲା ମିଠାଇ ଖାଇବା ପାଇଁ ।

 

ଦୁହେଁ ସାଙ୍ଗ ହୋଇ ଫେରିବାବେଳେ ଶ୍ରୀୟା କହିଲା–‘‘ତମକୁ ଗୋଟେ କଥା କହିବି ବୋଲି ଭାବିଛି କିନ୍ତୁ କହିପାରୁନି... ’’

–‘‘କ’ଣ କହିବ କହିଦଉନ...’’

–‘‘ଶୁଣିଲେ ତମେ ଖୁସି ହେବ ?’’

–‘‘ହ୍ୱାଇ ନଟ୍‌ କିନ୍ତୁ ଆଗେ କୁହ..’’

ଅରବିନ୍ଦର ହାତ ଧରି ଶ୍ରୀୟା କହିଲା–‘‘ତୁମ ହାତଧରି ଚାଲିବା ପାଇଁ ଇଚ୍ଛା ହେଉଛି.. ଆଇ ଲଭ ୟୁ.... ।’’

ତା’ ମୁହଁ ଉପରେ କିଏ ଯେପରି ଅବିର ଢାଳି ଦେଇଛି... ସେ ଯେ ଏତେ ସହଜରେ ଏଇ କଥା କହି ଦେଇପାରିବ ତାହା କେବେ ଆଶା କରି ନ ଥିଲା । କହିସାରିବା ପରେ ଅପେକ୍ଷା କରୁଥିଲା ଅରବିନ୍ଦ କ’ଣ କହୁଛି ଶୁଣିବା ପାଇଁ... ।

ଅରବିନ୍ଦ କହିଲା–‘‘ମୁଁ ବି ସେୟା ଭାବୁଛି... ମୁଁ ମଧ୍ୟ ତୁମକୁ ଭଲ ପାଏ ଶ୍ରୀ... । କିନ୍ତୁ ଏଇ ନିଷିଦ୍ଧ ଇଲାକାରେ ପ୍ରବେଶ କରିବା ପୂର୍ବରୁ ପ୍ରସ୍ତୁତ ହେବାକୁ ପଡ଼ିବ..... ପାଥେୟ ସଂଗ୍ରହ କରିବାକୁ ହେବ ।’’

ପ୍ରେମର ନାମ ନିର୍ଝରିଣୀ । ସେ ଭୂଇଁ ଫଟାଇ ଥରେ ଉପରକୁ ଉଠିଲେ ଆଉ ଅପେକ୍ଷା କରେନି... ଆଗକୁ ଆଗକୁ ମାଡ଼ିଚାଲେ । ଖାଲ ଢ଼ିପ, ଅପନ୍ତରା ଡେଇଁ ସାଗରରେ ମିଶିବା ପର୍ଯ୍ୟନ୍ତ ସେ ଚାଲିଥାଏ । ଅପ୍ରତିହତ ତା’ର ଗତି... ଅନୁପମ ତା’ର ଛନ୍ଦ.. ।

ଶ୍ରୀୟା କହିଲା–‘‘ମୁଁ ପରୀକ୍ଷା ଫଳକୁ ଅପେକ୍ଷା କରିଛି । ବାପାଙ୍କ ଇଚ୍ଛା ମୁଁ ଗୋଟେ ଏନ.ଜି.ଓ.ରେ ଯୋଗଦିଏ... ମୁଁ ବି ସେୟା ଭାବୁଚି । ମା’ଙ୍କ ଇଛା ମୁଁ ସିଭିଲ୍‌ ସର୍ଭିସ୍‌ ପାଇଁ ଚେଷ୍ଟା କରେ–କିନ୍ତୁ ମୁଁ ପସନ୍ଦ କରେନି ସିଭିଲ୍‌ ସର୍ଭିସରେ ପଶିବା ପାଇଁ । ଲୋକଙ୍କ ପାଇଁ ଏତେକାମ କରିବାକୁ ବାକୀ ଥିଲାବେଳେ ମୁଁ କେବଳ ନିଜର ସୁଖସ୍ଵାଚ୍ଛନ୍ଦ୍ୟ ପାଇଁ ବ୍ୟୁରୋକ୍ରେସିରେ ଯୋଗଦେବି, ୟା’ ହୋଇପାରେନା ।’’

 

ଅରବିନ୍ଦକୁ ଖୁସି ଲାଗୁଥିଲା ଶୁଣିବା ପାଇଁ । ଦୁଇଟି ସ୍ରୋତ ପରସ୍ପର ସହିତ ମିଳିତ ହେବା ପାଇଁ ବାଟ ଖୋଜିବା ସତରେ ବଡ଼ ରୋମାଞ୍ଚକର ।

 

ସେଦିନ ଶ୍ରୀୟାକୁ ତା’ ଘର ଆଗରେ ଛାଡ଼ି ନିଜ ଘରକୁ ଫେରିବାବେଳେ ଅରବିନ୍ଦ ଭାବୁଥିଲା ଶ୍ରୀୟା କଥା । ସେ ତାକୁ ଭଲ ପାଏ, ଆଉ ଶ୍ରୀୟା ମଧ୍ୟ ତାକୁ ଭଲ ପାଏ । କିନ୍ତୁ ହଠାତ୍ ଶ୍ରୀହରି କହିଥିବା କେତୋଟି କଥା ମନେପଡ଼ିଗଲା ଅରବିନ୍ଦର । ପ୍ରେମ ମଣିଷକୁ ବାଚାଳ କରେ । ଜୀବନର ସବୁ ସରସତା କେବଳ ପ୍ରେମରେ ନିହିତ ଅଛି ବୋଲି ଭାବନ୍ତି ପ୍ରେମିକମାନେ । ସେଇ ଭାବନା ଆତ୍ମକୈନ୍ଦ୍ରିକ ହୋଇଯାଏ ଧୀରେ ଧୀରେ । ଦୁହିଁଙ୍କ ବ୍ୟତୀତ ବାହାରେ ଯେ ଗୋଟିଏ ବଡ଼ ଜଗତ ଅପେକ୍ଷା କରୁଛି, ସେ କଥା ମନେ ନ ଥାଏ ସେମାନଙ୍କର । ସେଥିପାଇଁ ପ୍ରେମ ପାଗଳ ତରୁଣ, ତରୁଣୀ ଜଗତକୁ ଭୁଲି କେବଳ ନିଜ କଥାହିଁ ଭାବନ୍ତି ଏବଂ ଧୀରେ ଧୀରେ ନିହିତ ସ୍ୱାର୍ଥର ପ୍ରବର୍ତ୍ତକ ହେଇଯାଆନ୍ତି । ଏଇଥିପାଇଁ ବିପ୍ଲବୀ ଜୀବନରେ ପ୍ରେମର ସ୍ଥାନ ନାହିଁ । ସେ କେବଳ ପ୍ରେମ କରିବ ଜନଗଣଙ୍କୁ, ଦେଶକୁ । ତା’ର ଭଲ ପାଇବାରେ ଆତ୍ମକୈନ୍ଦ୍ରିକ ସଂକୋଚନ ନାହିଁ, ଅଛି କେବଳ ଗଣଙ୍କୁ ଭଲ ପାଇବାର ପ୍ରସାରଣ । ତେଣୁ ବିପ୍ଳବୀ ଜୀବନରେ ପ୍ରେମର ସ୍ଥାନ ନାହିଁ, ପ୍ରେମିକର ଭୂମିକା ନାହିଁ, ସଂସାର କରିବାର ପ୍ରୟୋଜନ ନାହିଁ । ସେ କେବଳ ଚାଲେ ସବୁ ସମୟ । ସବୁ ସମ୍ପଦ ଦେଇ ଲୋକଙ୍କୁ ଭଲ ପାଏ । ସେମାନଙ୍କୁ ସୁଖୀ କରିବା ନିମନ୍ତେ ନିଜର ସୁଖ ବିସର୍ଜନ ଦିଏ ।

 

ଶ୍ରୀହରି କ’ଣ ଠିକ୍‌ କହିଥିଲା ମନକୁ ମନ ପଚାରିଲା ଅରବିନ୍ଦ ଏବଂ ଯଦି ଠିକ୍‌ କହିଥାଏ ତେବେ ତାହାହିଁ କ’ଣ ଶେଷ କଥା ? ନାରୀ ଓ ପୁରୁଷର ସମ୍ମିଳିତ ଶକ୍ତି ଯେ ମଧୁର ଓ ପରିବର୍ତ୍ତନକାମୀ ହୋଇପାରେ ଏହା କାହିଁକି ଅସ୍ଵୀକାର କରେ ଶ୍ରୀ ?

 

ଯେତିକି ଭାବିଲା ସେତିକି କିଂକର୍ତ୍ତବ୍ୟବିମୂଢ଼ ହୋଇଗଲା ଅରବିନ୍ଦ । ଅଳ୍ପ ସମୟ ପୂର୍ବରୁ ସେ ଶ୍ରୀୟାକୁ ଯାହା କହିଥିଲା ତାହା ଯେ ଜୀବନର ଶେଷ କଥା ନୁହେଁ ଏହା ମନକୁ ଆସିଲା ତା’ର । କିଛିକ୍ଷଣ ପରେ ସେ ପୁଣି ଯୁକ୍ତି କଲା ନିଜ ସହିତ । ପ୍ରେମ ନିଃସ୍ଵାର୍ଥ ହେବନି କାହିଁକି ? ସେମାନଙ୍କ ପ୍ରେମରେ ତ ଆବିଳତା ନାହିଁ । ସେମାନଙ୍କ ଲକ୍ଷ୍ୟ ଯଦି ଜନସେବା, ତେବେ ବରଂ ଉଭୟଙ୍କ ସମ୍ମିଳିତ ଶକ୍ତିଦ୍ଵାରା ତାହା କରିବା ଆହୁରି ସହଜ ହେବ । ସୃଷ୍ଟିତତ୍ତ୍ୱକୁ ସେମାନେ ଅସ୍ୱୀକାର କରିପାରିବେ ? ଯାହା ବାସ୍ତବ ତାହାଠାରୁ କେତେଦିନ ଦୂରେଇ ରଖିବେ ନିଜକୁ ? ପ୍ରେମ ବିପ୍ଲବର ବାଧକ ବା ବିରୋଧୀ ହେବ ବା କାହିଁକି ? ବରଂ ଜୀବନକୁ ମଧୁର ଓ ମହତ୍ତର କରିବ ପ୍ରେମ ।

 

ଅରବିନ୍ଦ ଘରକୁ ଫେରିଲା ବଦଳି ଯାଇଥିବା ଜଣେ ବ୍ୟକ୍ତିର ସ୍ଵରୂପ ନେଇ । ମା’ ଆଶ୍ଚର୍ଯ୍ୟହୋଇ କହିଲେ–‘‘କିରେ ! କୁଆଡ଼େ ବାହାରି ଯାଇଥିଲୁ ସକାଳେ ସକାଳେ ? କୋଉଠି ରହି ଯାଇଥିଲୁ ଏତେ ସମୟ ? ଜଳଖିଆ କରିବୁ ନାହିଁ ?’’

 

ଜଳଖିଆ ଖାଇବା ପାଇଁ ଇଚ୍ଛା ନ ଥିଲା ତାର, ପେଟ ପୂରିଗଲା ପରି ଲାଗୁଥିଲା । ମନ ଭରିଗଲା ପରି ଅନୁଭବ କରୁଥିଲା । ଗୁଣୁଗୁଣୁ ହୋଇ ଗୀତ ଗାଇବା ପାଇଁ ଇଚ୍ଛା ହେଉଥଲା । ବଗିଚାରେ ଫୁଟୁଥିବା ଫୁଲମାନଙ୍କର ଫୁଟିବା ମୁହୂର୍ତ୍ତକୁ ନିରୀକ୍ଷଣ କରିବା ସକାଶେ ମନ ବ୍ୟାକୁଳ ହେଉଥିଲା । ପକ୍ଷୀର କାକଳିରେ ହଠାତ୍ ଯେପରି ସେ ଏକ ଛନ୍ଦ ଏବଂ ଏକ ମଧୁମୟ ଉଦ୍ଦେଶ୍ୟ ଆବିଷ୍କାର କଲା । ହଠାତ୍ କବି ହେବା ପାଇଁ ମନ ହେଲା । ଶବ୍ଦମାନଙ୍କୁ ନେଇ ଆପେ ଆପେ କବିତା ରଚି ହୋଇଗଲା।

 

‘ଆକାଶରେ ଫୁଟେ କୋଟି କୋଟି ଫୁଲ,

 

ପୋଖରୀରେ ନୀଳ କଇଁ

ମନର ମହକେ ତୁମେ ଭାସୁଥାଅ

 

ଭବନାର ଶେଷ ନାହିଁ ।’

 

ଯେଉଁଆଡ଼େ ଚାହିଁଲେ ଶ୍ରୀୟାର ମୁହଁ ଦିଶି ଯାଉଥିଲା । ପ୍ରେମମୟ ହୋଇ ଉଠିଥିଲା ଜଗତ । ଜଣକର କଥା ‘ମୁଁ ତୁମକୁ ଭଲ ପାଏ’ ମନ ପ୍ରାଣ ହୃଦୟକୁ ଏତେ ପଲ୍ଲବିତ, ପ୍ରସାରିତ କରିଦେଇଗଲା ଯେ ଆକାଶର ପ୍ରସାରିତ ଓ ନୀଳସାଗରର ଚଳଚଞ୍ଚଳ ତରଙ୍ଗାୟିତ ରୂପ, ବନସ୍ପତିମାନଙ୍କର ସବୁଜିମା ଏବଂ ନକ୍ଷତ୍ରମାନଙ୍କର ଆଖିଠାର ସବୁଠାରେ ସେ ଦେଖୁଥିଲା ଶ୍ରୀୟାକୁ-। ଜଣକୁ ଭଲ ପାଇଲେ ଜଗତକୁ ଭଲ ପାଇବାର ପ୍ରଫୁଲ୍ଲତା ତାକୁ ବାରମ୍ବାର କହିଦେଉଥିଲା ଯେ ଶ୍ରୀହରି କାହାକୁ ଭଲ ପାଇନାହିଁ ବୋଲି ତା’ ଜୀବନ ମରୁଭୂମି ପରି ଏତେ ଶୁଷ୍କ । ସେ କେବଳ ବିପ୍ଲବ କରି ଶିଖିଛି, ସ୍ଥିତାବସ୍ଥାକୁ ଭାଙ୍ଗି ନୂଆ କିଛି ଗଢ଼ିବା ପାଇଁ ଚାହୁଁଛି; କିନ୍ତୁ ଭଲ ପାଇ ଶିଖି ନାହିଁ-। ବିପ୍ଲବରେ ନ ହେଉ, ଭଲ ପାଇବାରେ ଯେ ସେ ଶ୍ରୀହରିଠାରୁ ଆଗେଇ ଯାଇଛି ଏଇ ଅନୁଭବ ତାକୁ ଫୁଟୁଥିବା ଫୁଲପରି ସ୍ନିଗ୍‍ଧ ସତେଜ କରିଦେଲା । ହଠାତ୍‌ ତା ଅନ୍ତର ଭିତରର ନୀରବତା ବାଙ୍‌ମୟ ହୋଇଗଲା ଏବଂ ସେଇ ପଦେ କବିତା ଅନୁରଣିତ ହେଲା ତା ଉଚ୍ଚାରଣରେ ।

 

ମା’ ପୁଣି କହିଲେ–‘‘କିରେ ଏତେ ବେଳଯାଏ କୁଆଡ଼େ ଥିଲୁ ? ଥାନାବାବୁ ଆସିଥିଲେ, ତୋତେ ନ ପାଇ ଫେରିଗଲେ । ଥାନାକୁ ଯାଇ ତାଙ୍କୁ ଦେଖା କରିବାକୁ କହି ଯାଇଛନ୍ତି... ।’’

 

–‘‘କାହିଁକି ? ମୁଁ କ’ଣ ଅପରାଧୀ ଯେ ଥାନାକୁ ଯିବି ?’’

 

ସାବିତ୍ରୀ ତା’ ପାଖକୁ ଆସି କହିଲେ–‘‘ମୋର ତ ଭୟ ହେଉଛି ଅରୁ, ଥାନା ପୁଲିସ୍‍ କାହିଁକି ଆମ ପଛରେ ପଡ଼ିଛନ୍ତି ବୁଝି ପାରୁନି । ତୁ କିଛି ଖରାପ କାମ କରିନାହୁଁ ତ ?’’

 

–‘‘ତମେ କ’ଣ ସେୟା ବିଶ୍ୱାସ କର ମା... ମୁଁ ସେପରି କିଛି କରିନାହିଁ । ତଥାପି ଥାନାବାବୁ ଯେତେବେଳେ କହିଥିଲେ ମୁଁ ଯାଇ ତାଙ୍କୁ ଦେଖାକରିବି । ଜଣେ ନାଗରିକର ସ୍ଵାଧୀନତାରେ ପୁଲିସ୍‍ କାହିଁକି ହସ୍ତକ୍ଷେପ କରିବ ଯେ... ।’’

 

ସାବିତ୍ରୀ ପୁଅ ମଥା ଉପରେ ହାତ ବୁଲାଇ ଆଣି କହିଲେ–ଯା’ ଶୀଘ୍ର ଗାଧୋଇ ପଡ଼... ଖାଇବାବେଳ ହୋଇ ଗଲାଣି...।

 

ନଅ

 

ଶ୍ରୀହରି ଗୁଣୁପୁରରେ ପହଞ୍ଚିବା ପୂର୍ବର ବଂଶଧାରା କୂଳରେ ଓହ୍ଲାଇ ପଡ଼ିଲା । ନଦୀର ମୁହଁ ହାତ ଧୋଇ ସତେଜ ହୋଇଯିବା ପରେ ଦେହର କ୍ଲାନ୍ତି ଓ ମନର ଅବସନ୍ନତା ଉଭେଇ ଗଲା-। ନଦୀକୂଳରେ ବସିଲା କିଛି ସମୟ । କେଉଁ ଅନନ୍ତ କାଳରୁ ବହୁଛି ବଂଶଧାରା । ବାଛ ବିଚାର ନ କରି ସମସ୍ତଙ୍କୁ ଜଳଦାନ କରିବା ହେଉଛି ତା’ର ଧର୍ମ । ଏଇ ନଦୀକୁ ଆଶ୍ରୟ କରି ସମୟ କ୍ରମେ ଗଢ଼ି ଉଠିଛି ଜନ ବସତି । ସମସ୍ତଙ୍କ ଦାବିପୂରଣ କରିଛି ବଂଶଧାରା । ବନ୍ଧବାନ୍ଧି ଜଳସେଚନ କରିବା ପାଇଁ ଯୋଜନା ହେଉଛି । ହୁଏତ ଆଉ କେତୁଟା ବର୍ଷରେ ବଂଶଧାରା ବନ୍ଧର ସୁନୀଳ ଜଳରାଶି ସ୍ଥାନୀୟ ଲୋକମାନଙ୍କର ଅଭାବ ପୂରଣ କରିବ । ବର୍ଷା ଉପରେ ଅଉ ନିର୍ଭର ନ କରି ବଂଶଧାରାର ଜଳ ବିଲବାଡ଼ିରେ ମଡ଼ାଇ ଫସଲ କରିବା ସହଜ ହେବ । ହୁଏତ ସରକାର ଚାହିଁଥିଲେ ଅନେକ ଆଗରୁ ଏଇ ଅନୁନ୍ନତ ଅଞ୍ଚଳର ଲୋକମାନଙ୍କର ଦାରିଦ୍ର୍ୟ ଦୂର କରିବା ନିମନ୍ତେ ନଦୀରେ ବନ୍ଧ ନିର୍ମାଣ କରି କୃଷିର ଉନ୍ନତି କରିବାରେ ସାହାଯ୍ୟ କରିପାରିଥାନ୍ତେ । ହୀରାକୁଦ ବନ୍ଧ ହୋଇ ନ ଥିଲେ ସମ୍ବଲପୁର, ବରଗଡ଼ ଅଞ୍ଚଳରେ କୃଷିର ବିକାଶ ହୋଇ ନ ଥାନ୍ତା-। ଉପକୂଳ ଅଞ୍ଚଳ ବନ୍ୟା ଦାଉରୁ ରକ୍ଷା ପାଇଯାଇଛି । ଜଳସେଚନର ସୁବିଧା ହୋଇଛି । ବିଦ୍ୟୁତ୍‍ ଉତ୍ପାଦନ ହେଉଛି । ହୀରାକୁଦ ବନ୍ଧକୁ ଚାହିଁଦେଲେ ଦେଶର ଅଗ୍ରଗତି ବାରିହୋଇ ପଡ଼ୁଛି ଆଖିରେ-। ବଂଶଧାରାରେ ସେହିପରି ପ୍ରକଳ୍ପଟିଏ ହେଲେ କାମ ନ ପାଇ ଗାଁ ଗଣ୍ଡା ଛାଡ଼ି ଦୂରଦୂରାନ୍ତକୁ ପଳାଇ ଯାଉଥିବା ଗରିବ ଲୋକ ନିଜ ଭିଟାମାଟି ଛାଡ଼ି ଯିବେ ନାହିଁ; ଜଳସେଚନର ସୁବିଧା ହେଲେ ବିଭିନ୍ନ ଫସଲ ଅମଳ କରିବେ ।

 

ଦେଶର ଗୋଟିଏ ସୁନ୍ଦର ରୂପ ଝଲସି ଉଠେ ଆଖି ଆଗରେ । ଭାରତମାତାଙ୍କୁ ପ୍ରଣାମକରି ମନେ ମନେ କହେ ଶ୍ରୀହରି ସମସ୍ତଙ୍କ ପ୍ରତି ସଦୟ ହୁଅ ମା’ । ଦାରିଦ୍ର୍ୟ ଦୂର ହେଉ । ବନ୍ଦ ହେଉ ଅନ୍ୟାୟ, ଅବିଚାର, ଶୋଷଣ ।

 

କେହିଜଣେ ଆସୁଥିବା ପରି ଲାଗିଲା ତାକୁ । ସେ ପଛକୁ ଫେରି ଚାହିଁବାବେଳକୁ ଆଗନ୍ତୁକ କହିଲା ପୁଲିସ୍‍ ପଇଁତରା ମାରୁଥିବା କଥା । କୋଉ ସୂତ୍ରରୁ ହୁଏତ ଖବର ପହଞ୍ଚି ଯାଇଛି ଶ୍ରୀହରିର ଆସୁଥିବା ଖବର । ଧନୁ ଶବର ଆଗେ ଆଗେ ଚାଲିଲା । ଶ୍ରୀହରି ପଛେ ପଛେ । ଅନ୍ଧାର କାଟି ସେମାନେ ବାଟ ଭାଙ୍ଗି ଚାଲିଗଲେ ଗୁଣୁପୁର ସହରଠାରୁ ଚାରି କୋଶ ଦୂରରେ ଥିବା ଆଡ୍‍ଡାକୁ । ସେଠାରେ ଅନ୍ୟମାନେ ଅପେକ୍ଷା କରୁଥିଲେ ।

 

ନୁଆଁଣିଆ ଚାଳଘର । ବାହାରେ ଅନ୍ଧାରରେ ଗଛମାନେ ପ୍ରହରୀ ଭଳି ଜଣାପଡ଼ୁଥାନ୍ତି । ଭିତରେ ଲଣ୍ଠନଟିଏ ଜଳୁଥିଲା । ସେଇ ଆଲୋକ ସେମାନଙ୍କ ପାଇଁ ଥିଲା ଯଥେଷ୍ଟ । ଘର ପଛପଟେ ଜଙ୍ଗଲ । ଏଇଟା ଧନୁ ଶବରର ଘର । ତା’ ସ୍ତ୍ରୀ ଯକ୍ଷ୍ମାରେ ମରିଯିବା ପରେ ସେ ଆଉ ଗାଁ ଭିତରକୁ ଫେରିଯାଇନାହିଁ । ନେତକୁ ଯକ୍ଷ୍ମା ହେଲା ବୋଲି ଡାକ୍ତର ଯେଉଁଦିନ କହିଲେ ସେହିଦିନ ଗାଁ ଛାଡ଼ି ଦୂରକୁ ଉଠିଯିବାକୁ କହିଲେ ଗାଁ ବାଲା । କାଶିଲେ ରକ୍ତ ପଡ଼ୁଥିଲା ନେତ ମୁହଁରୁ । ଯକ୍ଷ୍ମାରୋଗୀ ପାଖରେ ରହିଲେ ଅନ୍ୟମାନଙ୍କୁ କି ରୋଗ ହେବ କହିବାରୁ ବାଧ୍ୟ ହୋଇ ଧନୁ ଜଙ୍ଗଲକୁ ଲାଗି କୁଡ଼ିଆ ଘର ତୋଳି ଥିଲା ନେତ ପାଇଁ । ସ୍ତ୍ରୀକୁ ଏକା ଛାଡ଼ି ଦେଇ ସେ ତ ଗାଁରେ ରହିପାରିବ ନାହିଁ । ସେ ବି ଉଠି ଆସିଥିଲା ତା’ ସହିତ । ସରପଞ୍ଚବାବୁ କହୁଥିଲା ରାଜଯକ୍ଷ୍ମା-। ଶୃଙ୍ଖଳା ନ ମାନି ଦେହ ଉପରେ ଅତ୍ୟାଚାର କରୁଥିଲେ ବୋଲି ପୂର୍ବକାଳରେ ବଡ଼ ବଡ଼ ଲୋକଙ୍କୁ ରାଜଯକ୍ଷ୍ମା ହେଉଥିଲା । କିନ୍ତୁ ଏବେ ରାଜଯକ୍ଷ୍ମା ହୁଏ ଗରିବ ଲୋକଙ୍କୁ ମାସ ମାସ ବର୍ଷ ବର୍ଷ ଧରି ଅଖାଦ୍ୟ ଖାଇବା ଓ ଭୋକ ଉପାସରେ ବଞ୍ଚୁଥିବାରୁ । ନେତ ଛଅ ମାସ ପରେ ମରିଗଲା । ଧନୁ ଶବର ଆଉ ଗାଁ ଭିତରକୁ ଫେରିଲା ନାହିଁ ।

 

ସରପଞ୍ଚ ବାବୁର ପାଠ ପଢ଼ୁଆ ପୁଅ ତା’କୁ କ’ଣ ମନ୍ତ୍ର ଦେଲା କେଜାଣି ପଦ୍ମତୋଳା ଶୁଣି ନାଗ ଯେପରି ମଥା ନୁଆଁଇଦିଏ ସେହିପରି ତ୍ରିଲୋଚନର କଥା ଶୁଣି ଆଉ ପ୍ରଶ୍ନ ପଚାରି ନ ଥିଲା ଧନୁ ଶବର । ସେ ମାଡ଼ିଛି ତାହାରି ଆଦେଶରେ । ଧନୀ ମହାଜନ ଓ ଅତ୍ୟାଚାରୀ ଅମଲା ଅଫିସରଙ୍କ କବଳରୁ ରକ୍ଷା ପାଇବା ଆଶାରେ ତ୍ରିଲୋଚନ ଓ ତା’ର ସାଥୀମାନେ ଗୁପ୍ତ ଆନ୍ଦୋଳନ ଚଳାଇଛନ୍ତି । ଶୁକ୍ତାଜାନି ସୁଧମୂଳ ବାବଦକୁ ଚାରିଗୁଣ ଟଙ୍କା ସୁଝିବା ପରେ ବି ମହାଜନ କହିଲା ସେ ସିନା ସୁଧ ପରିଶୋଧ କରିଛି କିନ୍ତୁ ମୂଳ ଦେଇନି । ମୂଳ ଟଙ୍କା ଯଦି ପନ୍ଦର ଦିନ ମଧ୍ୟରେ ଫେରାଇ ନ ଦିଏ ତେବେ ତା’ ଘରଡ଼ିହ ଖଣ୍ଡକ ମହାଜନ ଦଖଲ କରିବ । ତ୍ରିଲୋଚନ ଓ ତା’ର ସାଥୀମାନେ ସବୁ ଶୁଣିଲେ ଶୁକ୍ତାଠାରୁ । ମହାଜନ ସହିତ ମୁହାଁମୁହିଁ ଆଲୋଚନା ବି କଲେ । ସେ କିନ୍ତୁ ଟଳିଲା ନାହିଁ । ଦିନେ ମୁହଁ ସଞ୍ଜରେ ଗୁଣୁପୁର ବଜାରରୁ ସଉଦା ନେଇ ଏକା ସାଇକେଲରେ ଫେରୁଥିବାବେଳେ ତା’ ଉପରେ ମାଡ଼ି ବସିଥିଲେ କେତେ ଜଣ ଟୋକା । ଭାଗ୍ୟ ଭଲ ଯେ ମହାଜନ ବର୍ତ୍ତିଗଲା, କିନ୍ତୁ ତା କାନ ଗୋଟେ କାଟି ଆଣିଥିଲେ ସେମାନେ । ତାକୁ ସତର୍କ କରି ଦେଇ ଆସିଲେ ଯଦି ସେ ନିଜକୁ ସଂଶୋଧନ ନ କରେ ତେବେ ଆଗକୁ ବଡ଼ ଦଣ୍ଡ ଭୋଗିବାକୁ ପଡ଼ିବ ।

 

ଶ୍ରୀହରି ପ୍ରସଙ୍ଗ ଉପରକୁ ଆସିଲା । ସରକାରୀ କର୍ମଚାରୀ, ସାହୁକାର ଓ ପୁଲିସ୍‍ର ଅତ୍ୟାଚାର କମିଛି କି ବଢ଼ିଛି ଜାଣିବାକୁ ଚାହିଁଲା କର୍ମୀମାନଙ୍କଠାରୁ । ସେମାନେ ସେ ଅଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଗୋଟି ଗୋଟି କରି କହିଲେ ସବୁ । କାମଧନ୍ଦା କିଛି ନାହିଁ । ହାତଗୋଡ଼ ବାନ୍ଧି ଗରିବ ଖଟିଖିଆମାନେ ବସିଛନ୍ତି ଘରେ । କିଛି ଲୋକ ଭାଇଜାଗ ପଳାଇ ଯାଇଛନ୍ତି କାମ ପାଇବା ଆଶାରେ । ଅନେକଙ୍କ ଘରେ ଚାଉଳ ମୁଠାଏ ନାହିଁ ଚୁଲିରେ ହାଣ୍ଡି ବସାଇବା ପାଇଁ । ସୁଆଁ ସିଝେଇ ସେଇ ପାଣି ପିଇ କ୍ଷୁଧା, ତୃଷା ନିବାରଣ କରୁଛନ୍ତି ଲୋକେ । କେହି କେହି ଜମି ବନ୍ଧକ ଦେଇ କରଜ ଆଣିଛନ୍ତି ମହାଜନ ପାଖରୁ । ତହସିଲଦାର ବାବୁଙ୍କୁ ଜଣାଇଛନ୍ତି ସେମାନେ । ବିଡ଼ିଓ ବି ଆସିଥିଲେ ଅବସ୍ଥା ଦେଖିବାପାଇଁ ମାସେ ହେଲା । ଏମ୍‌.ଏଲ୍‌.ଏ. କାମ ମିଳିବ ବୋଲି ଭରସା ଦେଇ ଯାଇଛନ୍ତି ସତ, କିନ୍ତୁ କୌଣସି କାମ ଆରମ୍ଭ କରିନି ସରକାର ।

 

Unknown

ତ୍ରିଲୋଚନ କହିଲା, ସେମାନଙ୍କ କାମରେ ପୁଲିସ୍‍ କିପରି ବାଧା ଦେଉଛି । ସେମାନଙ୍କ ସହିତ ସମ୍ପର୍କ ନ ରଖିବା ପାଇଁ ଲୋକମାନଙ୍କୁ ଧମକ ଚମକ ଦେଉଛି । ଆଇନ ନିଜ ହାତକୁ ନେଲେ ହାଜତରେ ପୂରାଇ ଦେବ କହୁଛି । ‘ମୁକ୍ତି ଯୁଦ୍ଧ’ରେ ଯୋଗଦେଲେ ଅପରାଧୀଙ୍କ ଖାତାରେ ଲେଖାହେବ କହୁଛି ।

 

–‘‘କିନ୍ତୁ ମହାଜନର କାନ କାଟି ଦେଲେ କାହିଁକି ? ସେ କ’ଣ ବଦଳିବା ପାଇଁ ମନାକଲା ?’’ ପଚାରିଲା ଶ୍ରୀହରି ।

 

–‘‘ନା, ସେ ବଦଳିବ ନାହିଁ । କୁକୁର ଲାଙ୍ଗୁଡ଼ ବଙ୍କା, ସଳଖ ହୁଏନି ଯେତେ ଚେଷ୍ଟା କଲେବି ।’’ କହିଲା ତ୍ରିଲୋଚନ ।

 

ସେମାନଙ୍କଠାରୁ ସେଇ ଅଞ୍ଚଳର ସବୁ ଖବର ସଂଗ୍ରହ କରି ଗଜପତି, ରାୟଗଡ଼ା ଓ ଗୁଣୁପୁର ଅଞ୍ଚଳ ଦାୟିତ୍ୱରେ ତ୍ରିଲୋଚନ ରହିଲା ବୋଲି ଶ୍ରୀହରି ଘୋଷଣା କରିବା ପରେ ସେମାନଙ୍କୁ କହିଲା–‘‘ଏ ବାଟରେ କେବଳ ଲଢ଼େଇ କରି ଆଗେଇବାକୁ ହୁଏ । ସେଥିପାଇଁ ଏ ବାଟରେ କେହି ଫୁଲମାଳ ପାଇବାର ଆଶାନାହିଁ; ବରଂ ପୁଲିସ୍‍ଦ୍ୱାରା, ସାହୁକାର ଓ ମହାଜନଦ୍ୱାରା ଅସୁବିଧାରେ ପଡ଼ିବାର ଆଶଙ୍କା ଅଛି ବେଶି । ହଁ, ଏଇ ମୁକ୍ତି ଯୁଦ୍ଧରେ ବିଳାସ ନାହିଁ, ମଉଜ କରିବାର କିଛି ନାହିଁ, ଏପରିକି ପ୍ରେମର ବି ସ୍ଥାନ ନାହିଁ । ମନେରଖ ଯେ ବ୍ୟକ୍ତିଗତ ସୁଖ, ପାରିବାରିକ ସମ୍ପର୍କ ଓ ସାଙ୍ଗସାଥୀମୀନଙ୍କ ଅନୁରୋଧ ରକ୍ଷା କରିବା ପାଇଁ ତୁମେ ସବୁ ଶପଥ ନେଇନ । ଜୀବନକୁ ଯେଉଁମାନେ ପାଣି ଛଡ଼େଇ ଦେଇ ଜନସେବା କରିବା ପାଇଁ ସଂକଳ୍ପ କରିଛନ୍ତି, ସେମାନଙ୍କର ଚିନ୍ତା ଓ ଭାବନାର ସେଇ ଅର୍ଦ୍ଧନଗ୍ନ ଲାଞ୍ଛିତ ଗରିବ ଲୋକଟିର ମୁହଁ କେବଳ ଉଭାହେବ ସଦାବେଳେ । ସେଠାରେ ସ୍ତ୍ରୀ, ପିତା, ମାତା ବା ଭାଇ, ଭଉଣୀ, ପ୍ରେମିକା, କାହାରି ସ୍ଥାନ ନାହିଁ । ପ୍ରେମ ତ ବୁର୍ଜୋୟାମାନଙ୍କର ଏକ ମାନସିକ ବିକୃତି... ।’’
 

ସେମାନଙ୍କୁ ଲାଠି ଚାଳନା, ବନ୍ଧୁକ ଚାଳନା, ଗରିଲା ଯୁଦ୍ଧ କୌଶଳ ଶିକ୍ଷା ଦେଇଛି ଶ୍ରୀହରି । ସେମାନେ ସେ ସବୁ ମନେରଖିଛନ୍ତି କି ନାହିଁ ଜଣ ଜଣ କରି ପରୀକ୍ଷା କଲା । ତା’ପରେ ସମସ୍ତଙ୍କୁ ଏକାଗ୍ର ହୋଇ ଶୁଣିବାକୁ କହିଲା ।

 

‘‘ତମ ଭିତରୁ ଯଦି କେହି ପ୍ରତାରଣା କରେ, ବିପ୍ଲବ ବିରୋଧୀ କାମ କରେ ତେବେ କ’ଣ ଦଣ୍ଡ ତା’ର ପ୍ରାପ୍ୟ ?’’

 

ସମସ୍ତେ ସମସ୍ଵରରେ କହିଲେ–‘‘ପ୍ରାଣଦଣ୍ଡ ।’’

 

ତା’ପରେ ନିଷ୍କମ୍ପ ସ୍ଵରରେ କହିଲା ଶ୍ରୀହରି–‘‘ମୁଁ ଯଦି ଦଳବିରୋଧୀ, ବିପ୍ଲବ ବିରୋଧୀ କାର୍ଯ୍ୟକରେ ତେବେ ମୋର ପ୍ରାପ୍ୟ ମଧ୍ୟ ପ୍ରାଣ ଦଣ୍ତ । ସେତେବେଳେ ତମମାନଙ୍କର ହାତରୁ ବନ୍ଧୁକ ଖସି ନ ପଡ଼େ ଯେପରି ।’’

 

ସଭା ଶେଷ ହେଲା ।

ଲାଲ୍‍ ସଲାମ୍‍ ଦେଲେ ବିପ୍ଲବୀମାନେ ।

 

ସମସ୍ତଙ୍କ ପାଇଁ ଭାତ, ସମ୍ବର ବ୍ୟବସ୍ଥା କରିଥିଲେ କର୍ମୀମାନେ । ଶ୍ରୀହରି କିନ୍ତୁ କହିଲା ସେ କେବଳ ସୁଆଁ ସିଝା ତୋରାଣି ପିଇବ ।

 

ସମସ୍ତଙ୍କୁ ଶୋଇବା ପାଇଁ ପଠାଇ ଦେଇ ଶିବିର ଜଗିଥିବା ଚାରିଜଣ କର୍ମୀଙ୍କୁ ସତର୍କ ରହିବାକୁ କହି ଶ୍ରୀହରି ନୈରୁତ କୋଣକୁ ପାଦ ବଢ଼ାଇବାବେଳକୁ କେହି ଜଣେ ବ୍ୟକ୍ତି ଅନ୍ଧାରରେ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇବାର ଦେଖିଲା । ସେ କାଳବିଳମ୍ବ ନ କରି ତା ପିଛା କଲା । ଅନ୍ଧାରରେ ସେଇ ଲୋକର ଟେର ପାଇବା ସମ୍ଭବ ନ ଥିଲା । ତଥାପି କାହାକୁ ନ ପାଇ ଫେରି ଆସିବାବେଳେ ସେ ଅନୁଭବ କଲା ଯେ କମ୍ରେଡ଼୍‌ମାନଙ୍କ ବ୍ୟବସ୍ଥାରେ ଏବେ ବି ଛିଦ୍ର ଅଛି । ଏଇ ସୁଯୋଗ ନେଇ ଶତ୍ରୁପକ୍ଷର ଲୋକ ଆସିଥିବ ଗୁପ୍ତ ତଥ୍ୟ ସଂଗ୍ରହ କରିବା ପାଇଁ ।

 

ଶ୍ରୀହରି ଶିବିରକୁ ଫେରିବା ପରେ ସମସ୍ତଙ୍କୁ ଡାକି ପଠାଇ ନିର୍ଦ୍ଦେଶ ଦେଲା କାଳ ବଳମ୍ବ ନ କରି ଶିବିର ତ୍ୟାଗ କରିବା ପାଇଁ । ସେ ସେମାନଙ୍କୁ ଏହା ବି ଜଣାଇ ଦେଲା ଯେ ଶତ୍ରୁପକ୍ଷର ଗୁପ୍ତଚର ସେମାନଙ୍କ ଆଲୋଚନା ଓ କାର୍ଯ୍ୟକ୍ରମ ସବୁ ଜାଣି ସାରିଛି । ଖୋଜି ବାହାର କରିବା ସମ୍ଭବ ନୁହେଁ । ତଥାପି ଏପରି ଭୁଲର ଆଉ ପୁନରାବୃତ୍ତି ନ ହୁଏ ଯେପରି । ଯେଉଁମାନେ ଶିବିର ଚାରିପାଖରେ ପହରା ଦେଉଥିଲେ ସେମାନେ ଯଦି ସତର୍କ ଦୃଷ୍ଟି ରଖିଥାନ୍ତେ ତେବେ ଗୁପ୍ତଚର ଏପରି ଦୁଃସାହାସିକ କାର୍ଯ୍ୟ କରି ପାରି ନ ଥାନ୍ତା ।

 

ସମସ୍ତେ ଶିବିର ଛାଡ଼ି ପଳାଇବା ପାଇଁ ଉଦ୍ୟତ ହେଉଥିବାବେଳେ ହଠାତ୍ ଶ୍ରୀହରି ଧନୁ ଶବରକୁ ନ ଦେଖି କହିଲା–‘‘ଧନୁ କାହିଁ ?’’

 

କେହି ଉତ୍ତର ଦେଇପାରିଲେ ନାହିଁ, ବରଂ ସେଇ ପ୍ରଶ୍ନ ସମସ୍ତଙ୍କ ମୁହଁରୁ ପ୍ରାୟ ଏକାବେଳେ ଉଚ୍ଚାରିତ ହେଲା–‘‘ଧନୁ କାହିଁ ?’’

 

ଏତିକିବେଳେ ଠାକୁରଣୀଙ୍କ ଆଗରେ ବଳି ଦବାପାଇଁ ବୋଦାକୁ ଯେପରି ଟାଣି ଆଣି ଯୂପ କାଠରେ ବାନ୍ଧି ଦିଏ ଦେହୁରୀ ସେହିପରି ଗୋଟେ ଲୋକକୁ ଶ୍ରୀହରି ଆଗକୁ ଠେଲିଦେଇ କହିଲା ଧନୁ ଶବର–‘‘ଏଇ ଲୋକଟା ଲୁଚି ଲୁଚି ଆମ କଥା ଶୁଣୁ ଥିଲା ବାବୁ । ତୁମକୁ ଜଙ୍ଗଲ ଯିବା ଦେଖି ମୁଁ ମଧ୍ୟ ଯାଇଥିଲି ପଛେ ପଛେ । ଏ ଲୋକଟା ଗୋଟେ ଗଛ ଉପରକୁ ଉଠିଯାଇ ଲୁଚି ରହିଥିଲା ସେଠାରେ । ତାକୁ ନ ପାଇ ତୁମେ ଫେରିଆସିଲ, ମୁଁ କିନ୍ତୁ ଅନୁସନ୍ଧାନ କରୁଥିଲି ସେ କେଉଁଠି ଲୁଚିଥିବ ବୋଲି । ତୁମେ ଚାଲିଯିବା ପରେ ଆଉ କେହି ନାହାନ୍ତି ଭାବି ସେ ଗଛରୁ ଓହ୍ଲାଇବାବେଳକୁ ମୁଁ ତାକୁ ମାଡ଼ି ବସିଲି । ସେ ଏଇ ଗାଁର ଲୋକ–ତା ନାମ କାଲୁଜାନି ।’’

 

କାଲୁଜାନି ଶ୍ରୀହରି ଆଗରେ ଆଣ୍ଠେଇ ପଡ଼ି କହିଲା–‘‘ମୋତେ ମହାଜନ ପଠାଇଥିଲା ବାବୁ... ।’’

 

ତା ତୁଣ୍ଡର କଥା ସରିବା ପୂର୍ବରୁ ଗୋଟେ ଗୁଳିରେ ଭୂଇଁ ଉପରେ ବୋଦାର କଟାମୁଣ୍ଡ ପରି ଛଟପଟ ହେବାକୁ ଲାଗିଲା କାଲୁଜାନି ।

 

ତାର ଲାସ୍‌ଟାକୁ ନଦୀରେ ଫିଙ୍ଗି ଦବା ପାଇଁ କହିଲା ଶ୍ରୀହରି ଏବଂ ଯେପରି କିଛି ଘଟି ନାହିଁ ସେହିପରି ନିଶ୍ଚିନ୍ତ ମନରେ ଆଗକୁ ପାଦ ବଢ଼ାଇଲା ଅନ୍ଧାର ଭିତରେ ।

 

ଅନ୍ଧାର ରାତିରେ ସରୀସୃପ ସଜାଗ ରହିବା ପରି ସଜାଗ ରହନ୍ତି ବିପ୍ଲବୀମାନେ । କାଳେ ବିଶ୍ଵାସଘାତକ ପଛଆଡ଼ୁ ଆକ୍ରମଣ କରି ସହଜରେ ଖସିଯିବ ସେଥିପାଇଁ । ସତର୍କ ରହନ୍ତି ସର୍ବଦା । ସମ୍ମୁଖ ସମରକୁ ଭୟ କରନ୍ତିନି ସେମାନେ । ମୁକ୍ତିଯୋଦ୍ଧାମାନଙ୍କୁ ‘ମରିବେ ପଛେ ଡରିବେ ନାହିଁ’ ମନ୍ତ୍ରରେ ଦୀକ୍ଷିତ କରିଛି ଶ୍ରୀହରି ।

 

ଶ୍ରୀହରିର ସଦାବେଳେ ମନେଥାଏ ଯେ ବନ୍ଧୁକର ନଳି ଭିତରେହିଁ ଲୁଚି ରହିଛି ଅସରନ୍ତି ଶକ୍ତି ଏବଂ ସେଇ ଶକ୍ତି ବଳରେ ସମ୍ରାଟ୍‍ ଓ ଶାସକ ମାନଙ୍କୁ ସିଂହାସନଚ୍ୟୁତ କରିବା କଠିଣ ହେବ ନାହିଁ । କିନ୍ତୁ ମାଓ ଯେଉଁ ପରିସ୍ଥିତିରେ କହିଥିଲେ ‘ପାୱାର ଫ୍ଲୋଜ୍‌ ଫ୍ରମ୍‌ ଏ ବ୍ୟାରେଲ୍‌ ଅଫ୍‌ ଏ ଗନ୍‌’ ଅର୍ଥାତ୍‌ ବନ୍ଧୁକର ନଳିରୁହିଁ କ୍ଷମତା ଆସେ । ସେପରି ଅବସ୍ଥା ନାହିଁ ଭାରତବର୍ଷରେ । ଗଣତନ୍ତ୍ରର ଲଡ଼ୁ ଖାଇବା ପରେ ଶ୍ରମଜୀବୀ, କୃଷକ ଓ ତରୁଣମାନେ ଭୁଲି ଯାଇଛନ୍ତି ଯେ ସେମାନଙ୍କ ଭିତରେ ଥିବା ଲଢ଼ୁଆ ଶକ୍ତି ମରିଯାଇ ନ ଥିଲେ ବି ଶିଥିଳ ହୋଇଯାଇଛି । ଗଣତନ୍ତ୍ର ଶାସନରେ ‘ଲୋକମାନେ ଲୋକମାନଙ୍କ ଦ୍ଵାରା ଲୋକମାନଙ୍କ ପାଇଁ’ କେବଳ ଶାସନ କରନ୍ତି ନାହିଁ; ବରଂ କତିପୟ ବୁର୍ଜୁଆ ଗଣତନ୍ତ୍ରର ପତାକା ଧରି ଗଣସ୍ୱାର୍ଥକୁ ହତ୍ୟା କରନ୍ତି ବାରବାର । ସେମାନଙ୍କ କବଳରୁ ଦେଶର ନଥିଲାବାଲାଙ୍କୁ ରକ୍ଷା କରିବା ପାଇଁ ଏପରି ଏକ ମନ୍ତ୍ର ଦରକାର ଯାହା ବାହାର ଶକ୍ତିକୁ ଅପେକ୍ଷା ନ କରି କେବଳ ନିଜ ଭିତରେ ଥିବା ଲୁକ୍କାୟିତ ଶକ୍ତିକୁ ଉଜ୍ଜୀବିତ କରିବ । ତାହାହିଁ ହେବ ମୁକ୍ତିମନ୍ତ୍ର । ସେତେଦିନ ପର୍ଯ୍ୟନ୍ତ କେତେବେଳେ ସ୍ଥିତାବସ୍ଥା ସହିତ ସାଲିସ୍‍ କରିବାକୁ ହେବ । ଆଉ କେତେ ସୀମିତ ପ୍ରାନ୍ତର ମଧ୍ୟରେ ଯେପରି ଫୁଟବଲ ଖେଳାଯାଏ ସେହି କୌଶଳ ଅବଲମ୍ବନ କରିବାକୁ ହେବ । ଗୋଲ ଦବା ଦୁଃସାଧ୍ୟ ନୁହେଁ, କିନ୍ତୁ ଦେଶସାରା ଗୋଲପୋଷ୍ଟ୍ ଭିତରେ ବଲ୍‌ ଭର୍ତ୍ତି କରିବା ପାଇଁ ପ୍ରୟୋଜନ ଅସଂଖ୍ୟ ଖେଳୱାଡ଼୍‌ । ଚୀନର ଗଣବିପ୍ଳବରେ ଅଂଶ ଗ୍ରହଣ କରିଥିଲେ ଲକ୍ଷଲକ୍ଷ ଲୋକ । ଏ ଦେଶରେ ସ୍ଵାଧୀନତା ସଂଗ୍ରାମରେ ଗାନ୍ଧିଜୀଙ୍କ ନେତୃତ୍ୱରେ ମାଡ଼ ଖାଇବା ଜେଲ୍‌ ଯିବା ପାଇଁ ବାହାରି ପଡ଼ିଥିଲେ ଲକ୍ଷ ଲକ୍ଷ ଦେଶବାସୀ ।

 

ଶ୍ରୀହରି ଭାବୁ ଭାବୁ କେତେବେଳେ ଶୋଇପଡ଼ିଥିଲା । ବାହାରେ ପହରା ଦେଉଥିଲେ ଚାରିଜଣ ସଶସ୍ତ୍ର କମ୍ରେଡ଼୍‌ । ଶତ୍ରୁ ଆସିବା ପୂର୍ବରୁ ନେତାଙ୍କୁ ସତର୍କ କରିଦବା ସେମାନଙ୍କର କାମ । ଦିନବେଳୁ ଆକାଶ ମେଘାବୃତ ଥିଲା । ସଂଧ୍ୟାବେଳେ ଥଣ୍ଡା ପବନ ବହୁଥିଲା । ଲାଗୁଥିଲା ମୁହଁ ଉତୁରେଇ ଦକ୍ଷିଣ କୋଣରେ ଅପେକ୍ଷା କରୁଥିବା ମେଘ କେତେବେଳେ ବର୍ଷିଯିବ ତାହା କହି ହେବନି । ସତକୁ ସତ ମେଘ ଯେପରି ଦଳ ବଳ ସହିତ ଧରଣୀ ଉପରକୁ ଲମ୍ଫ ଦବା ପାଇଁ ଅପେକ୍ଷା କରୁଥିଲା । ମଧ୍ୟରାତ୍ରିର ନିସ୍ତବ୍ଧତା ଭାଙ୍ଗି ଆକାଶ ଉପରେ ଯେତେବେଳେ ବର୍ଷା କଚାଡ଼ି ହୋଇପଡ଼ିଲା ମାଟି ଉପରେ ସେତେବେଳେ ଜଗୁଆଳିମାନଙ୍କ ଅସତର୍କ ମୁହୂର୍ତ୍ତରେ କବାଟ ଉପରେ ଠକ୍‌ଠକ୍‌ କଲା ନିୟତି । ଥରେ ନୁହେଁ ଚାରିଥର । ବିପ୍ଳବୀମାନେ ଶୁଅନ୍ତି ନାହିଁ । ଶ୍ରୀହରି ବୁଝିପାରିଲା କିଏ ଡାକୁଛି । ତା’ର ସର୍ବାଙ୍ଗ ହଠାତ୍‌ ଉଚ୍ଚକିତ ହୋଇ ଉଠିଲା । କିନ୍ତୁ ମୁହୂର୍ତ୍ତକ ମଧ୍ୟରେ ତାହା ନିଷ୍ଠୁରଭାବେ ରୋଧ କରି କବାଟ ଖୋଲିଦେଲା ଶ୍ରୀହରି ।

 

ନିୟତି ଭିତରକୁ ପ୍ରବେଶ କରିବା ପରେ କବାଟ ବନ୍ଦ କରିଦେଲା ଶ୍ରୀହରି ।

 

‘‘ଏଇ ଝଡ଼ ବର୍ଷାରେ ଚାଲି ଆସିଲ ଯେ... ।’’

 

‘‘ତୁମ ସହିତ ସାକ୍ଷାତ୍‍ କରିବା ପାଇଁ ଏଇଟାତ ପ୍ରକୃଷ୍ଟ ସମୟ ।’’ ଶାନ୍ତ ସ୍ଵରରେ କହିଲା ନିୟତି ।

 

‘‘କିମିତି ଅଛ ?’’ ଛୋଟ ପ୍ରଶ୍ନ ଶ୍ରୀହରିର ।

 

‘‘ତମେ ଭଲ ଥିଲେ ମୁଁ ଅଛି...’’ କହିଲା ନିୟତି । କଣ୍ଠରୁ ଆବେଗର ଆଭାସ ଉତୁରି ପଡ଼ୁଥିଲା ।

 

‘‘ମୋତେ କ୍ଷମା କରିଦିଅ ନିୟତି...ମୁଁ ମୋ ପ୍ରତିଶ୍ରୁତି ରକ୍ଷା କରିପାରି ନାହିଁ–ତମେ ତ ଜାଣ ବପ୍ଲବୀମାନଙ୍କର ପାଦତଳେ କଣ୍ଟା, ମଥା ରପରେ ତଲ୍‍ୱାର...’’

 

କିଛି ସମୟ ଚୁପ୍‌ ହୋଇ ବସିରହିଲା ନିୟତି । ମନେ ପଡ଼ିଯାଇଥିଲା ସାତବର୍ଷ ପୂର୍ବର କଥା । ସେତେବେଳେ ସେ ଏମ୍‌.ଏ. ପଢ଼ୁଥିଲା । ଆଉ ଶ୍ରୀହରି ଥିଲା କଲେଜର ଅଧ୍ୟାପକ । ସେଇ କେତେଦିନର ପରିଚୟ ଦୁହିଁଙ୍କୁ ନିକଟତର କରିଥିଲା ପରସ୍ପରର । ଦିନେ ସେ ଘରକୁ ଫେରିବାବେଳେ ଶ୍ରୀହରି ହଠାତ୍ କଣ୍ଠରେ ଭାବପ୍ରବଣତା ଖେଳାଇ କହିଥିଲା–‘ମୁଁ ତମକୁ ଭଲପାଏ-।’ ତା ହାତରେ ଆକାଶର ଚାନ୍ଦ ଖସିପଡ଼ିଲା ପରି ଅନୁଭବ କରିଥିଲା ନିୟତି । ସାଙ୍ଗେ ସାଙ୍ଗେ ଅବଶ୍ୟ କିଛି କହିପାରି ନ ଥିଲା । କିନ୍ତୁ ଶ୍ରୀହରି ଯେତେବେଳେ କହିଲା ପୁଣି–‘ମୁଁ ତୁମକୁ ଭଲ ପାଏ ନିୟତି–ତୁମକୁ ବରଣ କରିବାକୁ ଚାହେଁ’–ସେତେବେଳେ ସର୍ବାଙ୍ଗ ଶିହରିତ, ମୁକୁଳିତ ହୋଇଥିଲା ନିୟତିର । ତା’ର ଦେହରେ ଶତକଦମ୍ବର ରୋମାଞ୍ଚ ଲୀଳା କରୁଥିଲା ସେତେବେଳେ ।

 

ସେଇଦିନୁ ଘନିଷ୍ଠତା ବଢ଼ିଲା । ଦୁହେଁ ଦୁହିଁଙ୍କୁ ନ ଦେଖିଲେ ଦୁନିଆଁ ଶୁଷ୍କ ନୀରସ ହୋଇ ଉଠୁଥିଲା । କିନ୍ତୁ ଦିନେ ଏକାନ୍ତରେ ତାକୁ ଯେତେବେଳେ କହିଲା ଶ୍ରୀହରି ଯେ ସେ ଚାକିରି ଛାଡ଼ି ଜନସେବା କରିବ ସେତେବେଳେ ଚମକି ପଡ଼ିଥିଲା ନିୟତି । କିନ୍ତୁ ଆଉ ଚାରା ନ ଥିଲା ତା’ର ଶ୍ରୀହରିକୁ ଅଟକାଇବା ପାଇଁ । ସେ ଭାବୁଥିଲା ଯେ ଶ୍ରୀହରି ହିଁ ତା’ର ସର୍ବସ୍ୱ, ତାକୁ ମନପ୍ରାଣରେ ଚାହେଁ ସେ । କିନ୍ତୁ ତା’ର ନିଷ୍ପତ୍ତି ବିରୁଦ୍ଧରେ ପ୍ରତିବାଦ କରି ନ ପାରି ସେ କେବଳ ଏତିକି କହିଥିଲା ଯେ ସେ ଯାହାକରୁ ଯେଉଁଠି ରହୁ ସେଥିରେ କିଛି ଯାଏ ଆସେ ନାହିଁ, ନିୟତିର ଜଗତରେ ଶ୍ରୀହରି କେବଳ ଏକକ ଅଧୀଶ୍ଵର ।

 

ଶ୍ରୀହରି ତା’ ମୁହଁକୁ ଚାହିଁଥିବା ଦେଖି ମୁହଁ ଖୋଲିଲା ନିୟତି–‘‘କିନ୍ତୁ ବିପ୍ଲବୀକୁ ବରଣ କରିବା ପରେ ଏସବୁ ଭାବନା ଆଉ ମନକୁ ବିଚଳିତ କରେନା । ତମେ ତମ ଧର୍ମପାଳନ କର, ମୁଁ ମୋ ଧର୍ମ ପାଳନ କରିବି । କିନ୍ତୁ କେବଳ ଗୋଟିଏ କଥା; ତୁମ ମୁହଁରୁ ଶୁଣିବାକୁ ଆସିଛି... ଇଚ୍ଛା ନ ଥିଲେ ଉତ୍ତର ଦବ ନାହିଁ, କିନ୍ତୁ ଯଦି କିଛି କୁହ ମୁଁ ଆହ୍ଲାଦିତ ହେବି.... ।’’

 

–‘‘ତମେ ଜାଣ, ମୁଁ କ’ଣ ଶପଥ ନେଇଛି । ବିପ୍ଲବର ଲକ୍ଷ୍ୟ ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଆମେ ସ୍ଵାମୀ ସ୍ତ୍ରୀ ପରି ଏକତ୍ର ରହିପାରିବା ନାହିଁ । ବିବାହ ଗୋଟିଏ ବିଳାସ । ମଣିଷକୁ ଆତ୍ମକୈନ୍ଦ୍ରିକ ଓ ଭୋଗବାଦୀ କରିଦିଏ । ଜନସାଧାରଣଙ୍କ ମୁକ୍ତି ପାଇଁ ମୁଁ ଶପଥ ନେଇଛି...’’ କହିଲା ଶ୍ରୀହରି ।

 

ଏତିକିବେଳେ ହାତ ବ୍ୟାଗ୍‌ଭିତରୁ କିଛି ବାହାର କରି କହିଲା ନିୟତି–‘‘ମୋର ଆଶା ତମେ ପ୍ରତ୍ୟାଖାନ କରିବ ନାହିଁ... ।’’

 

ଶ୍ରୀହରିର ମୁହଁ ଉଜ୍ଜ୍ୱଳ ଦିଶିଲା । ତା’ ଆଖିର ପତା ଟିକେ ନଇଁଗଲା ପରି ଦିଶିଲା । ସେ ବୋଧହୁଏ ଭାବପ୍ରବଣତାକୁ ଅବରୋଧ କରିବା ପାଇଁ ନିଜକୁ ସାଉଁଟି ନବାକୁ ଚେଷ୍ଟା କରୁଥିଲା । କିନ୍ତୁ ସେଇ କାଗଜ ପ୍ୟାକେଟ ଖୋଲି ଗୋଟିଏ କାକରା ପିଠା ଉଠାଇ ନେଇ ମୁହଁ ଭିତରେ ଗୁଞ୍ଜି ଦେଲା ସେ, କିଛି ସମୟ ନୀରବରେ ବସି ରହିଲେ ଦୁହେଁ ।

 

–‘ସମୟ ହୋଇ ଯାଉଛି.....’’ ଦୃଢ଼ ସ୍ୱରରେ କହିଲା ଶ୍ରୀହରି ।

–‘‘ମୁଁ ଜାଣେ । ମୁଁ ଉଠୁଛି..’’ କହିଲା ନିୟତି ।

 

–‘‘ଦେହର ଯତ୍ନ ନବ... ତମେ ଜଣାଅ କି ନ ଜଣାଅ ମୁଁ ତମର ଖବର ନେଉଥିବି.... ।’’ ଏତିକି କହି ଶ୍ରୀହରି ଆଗେଇ ଗଲା କବାଟ ଆଡ଼କୁ ।

 

ତା’ ପାଦତଳେ ହଠାତ୍ ନଇଁ ପଡ଼ି ଉଦ୍‌ଗତ କୋହ ସମ୍ଭାଳି ନେଲା ନିୟତି ।

 

ଘରୁ ନିଷ୍କ୍ରାନ୍ତ ହୋଇଯିବା ପୂର୍ବରୁ କେବଳ କହିଲା–‘‘ମୁଁ ଅନନ୍ତ କାଳ ଅପେକ୍ଷା କରିବାକୁ ପ୍ରସ୍ତୁତ । ମୋର ମୃତ୍ୟୁ ହୋଇପାରେ, ମୋ ପ୍ରେମର ମୃତ୍ୟୁ ନାହିଁ । ମୋତେ କେହି ସଂକଳ୍ପ ଭ୍ରଷ୍ଟ କରିପାରିବେ ନାହିଁ... । ସମୟ ଗର୍ଭରେ ମୁଁ ମହାସତୀ ହୋଇ ରହିଯିବି... ।’’

 

ଶ୍ରୀହରି ତାକୁ ଉଠାଇ ନେଉଥିବାବେଳେ ଆତ୍ମସମ୍ବରଣ କରି କହିଲା ନିୟତି–‘‘ନା, ତମେ ମୋର ସ୍ୱପ୍ନ ହୋଇ ରହିଥାଅ । ଆକାଶର ଧ୍ରୁବତାରା ପରି ମୋ ଆଖରେ ଝଟକୁ ଥାଅ... । ତୁମର ଅନ୍ତରାୟ ହେବିନି ମୁଁ, ବରଂ ବିପ୍ଳବର ବାର୍ତ୍ତା ନେଇ ଆଗେ ଆଗେ ଚାଲିବି... ।’

 

ବର୍ଷା କମି ନ ଥିଲା । କିନ୍ତୁ ସେଇ ଝଡ଼ ବର୍ଷାକୁ ଖାତିର ନ କରି ଯେପରି ଝଡ଼ ପରି ଆସିଥିଲା ସେହିପରି ଝଡ଼ ପରି ନିଷ୍କ୍ରାନ୍ତ ହୋଇଗଲା ନିୟତି ।

 

ତା’ର ଯିବା ବାଟକୁ ଚାହିଁ ରହିଥିଲା ଶ୍ରୀହରି । କବାଟ ବନ୍ଦ କରି ଆଖିରୁ ତା’ର ଅଲକ୍ଷରେ ଝରି ପଡ଼ିଥିବା ଦୁଇ ଟୋପା ଅଶ୍ରୁ ପୋଛି ନବାବେଳେ ତା’ ତୁଣ୍ଡରୁ ବାହାରିଗଲା–‘‘ମୋର ଅକ୍ଷମତା ପାଇଁ କ୍ଷମାକରି ଦେବ । ମୁଁ ତମକୁ ଭଲପାଏ ନିୟତି । କିନ୍ତୁ ସେଇ ପ୍ରେମ ଅନ୍ତରର ଆକୁତି ହୋଇ ରହୁ । ଆକାଶର ତାରା ପରି ଦାଉ ଦାଉ ଜଳୁଥାଉ ଚିରକାଳ-।’’

 

ଦଶ

 

ଥାନାରୁ ଫେରିବାବେଳକୁ ମଧ୍ୟାହ୍ନ ଉତ୍ତୀର୍ଣ୍ଣ ହୋଇସାରିଥାଏ । ସେଠାରେ ପ୍ରାୟ ଚାରିଘଣ୍ଟା ଧରି ତାକୁ ବିଭିନ୍ନ ବିଷୟରେ ଜେରା କରିଥିଲେ ଥାନାବାବୁ । ସେ କେଉଁଠାରେ ପଢ଼ିଥିଲା, କେଉଁମାନଙ୍କ ସହିତ ମିଳାମିଶା କରୁଥିଲା, କ’ଣ ସବୁ ବହି ପଢ଼ିଛି, ତା’ର ଆଦର୍ଶ କ’ଣ, ସେ କ’ଣ କରିବାକୁ ଚାହେଁ, ଦିଲ୍ଲୀ ଯାଇଥିଲା କାହିଁକି, ଇଣ୍ଟରଭିଉରେ କିପରି କଲା, କ’ଣ ପ୍ରଶ୍ନ ସେମାନେ ପଚାରିଲେ, ଦିଲ୍ଲୀ ରହଣି ସମୟରେ କାହା ସହିତ ବନ୍ଧୁତ୍ୱ ହୋଇଥିଲା । ସେ ପ୍ରେମ କରେ କି ? ଶ୍ରୀୟା ସହିତ ତା’ର ବନ୍ଧୁତ୍ୱ କେତେଦିନର ଇତ୍ୟାଦି ଇତ୍ୟାଦି । ଏସବୁ ପ୍ରଶ୍ନର ଉତ୍ତର ଦବାବେଳେ ସେ କିଛି ଲୁଚାଇ ନ ଥିଲା କିଛି ଅସତ୍ୟ କହି ନ ଥିଲା । କେବଳ ଶ୍ରୀହରି ବିଷୟରେ ଗଢ଼ି ଉଠିଥିବା ବନ୍ଧୁତ୍ୱ ସମ୍ବନ୍ଧରେ ସେ ଯାହା କହିଥିଲା ତାହା ମିଥ୍ୟା ନୁହେଁ କି ପୂରାପୂରି ସତ୍ୟ ନୁହେଁ–ଅର୍ଦ୍ଧସତ୍ୟ ।

 

କିଛି ଗୋଟିଏ ପ୍ରଶ୍ନର ଉତ୍ତର ଦବାକୁ ଯାଇ ସେ ଯାହା କହିଥିଲା ଥାନାବାବୁ ସେ କଥା ଶୁଣି ଚକିତ ହୋଇ ଯାଇଥିବା ପରି ଜଣାପଡ଼ୁଥିଲେ । ଜଗନ୍ନାଥ ମନ୍ଦିରରେ ସେ କାହିଁକି ଉଠିଥିଲା, ଏଇ ପ୍ରଶ୍ଵର ଉତ୍ତରରେ ଅରବିନ୍ଦ କହିଥିଲା ଯେ ଜଗନ୍ନାଥଙ୍କ ପରି ସାମ୍ୟବାଦୀ ପ୍ରଭୁ ଆଉ କେହି ନାହିଁ ଜଗତରେ । ତାଙ୍କର ମାନବପ୍ରୀତି ଓ ମୈତ୍ରୀଭାବନାର ଅନ୍ତ ନାହିଁ । ହୋଟେଲରେ ରହିବା ପାଇଁ ତା’ ପାଖରେ ଯଥେଷ୍ଟ ଟଙ୍କା ନ ଥିଲା, କିନ୍ତୁ ଜଗନ୍ନାଥଙ୍କ ଶରଣ ନବାପାଇଁ ତା’ ପ୍ରାଣରେ ଥିଲା ପ୍ରଚୁର ଆକୁତି । ସେହି କାରଣରୁ ସେ ଟାଣି ହୋଇ ଚାଲିଯାଇଥିଲା ଜଗନ୍ନାଥ ମନ୍ଦିରକୁ । ଓଡ଼ିଶାର ଏତେଦୂରରେ ତାଙ୍କୁହିଁ କେବଳ ସେ ନିଜର, ଅତି ଅନ୍ତରଙ୍ଗ ଓ ଆପଣାର ଭାବି ଚାଲି ଆସିଥିଲା ସେଠାକୁ । ଏବଂ ସେଇ ଅନନ୍ୟ କେତେଦିନର ସ୍ମୃତି ତା ଜୀବନ ଦର୍ଶନକୁ କ’ଣ କମ୍‌ ପ୍ରଭାବିତ କରିଛି ?

 

ଥାନାବାବୁ ବିସ୍ମୟରେ ପଚାରିଥିଲେ ଜଗନ୍ନାଥଙ୍କୁ ସେ କେଉଁ ଦୃଷ୍ଟିରେ ଦେଖେ ? ସେଇ ପ୍ରଶ୍ନର ଉତ୍ତରରେ ଅରବିନ୍ଦ ନିଷ୍କମ୍ପ ସ୍ଵରରେ ତାଙ୍କୁ କହିଥିଲା ଯେ ଜଗନ୍ନାଥ କେବଳ ଜଗତର ଇଷ୍ଟ ନୁହଁନ୍ତି । ସେ କଳିଯୁଗର ନୂତନ ଚେତନା । ଜଗତର ଆରାଧ୍ୟ ଏବଂ ମନୁଷ୍ୟଠାରୁ ଅଲଗା ନ ରହି ତା’ ସହିତ ଲୀଳାଖେଳା କରି ତାକୁ ରୂପାନ୍ତରିତ କରିବାକୁ ଚାହାନ୍ତି ସେ । ସେଇଥିପାଇଁ ତ ନିତ୍ୟ ଲୀଳାର ବନ୍ଧନ ମଧ୍ୟରୁ ମୁକ୍ତି ପାଇ ଅତି ସରାଗରେ ସେ ବାହାରି ପଡ଼ନ୍ତି ନବଦିନ ଘୋଷାଯାତ୍ରାରେ-। ସେଇ ନଅଦିନରେ ନଅଟି ମନ୍ୱନ୍ତରର ଭାବନା, ଚେତନା କେନ୍ଦ୍ରୀଭୂତ ହୁଏ ମଣିଷ ପ୍ରାଣରେ । ତାହାରି ଭିତରେ । ଦେବତା ଅବତରଣ କରନ୍ତି । ମୁଗ୍‍ଧ ବିସ୍ମୟ ପୁଲକ ନେତ୍ରରେ ସେ କେବଳ ଗାଉଥାଏ ତାଙ୍କର ଗୀତ । ତାର ଉଚ୍ଚାରଣରେ କେବଳ ମୁଖରିତ ହେଉଥାଏ ଜୀବନର ବଡ଼ଦାଣ୍ଡ ।

 

ଭାବୁ ଭାବୁ ନିଜ ଭିତରେ ହଜି ଯାଉଥିଲା ଅରବିନ୍ଦ । ତାକୁ ଘର ଭିତରକୁ ପ୍ରବେଶ କରିବାକୁ ଦେଖି ସାବିତ୍ରୀ କହିଲେ–‘‘ଖିଆପିଆ ନାହିଁ, ମୁହଁ ଶୁଖିଯାଇଛି । କୋଉଠି ଥିଲୁ ଏଯାଏ-?’’

 

–‘‘ଥାନାବାବୁ ଡାକିଥିଲେ ।’’

–‘‘ଥାନାବାବୁ କ’ଣ କହିଲେ ?’’

 

–‘‘ସେଇ ପୁରୁଣା କଥା ପଚାରୁଥିଲେ । ଶ୍ରୀହରି କିଏ ? ତା ସହିତ କେତେଦିନର ବନ୍ଧୁତ୍ୱ । ଜଗନ୍ନାଥ ମନ୍ଦିରରେ କାହିଁକି ଉଠିଥିଲ ଇତ୍ୟାଦି । ପୁଲିସ୍‍ର ସନ୍ଦେହ ମୋଚନ କରିବା ପାଇଁ ହୁଏତ ଆହୁରି କେତେଥର ଦଉଡ଼ିବାକୁ ପଡ଼ିପାରେ ।’’

 

ପୁଅ ହାତକୁ ଚିଠି ଖଣ୍ଡେ ବଢ଼ାଇ ଦେଇ କହିଛନ୍ତି ସାବିତ୍ରୀ–‘‘ରେଜେଷ୍ଟ୍ରି ଚିଠି । ଦେଖିଲୁ କ’ଣ ଲେଖାଅଛି?’’

 

ଅରବିନ୍ଦ ଲଫାପା ଉପରେ ଲେଖାଥିବା ଠିକଣା ଦେଖି ଚମକି ପଡ଼ିଥିଲା । ଚିଠି ଖୋଲି ପଢ଼ିଲା ଦିଲ୍ଲୀରୁ ଆସିଥିବା ନିଯୁକ୍ତି ପତ୍ର । ମାସକୁ ଦରମା ପଚିଶ ହଜାର .... ।

 

ସାବିତ୍ରୀଙ୍କ ପାଦଧୂଳି ନବା ପାଇଁ ନଇଁ ପଡ଼ୁଥିବାବେଳେ ମୁହଁ ଉପରେ ପ୍ରସନ୍ନତା ଖେଳାଇ ସେ କହିଲେ–‘‘କ’ଣ ଚାକିରି ହୋଇଯାଇଛି ଅରୁ ?’’

 

ଅରବିନ୍ଦ କହିଲା–‘‘ତୁ ଆଶୀର୍ବାଦ କରିଥିଲୁ, ହେବନାହିଁ ! ମାସକୁ ଦରମା ପଚିଶ ହଜାର..... ପନ୍ଦର ଦିନ ମଧ୍ୟରେ ଚାକିରିରେ ଯୋଗ ଦେବାକୁ ହେବ ।’’

 

–‘‘ବାପା ବଜାରକୁ ଯାଇଛନ୍ତି । ଫେରିଲେ ଏଇ ଶୁଭଖବର ତାଙ୍କୁ ମୁଁ ନିଜେ କହିବି ।’’ କହିଲା ଅରବିନ୍ଦ ।

 

ସାବିତ୍ରୀ ଅରବିନ୍ଦର ଓଠ ଛୁଇଁ କହିଲେ–‘‘କାଲିପରି ଲାଗୁଛି ! ତୁ ଜନ୍ମିବା ପରେ ବାପା କହିଥିଲେ ତାଙ୍କ ଭାଗ୍ୟ ଖୋଲିଯିବ । ସେତେବେଳେ ବାପାଙ୍କ ଦରମା କେତେ ଥିଲା ଜାଣୁ ଅରୁ ? ପାଞ୍ଚ ଶହ ଟଙ୍କା ! ଆଉ ତୁ ଆରମ୍ଭ କରିବୁ ମାସକୁ ପଚିଶ ହଜାରରେ । ଜଗତ କେତେ ବଦଳି ଯାଇଛି ଏଇ କେତେ ବର୍ଷରେ !’’

 

ଅରବିନ୍ଦ ମା’ଙ୍କୁ କୁଣ୍ଢେଇ ପକାଇ କହିଲା–“ମୁଁ ଯେ ଖାଇନି ତୁ ଭୁଲି ଯାଇଛୁ ମା ?’’

 

ତା’ ଗାଲ ଉପରେ ଚୁମା ଦେଇ କହିଲେ ସୀବିତ୍ରୀ–‘‘ତୋ ପରି ପୁଅ ସବୁ ମାଆମାନଙ୍କୁ ମିଳନ୍ତା କି ? ଏଇ ଖୁସି ଖବର ଶୁଣି ସତରେ ତୋ ଖାଇବା କଥା ଭୁଲି ଯାଇଥିଲି । ଆଛା ତୁ ହାତ ମୁହଁ ଧୋଇ ଆ... ମୁଁ ବାଢ଼ୁଛି...।’’

 

ଅରବିନ୍ଦ ଖାଉଥିବାବେଳେ ପୁଣ୍ୟାତ୍ମା ଆସି ପହଞ୍ଚିଲେ । ହାତରୁ ବ୍ୟାଗ୍‌ ରଖି ଛତା ଅଲଗୁଣିରେ ଓହଳାଇ ଦେଇ କହିଲେ–‘‘ଦି ପହର ଗଡ଼ିଗଲାଣି, ଏଇନେ ଖାଉଛୁ ?’’

 

ତାଙ୍କୁ ଆଉ ଜେରା କରିବାକୁ ନ ଦେଇ ସାବିତ୍ରୀ କହିଲେ–‘‘ଜଗନ୍ନାଥଙ୍କ ଦୟା ସବୁ... ଅରୁ ଚାକିରି ପାଇଛି... ମାସକୁ ଦରମା ପଚିଶ ହଜାର... ପନ୍ଦରଦିନ ସମୟ ଦେଇଛନ୍ତି ଚାକିରିରେ ଯୋଗ ଦବାପାଇଁ... ।’’

 

ପୁଣ୍ୟାତ୍ମାଙ୍କ ଆଖି ସଜଳ ହୋଇ ଉଠିଲା । କଣ୍ଠ ବାଷ୍ପରୁଦ୍ଧ ହେଲା । ସେ କ’ଣ କହିବାକୁ ଯାଉଥିଲେ, କିନ୍ତୁ ଶବ୍ଦଟିଏ ବି ଉଚ୍ଚାରଣ କରିପାରିଲେ ନାହିଁ ।

 

ଅରବିନ୍ଦ ହାତ ଧୋଇ ବାପାଙ୍କ ପାଦଧୂଳି ନେଲା । ତାକୁ ଛାତିରେ ଜାକି ଧରିଲେ ପୁଣ୍ୟାତ୍ମା । ଜଗନ୍ନାଥ ତାଙ୍କ ଡାକ ଶୁଣିଛନ୍ତି । ସେ ଯାହା ଚାହୁଁଥିଲେ ତା’ଠାରୁ ଅନେକ ବେଶୀ ଦେଇଛନ୍ତି । ସେ ଅନ୍ତର୍ଯ୍ୟାମୀ । ସେ ପତିତପାବନ । ସେ ବଳିଆରଭୁଜ । ତାଙ୍କ କରୁଣାର ଅନ୍ତ ନାହିଁ ।

 

–‘‘ତମେ ଚାହିଁରହିଛ କ’ଣ ମ, ପୁଅକୁ କିଛି କୁହ... ।’’ ନୀରବତା ଭାଙ୍ଗି କହିଲେ ସାବିତ୍ରୀ ।

 

–‘‘କ’ଣ ଆଉ କହିବି ! ମୁଁ ଧନ୍ୟ ହେଲି ସାବିତ୍ରୀ । ସଡ଼କରେ ଚାଲିଗଲେ ବନ୍ଧୁ, ପରିଚିତମାନେ କହିବେ ଅରବିନ୍ଦର ବାପା ଯାଉଛନ୍ତି । ଭାଗ୍ୟରେ ଥିଲେ ଏପରି ପୁଅ ମିଳେ...।’’ କହିଲେ ପୁଣ୍ୟାତ୍ମା ମିଶ୍ର ।

 

ସେ ଦାଣ୍ଡକୁ ବାହାରିଗଲେ । ମୁହଁ ତାଙ୍କର ଖଲବଲ ହେଉଥାଏ । ପୁଅ ଚାକିରି ପାଇଥିବା କଥା ସମସ୍ତଙ୍କୁ କହିବା ପାଇଁ । ମନ ଉନ୍ମୁଖ ହେଉଥାଏ ପ୍ରଭୁଙ୍କ ପାଦତଳେ ଲୋଟି ପଡ଼ିବା ପାଇଁ । ସେ ଯେଉଁଦିନ ଚାକିରି ପାଇଥିଲେ ସେଦିନ କେହି ନ ଥିଲେ ସେଇ ଶୁଭଖବର ଶୁଣିବା ପାଇଁ । ବାପା, ମା’ ତା ଆଗରୁ ଚାଲି ଯାଇଥିଲେ । ସେମାନଙ୍କର ପୁଣ୍ୟଫଳରୁ ତାଙ୍କୁ ଖଣ୍ଡେ ଛୋଟ ଚାକିରି ମିଳି ଯାଇଥିଲା । ସେମାନେ ସିନା ଏତେ ସୁଖ ଦେଖବାକୁ ରହିଲେ ନାହିଁ, କିନ୍ତୁ ସେମାନଙ୍କ ଋଣ କ’ଣ ଶୁଝିପାରିବେ ସେ ? ଅଳ୍ପ ଦରମାରେ ପରିବାର ଚଳାଇବା କି କଷ୍ଟ ସେ ଜାଣନ୍ତି । ତାଙ୍କ ଅଙ୍ଗେ ନିଭା କାହାଣୀ କେବଳ ଶୁଣନ୍ତି ସାବିତ୍ରୀ । ଏଇ ମହରଗ ସମୟରେ ଅଛି ଦରମାର ଚାକିରି ନେଇ ସେ ପ୍ରତିଦିନ କିପରି ଯୁଝନ୍ତି, ରକ୍ତାକ୍ତ ହୁଅନ୍ତି ତାହା ଶୁଣିବାପାଇଁ । ଆଉ କାହାର ସମୟ ଅଛି ? କିନ୍ତୁ ପେଟରୁ ଦେହରୁ କାଟି ପୁଅକୁ ପଢ଼ାଇଥିଲେ ବୋଲି ଆଜି ଈଶ୍ୱର ଏହାର ଫଳ ଦେଇଛନ୍ତି । ତାଙ୍କରି କୃପା ବିନା କିଛି ହୁଏନାହିଁ । ସେ ଅଛନ୍ତି ସେହି ପ୍ରଳୟ ପ୍ରୟୋଧି ଜଳରେ ମାର୍କଣ୍ଡ ୠଷି ଭାସି ଯାଉଥିବାବେଳେ ତାଙ୍କୁ ଉଦ୍ଧାର କରିଥିଲେ, ସେ ଅଛନ୍ତି ବୋଲି ଲକ୍ଷେ ଯୋଜନ ଦୂରରେ ଗଜ ସଂକଟରେ ପଡ଼ି ତାଙ୍କୁ ଡାକିଥିଲା ବୋଲି ସେ ଚକ୍ରଦ୍ୱାରା କୁମ୍ଭୀରର ବେକ କାଟି ଗଜକୁ ରକ୍ଷା କରିଥିଲେ ।

 

ଯୁବ ସଂଘ ଆଗରେ ଦେଖା ହୋଇଗଲା ପ୍ରେମାନନ୍ଦ ବାବୁଙ୍କ ସହିତ । ଚାଳିଶ ବର୍ଷ ଶିକ୍ଷକତା କରି ଅବସର ନେଇଛନ୍ତି ଏଇ ବରଷେ ହେଲା । ପୁଣ୍ୟାତ୍ମାଙ୍କୁ ଦାଣ୍ଡରେ ଦେଖି ସେ କହିଲେ–‘‘ହଜିଲା ବଳଦ ଖୋଜିଲା ଠେଇଁ... ତମକୁ ତ ମନେ ମନେ ଖୋଜୁଥିଲି ହେ ପୁଣ୍ୟାତ୍ମା ! ରାମନବମୀକୁ ଆଉ ସତରଦିନ ରହିଲା। ପାଣ୍ଠି ସଂଗ୍ରହ କରିବା କାମ ଆରମ୍ଭ ହୋଇନାହିଁ । ତମେ ଟିକେ ସମୟ ଦିଅ । ଆମେ ଦୁହେଁ ଘର ଘର ବୁଲି ଚାନ୍ଦା ଆଦାୟ କରିବା ।’’

 

ପୁଣ୍ୟାତ୍ମାଙ୍କ ତୁଣ୍ଡରୁ ବାହାରିଗଲା–‘‘ମୁଁ ଏଥର ଦୁଇଶହ ଏକଟଙ୍କା ଦେବି ପଣ୍ଡିତେ । ଆସନ୍ତା ବର୍ଷକୁ ହଜାରେ ଏକ । ପୁଅ ଚାକିରି ପାଇଛି.. ମାସକୁ ଦରମା ପଚିଶ ହଜାର.... ।’’

 

 

ତାଙ୍କ ହାତ ଧରି ପକାଇଲେ ପ୍ରେମାନନ୍ଦ ପଣ୍ଡିତେ । କାନକୁ ବିଶ୍ୱାସ ହେଉ ନ ଥାଏ । ବଡ଼ ପୁଅଟା ତିନିବର୍ଷ ହେଲା ଏମ.ଏ.ପାସ୍‌ କରି ବୁଲୁଛି । ଚାକିରି ନାହିଁ । ସାନଟା ତ ସେଇ ମ୍ୟାଟ୍ରିକ୍‌ରେ ରହିଲା । ବାଳୁଙ୍ଗା ଜନ୍ମ କରିଥିଲେ ସେ । କିନ୍ତୁ ପୁଣ୍ୟାତ୍ମା ମିଶ୍ରଙ୍କ କପାଳ ଭଲ । ପୁଅ ବଡ଼ ଚାକିରି ପାଇଛି । ମାସକୁ ଦରମା ପଚିଶ ହଜାର । ପୂର୍ବ ଜନ୍ମର ତପସ୍ୟା । ପିତାମାତାଙ୍କ ପୁଣ୍ୟଫଳ । ତାଙ୍କରି ହାତରେ କେତେ ପିଲା ମଣିଷ ହେଲେ । କିଏ କଲେକ୍ଟର ତ ଆଉ କେହି ଡାକ୍ତର ହେଲେ । କିନ୍ତୁ ନିଜ ପୁଅଗୁଡ଼ା କୌଣସି କାମକୁ ପାଇଲେ ନାହିଁ । କପାଳ ଲିଖନ କେ କରିବ ଆନ । ଫଟା କପାଳ ନେଇ ଯୁଝିବେ ସାରାଜୀବନ ।

 

ପ୍ରେମାନନ୍ଦ ବାବୁଙ୍କୁ ଛାଡ଼ି ପୁଣ୍ୟାତ୍ମା ଆଗେଇଲେ । ସେ ଜାଣନ୍ତି ଆଉ କାହାକୁ ନ କହିଲେ ବି ସନ୍ଧ୍ୟା ପୂର୍ବରୁ ପଣ୍ଡିତଙ୍କ ମୁହଁରୁ ଏଇ ଶୁଭଖବର ଖେଳିଯିବ ସାରା ସାହିରେ । ତୁଣ୍ଡ ବାଇଦ ସହସ୍ର କୋଶ ।

 

ଅରବିନ୍ଦ ଫୋନ୍‌ କରିଦେଲା ଶ୍ରୀୟାକୁ । ଏଇ ଶୁଭଖବର ଶୁଣି ସ୍ୱର୍ଗରୁ ଚାନ୍ଦ ପାଇବା ପରି ଖୁସି ହେଲା ସେ । ତା’ପାଦତଳେ ଥିବା ମାଟି ମହମହ ବାସିଲା । ଶେଷ ଚଇତାଳି ସୁଲିସୁଲିଆ ପବନ ସର୍ବାଙ୍ଗକୁ ଶିହରିତ କରିଦେଇ ଗଲା । ଅନ୍ତର ଭିତରେ ଶତଦଳ ଫୁଟିବା ପରି ଲାଗିଲା ତାକୁ । ସେ ଦୌଡ଼ିଯାଇ ମା’ଙ୍କୁ କହିଲା–‘‘ଅରବିନ୍ଦ ଚାକିରି ପାଇଛି ମା’... ଭଲ ଚାକିରି... ଭଲ ଦରମା...।’’

 

କରୁଣା ନ ଶୁଣିବା ପରି ଚାଲି ଯାଉଥିଲେ, କିନ୍ତୁ ଫେରିଆସି କହିଲେ–‘‘ତୋ ଭିତରେ ବି ଉଜ୍ଜ୍ୱଳ ସମ୍ଭାବନା ଅଛି । ତୁ ଚେଷ୍ଟା କଲେ ସିଭିଲ ସର୍ଭିସ ପାଇବା କଷ୍ଟ ହେବନାହିଁ ।’’

 

କିନ୍ତୁ ଭାବି ପାରେନା ଶ୍ରୀୟା ସିଭିଲ ସର୍ଭିସରେ ଏତେ ନିଶା କାହିଁକି ଓଡ଼ିଶାର ମା’, ବାପା, ତରୁଣମାନଙ୍କର ! ଗୁଜୁରାଟର ଚନ୍ଦନ ଦେଶାଇ ଜେ.ଏନ. ୟୁ.ର ବ୍ରିଲିୟାଣ୍ଟ୍ ଷ୍ଟୁଡ଼େଣ୍ଟ୍‍ । କିନ୍ତୁ ତାକୁ ଯେତେବେଳେ ସେ ପଚାରିଥିଲା କ’ଣ କରିବ ବୋଲି ସେ କ’ଣ କହିଥିଲା ଏବେ ବି ମନେଅଛି ଶ୍ରୀୟାର । ସେ କହିଥିଲା, ମୁଁ ଗୋଟେ ଭଲ ଏନ.ଜି.ଓ.ରେ ଯୋଗଦେବି । ସମାଜ ସେବା କରିବି । ଅମଲାତନ୍ତ୍ର କବଳରୁ ଏ ଦେଶକୁ ରକ୍ଷା କରିବା ପାଇଁ ଉଦ୍ୟମ କରିବି । ସିଭିଲ ସର୍ଭିସ ପରୀକ୍ଷା ଆଉ କେତେଜଣ ଦେଲେ । ଚନ୍ଦନ କିନ୍ତୁ ଦେଲାନାହିଁ । ଛୁଟିଦିନ ସେ ଚାଲିଯାଏ ସହରତଳି ଅଞ୍ଚଳକୁ ଦାରିଦ୍ର୍ୟର ସୀମାରେଖା ତଳେ ଥିବା ଶ୍ରମଜୀବୀମାନେ କିପରି ବଞ୍ଚନ୍ତି ତାହା ଦେଖିବାପାଇଁ, ସେମାନଙ୍କ ସହିତ ମିଶିବା ପାଇଁ ଏବଂ ଉଦ୍ୟମ କରେ ସେମାନଙ୍କ ଛୋଟ ଛୋଟ ସମସ୍ୟା ସମାଧାନ କରିବା ପାଇଁ । ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ଥବାବେଳେ ହିସାବ କରିଥିଲେ ସରକାର ଖର୍ଚ୍ଚ କରୁଥିବା ଏଇ ବିପୁଳ ଅର୍ଥ ଯାଉଛି କୁଆଡ଼େ ? କିଏ ଲାଭ ଖାଉଛି ? ଲୋକମାନଙ୍କ ପାଖରେ କେତେ ପହଞ୍ଚୁଛି । ସେଥିରୁ ଜଣାଗଲା ଯେ ଶହେ ପଇସା ସରକାର ଖର୍ଚ୍ଚ କରେ ହିତାଧିକାରୀ ହାତକୁ ଯାଉଛି ମାତ୍ର ପନ୍ଦର ପଇସା । ଆଉ ପଞ୍ଚାଅଶି ପଇସା ଖାଇଯାଉଛନ୍ତି ବାଟ ଜଗି ବସିଥିବା ଦଲାଲ୍‌, ରାଜନେତା, ଅମଲା, ଅଫିସର ଓ ଠିକାଦାର ।

 

ଚନ୍ଦନ ଦେଶାଇ ପରି ଶ୍ରୀୟା ବି ନିଷ୍ପତ୍ତି କରିଥିଲା ସମାଜ ସେବା କରିବା ପାଇଁ । ସମ୍ଭବ ହେଲେ ନିଜେ ଗୋଟିଏ ସ୍ଵେଚ୍ଛାସେବୀ ସଙ୍ଗଠନ ଖୋଲିବ ସେ । ସେ ଏବେ ବି ସେଇ ସ୍ଵପ୍ନ ଦେଖେ, ସେଇ ସ୍ୱପ୍ନରେ ବିଭୋର ହୁଏ ।

 

ବାହାରକୁ ଯାଉଛି ବୋଲି ମା’ଙ୍କୁ କହି ଶ୍ରୀୟା ସିଧା ବାହାରିପଡ଼ିଲା ଅରବିନ୍ଦ ସହିତ ଦେଖା କରିବାପାଇଁ ।

 

ବାରନ୍ଦାରେ ବସିଥିଲା ଅରବିନ୍ଦ ।

 

ତା’ ହାତକୁ ସଜ ରଜନୀଗନ୍ଧାର ସ୍ତବକ ବଢ଼ାଇ ଦେଇ କହିଲା ଶ୍ରୀୟା–‘‘ଓ୍ୱାର୍ମ ଗ୍ରିଟିଙ୍ଗ୍‌ସ୍-। କିନ୍ତୁ ତମେ କ’ଣ ଜାଣ ଅରବିନ୍ଦ ! ମୋତେ ଲାଗୁଛି ମୁଁ ଯେପରି ଚାକିରି ପାଇଛି । ଭୂଇଁରେ ମୋ ପାଦ ଲାଗୁନାହିଁ, ମନ କହୁଛି ଉଡ଼ି ବୁଲିବା ପାଇଁ...।’’

 

ତାପରେ ଜିଭ କାମୁଡ଼ି କହିଲା–‘‘ଏକ୍‌ସ୍କିଉଜ୍‌ ମି.... ମୁଁ କ’ଣ ନା କ’ଣ କହିଯାଉଛି ।’’

 

–‘‘ତମକୁ ଅଶେଷ ଧନ୍ୟବାଦ ଶ୍ରୀ । ଜାଣ, ବାପା ମା’ଙ୍କୁ କହିବା ପରେ ମୁଁ ତୁମକୁ ହିଁ ରିଙ୍ଗ୍ କରିଥିଲି । କାରଣ ମୁଁ ଜାଣେ ଏ ଭଲ ଖବରଟା ଯେତେଶୀଘ୍ର ସମ୍ଭବ ତୁମେ ଜାଣିବା ଦରକାର...।’’ କହିଲା ଅରବିନ୍ଦ ।

 

–“କାହିଁକି ? ମୁଁ ତୁମର କ’ଣ ଏତେ ନିକଟର ?’’ ଆଖି ନଚାଇ କହିଲା ଶ୍ରୀୟା ।

 

ଅରବିନ୍ଦ ଚାରିଆଡ଼କୁ ଚାହିଁଦେଇ ହଠାତ୍‌ କହିପକେଇଲା–‘ୟେସ୍‌, ୟେସ୍‌ ! ତମେ ଭାବନାର ଅଂଶ.... ତମେ ମୋ ଆକାଶର ଧ୍ରୁବ ତାରା... ।’’

 

–‘‘ଇସ୍‌ !’’ ଲାଜେଇ ଯାଇ କହିଲା ଶ୍ରୀୟା ।

–‘‘ଆଜି ଏଇ ମୁହୂର୍ତ୍ତରେ କ’ଣ ଇଚ୍ଛା ହେଉଛି ଜାଣ ଶ୍ରୀ ?’’

–‘‘କହି ଦଉନ ?’’

–‘‘ତମେ ଆଉଥରେ ସେଇ କଥା କହନ୍ତ କି ?’’

–‘‘କୋଉ କଥା...’’ କହିଲା ଶ୍ରୀ ।

–‘‘ସେଦିନ ଚା’ ପିଇ ଫେରିବାବେଳେ ତମେ ଯାହା କହିଥିଲ...’’

–‘‘ଦୁଷ୍ଟାମି ବଢ଼ିଯାଉଛି...’’ କହିଲା ଶ୍ରୀୟା ।

 

–‘‘ନୋ, ନୋ,... ଦୁଷ୍ଟାମି ବି ଭଲ ପାଇବାର ଲକ୍ଷଣ ଶ୍ରୀ । ଆଇ ଲଭ୍‌ୟୁ.. ଆଉ ତମେ କହୁନ ଯେ କିଛି...’’

 

–‘‘ଆଇ ଲଭ୍‌ ୟୁ ଅରୁ...’’ ଅବିର ମୁଠାଏ ତା’ ମୁହଁ ଉପରେ କିଏ ବୋଳିଦେଲା ଯେପରି ।

 

ସାବିତ୍ରୀ ଝରକା ସେପାଖରୁ ଶୁଣୁଥିଲେ ସବୁ । ସେ ହାତଯୋଡ଼ି ପ୍ରଣାମ କଲେ ଜଗନ୍ନାଥଙ୍କୁ ଏବଂ ମନେ ମନେ କହିଲେ ସେମାନଙ୍କୁ ସୁଖୀ କର ପ୍ରଭୁ... ସେମାନଙ୍କୁ କଲ୍ୟାଣ କର...

 

ସେମାନେ ଉଠିବା ପୂର୍ବରୁ ପୁଣ୍ୟାତ୍ମା ଫେରିଆସିଲେ । ହାତରେ ଗୋଟେ ପ୍ୟାକେଟ୍‍ ।

ତାଙ୍କ ଡାକ ଶୁଣି ଭିତରୁ ବାହାରି ଆସିଲେ ସାବିତ୍ରୀ ।

 

–‘‘ମଙ୍ଗଳାଙ୍କର ମନ୍ଦିରରୁ ଭୋଗ କରି ଆଣିଛି । ଅରୁ ସନ୍ଦେଶ ଭଲପାଏ, ତାକୁ ଦିଅ.... ଶ୍ରୀୟାକୁ ଦିଅ...’’

 

ତାଙ୍କ ପାଦଧୂଳି ନେଇ କହିଲା ଶ୍ରୀୟା “କିନ୍ତୁ ଖାଲି ସନ୍ଦେଶ ଖୁଆଇ କାମ ସାରିଦେବେନି ମାଉସୀ । ଗୋଟେ ଫିଷ୍ଟ ଦବାକୁ ହେବ ।’’

 

–‘‘ହଁ, ମା, ତୋତେ ଦେବିନି ତ ଆଉ କାହାକୁ ଦେବି... ଆଜି ରହିଯାଉନୁ ରାତିଯାଏ । ଖାଇସାରି ଯିବୁ ।’’

 

‘‘ନା, ମାଉସୀ ଆଜି ନୁହେଁ.... ଆଜି ନୁହେଁ ଆଉ ଦିନେ । ମା’ ଖୋଜୁଥିବ କୁଆଡ଼େ ରହିଗଲି ବୋଲି...।’’

 

ଭୋଗ ଖାଇ ଶ୍ରୀୟା ବିଦାୟ ଦେଇ ଚାଲିଗଲା ।

 

ପୁଣ୍ୟାତ୍ମା କହିଲେ–‘‘ମୁଁ ଯଦୁବାବୁଙ୍କ ପାଖକୁ ଯାଇଥିଲି । ସେ ପାଞ୍ଜି ଦେଖିକରି କହିଲେ ଏପ୍ରିଲ ପହିଲା ଦିନ ସୋମବାର । ଭଲଦିନ । ସକାଳ ନଅଟାରୁ ଏଗାରଟା ପର୍ଯ୍ୟନ୍ତ ଅମୃତବେଳା । ଶୁଭଲଗ୍ନ । ଗୃହ ପ୍ରବେଶ, ଦେବତା ଗଠନ, ନାମକରଣ, ଅନ୍ନପ୍ରସନ୍ନ, ବ୍ରତ, ବିବାହାଦି ଶୁଭଦିନ ପାଇଁ ଲଗ୍ନ ଅଛି ସେଦିନ । ଏଠାରୁ ଶୁକ୍ରବାର ଅଣତିରିଶ ତାରିଖ ବାହାରିବ । ତିରିଶରେ ପହଞ୍ଚିବ ଦିଲ୍ଲୀରେ । ଏକତିରିଶ ଦିନ ବିଶ୍ରାମ । ପହିଲା ଜଏନ୍‌ କରିବ ।''

 

‘‘ଆଉ ଏଗାରଦିନ ହାତରେ ।

 

ଏଇ ଏଗାରଦିନରେ ପୃଥିବୀର ଅନେକ ଅଦଳ ବଦଳ ହୋଇଯାଇଥିବ । କେତେ ନୂତନ ସମ୍ଭାବନା ସୃଷ୍ଟି ହେବ ତ ମଣିଷର ପ୍ରତ୍ୟୟରେ ଲାଳିତ ହେଉଥିବା କେତେକ ଫୁଟି ନ ପାରି ଖସି ପଡ଼ୁଥବା କଢ଼ ପରି ଧୂଳିରେ ଲୋଟିବ । ଆଜିଯିଏ ରାଜେନ୍ଦ୍ରାସନେ ତାକୁ ହୁଏତ କାଲି ଫକୀର ବେଶରେ ଦେଖିବାକୁ ମିଳିବ । ଆଉ ଦାବି ପୂରଣ କରିବା ପାଇଁ ଅଫିସ୍‍ ଆଗରେ ତଣ୍ଟି ଫଟାଇ ଚିତ୍କାର କରୁଥିବା ଆପଣଙ୍କର ସମସ୍ତ ଦାବି ହୁଏତ ଏଇ ସମୟ ଭିତରେ ପୂରଣ ହୋଇଥିବ । ନୂତନକୁ ସ୍ଥାନ ଛାଡ଼ିଦେଇ ପୁରାତନ ଘୁଞ୍ଚି ଯାଉଥିବ ତ ଆଉ କେଉଁଠାରେ ମାଟି ଫଟାଇ ଉପରକୁ ଉଠୁଥିବ ନୂତନ ଅଙ୍କୁରଟିଏ ମଣିଷ ମନର ଅସରନ୍ତି ପ୍ରତ୍ୟାଶା ନେଇ ।

ଅରବିନ୍ଦର ହାତ ମୁଠାରେ ପୃଥିବୀ ।

ସେ ଦୂରକୁ ଚାହିଁବାବେଳକୁ ଖଣ୍ଡଗିରି ସେ ପାଖରୁ ସୂର୍ଯ୍ୟଦେବଙ୍କର ଶେଷ ଆଭା ପାହାଡ଼ ଉପରେ ତରଳ ସୁନା ପରି ବିଛାଇ ହୋଇ ପଡ଼ିଥିଲା ।

ଏଇଠାରୁ ଦିନେ ଜଗତର ଗୁରୁ ମହାତ୍ମା ମହାବୀରଙ୍କର ବାଣୀ ପ୍ରସାରିତ ହୋଇଥିଲା ବିଭିନ୍ନ ସ୍ଥାନକୁ । ସେପାଖରେ ଉଦୟଗିରି । ଭଗବାନ ବୁଦ୍ଧଙ୍କର ବାଣୀ ପ୍ରଚାର କରିବା ପାଇଁ ଏଇଠାରୁ ଯାତ୍ରା ଆରମ୍ଭ କରିଥିଲେ ସମ୍ରାଟ୍‍ ଅଶୋକଙ୍କ ପୁତ୍ର ମହେନ୍ଦ୍ର ଓ କନ୍ୟା ସଂଘମିତ୍ରା । ଏଇ ପୁଣ୍ୟଭୂମି ତପୋବନରେ ଗଢ଼ି ଉଠିଛି ଅତିମାନସ ଶକ୍ତିର ଉଦ୍‌ଗାତା ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ସମାଧି ପୀଠ ।

ନଶ୍ଵର ମଣିଷର ଶାଶ୍ୱତ କୀର୍ତ୍ତିର ସ୍ମାରକ ଏଇ ଭୁବନେଶ୍ଵର । ମହାକାଳ ଏଇଠାରେ ଜୀବନ୍ତ ନମସ୍ୟ । ପୁରୁଷ ପୁରୁଷ ଧରି ମଣିଷର ପ୍ରତ୍ୟୟରେ ଦେଦୀପ୍ୟମାନ । ଏଇ ଏକାମ୍ର ତୀର୍ଥର ମହିମା । ଚେତନାର ଉନ୍ମେଷ କାଳରୁ ଜଡ଼ ଓ ଜୀବଜଗତକୁ ଉଦ୍ଭାସିତ କରି ପ୍ରକାଶିତ ହେଉଛି ଏଠାରେ ହିରଣ୍ମୟ ପୁରୁଷର ଅଖଣ୍ଡ ଜ୍ୟୋତି ।

ଖାଇସାରି ଶୋଇ ପଡ଼ିଥିଲା ଅରବିନ୍ଦ ।

ମଧ୍ୟରାତ୍ରିର ନୀରବତା ଭାଙ୍ଗି କେହି ଜଣେ କବାଟରେ ଠକ୍‌ଠକ୍‌ କଲା । ଏଇ ସଂକେତର ଅର୍ଥ ଜାଣେ ଅରବିନ୍ଦ । ସେ ଏକାକୁଦାରେ ତଳେ ଠିଆ ହୋଇଯାଇ ଝରକା ପାଖକୁ ଅଗ୍ରସର ହେଲା ।

ଆଗନ୍ତୁକ ଲାଲ୍‍ ସଲାମ୍‍ ଜଣାଇ ଚିଠି ଖଣ୍ଡେ ତା ହାତକୁ ବଢ଼ାଇ ଦେଲା ଏବଂ ଯେପରି ନୀରବରେ ଆସିଥିଲେ ସେହିପରି ନୀରବରେ ଅଦୃଶ୍ୟ ହୋଇଗଲା ।

ଆଲୁଅ ଜଳିଲା ଅରବିନ୍ଦ ଚିଠି ପଢ଼ିବା ପାଇଁ ।

ଶ୍ରଦ୍ଧେୟ କମ୍ରେଡ଼୍‌,

ଏ ଚିଠି ପାଇ ବିସ୍ମିତ ହେବୁ । କାରଣ ଅଳ୍ପ କେଇଦିନ ପୂର୍ବେ ତୋ ସହିତ ରୀଜଧାନୀରେ ସାକ୍ଷାତ୍‍ ହୋଇଥିଲା । ମୁଁ ଏବେ ଗୁଣୁପୁର ଅଞ୍ଚଳରେ ବଂଶଧାରୀ ନଦୀ କୂଳରେ । ଏଠାରେ ଏତେ କାମ କରିବାକୁ ଅଛି, ଅଥଚ ମୁଁ ତ ବାନ୍ଧି ହୋଇ ରହିପାରିବିନି ଗୋଟିଏ ଜାଗାରେ-। ସେଥିପାଇଁ ଲେଖୁଚି ତୋତେ । ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନାଗିରି ଯିବାର ଅଛି-। ଗାଡ଼ିର ଚକ ପରି ମୁଁ ଗଡ଼ୁଛି । କିନ୍ତୁ ଗୁଣୁପୁରରେ ଯେଉଁ ପରୀକ୍ଷା ନିରୀକ୍ଷା ଚାଲିଛି ତାହା ଯଦି ସଫଳ ନ ହୁଏ ତେବେ ଆମର ବିପ୍ଲବ ମଧ୍ୟ ବିଫଳ ହୋଇଯିବ । କାହା ହାତରେ ସବୁ ଦାୟିତ୍ଵ ସମର୍ପି ଦେବି ସେ ବିଷୟରେ ମୁଁ ଅନେକ ଭାବିଛି । ମୋ ବିଚାରରେ ତୋ ପରି ବିଶ୍ଵୀସୀ ସାଥୀ ଆଉ କେହି ନାହାଁନ୍ତି । କିନ୍ତୁ ତୋ ସହିତ ପରିଚୟ ବା କେତେଦିନର ? ତଥାପି କାହିଁକି କେଜାଣି ତୋ କଥାହିଁ ମନେପଡ଼େ । କେତେଥର ତୋ ମୁହଁ ଭାସି ଉଠେ ଆଖିଆଗରେ । ତୁ ଇଣ୍ଟରଭିଉ ଦେଇ ଫେରିଛୁ । କେତେବେଳେ ଯେ ଚାକିରିରେ ଛନ୍ଦି ହୋଇଯିବୁ କିଏ ଜାଣେ ? କିନ୍ତୁ ମୁଁ କ’ଣ ଭାବୁଛି ଜାଣୁ ? ଚାକିରି କରି ଅବଶ୍ୟ ତ କୁଟୁମ୍ବ ପୋଷି ପାରିବୁ । ନିଜେ ସୁଖ ସ୍ୱାଚ୍ଛନ୍ଦ୍ୟରେ ରହିପାରିବୁ । କିନ୍ତୁ ଯଦି ଅର୍ଦ୍ଧରାତ୍ରିରେ ବା ମଧ୍ୟାହ୍ନରେ ନୀରବତା ଭାଙ୍ଗି ଶୂନ୍ୟରେ ମିଳାଇ ଯାଉଥିବା ଦୀର୍ଘଶ୍ୱାସର କାରୁଣ୍ୟ ତୁ ଶୁଣି ପାରୁଥାନ୍ତୁ ତେବେ ଚାକିରି କରି ପାଞ୍ଚଜଣଙ୍କୁ ଖୁସି କରିବା ପରିବର୍ତ୍ତେ ଲକ୍ଷ ଲକ୍ଷ ଲୋକଙ୍କର ଆର୍ତ୍ତଚିତ୍କାର ଶୁଣି ଲମ୍ଫ ଦିଅନ୍ତୁ ସେମାନଙ୍କ ସେବା କରିବା ପାଇଁ । ସେମାନେ ସାଥୀଟିଏ ଲୋଡ଼ନ୍ତି, ଯିଏ ସେମାନଙ୍କର ସୁଖଦୁଃଖରେ ଭୀଗୀ ହେବ, ସେଥିରୁ ଭଗବାନ ଏବଂ ସେମାନଙ୍କ ପ୍ରାଣରେ ନୂଆ ସକାଳର ବିଶ୍ଵାସବର୍ତ୍ତିକା ଜାଳି ଦେଇପାରିବ । ମୁଁ ତତେ ବାଛିଚି ସେଥିପାଇଁ । କାହିଁକି ତୋ ଉପରେ ମୋର ଏତେ ବିଶ୍ଵାସ, ଏତେ ଭରସା ତାହା ମୁଁ ଜାଣେ ନାହିଁ । କିନ୍ତୁ ମୋ ଭିତରୁ କେହି ଯେପରି କହୁଛି–ତୁ ଏ କାମ ପାରିବୁ । ଅଗଣିତ ଲୋକଙ୍କୁ ସୁଖୀ କରିବା ପାଇଁ ନିଜ ସୁଖ ବଳି ଦେଇପାରିବୁ । ଶେଷରେ ଏତିକି କହେ ଯେ ସବୁବେଳେ ଜନସେବା କରିବାର ଏପରି ମହାର୍ଘ ସୁଯୋଗ ମିଳେ ନାହିଁ । ଇତିହାସର ଏଇ ଦୁର୍ଲ୍ଲଭ ମୁହୂର୍ତ୍ତରେ ମୁଁ ତୋ ହାତରେ ଇତିହାସ ରଚନା କରିବାର ଦାୟିତ୍ଵ ଦେଇଯିବାକୁ ଚାହେଁ । ଯଦି ତୁ ରାଜି, ସୂର୍ଯ୍ୟୋଦୟ ହେବା ପୂର୍ବରୁ ଖଣ୍ଡଗିରି ପେଟ୍ରୋଲ୍‌ ପମ୍ପ ପାଖକୁ ଚାଲିଆସିବୁ । ସେଠାରେ ଗାଡ଼ି ଅପେକ୍ଷା କରିଥିବ ତୋତେ ଆଣିବା ପାଇଁ ।

ଲାଲ୍‍ ସଲାମ୍‍–ଶ୍ରୀହରି

ଚିଠିଟା ଥରେ ନୁହେଁ, ତିନିଥର ନୁହେଁ, ସାତଥର ପଡ଼ିଲା ଅରବିନ୍ଦ । ସେହି ଚିଠି ପଢ଼ୁ ପଢ଼ୁ କେତେବେଳେ ତା’ଆଖି ବାଷ୍ପାଚ୍ଛନ୍ନ ହୋଇଯାଉଥାଏ ତ ଆଉ କେତେବେଳେ ତା’ ହୃଦୟ ବ୍ୟାକୁଳ ହୋଇ ଉଠୁଥାଏ । ଆଗରେ ସୁଖମୟ ଭବିଷ୍ୟତ । ବଡ଼ ଚାକିରି । ଐଶ୍ଵର୍ଯ୍ୟ ଶ୍ରୀୟାର ପ୍ରେମ ପାରାବାର ଓ ନିର୍ଭରଶୀଳତା । ବାପା ମା’ଙ୍କ ସ୍ନେହଶ୍ରଦ୍ଧା, ବିଶ୍ଵାସ । ଏସବୁକୁ ନେଇ ସେ କେତେ ସ୍ୱପ୍ନ ଦେଖୁଛି । ଆକାଶରେ କେତେ କୋଠା ନିର୍ମାଣ କରିଛି ।

କିନ୍ତୁ ଏସବୁ ଆତ୍ମକୈନ୍ଦ୍ରିକ ଭାବନା । ସ୍ୱାର୍ଥପରତା । ଏଥରେ ମୁଠି ସଂଗ୍ରାମର ଦୁଃସାହସ ନାହିଁ, ପର ପାଇଁ ଲଢ଼ିବାର ଗୌରବ ନାହିଁ, ଜଗତର ସମସ୍ତ ମଣିଷ ଭିତରେ ଜଗନ୍ନାଥଙ୍କ ଅବତରଣ ଲକ୍ଷ୍ୟ କରିବାର ରୋମାଞ୍ଚ ନାହିଁ ।

 

ଅନେକ ସମୟ ଭାବିଲା ଅରବିନ୍ଦ । ବାରମ୍ବାର ଆଖି‌ରୁ ଲୁହ ପୋଛିଲା । କେତେଥର କବାଟ ଖୋଲି ବାହାରକୁ ଯାଇ ପ୍ରସାରିତ ଆକାଶକୁ ଦେଖିଲା ।

 

ସକାଳ ହେବା ପାଇଁ ଏବେବି ଡେରି ଅଛି । ପୂର୍ବାକାଶରେ କୁଆଁତାରା ହାତଠାରି ତାକୁ ଡାକୁଛି । ସେଇ ଆହ୍ୱାନ ଅମୋଘ, ତାହା ଅସ୍ଵୀକାର କରିହେବ ନାହିଁ । ସୂର୍ଯ୍ୟୋଦୟକୁ ଏଡ଼ାଇ ଦେଇ ସେ ଅନ୍ଧାର ଭିତରେ ରହି ପାରିବ ନାହିଁ ।

 

ଗୋଟେ ଚିଠି ଲେଖି ତକିଆ ତଳେ ରଖିଲା ଅରବିନ୍ଦ । ଗୋଟେ ବ୍ୟାଗ ଭିତରେ ଚଳିବା ଭଳି ଲୁଗାପଟା ଓ ବ୍ୟବହାର୍ଯ୍ୟ ଜିନିଷ ରଖିଲା ଏବଂ କବାଟ ଆଉଜାଇ ଧୀରେ ଧୀରେ ବାହାରି ପଡ଼ିଲା ।

 

ଘର ଆଗରେ ଛିଡ଼ା ହୋଇ ଆଉଥରେ ପଛକୁ ଚାହିଁଲା ଅରବିନ୍ଦ । ଆଉ ଟିକେ ପରେ ମା’ଙ୍କ ନିଦ ଭାଙ୍ଗିବ, ସେ ଉଠି ବସିବେ ।

 

ତା ପରେ ପରେ ବାପା ଉଠିବେ । ମୁହଁ ଧୋଇ ମହିମ୍ନସ୍ତବ ଗାଇ ଗାଇ ପ୍ରାତଃ ଭ୍ରମଣରେ ବାହାରି ଯିବେ ।

 

ଆଉ ଟିକେ ପରେ ଭାଇ, ଭଉଣୀ ଉଠିବେ ।

 

କିନ୍ତୁ ସମସ୍ତେ ଉଠିବାବେଳକୁ ସେ ଆଉ ନ ଥିବ ସେଠାରେ । ଶ୍ରୀୟାକୁ ଯିବା ପୂର୍ବରୁ ଖବର ଦେବା ଉଚିତ ଥିଲା, କିନ୍ତୁ ସମ୍ଭବ ହେଲା ନାହିଁ । ଶ୍ରୀୟାକୁ ପ୍ରତାରିତ କରିଛି ବୋଲି ଗୋଟେ ଲମ୍ବା ଦୀର୍ଘଶ୍ୱାସ ଛାତିଭିତରୁ ବାହାରିଗଲା । ସର୍ବାଙ୍ଗ ଥରିଲା ଅରବିନ୍ଦର । ଏକମୁହାଁ ପାଦ ବଢ଼ାଇଲା ସେ ଖଣ୍ଡିଗିରି ଆଡ଼କୁ

 

ମହାକାଳର ଏମିତି ଏକ ବିରଳ ମୁହୂର୍ତ୍ତରେ ରାଜପ୍ରସାଦର ସବୁ ସୁଖ ସମ୍ଭୋଗ ଛାଡ଼ି ଦିନେ ଅଜ୍ଞାତ ଲକ୍ଷ୍ୟନେଇ ପାଦ ବଢ଼ାଇଥିଲେ ଗୌତମ ।

 

ଏଗାର

 

ନିର୍ଦ୍ଦିଷ୍ଟ ଠିକଣାରେ ପହଞ୍ଚିଲା ଅରବିନ୍ଦ । ଗୁଣୁପୁର ସହରର ଅନତିଦୂରରେ ଶାଳବଣ ଭିତରେ ଥିବା କେତୋଟି କୁଡ଼ିଆ ମଧ୍ୟରୁ ଗୋଟିଏ ଘରେ ତାକୁ ଛାଡ଼ି ଫେରିଗଲା ଦିଗ୍‌ବିଜୟ । ନେତାଜୀଙ୍କୁ ସାକ୍ଷାତ୍‍ କରି ଅନ୍ୟ କାମରେ ଯିବ ।

 

ଅରବିନ୍ଦକୁ ପାଛୋଟି ନେଲା କୋଡ଼ିଏ ବାଇଶ ବର୍ଷର ଝିଅଟିଏ । ହାତ ମୁହଁ ଧୋଇ ଆସିବା ପାଇଁ ଘରପଛପଟେ ଥିବା କୂଅ ପାଖକୁ ତାକୁ ନେଇଗଲା ରାଣୀ । ନରମ ସ୍ଵରରେ କହିଲା–“ଏତେ ବାଟ ଆସିଛ .... ଧୂଳିମଳି ଲାଗିଥିବ, ହାତ ମୁହଁ ଧୋଇ ନିଅ ।’’

 

ଅରବିନ୍ଦ ବାଧ୍ୟ ପିଲାଟି ପରି ଆଜ୍ଞା ପାଳନ କଲା । ସେ ପୋଛିପାଛି ହେଇ ଫେରି ଆସିବାୟବେଳକୁ ତା ହାତକୁ ଚା ଗିଲାସେ ବଢ଼ାଇଦେଇ କହିଲା ରାଣୀ–‘‘ବାପା ଏଇନେ ପହଞ୍ଚିବେ । ମୋ ବାପାଙ୍କୁ ତମେ ଦେଖିନ ?’’

 

–“ନା, ଏଇ ପ୍ରଥମ ଆସିଛି ଏ ଅଞ୍ଚଳକୁ । ତମ ସହିତ ପ୍ରଥମ ପରିଚୟ ହେଲା ରାଣୀ । ଏହାପରେ ତମେ ମୋତେ ଚିହ୍ନାଇଦବ ଅନ୍ୟମାନଙ୍କୁ... ।’’

 

ରାଣୀ ମୁହଁ ଉପରେ ହସ ଫୁଟାଇ କହିଲା–‘‘ହଁ ସମସ୍ତଙ୍କୁ ଚିହ୍ନେଇ ଦେବି । କିନ୍ତୁ ଗୋଟିଏ ସର୍ତ୍ତରେ... ।’’

 

ଆଶ୍ଚର୍ଯ୍ୟ ହୋଇ ତା ମୁହଁକୁ ଚାହିଁଲା ଅରବିନ୍ଦ ।

 

–“ମୋ ମୁହଁକୁ ଏମିତି ଚାହିଁ ରହିଛ ଯେ... ଏଇ ଜାଗା ତମ ପାଇଁ ନୂଆ, ସେଥିପାଇଁ କହୁଛି । ନଦୀକୂଳ, ସହର ଓ ପାଖାପାଖି ଜାଗା ଗୁଡ଼ାକ ଚିହ୍ନି ରଖିବା ଭଲ । ଆଉ ଗୋଟେ କଥା, ଅଚିହ୍ନା ଲୋକଙ୍କୁ ଆଡ଼ ହୋଇ ଚଳିବ । କିଏ କେତେ ଉଦ୍ଦେଶ୍ୟ ନେଇ ଆସିବେ ଏଠାକୁ... ।’’

 

ଏଇ ସୁଦୂର ଗୁଣୁପୁର ସଭ୍ୟତାଠାରୁ ଦୂରରେ ଥିବାରୁ ଏଠାରେ ଛଳନା, ବାହାନା, ଅବିଶ୍ୱାସ ପହଞ୍ଚିଥିବ ବୋଲି ଭାବି ନ ଥିଲା ଅରବିନ୍ଦ । କିନ୍ତୁ ରାଣୀ କଥାରୁ ତାର ହୃଦ୍‌ବୋଧ ହେଲା ଯେ ଏଠାରେ ବି ବହୁରୂପୀ ମଣିଷର ଦଳ। ସେ କିଛି କହିବା ପୂର୍ବରୁ ଘର ଭିତରକୁ ପାଦ ବଢ଼ାଇଲା ଜଣେ କଳା ମିଚିମିତି ବାଙ୍ଗରା ମଣିଷ । ବିଦ୍ରୋହୀର ଆଖିପରି ଜଳୁଥିଲା ଆଖି ଦି’ଟା । ଧନୁ ଶବରକୁ ଚିହ୍ନାଇ ଦେଇ ରାଣୀ କହିଲା–‘‘ବାପା !’’

 

ଅରବିନ୍ଦକୁ କୁଣ୍ଢାଇ ପକାଇ କହିଲା ଧନୁ–‘‘କିଛି ଅସୁବିଧା ହୋଇନି ତ ବାବୁ....ରାତି ହେଲେ ମୁଁ ତୁମକୁ ନେଇଯିବି ନେତାଜୀଙ୍କୁ ଶିବିରକୁ !’’

 

ଧନୁ ଶବର କହିଗଲା ଗୁଣୁପୁର ଅଞ୍ଚଳର ଅନେକ କଥା । ସାହୁକାର, ଅଫିସରମାନଙ୍କର ଅନ୍ୟାୟ, ଅତ୍ୟାଚାର କାହାଣୀ ।

 

ବଣଜଙ୍ଗଲ ଭିତରେ ରହିଥିବା ଆଦିବାସୀମାନଙ୍କୁ ମାଟିତେଲ ଟିକେ ମିଳୁନି । ସରକାରୀ ଚାଉଳ ପହଞ୍ଚୁ ନାହିଁ ଅକ୍ଷମ ଅସମର୍ଥମାନଙ୍କ ପାଖରେ । ଟିପଚିହ୍ନ ନେଇ ସେଇ ଚାଉଳ ବଜାରରେ ବିକ୍ରୀ କରିଦିଏ ସାହୁକାର । ବିଡ଼ିଓ ପାଖରେ ନେହୁରା ହେଲେ ସେ କହେ ଦେଖିବି... ବୁଝିବି । କିନ୍ତୁ ପ୍ରତିକାର କରନ୍ତିନି କେହି ।

 

ଅରବିନ୍ଦ କହିଲା–‘‘ସରକାର ତ ସ୍ଵାର୍ଥ ପାଖରେ ବନ୍ଦୀ ମଉସା । ମନ୍ତ୍ରୀମାନଙ୍କ ଚାରିପାଖରେ ଅମଲା ଅଫିସର, ଚାଟୁକାର ଆଉ ଠିକାଦାର । ସେମାନଙ୍କ ବ୍ୟୂହ ଭେଦକରି ସାଧାରଣ ଲୋକ ପହଞ୍ଚି ପାରନ୍ତି ନାହିଁ ମନ୍ତ୍ରୀଙ୍କ ପାଖରେ ଦୁଃଖ ଜଣାଇବା ପାଇଁ ।’’

 

ଦୁଃଖସୁଖ ହେଉ ହେଉ କେତେବେଳେ ରାତି ହେଲା ଜାଣିପାରିଲା ନାହିଁ ଧନୁ ଶବର । ଏତେବେଳେ ତା’ର ଖିଆଲ ହେଲା ଯେ ଜଣେ ସହରିଆ ବାବୁ ତା’ଘରେ କୁଣିଆ । ତାଙ୍କୁ ତ ପଖାଳ ଗଣ୍ଡେ ଆଉ ଲଙ୍କା ଲୁଣ ବାଢ଼ି ଦେଇପାରିବ ନାହିଁ ।

 

ଝିଅକୁ ଭାବିଲା ଧନୁ । ରାଣୀ ଆସି ଠିଆ ହେଲା ତା’ ଆଗରେ ।

 

–‘‘ବାବୁ ଖାଇବ ଯେ....କିଛି ଅଛି ନା ନାହିଁ ?’’

 

–‘‘ଅଛି, ବାପା ଭାତ ରାନ୍ଧିଛି । ସଜନାଶାଗ ଭଜା ଆଉ କୁନ୍ଦୁରୀ ପୋଡ଼ା.... ଚଳି ଯିବନି-?’’

 

ଧନୁ କିଛି କହିଲା ନାହିଁ । କେତେଦିନ ହେଲା ସେ ବି ଗରମ ଭାତ ଖାଇନି । ପଖାଳ ଖାଇ ପେଟ ପୂରାଏ । ଆଜି ଓହୋ ଭାଗ୍ୟ ସେମାନଙ୍କର । ସମସ୍ତେ ବସି ଏକା ସାଙ୍ଗରେ ଖାଇବେ-। ମାଛ କି କୁକୁଡ଼ା କରିଥିଲେ ହୋଇଥାନ୍ତା ! କିନ୍ତୁ ଅଣ୍ଟାରେ ପଇସା ନାହିଁ । ଧାର କରଜ କରି ସାଙ୍ଗସାଥୀମାନଙ୍କୁ ଚର୍ଚ୍ଚା ନ କରିବା ପାଇଁ ଆଦେଶ ଦେଇଛନ୍ତି ନେତାଜୀ । ଭାଗ୍ୟରେ ଥିଲେ ଆଉଦିନେ ବାବୁର ଚର୍ଚ୍ଚା କରିବ ଧନୁ ଶବର ।

 

ସିଆଳିଖଲି ଉପରେ ବାଢ଼ିଦେଲା ଭାତ, ଶାଗ, କୁନ୍ଦୁରି ପୋଡ଼ା, ଲୁଣ ଓ ଲଙ୍କା ମରିଚ ।

 

ଧନୁ ଶବର କହିଲା–‘‘ଆମେ ଗରିବ ବାବୁ । କଷ୍ଟେ ମଷ୍ଟେ ଚଳିଯାଏ ସଂସାର । ରାଣୀ ହାତର ରନ୍ଧା କେମିତି ହୋଇଛି କେଜାଣି ?’’

 

ଭାତ ଗଣ୍ଡାଏ ଓ ସଜନାଶାଗରୁ ମେଞ୍ଚାଏ ପାଟିଭିତରେ ଭର୍ତ୍ତିକରି ଚୋବାଉ ଥିଲା ଅରବିନ୍ଦ । ଅମୃତ ପରି ଲାଗୁଥିଲା ସବୁ । ବଡ଼ ବଡ଼ ଭୋଜିରେ ଖାଇଛି ସେ, କିନ୍ତୁ କେଉଁଠି ଏପରି ସୁଆଦ ଲାଗିନି ମୁହଁରେ ।

 

ତା’ ପତରରେ ଆଉ ଟିକେ ଶାଗ ଦେଇ କହିଲା ରାଣୀ–‘‘କଷ୍ଟ ହେଉଥିବ ଖାଇବା ପାଇଁ... ’’

 

–‘‘ନା, ନା.... ଏଡ଼େ ସୁଆଦିଆ ଭାତ ତରକାରୀ ମୁଁ ଆଉ କେବେ ଖାଇନାହିଁ...’’

 

–‘‘ରାଣୀ ପଞ୍ଚମରେ ପଢ଼ୁଥିଲା । ପାସ୍‌ ବି କରିଥିଲା । କିନ୍ତୁ ଆଉ ଉପରକୁ ପଢ଼ାଇ ପାରିଲିନି ବାବୁ । ତା’ ମା’ ଚାଲିଗଲା ପରେ ରାଣୀ ସଂସାର ଚଳାଏ । ମୁଁ ଯାହାପାରେ ଆଣିଦିଏ । ସେ ବି ବଣରୁ ପତର ତୋଳି କିଛି ରୋଜଗାର କରେ ।’’

 

ସେମାନେ ହାତ ଧୋଇବାବେଳକୁ ଦ୍ଵାର ମୁହଁରେ କାହାର ସ୍ଵରଶୁଣି ଅରୁକୁ ଭିତରକୁ ଠେଲି ଦେଇ କହିଲା ଧନୁ–“କିଏ ସେ ?’’

 

–‘‘ଶୋଇ ପଡ଼ିଥିବୁ ବୋଲି ଭାବିଥିଲିରେ ଧନୁ... କି ଅପୂର୍ବ, ତୋ ସହିତ ଦେଖା ହୋଇଗଲା । କାହା ସହିତ କଥାଭାଷା ହେଉଥିଲୁ ? କୁଣିଆ ଆସିଛିକି ଘରକୁ ?’’

–‘‘ନା ନା, ନାହିଁ ବାବୁ । ବାପ ଝିଅ ହିସାବ ନିକାଶ କରୁଥିଲୁ ଦିନସାରା କିଏ କ’ଣ କଲା ?’’

–‘‘ହଁ ତୋର କ’ଣ ଦକ ଯେ... ଝିଅ ପାରିବାର ହୋଇଛି । ତୁ ବି କେବେ କିମିତି କିଛି କିଛି ଆଣୁଛୁ । ବାୟାର କି ଯାଏ, ବାଆ କଲେ ବସା ଦୋହଲୁଥାଏ...।’’

ସନାତନ ପିଆଦାର ଇଙ୍ଗିତ ବୁଝିପାରିଲା ଧନୁ । ସେ କହିଲା–“କୁଆଡ଼େ ଯାଉଥିଲ ଯେ ଅଟକି ଗଲ ଏଇଠି । ମୋର ଭାଗ୍ୟ... ।’’

–‘‘ଆମ ତମର ଭାଗ୍ୟ ବଦଳିବାକୁ ଆରମ୍ଭ କରିଛି ଜାଣ । ମାଟି ତେଲ ଆସିଛି, ଚାଉଳ ଆସିଛି । ସାହୁକାର କିଛି ଜଣାଇ ନାହିଁ ?’’ କହିଲା ସନାତନ ପିଆଦା ।

ତାକୁ ବିଶ୍ୱାସ କରେନି ଧନୁ, ସେ ସତମିଛ ବାର ପ୍ରକାର କଥା କହେ ବୋଲି । ରାଣୀ ଉପରେ ଆଖି ରଖିଛି । ଦୁଇଟା ଛୁଆର ବାପ, ତଥାପି ଲୋଭ ? ମଣିଷ ଖିଆ ବାଘର ଆଖି ପରି ଆଖି ଦିଟା ଜଳୁଥାଏ ସଦାବେଳେ ।’’

ଧନୁ ତଥାପି ସମ୍ଭାଳି ନେଇ କହିଲା–‘‘ସାହୁକାର କ’ଣ ଦବ ଚାଉଳ ଆମକୁ ? ଚଢ଼ା ଦରରେ ସେ ତ ସବୁ ବିକି ଦେଉଛି ବଜାରରେ । ଟିପଚିହ୍ନ ଦେଇ ଖାତା ଭର୍ତ୍ତି କରୁଛି ରାତିରେ । କିନ୍ତୁ ମୁଁ କହି ଦେଉଛି ଏତେ ଅଧର୍ମ ଦଇବ ସହିବ ନାହିଁ।’’

ସନାତନ ସୁବିଧା କରି ନ ପାରି ଯିବାବେଳେ କହିଗଲା, ‘‘ରାଣୀକୁ କହିଦବୁ ସାହୁକାର ଘରକୁ ଯିବ । ମାଟି ତେଲ, ଚାଉଳ ନେଇ ଆସିବ । କିଛି ଅସୁବିଧା ହେଲେ ମୋତେ କହିବ । ହଁ, ଆଉଗୋଟେ କଥା ଘରକୁ ଯଦି କେହି ନୂଆ ଲୋକ ଆସେ ଥାନାରେ ଜଣାଇ ଆସିବୁ... ଥାନାବାବୁଙ୍କୁତ ଚିହ୍ନିଥୁବୁ... ଛଅମାସ ହେବ ତୁ ଯାଇନୁ ତାଙ୍କ ଘରଆଡ଼େ’’ । ସେ ଚାଲିଯିବା ରାସ୍ତାକୁ ଅନାଇ ରହିଥିଲା ଧନୁ ।

 

ଧନୁ ଯାଇନି । ଯାଇ ପାରିନି । ଥାନାବାବୁଙ୍କ ଘରକୁ ଖାଲି ହାତରେ ଯିବ କିପରି ? ନେତାଜୀଙ୍କ ଆଦେଶ ଅମାନ୍ୟ କରିବ ? ତାଙ୍କରି ତୁଣ୍ଡର କଥା–ଘୁଷ୍ ଦବ ନି କି ନବ ନି...ଦବା ବି ଅପରାଧ, ଅନ୍ୟାୟ କରିବା ଅପରାଧ, ଅନ୍ୟାୟ ସହିବା ବି ଅପରାଧ... । ଧନୁ ଅନ୍ୟାୟ, ଅବିଚାର ବିରୁଦ୍ଧରେ ଲଢ଼ିବା ପାଇଁ ଶପଥ ନେଇଛି । ନେତାଜୀଙ୍କୁ କଥା ଦେଇଛି । ତାଙ୍କ ଆଗରେ ସେ ନିମକହାରାମ ହେବ ନାହିଁ ।

 

ସାହୁକାରର ଅନ୍ୟାୟ ବିରୁଦ୍ଧରେ ଧନୁ ଲୋକମାନଙ୍କୁ ଏକଜୁଟ କରୁଥିବା ଖବର ପାଇ ଦିନେ ପୁଲିସ୍‍ ଧରିନେଇଥିଲା ତାକୁ ଏବଂ ଆଉ ଦୁଇ ଜଣକୁ । ହାଜତରେ ଦୁଇଦିନ ରଖିବା ପରେ ଛାଡ଼ି ଦେଇଥିଲା । ହାଜତରେ ଖାଡ଼ା ଓପାସ ଥିଲା ଧନୁ । ଯାହା ଖାଇବାକୁ ଦିଆଯାଏ ତାହା ମଣିଷ ଖାଇବ ନାହିଁ । ପରର ଉଚ୍ଚିଷ୍ଟ ଖାଇ ବଞ୍ଚିବା ଅପେକ୍ଷା ମରିଯିବା ଭଲ ।

 

ପିଆଦା ବାବୁ ଚାଲିଯିବା ପରେ ଅରବିନ୍ଦ ପାଖକୁ ଯାଇ ତା’ କାନ୍ଧ ଉପରେ ହାତ ରଖି କହିଲା ଧନୁ ‘‘ତମେ ଆସିଥିବା ଖବର ହୁଏତ ଜାଣିଗଲେଣି ସେମାନେ । ନ ହେଲେ ଦିନେ ନାଇଁ କାଳେ ନାଇଁ ସନାତନ ପିଆଦା ଆସିଥାନ୍ତା ରାତି ପହରରେ ବୁଲିଯିବା ପାଇଁ !’’

 

ଅରବିନ୍ଦକୁ ଆଶ୍ୱାସନା ଦବାପରି ସ୍ଵରରେ କହିଲା ଧନୁ–‘‘ଏଠାରେ ତୁମକୁ ରଖିବା ପାଇଁ କହିଥିଲେ ନେତାଜୀ । କିନ୍ତୁ ପିଆଦା ଆସିବା ପରେ ଏ ଜାଗା ଆଉ ନିରାପଦ ନୁହେଁ । ଏହାପରେ ହୁଏତ ଥାନାବାବୁ ଆସିବେ... ଚାଲ... ନେତାଜୀ କିଛି ଗୋଟେ ବ୍ୟବସ୍ଥା କରିବେ ନିଶ୍ଚୟ ।’’

ଧନୁର କଥା ଅନୁସାରେ ବେଶ ବଦଳାଇଲା ଅରବିନ୍ଦ । ପେଶାରେ ଶିକ୍ଷକ । ନିଜ ଚେଷ୍ଟାରେ ଗୋଟେ ସ୍କୁଲ ଖୋଲିବା ପାଇଁ ଆସିଛି । ମହାତ୍ମାଗାନ୍ଧୀଙ୍କ ଚେଲା । ରାସ୍ତାରେ କେହି ପଚାରିଲେ ଏହି ପରିଚୟ ଯଥେଷ୍ଟ ।

ତାକୁ ନେଇ ନେତାଜୀଙ୍କ କ୍ୟାମ୍ପ‌ରେ ପହଞ୍ଚିବାବେଳକୁ ଅନେକ ରାତି ହୋଇଯାଇଥିଲା-। ରାସ୍ତାରେ ଅତି ସତର୍କତାର ସହିତ ଅରବିନ୍ଦକୁ ବାଟ କଢ଼ାଇ ନେଇ ଆସିଥିଲା ଧନୁ ।

ଗୋଟିଏ ଜରାଜୀର୍ଣ୍ଣ ଛୋଟ ଘର ଭିତରୁ ଚେନାଏ ଆଲୁଅ ଝରକା ବାହାରକୁ ଛିଟିକି ପଡ଼ିଥିଲା । ଡିବିରି ଜାଳି ସେଇ ସ୍ଵଳ୍ପ ଆଲୁଅରେ କ’ଣ ଲେଖୁଥିଲେ ନେତାଜୀ । ଧନୁକୁ ଦେଖି କବାଟ ଖୋଲିଦେଲା ଜଣେ ସାଥୀ ।

ଅରବିନ୍ଦକୁ ଦେଖି ଖୁସିରେ ତାକୁ କୁଣ୍ଢାଇ ପକାଇଲା ଶ୍ରୀହରି । ହଠାତ୍‍ ତା’ର ମନେପଡ଼ିଗଲା ଶ୍ରୀପତି କଥା । ଶ୍ରୀପତି ସାନ ଭାଇ । ଏମ.ଏ. ପଢ଼ୁଥିଲା । ସମୁଦ୍ର ସ୍ନାନ କରିବାକୁ ଯାଇଥିଲା ସାଙ୍ଗମାନଙ୍କ ସାଙ୍ଗରେ । ସେଇ ସମୁଦ୍ର ଭିତରେହିଁ ରହିଗଲା, ଆଉ ଫେରି ଆସିନି । ଅନେକ ଖୋଜାଖୋଜି ପରେ ବି ତା’ର ଶବ ମିଳି ନ ଥିଲା, କିନ୍ତୁ ଶ୍ରୀପତିର ଅକାଳ ବିୟୋଗ ଗଭୀର କ୍ଷତ ରଖି ଯାଇଥଲା ଶ୍ରୀହରି ମନରେ । ସାନଭାଇକୁ ହରାଇବା ପରେ ସେ ବଡ଼ ଏକାକୀ ହୋଇ ଯାଇଥିଲା । ତା’ର ବୈରାଗ୍ୟ ଆସି ଯାଇଥିଲା ସଂସାର ପ୍ରତି । ଅକସ୍ମାତ୍‌ ବିପ୍ଲବୀ ଶ୍ରୀଶ୍ରୀଙ୍କ ସହିତ ତା’ର ଦେଖା ହୋଇଗଲା ଦିନେ ବ୍ରହ୍ମପୁରରେ । ଶ୍ରୀଶ୍ରୀଙ୍କ ପ୍ରଚଣ୍ତ ପ୍ରଭାବ ତାକୁ ବଶ କରି ଦେଇଥିଲା, କେଳାର ପଦ୍ମତୋଳା ଶୁଣିବା ପରେ ଗୋଖର ସାପ ଯେପରି ମୁଣ୍ଡ ନୁଆଁଇ ଦିଏ । ଘରଦ୍ୱାର ଛାଡ଼ି ସନ୍ନ୍ୟାସୀ ହୋଇ ଚାଲିଯିବ ବୋଲି ଭାବିଥିଲା ସେ । କିନ୍ତୁ ଶ୍ରୀଶ୍ରୀ ତାକୁ କହିଲେ କୋଉ ଦୁଃଖରେ ତମେ ସନ୍ନ୍ୟାସୀ ହେବ ? ସଂସାର ଛାଡ଼ି ଚାଲିଗଲେ କ’ଣ ତୁମ ଭାଇ ଫେରିଆସିବ ନା ତାର ବିଚ୍ଛେଦ ଭୁଲି ପାରିବ ? ଶ୍ରୀପତି ଚାଲି ଯାଇଛି, କିନ୍ତୁ ଯେଉଁମାନେ ଅଛନ୍ତି ସେମାନଙ୍କ କଥା ଥରେ ଭାବ । ଭାରତର ଅଧେ ଲୋକ ନିରକ୍ଷର । ସେଇ ଅଧେ ଲୋକ ଦରିଦ୍ର, ନିପୀଡ଼ିତ । ସେମାନଙ୍କୁ ଶୋଷୁଛନ୍ତି ଧନୀକ, ଅମଲା ଅଫିସରମାନେ । ସେମାନେ ନ୍ୟାୟ ପାଉ ନାହାନ୍ତି । ମୁଣ୍ଡର ଝାଳ ତୁଣ୍ଡରେ ମାରି ବିଲରୁ ଯାହା ପାଏ ଚାଷୀ ତାର ଅଧେ ଭାଗ ଜମି ମାଲିକର-। ସେ କାମ ନ କରି ବି ସୁଖରେ ଅଛି । କାମ କରି ବି ଭୋକ ଓପାସରେ ଦିନ କଟେ ଚାଷୀ, ମୂଲିଆ ।

ଶ୍ରୀଶ୍ରୀଙ୍କଠାରୁ ଦୀକ୍ଷା ନେଇ କୃଷକ ମୂଲିଆ ମୁକ୍ତି ଆନ୍ଦୋଳନରେ ଝାସ ଦେଇଥିଲା ଶ୍ରୀହରି । ସେହିଦିନୁ ସେ ତାର ଛୋଟ ପରିବାର ଛାଡ଼ି ଗୋଟିଏ ବଡ଼ ପରିବାରରେ ସଭ୍ୟ ହୋଇ ଯାଇଛି । ଦାରିଦ୍ର୍ୟ, କ୍ଷୁଧା ଓ ଶୋଷଣରୁ କୃଷକ, ମୂଲିଆ, ଶ୍ରମିକମାନଙ୍କୁ ମୁକ୍ତ କରିବା ସକାଶେ, ଲଢ଼େଇ କରି ଆସିଛି । ନିଜର ଆଦର୍ଶକୁ ନେଇ ନୂଆ ସଙ୍ଗଠନ ଗଢ଼ିଛି ‘ମୁକ୍ତି ଯୁଦ୍ଧ’ । ଦେଶ ସ୍ଵାଧୀନ ହୋଇଛି ସତ, କିନ୍ତୁ ସାମାଜିକ, ଅର୍ଥନୈତିକ ଦାସତ୍ଵରୁ ମୁକ୍ତି ପାଇନି ଏ ଦେଶର ମଣିଷ ।

ଅରବିନ୍ଦକୁ ଛାତି ଉପରେ ଜାକିଧରି କହିଲା ଶ୍ରୀହରି–‘‘ତୁ ଏତେଶୀଘ୍ର ଆସିବୁ ବୋଲି ମୁଁ ଭାବି ନ ଥିଲି । ତୋତେ ଦେଖିବା ଦିନୁ ତୋ ନାଡ଼ି ନକ୍ଷତ୍ର ମୁଁ ଜାଣିଥିଲି । ତୁ ନିଜ ପାଇଁ ଜନ୍ମି ନାହୁଁ, ତୁ ସହସ୍ରଙ୍କ ପାଇଁ ଜନ୍ମିଛୁ ।’’

ସାନଭାଇକୁ ଦେଖି ଯେପରି ତାକୁ ଆଉଁଷି ଦେଉଥିଲା ଶ୍ରୀହରି, ସେହିପରି ଅରବିନ୍ଦର ଦେହ ଆଉଁଷି ଦେଇ କହିଲା–‘‘ତୋ ଶୁଖିଲା ମୁହଁରୁ ଜାଣିପାରୁଛି ତୋତେ ଭୋକ ଲାଗୁଥିବ । ଏଠାରେ ତ ଭଲ ଜିନିଷ କିଛି ନାହିଁରେ ଅରୁ... ଗଣ୍ଡେ ଚାଉଳଭଜା ପଡ଼ିଛି, ଧନୁମୁଆଁ ବି ଖଣ୍ଡେ ଅଛି । ହାତ ମୁହଁ ଧୋଇ ଖାଇବା ଟିକେ... ।’’

 

ଟିକେ ଆଗରୁ ରାଣୀ ତାକୁ ଖୁଆଇ ଥିଲା, କିନ୍ତୁ ଶ୍ରୀହରି ସ୍ନେହଶ୍ରଦ୍ଧା ଦେଖି ତାକୁ ଭୋକ ଲାଗିଲା, ପେଟ କ୍ଷୁଧାରେ ଜଳୁଥିବା ପରି ଲାଗିଲା । ସେ ହାତ ମୁହଁ ଧୋଇ ଧନୁ ମୁଆଁରୁ ଖଣ୍ଡେ ଖାଇ ପାଣି ପିଇଲା ।

 

ଶ୍ରୀହରି ପଚାରିଲା–ଚା’ ପିଇବୁ ?’’

–ନା, ଧନୁ ମଉସା ଘରେ ଚା’ ପିଇ ଆସିଛି... ।

 

ଅନ୍ୟମାନଙ୍କୁ ବିଦା କରିଦେଇ ଶ୍ରୀହରି କହିଲା ତାକୁ ନିରୋଳାରେ–“ତୁ ଆସି ଭଲ କରିଛୁ । ଗୋଟାଏ ମହାନ୍‌ ଲକ୍ଷ୍ୟ ହାସଲ କରିବା ପାଇଁ ହେଲେ ଛୋଟ ଛୋଟ ଲକ୍ଷ୍ୟଗୁଡ଼ାକୁ ବିସର୍ଜନ ଦବାକୁ ହୁଏ । ତୁ ଜାଣୁ କି ନା ମୁଁ ଜାଣେନା, କିନ୍ତୁ ତୋତେ ଯେ ପୁଲିସ୍‍ ଖୋଜୁଥିବ ଏତେବେଳକୁ ସେ ଖବର ପାଇ ସାରିଛି ମୁଁ । ମୁଁ ଜାଣେ ତୁ ନିର୍ଦ୍ଦୋଷ, କିନ୍ତୁ ମୋ ସହିତ ତୋର ଯେ କିଛି ଗୋଟେ ସମ୍ବନ୍ଧ ଅଛି ଏ କଥା ପୁଲିସ୍‍ ଅନୁମାନ କରେ । କିନ୍ତୁ ତୁ ନିର୍ଭୟ ରହିବୁ । ବିବେକାନନ୍ଦ କ’ଣ କହିଥିଲେ ଜାଣୁତ ? ମନରୁ ଭୟ ଦୂର ନ କଲେ କୌଣସି ବଡ଼ କାମ କରିହୁଏ ନାହିଁ... ।’’

 

ତା’ପରେ ଅନେକ ସମୟ ପର୍ଯ୍ୟନ୍ତ ଶ୍ରେଣୀ ସ୍ଵାର୍ଥ, ଶ୍ରେଣୀ ସଂଘର୍ଷ, ମାର୍କସବାଦ, ଲେଲିନବାଦ, ମାଓବାଦ ଓ ଗାନ୍ଧିବାଦ ସମ୍ପର୍କରେ ବୁଝାଇଲା ଅରବିନ୍ଦକୁ । ସେ ଅରୁର ପିଠି ଉପରେ ହାତ ରଖି କହିଲା ଯେ ମାର୍କସ, ଲେଲିନ, ମାଓ ଯାହା କହି ଯାଇଛନ୍ତି ତାହା ମିଥ୍ୟା ନୁହେଁ-। ଚାରୁ ମଜୁମଦାର ଯେଉଁ ପଥ ନିର୍ଦ୍ଦିଷ୍ଟ କରି ଦେଇଛନ୍ତି ତାହା ଲକ୍ଷ୍ୟ ସ୍ଥଳରେ ଠିକ୍‌ ପହୁଞ୍ଚାଇ ଦବ । କିନ୍ତୁ ନିଶ୍ଚେତନ ବଟିକା ଖାଇ ଶୋଇଥିବା ଗୋଟିଏ ଜାତିକୁ ଉଠାଇବା ଏତେ ସହଜ ନୁହେଁ-। ସେମାନଙ୍କୁ ଉଠେଇବାକୁ ପଡ଼ିବ, ଜାଗ୍ରତ କରିବାକୁ ହେବ ଏବଂ ସେଇ ନିର୍ଦ୍ଦିଷ୍ଟ ମାର୍ଗରେ ଯାତ୍ରା କରିବା ପାଇଁ ଉତ୍ସାହିତ କରିବାକୁ ହେବ । ମଣିଷର ମୁକ୍ତିଆନ୍ଦୋଳନ ସଫଳ ନ ହେବାଯାଏ ପୃଥିବୀର ମୁକ୍ତି ନାହିଁ, ଶୋଷଣର ଅନ୍ତ ନ ହେବା ପର୍ଯ୍ୟନ୍ତ ମାନବିକତାର ବିକାଶ ଘଟିବ ନାହିଁ କିମ୍ବା ସମତା, ମୈତ୍ରୀ, ନ୍ୟାୟ ପ୍ରତିଷ୍ଠା ହେବ ନାହିଁ । ଧର୍ମ ଅଫିମ ପରି । ଧର୍ମ ନାମରେ ସଂଖ୍ୟାଧିକଙ୍କୁ ସଂଖ୍ୟାନ୍ୟୂନ ମୁଷ୍ଟିମେୟ କିଛି ଲୋକ କିପରି ନିଶାଗ୍ରସ୍ତ କରି ରଖୁଛନ୍ତି ବୁଝିପାରୁଛୁ ? ନିର୍ବାଣ, ମୁକ୍ତି, ମୋକ୍ଷ, ପାପ ଓ ପୁଣ୍ୟର ମନଗଢ଼ା କାହାଣୀ ଶୁଣାଇ ସେମାନଙ୍କୁ ବାନ୍ଧି ରଖିଛନ୍ତି ପାଦ୍ରୀ, ପୁରୋହିତ, ମୌଲଵୀମାନେ । ବ୍ୟାଧର ଅଠାକାଣ୍ଡିଆରେ ଲାଗି ଚଢ଼େଇ ଆଉ ଉଡ଼ି ଯାଇପାରେ ନାହିଁ, ତା’ର ସ୍ୱାଧୀନତା ଚିରଦିନ ପାଇଁ ଲୋପପାଏ । କିନ୍ତୁ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିହାତି ଆବଶ୍ୟକ ନ ହେଲେ ରାଷ୍ଟ୍ରଶକ୍ତି ବିରୁଦ୍ଧରେ ହିଂସାତ୍ମକ ପନ୍ଥା ନ ଧରି ଗାନ୍ଧୀଜୀଙ୍କ ସତ୍ୟାଗ୍ରହ, ଅସଯୋଗ ମାର୍ଗ ବେଳେ ବେଳେ ଆପଣେଇ ନେବାକୁ ହୁଏ । ଦରକାର ହେଲେ ନିର୍ବାଚନ ଲଢ଼ିବାକୁ ହେବ ।

 

ରାତି ଅନେକ ହେଲାଣି ଭାବି ହାତ ଘଡ଼ିକୁ ଅନାଇଲା ଶ୍ରୀହରି । ଦୁଇଟା ପନ୍ଦର ମିନିଟ୍‌-

 

ସପ ଉପରେ ଅରବିନ୍ଦକୁ ଶୋଇ ଯିବାକୁ କହି ସେ ଟିକେ ବୁଲି ଆସିବା ପାଇଁ ବାହାରକୁ ବାହାରିଗଲା । ଦୂରରେ କୁକୁର ଭୁକୁ ଥିବା ଶବ୍ଦ ଶୁଣି ଠିଆ ହେଲା ଗଛ ଉହାଡ଼ରେ । ଆଲୁଅର ରେଖାଟିଏ ଆଗେଇ ଆସୁଥିଲା ଧୀରେ ଧୀରେ ।

ହଠାତ୍‌ ସୁସୁରି ମାରି ସତର୍କ କରିଦେଲା ସାଥୀମାନଙ୍କୁ । ଆଗେଇ ଆସୁଥିବା ଆଲୁଅ ଆଉ ଦେଖାଗଲା ନାହିଁ । କିନ୍ତୁ ଶ୍ରୀହରିର ପାଞ୍ଚମନ ଛଅ ପ୍ରକୃତି ତାକୁ ଇଶାରା ଦେଇ ଗଲେ ଯେ କେହି ଜଣେ ବା ଦି’ଜଣ ଆସୁଛନ୍ତି ।

ଧନୁର କାନ ପାଖରେ ଫିସ୍‌ଫିସ୍‌ କରି କଣ କହିଲା ଶ୍ରୀହରି । ତୀର ବେଗରେ ଧନୁ ଆଉ ଅର୍ଜୁନ ଅଦୃଶ୍ୟ ହୋଇଗଲେ ଅନ୍ଧାର ଭିତରେ । କିଛି ସମୟ ପରେ ନୀରବତା ଭଙ୍ଗ କରି ଗୋଟାଏ ତୀକ୍ଷ୍‍ଣ ଶବ୍ଦ ଶୁଣାଗଲା–ବନ୍ଧୁକ ଫୁଟିବାର ଶବ୍ଦ–ଆଉ ତା ସହିତ ଭାସି ଆସିଲା ନୀବରତା ବିଦୀର୍ଣ୍ଣ କରି ଜଣକର ଆର୍ତ୍ତ ଚିତ୍କାର ।

ସେ କୋଠରୀ ଭିତରକୁ ଫେରି ଆସିଲା ଏବଂ ଅପେକ୍ଷା କଲା ଧନୁର । କିଛିକ୍ଷଣ ପରେ ଧନୁ ଫେରି ଆସି କହିଲା–‘‘ଗୋବିନ୍ଦ ସାହୁ ଏଇ ବାଟ ଦେଇ ଆସୁଥିଲା । ତମେ ଯେ ଏଇଠି ଅଛ ସେ ହୁଏତ ସେ ବିଷୟରେ ଖବର ସଂଗ୍ରହ କରୁଥିଲା । ତାକୁ ଛୋଟା କରି ଦେଇଛି । ଜୀବନରେ ଆଉ କାହା ପିଛା କରିବ ନାହିଁ । ଗରିବ, ଅସହାୟ, ନିରାଶ୍ରିତଙ୍କୁ ଅଯଥା ହଇରାଣ କରିବ ନାହିଁ ।’’

ଶ୍ରୀହରି ତା କାନ୍ଧ ଉପରେ ହାତରଖି କହିଲା–‘‘ଭଲ କରିଛୁ ଜୀବନରେ ମାରି ନାହୁଁ । ଗୋବିନ୍ଦ ସାହୁକୁ ଶାସ୍ତି ଦବାର ବେଳ ଚାଲି ଯାଇନି । ସେ ହୁଏତ ବଦଳିବ । ବଦଳିବା ବି ମଣିଷର ଆଉ ଏକ ଧର୍ମ ।’’

ଶ୍ରୀହରି ଆଦେଶ ଦେଲା ଶିବିର ଛାଡ଼ିବା ପାଇଁ । ମାତ୍ର ଦଶ ମିନିଟରେ ଦଶ ଜଣ ସାଥୀ ବାହାରି ପଡ଼ିଲେ । ନଦୀ ସେ ପାଖରେ ଆହୁରି ନିର୍ଜନ ଭୟଙ୍କର ଅରଣ୍ୟ । ସେଠାକାର ମହାବଳ ଥାଏ ବୋଲି ଆଖପାଖର ମଣିଷ କେହି ଯାଆନ୍ତି ସେ ଅଞ୍ଚଳକୁ ।

ଗୁଣୁପୁରେ ଅଳ୍ପଦିନ ରହି ସବୁ ଠିକ୍‌ଠାକ୍‌ କରି ଶୀଘ୍ର ରାୟଗଡ଼ା ଯିବ ବୋଲି ଯୋଜନା କରିଥିଲା ଶ୍ରୀହରି । କିନ୍ତୁ ଏତେ ଜଲଦି ଯେ କାମ ସାରି ସେ ଚାଲିଯାଇ ପାରିବ ନାହିଁ, ଏହା ପରିଷ୍କାର ହୋଇ ଆସୁଥିଲା ଅନ୍ଧାର ଭିତରୁ ପୂର୍ବ ଦିଗର ଆକାଶ ଧୀରେ ଧୀରେ ଫର୍ଚ୍ଚା ହେଉଥିବା ପରି ।

ତାହାରି ପଛେ ପଛେ ଚାଲୁଥିଲା ଅରବିନ୍ଦ । ତାକୁ ପାଖକୁ ଟାଣି ନେଇ କହିଲା ଶ୍ରୀହରି–‘‘ଡରି ଯାଇନୁ ତ ?’’

–‘‘ନା, ନା । ମୁଁ କେବଳ ନବ ନବ ରୂପରେ ଦେଖୁଛି ତୁମକୁ ।’’ କହିଲା ଅରବିନ୍ଦ ।

‘‘ଡରିଗଲେ ମରିଯାଏ ମଣିଷ । ଅସଂଖ୍ୟ ମଣିଷ ଅଛନ୍ତି ଯେଉଁମାନେ ପ୍ରତିଦିନ ମରନ୍ତି-। ଭୟ ଗ୍ରାସ କରିଛି ସେମାନଙ୍କୁ । ଆଉ ଅଛି କିଛି ମଣିଷ ଅଛନ୍ତି ଯେଉଁମାନଙ୍କର ଭୟ ନାହିଁ, ବିପଦ ଭିତରକୁ ଡେଇଁ ପଡ଼ିବା ପାଇଁ ଝୁଙ୍କ ଥାଏ ସେମାନଙ୍କର । ମୁଁ ଜାଣେ ତୁ ସେମିତି ଧାତୁରେ ଗଢ଼ା । ସେଇ କାରଣରୁ ଏତେ ଲୋକ ଥାଉ ଥାଉ ତୋତେ ବାଛିଲି... ।’’

ଅରବିନ୍ଦକୁ ଛାତି ଉପରେ ଆଉଜାଇ ନେଲା ଶ୍ରୀହରି । ତା’ପରେ ସେମାନେ ଆଗପଛ ହୋଇ ଚାଲିଲେ ଆଗକୁ । ପଛକୁ ଫେରି ଚାହିଁବାର ବେଳ ନାହିଁ ।

 

ବାର

 

ଖରାଦିନ । ବୈଶାଖ ମାସର ଖରା ସହି ସହି ଝାଉଁଳି ପଡ଼ିଥିବା ଗଛଗୁଡ଼ିକର ରୂପ ଦେଖି ଦୁଇ ବାଲତି ପାଣି ଗଛ ମୂଳରେ ଢାଳି ଦେଇଥିଲା ଶ୍ରୀୟା । ରାତିର ଶୀତଳ ସାନ୍ନିଧ୍ୟ ପାଇ ସ୍ନେହ କାଙ୍ଗାଳ ଫୁଲଗଛମାନେ ସତେଜ ହୋଇ ଉଠିଥିଲେ ସକାଳକୁ । କେଜାଣି କାହିଁକି ବଡ଼ିଭୋର ନିଦ ଭାଙ୍ଗିବା ପରେ ସେଇ ଫୁଲଗଛମାନେ ମନେ ପଡ଼ିଲେ ଶ୍ରୀୟାର । ସେ .ଖୋଲା ଝରକା ଦେଇ ବାହାରକୁ ଚାହିଁଦେଲା ଏବଂ ସଂଧ୍ୟାବେଳେ ଝାଉଁଳି ପଡ଼ିଥିବା ଗଛଗୁଡ଼ିକର ସ୍ନିଗ୍‍ଧ ସତେଜ ରୂପ ଦେଖି ପୁଲକିତ ହେଲା । କେତୋଟି ଗଛର ଶାଖା ପ୍ରଶାଖାରେ ମଲ୍ଲୀଫୁଲ ଫୁଟିଥିଲା-

 

ଏଇ ଫୁଲମାନଙ୍କୁ ଦେଖି ଶ୍ରୀୟା ବେଳେ ବେଳେ ଭାବେ ସେ ବି ଗୋଟିଏ ଫୁଲ ହୋଇଥାଆନ୍ତା କି ? ମଣିଷ ଜନ୍ମଠାରୁ ଫୁଲର ଜନ୍ମ କମ୍‌ ମୂଲ୍ୟବାନ ନୁହେଁ । ଦେବତାମାନଙ୍କ ପାଦତଳେ ମଣିଷର ମଥା ଲାଗିଥିବାବେଳେ ଦେବତାଙ୍କ ମଥା ଉପରେ ରହି ଧନ୍ୟ ହୁଏ ଫୁଲ । ଏ ସମାଜର ଶୀର୍ଷରେ ରହିବାର ଅଧିକାର ସମସ୍ତଙ୍କର ନାହିଁ । ଯେଉଁମାନେ ସମାଜର ରସ ଓ ସ୍ନେହସୁଧା ପାନ କରି ବିଶାଳ ମହୀରୁହରେ ପରିଣତ ହୁଅନ୍ତି ଏବଂ ଶାଖା ପ୍ରଶାଖା ମେଲାଇ ଦିଅନ୍ତି ପକ୍ଷୀମାନଙ୍କୁ ଆଶ୍ରୟ ଦବା ପାଇଁ, ମଣିଷ ଓ ଗୋରୁ ମହିଷାଦି ପଶୁମାନଙ୍କୁ ଛାୟାଦାନ କରିବା ପାଇଁ, ସେମାନଙ୍କ ପତ୍ର ଫୁଲ ଫଳ ଖାଇ ଜୀବମାନେ କ୍ଷୁଧାନିବାରଣ କରନ୍ତି, ସେଇ ବୃକ୍ଷମାନଙ୍କର ଶାଖା ପ୍ରଶାଖାକୁ କାଟି ଦେଇ ମଣିଷ ପୁଣି ବାସଗୃହ ନିର୍ମାଣ କରେ । ସେଇ ବୃକ୍ଷ ମୁହଁ ବୁଜି ଦେଇଛି, କାହାଠାରୁ କିଛି ମାଗି ନାହିଁ; ତା ପ୍ରତି କେହି ନିଷ୍ଠୁର ହେଲେ ସେ ଏହାର ପ୍ରତିବାଦ କରିପାରେ ନାହିଁ । ଏହି କାରଣରୁ ତ ପରମ ଗୁରୁ ଦତ୍ତାତ୍ରେୟ ବୃକ୍ଷକୁ ବରଣ କରିଥିଲେ ଗୁରୁ ରୂପରେ । ଜେଜେମା’ଠାରୁ ଏଇ କାହାଣୀ ପିଲାଦିନେ ଶୁଣିଥିଲା ଶ୍ରୀୟା, ଆଜି ଯାଏ ମନେ ଅଛି । ପାସୋରି ଯାଇ ନାହିଁ ।

 

ତାକୁ ପ୍ରସନ୍ନ ଥିବାର ଦେଖି କରୁଣା କହିଲେ–‘‘କାଲି କିଛି ଖାଇନୁ, ଭୋକ କରୁନି କହି ଶୋଇପଡ଼ିଲୁ, ଏଇନେ ଲେମ୍ବୁ ସରବତ ଗିଲାସେ ପିଇଦେ.. ଠିକ୍‌ ଆଠଟାବେଳକୁ ଜଳଖିଆ ଖାଇବୁ ବାପାଙ୍କ ସାଙ୍ଗରେ... !’’ ଝିଅର ପିଠି ଉପରେ ହାତ ରଖି କହିଲେ କରୁଣା ।

 

ଶ୍ରୀୟା ଗେହ୍ଲେ‌ଇ ହୋଇ କହିଲା–‘‘ତମେ କ’ଣ ବାପାଙ୍କୁ ସବୁ କହି ଦେଇଛ ?’’

 

କରୁଣା କହିଲେ–‘‘କହିବିନି । ମୋ ଝିଅ ତ ଆଉ ଦଶ ବରଷର କିଶୋରୀ ନୁହେଁ । ସେ ଜେ.ଏନ୍‌.ୟୁ.ରେ ଛାତ୍ରୀ । ଯଦି ସୁଯୋଗ ମିଳେ କାଲି ଶାସନଦଣ୍ଡ ହାତକୁ ଆସିବ...।’’

 

ଶ୍ରୀୟା ମୁହଁ ବୁଲାଇ କହିଲା–‘‘ତମେ ଶୟନେ ସ୍ଵପନେ କେବଳ ସେଇ ଗୋଟିଏ କଥା ଭାବୁଥାଅ... ମୁଁ ତ ତମକୁ କହିଛି ମା’ ସିଭିଲ୍‌ସର୍ଭିସ ସବୁକିଛି ନୁହେଁ, ଭଲ ମଣିଷ ହେବା ପାଇଁ ଏହାର ପ୍ରୟୋଜନ ନାହିଁ । ଏଡ଼େ ସ୍ଵାର୍ଥପର ହୋଇ ପାରିବିନି ମୁଁ... ଚାରିଆଡ଼େ ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ... ମୁଁ ସହିପାରିବି ନାହିଁ । ସେମାନେ ମଣିଷ ହେଲେ ବି ଗରିବ, ଦୁର୍ବଳମାନଙ୍କ ମୁହଁରେ ଭାଷା ନ ଥାଏ, ଛାତିରେ ସାହସ ନ ଥାଏ । ସେମାନଙ୍କୁ ଏକା ଏକା ଛାଡ଼ି ନଦେଇ ମୁଁ ସେମାନଙ୍କ କଥା କହିବି, ସେମାନଙ୍କ ଅଧିକାର ସାବ୍ୟସ୍ତ କରିବା ପାଇଁ ଲଢ଼ିବି... । ସେମାନେ ତ ସ୍ଵର୍ଗର ଚାନ୍ଦ ଚାହୁଁ ନାହାନ୍ତି ମା, ସେମାନେ ଚାହାଁନ୍ତି ନ୍ୟାୟ... ସୁବିଚାର ।’’

 

ଆଉ କଥା ନ ବଢ଼ାଇ କହିଲେ କରୁଣା–‘‘ହଉ ତୋ ଇଚ୍ଛା ଯାହା ସେୟା କରିବୁ । ମୁଁ ହାର ମାନିଲି । ସରବତ ଗିଲାସେ ପିଇ ଦେଇ ତୁ ଯା’ ନିତ୍ୟକର୍ମ ସାରିନେ... ।’’

 

ସରୋଜ ବାବୁ ମର୍ଣ୍ଣିୱାକ୍‌ରେ ଯାଇଥିଲେ । ହାଫ୍‍ ପ୍ୟାଣ୍ଟ୍‌, ସ୍ପୋର୍ଟସ ଗେଞ୍ଜି, ପାଦରେ କ୍ୟାଡ଼୍‌ସୁ... ହାତରେ ଗୋଟେ ରୋଲ୍‌ବାଡ଼ି... ।

 

ଫାଟକ ଖୋଲି ସେ ଆଗେଇ ଆସୁଥିବା ଦେଖି ଶ୍ରୀୟା କହିଲା ‘‘ଗୁଡ଼୍‌ମର୍ଣ୍ଣିଂ ପାପା ...ୟୁ ଲୁକ୍‌ ଭେରି ସ୍ମାର୍ଟ...’’ ତାପରେ ଥଟା କରି କହିଲା ‘‘ମମ୍ମିକୁ ସାଙ୍ଗରେ ନେଇ ଯାଉନ... ସେ ବି ଘେରାଏ ବୁଲି ଆସନ୍ତା... କିମିତି ଫ୍ୟାଟ୍‌ହୋଇ ଯାଉଛି ଦିଶୁନି ?’’

 

ହସିଲେ ସରୋଜ ।

 

ସ୍ଵାମୀଙ୍କ ପାଇଁ ଚା’ ପ୍ରସ୍ତୁତ କରିବା ପାଇଁ ଚାଲିଗଲେ କରୁଣା । କରୁଣା ଚା’ ନେଇ ଫେରିବାବେଳକୁ ସେଠାରୁ ଚାଲିଯାଇଥିଲା ଶ୍ରୀୟା । ସ୍ଵାମୀଙ୍କୁ ଏକାନ୍ତରେ ପାଇ କହିଲେ ସେ–‘‘ଜିଦ୍‌ ଛାଡ଼ୁନି । ଠିକ୍‌ ତମରି ପରି ଏକ ଜିଦିଆ ଯାହା ଠିକ୍‌ ଭାବିଥିବ ପୃଥିବୀ ପ୍ରଳୟ ହେଲେବି ସେଥିରେ ପରିବର୍ତ୍ତନ କରିବ ନାହିଁ । କିନ୍ତୁ ଜୀବନଟା ଯେ ସାଲିସ କରି କରି କଟିଯାଏ ଏୟା ସେ ବୁଝେନା ...।’’

 

ସରୋଜ ଚା’ ପିଉଥିଲେ ।

 

ତାଙ୍କୁ ଭଲ ଲାଗେ ଝିଅ କଥା ଶୁଣିଲେ । ସେ ଭାବନ୍ତି ଯେ ଶ୍ରୀୟା ବଡ଼ ହେଲାଣି, ସେ ବି ମଣିଷ, ତାର ବି ସ୍ଵାଧୀନ ମତ ଅଛି । ସେଥିରୁ ତାକୁ ବଞ୍ଚିତ କଲେ ତା ବ୍ୟକ୍ତିତ୍ୱର ବିକାଶ ହେବ ନାହିଁ । ସେ ଯାହା ହେବାକୁ ଚାହେଁ ସେଥିରେ ବାଧା ଦବା ଉଚିତ ନୁହେଁ । ଏନ.ଜି.ଓ. ଗଠନ କରି ଯଦି ଲୋକଙ୍କ ସେବା କରିବାକୁ ଚାହେଁ କରୁ... ସେଥିରେ ସେ ବାଧା ଦେବେ କାହିଁକି ?

 

କିନ୍ତୁ ଏଇ କଥା ରୋକଠୋକ ସ୍ତ୍ରୀଙ୍କୁ ନ କହି ସରୋଜ କେବଳ କହିଲେ ‘‘ତାକୁ ଛାଡ଼ିଦିଅ । ନିଷ୍ପତ୍ତି ନବା ପାଇଁ ତା’ର ବୟସ ହେଲାଣି । ସେ ନିଜ ବିଷୟରେ ଚିନ୍ତା କରି ଶିଖୁ... ।’’

 

ପୁରୁଷର ସ୍ଵାଧୀନତା ଅଛି ଅରଣା ମଇଁଷିପରି ବୁଲିବା ପାଇଁ । କିନ୍ତୁ ନାରୀର ଏତେ ସ୍ୱାଧୀନତା କାହିଁ ? ଘର ସଂସାର ଭିତରେ ସେ ବନ୍ଦିନୀ । ତା’ ମନର ଚାରି ଦୁଆର କେତେବେଳେ ଖୋଲେ ଆଉ କେତେବେଳେ ବନ୍ଦ ହୁଏ ସେ ଏକାହିଁ ଜାଣେ । ତା ମନର ରୁଦ୍ଧଦ୍ଵାର କାହାରି ଠକ୍‌ଠକ୍‌ ଶବ୍ଦରେ ଖୋଲିଯାଏ ତାହା ଭଗବାନ ବି କହିପାରିବେ ନାହିଁ ।

 

ଟିକେ ରହି ଯାଇ ପୁଣି କରୁଣା କହିଲେ–‘‘ତା ବୋଲି ସେଇ ଟୋକା ସହିତ ସେ ଖେଳିବ ବୁଲିବ, ତମେ କିଛି କହିବ ନାହିଁ । ଝିଅ ଘିଅ ପରି । ଥରେ ପୁରୁଣା ହୋଇଗଲେ ତା’ର ବାସନା, ଚେହେରା ଫିକା ପଡ଼ିଯାଏ ।’’

 

–‘‘ଏଇଟା ବୟସର ଦୋଷ, ଶ୍ରୀୟାର ନୁହେଁ । ସେ ଉଚ୍ଚଶିକ୍ଷିତା, ସାବାଳିକା । ତା” ପାଦରେ ଶିକୁଳି ଲଗାଇ ଦେଲେ ସେ ବିଦ୍ରୋହ କରିବ...।’’ କହିଲେ ସରୋଜ ।

 

ମା’, ବାପାଙ୍କ କଥା କବାଟ ପାଖରେ ଠିଆ ହୋଇ ଶୁଣୁଥିଲା ଶ୍ରୀୟା । ଏଇ ସମୟରେ ଟେଲିଫୋନ୍‍ ବାଜି ଉଠିଲା । କ୍ରାଡ଼େଲ ଉପରୁ ଫୋନ୍‌ଟା ଉଠାଇଦେଲା ଶ୍ରୀୟା ।

 

ସାବିତ୍ରୀ ସେ ପାଖରୁ କହିଲେ–‘‘ତୋତେ କିଛି କହି ଯାଇଛି ଅରୁ ?’’

 

‘‘ନା ତ ମାଉସୀ । ସେ କ’ଣ ବାହାରକୁ ଯାଇଛନ୍ତି ? କାଲି ତ ଏ ବିଷୟରେ କୌଣସି ସୂଚନା ଦେଇ ନ ଥିଲେ...।’’

 

–‘‘କିନ୍ତୁ ସେ ତ ଭୋର ହେବା ଆଗରୁ ଘରୁ ବାହାରି ଯାଇଛି ମା’... ପିଲାଦିନରୁ ଏମିତି ପାଗଳ... ଯାହା ବୁଝିଥିବ ସେୟା... । ମନଟା ଆଦୌ ବୁଝୁ ନାହିଁ । ସାଙ୍ଗରେ ସେପରି କିଛି ଟଙ୍କା ପଇସା ବି ନେଇ ଯାଇନି । ଲୁଗା ଦିଖଣ୍ଡ ନେଇ ବାହାରି ଯାଇଛି... ।’’

 

ଉତ୍ତର ଦବା ପାଇଁ ଶ୍ରୀୟା ମୁହଁରେ ଭାଷା ନ ଥିଲା । ସେ ପାଖରୁ ସାବିତ୍ରୀ ହୁଏତ ଆଉ କିଛି କହିବେ ବୋଲି ଭାବିଥିଲା ଶ୍ରୀୟା । କିନ୍ତୁ ସେତିକିରେ ଫୋନ୍‍ ରଖିବା ସୂଚନା ପାଇ ତା’ ହାତରେ ଟେଲିଫୋନ୍‍ ନିର୍ଜୀବ ହୋଇଗଲା ପୁଣି ।

 

କରୁଣା ସେ ପାଖରୁ ପଚାରିଲେ–‘‘କିଏ ଫୋନ୍‍ କରିଥଲା ?’’

 

ଶ୍ରୀୟା ସେଠାରୁ ଚାଲି ଯାଇଥିଲା ସେତେବେଳକୁ । ଆକାଶରେ ଉଠୁଥିବା ପକ୍ଷୀର ଡେଣା ଛିଡ଼ିଗଲେ ସେ ଯେପରି ଖସିପଡ଼େ ଅସହାୟଭାବରେ ସେହିପରି ସୋଫା ଉପରେ ଅସହାୟ ପରି ବସିପଡ଼ିଲା ଶ୍ରୀୟା ।

 

ଅରବିନ୍ଦ ଯେ ତାକୁ କିଛି ସୂଚନା ନ ଦେଇ ଏପରି ହଠାତ୍‌ ଚାଲିଯିବ ତାହା କେବେ ଭାବି ନ ଥିଲା ସେ । ସେ ବରଂ ଭାବୁଥିଲା ଯେ ସମସ୍ତଙ୍କ ଅଜ୍ଞାତରେ ଦୁହେଁ ଦୁହିଁଙ୍କର ଅଧେ ସାମ୍ରାଜ୍ୟ ଦଖଲ କରି ନେଇଛନ୍ତି । ଅରୁ ତାକୁ ନ କହି ଘରେ କୌଣସି ଠିକଣା ଛାଡ଼ି ନ ଯାଇ କେଉଁଆଡ଼େ ଅଦୃଶ୍ୟ ହୋଇଯିବ ଏହା ଅସମ୍ଭବ ତାକୁ । କିନ୍ତୁ ମାଉସୀଙ୍କଠାରୁ ଘରଛାଡ଼ି ଚାଲିଯିବା ଖବର ପାଇ ସେ ନିର୍ବାକ୍‌ ହୋଇଗଲା କିଛି ସମୟ । ତାପରେ ମନେହେଲା ହୁଏତ କୌଣସି ଜରୁରୀ ବାର୍ତ୍ତା ପାଇ ଚାଲି ଯାଇଛି ଦୂରକୁ । ସମୟ ହୋଇନି କାହାକୁ କହିବା ପାଇଁ । ତଥାପି ତାକୁ ଯଦି ବିଶ୍ୱାସ କରି କହି ଯାଇଥାନ୍ତା ପଥରୋଧ କରି ତା ଆଗରେ ଛିଡ଼ା ହୋଇ ନଥାନ୍ତା ଶ୍ରୀୟା । ମଣିଷ ଆଗରେ କେତେ ବଡ଼ ପୃଥିବୀ ଏବଂ ତା’ଠାରୁ ଆହୁରି କେତେ ବଡ଼ ଆହ୍ୱାନର ପ୍ରତ୍ୟୁତ୍ତର ଦବା ଦରକାର ହୁଏ ତାକୁ । ମୁହୂର୍ତ୍ତର ଦାବି ସ୍ଵୀକାର ନକଲେ ଅନନ୍ତକାଳରେ ମଧ୍ୟ ଆଉ ସେଇ ସୁଯୋଗ ଆସେ ନାହିଁ ।

 

କିନ୍ତୁ ତଥାପି ...

 

ହଠାତ୍‌ ଶ୍ରୀୟା ମନକୁ ମନ ଭାବିଲା ଯେ ପୁରୁଷମାନେ ଏଇପରି । ଇଚ୍ଛାହେଲେ ମୁହୂର୍ତ୍ତକରେ ଅର୍ଗଳ ଖୋଲି ବାହାରିଯିବେ ଯୁଆଡ଼େ ଇଚ୍ଛା ସେଆଡ଼େ । ଝିଅମାନଙ୍କ ସେପରି ସ୍ୱାଧୀନତା ନାହିଁ । ବାଲ୍ୟକାଳରେ ପିତାଙ୍କର, ଯୌବନରେ ସ୍ୱାମୀର, ବାର୍ଦ୍ଧକ୍ୟରେ ପୁତ୍ରର ଆଶ୍ରୟରେ ରହି ଆସିଛି ସେ ଚିରକାଳ । ନାରୀର ନିରାପତ୍ତା ପାଇଁ ପୁରୁଷର ଆବଶ୍ୟକତା ସେଇଦିନ ପର୍ଯ୍ୟନ୍ତ ରହିଥିବ ଯେ ପର୍ଯ୍ୟନ୍ତ ନାରୀ ସମ୍ଭୋଗର ପାତ୍ରୀ ହୋଇ ରହିଥିବ ।

 

କିନ୍ତୁ ସେ ତ ସୁଖଭୋଗ କରିବା ପାଇଁ ଚାହିଁ ନ ଥିଲା ବା ନିଜର ନିରାପତ୍ତା ପାଇଁ ଅରବିନ୍ଦକୁ ଭଲ ପାଉ ନ ଥିଲା । ତା’ର ଭଲ ପାଇବା ନିର୍ମଳ, କାଚକେନ୍ଦୁ ପାଣି ପରି ସ୍ଵଚ୍ଛ । ସେ ଚାହେଁ ସୀଥୀଟିଏ । ଜୀବନଟା ଗୋଟେ ଦୀର୍ଘ ସରଳରେଖା ନୁହେଁ, କେତେବେଳେ ବକ୍ରତ ଆଉ କେତେବେଳେ ସିଧା । ଏକାଏକା ସମୟ ଅତିବାହିତ କରି ହୁଏ ନାହିଁ । ଯଦି ତାହା ସମ୍ଭବ ହେଉଥାନ୍ତା ନିର୍ଜନ ଦ୍ୱୀପରେ ରବିନ୍‌ସନ ବିଳାପ କରି ନଥାନ୍ତା । ଯଦି ଗୋଟାଏ ପକ୍ଷୀର କାକଳି କେବଳ ଶୁଣାଯାଆନ୍ତା ତେବେ ପୃଥିବୀରେ ଶବ୍ଦ ଏତେ ମଧୁମୟ ହୋଇ ନ ଥାନ୍ତା । ମଣିଷମାନେ ସଂଘ ବାନ୍ଧି ଅଛନ୍ତି ବୋଲି ସମାଜ ଅଛି, ଶୃଙ୍ଖଳା ଅଛି । ଶ୍ରୀ ଓ ସୌନ୍ଦର୍ଯ୍ୟ ଅଛି । ଆଉ ଗଢ଼ି ଉଠିଛି ସଭ୍ୟତା ।

 

ଭାବନାରେ ହଜି ଯାଇଥଲା ଶ୍ରୀୟା । ତାକୁ ବୋଧହୁଏ ଲକ୍ଷ୍ୟ କରୁଥିଲେ କରୁଣା । କ’ଣ ଗୋଟେ ଘଟିଛି ନିଶ୍ଚୟ । ନାରୀର ନାଡ଼ି ସ୍ପନ୍ଦନ ଜାଣନ୍ତି ସେ । ତୁଚ୍ଛାଟାରେ ଜଣେ ତରୁଣୀ ଶୂନ୍ୟକୁ ଚାହିଁ ସମୟ କଟାଇ ପାରେ ନାହିଁ । ସେ ତାରାମାନଙ୍କୁ ସେତିକିବେଳେ ଖୋଜେ ଯେତେବେଳେ ସେ ଅନୁଭବ କରେ ଯେ ସେ ଏକା ନୁହେଁ, ଗୋଟିଏ ମିଠାମିଠା ବନ୍ଧନ ଭିତରେ ତାର ଅବସ୍ଥାନ । କିପରି. ପକ୍ଷୀଯୁଗଳ ନୀଳ ଆକାଶଆଡ଼କୁ ଡେଣା ମେଲାଇ ଉଡ଼ିଯାଆନ୍ତି ତାହା ଦେଖି ସେ ପୁଲକିତ ହୁଏ, ଏଥିପାଇଁ ଯେ ସେଇ ଅନନ୍ତ ନୀଳିମାରେ କବିତା ଲେଖି ଲେଖି ସେମାନେ ଉପରକୁ ଆହୁରି ଉପରକୁ ଉଠିବା ପାଇଁ ଭଲ ପାଆନ୍ତି ।

 

ଶ୍ରୀୟାର କାନ୍ଧ ଉପରେ ହାତ ରଖି ସେ କହିଲେ–‘‘କ’ଣ ହୋଇଛି ? କିଏ କ’ଣ କହିଲା ଫୋନ୍‍ରେ ?’’

 

ଶ୍ରୀୟାର ମୁହଁରୁ କଥା ସ୍ଫୁରିଲା ନାହିଁ ।

 

ତା’ର ଢଳ ଢଳେ ଆଖି ଦୁଇଟି ଉପରେ ଦୃଷ୍ଟି ନିବଦ୍ଧ କରି କରୁଣା କହିଲେ–‘‘ଅରବିନ୍ଦ ସହିତ କଥା ହୋଇଥିଲୁ ?’’ ତାଙ୍କ ଛାତି ଉପରେ ଢଳି ପଡ଼ି କହିଲା ଶ୍ରୀୟା–‘‘ନା ମା, ସେ ଘର ଛାଡ଼ି କୁଆଡ଼େ ଚାଲି ଯାଇଛନ୍ତି...।’’

 

–‘‘ଘର ଛାଡ଼ି ଚାଲି ଯାଇଛି ଅଥଚ ତୋତେ କିଛି କହି ଯାଇନି ! ଆଶ୍ଚର୍ଯ୍ୟ !!’’

 

–‘‘ତୋର ଅନୁମାନ କ’ଣ ? ସେ ହୁଏତ ଫେରି ଆସିବ କିଛି ସମୟ ପରେ...।’’ କହିଲେ କରୁଣା ।

 

–‘‘ସେ ଆଉ ଫେରି ଆସିବେନି ବୋଲି ବୋଧହୁଏ । ଏହିପରି ଚାଲିଗଲେ...ସେଇ ଆକର୍ଷଣ ଆହୁରି ଅମୋଘ... ତା’ର ଆବାହନକୁ ଏଡ଼ାଇ ଦେଇ ହୁଏନା...।’’

 

–‘‘ତାଙ୍କ ଘରେ କ’ଣ କହୁଛନ୍ତି ?’’

–‘‘ସେମାନଙ୍କୁ ବି କିଛି କହି ନାହାନ୍ତି ।’’

–‘‘ତା ହେଲେ କ’ଣ ତା ସମ୍ବନ୍ଧରେ ଯାହା ମୁଁ ଶୁଣିଥିଲି ସେ ସବୁ ସତ ?’’

 

ଶ୍ରୀୟା କିଛି ଉତ୍ତର ଦେଲା ନାହିଁ । ଧୀରେ ଧୀରେ ସେ ତା’ କୋଠରୀ ଭିତରକୁ ଚାଲିଗଲା ଏବଂ କବାଟ ବନ୍ଦ କରିଦେଲା ।

 

ଅନେକଙ୍କ ପାଇଁ ଜଣକୁ ଛାଡ଼ି ଚାଲିଯାଇଛି ଅରବିନ୍ଦ ।

 

ଶ୍ରୀୟା ବସି ବସି ଅନେକ ଭାବିଲା, ଆଖିରୁ ଲୁହ ପୋଛିଲ, ଛାତି ତଳର କୋହ ସମ୍ଭାଳି ନେଲା । ଅରବିନ୍ଦ ତ କୌଣସି ଅପରାଧ କରିନାହିଁ ଯେ ସେ କାନ୍ଦିବ ? ବରଂ ସେ ଖୁସି ଯେ ସେମାନଙ୍କର ଆମନ୍ତ୍ରଣ ଅସ୍ଵୀକାର କରି ନ ପାରି ସେ ପରିବାରର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛି । ଗୋଟିଏ ପରିବାରକୁ ଛାଡ଼ି ଅନେକ ପରିବାରକୁ ଆପଣେଇ ନେଇଛି ।

 

କିନ୍ତୁ ଯିବା ଆଗରୁ ତାକୁ ଯଦି କହିଥାଆନ୍ତା ଏତେ ଆକୁଳ ବ୍ୟାକୁଳ ହେଉ ନ ଥାନ୍ତା ଶ୍ରୀୟା । ଖୁସି ମନରେ ସେ ତାକୁ ବିଦାୟ ଦେଇଥାନ୍ତା ଦେଶ ସେବା କରିବା ପାଇଁ । ଆଦର୍ଶ ବ୍ୟକ୍ତି ବା ଗୋଷ୍ଠୀଠାରୁ ସବୁ କାଳରେ ବଡ଼ ବୋଲି ସେଥିପାଇଁ ସର୍ବସ୍ଵ ତ୍ୟାଗ କରିହୁଏ । ଅରୁ ଯଦି ନିଜ ମାର୍ଗ ବାଛି ନେଇପାରେ ତେବେ ସେ ବି ନିଜ ପଥ ବାଛି ନେଇ ପାରିବ । ସେ ଦୁର୍ବଳ ନୁହେଁ, କେବଳ ନିଜ ସୁଖ ପାଇଁ ଜୀବନକୁ ମହମବତୀ ପରି ଜାଳି ଦବନି ସେ । ଅନ୍ଧାର ଦୂର କରିବା ପାଇଁ କିନ୍ତୁ ଦୀପ ଜାଳୁଥିବ ଶ୍ରୀୟା । ପର ପାଇଁ କାନ୍ଦିବା କେଡ଼େ କଷ୍ଟ ସେ ଜାଣେ । ତଥାପି ଦୁଃଖ, ଦାରିଦ୍ର୍ୟ, ରୋଗ, କ୍ଷୁଧା ଭିତରେ ଘାଣ୍ଟି ଚକଟି ହେଉଥିବା ଅଜସ୍ର ଲୋକଙ୍କ ସେବା କରି ସେ ଯଦି ନିଜକୁ ଉଦ୍ଧାର କରି ପାରିବ ପାପ ତାପର ଏଇ ସଂସାରକୁ ତାହାହିଁ ହେବ ତା’ର ପୂର୍ବଜନ୍ମର ତପସ୍ୟାର ଫଳ । ପ୍ରାରବ୍ଧ ଭୋଗ କରିବାକୁ ହୁଏ ବୋଲି ହିନ୍ଦୁ ପ୍ରାରବ୍ଧରୁ ମୁକ୍ତି ପାଇବା ଆଶାରେ ନିରନ୍ତର ଚେଷ୍ଟା କରିଯାଏ ନିଜକୁ ଶୁଦ୍ଧବୁଦ୍ଧ କରିବା ପାଇଁ ।

Unknown

 

ସେହିଦିନ ରାତ୍ରି ଭୋଜନ କଲାବେଳେ ବାପା, ମା’ଙ୍କ ଉପସ୍ଥିତିରେ ନିଜର ଭବିଷ୍ୟତ କାର୍ଯ୍ୟସୂଚୀ ଘୋଷଣା କରିଦେଲା ଶ୍ରୀୟା । ସେ ସିଭିଲ୍‌ ସର୍ଭିସ୍‌ ପାଇଁ ଲାଳାୟିତ ନୁହେଁ । ସାଧାରଣ ଜୀବନର ସୁଖ ସ୍ୱାଚ୍ଛନ୍ଦ୍ୟ ତାକୁ ଆକୃଷ୍ଟ କରେ ନାହିଁ । ସଂସାର କରିବାର ମୋହ ସେ ବିସର୍ଜନ ଦେଇଛି । କଷ୍ଟ ସହିବା ପାଇଁ ସେ ପ୍ରସ୍ତୁତ । ସମାଜସେବା କରିବା ତା’ର ଲକ୍ଷ୍ୟ । ଦୁଃଖୀ, ପୀଡ଼ିତ, ଦୁଃସ୍ଥ ଓ ଦୁର୍ବଳମାନଙ୍କ ମୁହଁରେ ହସ ଫୁଟାଇ, ସେମାନଙ୍କ ଆଖିରୁ ଲୁହ ପୋଛି ସେ କଟାଇ ଦେବ ସାରାଜୀବନ । ଅନ୍ୟାୟ ବିରୁଦ୍ଧରେ ଲଢ଼ିବା ନିମନ୍ତେ ସେମାନଙ୍କୁ ସଂଘବଦ୍ଧ ଓ ସଙ୍ଗଠିତ କରିବା ପାଇଁ ସେ କାମ କରିବ । ସେ ଜାଣେ ଯେ ସେ ଏକା ଏକା ଏ ସମାଜକୁ ବଦଳାଇ ଦେଇପାରିବ ନାହିଁ କିମ୍ବା କୁସଂସ୍କାର ଓ ନିପୀଡ଼ନ ଦୂର କରିପାରିବ ନାହିଁ । କିନ୍ତୁ ଚେଷ୍ଟା କରିବ । ଉଦ୍ୟମ ଓ ଅଧ୍ୟବସାୟ କରିବ । ହାରିଯିବ ବୋଲି ତା’ର ଭୟ ନାହିଁ, ଜିତିବ ବୋଲି ତା’ର ବିଶ୍ଵାସ ଅଛି ।

 

ମନେପଡ଼ୁଥିଲା ସରୋଜଙ୍କର ଶ୍ରୀୟାର ବାଲ୍ୟାବସ୍ଥାର ଏକ ଘଟଣା । ତା’ର କୋଷ୍ଠି ତିଆରି କରିଥିଲେ ଜ୍ୟୋତିଷ ସାଧୁଚରଣ ମିଶ୍ର । ସେତେବେଳେ ସେ ଭବିଷ୍ୟବାଣୀ କରିଥିଲେ ଯେ ଏଇ ଝିଅ ସାଧାରଣ ଦଶଜଣ ଝିଅଙ୍କ ପରି ନୁହେଁ, ଇଏ ହେବ ଅସାଧାରଣ । ସାଂସାରିକ ସୁଖସମ୍ଭୋଗ ତାକୁ ଆକର୍ଷଣ କରିବ ନାହିଁ, ବରଂ ଅନେକକଙ୍କୁ ସୁଖୀ କରିବା ପାଇଁ କାମ କରିବ ସେ । ସେତେବେଳେ ତାଙ୍କ କଥାକୁ ସେ ବା କରୁଣା କେହି ବିଶ୍ୱାସ କରି ନ ଥିଲେ ।

 

ପନ୍ଦର ବର୍ଷ ପରେ ଜ୍ୟୋତିଷ ଯାହା କହିଥିଲେ ତାହା ସତ ହେବାକୁ ଯାଉଛି ।

 

କରୁଣା ଆଖିରୁ ଲୁହ ପୋଛି କହିଲେ–‘‘ତୁ ଯାହା କରିବୁ ଘରେ ରହି କର...କୌଣସିଥିରେ ତୋର ଅଭାବ ହେବ ନାହିଁ । ଆମର ସମସ୍ତ ସମ୍ପତ୍ତି ତୋର । ତୋର ଯେପରି ଇଚ୍ଛା ସେହିପରି ଖର୍ଚ୍ଚ କରିବୁ । କିନ୍ତୁ ଆମକୁ ଛାଡ଼ି କାହାକୁ କିଛି ନ କହି ଦେଶ ସେବା କରିବା ନାମରେ ତୁ ଅନ୍ଧାରରୁ ଉଠି ଆଲୋକ ଓ ଆଦର୍ଶ ପଛରେ ଚାଲି ନ ଯାଉ ଯେପରି !’’

 

ସରୋଜ କହିଲେ–‘‘ତୁ ଭଲ ନିଷ୍ପତ୍ତି ନେଇଛୁ । ତୋତେ ଆଶୀର୍ବାଦ କରୁଛି ।’’ ନିଜ କୋଠରୀକୁ ଫେରି ଆସି ଟେବୁଲ ପାଖରେ ବସିଲା ଶ୍ରୀୟା ।

 

ଅରବିନ୍ଦ ଠିକଣା ଜାଣେ ନାହିଁ ସେ । ଚିଠି ଲେଖିଲେ ବି ତାହାରି ପାଖରେ ରହିଯିବ ସେଇଟା । ହଠାତ୍ ଅସହାୟ ମନେକଲା ନିଜକୁ । କେତେବେଳ ଏହିପରି ବସିଥିବ କେଜାଣି । ଟେଲିଫୋନ୍‍ର ରିଙ୍ଗ୍ ଶୁଣି ଉଠିଗଲା ରିସିଭର ଧରିବା ପାଇଁ ।

 

ସେ ପାଖରୁ ଗୋଟିଏ ପରିଚିତ ଅଥଚ ଅପ୍ରତ୍ୟାଶିତ ସ୍ୱର ଭାସି ଆସିଲା–‘‘ମୁଁ ଅରୁ କହୁଛି ଶ୍ରୀୟା.... କ୍ଷମା କରିବ.. ତମକୁ ନ କହି, କାହାକୁ କିଛି ନ କହି ମୁଁ ଘର ଛାଡ଼ି ଚାଲି ଆସିଲି ଗୋଟେ ଡାକର ଆକର୍ଷଣ ଏଡ଼ି ନ ପାରି । ତମକୁ ଶ୍ରୀହରି ଭାଇ କଥା କହିଛି । ସେ ଖବର ପଠାଇଥିଲେ । ସମୟ ନ ଥିଲା କାହାକୁ କିଛି କହିବା ପାଇଁ । ହଠାତ୍‌ ଚାଲି ଆସିଲି । ଏ ଜାଗାଟା ବଂଶଧାରା ନଦୀ କୂଳରେ । ଗୁଣୁପୁରରୁ କିଛି ଦୂରରେ । ଦୁଇଦିନ ପରେ ଆଜି ଟିକେ ଫୁରୁସତ ମିଳିଲା । ସଡ଼କ କଡ଼ରେ ଥିବା ଗୋଟେ ଏସ.ଟି.ଡ଼ି ବୁଥ୍‌ରୁ ଫୋନ୍‌ କରୁଛି । ତମେ ରାଗିବନି । କ୍ଷମାକରି ଦବ ନିଶ୍ଚୟ । ତମେ ମୋ ଠିକଣା ପାଇବ ନାହିଁ । ମୁଁ କିନ୍ତୁ ସମୟ ସୁଯୋଗ ଦେଖି ତମ ସହିତ ସମ୍ପର୍କ ରଖିବି । ଆମେ ଏକାଠି ନିଜ ନୀଡ଼ ରଚନା କରିବା ପାଇଁ ସ୍ଵପ୍ନ ଦେଖିଥିଲୁ । ତାହା ଆଉ ସମ୍ଭବ ନୁହେଁ ।’’

 

ହଠାତ୍‌ ଲାଇନଟା କଟିଗଲା । ରିସିଭରଟା ଝୁଲୁଥିଲା ଶ୍ରୀୟା ହାତରୁ । ଟୋପା ଟୋପା ଲୁହ ଗଡ଼ି ପଡ଼ୁଥିଲା ଆଖିରୁ, ତଥାପି ସେ କାନ୍ଦି ପାରିଲା ନାହିଁ, ବରଂ ତା ମୁହଁ ଉପରେ ଫୁଟି ଉଠିଲା ବିଜୟିନୀର ବିକଚ ଶତଦଳ ।

 

ତେର

 

ଅସ୍ତ୍ରୋପଚାରଦ୍ଵାରା ଗୋବିନ୍ଦ ସାହୁର ଜଙ୍ଘରୁ ଗୁଳି ବାହାର କରାଗଲା । ଡାକ୍ତରଙ୍କ ଚ୍ୟାମ୍ବରରେ ଥିବା ସମୟରେ ପୁଲିସ୍‍ ତା’ର ବକ୍ତବ୍ୟ ଲେଖି ନେଇଥିଲା । ସେ ଚାହୁଁଥିଲା କଥାଟା ପ୍ରଘଟ ନ ହେଉ । ପୁଲିସ୍‍ ମଧ୍ୟ ସେୟା ଚାହୁଁଥିଲା । ଉଗ୍ରବାଦୀମାନଙ୍କ ଗୁଳିରୁ ଗୋବିନ୍ଦୁ ସାହୁ ବର୍ତ୍ତିଯିବାର କାହାଣୀ ଫାଇଲ ଭିତରେ ଗୋପନ ରଖିବା ସକାଶେ ଉପରୁ ଆଦେଶ ଆସିଥିଲା । ସ୍ଵୟଂ କମିଶନର ଆସିଥିଲେ ସରଜମିନ କରିବା ପାଇଁ । ସବୁ ଜାଣିବା ପରେ ବି ଯେପରି କିଛି ଘଟି ନାହିଁ ସେହିପରି ଅଭିନୟ କରି ଚାଲିଗଲେ । ଯଦି ଘଟଣା ପ୍ରକାଶ ପାଇଯାଏ ତେବେ ଲୋକଙ୍କ ଭିତରେ ଆତଙ୍କ ଖେଳିଯିବ । ନକ୍ସଲମାନଙ୍କ ଆକ୍ରମଣରୁ ପୁଲିସ୍‍ ଗୋବିନ୍ଦ ସାହୁକୁ ରକ୍ଷା କରିପାରିନାହିଁ ଏଇକଥା ଥରେ ଗାଁ ଗଣ୍ଡାରେ ବ୍ୟାପିଗଲେ ଲୋକମାନେ ମୁକ୍ତିଯୋଦ୍ଧାମାନଙ୍କ ଆଡ଼କୁ ଢଳିବେ ବୋଲି ଆଶଙ୍କା କରି ପୁଲିସ୍‍ ଚାପି ଦେଲା କଥାଟାକୁ । କିନ୍ତୁ ଗୋବିନ୍ଦ ସାହୁ ସାଧାରଣ ଲୋକ ନୁହେଁ । ସେ ସାହୁକାର ମହାଜନ । ମାତବ୍ଦର ଲୋକ । ପଚିଶଟା ଗାଁର ଲୋକ ତାକୁ ସମୀହ କରି ଚଳନ୍ତି । ଯଦି ତାର କର୍ତ୍ତୃତ୍ଵ ହୁଗୁଳା ହୋଇଯାଏ ତେବେ ପୁଲିସ୍‍ର କର୍ତ୍ତୃତ୍ଵ ମଧ୍ୟ ହୁଗୁଳା ହୋଇଯିବ । ଲୋକମାନଙ୍କୁ ହାତରେ ରଖିବା ପାଇଁ ଗୋବିନ୍ଦ ସାହୁକୁ ପୁଲିସ୍‍ ମାଧ୍ୟମଭାବେ ବ୍ୟବହାର କରେ । ତାହାରିଦ୍ୱାରା ଗାଁ ଗଣ୍ଡାରୁ ଚାଉଳ, ଘିଅ, ମୁଗ, କୁକୁଡ଼ା, ଖାସି ସଂଗ୍ରହ କରେ । ଗୁଣୁପୁରକୁ ବଡ଼ ବଡ଼ ଅଫିସର ଓ ମନ୍ତ୍ରୀମାନେ ଆସିଲେ ସେମାନଙ୍କୁ ଚର୍ଚ୍ଚା କରିବା ଦାୟିତ୍ୱ ସ୍ଥାନୀୟ ଅଫିସରମାନଙ୍କର । ଏଥିରେ ସେମାନଙ୍କୁ ସବୁ ପ୍ରକାର ସାହାଯ୍ୟ କରେ ଗୋବିନ୍ଦ ସାହୁ । ପୁଲିସ୍‍ ପାଖରେ ନ ଥିଲେ ବାବୁମାନଙ୍କୁ ଖାତିର କରିବ କିଏ ? ପୁଲିସ୍‍ ମାଧ୍ୟମରେ ଚାନ୍ଦାଭେଦା ସଂଗ୍ରହ କରିବା ସହଜ ହୁଏ । ସେଇ ବାଟ ଦେଇ ଥାନାବାବୁ, ତହସିଲଦାର ଓ ବି.ଡ଼ି.ଓ. ବାବୁ ମଧ୍ୟ କିଛି କିଛି ଆୟ କରନ୍ତି ।

 

ଗୋବିନ୍ଦ ସାହୁ ଘରକୁ ଆସିଲା । ଲୋକମାନେ କୁହାକୁହି ହେଲେ ଯେ କୁଟୁରା ଶିକାର କରିବାବେଳେ ଗୁଳି ବାଜିଥିଲା ତା ଗୋଡ଼ରେ । ଭଗବାନ ବଞ୍ଚାଇ ଦେଲେ । ଗୋବନ୍ଦ ସାହୁ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି ଆସିଲା । କିଛି ଲୋକଙ୍କୁ ଭାତ, ମାଉଁସ ତରକାରୀ ଖାଇବାକୁ ଦେଲା । ସମସ୍ତେ ତୁନି ପଡ଼ିଗଲେ ।

 

ନିୟତି କିନ୍ତୁ ଠିକ୍‌ ଜାଣିଥିଲା ଯେ ଏକଥା ସତ ନୁହେଁ । କିନ୍ତୁ ସେ ମୁହଁ ଫିଟାଇ କାହାକୁ କିଛି କହି ପାରୁ ନ ଥାଏ । ଶ୍ରୀହରି ଯେ ଗୁଣୁପୁରରେ ଅଛି ଏକଥା ଆଉ କେହି ଜାଣୁ ବା ନ ଜାଣୁ ସେ ଜାଣେ । କଥାଟା ପ୍ରଘଟ ହେଲେ ଶ୍ରୀହରି ଉପରେ ବିପଦ ପଡ଼ିପାରେ । ପୁଲିସ୍‍ ତାକୁ ଖୋଜୁଛି କେତେ ମାସ ହେଲା ।

 

ବୈଶାଖ ଯାଇ ଜ୍ୟେଷ୍ଠ ଚାଲିଛି । ପ୍ରବଳ ଗରମ ଆଉ ଗୁଳୁଗୁଳି । ପବନ ନ ଥାଏ ପତ୍ରଟିଏ ହଲିବା ପାଇଁ । ଦୁଇ ବଖରା ନୁଆଁଣିଆ ଟିଣଘର ଭିତରଟା ଫୁଟୁଥାଏ ଅଗ୍ନିକୁଣ୍ଡ ପରି । ପିଆଜ ଓ ଲୁଣ ଲଙ୍କା ଦେଇ ପଖାଳ ଗଣ୍ଡେ ଖାଇଦେଇ ଦାଣ୍ଡରେ ଖଟ ଉପରେ ଗଡ଼ପଡ଼ ହେଉଥାଏ ନିୟତି । ଏଇ ଗୁଣୁପୁର ସହିତ ତାର ଅନେକ ଅନ୍ତରଙ୍ଗ ଅନୁଭବର ଅକୁହା ସ୍ମୃତି ଜଡ଼ିତ-। ବାପା, ମା’, ଭାଇ, ଭଉଣୀ ସମସ୍ତଙ୍କୁ ଛାଡ଼ି ଦିନେ କମ୍ରେଡ଼୍‍ମାନଙ୍କ ସହିତ ଘରୁ ବାହାରି ଆସିଥିଲା ଗରିବଦୁଃଖୀଙ୍କ ସେବା କରିବା ପାଇଁ । ସେମାନଙ୍କ ପକ୍ଷ ନେଇ ସରକାର ବିରୁଦ୍ଧରେ ଲଢ଼ିବା ପାଇଁ-

 

ସାତବର୍ଷ ତଳର କଥା । ଦିନେ ପାର୍ବତୀପୁରମ୍‌ ରେଳଷ୍ଟେସନରେ ଦେଖା ହୋଇଯାଇଥିଲା ଅପ୍ରତ୍ୟାଶିତ ଭାବେ ଶ୍ରୀହରି ସହିତ । ଜଣେ କମ୍ରେଡ଼୍‍ ତାକୁ ଚିହ୍ନାଇ ଦେଇଥିଲା ତା’ ସହିତ । ସେଇ ପ୍ରଥମ ଦେଖା ଦୁଇଜଣଙ୍କୁ ନିକଟତର କଲା ଏବଂ ସେଇଠାରୁ ଦୁହେଁ ଦହିଁଙ୍କ ପ୍ରତି ଆକୃଷ୍ଟ ହେଲେ, ପରସ୍ପରକୁ ଭେଟିବା ପାଇଁ ଉଦ୍‌ଗ୍ରୀବ ହୋଇ ଉଠୁଥିଲେ ।

 

ପାର୍ବତୀପୁରମ୍‌ ପାଖରେ ଆଉ ଗୋଟିଏ ଗ୍ରାମ ସୁନ୍ଦରପୁରମ୍‌ ! ଆପ୍ପାରାଓ ଘରେ ସେମାନେ ପହଞ୍ଚିଲାବେଳକୁ ସଂଧ୍ୟା ନଇଁ ଆସିଥାଏ । ଆପ୍ପାରାଓର ଖେତରେ ଭଲ ଧାନ ଫସଲ ହୋଇଥାଏ ସେ ବର୍ଷ । କିନ୍ତୁ ମହାଜନର କରଜ ଟଙ୍କା ଶୁଝି ପାରି ନ ଥାଏ ବୋଲି ଋଣ ଟଙ୍କା ବାବଦକୁ ଧାନକ୍ଷେତ ଛାଡ଼ିଦବା ପାଇଁ ବାଧ୍ୟ କରୁଥାଏ ମହାଜନ ସୁଗ୍ରୀବ ନାଇଡ଼ୁ । ତା’ ହାତକୁ ଖେତର ସୁନା ଫସଲ ଚାଲିଗଲେ ପରିବାର ଚଳେଇ ପାରିବ ନାହିଁ ଆପ୍ପାରାଓ । ପାଞ୍ଚପ୍ରାଣୀ କୁଟୁମ୍ବ ଭୋକ ଉପାସରେ ଠୋ ଠା ମରିଯିବେ । ସେ ସୁଗ୍ରୀବ ନାଇଡ଼ୁର ପାଦତଳେ ପଡ଼ିଲା, ତାକୁ ନେହୁରା ହୋଇ ବିନତି କଲା ଛାଡ଼ି ଦବା ପାଇଁ । ଏଇ ଧାନ ଖେତ ତା’ର ଭାତ ହାଣ୍ଡି । ବଞ୍ଚିଥାଉଁ ଥାଉଁ ସେ ଭାତହାଣ୍ଡି ଆଉ କାହା ହାତକୁ ଟେକି ଦେଇପାରିବ ନାହିଁ । ଆପ୍ପାରାଓର ବିକଳ ବ୍ୟସ୍ତ ବ୍ୟର୍ଥ ହେଲା । ସୁଗ୍ରୀବ ନାଇଡ଼ୁ ଦିନ ତାରିଖ ଘୋଷଣା କରିଦେଲା । ତା’ ଆଗରୁ ଋଣ ଆଉ ସୁଧ ପରିଶୋଧ ନ କଲେ ଅପ୍ପାରାଓର ଖେତ ଦଖଲ କରିନବ ସୁଗ୍ରୀବ । ସେ ଗଣି ଗଣି ଟଙ୍କା ଦେଇଥିଲା ଆପ୍ପାରାଓ ସ୍ତ୍ରୀ ବୋକିଲି ହାସ୍‍ପାତାଳରେ ଥିବାବେଳେ । ସେଇ ଟଙ୍କା ସୁଧମୂଳ ମିଶି ତିନିଗୁଣ ହେଲାଣି । ଦୟା ଦେଖାଇବାର ସମୟ ନାହିଁ । ଆପ୍ପାରାଓ ପରି ଶୟତାନକୁ ଦୟା ଦେଖାଇବା ଅର୍ଥ ମଝି ଦରିଆରେ ବୁଡ଼ି ମରିବା । ଆପ୍ପାରାଓ ଯଦି ଟଙ୍କା ନ ଶୁଝି କ୍ଷେତରୁ ଧାନ କାଟିନିଏ ତେବେ ଭେକିଆ, ନରହରି, ଶ୍ରୀନିବାସ କେହି ଟଙ୍କା ଶୁଝିବେ ନାହିଁ, ସମସ୍ତେ ଆପ୍ପାରାଓର ଉଦାହରଣ ଦେଖାଇ ଖସିଯିବେ । ସୁଗ୍ରୀବର ମହାଜନୀ ବୁଡ଼ିଯିବ । ସେ ସଦାବର୍ତ୍ତ ବାଣ୍ଟିବା ପାଇଁ ମହାଜନୀ କରୁନାହିଁ ।

 

କାଳେ ଗାଁ ଲୋକଙ୍କୁ ମତେଇ ଆପ୍ପାରାଓ ମେଳି କରିବ ଏଇ ଆଶଙ୍କା ଦୂର କରିବା ପାଇଁ ତହସିଲଦାର ଆଉ ଥାନାବାବୁକୁ କହିରଖିଛି ସୁଗ୍ରୀବ । ସେମାନଙ୍କର ପ୍ରାପ୍ୟ ଦେଇ ଆସିଛି । ସରକାରଙ୍କ ବାହନ ସେମାନେ । ସେମାନଙ୍କୁ ସନ୍ତୁଷ୍ଟ ନ କଲେ ସେମାନେ ପର ପାଇଁ ଲଢ଼ିବେ କାହିଁକି ? ଥାନାବାବୁ ଆଉ ତହସିଲଦାର ବାବୁଙ୍କ ସହିତ ସଲାପରାମର୍ଶ କରି ଦିନଧାର୍ଯ୍ୟ କରିଥିଲା ସୁଗ୍ରୀବ । ଥାନାବାବୁ ତାକୁ ଶିଖେଇ ଦେଇଛନ୍ତି କ’ଣ କରିବାକୁ ହେବ । ଜୀବନ ନେଲେ ଅସୁବିଧା-। ବଡ଼ ବଡ଼ ହାକିମ ହୁକୁମା ଆସିବେ । କଥାଟା ଜଟିଳ ହେବ । ଯଦି ତା’ଠାରୁ କମ୍‌ରେ କାମ ହାସଲ ହୁଏ ତେବେ ଜୀବନ ନବା ଦରକାର କ’ଣ ?

 

ନିୟତି ଯାଇଥିଲା ଶ୍ରୀହରି ସହିତ ସୁନ୍ଦରପୁରମ୍‌ ଗାଁକୁ । ସେମାନଙ୍କ ସହିତ ଆହୁରି ସାତଜଣ ଥିଲେ । ସେମାନେ ଗାଁ ଭିତରକୁ ନ ଯାଇ କ୍ଷେତ ପାଖରେ ଜଗି ରହିଲେ । ଆପ୍ପାରାଓ ଘରେ ନିୟତି ସହିତ ଶ୍ରୀହରି ପହଞ୍ଚିବାବେଳକୁ ସେ ଘରେ ନ ଥିଲା, କିନ୍ତୁ ସ୍ତ୍ରୀକୁ କହିଯାଇଥିଲା ଯେଉଁମାନେ ଆସିବେ ସେମାନଙ୍କର ଚର୍ଚ୍ଚା କରିବା ପାଇଁ । ବେଶୀ ଲୋକ ଏକତ୍ର ହେଲେ ଆପ୍ପାରାଓ ମେଳି କରୁଛି ବୋଲି କାଳେ କଥା ପ୍ରଘଟ ହୋଇଯିବ ସେଥିପାଇଁ ଜାଣିଶୁଣି ଆପ୍ପାରାଓ ଗାଁ ବାହାରକୁ ଯାଇଥିଲା । ମୁଣ୍ଡିଆ ପାଖ ଠାକୁରାଣୀ ସ୍ଥାନରେ ଗାଁର ଆଉ କେତେଜଣ ଏକତ୍ର ହେଲେ ଆସନ୍ତା କାଲିର ସାମନା କରିବା ପାଇଁ । ସୁଗ୍ରୀବର ଦଳବଳ ସହିତ ମୁହାଁମୁହିଁ ହେବା ପାଇଁ ଲୋକବକ ଥିବା ଦରକାର । ଗାଁବାଲା ଏବଂ ପାର୍ବତୀପୁରମ୍‌ରୁ ଆସିଥିବା କମ୍ରେଡ଼୍‍ମାନେ ମିଶି ପନ୍ଦରକୋଡ଼ିଏ ଜଣ ହେବେ । କମ୍ରେଡ଼୍‍ମାନେ ଖାଲି ହାତରେ ଆସିବେନି, ବନ୍ଧୁକ ଥିବ ହାତରେ ।

 

ଅନେକ ରାତି ପର୍ଯ୍ୟନ୍ତ ଆସନ୍ତା କାଲିର ସମ୍ଭାବ୍ୟ ସମ୍ମୁଖ ସମର ପାଇଁ ପ୍ରସ୍ତୁତ ହେଉଥିଲେ ସମସ୍ତେ । ଆପ୍ପାରାଓ ରାତିରେ ଫେରିବା ପରେ ତାକୁ ନିରୋଳାରେ କହିଲା ଶ୍ରୀହରି ସାହସ ବାନ୍ଧିବା ପାଇଁ । ପନ୍ଦର କୋଡ଼ିଏ ଜଣ ଯୋଦ୍ଧାଙ୍କ ସାମ୍ନା କରିବା ସହଜ ନୁହେଁ । ସୁଗ୍ରୀବ ସାଙ୍ଗରେ ଦଶ ପନ୍ଦର ଜଣରୁ ଯେ ବେଶୀ ଆସିବେ ନାହିଁ ଏଥିରେ ନିଃସନ୍ଦେହ ଥିଲେ ସେମାନେ । କିନ୍ତୁ ସରକାରୀ ଲୋକ ଯଦି ଆଗରୁ ଆସି ଲୋକଙ୍କୁ ବାନ୍ଧ ନିଅନ୍ତି ତେବେ ଅବସ୍ଥା ସଙ୍ଗୀନ ହେବ, ଗୁଳି ଚାଲିପାରେ, ରକ୍ତପାତ ହୋଇପାରେ ।

 

ରାତି ଦୁଇଟା ହେବ । ନୂଆ ଜାଗା ଓ ଉତ୍ତେଜକ ପରିସ୍ଥିତି ଯୋଗୁ ନିଦ ହେଉନଥାଏ ନିୟତିର । ସେ ଘର ଭିତରୁ ବାରମ୍ବାର ଦାଣ୍ଡକୁ ଆସୁଥାଏ ବିସ୍ତୀର୍ଣ୍ଣ ଆକାଶର ଶୋଭା ଦେଖି ମନକୁ ଶାନ୍ତ କରିବା ପାଇଁ । ମସ୍ତିଷ୍କର ଉତ୍ତେଜନା ପ୍ରଶମିତ କରିବା ପାଇଁ ହଠାତ ତା’ହାତ ଧରି ପକାଇ ଶ୍ରୀହରି ଫିସ୍‌ଫିସ୍‌ କରି କହିଥିଲା–ମୁଁ ତମକୁ ଭଲ ପାଏ ନିୟତି... କିଏ ଜାଣେ କାଲି କ’ଣ ହେବ... ହୁଏତ ପୁଲିସ୍‍ ଗୁଳିରେ ମୁଁ ଟଳିପଡ଼ିବି ନ ହେଲେ ମୋ ଗୁଳିରେ ଆଉ କେହି ଖତମ୍‌ ହେବ ।

 

ନିୟତିର ଡାହାଣ ହାତର ପାପୁଲି ଉପରେ ଚାପଦେଇ କହିଲା ଶ୍ରୀହରି–ତମେ କିଛି କହୁନ ଯେ...

 

ନିୟତି ଶୀହରିର ଛାତି ଉପରେ ମଥା ରଖି ଧୀରେଧୀରେ କହିଲା–ମୁଁ ତୁମକୁ ଭଲ ପାଇ ସାରିଛି ଦେଖି‌ବା ବେଳୁ....

 

ସେଇ ରାତିର ପ୍ରଶାନ୍ତ ତାରକାଖଚିତ ଆକାଶ ତଳେ ଦୁହେଁ ଶପଥ ନେଇଥିଲେ ପରସ୍ପର ପ୍ରତି ବିଶ୍ଵସ୍ତ ଓ ଅନୁଗତ ରହିବା ପାଇଁ । ଚେଆରମ୍ୟାନଙ୍କ ଆଦେଶ ଅମାନ୍ୟ ନ କରି ବି ସେମାନେ ପରସ୍ପରକୁ ଭଲ ପାଇବାରେ ବାଧା ନାହିଁ । କିନ୍ତୁ ଶାରୀରିକ ସୁଖ, ସ୍ଵାମୀ ସ୍ତ୍ରୀ ହେବାରେ ଅଭିଳାଷ କାଳେ ବିପ୍ଳବର ପରିପନ୍ଥୀ ହେବ ସେଥିପାଇଁ ଲକ୍ଷ୍ୟ ହାସଲ ନ ହେବା ପର୍ଯ୍ୟନ୍ତ ତାହା ସ୍ଥଗିତ ରଖିବା ପାଇଁ ଉପରକୁ ହାତ ଉଠାଇ ସଂକଳ୍ପ କଲେ ଦୁହେଁ ।

ସେଇ ରାତି ସାକ୍ଷୀ ହୋଇ ରହିଛି । ସେଇ ପ୍ରଶାନ୍ତ, ନକ୍ଷତ୍ରଖଚିତ ଆକାଶ ସବୁ ଦେଖିଛି, ସବୁ ଶୁଣିଛି ।

କିନ୍ତୁ ସକାଳର ଲାଲ୍‍ ସୂର୍ଯ୍ୟ ଉଦିତ ହେବାବେଳକୁ କିଏ ଅବିର ବୋଳି ଦେଇଥିଲା ପାଚିଲା ଧାନ କ୍ଷେତ ଉପରେ । ଶାନ୍ତିପୂର୍ଣ୍ଣ ଉପାୟରେ ଯଦି ସମାଧାନ ନ ହୁଏ ତେବେ ରକ୍ତରେ ହୋରି ଖେଳିବେ ବିପ୍ଳବୀମାନେ ।

ଶ୍ରୀହରିର ‘କର ବା ମର’ ଆଦେଶ ପାଇ ଧାନଖେତ ଆଡ଼କୁ ପାଦ ବଢ଼ାଇଲେ ସେମାନେ । ସେମାନେ ପହଞ୍ଚିବା ପରେ ପରେ ଧାନକଟା ଆରମ୍ଭ ହୋଇଗଲା । ହଠାତ୍‌ ଆଉ ଦଳେ ଲୋକ ସାଙ୍ଗରେ ନେଇ ସେଠାରେ ପହଞ୍ଚିଲା ସୁଗ୍ରୀବ ନାଇଡ଼ୁ । ପଛେ ପଛେ ଦୁଇଟା ଜିପ୍‌ରେ ଥାନାବାବୁ, ତହସିଲଦାର ବାବୁ ଆଉ ସଶସ୍ତ୍ର ପୁଲିସ୍‍ ସାତଜଣ ।

‘‘ଖବରଦାର୍‍ ! ଆଇନ ହାତକୁ ନିଅ ନାହିଁ । ଶହେ ଚଉରାଳିଶ ଧାରା ଜାରି ହୋଇଛି ଜମି ଉପରେ । ଧାନ କାଟିବା ବେଆଇନ । ଏଠାରେ ଏତେ ଲୋକ ଠୁଳ ହେବା ବି ବେଆଇନ । ବନ୍ଦ କର.... ଧାନ କଟା ବନ୍ଦ କର...’’

କିନ୍ତୁ ଶ୍ରୀହରି ଗର୍ଜି ଉଠିଲା–‘‘ଧାନ କଟା ବନ୍ଦ ହେବ ନାହିଁ, ଜମିର ମାଲିକ ଆପ୍ପାରାଓ । ନିଜ ଜମିରୁ ଧାନକାଟିବାର ପୂରା ଅଧିକାର ଅଛି ତା’ର...ଖବରଦାର୍‍ ! ଜୁଲୁମ କଲେ ପରିଣାମ ଭୟଙ୍କର ହେବ । ଆଇନ ମହାଜନର ଦାସ ନୁହେଁ ଯେ ସେ ଯାହା ଚାହିଁବ ଯେପରି ଚାହିଁବ ସେହିପରି ହେବ । ଆପଣମାନେ ଆଇନ ନ ମାନି ସୁଗ୍ରୀବ ନାଇଡ଼ୁର କଥାମାନି ଗରିବମାନଙ୍କୁ ଶାସ୍ତି ଦେଲେ ଆମେ ନୀରବଦ୍ରଷ୍ଟା ରହିବୁ ନାହିଁ...।’’

ସେମାନଙ୍କର ଉପସ୍ଥିତିକୁ ତହସିଲଦାର ବେଆଇନ ଘୋଷଣା କଲେ ଏବଂ କହିଲେ ଯେ ଜମିର ମାଲିକ ଆପ୍ପାରାଓ, କିନ୍ତୁ ସେ ଟଙ୍କା ଧାର ନେଇଥିଲା ସୁଗ୍ରୀବ ନାଇଡ଼ୁ ପାଖରୁ । ସେଇ ଟଙ୍କା ସୁଝି ନାହିଁ, ତେଣୁ ଦୁହିଁଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଜମିରୁ ଫସଲ କାଟିବା ଅଧିକାର ପାନ୍ତୁଲୁର... ।

ତହସିଲଦାରଙ୍କ ଘୋଷଣା ଶୁଣିବା ମାତ୍ରେ ପୁଲିସ୍‍ ଦଳ ଠିଆ ହୋଇଗଲେ ହାତରେ ବନ୍ଧୁକ ଧରି । ପାଖରେ ଛିଡ଼ା ହୋଇ ରହିଲେ ସୁଗ୍ରୀବର ଦଳବଳ ।

କିନ୍ତୁ ପୁଲିସ୍‍ ବନ୍ଧୁକ ଉପରକୁ ଉଠାଇବା ଆଗରୁ ପ୍ରଥମ ଗୁଳି ବାଜିଲା ସୁଗ୍ରୀବର ଜଙ୍ଘରେ.. ଦ୍ୱିତୀୟ ଗୁଳି ବାଜିଲା ତହସିଲଦାର କାନ୍ଧରେ...।

ରଣକ୍ଷେତ୍ରରୁ ଛତ୍ରଭଙ୍ଗ ଦେଇ ପଳାଇବା ବ୍ୟତୀତ ଅନ୍ୟ ପନ୍ଥା ନ ଥିଲା ଥାନାବାବୁଙ୍କର-। ଚାଷୀମାନଙ୍କ ଉପରକୁ ଗୁଳି ଚଳାଇବାପାଇଁ ଏତେ କଠୋର ଆଦେଶ ଦବା ପାଇଁ ସାହସ ହେଲାନି ତାଙ୍କର....।

ଆଖିପିଛୁଳାକେ ସେମାନଙ୍କ ହାତରୁ ତିନିଟା ବନ୍ଧୁକ ଛଡ଼ାଇ ନେଲେ ଶ୍ରୀହରିର ଲୋକମାନେ । ଚିକିତ୍ସା ପାଇଁ ସେଇ ଜିପ୍‌ରେ ତହସିଲଦାର, ସୁଗ୍ରୀବକୁ ପାର୍ବତୀପୁରମ୍‌ ହାସ୍‌ପାତାଲକୁ ପଠାଇ ଦିଆଗଲା ।

ବିଜୟନଗରମ୍‌ରୁ ଫୌଜ ନେଇ ପୁଲିସ୍‍ ଡିଏସ୍‌ପି ପହଞ୍ଚିବାବେଳକୁ ଦଳବଳ ନେଇ ଶ୍ରୀହରି ଅନ୍ତର୍ଦ୍ଧାନ ହୋଇ ଯାଇଥିଲା ଏ ବିଷୟରେ ସାଥୀମାନଙ୍କ ସହିତ ଆଲୋଚନା କରିବା ପାଇଁ-। ତା’ପୂର୍ବରୁ ଖେତର ଧାନ କାଟି ସାଥୀମାନେ ବୋହି ଆଣିଥିଲେ ଆପ୍ପାରାଓର ଖଳାକୁ ।

 

କିନ୍ତୁ ପୁଲିସ୍‍ ଯେ ପୁଣି ଶୀଘ୍ର ଫେରି ଆସିବ ସେ ବିଷୟରେ ନିଶ୍ଚିତ ଥିଲା ଶ୍ରୀହରି । ସେ ସାଥୀମାନଙ୍କୁ ଦମ୍ଭ ଦବା ପାଇଁ କହିଲା ପୁଲିସ୍‍ ପୁଣି ଯେ ଦଳବଳ ନେଇ ଫେରି ଆସିବ ସେଥିରେ ସନ୍ଦେହ ନାହିଁ । ବଳ ପ୍ରୟୋଗ ବି କରିପାରେ । ତୁମେ ସତର୍କ ରୁହ । ଯଦି ଗିରଫ କରି କିଛି ଲୋକଙ୍କୁ ସେମାନେ ନେଇ ଯାଆନ୍ତି ସେମାନଙ୍କୁ ମୁକୁଳାଇବା ଦାୟିତ୍ୱ ସଙ୍ଗଠନର । ‘‘ମୁଁ ତ ପାଖେ ପାଖେ ରହିବି... ତୁମମାନଙ୍କର ଆଉ ଭୟ କ’ଣ ?’’ କିନ୍ତୁ ଧନୁ ଶବର କହିଲା–“ବାବୁ ତମେ ଲୁଚିଯାଅ ଜଙ୍ଗଲ ଭିତରେ । ପୁଲିସ୍‍ ଆସୁ, ଆମେ ସବୁ ତ ଅଛୁ । ଯଦି ତୁମକୁ ଧରିନିଏ ନେତୃତ୍ୱ ଦବାକୁ କେହି ରହିବେ ନାହିଁ । କୋର୍ଟ କଚେରୀ ଅଛି...।”

 

କିନ୍ତୁ ପଳାଇଯିବା ପାଇଁ ରାଜି ହେଲାନି ଶ୍ରୀହରି । ନିୟତି ତା’ ସହିତ ଏକମତ ହେଲା । ସାଥୀ ଓ ସମର୍ଥକମାନଙ୍କୁ ଛାଡ଼ି ସେମାନେ ପଳାଇଗଲେ ରଣାଙ୍ଗନ ଛାଡ଼ି କଥାଟା ପଳାଇଯିବା ପରି ହେବ । ଯଦି ପୁଲିସ୍‍ ଗିରଫ କରିବ କରୁ । ସେମାନେ ତ ଜୀବନକୁ ପାଣି ଛଡ଼ାଇ ଦେଇଛନ୍ତି ମୁକ୍ତି ଯୁଦ୍ଧରେ ଯୋଗଦବାବେଳେ । ନିଜର ନିରାପତ୍ତା ନେଇ ଯିଏ ଚିନ୍ତା କରେ ସେ ଅନ୍ୟମାନଙ୍କରେ ନିରାପତ୍ତା ବିଷୟ ଭାବି ପାରେନା ।

 

ଶ୍ରୀହରି ଅପେକ୍ଷା କରୁଥିଲା ନିୟତିର ମତ ଶୁଣିବା ପାଇଁ । ନିୟତି କହିଲା–“ମୁଁ ତୁମ ସହିତ ଏକମତ । ଏତେକାଣ୍ଡ ଘଟିବା ପରେ ଆପ୍ପାରାଓ ଓ ସାଥୀମାନଙ୍କ ଛାଡ଼ି ଆମେ ଆତ୍ମଗୋପନ କରିବା ଠିକ୍‌ ହେବ ନାହିଁ । ଆଉ ଯଦି ବି ଆମକୁ ସେମାନେ ଗିରଫ କରନ୍ତି ଜେଲ ଭିତରୁ ପଳାଇଯିବାର ବାଟ ଜଣାଅଛି ଆମକୁ... ।’’

 

ଧନୁଶବର, ଆପ୍ପାରାଓ, ନିୟତି ସହିତ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ଓ କୌଶଳ ନିର୍ଣ୍ଣୟ କଲା ଶ୍ରୀହରି । ଏଇ ତା’ର ପ୍ରଥମ ଅଭିଯାନ ପୁଲିସ୍‍ ବିରୁଦ୍ଧରେ । ପ୍ରାଥମିକ ସଫଳତା ତାକୁ ପୁଲକିତ କରିଥିଲା ଏବଂ ଆଗାମୀ ଦିନମାନଙ୍କରେ ଯେ ଆହୁରି ବଡ଼ଧରଣର ଅନେକ ସଂଘର୍ଷ କରିବାକୁ ହେବ ତାହା ଭାବି ସେ ଶିହରିତ ହେଉଥିଲା ।
 

ରାତି ହେଲା, ଆକାଶରେ କୋଟି କୋଟି ତାରା ସଭା କରିଥିଲେ ମର୍ତ୍ତ୍ୟର ଘଟଣାବଳୀର ଆଲୋଚନା କରିବା ପାଇଁ । ସପ୍ତର୍ଷିମଣ୍ଡଳକୁ ଚାହିଁ ସପ୍ତର୍ଷିଙ୍କୁ ପ୍ରଣାମ ଜଣାଇଲା ନିୟତି । ସଭ୍ୟତାର ଉନ୍ମେଷ କାଳରେ ସେମାନେ ଦିଗ୍‌ବାରେଣି ପରି କାର୍ଯ୍ୟ କରି ନ ଥିଲେ ଆଜି ମଣିଷ ଯେଉଁଠି ପହଞ୍ଚିଛି ସେଠାରେ ପହଞ୍ଚି ପାରି ନ ଥାନ୍ତା । ଧ୍ରୁବ ତାରା ଯଥା ସ୍ଥାନରେ ଥିବା ଦେଖି ନିଜ ସଂକଳ୍ପରେ ଅଟଳ ରହିବା ପାଇଁ ସ୍ଥିର କଲା ନିୟତି । ହଠାତ୍‍ କାହିଁକି ଶ୍ରୀହରିର କଥା ମନେପଡ଼ିଗଲା । ସେ ମଧ୍ୟ କହିଥିଲା ଯେ ପ୍ରେମ ମଣିଷର ଆବେଗ ଓ ଭାବ ପ୍ରବଣତାରୁ ସୃଷ୍ଟି । ଦେହଜ ପ୍ରେମକୁ ନେଇ ମଣିଷ ଆହ୍ଲାଦିତ ହୁଏ ସିନା, କିନ୍ତୁ ପ୍ରକୃତ ନିର୍ମଳ ପ୍ରେମରେ ଶରୀରର ଭୂମିକା ନ ଥାଏ । ତଥାପି ଏଇ ଶାରୀରିକ ପ୍ରେମହିଁ ମାନବିକ ବନ୍ଧନକୁ ଦୂଢ଼ କରିବାରେ ସହାୟକ ହୋଇଛି, ସମାଜ ଗଠନରେ ଏହାର ଭୁମିକା ନଗଣ୍ୟ ନୁହେଁ । ଶାରୀରିକ ଦାବିକୁ ସବୁଠାରେ ସଦାବେଳେ ଅଗ୍ରାହ୍ୟ କରି ମନୁଷ୍ୟ ଜାତି ଆଗେଇ ପାରିବ ନାହିଁ । ଶରୀରକୁ ଛାଡ଼ି ମନର ଦମ୍ଭ କାହିଁ ପ୍ରେମକୁ ଚିରନ୍ତନ କରିବା ପାଇଁ ? ନାରୀ ଓ ପୁରୁଷର ଶାରୀରିକ ମିଳନ କେବଳ ସାମୟିକ ତୃପ୍ତି ପାଇଁ ଉଦ୍ଦିଷ୍ଟ ନୁହେଁ, ଏହା ଭିତରେ ଲୁକ୍କାୟିତ ରହିଛି ଆବେଗର ପ୍ରବାହ । ଆବେଗ ନ ଥିଲେ ସୃଜନୀଶକ୍ତି ବିକଶିତ ହୁଅନ୍ତା ନାହିଁ । ସୃଜନ ପ୍ରକ୍ରିୟା ନାରୀ ଓ ପୁରୁଷର ମାନସିକ ଓ ଦୈହିକ ମିଳନର ଫଳଶ୍ରୁତି ମାତ୍ର ।

 

ନିୟତି ଭାବି ପାରେନା ତଥାପି କାହିଁକି ପ୍ରେମ ବିପ୍ଳବର ପରିପନ୍ଥୀ ବୋଲି କୁହାଯାଏ । କାହିଁକି ବିପ୍ଳବୀମାନେ ପରସ୍ପରକୁ ପ୍ରେମ ନ କରି କେବଳ ସେଇ ରୁକ୍ଷ ଆଦର୍ଶକୁ ନେଇ ବଞ୍ଚିବା ପାଇଁ ଶପଥ ନିଅନ୍ତି ? ଯେତିକି ଭାବେ ସେତିକି ନିଜ ପାଖରେ ନିଜକୁ ହଜାଇ ଦିଏ ନିୟତି । ଆଦର୍ଶ କ’ଣ ପ୍ରେମଠାରୁ ବଡ଼ ? ପ୍ରେମ ନ ଥିଲେ ମାନବିକ ବନ୍ଧନ, ମାନବିକ ସର୍ଜନାତ୍ମକତା କ’ଣ ଏଡ଼େ ସୁନ୍ଦର, ଶୋଭନୀୟ ହୋଇଥାନ୍ତା ? ସୃଷ୍ଟିର ସୌଷମ୍ୟ ଭିତରେ ଯେଉଁ ପ୍ରାଣସତ୍ତା ବିକଶିତ ହୋଇଛି ତାହା ପ୍ରେମଶୂନ୍ୟ ନୁହେଁ । ରାତିରେ ଭଲ ନିଦ ହେଲାନି ନିୟତିକୁ । ତା’ ପାଖରେ ସେ ଶ୍ରୀହରିକୁ କାମନା କରୁଥିଲା, ନିଜର ଶାରୀରିକ କ୍ଷୁଧାର ପରିତୃପ୍ତି ପାଇଁ ନୁହେଁ, ଯେଉଁ ସବୁ ପ୍ରଶ୍ନଗୁଡ଼ାକ ତା ମନକୁ ବିଚଳିତ କରୁଛି ସେ ସବୁର ଉତ୍ତର ଶ୍ରୀହରି ହୁଏତ ନିଷ୍କମ୍ପ ମନରେ ଦେଇପାରିଥାନ୍ତା । କିନ୍ତୁ ଶ୍ରୀହରି ରାତିରେ କୋଉଠି ଶୁଏ ତାହା ଧନୁ ଶବର ବ୍ୟତୀତ ଆଉ କେହି ଜାଣନ୍ତି ନାହିଁ । ତା’ ସହିତ ଶ୍ରୀହରିର ପରିଚୟ ଧନୁ ଶବରର ସମ୍ପର୍କଠାରୁ ଦୀର୍ଘ ନୁହେଁ । ହୁଏତ ଦୁହିଁଙ୍କୁ ସମ୍ପୂର୍ଣ୍ଣ ଚିହ୍ନିବା ପାଇଁ ଆଉ କିଛି ସମୟ ଲାଗିବ । ପରସ୍ପରକୁ ସେମାନେ ଯେତିକି ଜାଣନ୍ତି ତାହା ହୁଏତ ପରସ୍ପର ଉପରେ ନିର୍ଭର କରିବା, ପରସ୍ପରକୁ ବିଶ୍ଵାସ ପାଇଁ ଯଥେଷ୍ଟ ନୁହେଁ ।

 

ଶେଷ ରାତ୍ରିରେ ଆଖିପତା ଲାଗିଯାଇଥିଲା । ବାହାରେ ଅନେକ ଲୋକଙ୍କର ପାଦଶବ୍ଦ ଶୁଣି ସେ ବିଛଣାରୁ ଉଠି ବାହାରକୁ ଚାହିଁଲା । ସେତେବେଳ ପର୍ଯ୍ୟନ୍ତ ଅନ୍ଧାର ଅପସରି ଯାଇ ନଥିଲା, ସକାଳ ହେବାକୁ ଆହୁରି କିଛି ସମୟ ବାକିଥିଲା | କୁକୁଡ଼ାର ଡାକ ଭାସି ଆସୁଥିଲା ସାହି ଭିତରୁ । ବଂଶଧାରା ଆଡ଼ୁ ସୁଲୁସୁଲିଆ ଶୀତଳ ପବନ ବହି ଆସୁଥିଲା ଦେହ ଓ ମନକୁ ତୃପ୍ତ କରିବା ପାଇଁ ।

 

ବାହାରେ ପୁଲିସ୍‍ ଫୌଜ ଘେରି ରହିଥିଲେ ଘରକୁ । ପଛଆଡ଼େ ମଧ୍ୟ ଜଗିଥିଲେ ସେମାନେ । ଘର ଚାରିପାଖରେ ପୁଲିସ୍‍ । ଆଉ ପଳାଇ ଯିବାର ଯୁ ନାହିଁ କି ଆତ୍ମଗୋପନ କରିବାର ଅବକାଶ ନାହିଁ ।

 

ଦରଜା ଉପରେ ଖଟ୍‌ଖଟ୍‌ ଶବ୍ଦ ଶୁଣି କ’ଣ କରିବ ମୁହୂର୍ତ୍ତେ ଚିନ୍ତାକଲା ନିୟତି । ବେଳ ନ ଥିଲା ସେମାନଙ୍କୁ ଅଟକାଇ ରଖିବା ପାଇଁ । ସେ ଦ୍ଵାର ମୁହଁରୁ କହିଲା–ଦୁଇ ମିନିଟ୍‌, ମୁଁ ଖୋଲି ଦେଉଛି... । ମୁହୂର୍ତ୍ତକ ମଧ୍ୟରେ ସେ ସଜାଗ କରିଦେଲା ପରିବାରର ସମସ୍ତଙ୍କୁ । ସମସ୍ତେ ଉଠିପଡ଼ିବାବେଳକୁ ପୁଲିସ୍‍ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରି ସାରିଥିଲା । ଟର୍ଚ୍ଚ ଆଲୁଅ ମୁହଁ ଉପରେ ପଡ଼ିବାକ୍ଷଣି ନିୟତି କହିଲା–“ସାମାନ୍ୟ ଭଦ୍ରତା ଆଶା କରିବା ଅନ୍ୟାୟ ହେବ କି ?’’

 

ଇନିସ୍‌ପେକ୍ଟରଙ୍କର ସଦ୍‌ବୁଦ୍ଧି ଉଦୟ ହେଲା । ସେ କନେଷ୍ଟବଳ ହାତରୁ ଟର୍ଚ୍ଚଟା ଛଡ଼ାଇ ନେଇ ଅନ୍ୟ ଆଡ଼କୁ ମୁହଁ ବୁଲାଇଦେଲେ ।

 

ଘରର ଚାରିପାଖରେ ପୁଲିସ୍‍ । କିନ୍ତୁ ସେମାନେ ତନ୍ନ ତନ୍ନ କରି ସବୁଠି ଖୋଜିବା ପରେ ମଧ୍ୟ ଶ୍ରୀହରିକୁ ପାଇଲେ ନାହିଁ । ସେମାନଙ୍କ ତାଲିକାରେ ନିୟତିର ନାମ ନ ଥିଲା । ତଥାପି ତାକୁ ଥାନାକୁ ଧରି ନେଇଗଲେ ଇନିସ୍‌ପେକ୍ଟର ବାବୁ ।

 

ପଚରା ଉଚୁରା ଚାଲିଲା ଦୁଇଦିନ ଧରି । ତା’ ପ୍ରତି ଯଥୋଚିତ ଶାଳୀନତା ପ୍ରଦର୍ଶନ କରି ନ ଥିବା ଅଭିଯୋଗ ପୁଲିସ୍‍ ବିରୁଦ୍ଧରେ କରି ନିୟତି ଅନଶନ ଆରମ୍ଭ କରିଦେଲା ।

 

ତିନିଦିନ ସେହିପରି ବିତିଗଲା । ତୃତୀୟ ଦିନ ବାଧ୍ୟ ହୋଇ ପୁଲିସ୍‍ ଖବରଦେଲା ଜିଲ୍ଲା ହେଡ଼୍‌କ୍ୱାଟରକୁ । ଏସ.ପି.ସରକାରଙ୍କୁ ଜଣାଇଲେ । ମହିଳା ମୁକ୍ତିଯୋଦ୍ଧା ଜଣେ ଅନଶନ କରିଥିବା ଶୁଣି ଚମକି ପଡ଼ିଲେ ମୁଖ୍ୟମନ୍ତ୍ରୀ । ପୁଲିସ୍‍ ତାଙ୍କୁ ହାଜତରେ ରଖିଛି । ବିଚାରପତିଙ୍କ କୋର୍ଟରେ ଦାଖଲ ନ କରିବା ବେଆଇନ କାମ । ଖବରକାଗଜ ବାଲା ଯଦି ଜାଣିଯିବେ ବଡ଼ ବଡ଼ ଅକ୍ଷରରେ ପ୍ରଥମ ପୃଷ୍ଠାରେ ଖବର ବାହାର କରିଦେବେ । ରାଜ୍ୟସାରା ପ୍ରଚାର ହୋଇଯିବ ପୁଲିସ୍‍ର ମାତ୍ରାଧିକ କାର୍ଯ୍ୟ ।

 

ଉପରୁ ଆଦେଶ ଆସିଲା ନିୟତିକୁ ଛାଡ଼ି ଦବାପାଇଁ । ହଠାତ୍‌ ତାକୁ ମୁକ୍ତ କରିଦେଇ କହିଲେ ଇନିସ୍‌ପେକ୍ଟର “ତମକୁ ଛାଡ଼ିଦେଲି ବୋଲି ତମେ ଭାବ ନାହିଁ ଯେ ତୁମେ ନିର୍ଦ୍ଦୋଷ । ତମର କମ୍ରେଡ଼୍‌ମାନେ ଖସିଗଲେ, କିନ୍ତୁ ସବୁଦିନ ଖସିଯାଇ ପାରିବେ ନାହିଁ । ମୋ ଇଲାକାରେ ଆଇନଶୃଙ୍ଖଳା ଭାଙ୍ଗିବାପାଇଁ ଆଉଥରେ ଉଦ୍ୟମ କଲେ, ମୁଁ ଇଶ୍ୱର ଶପଥ ନେଇ କହୁଛି, ଦୋଷୀର ଖପୁରି ଉଡ଼ାଇ ଦେବି ।’’

 

ନିୟତି ହସିଦେଇ କହିଲା–“ସେମାନଙ୍କୁ ଆପଣ ଧରିପାରିଲେ ନାହିଁ । କିନ୍ତୁ ମୋ ଉପରେ ରାଗ ଶୁଝାଉଛନ୍ତି । ଆପଣ ବୋଧହୁଏ ଜାଣନ୍ତି ନାହିଁ ଯେ ସେମାନେ କେବେ ଧରାପଡ଼ନ୍ତି ନାହିଁ । ସେମାନେ ପବନ ପରି ମୁକ୍ତ, ଭାବନା ପରି ବେଗଗାମୀ, ଝଞ୍ଜା ପରି ତୀବ୍ର । ସେମାନଙ୍କୁ ଜବତ କରି ହୁଏନା ।’’

 

ଥାନା ହାଜତରୁ ବାହାରି ଆସିବାବେଳେ ସେ ଭାବୁଥିଲା ଏହାପରେ କେଉଁଠିକି ଯିବ । ଫାଟକ ଡେଇଁ ସେ ରାସ୍ତାକୁ ଆସିବା କ୍ଷଣି ପଛରୁ ପବନ ପରି କିଏ ଜଣେ ଆସି ତା’ ହାତରେ ଜାଗଜ ଖଣ୍ଡେ ଧରାଇ ଦେଇ ମୁହୂର୍ତ୍ତକରେ ଅନ୍ତର୍ଦ୍ଧାନ ହୋଇଗଲା ।

 

ସେଇ କାଗଜ ଟୁକୁରା ଉପରେ ଲେଖାଥିଲା–‘‘ତମେ ସିଧା ଚାଲିଆସିବ ଛକ ପର୍ଯ୍ୟନ୍ତ । ଛକରୁ ଡାହାଣକୁ ବାଟ ଭାଙ୍ଗି ବର ଗଛ ମୂଳେ ଥିବା ଠାକୁରାଣୀଙ୍କ ସ୍ଥାନ ପର୍ଯ୍ୟନ୍ତ ଆସିବ । ସେଠାରେ ଧନୁ ଅପେକ୍ଷା କରିଥିବ । ତା’ପରେ ସେ ତମକୁ ନିର୍ଦ୍ଦିଷ୍ଟ ସ୍ଥାନକୁ ନେଇ ଆସିବ ।’’

 

ଠାକୁରାଣୀଙ୍କର ସ୍ଥାନ ପାଖରେ ପହଞ୍ଚିଲାବେଳକୁ ଜଣେ ଗଛ ଉହାଡ଼ରୁ ବାହାରି ଆସି କହିଲା–ଆଉ ବେଶୀଦୂର ନୁହେଁ.... ପାଦରେ ଚାଲିଗଲେ ଦୁଇ ଘଣ୍ଟା ଲାଗିବ । କିନ୍ତୁ ମୁଁ ଠିକ୍‌ କରି ଆସିଛି । ଗୋଟେ ସାଇକେଲ ମିଳିଯିବ ଆଗ ଛକରେ । ତମେ ପଛରେ ବସିପାରିବ ତ ?’’

 

ନିୟତିର ମୁହଁ ଉପରେ ସ୍ମିତ ହସ ଖେଳିଗଲା । ଶ୍ରୀହରି ଯେ ଅଦୂରରେ ଅପେକ୍ଷା କରୁଥିବ ଏଇ ଭାବନା ମନକୁ ଆସିଲାକ୍ଷଣି ସେ ଶିହରି ଉଠିଲା ।

 

ସେହିଦିନ ରାତି ସେମାନେ ସୁନ୍ଦରପୁରମ୍‌ ଛାଡ଼ି ପାର୍ବତୀପୁରମ୍‌ ଚାଲି ଆସିଲେ । ସେଠାରୁ ରେଳଗାଡ଼ିରେ ବସି ଚାଲିଗଲେ ବିଜୟନଗରମ୍‌ । ବିଜୟନଗରମ୍‌ରୁ ସୁଙ୍କି ବାଟ ଦେଇ କୋରାପୁଟ ।

 

କୋରାପୁଟରେ ତାକୁ ଛାଡ଼ି ଶ୍ରୀହରି ବାହାରିଗଲା ମାଲକାନଗିରି । ତା’ପରେ ତା’ ସହିତ ଯେତେଥର ଦେଖାହୋଇଛି ଖୁବ୍‍ ଅଳ୍ପ ସମୟ ପାଇଁ । କେତେବେଳେ ଉଦୁଉଦିଆ ଦିପହରରେ ବା ଆଉ କେତେବେଳେ ମଧ୍ୟରାତ୍ରିର ନୀରବତାରେ ସେ ଆସିଛି ଝଞ୍ଜା ପରି... କିଛି ସମୟ ରହି ଚାଲିଯାଉଛି ଆଉ କେଉଁ ଅଜ୍ଞାତ ସ୍ଥାନକୁ । ଲଢ଼େଇ ଆରମ୍ଭ ହୋଇଯାଇଛି ଶାସନ ବିରୁଦ୍ଧରେ । ଶାସନ ଥରହର ହେଉଛି ସେମାନଙ୍କ ପ୍ରବଳ ପ୍ରତାପ ଦେଖି ।

 

ନିୟତି କୋରାପୁଟ ଛାଡ଼ି ଗୁଣୁପୁର ଆସିଛି । କିନ୍ତୁ ଶ୍ରୀହରିକୁ ଧରି ରଖି ପାରିନାହିଁ । ସେ ମୁଠା ଭିତରୁ ପବନ ପରି ମୁକୁଳି ଯାଇଛି । ଦୀର୍ଘ ସମୟ ପରେ ଯଦିଓ ଅଳ୍ପସମୟ ପାଇଁ ଗୁଣୁପୁରରେ ଦେଖାହେଲା ଝଡ଼ ରାତିରେ, କିନ୍ତୁ ବର୍ଷା ଧାର ପରି ଅଶ୍ରୁ ହୋଇ ସେ ବହିଗଲା ଏକାନ୍ତରେ..... । ଶ୍ରୀହରି ଚାଲିଗଲା ଝଡ଼ର ବେଗ ନେଇ ଦୂରକୁ... ଅନେକ ଦୂରକୁ.... ।

 

ଚଉଦ

 

ଅରବିନ୍ଦକୁ ଦାୟିତ୍ଵ ଦେଇ କୋରାପୁଟ ଚାଲିଗଲା ଶ୍ରୀହରି । ମାଲକାନଗିରି ଅବସ୍ଥା ଉଦ୍‌ବେଗଜନକ । ଶାସନ ଅଚଳ ପ୍ରାୟ । ଉନ୍ନୟନ କାର୍ଯ୍ୟ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ସତ, କିନ୍ତୁ ସେଇ କାମ ସହିତ ଲୋକମାନେ ସଂଶ୍ଲିଷ୍ଟ ନୁହନ୍ତି । ସେମାନଙ୍କୁ ଶାସନର ନିକଟତର କରିବାପାଇଁ ଚେଷ୍ଟା କରାଯାଇନି । ରାଜନୀତି କରୁଥିବା ସଙ୍ଗଠନମାନଙ୍କୁ ଗୋଟିଏ ସୁଯୋଗ ମଳିଥିଲା ଶାସନର ଶୂନ୍ୟତା ପୂର୍ଣ୍ଣ କରିବା ପାଇଁ । ଯେଉଁକାମ ଶାସନ କରିବା କଥା କିଛି କରୁନାହିଁ, ସେହି କାମ କରିବା ପାଇଁ ଲୋକଶକ୍ତିକୁ ଜାଗ୍ରତ ଓ ସଙ୍ଗଠିତ କରିବା କାମ ହେଉଛି ରାଜନେତାମାନଙ୍କର । କିନ୍ତୁ ସେମାନେ ରାଜନୀତିକୁ ଜନସେବାର ମାଧ୍ୟମଭାବେ ଉପଯୋଗ ନ କରି ଲୋକମାନଙ୍କୁ ଶୋଷଣ କରିବା ପାଇଁ ବ୍ୟବହାର କରନ୍ତି । ଫଳରେ ରାଜନେତା ଓ ଶାସନକର୍ତ୍ତାମାନଙ୍କର ଅପବିତ୍ର ମିଳନ ହୋଇଛି । ଅର୍ଥ ବଳରେ ପୃଥିବୀ ଅଧି‌କାର କରିବା ପାଇଁ ଚାହୁଁଥିବା ସମାଜବିରୋଧୀ ଶକ୍ତି ଶାସନକଳକୁ ଦଖଲ କରି ନେଇଛନ୍ତି । ଅର୍ଥ ଓ ଅପରାଧର ନିଷ୍ଠୁରତା ଆଗରେ ବଳିପଡ଼ିଛି ଜନସ୍ୱାର୍ଥ ।

 

ରକ୍ତପ୍ରବାହରେ ବିପ୍ଲବର ବୀଣା ଧ୍ଵନି ଅନୁରଣିତ ହୁଏ । ବହୁ ଦୂରରୁ ସମୁଦ୍ର, ନଦୀ, ପାହାଡ଼, ପର୍ବତ ଓ ଜନପଦ ଡେଇଁ ଭାସି ଆସେ କାହାର ସ୍ଵର । କାନ ପାତି ଶୁଣେ ଅରବିନ୍ଦ । ଏଇ କ’ଣ ଅନାଗତର ପଦଧ୍ୱନି ? ସେ କିଛି ସ୍ଥିର କରିପାରେ ନାହିଁ । ଶ୍ରୀହରି ଦେଇଯାଇଥିବା ମନ୍ତ୍ର ଓଁକାରର ପ୍ରଣବ ଧ୍ଵନି ପରି ମନ୍ଦ୍ରିତ କରିଛି ତାର ଚିତ୍ତକୁ । କିଏ ଯେପରି ଡମ୍ବରୁ ବଜାଇ ଦେଉଛି ରକ୍ତକଣିକାରେ । ତାର ଚେତନାରେ ଗାନ୍ଧିଜୀଙ୍କର ସେଇ ଅନ୍ତର୍ଭୁକ୍ତ ଅର୍ଦ୍ଧନଗ୍ନ ନିପୀଡ଼ିତ ନୁଖୁରା ମଣିଷଟିର ଶୁଖିଲା ମୁହଁ ଆବିର୍ଭାବ ହେଉଛି ଥରକୁ ଥର । ଏଇ ନିରସ୍ତ୍ର, ନିରହଙ୍କାରୀ, ନିର୍ଯ୍ୟାତିତ ମଣିଷଟି କେବଳ ସହ୍ୟ କରି ଆସିଛି ଦାରିଦ୍ର୍ୟର କଷାଘାତ, ମୁଣ୍ଡପାତି ଗ୍ରହଣ କରି ନେଇଛି ସିଂହାସନାରୂଢ଼ କର୍ତ୍ତାମାନଙ୍କର ଆଦେଶ । ପ୍ରତିବାଦ କରିନାହିଁ, ପ୍ରତିରୋଧ କରିବାପାଇଁ ସାହସ କରିନାହିଁ । ସେମାନଙ୍କ ହାତରେ ଗୋଟେ ଗୋଟେ ବନ୍ଧୁକ ଧରାଇ ଦେଇ ଚେଆରମ୍ୟାନ ବଜ୍ରଗମ୍ଭୀର ସ୍ଵରରେ କହୁଛନ୍ତି–ବନ୍ଧୁକର ନଳି ଭିତରୁ କ୍ଷମତା ପ୍ରବାହିତ ହୁଏ । କିନ୍ତୁ ଗାନ୍ଧିଜୀ କହିଥିଲେ ଅହିଂସା ହିଁ ସବୁଠାରୁ ବଡ଼ ଅସ୍ତ୍ର । ବ୍ରିଟିଶ ସାମ୍ରାଜ୍ୟବାଦ ହାରିଗଲା ଅହିଂସା ଆନ୍ଦୋଳନ ଆଗରେ । କିନ୍ତୁ ମାଓ କହିଥିଲେ ନ୍ୟାୟ ପାଇଁ, ଅତ୍ୟାଚାରରୁ ମୁକୁଳିବା ପାଇଁ ଅସ୍ତ୍ର ଧରିବାକୁ । କାହାକଥା ମାନିବ ଅରବିନ୍ଦ ?

 

ଦିନେ ଶ୍ରୀହରି ତାକୁ କହିଥିଲା ଯେ ମହାଭାରତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ବିଷର୍ଣ୍ଣ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ କହିଥିଲେ ଧର୍ମ ଓ ସତ୍ୟର ଜୟ ପାଇଁ ଆବଶ୍ୟକ ହେଲେ ଅସ୍ତ୍ର ଧରିବାକୁ ହୁଏ । ହାରିଗଲେ ବୀରଗତି ଲାଭ କରି ସ୍ୱର୍ଗକୁ ଯିବ, କିନ୍ତୁ ବିଜୟୀ ହେଲେ ପୃଥିବୀ ତୁମର । ଗରିବ ଖଟିଖିଆମାନଙ୍କ ହାତକୁ କ୍ଷମତା ଆସିଲେ ସର୍ବହରାମାନେ ଶାସନ କରିବେ ବୋଲି ମାଓ କହିଥିଲେ । ସେତେବେଳେ ସମ୍ପତ୍ତି ଆଉ ବ୍ୟକ୍ତିଗତ ହୋଇ ରହିବ ନାହିଁ–ହେବ ସମାଜର । ସମସ୍ତେ ହେବେ ଏହାର ମାଲିକ । କେହି ଶୋଷିତ ହେବେ ନାହିଁ ବା ଅନାହାରରେ ମରିବେ ନାହିଁ-। ଏଇ ସ୍ଵର୍ଗ ରାଜ୍ୟ କେବେ ଆସିବ ? ସତ୍ୟଯୁଗ କେବଳ କ’ଣ ଅତୀତର ସ୍ମୃତି ବା ଅନାଗତର ସ୍ଵପ୍ନ ହୋଇ ରହିଯିବ ?

 

ଦିନେ ନିରୀହ ଓ ନିଃସ୍ଵମାନେ ଏ ଧରିତ୍ରୀ ଅଧିକାର କରିବେ ବୋଲି ବାଇବେଲ୍‍ରେ ଲେଖା ହେବାକଥା କହୁଥିଲେ ପ୍ରଫେସର । କାର୍ଲମାର୍କସ ବି ସେଇ କଥା କହିଛନ୍ତି । ହୁଏତ ତାହାହିଁ ସତ୍ୟ ହେବ ।

 

କିନ୍ତୁ କାହାକୁ କିଛି ନ କହି ଘରଛାଡ଼ି ଚାଲି ଆସିଲା ବୋଲି ଅନ୍ତର ଭିତରଟା ଘାଣ୍ଟି ହେଉଥିଲା । ବାପା, ମା’, କେତେ ସ୍ଵପ୍ନ ଦେଖୁଥିଲେ ତାକୁ ନେଇ । ସେ ଚାକିରି କଲେ ତା’ ପାଠପଢ଼ା ପାଇଁ ବ୍ୟାଙ୍କରୁ ଆଣିଥିବା ଋଣ ଟଙ୍କା ଶୁଝିଦେବେ । ଛୋଟ ଘରଟା ଅକୁଳାଣ ହେଉଛି । ଆଉ ଦୁଇ ବଖରା ଘର ତୋଳିବେ । ହାତରେ କିଛି ଅର୍ଥ ରହିଲେ ସାନ ଭଉଣୀର ବାହାଘର ପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ ।

 

କେବଳ ବାପା ମା’ କ’ଣ ସ୍ୱପ୍ନ ଦେଖୁଥିଲେ ? ସେ ବି ତ ନିଜର ସୁନେଲି ଭବିଷ୍ୟତର ଭାବନାରେ ବିଭୋର ହେଉଥିଲା । ସେ ଓ ଶ୍ରୀୟା ଯୋଜନା କରୁଥିଲେ ଖଣ୍ଡଗିରି ପାହାଡ଼ ତଳେ ଗୋଟିଏ ଛୋଟ ଘର ତୋଳିବେ, ବଗିଚାରେ ଫୁଲ ଓ ଫଳଗଛ ଲଗାଇବେ । ଅନେକ ଜାତିର ଚଢ଼େଇ ଆସି ଗଛଡାଳରେ ବସା ବାନ୍ଧିବେ । ରାସ୍ତାରେ ଯାଉଥିବା ମଣିଷ ଥକ୍କା ମାରିବାପାଇଁ ହୁଏତ କେତେବେଳେ ଦଣ୍ଡେ ବସିଯିବ ଗଛମୂଳେ । ତୃଷିତମାନଙ୍କୁ ନିର୍ମଳ ପାଣି ଟିକେ ଦବାପାଇଁ ଗୋଟେ ନଳକୂପ ବସାଇ ଦେବେ ।

 

ସବୁ ସ୍ଵପ୍ନ ମିଳାଇଗଲା ବୈଶାଖର ଧୁ ଧୁ ଆକାଶରେ । ଶ୍ରୀୟା ପ୍ରତି ସେ ଅବିଚାର କରିଛି । ଗୋଟେ ଆଦର୍ଶ ପଛରେ ଚାଲିବାକୁ ଯାଇ ବାସ୍ତବ ଜଗତର ହସଖୁସି, ଆଶା ନିରାଶା, ଯନ୍ତ୍ରଣା ଓ ପରସ୍ପରକୁ ଆପଣେଇ ନବାର ଆକର୍ଷଣକୁ ସେ ପୋତି ଦେଇଛି ମାଟିତଳେ ।

 

ଶ୍ରୀୟା ତା ବାଟରେ ଆସି ନ ଥିଲେ କେତେ ସୁଖରେ ରହିଥାନ୍ତା । ତା ପରି ବୁଦ୍ଧିମତୀ ଝିଅ ପାଇଁ ସିଭିଲ ସର୍ଭିସ୍‌ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବା କଷ୍ଟକର ହୋଇ ନ ଥାନ୍ତା । କିନ୍ତୁ କେବଳ ଜନସେବା କରିବା ଲାଗି ଭବିଷ୍ୟତକୁ ବଳି ଦେଇ ସ୍ଵେଚ୍ଛାସେବୀ ଅନୁଷ୍ଠାନଟିଏ ଗଢ଼ିବ ଓ ତାହାରି ମାଧ୍ୟମରେ ଲୋକଙ୍କ ସେବା କରିବ ବୋଲି ସଂକଳ୍ପ କରିଛି ସେ । ତାକୁ ଛାଡ଼ି, ପରିବାର ଛାଡ଼ି ସେ ଯେ ପଳାଇ ଆସିଲା ଗୋଟିଏ ଅନିଶ୍ଚିତ ମାର୍ଗରେ, ତାହା କ’ଣ ଉଚିତ ହୋଇଛି ?

 

ଅରବିନ୍ଦ ଝୁଣ୍ଟିପଡ଼େ ଭାବୁ ଭାବୁ । ଗାନ୍ଧିଜୀଙ୍କ ସେଇ ନିସ୍ୱ, ନିରୀହ, ନୁଖୁରା, ମଣିଷର ଶୁଖିଲା ମୁହଁ ପୁଣି ଭାସିଉଠେ ତା’ ଆଖିଆଗରେ । ସେ ଯେପରି ତାକୁ ଥରେ ନୁହେଁ ଅନେକଥର ଦେଖିଛି । ରାଜଧାନୀର ରାସ୍ତାକଡ଼ରେ ରାତି କଟାଉଥିବା ବା ମାଲଗୋଦାମରୁ ଶଗଡ଼ରେ ମାଲବୋଝେଇ ଶଗଡ଼ ଟାଣି ଟାଣି ନବାବେଳେ ମୁହଁରୁ ନିଗିଡ଼ି ପଡ଼ୁଥିବା ଝାଳ ପୋଛି ନ ପାରି କେତେବେଳେ ଝୁଣ୍ଟି ପଡ଼ିଛି ତ ଆଉ କେତେବେଳେ ମୁହୂର୍ତ୍ତେ ଛିଡ଼ା ହୋଇଯାଇଛି । ଶଗଡ଼ର ଜୁଆଳି ଧରି ଆଗକୁ ଭିଡ଼ୁଥିବା ଲୋକକୁ କେତେଥର କେତେ ପାଖରେ ଦେଖୁଛି ସେ । ସେମାନଙ୍କୁ କେହି ଉଚିତ ପ୍ରାପ୍ୟ ଦେଇନାହିଁ, ସେମାନଙ୍କ ଦାବି ମାନି କେହି ସେମାନଙ୍କୁ ନ୍ୟାୟ ଦେଇନାହିଁ । ତଥାପି ସେମାନେ ଖଟୁଛନ୍ତି । ସମସ୍ତଙ୍କ ମୁହଁରେ ଆହାର ଦବାପାଇଁ ନିର୍ଧୁମ ଦିପହରରେ ଜମି ଉପରେ ନଙ୍ଗଳ ବୁଲାଉଛି ମୂଲିଆ । ଘରେ ପିଲାଙ୍କ ମୁହଁରେ ଆହାର ଦବାପାଇଁ ଚୁଲିରେ ହାଣ୍ଡି ବସିଛି କି ନାହିଁ ଏ ବିଷୟ ଭୁଲିଯାଇଛି ସେ ।

 

ଶିକ୍ଷିତ ଲୋକମାନେ ସେମାନଙ୍କ କଥା ବୁଝିବେ ବୋଲି ଆଶାଥିଲା ସେମାନଙ୍କର । ତା’ ବାପା ମା’ ଶ୍ରୀୟାର ବାପା ମା’ ଯେପରି କେତେ ସ୍ଵପ୍ନ ଦେଖୁଥିଲେ ପୁଅଝିଅଙ୍କୁ ନେଇ; ସେହିପରି ଏଇ ମୂଲିଆ, ଖଟିଖିଆ ବି ଭାବୁଥିବ ତା ସ୍ତ୍ରୀ ଓ ପିଲାମାନଙ୍କ ବିଷୟରେ । ସେମାନେ ଅନେଇଥିବେ ଫେରିବା ବାଟକୁ । କିନ୍ତୁ ଶଗଡ଼ ଟାଣି ଟାଣି ଯିବାବେଳେ ଯଦି ଟ୍ରକ ମାଡ଼ିଯାଏ ବା ବୈଶାଖ ମାସର ଉଦୁଉଦିଆ ନିର୍ଧୁମ ଖରାରେ କାମ କଲାବେଳେ ଯଦି ଝୋଲ ମାରି ମୂଲିଆ ବାପୁଡ଼ା ମରିଯାଏ ଅଧବାଟରେ ତେବେ ଏ ଧରିତ୍ରୀ ବିଦୀର୍ଣ୍ଣ ହେବ ନାହିଁ ଲଜ୍ଜ୍ୟାରେ, କିମ୍ବା ସୁଖୀ ଓ ସମ୍ଭ୍ରାନ୍ତମାନଙ୍କର ନ’ତିଅଣ ଛ’ଭଜାରୁ ଗୋଟିଏ କମିଯିବ ନାହିଁ ।

 

ହଠାତ୍‌ ଆଖ୍‌ରୁ ଦୁଇବୁନ୍ଦା ଲୁହ ଗଡ଼ିପଡ଼ିଲା ଅରବିନ୍ଦର । ମାଲିକ ନ ଥିବାବେଳେ ଭୋକ ସମ୍ଭାଳି ନ ପାରି ଏଗାରବର୍ଷର ସେଇ ଅଭାବୀ ଘରର ପିଲାଟା ବାସି ସିଙ୍ଗଡ଼ାରୁ ଦୁଇଟା ଖାଇ ଦେଇଥିଲା ବୋଲି ଦୋକାନୀ ତାକୁ ଲାତ ମାରି ମାରି ଲହୁ ଲୁହାଣ କରିଦେଇ ଥିବା ଦୃଶ୍ୟ ଭାସି ଉଠିଲା ତା’ ଆଖି ଆଗରେ ।

 

ଅରବିନ୍ଦର ହାତମୁଠା ଟାଣ ହେଲା । ସେ ଉପରକୁ ହାତ ଉଠାଇ କହିଲା–ହଁ ମୁଁ ଠିକ୍‌ କରିଛି... ମୁଁ ଠିକ୍‌ କରିଛି.... ମୁଁ ଏମାନଙ୍କ ପାଇଁ ଇଢ଼ିବି ଆଜୀବନ... ମୋର ବଞ୍ଚିବା ବା ମରିବା ଅର୍ଥହୀନ ଯଦି ଏଇ ଅସମାନତା ଦୂର ନହୁଏ । ଯିଏ କେବଳ ନିଜ ପାଇଁ ବଞ୍ଚେ ସେ ସମାଜର ଶତ୍ରୁ-

 

ଧନୁ ଆସି ପହଞ୍ଚିଲା । ହାତରେ ଗୋଟିଏ ପୋଟଳା । ଅରୁ ହାତକୁ ବଢ଼ାଇ ଦେଇ ଧନୁ କହିଲା–“ରାଣୀ ଜଳଖିଆ ଦେଇଛି ।

 

ହଠାତ୍‌ ଭୋକ କଲାପରି ଅନୁଭବ କଲା ଅରବିନ୍ଦ । ରାଣୀ ପଠାଇଥିବା ପୁଟୁଳା ଖୋଲିଲା ବିଳମ୍ବ ନ କରି । ଧନୁ ମୁଆଁ ଆଉ ବାଦାମ ଭଜା । ବାଦାମ ଭଜାରୁ ଦୁଇଟା ପାଟିରେ ଭର୍ତ୍ତିକରି ଚୋବାଇଲା ସେ । ଧନୁ ମୁଆଁରୁ ଫାଳେ ଖାଇଲା । ପାଣି ପିଇଲା ଅରବିନ୍ଦ । ହସକୁରୀ ରାଣୀର ମୁହଁ ମନେପଡ଼ିଲା । ତା’ ସହିତ ତା’ ଆଗରେ ଭାସି ଉଠିଲା ସାନ ଭଉଣୀର ହସକୁରି ମୁହଁ ।

 

–ମା’ ଛେଉଣ୍ଡ ଝିଅ ବାବୁ... ଅଭାବରୁ ଆଉ ଉପରକୁ ପଢ଼ାଇ ପାରିଲି ନାହିଁ.... କହିଲା ଧନୁ ।

 

–“ସମୟ ପାଇଲେ ମୁଁ ପଢ଼ାଇବି । ସମୟ ପାଇଲେ ଏ ବହି ଦୁଇଖଣ୍ଡ ପଢ଼ିବ..... ।

 

‘‘ବ୍ୟାଗରୁ ବାହାର କରି ଗୋପବନ୍ଧୁଙ୍କ ‘ଧର୍ମପଦ’ ଏବଂ ଫକୀରମୋହନଙ୍କ ‘ଛମାଣ ଆଠଗୁଣ୍ଠ’ ବହି ତା’ ହାତକୁ ବଢ଼ାଇ ଦେଇ କହିଲା ଅରବିନ୍ଦ–“ମଉସା, ସ୍କୁଲ ନ ଯାଇ ଘରେ ରହି ବି ପଢ଼ିହୁଏ । ପାଠ ପଢ଼ିବାର ବୟସ ନାହିଁ । ମରିବା ପର୍ଯ୍ୟନ୍ତ ଜଣେ ଭାବିପାରେ, ଜ୍ଞାନ ଅର୍ଜନ କରିପାରେ ।

 

ଧନୁ ଗାମୁଛା ଭିତରେ ସାଇତି ରଖିଲା ବହି ଦୁଇଟାକୁ । କେହି ଜଣେ ଆସି ଖବର ଦେଲା ସଡ଼କ ତିଆରି କାମ କାଲିଠାରୁ ଆରମ୍ଭ ହେବ । ଲୋକମାନଙ୍କୁ କାମ ମିଳିବ ।

 

ଧନୁ କହିଲା–“ଭଲ ଖବର । କାମ ନାହିଁ ବୋଲି ହାତଗୋଡ଼ ବାନ୍ଧି ବସିଛନ୍ତି ଲୋକମାନେ । ଚାଉଳ, ଲୁଣ, ତେଲ କିଣିବାକୁ ହାତରେ ପଇସା ନାହିଁ ।”

 

ଅରବିନ୍ଦ ପଚାରିଦେଲା–“ଦିନକୁ କେତେ ମଜୁରୀ ? ଧନୁ କହିଲା–ଦିନକୁ ମଜୁରୀ ପାଞ୍ଚ କିଲୋ ଚାଉଳ ଆଉ ନଗଦ କୋଡ଼ିଏ ଟଙ୍କା । କିନ୍ତୁ ଠିକାଦାର କ’ଣ ସବୁ ଦବ ? ଦୁଇ କିଲୋ ଚାଉଳ ଆଉ ଦଶଟଙ୍କା । ବେନାମୀ ଲୋକଙ୍କ ନାମ ଲେଖି ଖର୍ଚ୍ଚ ଦେଖାଇବ ।

 

ଅରବିନ୍ଦ କହିଲା–କାମ ଚାଲିଥିବାବେଳେ ଆମେ ଯିବା ।

 

ଧନୁ କହିଲା–‘‘ଭଲ କଥା । କିନ୍ତୁ ଲୋକମାନଙ୍କୁ ମଜୁରୀ ଦବାବେଳେ ଗଲେ ସାକ୍ଷୀ ପ୍ରମାଣ ମିଳିଯିବ ।”

 

ସଂଧ୍ୟାବେଳକୁ ଦୁହେଁ ଗଲେ ପାଖଆଖର କେତେଖଣ୍ତ ଗାଁ ବୁଲିବା ପାଇଁ । ଫଗୁଣିଆ, ଗୋପଗାଁ, ଦାଣ୍ଡପାଣି ଗାଁ ଲୋକ ସେମାନଙ୍କୁ ଅନାଇ ବସିଥିଲେ । ବିଚାର ଆଲୋଚନା ହେଲା । ଧନୁ କହିଲା–ଦିନକୁ ପାଞ୍ଚ କିଲୋ ଚାଉଳ ଆଉ କୋଡ଼ିଏ ଟଙ୍କା । ଚାଉଳ, ଟଙ୍କା ନବାପରେ ଯାଇ ଖାତାରେ ଟିପ ମାରିବ... ।

 

–‘‘ଏମାନେ ଲେଖିପଢ଼ି ଜାଣନ୍ତି ନାହିଁ ?’’ ପଚାରିଲା ଅରବିନ୍ଦ ।

–ନା... ଜଣେ ଦୁଇଜଣ ଜାଣନ୍ତି.... କିନ୍ତୁ ଅନ୍ୟମାନେ ନିରକ୍ଷର ।

 

–‘‘ମୁଁ ସଂଧ୍ୟାବେଳେ ପଢ଼େଇବି ଏମାନଙ୍କୁ । ଅକ୍ଷର ଶିକ୍ଷା, ଶହେ ପର୍ଯ୍ୟନ୍ତ ଗଣିବା, ଲେଖିବା, ଆଉ ପଢ଼ିବା ପାଇଁ ବେଶୀ ସମୟ ଲାଗିବ ନାହିଁ । ବୁଦ୍ଧି ଅଛି । ଦୁଇମାସ ଯଥେଷ୍ଟ ।’’

 

ଗାଁ ବାଲା ରାଜି ହେଲେ । ସୋମବାରଠାରୁ ସୁରୁ କରିବା ସ୍ଥିର ହେଲା । ସପ୍ତାହକୁ ତିନିଥର । ଏକାଥରେ ଦୁଇଟା ଗାଁରେ ପାଠପଢ଼ା ଆରମ୍ଭ କରିବା ପାଇଁ ବ୍ୟବସ୍ଥା ହେଲା । ଗୁଣୁପୁର ବଜାରରୁ ସିଲଟ, ଖଡ଼ି, ବର୍ଣ୍ଣବୋଧ ଆଣିବା ପାଇଁ ଧନୁ ହାତକୁ ପଇସା ବଢ଼ାଇ ଦେଲା ଅରବିନ୍ଦ ।

 

ଅରବିନ୍ଦ ମାଷ୍ଟରବାବୁଭାବେ ପରିଚିତ ହୋଇଗଲା । ଗାନ୍ଧି ମହାତ୍ମାଙ୍କ ଶିଷ୍ୟ । ଗାଁ ଲୋକଙ୍କୁ ଲେଖାଶୁଣା ଶିଖାଇବା ପାଇଁ ଚାଟଶାଳୀ ଖୋଲିବା ପାଇଁ ଆସିଛନ୍ତି ।

ଗାଁବାଲାଙ୍କ ବିଶ୍ଵାସ ହେଲା । ମାଷ୍ଟରଙ୍କୁ ଦେଖି ମନରେ ଦମ୍ଭ ଆସିଲା । ମାଷ୍ଟରମାନଙ୍କର ବୟସ ବେଶୀ । କିନ୍ତୁ ଇଏତ ଟୋକା ମାଷ୍ଟର । ବୟସ କମ୍‌ ହେଲେ କ’ଣ ହେବ ଅନେକ ଜ୍ଞାନୀ, ଅନେକ ପାଠ ପଢ଼ିଛନ୍ତି । ଇଂରାଜୀ ଲେଖିପଢ଼ି ଜାଣନ୍ତି ।

ଗାଁବାଲାଙ୍କ ସାହସ ହେଲା । ସେମାନଙ୍କୁ ଆଉ ସହଜରେ ଠକି ଦେଇପାରିବ ନାହିଁ ଠିକାଦାର ଆଉ ଅଫିସରମାନେ । ସେମାନେ ଗଣିଗଣି ହିସାବ ନେବେ । ମଜୁରୀ ନବାବେଳେ ମାଷ୍ଟର ବାବୁ ଉପସ୍ଥିତ ରହିବେ ।

ଅରବିନ୍ଦଙ୍କୁ ଅତି ସହଜରେ ଗାଁଲୋକଙ୍କ ପାଖରେ ମାଷ୍ଟର ବାବୁଭାବେ ପରିଚିତ ହୋଇଗଲା । ଅରବିନ୍ଦ ମିଶ୍ରର ପୂର୍ବ ପରିଚୟ ବାକ୍ସ ଭିତରେ ରହିଗଲା, ଯେପରି ପୂର୍ବାଶ୍ରମର ପରିଚୟ ବାକ୍ସ ଭିତରେ ବନ୍ଦ କରି ଦିଅନ୍ତି ସନ୍ନ୍ୟାସୀମାନେ ।

ଗାଁକୁ ଗାଁ ବୁଲେ ଅରବିନ୍ଦ । ସହରର ଶବ୍ଦ ଓ ଧୂଳିମାନଙ୍କ ସହିତ ପରିଚିତ ସେ । କିନ୍ତୁ ସହରର କୋଳାହଳରେ, ଯାନବାହାନର ଶବ୍ଦରେ ବା ଦୋକାନ ବଜାରର ଆଖିଝଲସା ରୂପରେ ସେ ଜୀବନର ଦୁଃଖମାନଙ୍କୁ ଗଣିପାରେ ନାହିଁ । ମଣିଷମାନଙ୍କର ଉଚ୍ଛ୍ୱାସକୁ ଅନୁଭବ କରିପାରେ ନାହିଁ । ପକ୍ଷୀମାନଙ୍କର କାକଳି, ଶିଶୁର ମନ ମତାଣିଆ ହସ, ନବବଧୂର ସଲଜ୍ଜ ଚାହାଁଣୀ, ଜେଜମା’ଙ୍କ କାହାଣୀ କହିବାର ଶୈଳୀ ସହରରେ ଦେଖିବାକୁ ମିଳେ ନାହିଁ । ଜହ୍ନିଫୁଲ ଉପରେ ପ୍ରଜାପ୍ରତିର ଚିତ୍ର, ପୋଖରୀ ଭିତରେ ଫୁଟିଥିବା କଇଁଫୁଲର ଦୃଶ୍ୟ, ବିଲ ମଝିରୁ ଆକାଶ ଆଡ଼କୁ ଉଡ଼ିଯାଉଥିବା ବା ଗେଣ୍ଡାଳିଆମାନଙ୍କ ଅଭିଯାନ, ଗାଁଦାଣ୍ଡରେ ଗୋଧୂଳି ସମୟରେ ଗୋରୁଗାଈଙ୍କ ଘରବାହୁଡ଼ା ଦୃଶ୍ୟ ଆଖିରେ ପଡ଼େନାହିଁ । ରାଜଧାନୀଠାରୁ ଅନେକ ଦୂରରେ କିନ୍ତୁ ସେ ପ୍ରକୃତିର ଶୋଭା ଦେଖୁଛି । ପକ୍ଷୀମାନଙ୍କ ଗୀତ ଶୁଣୁଛି । କେନ୍ଦେରା ବଜାଇ ଗୀତ ଗାଉଥିବା ଲୋକର ସ୍ଵର ଶୁଣିପାରୁଛି ।

ସେଦିନ ନାଥପୁର ଗାଁ ଦାଣ୍ଡରେ କୋଳାହଳ ଶୁଣି ଅରବିନ୍ଦ ଠିଆ ହୋଇଗଲା । ଗାଁ ମଝିରେ ସଡ଼କ ତିଆରି ଚାଲିଥାଏ । ଗାଁ ମୁଣ୍ଡରୁ ମାଇଲିଏ ଗଲେ ଗୁଣୁପୁର ରାସ୍ତା । ସେଇ ରାସ୍ତା ସହିତ ଗାଁ ରାସ୍ତାର ସଂଯୁକ୍ତ ହେଲେ ଯିବା ଆସିବା କରିବା ସହଜ ହେବ । କାମ ଶେଷକରି ଶ୍ରମିକମାନେ ଅପେକ୍ଷା କରୁଥାଆନ୍ତି ମଜୁରୀ ନବା ପାଇଁ । ପଞ୍ଚାୟତ ପକ୍ଷରୁ ସ୍ୱୟଂ ସରପଞ୍ଚ ନେତ୍ରାନନ୍ଦ ସାହାଣୀ ଏବଂ ବିଡ଼ିଓ ଅଫିସ୍‌ର ବାବୁ ଚିଦାନନ୍ଦ ସ୍ଵାଇଁଙ୍କ ଉପସ୍ଥିତିରେ ଚାଉଳ ଓ ଟଙ୍କା ଦିଆଯାଉଥାଏ । ପ୍ରଥମେ ଡାକ ପଡ଼ିଲା ସପନା ଗଉଡ଼ର । ସେ ଆଗରେ ଛିଡ଼ା ହେଲା ଚାଉଳ, ଟଙ୍କା ନବାପାଇଁ । କିନ୍ତୁ କୋଡ଼ିଏ ଟଙ୍କା ବଦଳରେ ପାଞ୍ଚଟଙ୍କା ପାଇ ସେ କହିଲା–“କମ୍‌ ଟଙ୍କା ମୁ ନେବି ନି ସରପଞ୍ଚ ବାବୁ । ସରକାର ଯେତିକି ଦେଉଛି ସେତିକି ଦିଅ ।’’

ତାକୁ କଡ଼କୁ ଠେଲିଦେଇ ସରପଞ୍ଚ କହିଲେ–ତୁ ପରେ ନବୁ । ଯୋଉମାନେ ନେବେ ସେମାନେ ଆସନ୍ତୁ । ଠିକ୍‌ ହିସାବ କରାଯାଇଛି । ଚାଉଳ ପାଞ୍ଚ କିଲୋ ନଗଦ ପାଞ୍ଚ ଟଙ୍କା ଜଣକୁ ପ୍ରତିଦିନ...

ଅରବିନ୍ଦ ଆଗେଇ ଯାଇ କହିଲା–“କିନ୍ତୁ ବ୍ଲକ ଅଫିସ୍‌ ଆଗରେ ଦିନକୁ ମଜୁରୀ ପାଞ୍ଚ କେଜି ଚାଉଳ ଓ ନଗଦ କୋଡ଼ିଏ ଟଙ୍କା ଲେଖାଯାଇଛି । ଖାଦ୍ୟପାଇଁ କାମ ଯୋଜନାରେ ଏ କାମ ହେଉଛି । ସେମାନେ କମ୍‌ ନେବେ କାହିଁକି ?”

ଯେତିକି ଦିଆହେଉଛି ସେତିକି ନବାକୁ ପଡ଼ିବ....‘‘କହିଲା ବିଡ଼ିଓ ଅଫିସ୍‌ର ଚିଦାନନ୍ଦ ବାବୁ ।’’

 

ଅରବିନ୍ଦ କହିଲା–“ନା, ଯେତିକ ଦବା କଥା ସେତକ ନ ଦେଲେ କେହି ନେବେ ନାହିଁ । କାଲି ସମସ୍ତେ ସବ୍‌କଲେକ୍ଟରଙ୍କୁ ଯାଇ ଦେଖାକରି ସବୁ କହିବୁ ।’’

 

ସବ୍‌କଲେକ୍ଟର ନା ଶୁଣି ଟିକେ ନରମିଗଲେ ସରପଞ୍ଚ । ସେ କହିଲେ–“ଗଣ୍ଡଗୋଳ କଲେ କାମ ବନ୍ଦ ହୋଇଯିବ । କଳି ନ ଲାଗି ସମାଧାନ କରିଦବା ଭଲ । ଚାଉଳ ପାଞ୍ଚକିଲୋ ନିଅ-। ଟଙ୍କା ସେତିକି ନିଅ ।’’

 

–‘‘ପନ୍ଦର ଟଙ୍କା କିଏ ନବ ?” କହିଲା ସପନା ଗଉଡ଼ ।

 

କଥା ଖରାପ ହୋଇପାରେ ଏହା ଆଶଙ୍କା କରି କହିଲେ ସରପଞ୍ଚ–‘‘ତମେ ବୋଧହୁଏ ନୂଆ ଆସିଛ ଏ ଗାଁକୁ ? ତମେ ଯଦି ଜାଣନ୍ତ ଟଙ୍କା କିପରି ଆସେ, ତେବେ ଏପରି କହନ୍ତ ନାହିଁ । ମୁଁ କହୁଛି ଚାଉଳ ଆଉ ପାଞ୍ଚ ଟଙ୍କା... ଅନ୍ୟାନ୍ୟ ଖର୍ଚ୍ଚ ଅଛି... ସମସ୍ତଙ୍କୁ ଭାଗ ଦବାର ଅଛି ।’’

 

ଅରବିନ୍ଦ ଭୂଇଁ ଉପରେ ବସି ପଡ଼ି କହିଲା–‘‘ଆମେ ନବୁ ନାହିଁ କି ଜାଗା ଛାଡ଼ି ଯିବୁ ନାହିଁ । ବିଡ଼ିଓ ଆସନ୍ତୁ, ସବ୍‌କଲେକ୍ଟର ଆସନ୍ତୁ.... ରାତି ପାହି ସକାଳ ହେଉ...ଆମେ ଏଇଠି ବସିଲୁ...।’’

 

ତାକୁ ବସି ପଡ଼ିବା ଦେଖି ଅନ୍ୟମାନେ ମଧ୍ୟ ବସିପଡ଼ିଲେ ।

 

ସରପଞ୍ଚବାବୁ ଚିଦାନନ୍ଦର କାନପାଖେ ଫିସ୍‌ଫିସ୍‌ କରି କହିଲେ–‘‘ଏ ଲୋକଟା ଗୋଳମାଳ କରିବା ପାଇଁ ଆସିଛି । କଥା ବଢ଼ାଇ ଲାଭ କ’ଣ ହେବ ? ଯାହାର ଯାହା ପାଇବା କଥା ଦିଅ । କାଲି ସକାଳେ ମୁଁ ଯାଇ ବିଡ଼ିଓ ବାବୁଙ୍କୁ ନିଜେ ସବୁ କହିବି...।’’

 

ଚିଦାନନ୍ଦ ଅନନ୍ୟୋପାୟ ହୋଇ ସରକାରୀ ନିୟମ ଅନୁସାରେ ପ୍ରତ୍ୟେକଙ୍କୁ ପାଞ୍ଚ କେଜି ଚାଉଳ ଆଉ କୋଡ଼ିଏ ଟଙ୍କା ଦେଇ ଟିପ ନେଲା ।

 

ଟିପ ଦେଇଥିବା ସମସ୍ତ ଶ୍ରମିକମାନଙ୍କୁ ରାତି ବିଦ୍ୟାଳୟରେ ପଢ଼ାଇବା ପାଇଁ ସ୍ଥିର ହେଲା । ଏମାନେ ନିରକ୍ଷର ଥିବା ପର୍ଯ୍ୟନ୍ତ ଏହିପରି ଶୋଷଣର ଶିକାର ହେଉଥିବେ । ଟିପ ଚିହ୍ନ ଦେଲେ ସେମାନେ ନିଜର ଅଧିକାର ସମ୍ପର୍କରେ ସନ୍ତୁଷ୍ଟ ମଧ୍ୟହେବେ ନାହିଁ । ସମସ୍ତଙ୍କୁ ରାତି ବିଦ୍ୟାଳୟରେ ପଢ଼ିବା ପାଇଁ ରାଜି କରାଇଲା ଅରବିନ୍ଦ । ସିଲଟ, ଖଡ଼ି ଏବଂ ଦୁଇଟା ଲଣ୍ଠନ ଧନୁ ଗୁଣୁପୁର ବଜାରକୁ କିଣି ଆଣିଲା । ସେଦିନ ଖଡ଼ି ଛୁଆଁ ହେଲା । ସର୍ବାଙ୍ଗରେ ନୂତନ ଶିହରଣ ଅନୁଭବ କଲା ସପନା ଗଉଡ଼ । ଘରକୁ ଯିବା ପୂର୍ବରୁ ଅରବିନ୍ଦର ପାଦତଳେ ମୁଣ୍ଡିଆ ମାରି କହିଲା–‘‘ଏଇ ଅଳ୍ପ ବୟସରେ ଘରଦ୍ୱାର ଛାଡ଼ି ପର ପାଇଁ କାମ କରିବା ଲାଗି ଆସିଛ ବାବୁ...ମୋତେ ଟିକେ ସୁବିଧା ଦିଅ ମୁଁ

ତୁମ ସେବା କରିବି...।’’

 

ଅରବିନ୍ଦ ହସିଦେଇ କହିଲା–‘‘ତୁମେ କ’ଣ କରିବ ? ତମକୁ ଦବାପାଇଁ ମୋର ବା କ’ଣ ଅଛି ? ମୁଁ ପାଠପଢ଼ିଛି ସିନା, କିନ୍ତୁ ମୁଁ ତ ତୁମମାନଙ୍କ ପରି ଗରିବ...।’’

 

ସପନା ଗଉଡ଼ ଛାଡ଼ିବାର ପାତ୍ର ନୁହେଁ । ସେ କହିଲା–“ମୁଁ ତୁମ ଲୁଗା ଧୋଇଦେବି, ବାସନ ସଫା କରିଦେବି, ଯୁଆଡ଼େ ଯିବ ତମ ସାଙ୍ଗେ ସାଙ୍ଗେ ଯିବି... ଦିନକାଳ ଭଲ ନୁହେଁ ବାବୁ...’’

 

ଆଉ କ’ଣ କହିବାକୁ ଯାଇଥଲା, କିନ୍ତୁ ତାକୁ ଚୁପ୍‌ କରିବା ପାଇଁ ଇସାରା ଦେଇ କହିଲା ଅରବିନ୍ଦ–‘‘ସେ ସମୟ ଆସିଲେ ମୁଁ କହିବି ସପନା... ତମ ପରି ବିଶ୍ଵସ୍ତ ବନ୍ଧୁଟିଏ ମୋର ବି ଲୋଡ଼ା... କିନ୍ତୁ ବାସନ ମାଜିବା, ଲୁଗା, ଧୋଇବା ପାଇଁ ନୁହେଁ, ତମ ପାଇଁ ଆହୁରି ଅନେକ କାମ ଅଛି କରିବା ପାଇଁ ।’’

 

ସମସ୍ତେ ଚାଲିଗଲେ, କିନ୍ତୁ କାନ୍ଥକୁ ଆଉଜି ବସି ପଡ଼ିଲା ସପନା । ମନକୁ ମନ କହୁଥିଲା ସେ ଏଇ ସରପଞ୍ଚଟା ଉପରେ ଭଲ ଲୋକି ଦେଖାଇ ହେଉଥଲା, କିନ୍ତୁ ଭିତରେ ନାଗସାପ ପରି ଶଇତାନ..।

 

ରାତି ବଢ଼ିବାକୁ ଲାଗିଲା । ଅରବିନ୍ଦ ପଖାଳ ବାଢ଼ିଲା ଦୁଇ ଜଣଙ୍କ ପାଇଁ । ସପନା ନାହିଁ ନାହିଁ କରୁଥିଲା । କିନ୍ତୁ ତାକୁ ପାଖରେ ବସାଇ ଖୁଆଇଲା ସେ ।

 

‘‘ତୋରାଣି କଂସାଏ ପିଇ ସାରି ହାକୁଟି ମାରିଲା ସପନା ଗଉଡ଼ । ପେଟ ଭର୍ଭି ହେଲେ ତା’ ହାତ ମୁଠାରେ ଜଗତ । ଏଇ ହାତଗୋଡ଼ ଚାଲୁଥିବା ଯାଏ ସେ ପରଓ୍ୱା କରେନା କାହାକୁ । ସାତଦିନ ଅଧା ଉପାସ ରହିବା ପରେ ପେଟ ପୂରାଇ ଖାଇବାକୁ ପାଇଲା ସପନା ।

 

ଅରବିନ୍ଦ କହିଲା–“ତୁମେ ଘରେ ଆଉ କିଏ ଅଛି ସପନା ?’’

 

ଆଉ କେହି ନାଇଁ, ଯିଏ ଥିଲା ତାକୁ ପେଟ ଭରି ଖାଇବାକୁ, ମନ ଭରି ପିନ୍ଧିବାକୁ ଦେଇ ପାରିଲିନି । ସେ ଅନ୍ୟ ମରଦର ହାତଧରି ଦେଶାନ୍ତରୀ ହୋଇଗଲା । ମୋତେ ଯମ ନେଇଗଲାନି ଯେ ରଖି ଦେଇଗଲା ଜୀବନ ସାରା ଝୁରି ହବାପାଇଁ...କିନ୍ତୁ ମାଷ୍ଟ୍ରେ, ଗରିବ ଝୁଣି ଝୁଣି ନିଜକୁ ଖାଏ ସିନା, ସେପରି ବଞ୍ଚିବାରେ କେବଳ ଯନ୍ତ୍ରଣା... ସୁଖ କାଇଁ ?”

 

ସପନାର ସଂସାର ବହଳ ରାତିର କାତରତା ଭିତରେ ବୁଡ଼ି ଯାଉଥିଲା ତା’ ଅଲକ୍ଷ୍ୟରେ-। ସୁଲି ଯେ ତାକୁ ଛାଡ଼ି ଚାଲି ଯାଇଛି ସେ କଥା ଭୁଲି ପାରିନି ସପନା । ହଠାତ୍‍ କ’ଣ ହଜାଇଥିବା ପରି ମନଟା ବିଷର୍ଣ୍ଣ ହୋଇଗଲା ଅରବିନ୍ଦର । ଅନ୍ତର ଭିତରଟା ମୋଡ଼ି ହୋଇଗଲା । ଗୋଟିଏ କୋଣରେ ମୁହଁପୋତି ଠିଆହୋଇଥିଲା ଶ୍ରୀୟା । ଚମକିପଡ଼ିଲା ସେ । ସୁଲି ପରି ଶ୍ରୀୟା ତାକୁ ଛାଡ଼ି ଚାଲିଯାଇ ନାହିଁ ବରଂ ସେ ତାକୁ ଛାଡ଼ି ଛାଲିଆସିଛି । ଏକା ଏକା କ’ଣ କରୁଥିବ ସେ ? କ’ଣ ଭାବୁଥବ ବସି ବସି ?

 

ଶ୍ରୀୟା ତା’ର ଅତି ନିକଟରେ ଥିବାପରି ଲାଗିଲା ତାକୁ । ସିଭିଲ ସର୍ଭିସ ପରୀକ୍ଷା ନ ଦେଇ ଏନ.ଜି.ଓ. କରିବାପାଇଁ ଦିନେ ମା’ ସହିତ ଯୁକ୍ତି କରୁଥଲା ଶ୍ରୀୟା । ଆଜି ଯଦି ସେ ଜାଣିଲା ଯେ ତାହାରି ଆଦର୍ଶରେ ଉଦ୍‌ବୁଦ୍ଧ ହୋଇ ସେ ପଳାଇ ଆସିଛି ଗୁଣୁପୁର ତେବେ କେଡ଼େ ଆଶ୍ଵସ୍ତ ହୁଅନ୍ତା ସତରେ ।

 

ସପନା ମସିଣା ଉପରେ ଶୋଇ ପଡ଼ିଥିଲା । କିନ୍ତୁ ବରଡ଼ିଆ ଖଟ ଉପରେ ଶୋଇ ଶୋଇ କଲବଲ ହେଉଥିଲା ଅରବିନ୍ଦ । ତା ଭିତରେ ଆତ୍ମଗୋପନ କରିଥିବା ସେଇ କମ୍ପ୍ୟୁଟର ଚାଳକ ଆଉ ଆଜି ‘ମାଉସ୍‌’ ଖୋଜୁ ନାହିଁ କିମ୍ବା ଓ୍ୱିଣ୍ଡୋ ଖୋଲୁନାହିଁ । ସେ ନିଜକୁ ସମର୍ପି ଦେଇଛି ଦରିଦ୍ରମାନଙ୍କ ସେବାରେ ।

 

ଶ୍ରୀହରିର କଥା ମନେପଡ଼େ । ସେ ଦେଇଥିବା ମନ୍ତ୍ର ଆପେ ଆପେ ଉଚ୍ଚାରିତ ହୁଏ । ପ୍ରେମ ଗୋଟିଏ ପ୍ରକାର ଭାବପ୍ରବଣତା । କିନ୍ତୁ ଏଇ ନିଷ୍ଠୁର ବାସ୍ତବତାରେ ପ୍ରେମର ମୂଲ୍ୟ କେତେ-? ଅନ୍ୟାୟ, ଅସମାନତା ଓ ଉତ୍ପୀଡ଼ନ ବିରୁଦ୍ଧରେ ଲଢ଼ିବାପାଇ ଅସ୍ତ୍ର ଦରକାର... ପ୍ରେମ କ’ଣ ସେଇ ଅସ୍ତ୍ର ହୋଇପାରିବ ?

 

ସେ ଆଖି ବୁଜିବାପାଇଁ ଚେଷ୍ଟା କରୁଥିବା ବେଳେ ତା ହୃଦୟ ଭିତରୁ କିଏ ଯେପରି ଅତି ଅନ୍ତରଙ୍ଗ ସ୍ଵରରେ କହିଲା–“ହଁ, ହଁ, ପ୍ରେମଦ୍ଵାରା ଜୟ କରିହୁଏ ଜଗତ । ପ୍ରେମ କେବଳ ରକ୍ତମାଂସର ସମ୍ପର୍କ ନୁହେଁ । ଗୋଟିଏ ମୁହୂର୍ତ୍ତର ବିସ୍ଫୋରଣ ନୁହେଁ.... ପ୍ରେମର ମାନସୋତ୍ତର ଅନୁଭବ ଯାହାକୁ ସ୍ପର୍ଶ କରିଛି ତା ଭିତରେ ପ୍ରତିଦିନ ଲକ୍ଷେ କଦମ୍ବ ବିକଶିତ ହୁଏ ।’’

 

ପନ୍ଦର

 

ଗୁଣୁପୁର ଅଞ୍ଚଳରେ ମୁକ୍ତି ଯୋଦ୍ଧାମାନଙ୍କର ଅଭିଯାନ ପ୍ରତିହତ କରିବାପାଇଁ ବାଟ ଖୋଜା ଚାଲିଥଲା । ପ୍ରଶାସନକୁ ସାହାଯ୍ୟ କରିବା ପାଇଁ ପୁଲିସ୍‍ ଫୋର୍ସ ଧରି ପହଞ୍ଚିଛି ରାଜଧାନୀରୁ । ସଶସ୍ତ୍ର ବାହିନୀ ତମ୍ବୁ ପକାଇଛନ୍ତି ନଦୀକୂଳରେ । ଏକ ପ୍ରକାର ଆତଙ୍କ ଖେଳିଯାଇଛି ସହରରେ । ସେଦିନ ବଡ଼ିଭୋର ସୂର୍ଯ୍ୟୋଦୟ ପୂର୍ବରୁ ମାଣିଆ ମାଷ୍ଟରଙ୍କୁ ଧରି ନେଇଗଲେ ଥାନାବାଲା । ରାମପୁର ଗାଁର ବିନୁ ଉଲାକା ବଜାରକୁ ଆସିଥିଲା କିରାସିନି ନେବା ପାଇଁ । ଆଉ ଫେରିଯାଇନାହିଁ । ବଜାରରୁ ଫେରୁଥିବାବେଳେ ଅଧବାଟରେ ଗିରଫ ହୋଇଛି । ଶଗଡ଼ ସାହିର ତିନିଜଣ ଭାଗଚାଷୀଙ୍କୁ ବିଲରୁ ଘୋଷାରି ଆଣିଛି ପୁଲିସ୍‍ । ଗୁଣୁପୁର ସହରର ମାଣିଆ ମାଷ୍ଟର ଲୋକଙ୍କୁ ମତାଉଥିବା ଜାଣି ତାଙ୍କୁ ବି ଧରି ଆଣିଛି ପୁଲିସ୍‍ । ଏମାନେ କୁଆଡ଼େ ବିଭିନ୍ନ ହିଂସାକାଣ୍ଡ ସହିତ ସମ୍ପୃକ୍ତ । ତିନିଦିନ ଧରି ଏମାନଙ୍କୁ ଜେରା କରୁଛନ୍ତି ଅଫିସରମାନେ । ତଥାପି କୌଣସି ଗୁପ୍ତ ତଥ୍ୟ ପ୍ରକାଶ କରିନାହାନ୍ତି ସେମାନେ । ସେମାନଙ୍କୁ ବୋଲ ମନାଇବା ପାଇଁ ବ୍ରହ୍ମପୁରରୁ ଆସି ପହଞ୍ଚିଛନ୍ତି ଉଚ୍ଚ ପଦାଧିକାରୀ ।

 

ରାତିରେ ସେମାନଙ୍କୁ ଧମକ ଦେଇ କହିଲେ ଡି.ଏସ୍‌.ପି. ମଣିକାଞ୍ଚନ ବାନାର୍ଜୀ ‘‘ସତକଥା ସବୁ ଗୋଟି ଗୋଟି କରି କହିଦିଅ । ବୋକା ପରି ଅଭିନୟ କଲେ ତମେ ସବୁ ନିରୀହଲୋକ କିଛିଜାଣ ନାହିଁବୋଲି ଛାଡ଼ି ଦବନି ପୁଲିସ୍‍ । ବିନୁ ଉଲାକାକୁ ଚେଙ୍କ ଦେବାପରେ ସେ ଯାହା କହିଛି ସେଥିରୁ ସୁରାକ ମିଳୁଛି ଯେ ତମେ ସବୁ ନାଟର ଗୋବର୍ଦ୍ଧନ । ଶ୍ରୀହରି ତମର ନେତା । ସେ କେଉଁଠି ଅଛି ଠିକେ ଠିକେ କହିଦିଅ...’’

 

ମାଣିଆ ମାଷ୍ଟରଙ୍କ ଉପରେ ବେତ ପଡ଼ିବା କ୍ଷଣି ସେ କହିଲେ–‘‘ସ୍ଵାଧୀନ ଦେଶରେ ଏପରି କରାଯାଏ ନାହିଁ...।’’

 

ତାଙ୍କ ଉପରେ ଆଉକେତେ ପାହାର କଷି ଦେଇ କହିଲେ ଇନିସ୍‍ପେକ୍ଟର ସତକଥା କହିଯା, ଥାନା ଉପରେ ଆକ୍ରମଣ କରିବା ପାଇଁ କିଏ ଶିଖେଇଲା, କିଏ ପ୍ରଥମ ତୁମ ସମସ୍ତଙ୍କୁ ପ୍ରବର୍ତ୍ତାଇଲା ସତ ସତ କହିଯା... ସ୍ୱାଧୀନଦେଶରେ ଲୋକମାନଙ୍କ ଶାସନ ଚାଲିଛି...ଗଣତନ୍ତ୍ର ଶାସନରେ ତୁମମାନଙ୍କୁ ଅନେକ ସୁବିଧା, ଅନେକ ଅଧିକାର ଦିଆଯାଇଛି । କିନ୍ତୁ ଶାସନ ବିରୁଦ୍ଧରେ ସଶସ୍ତ୍ର ବିପ୍ଳବ କରିବା ପାଇଁ କେହି ଅନୁମତି ଦେଇ ନାହିଁ... ଯଦି ତମେ ସବୁ ଭାବୁଥାଅ ଯେ ତମେ ଥାନା ଦଖଲ କରିବ, ଘର ପୋଡ଼ିଦବ, ତେବେ ତାହା ସହ୍ୟ କରାଯିବ ନାହିଁ । ଆଇନ ତା’ ଆଗରୁ ତମମାନଙ୍କୁ ବନ୍ଦ କରି ସାରିଥିବ ।’’

 

ଧମକ ଚମକ କିଛି ସମୟ ଚାଲିଲା । କିନ୍ତୁ କଂସାରୀ ଘର ପାରା ଯେପରି କୁଲା ଢାଉଁ ଢାଉଁକୁ ଡରିଯାଏ ନାହିଁ ସେହିପରି ପୁଲିସ୍‍ର ଗୋଇଠା, ବେତ ମାଡ଼, ଚେଙ୍କଖାଇ ମଧ୍ୟ ସେମାନେ କିଛି କହିଲେ ନାହିଁ । ବିନୁ ଉଲାକାକୁ ଗୋଟିଏ ଅନ୍ଧାରୁଆ କୋଠରୀ ଭିତରେ ଏକାରଖି ଅନ୍ୟମାନଙ୍କୁ ହାଜତ ଭିତରେ ଭର୍ତ୍ତି କରି ତାଲା ଠୁଙ୍କି ଦେଲେ ଥାନାବାବୁ ।

 

ସେଇ ରାତିରେ ହଠାତ୍‌ ଆକାଶରୁ ବଜ୍ରମାରିବାର ଶବ୍ଦ ଭାସି ଆସିଲା । ବିନା ମେଘରେ ବଜ୍ରପାତ କିପରି ହେଲା ବୋଲି ପାଖଲୋକ ଲୁହାକବାଟ ପାଖରେ କାନଡ଼େରି ଶୁଲିଲେ-। କିନ୍ତୁ ମେଘନାଦ ପାଚେରୀ ଡେଇଁ ଭିତରର କୌଣସି ଖବର ଗଲା ନାହିଁ । ସକାଳେ ହାଜତରେ ଥିବା କଏଦୀମାନଙ୍କୁ ଗଣତି କରାଗଲା । ଜଣେ କିଏ ଆସି ନାହିଁବୋଲି ଚହଳ ପଡ଼ିଗଲା ବନ୍ଦୀମାନଙ୍କ ମଧ୍ୟରେ । ମାଣିଆ ମାଷ୍ଟର ଉଚ୍ଚ ସ୍ଵରରେ କହିଲେ–“ବିନୁ ଉଲାକା କାହିଁ... ରାମପୁର ବିନୁ ଉଲାକା କୁଆଡ଼େ ଗଲା.. ?’’

 

ମାଣିଆ ମାଷ୍ଟରଙ୍କୁ ପ୍ରଶ୍ନର ଉତ୍ତର ଦବା ଉଚିତ ମନେକଲେ ନାହିଁ ବରଂ ତାଙ୍କୁ ଚୁପ୍‌ ରହିବା ପାଇଁ କହିଲେ ଥାନାବାବୁ ।

 

ଯେପରି କାହିଁ କିଛି ଅଘଟଣ ଘଟିନାହଁ, ସେହିପରି ଭାବ ଦେଖାଇ ପ୍ରାତ୍ୟହିକ କାର୍ଯ୍ୟରେ ଲାଗିଗଲେ ପୁଲିସ୍‍ କର୍ମଚାରୀମାନେ । ଗିରଫହୋଇଥିବା ପାଞ୍ଚଜଣଙ୍କ ମଧ୍ୟରୁ ଚାରିଜଣ ପୁଣି ଫେରିଆସିଲେ ନିଜ କୋଠରୀକୁ, କିନ୍ତୁ ଜଣେ ଫେରିଲା ନାହିଁ ବିନୁ–ଉଲାକା ସେଇ ଅନ୍ଧାରୁଆ କୋଠରୀ ଭିତରୁ କୁଆଡ଼େ ଉଭାନ ହୋଇଗଲା କେହି ଜାଣିଲେ ନାହିଁ ।

 

ଦିନ ଆଠଟାବେଳେ ଥାନା ଡାଏରୀରେ ଲେଖିଥିଲେ ଇନିସ୍‍ପେକ୍ଟର ଯେ ରାତି ବିନୁ ଉଲାକା କବାଟ ଭାଙ୍ଗି ଦୌଡ଼ିପଳାଇ ଯାଉଥିବାବେଳେ କର୍ତ୍ତବ୍ୟରତ କନେଷ୍ଟବଳ ତାର ପ୍ରତିରୋଧ କରିବାରୁ ସେ ପ୍ରଥମେ ଆକ୍ରମଣ କଲା । ନିଜକୁ ରକ୍ଷା କରିବାକୁ ଯାଇ ପୁଲିସ୍‍ କନେଷ୍ଟବଳ ଗୁଳି ଚଳାଇବାକୁ ବାଧ୍ୟ ହେଲା । ରାତି ୨.୧୫ମିନିଟ ସମୟରେ ଥାନା ପାଚେରୀ ପାଖରୁ ଦିନୁ ଇଲାକାର ମୃତ ଶରୀର ଉଦ୍ଧାର କରାଯାଇଥିଲା । ପ୍ରତ୍ୟୁଷରେ ଲାସ ବିନୁ ଉଲାକାର ଆତ୍ମୀୟମାନଙ୍କୁ ହସ୍ତାନ୍ତର କରିବାପରେ ପୁଲିସ୍‍ ଉପସ୍ଥିତିରେ ସେମାନେ ସକାଳ ୬ଟା ସମୟରେ ଶବ ସତ୍କାର କରିଛନ୍ତି । ପୁଲିସ୍‍ ଗୁଳିରେ ବିନୁ ଉଲାକାର ମୃତ୍ୟୁ ପାଇଁ ସେ ନିଜେ ଦାୟୀ..ପୁଲିସ୍‍ ଦାୟୀ ନୁହେଁ... ଆତ୍ମରକ୍ଷା କରିବା, ଆଇନର ଶାସନ ବଜାୟ ରଖିବା ପୁଲିସ୍‍ର କାର୍ଯ୍ୟ । ଉଲ୍ଲେଖଯୋଗ୍ୟ ଯେ ବିନୁ ଉଲାକାର ଆକ୍ରମଣ ଯୋଗୁଁ କନେଷ୍ଟବଳର ବେକ ପାଖରେ ଓ ପିଠିରେ ଆଘାତ ଲାଗିଛି ।

 

ମାଣିଆ ମାଷ୍ଟର ଚିତ୍କାରକରି କହିଲେ–‘‘ବିନୁକୁ ମାରିଦେଲେ ଏମାନେ । ଏମାନେ ମଣିଷ ନୁହଁନ୍ତି ପିଶାଚ । ଆଜିର ଭାରତ ଏମାନଙ୍କୁ ରକ୍ଷା କରିପାରେ କିନ୍ତୁ ଭବିଷ୍ୟତ ପ୍ରତିଶୋଧ ନବ ନିଶ୍ଚୟ ।’’

 

ମାଣିଆ ମାଷ୍ଟରଙ୍କ ମୁହଁରୁ କଥା ସରିବାବେଳକୁ ଅଚାନକ ଜେଲରକ୍ଷୀର ଶକ୍ତମୁଥରେ ଦାନ୍ତ ଦୁଇଟା ଝଡ଼ି ପଡ଼ିଲା ତାଙ୍କର । କିନ୍ତୁ ମୁହଁରୁ ରକ୍ତ ନ ପୋଛି ମାଷ୍ଟର କହିଲେ–‘‘ଇନ୍‌କିଲାବ ଜିନ୍ଦାବାଦ୍‌....’’ ସାଥିମାନେ ସମସ୍ୱରରେ କହିଲେ–ସରକାର ମୁର୍ଦ୍ଦାବାଦ.... ।

 

ସେଦିନ ମାଣିଆ ମାଷ୍ଟର ଓ ସାଥୀମାନେ ଖାଦ୍ୟ ନ ଖାଇ ଅନଶନକଲେ ନୀରବ ପ୍ରତିବାଦ ଜଣାଇବା ପାଇଁ । ଜେଲ ସୁପରିଟେଣ୍ଡେଣ୍ଟ ବୁଝେଇଲେ, ଧମକ ଚମକ ବି ଦେଲେ, କିନ୍ତୁ ଫଳ କିଛି ହେଲାନି ।

 

ଅରବିନ୍ଦ ଅନୁମତି ନେଇ ସେମାନଙ୍କୁ ଦେଖିବାକୁ ଆସିଲା । ତାକୁ ଦେଖି କୋଟିନିଧି ପାଇବା ପରି ହେଲେ ସେମାନେ । ମାଣିଆ ମାଷ୍ଟର କହିଲେ–“ତମେ ସବୁ ଶୁଣିଥିବ ବାବୁ... ବିନୁକୁ ମାରିଦେଲେ ଏମାନେ.... ତା’ ନାମରେ ମିଥ୍ୟା ଅଭିଯୋଗ ଶୁଣି ପୁଲିସ୍‍ କହୁଛି ଆତ୍ମରକ୍ଷା କରିବାପାଇଁ ଗୁଳି କରିଥିଲା । କିନ୍ତୁ ସବୁ ମିଛ... ବିନୁ ସେମାନଙ୍କୁ ପ୍ରଶ୍ନର ଉତ୍ତର ନ ଦେବାରୁ ସେମାନେ ତା’ଉପରେ ରାଗ ସୁଝାଇଲେ । ରାତି ଦ୍ୱିପ୍ରହରେ ତାକୁ ଶେଷ କରିଦେଲେ... । ନ୍ୟାୟ ପାଇଁ ଆମେ ଅନଶନ କରୁଛୁ । ଏହାର ତଦନ୍ତ ହେଉ... ଦୋଷୀ ଦଣ୍ଡପାଉ...ଏଇ ଆମର ଦାବି ।’’

 

ପାଖରେ ଠିଆ ହୋଇଥିବା କନେଷ୍ଟବଳର ଅଲକ୍ଷ୍ୟରେ ଅରବିନ୍ଦ କାଗଜ ଖଣ୍ଡେ ବଢ଼ାଇ ଦେଲା ମାଣିଆ ମାଷ୍ଟରଙ୍କ ହାତକୁ । ସେ ଚୁପ୍‌ଚାପ୍‌ ରଖିନେଲେ । ପରେ ପଢ଼ିବା ପାଇଁ ।

 

ଫେରିବାପୂର୍ବରୁ ଅରବିନ୍ଦକୁ ଇନିସ୍‌ପେକ୍ଟର କହିଲେ–“ଏମାନେ ବୁଝୁନାହାନ୍ତି....କିନ୍ତୁ ମୋ ଆୟତ୍ତରୁ ଚାଲିଗଲେ ପୁଲିସ୍‍ସାହେବ ବୁଝିବେ ଏକଥା । ପୁଲିସ୍‍ ଜାଣିଛି ଏମାନଙ୍କୁ କିପରି ଜବତ କରିବାକୁ ହୁଏ ।’’

 

ଅରବିନ୍ଦ କହିଲା–‘‘ମୋ କଥା ସେମାନେ ରଖିବେ ଯଦି ବିନୁ ଉଲାକାର ମୃତ୍ୟୁର କାରଣ ଅନୁସନ୍ଧାନ କରି ଦୋଷୀକୁ ଦଣ୍ଡ ଦବା ପାଇଁ ସରକାର ଲିଖିତ ପ୍ରତିଶ୍ରୁତି ଦିଅନ୍ତି । ହୁଏତ ହାଜତ ମୃତ୍ୟୁ ସମ୍ପର୍କରେ ଉପରକୁ ସଠିକ୍‌ ରିପୋର୍ଟ ଦିଆଯାଇନାହିଁ । କାରଣ ମୁଁ ଜାଣେ ଯେ ସମସ୍ତ ଅଫିସର ଖରାପ ନୁହଁନ୍ତି–କିଛି ସଚ୍ଚୋଟ ଅଫିସର ବି ଅଛନ୍ତି ।

 

–‘‘ତମେ ଭାବିଛ ପୁଲିସ୍‍ ସାହେବ ଶୁଣିବେ ତମ କଥା ?’’

 

–‘‘ନ ହେଲେ ଅନଶନ ଚାଲିବ... ଦରକାର ହେଲେ ଆମରଣ ଅନଶନ କରିବେ ସେମାନେ । ସରକାର ଅପଦସ୍ତ ହେବେ । ଆମେ ଚାହୁଁନା ନିର୍ଦ୍ଦୋଷ ଦଣ୍ଡ ପାଉ । କିନ୍ତୁ ଦୋଷୀ କିଏ ତାହା ପ୍ରମାଣ ନ ହେବା ଆଗରୁ ଦଣ୍ଡ ଦବା ଆଇନ ସମ୍ମତ ନୁହେଁ ।”

 

–‘‘ସରକାରଙ୍କ କ୍ଷମତା ଅଛି ଦୋଷୀକୁ ଦଣ୍ଡ ଦବା ପାଇଁ...’’ କହିଲେ ଇନିସ୍‍ପେକ୍ଟର ।

 

–‘‘ମାନୁଛି... କିନ୍ତୁ ନିର୍ଦ୍ଦୋଷକୁ ଗୁଳିକରି ମାରିଦବା ପାଇଁ ସରକାରର କ୍ଷମତା ନାହିଁ । ଆମେ ହାଇକୋର୍ଟର ଦ୍ୱାରସ୍ଥ ହେବୁ, ମାନବିକ ଅଧିକାର କମିଶନକୁ ଜଣାଇବୁ... ସେଠାରେ ଆପଣମାନଙ୍କର ଜାଲିଆତି ଧରାପଡ଼ିଯିବ ।’’ ଅରବିନ୍ଦ ସାଥୀମାନଙ୍କ ସହିତ ପରାମର୍ଶ କଲା । ଶ୍ରୀହରି ପାଖକୁ ଖବର ପଠାଇଲା । କିନ୍ତୁ ଏବେ ସେ ଯଦି ବସିରହେ ତେବେ ସମସ୍ୟାର ସମାଧାନ ହେବ ନାହିଁ । ନିର୍ଦ୍ଦୋଷ ଲୋକଗୁଡ଼ାକ ଅନଶନ କରି କଷ୍ଟ ପାଇବେ କେବଳ । ପାଖରେ ଆଉ କେହି ନାହିଁ ପରାମର୍ଶ କରିବା ପାଇଁ । ଶ୍ରୀହରି ଯଦି ଥାଆନ୍ତା... । ଆଉ ସମୟ ନଷ୍ଟ ନ କରି ସେ ଶିବିରକୁ ଫେରିଆସି ବୁଡ଼ିଗଲା ଭାବନାରେ ।

 

ହଠାତ୍‌ ଶ୍ରୀୟାର ମୁହଁ ଝଲସି ଉଠିଲା ଆଖି ଆଗରେ । ଯେପରି ତା’ ଆଗରେ ଠିଆ ହୋଇ କହୁଛି, ମୁଁ ଯଦି ପାଖେ ପାଖେ ଥାଆନ୍ତି ତେବେ ତୁମେ ଏତେ ଏକୁଟିଆ ଅନୁଭବ କରୁ ନ ଥାନ୍ତ । ତୁମେ କ’ଣ ସତରେ କ’ଣ ଭାବୁଛ ଯେ ସାଙ୍ଗରେ ଥିଲେ ତୁମର ପ୍ରତିବନ୍ଧକ ହୋଇଥାଆନ୍ତି-? ମୁଁ ବରଂ ତୁମକୁ ସାହାଯ୍ୟ କରିଥାନ୍ତି ସଂକଟ ସମୟରେ । ବିନୁ ଉଲାକାକୁ ପୁଲିସ୍‍ ମାରିଦେଇଛି ବୋଲି ତୁମେ କହୁଛ, ତେବେ ତା’ ପାଇଁ କ’ଣ କରୁଛ ତୁମେ ? ଶ୍ରୀହରିବାବୁ ଯଦି ଏଠାରେ ଥାଆନ୍ତେ ଏତେବେଳେ କ’ଣ କରୁଥାନ୍ତେ ଭାବିଛ ? ଗାଁର ଲୋକମାନେ ତାତି ଗଲେଣି । ତାଙ୍କର ଜଣେ ପ୍ରିୟ ମଣିଷକୁ କୁକୁର ପରି ପୁଲିସ୍‍ ଗୁଳିକରି ମାରିଦେଲା, ସେ ଶ୍ରୀହରି ଓ ଅନ୍ୟମାନଙ୍କର ଠିକଣା କହିଦେଲାନି ବୋଲି । ସତ କହିଲେ ତୁମେ ବି କ’ଣ ଜାଣ ଶ୍ରୀହରିବାବୁଙ୍କ ପ୍ରକୃତ ଠିକଣା-? ତମର ଠିକଣାବଳୀ ତୁମେ ମୋତେ କହିଥିଲ ? କିନ୍ତୁ ମୁଁ କିମିତି ଚାଲି ଆସିଲି ତୁମ ପାଖକୁ ? ମୋତେ କେହି ଅଟକାଇ ପାରିଲେ ? ପ୍ରେମର ଟାଣ ଏଇପରି । ରକ୍ତ ପ୍ରବାହରେ ଯେ ଗୋଟିଏ ପ୍ରକାର ସ୍ଵର ଅଛି ତାହା ତୁମେ କାନ ଦେଇ କେବେ ଶୁଣିଛ ? ଛୁଆର କେତେବେଳେ କ’ଣ ଲୋଡ଼ା ମା’ ଜାଣିପାରେ କେମିତି ? କିଏ ଦେଇଛି ତାକୁ ଏଇ ଅନୁଭବ ?

 

ହଠାତ୍‌ ସଚେତନ ହୋଇଗଲା ଅରବିନ୍ଦ । ସେ ମନକୁମନ କହିଲା ଯେ ଆସିବା ପୂର୍ବରୁ ଶ୍ରୀୟାକୁ ନ ଜଣାଇ ଭୁଲ କରିଛ ସେ । ପରସ୍ପର ପାଖରେ କିଛି ଗୋପନ ନ ରଖିବା ପାଇଁ ସେମାନେ ଦିନେ ଯେ ଶପଥ ନେଇଥିଲେ ତାହା ଶ୍ରୀୟା ମନେରଖିଛି, କିନ୍ତୁ ସେ ଭୁଲିଗଲା । ଗୋଟେ ଆଦର୍ଶର ଆକର୍ଷଣ କ’ଣ ପ୍ରେମଠାରୁ ବି ଶକ୍ତିଶାଳୀ ?

 

ଏଇ ପ୍ରଶ୍ନର ଉତ୍ତର ନ ଥିଲା ଅରବିନ୍ଦ ପାଖରେ । ସେ ଚୁପ୍‌ହୋଇ ବସିଥିବାବେଳେ ସପନା ଆସି କହିଲା–ପଖାଳ ବଢ଼ା ହୋଇଛି, ବେଳ ଗଡ଼ିଗଲାଣି, ଖାଇଦିଅ ଗଣ୍ଡେ...”

 

ଥାନାରେ ଅଟକ ଥବା ଚାରିଜଣ ସାଥୀ ଅଭୁକ୍ତ । ସେମାନେ କିଛି ଖାଇ ନ ଥିବେ । ଯେ ଯଦି ପଖାଳ ଖାଇ ଆରାମ କରିବା ପାଇଁ ଶୋଇପଡ଼େ ତେବେ ସେ ନିଜକୁ କ୍ଷମା କରିପାରିବ ନାହିଁ । ମଣିଷର ବିବେକ ଅଛି ବୋଲି ତ ସେ ସହଜରେ ନୈତିକତା ଓ ଅନୈତିକତା ମଧ୍ୟରେ ଥିବା ଫରକ୍‍ ବାରିପାରେ ।

 

ପଖାଳ ନ ଖାଇ ସେ ଚାଲିଲା ସବ୍‌କଲେକ୍ଟରଙ୍କୁ ଦେଖା କରିବା ପାଇଁ । ତାଙ୍କୁ କହିବ ବିନୁ ଉଲାକାର ମୃତ୍ୟୁ ଆଉ ଚାରିଜଣଙ୍କ ଅନଶନ ସମ୍ପର୍କରେ । ନିଜ ହାତକୁ ଆଇନ ନବା ପୂର୍ବରୁ ଆଇନର ଶାସନ ମାନି ଚଳିଲେ କ୍ଷତି କ’ଣ ?

 

ସବ୍‌କଲେକ୍ଟର ଗସ୍ତରେ ଯାଇଥିଲେ । ଫେରିବାବେଳକୁ ରାତି ଆଠ । କିନ୍ତୁ ଧୈର୍ଯ୍ୟ ଧରି ତାଙ୍କୁ ଅପେକ୍ଷା କରୁଥିଲା ଅରବିନ୍ଦ । ସେ ଜିପ୍‌ରୁ ଓହ୍ଲାଇବା ମାତ୍ରେ ତାଙ୍କ ଆଗରେ ଅରବିନ୍ଦ ଛିଡ଼ା ହୋଇ ଯିବାରୁ ସେ ପଚାରିଲେ ତମେ କିଏ ? କ’ଣ ଚାହଁ ?’’

 

‘‘ମୋର କିଛି କହିବାର ଅଛି ସାର୍‌...ଅନୁମତି ଦେଲେ... ।” କହିଲା ଅରବିନ୍ଦ ।

 

ସବ୍‌କଲେକ୍ଟର ଟୋକା ଲୋକ । ଆଇ.ଏ.ଏସ୍‌. ଟ୍ରେନିଂ ଶେଷ ହେବା ପରେ ବରଷେ ବିଡ଼ିଓ କାମ କରିଥିଲେ । ତାପରେ ଗୁଣୁପୁରର ସବ୍‌କଲେକ୍ଟର ।

 

–‘‘ମୋ ନାମ ଅରବିନ୍ଦ ମିଶ୍ର... ଆପଣ ବୋଧହୁଏ ଶୁଣିଥିବେ ଯେ କାଲି ଗିରଫ ହୋଇଥବା ପାଞ୍ଚଜଣଙ୍କ ମଧ୍ୟରୁ ବିନୁ ଉଲାକାର ପୁଲିସ୍‍ ଗୁଳିରେ ହାଜତରେ ମୃତ୍ୟୁ ହୋଇଛି ।’’

 

–ହଁ, ମୁଁ ଶୁଣିଛି... କିନ୍ତୁ ସେ ହାଜତରୁ ପଳାଇଯିବା ବେଳେ କର୍ତ୍ତବ୍ୟରତ କନେଷ୍ଟବଳକୁ ଆକ୍ରମଣ କରିବା ପରେ ଯାଇ ପୁଲିସ୍‍ ଆତ୍ମରକ୍ଷା ପାଇଁ ଗୁଳି କରିଥଲା ।

 

–“ମୁଁ ବି ସେୟା ଶୁଣିଛି ଇନିସ୍‍ପେକ୍ଟରଙ୍କଠାରୁ । କିଛି ବିନୁର ହାତରେ କୌଣସି ଅସ୍ତ୍ର ନ ଥିଲା । ସେ ହାଜତରେ ଥିଲା, ଅସ୍ତ୍ର ଥିବାର ପ୍ରମାଣ ନାହିଁ, ବରଂ ପୁଲିସ୍‍ର ଗୁଳିରେ ବିନୁ ଉଲାକାର ମୃତ୍ୟୁ ହୋଇଛି । ଆମର ଦାବି ହେଉଛି ପ୍ରକୃତ ଘଟଣା ଜାଣିବା ପାଇଁ ବିଚାର ବିଭାଗଦ୍ଵାରା ଅନୁସନ୍ଧାନ କରାଯାଉ... ଦୋଷୀକୁ ଦଣ୍ଡ ଦିଆଯାଉ...ଏଇ ଦାବି ଜଣାଇ ଥାନା ହାଜତରେ ଅଟକ ଥିବା ଆଉ ଚାରିଜଣ ଅନଶନ କରୁଛନ୍ତି .....’’

 

‘‘ଅନଶନଦ୍ଵାରା କ’ଣ ସତ ଜଣାପଡ଼ିଯିବ ?’’

କହିଲେ ପ୍ରିୟରଞ୍ଜନ ମହାନ୍ତି ସବ୍‌କଲେକ୍ଟର ।

 

‘‘ସତ୍ୟ ଜାଣିବା ନାଗରିକର ମୌଳିକ ଅଧକାର । ପୁଲିସ୍‍ ଯାହା କହୁଛି ଏବଂ ଚାରିଜଣ ଅଭିଯୁକ୍ତ ଯାହା କହନ୍ତି ସେଥିରେ ତାଳ ମେଳ ନାହିଁ । କେବଳ ଅନୁସନ୍ଧାନଦ୍ଵାରା ସତ୍ୟ ଜଣାପଡ଼ିବ...”

 

ଅରବିନ୍ଦକୁ ବାହାରେ ଅପେକ୍ଷା କରିବାକୁ କହି ପ୍ରିୟରଞ୍ଜନ ଭିତରକୁ ଗଲେ । ଘଣ୍ଟାଏ ପରେ ଫେରି ଆସି କହିଲେ–“ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍‍ ଅନୁସନ୍ଧାନ କରିବାପାଇଁ ସରକାର ରାଜି-। ଥାନାବାବୁଙ୍କ ଏବଂ ଏସ.ଡି.ପି.ଓ.ଙ୍କୁ ମୁଁ ଜଣାଇ ଦେଇଛି । ବରଂ ଥାନାକୁ ଯାଇ ତମସାଥୀମାନଙ୍କୁ ଅନଶନ ଭାଙ୍ଗିବା ପାଇଁ ରାଜି କରାଅ ।’’
 

ତାଙ୍କୁ ଧନ୍ୟବାଦ ଜଣାଇ ବିଦାୟ ନବା ବେଳେ ସବ୍‌କଲେକ୍ଟର ଫେରିପଡ଼ି କହିଲେ–‘‘ତମେ କ’ଣ କର, କେତେଦିନ ହେଲା ଗୁଣୁପୁର ଆସିଛ ? ତମେ କ’ଣ ରାଜନୀତି କରୁଛ ?’’

 

ଅରବିନ୍ଦ ସଂକ୍ଷେପରେ ଉତ୍ତର ଦେଇ କହିଲା–‘‘ମୁଁ ଜଣେ କମ୍ପ୍ୟୁଟର ପ୍ରଫେସନାଲ, ଚାକିରି ନ କରି ଲୋକଙ୍କ ସେବା କରିବା ପାଇଁ କାମ କରୁଛି । ଗୁଣୁପୁରକୁ ଆସିଛି ଅଳ୍ପଦିନ ହେଲା...।’’

 

ତା’ ସହିତ କରମର୍ଦ୍ଦନ କରି ପ୍ରିୟରଞ୍ଜନ ମହାନ୍ତି କହିଲେ–“ମୁଁ ତୁମକୁ ଅଭିନନ୍ଦନ ଜଣାଉଛି । କିନ୍ତୁ ମୁଁ କେବଳ ଏତିକି କହିବି ଯେ ତୁମେ ଲୋକଙ୍କୁ ଆଇନ ଅମାନ୍ୟ ନ କରି ଆଇନ ମାନି ଚଳିବା ପାଇଁ ଶିଖାଅ । ମୁଁ ତୁମକୁ ସାହାଯ୍ୟ କରିବି... ।’’

 

ତାଙ୍କ ମୁହଁକୁ ଅପଲକ ନେତ୍ରରେ ଚାହିଁଥିଲା ଅରବିନ୍ଦ ।

ତାକୁ ଚୁପ୍‌ ହୋଇଯିବାର ଦେଖି ପ୍ରିୟରଞ୍ଜନ କହିଲେ–‘‘କ’ଣ ଭାବୁଛ ?’’

ଆଇନ ନ ମାନି ଚଳିବା ପାଇଁ ମୁଁ ପରାମର୍ଶ ଦେବି ସାର୍‌ । କିନ୍ତୁ ଆଇନ ଯଦି ସେମାନଙ୍କ ସହାୟତା ନ କରେ, ନ୍ୟାୟପାଇବାରୁ ବଞ୍ଚିତ କରେ, ତେବେ ଆଇନ ଭାଙ୍ଗିବା କ’ଣ ଅନ୍ୟାୟ ?”

ପ୍ରିୟରଞ୍ଜନ କହିଲେ–“ମୁଁ କହିଛି ତମକୁ ସାହାଯ୍ୟ କରିବି । ସେଭଳି ପରିସ୍ଥିତି ସୃଷ୍ଟି ହେଲେ ମୁଁ ତୁମକୁ ସାହାଯ୍ୟ କରିବି । ତମେ ମନେରଖ ଯେ ଗଣତନ୍ତ୍ର ଶାସନରେ ନିଜର ଦାବି ଜଣାଇବା ମୌଳିକ ଅଧକାର । ମୌଳିକ ଅଧିକାରରୁ ଲୋକଙ୍କୁ ବଞ୍ଚିତ କରିବାପାଇଁ ସରକାର ହୁକୁମ ଦେଇନାହାନ୍ତି, ବରଂ ତାହା ରକ୍ଷା କରିବା ଶାସନର କାମ ।’’

କିନ୍ତୁ ବ୍ଲକ୍‌ ଅଫିସ ଓ ସରପଞ୍ଚ ମିଶି ଖାଦ୍ୟପାଇଁ କାମ ଯୋଜନାରେ ଲୋକଙ୍କୁ ସେମାନଙ୍କର ଉଚିତ ପ୍ରାପ୍ୟ ନ ଦେଇ ପନ୍ଦର ଟଙ୍କା କମ୍‌ ଦେଉଥିବା ଆପଣ ଜାଣନ୍ତି ସାର୍‌ ?’’

–‘‘ଏକଥା ସତ ?’’

–“ଆପଣ ନିଜେ ଗୋପନରେ ଯାଞ୍ଚ କରିପାରନ୍ତି.....’’

–‘‘ଠିକ୍‌ ଅଛି... ମୋ ଉପରେ ଛାଡ଼ିଦିଅ... ମୁଁ ଆଶା କରିବି ଯେ ତୁମେ ସେମାନଙ୍କୁ ବିଦ୍ରୋହ କରିବା ପାଇଁ ନ କହି ପ୍ରଶାସନ ସହିତ ସହଯୋଗ କରିବାକୁ କହିବ... ଶାସନ ଲୋକକଲ୍ୟାଣ ପାଇଁ ଉଦ୍ଦିଷ୍ଟ । ସଂଘର୍ଷ ଉଦ୍ଦେଶ୍ୟ ନୁହେଁ....”

ପ୍ରଶାସନ ଜନସେବା କରୁଥିବା ପର୍ଯ୍ୟନ୍ତ ସେମାନେ ବିଦ୍ରୋହ କରିବେ ନାହଁ... ।’’

 

ତା ପିଠି ଉପରେ ହାତ ରଖି ପ୍ରିୟରଞ୍ଜନ କହିଲେ– “ଲେଟ୍‌ ଅସ୍‌ ବି ଫ୍ରେଣ୍ଡସ୍‌... ଚାଲ ଆମେ ବନ୍ଧୁ ହେବା.... ସାଙ୍ଗ ହୋଇ କାମ କରିବା....”

 

ତାଙ୍କଠାରୁ ବିଦାୟ ନେଇ ଆସିବାବେଳେ ଅରବିନ୍ଦ ଭାବୁଥିଲା ଯେ ସମସ୍ତେ ଖରାପ ନୁହଁନ୍ତି । ସଂସାରରେ ଅନେକ ଭଲ ଲୋକ ଅଛନ୍ତି । ପ୍ରିୟରଞ୍ଜନ ମହାନ୍ତି ସବ୍‌କଲେକ୍ଟର ସେମାନଙ୍କ ମଧ୍ୟରୁ ଜଣେ । ତା’ଠାରୁ ବୟସରେ ଅଳ୍ପ ବଡ଼ ହେବେ । ତାହାରି ପରି ସେ ବି ସ୍ଵପ୍ନ ଦେଖୁଥିବେ ସମାଜକୁ ଶୋଷଣ ମୁକ୍ତ କରିବା ପାଇଁ । ତାଙ୍କ ଆଖିଆଗରେ ବି ହୁଏତ ଗାନ୍ଧିଜୀଙ୍କ ସେଇ ନୁଖୁରା, ଦୁଃଖୀ ଦରିଦ୍ର ଲୋକଟିର ଚିତ୍ର ଭାସି ଉଠୁଥିବ । ସ୍ଵାଧୀନ ଭାରତର ଶାସନରେ ଏପରି ବ୍ୟକ୍ତି ଥିବା ପର୍ଯ୍ୟନ୍ତ ଅନ୍ୟାୟ, ଅତ୍ୟାଚାର ହେବ ନାହିଁ । ନ୍ୟସ୍ତସ୍ଵାର୍ଥମାନଙ୍କ ଭୂମିକା ବି ଅବାନ୍ତର ହୋଇଯିବ ।

 

ସେ ଥାନାରେ ପହଞ୍ଚିବାବେଳକୁ ରାତି ବହଳ ହେଉଥିଲା । ତାକୁ ଅପେକ୍ଷା କରିଥିଲେ ସବ୍‌ଇନିସ୍‌ପେକ୍ଟର । ସେତେବେଳକୁ ଥାନାକୁ ସବ୍‌କଲେକ୍ଟରଙ୍କ ଆଦେଶ ପହଞ୍ଚି ସାରିଥିଲା । ଚାରିଜଣ ସାଥୀଙ୍କୁ ନେଇ ସେ ଫେରିଆସିବା ବେଳକୁ ରାତି ବାରଟା ବାଜି ଯାଇଥଲା । ସେଇ ଅଭୁକ୍ତ ସାଥିମାନଙ୍କୁ ପଖାଳ, ଲୁଣ, ଲଙ୍କା, ଓ ପିଆଜ ପୋଡ଼ା ଦେଇ ଆପ୍ୟାୟତି କଲା ଅରବିନ୍ଦ । ସପନ ଗଉଡ଼କୁ ତାରିଫ୍‌ ନ କରି ରହି ପାରିଲାନି ଅରବିନ୍ଦ ।

 

ଏଇ ଗରିବ, ଦୁଃଖୀ ଓ ଲଢ଼ୁଆ ଲୋକମାନଙ୍କୁ ଯେତେ ଦେଖୁଛି ସେମାନଙ୍କ ଭିତରେ ଥିବା ମଣିଷପଣିଆ, ମହାନୁଭବତା ସେତିକି ତା’ ଦୃଷ୍ଟିରେ ପଡ଼ୁଛି । ଏମାନେ ସମସ୍ତଙ୍କ କଥା ଭାବନ୍ତି, ସମସ୍ତେ ସୁଖ ଶାନ୍ତିରେ ରହନ୍ତୁ ବୋଲି କାମନା କରୁଚନ୍ତି । କିନ୍ତୁ ଏମାନଙ୍କ କଥା କେହି ଭାବନ୍ତି ନାହିଁ । ଶାସନ ଏମାନଙ୍କୁ ଉପେକ୍ଷା କରି ଆସିଛି... ସମାଜ ଏମାନଙ୍କୁ ଅବହେଳା କରିଛି । ଆଇନର ରଥ ଚକ ତଳେ ଏମାନେ ଦିବାନିଶି ପେଶି ହେଉଛନ୍ତି ।

 

ଶ୍ରୀୟା ଠିକ୍‌ ଏୟା କହୁଥିଲା । ତା’ ଭିତରେ ସେଇଦିନ ଅଗ୍ନିସ୍ଫୁଲିଙ୍ଗ ଦେଖୁଥିଲା ଅରବିନ୍ଦ-। ସେ ଯେ ସାଧାରଣ ଦଶଜଣ ଝିଅଙ୍କ ପରି ଘରସଂସାର କରିବାକୁ ଜନ୍ମି ନାହିଁ ଏହା ତା’ ରକ୍ତକଣିକାରେ ଲେଖା ହୋଇଛି । କେତେଦିନ ହେଲା ଆସିଲାଣି ସେ । ଆଉ ଖୋଜଖବର ରଖୁନି କାହାରି । ଠିକଣା ଦେଇନି ଯେ ଘରୁ ବା ଶ୍ରୀ ପାଖରୁ ଚିଠି ଆସିବ । ସେ କେତେଦିନ ଗୁଣୁପୁରରେ ରହିବ ତାହା ସେ ନିଜେ ବି ଜାଣେନା । ଏଠାରେ ବହୁତ କାମ କରିବାକୁ ଅଛି । ଲୋକମାନଙ୍କୁ ସଙ୍ଗଠିତ ନ କଲେ ସେମାନେ ଏକା ଏକା ଅନ୍ୟାୟର ପ୍ରତିରୋଧ କରିପାରିବେ ନାହିଁ । ପ୍ରିୟରଞ୍ଜନ ଠିକ୍‌ କହିଥିଲେ ସଂଘର୍ଷ ନୁହଁ, ସହଯୋଗଦ୍ଵାରା ଅନେକ ସମସ୍ୟାର ସମାଧାନ କରାଯାଇପାରିବ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ।

 

ଷୋହଳ

 

ଅରବିନ୍ଦ ଯେଉଁଠି ଥାଉ ପଛେ ଅନ୍ତତଃ ତାକୁ ଜଣାଇ ପାରିଥାନ୍ତା । ସେ ଏମିତି ଲୁଚି ଲୁଚି ବୁଲୁଛି କାହିଁକି ? ବିପ୍ଳବ କ’ଣ ଲୁଚି ଲୁଚି ଆସେ ? ମେଦିନୀ କମ୍ପାଇ ତୋଫାନ ପରି ଆସେ ବିପ୍ଲବ । ପ୍ରତିପକ୍ଷ ସହିତ ଭେଟେ ମୁହାଁମୁହିଁ । ସେ ତ କେବେ ମନାକରିନି ତା’ ସହିତ ସହଯୋଗ କରିବା ପାଇଁ । ବରଂ ଦୁହେଁ ଯେଉଁ ଅନାଗତର ସ୍ୱପ୍ନ ଦେଖୁଥିଲେ ସେଥିରେ ବ୍ୟକ୍ତିଗତ ସୁଖ ଅପେକ୍ଷା ଅନ୍ୟର ସେବା କରିବା, ପରିବର୍ତ୍ତନ ପାଇଁ ମଣିଷକୁ ଗୋଟିଏ ଧାରୁଆ ଅସ୍ତ୍ରରେ ପରିଣତ କରିବା ଥିଲା ସେମାନଙ୍କର ଲକ୍ଷ୍ୟ । କିନ୍ତୁ ତାକୁ ନ କହି ନ ବୋଲି ହଠାତ୍‌ ଉଭାନ ହୋଇଯିବାର ଅର୍ଥ କ’ଣ... ?

 

ମା’ଙ୍କ ପ୍ରଶ୍ନର ଉତ୍ତର ଦେଇ ପାରି ନ ଥିଲା ଶ୍ରୀୟା । ବାପାଙ୍କୁ ବୁଝାଇ ପାରି ନ ଥିଲା ତାର ଲକ୍ଷ୍ୟ ଭବିଷ୍ୟତ ଗଢ଼ିବାର ଯୋଜନା ସମ୍ପର୍କରେ । ସେ ଅରବିନ୍ଦର ସାଥୀ ହେଉ ଏହା ମା ଚାହୁଁ ନ ଥିଲେ, ତା’ ସାଙ୍ଗରେ ବୁଲିଲେ ବିରୋଧ କରୁଥିଲେ । କିନ୍ତୁ ବାପା ଉଦାର ପ୍ରକୃତିର ଲୋକ-। ସେ ସ୍ଵାଧୀନତା ଦିଅନ୍ତି ପଲାମାନଙ୍କୁ ନିଜ ଭବିଷ୍ୟତ ଗଢ଼ିବା ପାଇଁ । କଥା କଥାରେ ହସ୍ତକ୍ଷେପ କରନ୍ତି ନାହିଁ । ମା’ଙ୍କ ଉଚ୍ଚାଶା କମିନାହିଁ ସେ ସିଭିଲି ସର୍ଭିସ୍‌ ପାଇଁ ପ୍ରସ୍ତୁତ ହେବାକୁ ମନା କରିଦେବାରୁ... । ଏନ୍‌.ଜି.ଓ. ଯଦି କରିବାକୁ ଇଚ୍ଛା ତେବେ ଘରସଂସାର କରି ବି ତାହା କରାଯାଇପାରେ । ଚାକିରି ନ ହେଲା ନାହିଁ, ବାହା ହବାପାଇଁ ସେ ମନା କରୁଛି କାହିଁକି ?

 

ମା’ଙ୍କୁ ଏଇ ପ୍ରଶ୍ନର ଉତ୍ତର ଦେଇପାରି ନ ଥିଲା ଶ୍ରୀୟା । ଅରବିନ୍ଦଠାରୁ କିଛି ନ ଶୁଣି, ତା’ ସହିତ ଆଲୋଚନା ନ କରି ସେ କିପରି ଏକତରଫା ନିଜେ ନିଷ୍ପତ୍ତି ନେଇଯିବ ? ଅରବିନ୍ଦ ହୁଏତ ପରିସ୍ଥିତିର ବାଧ୍ୟବାଧକତା ଏଡ଼ି ନ ପାରି ଚାଲିଯାଇଛି, କାହାକୁ ନ କହି । କିନ୍ତୁ ସେ ତ ଗୋରୁ ବା ଛେଳି ନୁହେଁ ଯେ ହଜିଯିବ କେଉଁଠି ? ନିଶ୍ଚୟ କଥା କହିବ । ସ୍ଵର୍ଗ ମର୍ତ୍ତ୍ୟ ପାତାଳ କେଉଁଠି ଲୁଚିବ ସେ ଅନନ୍ତକାଳ ? ନିଶ୍ଚୟ ତାକୁ ଖୋଜି ବାହାର କରିବ ଶ୍ରୀୟା ।

 

ପ୍ରଶ୍ନର ଜାଲ ବୁଣୁଥାଏ ଶ୍ରୀୟା ବୁଢ଼ିଆଣୀ ତା’ ଚାରିପାଖରେ ଜାଲ ବୁଣିବା ପରି । କିନ୍ତୁ ସେଇ ଜାଲରେ ଯେ ଦିନେ ସେ ଛନ୍ଦି ହୋଇ ଅଣନିଶ୍ୱାସୀ ହେବ ଏହା କ’ଣ ସେ ଭାବିଥିଲା । ଅରବିନ୍ଦକୁ ଦେଖିବା ପୂର୍ବରୁ ଭାବନାର ଜାଲ ବୁଣୁ ବୁଣୁ କେତେବେଳେ ଆଖିପତା ଲାଗି ଶୋଇ ପଡ଼ିଥିବ ଭାବି କରୁଣା ଡାକୁ ନ ଥିଲେ ତାକୁ । ଭବିଷ୍ୟତ ସମ୍ପର୍କରେ ସେ ଭାବିବା ଉଚିତ । ଯେଉଁମାନେ ଭବିଷ୍ୟତ ବିଷୟରେ ନ ଭାବି କେବଳ ବର୍ତ୍ତମାନକୁ ସର୍ବସ୍ଵ ଭାବନ୍ତି ସେମାନେ ସର୍ବସ୍ୱାନ୍ତ ହେଲେ ଆଉ ପାଖରେ ପୁଞ୍ଜି ନ ଥାଏ ।

 

ସରୋଜ ଡାକ୍ତରଖାନାରୁ ଫେରି ଆସି ଝିଅକୁ ଖୋଜିଲେ । କରୁଣା ଉଦାସ ସ୍ଵରରେ କହିଲେ–“ତାକୁ ଡାକ ନାହିଁ ସେ ଶୋଇଥାଉ । ନିରେଖୁ ସେ ନିଜକୁ । ଭବିଷ୍ୟତ ତ ତା’ ହାତ ମୁଠାରେ । ସେ ଯଦି ମତ ପରିବର୍ତ୍ତନ ନ କରି ନିଜ ଜିଦ୍‌ରେ ଅଟଳ ରହେ ତେବେ କ୍ଷତି ହେବ ସମସ୍ତଙ୍କର ।’’

 

–‘‘କିନ୍ତୁ ତା’ର ଭାବପ୍ରବଣତା ତମେ ବୁଝୁନ କାହିଁକି କରୁଣା ? କଞ୍ଚା ବୟସରେ ଏପରି ହୁଏ । ଯେଉଁଠି ପ୍ରଥମ ଦୃଷ୍ଟି ପଡ଼େ ସେଇଠି ରହିଯାଏ । ଅରବିନ୍ଦ ପରି କେତେଜଣ ମିଳନ୍ତି ସମାଜରେ ? ସେ କମ୍ପ୍ୟୁଟର ସ୍ପେସାଲିଷ୍ଟ । ଏଇ ତରୁଣ ବୟସରେ ବି ସମାଜ ପ୍ରତି ତା’ର ଅଙ୍ଗୀକାର ବଦ୍ଧତା ଅଛି । ସେ କେବଳ ନିଜ ସୁଖ ବିଷୟରେ ଭାବେ ନାହିଁ, ସମସ୍ତେ ଯେପରି ସୁଖରେ ରହନୁ ଏହା ସେ କାମନା କରେ । ଏଇଟା କ’ଣ ଖରାପ ଗୁଣ ?’’

 

କରୁଣା ଚିହିଁକି ଉଠି କହିଲେ–’’ ତମେ କ’ଣ ବୁଝ ସଂସାର କଥା ? କିଛି ଅର୍ଥ ଉପାର୍ଜନ କର ବୋଲି ଭାବ ନା ଯେ ତାହାହିଁ ଯଥେଷ୍ଟ । ପରିବାରର ଆଉ ପାଞ୍ଚଜଣ ଅଛନ୍ତି । ସେମାନଙ୍କ ସୁଖସୁବିଧା କଥା କେବେ ଭାବିଛ ? ବାପ ପରି ଝିଅ । କେବଳ ଆତ୍ମମଗ୍ନ ବ୍ୟକ୍ତି କେବେ ସୁଖୀ ହୋଇପାରେ ନାହିଁ... ।’’

 

“କିନ୍ତୁ ମୋତେ ଦୁର୍ବଳ ବୋଲି ଭାବୁଛ କାହିଁକି ? ମୋ ଚାରିପାଖରେ ଯେଉଁ ବିରାଟ ଜଗତ ରହିଛି ମୁଁ ତାହା ନ ଦେଖି ଯଦି କେବଳ ନିଜକୁ ଦେଖୁଥାଏ ତେବେ ମୁଁ ଦୁଃଖ ପାଇବି, ସମାଜର କିଛି କ୍ଷତି ହେବନାହିଁ । ଅନ୍ୟମାନେ ଅଛନ୍ତି ଅନ୍ଧାର ଭିତରେ ଦୀପ ଜାଳିବା ପାଇଁ ।’’ କହିଲେ ସରୋଜ ।

 

ତାଙ୍କୁ ଚୁପ୍‌ ରହିବା ପାଇଁ କହି ଉଠି ଯାଉଥିଲେ କରୁଣା । କିନ୍ତୁ ଇତି ମଧ୍ୟରେ କେତେବେଳେ ଉଠି ଆସି ଶ୍ରୀୟା ଯେ ସେମାନଙ୍କ କଥା ଶୁଣୁଥଲା ତାହା ଜାଣି ଅବାକ୍‌ ହେଲେ ସେ-। କିଛି ହୋଇ ନ ଥିବା ପରି ସେ କହିଲେ–‘‘କେତେବେଳେ ଉଠିଲୁ ? ବାପା ଖୋଜୁଛନ୍ତି ।’’

 

ସରୋଜ କହିଲେ–‘‘ଲନ୍‌ରେ ଚୌକି ରଖିବାକୁ କୁହ । ଆଉ ଚା’ ଜଳଖିଆ ଆଣ, ସମସ୍ତେ ମିଶି ଚା’ ପିଇବା... ।

 

ଶ୍ରୀୟାର ମୁହଁ ଉପରେ କେତେ କେରା ଅଲରା କେଶ ଲୋଟି ପଡ଼ିଥଲା । ତାହାରି ଆଢ଼ୁଆଳରୁ ତା’ ମୁହଁର ବିଷର୍ଣ୍ଣତା ଫୁଟି ପଡ଼ୁଥିଲା । ତାକୁ ପାଖରେ ବସାଇ କହିଲେ ସରୋଜ–“ତୁ ଏତେ ଭାଙ୍ଗି ପଡ଼ୁଛୁ କାହିଁକି ଯେ... । ଅବଶ୍ୟ ନିଜର ଭବିଷ୍ୟତ ସମ୍ବନ୍ଧରେ ଭାବିବା ଭଲ । କିନ୍ତୁ ସେଥିପାଇଁ ମୁଣ୍ଡଭାରି କରିବା ଦରକାର ନାହିଁ । ଟେକ୍‌ ଇଟ୍‌ ସ୍ପୋଟିଙ୍ଗ୍‌ଲି ।”

 

ତାଙ୍କ କାନ୍ଧ ଉପରେ ମଥା ରଖି କହିଲା ଶ୍ରୀୟା–‘କିନ୍ତୁ ବାପା... ସତେ କ’ଣ ତୁମେ ମୋତେ ଘରୁ ବିଦା କରିଦବାକୁ ପ୍ଲାନ କରୁଛ ?”

 

“ନା, ନା । ତୋ ଅନିଛାରେ କିଛି କରିବି ନାହିଁ, ମୁଁ କଥା ଦେଉଛି । ଭାବିବା ପାଇଁ ଅନେକ ସମୟ ଅଛି । ତୁ ସିଭିଲ୍‌ ସର୍ଭିସ୍‌ ନାପସନ୍ଦ କରି ଏନ.ଜି.ଓ. କରିବା ପାଇଁ ସ୍ଥିର କଲୁ । ଅକୁଣ୍ଠ ସମର୍ଥନ ରହିଛି ତୋ ପଛରେ । କିନ୍ତୁ ତୋ ବାହାଘର ପାଇଁ କେତେଟା ଭଲ ପ୍ରସ୍ତାବ ଆସିଛି-। ସେମାନଙ୍କ ମଧ୍ୟରୁ ଜଣେ ଆଇ.ଏ.ଏସ୍‌ ଅଫିସର, ଆଉ ଜଣେ ଆଇଟିଆଇ ଇଞ୍ଜିନିୟର... ।’’

 

–‘‘ତୁମେ ବି ତାହାହେଲେ ମା’କୁ ସପୋର୍ଟ୍ କରୁଛ ? ପଦପଦବୀ ସହିତ ମଣିଷର ସୁଖ ଯୋଡ଼ି ହୋଇ ରହିଥାଏକି ? ମୁଁ ନିଜେ ଗୋଟେ କିଛି ହୋଇପାରିଥାନ୍ତି । ମରୀଚିକା ପଛରେ ଗୋଡ଼ାଇବାକୁ ମୁଁ ଚାହେଁ ନାହିଁ । କ୍ଷମତା ବା ସମ୍ପତ୍ତି ମୋତେ ପ୍ରଲୁବ୍ଧ କରୁନି... ମୁଁ କେବଳ ଚାହେଁ ମୋ ଇଛାନୁସାରେ ବଞ୍ଚିବା ପାଇଁ...।’’

 

ଲନ୍‌ରେ ଚୌକି ରଖିଦେଇ ଆସିଥିଲା ଗୋବିନ୍ଦ । ଝିଅର ହାତଧରି ନେଇଗଲେ ସରୋଜ । ସେ ତ ଦଶ ଏଗାର ବର୍ଷର କିଶୋରୀ ନୁହେଁ ଯେ ତାକୁ ବାଧ୍ୟ କରିବେ ସେ ତାଙ୍କରି କଥା ମାନିବା ପାଇଁ । ସେ ଉଚ୍ଚ ଶିକ୍ଷିତା । ଶ୍ରୀୟାର ବୁଦ୍ଧି ଅଛି ନିଜ ଭବିଷ୍ୟତ ସମ୍ବନ୍ଧରେ ନିର୍ଣ୍ଣୟ ନବା ପାଇଁ । .

 

ଶ୍ରୀୟାର ଶେଷ ପଦକ କଥା କରୁଣାଙ୍କ କାନରେ ପଡ଼ିଥିଲା । ସେ ଉତ୍ତେଜିତ ହୋଇ ଉଠୁଥିଲେ । କିନ୍ତୁ ନିଜକୁ ପ୍ରଶମିତ କରି କହିଲେ ତୋ ଇଚ୍ଛାକୁ ଆମେ କ’ଣ ଅସମ୍ମାନ କରୁଛୁ ? ସିଭିଲ୍‌ ସର୍ଭିସ ଛାଡ଼ି ତୁ ଏନ.ଜି.ଓ, ମାଧ୍ୟମରେ ଲୋକଙ୍କ ସେବା କରିବାକୁ ବାହାରିଛୁ । ଆମେ ମନା କରିଛୁ ? କିନ୍ତୁ ଶ୍ରୀ ନିଜ ଇଚ୍ଛା ଜାହିର କରିବା ପୂର୍ବରୁ ଅନ୍ୟମାନଙ୍କ ଇଚ୍ଛା କ’ଣ ସେ ସମ୍ବନ୍ଧରେ ତୁ ଟିକେ ଚିନ୍ତାକର । ମୁଁ ଫୋର୍ସ କରୁନି... ତୁ ଆମର ଏକମାତ୍ର ସନ୍ତାନ । ତୋର ସୁଖ ଆମର ସୁଖ....।’’

 

ମା’ଙ୍କ ନରମ କଥା ଶୁଣି ମନର ଅବସନ୍ନତା କମିଗଲା ଶ୍ରୀୟାର । ତା’ର ମନେପଡ଼ିଗଲା ପାଞ୍ଚ ବର୍ଷ ତଳର କଥା । ତାକୁ ଟାଇଫଏଡ଼୍‌ ହୋଇଥାଏ । ବାପା ଯାଇଥାନ୍ତି ବାହାରକୁ । ପନ୍ଦର ଦିନ ଧରି ଆହାର ନିଦ୍ରା ବିଷୟରେ ନ ଭାବି ତାହାରି ବିଛଣା ପାଖରେ ବସିଥାଆନ୍ତି ମା’ । କେବଳ ଜନନୀହିଁ ଏହା କରପାରେ । ତାଙ୍କ ମନରେ ଦୁଃଖ ନ ଦବା ପାଇଁ କେହି ଯେପରି କାନେ କାନେ କହିଗଲା ।

 

ଲନ୍‌ରେ ବସିଲେ ତିନିଜଣ ।

 

ଗରମ ପକୋଡ଼ି ଆଉ ଚା’ ଦେଇଗଲା ଗୋବିନ୍ଦ । ଦିଗ୍‌ବଳୟ ତଳେ ମୁହଁ ଲୁଚାଇବା ପୂର୍ବରୁ ସୂର୍ଯ୍ୟଙ୍କ ସୁନେଲି କିରଣ ବିଛେଇ ହୋଇ ପଡ଼ିଥିଲା ଧରିତ୍ରୀ ଉପରେ । ଲନ୍‌ର ଶେଷପ୍ରାନ୍ତରେ ଥିବା ଚମ୍ପା ଗଛ ଡାଳରେ ବସି ବଣିଟିଏ ଚାହିଁ ରହିଥିଲା ଶୂନ୍ୟକୁ, କେତେବେଳେ ତା’ସାଥୀ ଫେରିବ ତାହା ଦେଖିବାପାଇଁ ।

 

ଗରମ ଗରମ ଚିଜ୍ ପକୋଡ଼ି ଖାଇବାକୁ ଭଲ ଲାଗେ ଶ୍ରୀୟାକୁ ।

ଭାରି ଭାରି ଲାଗୁଥିବା ମଥା ହାଲୁକା ଲାଗୁଥିଲା ଧୀରେ ଧୀରେ ।

 

‘‘କେତେମାସ ହେଲାଣି ମନେପଡ଼ୁଛି... । ଅରବିନ୍ଦର ଖୋଜଖବର କିଛି ମିଳିନି ? କିଛିଦିନ ତଳେ ପୁଲିସ୍‍ ତା’ ବିଷୟରେ ଅନୁସନ୍ଧାନ କରୁଥିବା ଶୁଣିଥିଲି... ।’’ ସ୍ଵାମୀଙ୍କ ଆଡ଼କୁ ଚାହିଁ ଝିଅ ଶୁଣିବାପାଇଁ କହିଲେ କରୁଣା ।

 

–‘‘ପୁଲିସ୍‍ କାହିଁକି ଲାଗିଛି ତା’ପଛରେ ? ସେ ଚୋର କି ଡକାଇତ ନୁହେଁ । କାହାକୁ ମଡ଼ର କରି ପଳାଇ ଯାଇନି ଘରୁ । ପିଲାଲୋକ, ଯଦି ନିଶା ଲାଗିଥାଏ ଆଦର୍ଶ ପଛରେ ଧାଇଁବା ପାଇଁ ତେବେ ସେଇଟା କ’ଣ ଦୋଷ ?” ଅରବିନ୍ଦକୁ ଡିଫେଣ୍ଡ କଲାପରି କହିଲେ ସରୋଜ ।

 

ଶ୍ରୀୟା ଚା’ କପ୍‌ଟା ଯଥାସ୍ଥାନରେ ରଖିଦେଇ ଚାହିଁଲା ବାପାଙ୍କ ମୁହଁକୁ । ସେ ମୁହଁ ଉପରେ ଲାଗି ରହିଥିଲା ଆତ୍ମବିଶ୍ଵାସ ଓ ପ୍ରସନ୍ନତା ।

 

‘‘ପୁଲିସ୍‍ ଅପରାଧୀମାନଙ୍କ ପିଛା ନ କରି ଭଦ୍ରଲୋକମାନଙ୍କ ପିଛା କରୁଛି ବୋଲି ଅପରାଧ ବଢ଼ୁଛି’’ କହିଲା ଶ୍ରୀୟା ।

 

ଠିକ୍‌ କହିଛୁ... ଲାଭ ଖୋର କଳାବଜାରୀ, ଘୁଷ୍‌ଖୋର୍‌ମାନେ ପୁଲିସ୍‍ ଆଖିରେ ଧୂଳି ଦେଇ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି.... ଡକାୟତି, ମର୍ଡ଼ର, ରେପ୍‌, କିଡ଼୍‌ନାପିଂ କରିବା ପରେ ବି ପୁଲିସ୍‍ ଧରିପାରୁନି ଅପରାଧୀକୁ... କାରଣ ସେମାନଙ୍କୁ ଆଶ୍ରୟ ଦେଉଛନ୍ତି ସମାଜର ବଡ଼ ଲୋକମାନେ.....।’’ ଯୋଗ କଲେ ସରୋଜ ।
 

ଝିଅକୁ ଏକା ଛାଡ଼ି ଦେଇ ବାପା ମା’ ଚାଲିଗଲେ ଭିତରକୁ । ଫାଟକ ପାଖରେ ଠିଆ ହୋଇ ରାସ୍ତା ଉପରର ଯାନବାହାନ ଚଳାଚଳ ଓ ପଦଯାତ୍ରୀମାନଙ୍କୁ ଲକ୍ଷ୍ୟ କରୁଥଲା ଶ୍ରୀୟା । ଭୁବନେଶ୍ୱରର ଚଳଣି ବଦଳିବାରେ ଲାଗିଛି । ରାସ୍ତା ଉପରେ ନୂଆ ମୋଟର ଗାଡ଼ିର ଭିଡ଼ । ରିକ୍ସା ଚାଲିବା ଦୃଶ୍ୟ କମି ଆସିଲାଣି ଅନେକ । କିସମ କିସମର ମୋଟର ସାଇକେଲ ଓ ସ୍କୁଟର । ଝିଅମାନେ ସ୍କୁଟି ଉପରେ ବସି ବାଟ ଭାଙ୍ଗି ତୀବ୍ର ବେଗରେ ଚାଲି ଯାଉଥିବାର ଦୃଶ୍ୟ । ଅଟୋରିକ୍ସା ମାଳକୁ ମାଳ । ସେ ରମାଦେବୀ କଲେଜରେ ପଢ଼ୁଥିଲାବେଳେ ଏତେପ୍ରକାର ନୂଆ ଗାଡ଼ି ଚାଲୁ ନ ଥିଲା ରାସ୍ତାରେ । ଏଇ କେତେବର୍ଷ ମଧ୍ୟରେ ଚଳଣି ବଦଳି ଯାଇଛି ଅନେକ । ଘରେ ଘରେ ଓ୍ୱାସିଂମେସିନ, ଏୟାରକଣ୍ଡିସନର, ଟିଭି, ଭାକୁମ୍‌ କ୍ଳିନର ଓ ଅନେକ ପ୍ରକାର ଶ୍ରମ ସହଜ କରା ସାମଗ୍ରୀ । ଧୋତିପିନ୍ଧା ଲୋକଙ୍କ ସଂଖ୍ୟା କମିଗଲାଣି । କମିଗଲାଣି କୁଷ୍ଠରୋଗୀମାନଙ୍କ ସଂଖ୍ୟା । ରାସ୍ତାକଡ଼ରେ ଗଢ଼ି ଉଠୁଛି ନୂଆ ଧରଣର ରେସ୍ତୋରା, ଫେସନ୍‌ସାମଗ୍ରୀ ବିକ୍ରୀ କରୁଥିବା ଡିପାର୍ଟମେଣ୍ଟାଲ୍‌ ଷ୍ଟୋର ଏବଂ ଜନଗହଳି ରାସ୍ତା କଡ଼ରେ ବିଲାତି ମଦ ଦୋକାନ ।

 

ସହରର ଆଖି ଝଲସା ଚାକଚକ୍ୟ ଦେଖି କିନ୍ତୁ ଗ୍ରାମାଞ୍ଚଳରେ ବା ସହର ଉପାନ୍ତରେ ଥିବା ବସ୍ତିମାନଙ୍କରେ ବାସ କରୁଥିବା ଲୋକଙ୍କ ଦାରିଦ୍ର୍ୟ କଳନା କରି ହୁଏନାହିଁ । ରାଜଧାନୀରେ ଶହେରୁ ଅଧକ ବସ୍ତି । ପାଣି, ଆଲୁଅ, ପାଇଖାନାର ସୁବିଧା ନାହିଁ । ଅସ୍ଵାସ୍ଥ୍ୟକର ପରିବେଶ ମଧ୍ୟରେ ହାଉଜାଉ ଖାଉଛନ୍ତି ଶହ ଶହ ଲୋକ । ରାସ୍ତାକଡ଼ରେ ମଳତ୍ୟାଗ ପ୍ରଦୂଷିତ କରୁଛି ପରିବେଶକୁ । ସେମାନଙ୍କୁ ଦୋଷ ଦେଇପାରେନା ଶ୍ରୀୟା । ଖାଇବା ପାଇଁ ଯାହା ପାଖରେ ଦାନା ନାହିଁ, ଲଜ୍ଜା ନିବାରଣ ପାଇଁ ଆବଶ୍ୟକ କନା ନାହିଁ, ସେ କିପରି ସ୍ଵାସ୍ଥ୍ୟ ସଚେତନ ହେବ, କିପରି ପୁଅଝିଅଙ୍କୁ ପଠାଇବ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ! ରୋଗର ଚିକିତ୍ସା ପାଇଁ ହାତରେ ପଇସା ନାହିଁ ବୋଲି ଠାକୁରାଣୀ ମନ୍ଦିରରେ ଅଧିଆ ପଡ଼ି ରୋଗର ଉପଶମ ପାଇଁ ଦେବୀଙ୍କୁ ପ୍ରାର୍ଥନା କରେ ସେ, ଗୁଣିଆକୁ ଡାକି ଫୁଙ୍କାଝଡ଼ା କରାଏ ।

 

ସେମାନଙ୍କ ଅନ୍ଧ ବିଶ୍ୱାସକୁ ନେଇ ବଞ୍ଚନ୍ତି ସେମାନେ । ସେଥପାଇଁ ଗାଁ ଓ ବସ୍ତିର ଉନ୍ନୟନ କାର୍ଯ୍ୟ ବାଛି ନେଇଛି ଶ୍ରୀୟା । କାମଧନ୍ଦା ନ ପାଇ ଗାଁ ଛାଡ଼ି ସହରକୁ ଜୀବିକାର୍ଜନ କରିବା ପାଇଁ ପଳାଇ ଆସୁଥିବା ଗରିବମାନେ ବସ୍ତି ବାସିନ୍ଦା । କିଏ ଶଗଡ଼ ଟାଣେ, କିଏ ରିକ୍ସା ଚଳାଏ ତ ଆଉ କିଏ ମାଲଗୋଦାମରେ ଶଗଡ଼ ଟାଣେ ବା ଆଉ କିଏ ଦିନ ମଜୁରିଆଭାବେ କାମ କରେ ବିଭିନ୍ନ ସଂସ୍ଥାରେ । ସେଦିନ ନୂଆକରି ତୋଳା ଯାଉଥିବା ଚାରିମହଲା କୋଠା ଉପରେ କାମ କରୁଥିବାବେଳେ ଭାଡ଼ିରୁ ପାଦ ଖସିଯିବାରୁ ଜଣେ ଶ୍ରମିକ ତଳେ ପଡ଼ିଗଲା । ହାସ୍‌ପାତାଳକୁ ନବା ରାସ୍ତାରେ ତା’ର ମୃତ୍ୟୁ ହେଲା । ଏଇ ଦୃଶ୍ୟ ଆଖିରେ ଦେଖିଥିଲା ଶ୍ରୀୟା । ଦୁଇଦିନ ପର୍ଯ୍ୟନ୍ତ ହାଲୁସିନେସନ କଟି ନ ଥିଲା ତାର । ସେ ସୁସ୍ଥ ହେବାପରେ ନିଷ୍ପତ୍ତି ନେଲା ଏମାନଙ୍କ ପାଇଁ କାମ କରିବ । ସିଭିଲ୍‌ ସର୍ଭିସ୍‌ ନୁହେଁ, ଏଇ ଗରିବମାନଙ୍କର ଦୁର୍ଦ୍ଦଶା ମୋଚନ ନିମନ୍ତେ ସେ ନିୟୋଜିତ କରିବ ନିଜକୁ । ସେମାନଙ୍କ କଲ୍ୟାଣ ପାଇଁ କାମ କରିବା ସକାଶେ ସ୍ଵେଚ୍ଛାସେବୀ ସଙ୍ଗଠନର ନାମ ଦେଇଥିଲା ସେ–‘କଲ୍ୟାଣୀ’ । ଅରବିନ୍ଦ ଏଥିରେ ତାକୁ ସାହାଯ୍ୟ କରିବ ବୋଲି ସେ ଭାବିଥିଲା । ସ୍ଵପ୍ନ ଦେଖୁଥିଲା ଏକ ନିଶ୍ଚିତ ସୁନେଲି ଭବିଷ୍ୟତର ଯେତେବେଳେ ଏଇ ବସ୍ତିର ଲୋକମାନେ ଆଉ ପଶୁପରି ଅଧର୍ମ ଜୀବନଯାପନ ନ କରି ମଣିଷ ପରି ବଞ୍ଚିବେ ।

 

‘କଲ୍ୟାଣୀ’ ପକ୍ଷରୁ ସେ ପ୍ରଥମ କରି କାମ ଆରମ୍ଭ କରିବ ଗଉଡ଼ ସାହିରେ ।

 

ରାସ୍ତାକଡ଼ରେ ବତୀଖୁଣ୍ଟରେ ଆଲୁଅ ଜଳିବା ଦେଖି ସେ ଜାଣିଲା ଯେ ଅନେକ ସମୟ ଧରି ନିଜଘର ଫାଟକ ପାଖରେ ଛିଡ଼ା ହୋଇଛି ସେ । ଏଥର ଭିତରକୁ ଯିବ । ରାତି ପାହିଲେ ଅନେକ କାମ... ।

 

ସେ ପାଦ ଉଠାଇବାବେଳକୁ ଅଠର କୋଡ଼ିଏ ବର୍ଷର ପିଲାଟିଏ ସାଇକେଲରୁ ଓହ୍ଲାଇ ପଡ଼ି କହିଲା–ଏଇଟା ଡାକ୍ତର ବାବୁଙ୍କ ଘର...

 

–‘‘ହଁ, କ’ଣ କାମଥିଲା ?

–‘‘ଶ୍ରୀୟା ଦେବୀଙ୍କୁ ଖୋଜୁଛି...

–‘‘ମୁଁ ଶ୍ରୀୟା.....”

 

ତା’ ହାତକୁ ଚିଠି ଖଣ୍ଡେ ବଢ଼ାଇ ଦେଇ ଶ୍ରୀୟା ତାକୁ ଆଉ କିଛି କହିବା ପୂର୍ବରୁ ସେ ସାଇକେଲ ଚଢ଼ି ଆଖି ପିଛୁଳାକେ ଅନ୍ତର୍ଦ୍ଧାନ ହୋଇଗଲା ।

 

ବନ୍ଦ ଲଫାପା ଉପରେ ତାହାରି ନାମ ଲେଖା ହୋଇଥିଲା ।

 

ଛାତିର ସ୍ପନ୍ଦନ ବଢ଼ିଗଲା ଶ୍ରୀୟାର । ହଠାତ ତା’ ମନକୁ ଆସିଲା–ଅରବିନ୍ଦ ଲେଖିନାହିଁ ତ !

 

କୋଠରୀ ଭିତରକୁ ଯାଇ କବାଟ ବନ୍ଦ କରି ଲଫାପା ଖୋଲିଲା ସେ । ହଁ, ଅରବିନ୍ଦର ଚିଠି... । ଆପାଦମସ୍ତକରେ ଏକ ଅନନୁଭୂତ ରୋମାଞ୍ଚ ଅନୁଭବ କଲା ଶ୍ରୀୟା । ପ୍ରତି ଲୋମକୂପ ମୂଳରେ ରଜନୀଗନ୍ଧାର ମହକ ତାକୁ ଉନ୍ମାଦନା କରିଦେଲା ।

 

ଲଫାପା ଖୋଲିବାବେଳେ ହାତ କମ୍ପୁଥିଲା । ଛାତି ତଳରୁ ଅତଡ଼ା ଖସୁଥିଲା । କ’ଣ ଲେଖିଛି ଅରବିନ୍ଦ ? ହୁଏତ ଏଇ ଚିଠି ଖଣ୍ଡକ ତା’ର ସ୍ଵପ୍ନ, ତାର ଆଶା ଓ ଅଭିଳାଷକୁ ସାର୍ଥକ କରିବ, ନଚେତ ତଳିତଳାନ୍ତ କରିବ ।

 

ଅରବିନ୍ଦ ଲେଖିଥିଲା–

‘‘–ଶ୍ରୀୟା,

 

ଆସିବା ପୂର୍ବରୁ ତୁମକୁ ଦେଖାକରି ନାହିଁକି କେଉଁଠି ରହିବି ସେ ଠିକଣା ଛାଡ଼ି ଆସିନାହିଁ-। ତୁମେ ଜାଣ ଯେ ମଣିଷର ଭାଗ୍ୟରେ ବେଳେବେଳେ ଏପରି ଗୋଟିଏ ବିରଳ ମୁହୂର୍ତ୍ତ ଆସେ; ଯେତେବେଳେ ସେ ବାଧ୍ୟ ହୁଏ କିଛି ନିଷ୍ପତ୍ତି ନବାପାଇଁ । ଇତିହାସର ସବୁ ବଡ଼ ବଡ଼ ଘଟଣା ବି ଏଇପରି । ମୁଁ ତ ଇତିହାସ ରଚନା କରିବାକୁ ଆସିନାହିଁ, ବରଂ ଇତିହାସର ସ୍ରୋତରେ ଭାସି ଭାସି ଆସିଛି । ଥିବାବାଲା ଓ ନ ଥିବାବାଲାଙ୍କ ମଧ୍ୟରେ କେବେ କେଉଁଠି ଲଢ଼େଇ ଆରମ୍ଭ ହେଲା ମୁଁ କହିପାରିବି ନାହିଁ; କିନ୍ତୁ ମଣିଷ ଅସମାନତା ବିରୁଦ୍ଧରେ ଜନ୍ମରୁ ଲଢ଼ି ଆସୁଛି । ସମୟ ସମସ୍ତଙ୍କୁ ସମାନ ସୁଯୋଗ ଦେଇନାହିଁ, ପରିସ୍ଥିତି ଓ ପରିବେଶ ମଧ୍ୟ ସମସ୍ତଙ୍କ ପାଇଁ ସମାନ ନୁହେଁ-। ତଥାପି ଏଇ ଅସମାନତା ମଧ୍ୟରୁ ମଣିଷ ସମାନତା ଆଡ଼କୁ ଯିବାପାଇଁ ସ୍ଵପ୍ନ ଦେଖେ, ଲଢ଼େଇ କରେ, ଲହୁଲୁହାଣ ହୁଏ । ସେ ଯଦି ଭାଗ୍ୟବାନ ହୋଇଥାଏ ତେବେ ତା’ର ଜୀବନକାଳ ମଧ୍ୟରେ ସେଇ ସଫଳତା ପାଏ, ନଚେତ ସମୁଦ୍ରରେ ଦିଗ ହଜାଇଥିବା ବୋଇତ ପରି ଭାସିବୁଲେ ଥଳକୂଳ ନ ପାଇ । ମୁଁ ଜାଣେନା ଇମିତି ସମୟ ସ୍ରୋତରେ ଭାସିଯିବି, ନା ସମୟ ସ୍ରୋତରେ ମଙ୍ଗ ବଦଳାଇ ମୋ ଲକ୍ଷ୍ୟସ୍ଥଳଆଡ଼କୁ ଗତି କରିବି ।

 

ମୁଁ ଦିନେ ଯେଉଁ ସୁନେଲି ଭବିଷ୍ୟତର ସ୍ଵପ୍ନ ଦେଖୁଥିଲି ତାହା ଥିଲା ମୋର ସ୍ଵାର୍ଥପରତା-। ସେତେବେଳେ ମୁଁ କେବଳ ନିଜ କଥା ଭାବୁଥୁଲି, ମୋ ଭାବନାର ପରିଧିରୁ ଏଇ ବିରାଟ ବିଶ୍ଵ ବାଦ ପଡ଼ିଥିଲା । ଶ୍ରୀହରି ମୋତେ ଏମିତି ଗୋଟେ ଦିଗ ଦେଖାଇ ଦେଇଛନ୍ତି ଯେ ସେଠାରେ କେବଳ ଅନ୍ୟମାନଙ୍କ ପାଇଁ ଲଢ଼ିବାକୁ ହୁଏ ଏବଂ ଯଦି ଆବଶ୍ୟକ ହୁଏ ସର୍ବସ୍ଵ ଏପରିକି ଜୀବନ ମଧ୍ୟ ବିସର୍ଜନ ଦବାକୁ ହୁଏ ।

 

ମୁଁ ଗୁଣୁପୁରକୁ ବାଛି ନେଇଛି ମୋର କର୍ମସ୍ଥଳୀଭାବେ । ଦିନେ ତୁମ ସହିତ ମୁଁ ସ୍ଵପ୍ନ ଦେଖୁଥିଲି ଗୋଟିଏ ଛୋଟ ଘର ତୋଳିବାପାଇଁ । ଘର ହତା ଭିତରେ ବିଭିନ୍ନପ୍ରକାର ଗଛ ଲଗାଇବା ପାଇଁ । ସେଇ ଗଛମାନଙ୍କର ଫୁଲଫଳ, କେବଳ ନିଜେ ଉପଭୋଗ ନ କରି ସମସ୍ତଙ୍କୁ ସେଥିରୁ ଭାଗ ଦେବାଫାଇଁ । ଗୁଣୁପୁରର ଦାରିଦ୍ର୍ୟ, ମଣିଷ ପ୍ରତି ହେଉଥିବା ଅନ୍ୟାୟ ଓ ଉତ୍ପୀଡ଼ନ ମୋତେ କାତର କରିଛି । ମୁଁ ବେଳେ ବେଳେ ଅସହାୟ ମନେକରୁଛି । କିନ୍ତୁ ତଥାପି କୋଉଠୁ ଏତେ ବଳ ଆସୁଛି କେଜାଣି ଏବଂ କିଏ ଅଦୃଶ୍ୟରେ ଥାଇ ମୋ’ ହାତକୁ କ୍ଷମତାର ଉତ୍ସ ଗୋଟେ ବନ୍ଧୁକ ବଢ଼ାଇ ଦେଉଛି ମୁଁ ତାକୁହିଁ ସମ୍ବଳ କରି ଛୁଟି ଚାଲିଛି କକ୍ଷଚ୍ୟୁତ ଉଲ୍‌କା ପରି । ଏବେ ମୁଁ ଅନୁଭବ କରୁଛି ଯେ ମୁଁ ଯାହା ଭାବୁଥୁଲି, ଯେତେସବୁ ସ୍ଵପ୍ନ ଦେଖୁଥିଲି ସେସବୁ ନିରର୍ଥକ । ତା’ ସହିତ ମୋର ଭାବାତ୍ମକ ସମ୍ପର୍କ ନାହିଁ । ମୁଁ ଆଉ ଗୋଟେ ଗ୍ରହର ମଣିଷ ।

 

ଏଇ ଭାବନା ମୋତେ ବାଧ୍ୟ କଲା ତମକୁ ଜଣାଇବା ପାଇଁ ଯେ ମୁଁ ଆଉ ତୁମ ପାଖକୁ ଫେରିଯାଇ ପାରିବି ନାହିଁ । ପରିବାରର ସଂଜ୍ଞା ବଦଳି ଯାଇଛି, ମୋ ପାଖରେ । ମୁଁ ବର୍ତ୍ତମାନ ଗୋଟିଏ ବିରାଟ ପରିବାରର ସଭ୍ୟ ଯେଉଁଠି ମୋର ବ୍ୟକ୍ତିଗତ ସତ୍ତା ନିଜ ପାଇଁ ନୁହେଁ ଅନ୍ୟମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ । ମୋର ହୃଦ୍‌ବୋଧ ହୋଇଛି ଯେ ଏଇ ପୃଥ୍ୱୀ ଅଳ୍ପକେତେ ଲୋକଙ୍କ ପାଇଁ ନୁହେଁ, ଅନ୍ୟମାନଙ୍କ ପାଇଁ ମଧ୍ୟ ସ୍ଥାନ ଅଛି ସେଥିରେ ।

 

ତମକୁ କହିବାକୁ ସାହସ ହେଉନାହିଁ । ନ କହିଲେ କାଳେ ମିଥ୍ୟାଚାର ହେବ ବୋଲି କହି ରଖୁଚି ଯେ ତୁମର ଓ ମୋର ପଥ ସମାନ ନୁହେଁ–ଦୁଇଟି ସମାନ୍ତରାଳ ରେଖା କେବେ କୌଣସି ବିନ୍ଦୁରେ ମିଳିତ ହେବାର ଶୁଣିଛ ? ନା କିନ୍ତୁ ମୁଁ ମୋ ଭାଗ୍ୟ ବଦଳାଇ ଦେଲି ସିନା, ତୁମ ଭାଗ୍ୟ ବଦଳାଇବା ପାଇଁ ମୁଁ ବା କିଏ ? ତୁମର ସ୍ନେହ ଓ ସାନିଧ୍ୟ, ତମର ଭଲ ପାଇବା ମୋ ଅନ୍ତର ଭିତରର କୈବଲ୍ୟ ହୋଇ ସଞ୍ଚିତ ଥାଉ... ମୋତ ଅନୁମତି ଦିଅ ମୋ ବାଟରେ ଯିବାପାଇଁ । ଆଉ ଯଦି ଏବେ ବି ମୋତେ ବିଶ୍ଵାସ କରୁଥାଅ, ମୋ ପାଇଁ ତମ ଛାତି ତଳେ କମ୍ପନ ସୃଷ୍ଟି ହେଉଥାଏ ତେବେ ତମେ ମୋତେ ପାସୋରି ଦିଅ ।

 

ପାରିବ ?

 

ଏ ପଥରେ ପ୍ରେମ ନାହିଁ । ବ୍ୟକ୍ତିଗତ ଭାବପ୍ରବଣତା ବା ସୁଖ ସମ୍ଭୋଗ ନାହିଁ । ଯେଉଁ ମାନବ ଏ ପଥର ଯାତ୍ରୀ ସେମାନେ କେବଳ ନିଜକୁ ତିଳ ତିଳ କରି ବାଣ୍ଟି ଦିଅନ୍ତି ଅନ୍ୟମାନଙ୍କୁ ସୁଖୀ କରିବା ପାଇଁ । ଯଦି ସେପରି କୌଣସି ଦୁର୍ଲଭ ସୁଯୋଗ ଆସେ ମୋ ଭାଗ୍ୟରେ ତେବେ ମୁଁ ମଧ୍ୟ ସେଥିରୁ ତମକୁ ଭାଗ ଦବାପାଇଁ ପଛାଇବି ନାହିଁ ।

Unknown

 

ମୁଁ ଜାଣେ ଏ ଚିଠି ତମକୁ ଦୁଃଖ ଦବ । ତମେ ହୁଏତ ଯୁକ୍ତି କରିବ ତମେ ବି ସୁଖ ତ୍ୟାଗକରି ମୋ ପଥର ସହଯାତ୍ରୀ ହୋଇପାରିବ । କିନ୍ତୁ ଏ ଦୁର୍ଗମ ପଥରେ ଜାଣିଶୁଣି ମୁଁ ତୁମକୁ ଟାଣି ଆଣିବି କାହିଁକି ?

 

କେବେ କେଉଁଠି ପୁଣି ଦେଖା ହେବ ମୁଁ ଜାଣେନା । ଯଦି ଭଲ ସମୟ ଆସେ, ଇତିହାସର ଗତି ମୋଡ଼ ବଦଳାଏ, ତେବେ ହୁଏତ ସର୍ବହରାର ପୃଥିବୀରେ ଆମ ସମସ୍ତଙ୍କୁ ଏକତ୍ର ହେବାର ସୁଯୋଗ ମିଳିବ ।

 

ତୁମର କ୍ଷମାପ୍ରାର୍ଥୀ,

ଜଣେ ପ୍ରତିବଦ୍ଧ ସୈନିକ ଅରବିନ୍ଦ ।”

 

ଚିଠିଟା ହାତରେ ସେହିପରି ଥିଲା, କିନ୍ତୁ ବରଡ଼ା ପତ୍ର ପରି ଥରୁଥିଲା ଶ୍ରୀୟା । ସେ ଆଉ କୋହ ସମ୍ଭାଳି ନ ପାରି ଖଟ ଉପରେ ଶୋଇପଡ଼ିଲା । ଖାଇବାବେଳ ହେବାରୁ ମା’ ଖୋଜିଲେ ତାକୁ ।

 

ଝିଅକୁ ବିଷର୍ଣ୍ଣ ଦେଖି କରୁଣା କହିଲେ–ଏଇଟା ହସ ଖୁସିର ବେଳ । ଜୀବନ ସାରା ପଡ଼ିରହିଛି ତୋ ଆଗରେ । ଏସବୁ ବିଷୟରେ ଏତେ ସେନ୍‌ସିଟିଭ୍‌ ହେବା ଠିକ୍‌ ନୁହେଁ । ଅରବିନ୍ଦ ତୋ ଜୀବନର ପ୍ରବେଶଦ୍ୱାରରୁ ଫେରି ଯାଇଛି । ବରଂ ଏହାହିଁ ଈଶ୍ଵରଙ୍କର ଇଚ୍ଛା । ତାକୁ ବି ମୁଁ ଧନ୍ୟବାଦ ଦେଉଛି ଯେ ତା’ ବାଟରେ ଘରସଂସାର କରିବା ସମ୍ଭବ ନୁହେଁ । ସେ ବିପ୍ଲବୀ ହେବାକୁ ଚାହେଁ । ପାଗଳ ନ ହେଲେ ଏପରି ନିଷ୍ପତ୍ତି କେହି ନିଅନ୍ତି ନାହିଁ ।”

 

ଦ୍ଵାର ବାହାରେ ଛିଡ଼ା ହୋଇଥିଲେ ସରୋଜ । ସେ ଭିତରକୁ ପଶି ଆସି କହିଲେ–‘‘ବିପ୍ଲବୀମାନେ ଚିରକାଳ ଏହିପରି । ଅନେକେ ସେମାନକୁ ବୁଝିପାରନ୍ତି ନାହିଁ, କହନ୍ତି ପାଗଳ । ସେ ଗୋଟେ ମହାନ ଲକ୍ଷ୍ୟ ବାଛି ନେଇଛି । ସେଠାରେ ଖାଲି ହାତରେ କେହି ପହଞ୍ଚି ପାରେନାହିଁ । ତା’ର ଆଦର୍ଶ ପ୍ରତି ପ୍ରତିବଦ୍ଧତା ଥିବା ଦରକାର । ଲଢ଼ିବା ପାଇଁ ନିଷ୍ଠା ଥିବା ଆବଶ୍ୟକ । ସାଲିସ କରି ବିପ୍ଲବୀ ହୁଏ ନାହିଁ କରୁଣା ।’’

 

‘‘ସ୍ୱାମୀ ସ୍ତ୍ରୀ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଗଲା । କରୁଣା କହିଲେ–‘‘ସେ ବିପ୍ଲବ କରୁଥାଉ ତା’ ରାସ୍ତାରେ । ଆମ ରାସ୍ତା ଭିନ୍ନ । ଗଣତନ୍ତ୍ର ଶାସନ ଅଛ ବୋଲି ସେ ବିପ୍ଳବ କରିବା ପାଇଁ ସୁଯୋଗ ପାଉଛି । ଯଦି ଇନ୍ଦିରାଗାନ୍ଧୀଙ୍କ ଇମରଜେନ୍‌ସି ସମୟ ହୋଇଥାନ୍ତା ଏସବୁ ବିପ୍ଳବୀମାନେ ଜେଲ ଭିତରେ ସଢ଼ୁଥାଆନ୍ତେ... ।’’

 

ତାକୁ ଆଉ କୁହାଇ ନ ଦେଇ କହିଲେ ଡାକ୍ତର–‘‘ଇମରଜେନ୍ସି ଜାରୀ କରି ଭୁଲ୍ କରିଥିଲେ ଇନ୍ଦିରା ଗାନ୍ଧି । ଗଣତାନ୍ତ୍ରିକ ଜୀବନଧାରାର ଶକ୍ତି ସେ କଳନା କରି ନ ଥିଲେ । ମିଲିଟାରୀ ବା ପୁଲିସ୍‍ଦ୍ଵାରା ଧମକ ଚମକ ଦେଇ ଯେ ଶାସନ ଓ ଶୃଙ୍ଖଳା ରକ୍ଷା କରି ହୁଏନାହିଁ ତାହା ସେ ପରେ ବୁଝିଲେ । ମନେଅଛି ନା... ସେ କେମିତି ନିର୍ବାଚନରେ ହାରିଥିଲେ...।’’

 

ତାଙ୍କୁ ସେହିଠାରେ ବନ୍ଦ କରିବାକୁ କହି ଯୋଗକଲେ କରୁଣା–‘‘କିନ୍ତୁ ଜନତାଦଳ ପାଞ୍ଚବର୍ଷ ପାଇଁ ନିର୍ବାଚିତ ହୋଇଥିଲେ ବି ଶାସନ କରିପାରିଲା ଦେଶକୁ ? ସ୍ଵାର୍ଥ ପାଇଁ ପରସ୍ପର ବିରୁଦ୍ଧରେ ଲାଗିଲେ । ପୁଣି ନିର୍ବାଚନ ହେଲା । ଇନ୍ଦିରାଗାନ୍ଧି ଶଙ୍ଖଧ୍ଵନି କରି ବାଜାବଜାଇ ଫେରି ଆସିଲେ ପୁଣି ।’’

 

କଥା ନ ବଢ଼ାଇ କହିଲେ ଡାକ୍ତର–“ଶ୍ରୀକୁ ଛାଡ଼ିଦିଅ ଭାବିବା ପାଇଁ । ସେ ପିଲା ନୁହଁ, ବଡ଼ ହୋଇଛି । ତା’ର ନିଜସ୍ଵ ମତ ବି ଅଛି । ସେ ଭାବୁ କିଛିଦିନ । ତାକୁ ଭାବିବାକୁ ଦିଅ, ବାଧ୍ୟ କରନା... ।’’

 

ମୁହଁ ଛିଞ୍ଚାଡ଼ି କହିଲେ କରୁଣା–“ତମେ ତା’ ମୁଣ୍ଡ ବିଗାଡ଼ି ଦେଇ ସାରିଲଣି । ଅରବିନ୍ଦ ତାକୁ ତ ସାଫ୍‌ ସାଫ୍ ଜଣାଇ ଦେଇଛି ଯେ ଘରସଂସାର କରି ଆଦର୍ଶକୁ ବଳି ଦେଇପାରିବ ନାହିଁ । ବିପ୍ଲବୀକୁ ଘରସଂସାର ଶୋଭାପାଏନା । ଆମ ହାତରେ ଦୁଇଟା ଭଲ ପ୍ରସ୍ତାବ ଅଛି । ଆମଠାରୁ ହଁ ବା ନା ଶୁଣିବା ପାଇଁ ସେମାନେ ଅପେକ୍ଷା କରିଛନ୍ତି । ସେମାନଙ୍କୁ କ’ଣ କହିବ ? ହାତ ବଢ଼ାଇଲେ ଚାନ୍ଦ.... ଏପରି ସୁଯୋଗ ସବୁବେଳେ ଆସେ ନାହିଁ... ।

 

ସରୋଜ କହିଲେ–“ବରଂ ଚାଲ କିଛିଦିନ ବୁଲି ଆସିବା ବାହାରୁ । ଶ୍ରୀ ଭାବିବା ପାଇଁ ସମୟ ପାଇବ । ଫେରିବା ପରେ ସେମାନଙ୍କୁ କିଛି ଗୋଟେ କହିବାକୁ ହେବ । ମୋ ସାଙ୍ଗ ଦୀପଙ୍କର ପଟ୍ଟନାୟକ ଭାଇଜାଗ୍ ଷ୍ଟିଲ୍‌ପ୍ଲାଣ୍ଟର ଜେନେରାଲ୍‌ ମ୍ୟାନେଜର । ସେ କେତେଥର କହିଲାଣି ବୁଲିଯିବା ପାଇଁ । ସମୁଦ୍ର କୂଳରେ ସେମାନଙ୍କର ଗୋଟେ ଭଲ ଭି.ଆଇ.ପି. ଗେଷ୍ଟ୍‍ହାଉସ୍‍ ଅଛି । ବୁଲିବା ଜାଗା ଅନେକ । ସୀମାଞ୍ଚଳ ଅତି ନିକଟରେ । ଆଖିକୁ ଦେଖିପାରିବ ଆମ ପ୍ରତିବେଶୀ ରାଜ୍ୟ କିପରି ବେଗରେ ଅଗ୍ରଗତି କରୁଛି । ଓଡ଼ିଶାରେ ଯଦି ଜଗନ୍ନାଥ ନ ଥାନ୍ତେ ତେବେ କିଏ ଆସନ୍ତା ଏଇ ହତଶ୍ରୀ ରାଜ୍ୟକୁ...।

 

ଆଉ ଯୁକ୍ତି ନ କରି କରୁଣା ରାଜିହେଲେ । ଦଶଦିନ ବୁଲି ଆସିବା ପାଇଁ ସବୁ ବ୍ୟବସ୍ଥା କରିବା ପାଇଁ ସମ୍ମତ ହେଲେ । ଶ୍ରୀୟା ବି ରାଜି ହେଲା । ସେ କିଛିଦିନ ଭାବିବା ପାଇଁ ଚାହେଁ ନିଷ୍ପତ୍ତି ନବା ପୂର୍ବରୁ । ଭାଇଜାଗ୍‌ରେ ବି ଶ୍ରୀହରିର ଆଡ୍‍ଡା ଅଛି ବୋଲି କହୁଥିଲା ଅରବିନ୍ଦ । ଯଦି ତା’ ସହିତ ଦେଖା ହୋଇଯାଏ ଅକସ୍ମାତ୍ ତେବେ ତାହାରି ମାଧ୍ୟମରେ ଅରବିନ୍ଦ ସହିତ ଥରେ ମୁହାଁମୁହିଁ ହେବାକୁ ଚାହେଁ ।

 

ସତର

 

ଭାଇଜାଗ୍‌ର ଇଷ୍ଟ୍‌ପଏଣ୍ଟ୍‌ ଗେଷ୍ଟ୍‌ହାଉସ୍‌ର ବାଲକୋନିରେ ବସି ସମୁଦ୍ରର ଦୃଶ୍ୟ ଦେଖି ମୁଗ୍‍ଧ ହେଲା ଶ୍ରୀୟା, ଆଖି ଆଗରେ ଦିଗନ୍ତ ବିସ୍ତାରି ସୁନୀଳ ସାଗର । ଛୋଟ ବଡ଼ ଅନେକ ପାହାଡ଼ ସମୁଦ୍ରକୁ ପଶିଯାଇଥିବା ଦୃଶ୍ୟ ଭାସି ଉଠୁଥାଏ ଆଖିଆଗରେ । ମନେପଡ଼ି ଯାଉଥାଏ (ବର୍ଣ୍ଣବୋଧର ପଦେ କବିତା) ମଧୁସୂଦନ ରାଓଙ୍କ ଲେଖାରୁ ପଦେ–

 

ଖଣ୍ଡ ଖଣ୍ଡ ଧଳାମେଘ ସୁନୀଳ ଅମ୍ବରେ

ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ ।

 

ସବୁଜ ପାହାଡ଼, ସବୁଜ ଆକାଶ ଏବଂ ସୁନୀଳ ସମୁଦ୍ର–ସବୁଠାରେ ତାରୁଣ୍ୟର ଜୟଯାତ୍ରା । ଉତ୍ତର ଆଡ଼କୁ ଚାହିଁଲେ ଦିଶିଯାଏ “ତାଳତମାଳ ବନରାଜି ଲୀଳା ।

 

ଏଇ ଶାନ୍ତ, ସୁଖକର ପରିବେଶ ଆହୁରି କେଡ଼େ ସୁନ୍ଦର ହୋଇଥାନ୍ତା ଅରବିନ୍ଦ ପାଖରେ ଥିଲେ । ସୀମାଞ୍ଚଳ ମନ୍ଦିରରେ ସେ ଦିଅଁଦର୍ଶନ କରିବାକୁ ଯାଇ ତା’ଆଖିରେ ପଡ଼ିଥିଲା ପଥର ଉପରେ ଖୋଦିତ ଓଡ଼ିଆ ଲିପିରେ ଲେଖାହୋଇଥିବା ଓଡ଼ିଶାର ଗଜପତି ନରପତିମାନଙ୍କର କୀର୍ତ୍ତି । ଇତିହାସରେ ସେ ପଢ଼ିଥିଲା ଯେ ଦକ୍ଷିଣରେ ଓଡ଼ିଶାର ସୀମା ବ୍ୟାପିଥିଲା ଗୋଦାବରୀ ନଦୀ ପର୍ଯ୍ୟନ୍ତ । ବେଳେ ବେଳେ କାବେରୀ ପର୍ଯ୍ୟନ୍ତ ବ୍ୟାପିଥିଲା କଳିଙ୍ଗ ଦେଶ । କର୍ଣ୍ଣାଟକର ଗୁଲବର୍ଗା ଦୁର୍ଗ ଦିନେ କଳିଙ୍ଗ ରାଜାମାନଙ୍କ ଅଧୀନରେ ଥିଲା । ବିଜୟନଗରମ୍‌ ଓ ରାଜମହେନ୍ଦ୍ରିଠାରେ ଗଜପତି ରାଜାଙ୍କର ପ୍ରତିନିଧି ରହୁଥିଲେ । ଏଇ ବିଶାଖାପାଟଣା ବାଟଦେଇ ଆଦି ଶଙ୍କରାଚାର୍ଯ୍ୟ, ରାମାନୁଜ, ବଲ୍ଲଭାଚାର୍ଯ୍ୟ ପ୍ରଭୃତି ସାଧୁସନ୍ଥ ସାଧକମାନେ ଦକ୍ଷିଣରୁ ଆସିଥିଲେ ପୁରୁଷୋତ୍ତମ ଶ୍ରୀକ୍ଷେତ୍ରକୁ ।

 

ଅରବିନ୍ଦ ସାଙ୍ଗରେ ଥିଲେ ଦୁହେଁ ବୁଲିଥାଆନ୍ତେ ସମୁଦ୍ର କୂଳରେ ହାତ ଧରାଧରି ହୋଇ-। ବାଲକୋନି ଉପରେ ବସି ଦେଖିଥାନ୍ତେ ସମୁଦ୍ର ଭିତରୁ ଉଠୁଥିବା ଲୋହିତ ରଙ୍ଗର ବାଳସୂର୍ଯ୍ୟଙ୍କୁ । ସଂଧ୍ୟାବେଳେ ପାହାଡ଼ ତଳେ ଲୁଚିଯିବାବେଳେ ସୂର୍ଯ୍ୟ ଦେଖାଯାନ୍ତି ହିରଣ୍ମୟ ପାତ୍ର ପରି । ଭାଇଜାଗ୍‌ ଆସିବା ପରେ ମୁଣ୍ଡ ଅନେକ ହାଲୁକା ଲାଗୁଛି । ଉଠିଯାଇ ରେଡ଼ିଓ ଖୋଲିଦେଲା ଶ୍ରୀୟା । ସେ ପାଖରୁ ଭାସି ଆସିଲା ସୁନନ୍ଦା ପଟ୍ଟନାୟକଙ୍କ ସ୍ଵର ଝଙ୍କାର । ସେ ଗାଉଥିଲେ ପିତା ବୈକୁଣ୍ଠ ପଟ୍ଟନାୟକଙ୍କ ଅମର କବିତା–

 

‘‘ଜୀବନ ପାତ୍ର ମୋ ଭରିଛ କେତେ ମତେ

ନ ଦେଲ ବୋଲି କିଛି କହିବି କିହେ ଆଉ

ଜୀବନ ପ୍ରିୟତମ ହରିଛ ମୋ ଭରମ

ତରଣୀ ମୋର ତବ ସାଗରେ ଭାସିଯାଉ... ।”

 

ତା’ ଜୀବନରେ ଅରବିନ୍ଦର ଉପସ୍ଥିତି ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ସେ ଧନ୍ୟ ହୋଇଛି । ଏକତ୍ର ହେବାର ସେଇ ମଧୁର ଅନୁଭବ, ଅରବିନ୍ଦର ସେଇ ପ୍ରଗଳ୍ଭ ପୁଲକିତ ସାନ୍ନିଧ୍ୟ ଏବେ ମଧ୍ୟ ଯୂଇଫୁଲର ବାସ୍ନାପରି ମହମହ ବାସୁଛି । ସୁନୀଳ ସାଗରରେ ପାଲଟଣା ଭାସୁଥିବା ବୋଇତ ପରି ସେ ବୁଲୁଥିବ ସମୟ ସାଗର କୋଳରେ ଅରବିନ୍ଦକୁ ଅପେକ୍ଷା କରି ।

 

ପୋର୍ଟିକୋ ଉପରେ ଲଦି ହୋଇପଡ଼ିଥିବା ରାଧାତମାଳ ଲତା ଉପରେ ଦୃଷ୍ଟି ନିବଦ୍ଧ ହେଲା ଶ୍ରୀୟାର । ସେ ମୁଗ୍‍ଧ ଦୃଷ୍ଟିରେ ଚାହିଁ ରହିଲା–ରାଧାତମାଳ ଫୁଲ ଆଡ଼କୁ । ଏଇ ଲତାର ଚାରା ତାକୁ ଦେଇଥିଲା ଅରବିନ୍ଦ ଘର ଆଗ ପୋର୍ଟିକୋ ପାଖରେ ଲଗାଇବା ପାଇଁ । ସେଇ ଗଛ କେତେମାସ ମଧ୍ୟରେ କେଡ଼େ କେଡ଼େ ହେଲାଣି । ହୁଏତ ଆଉ କିଛିଦିନ ପରେ ଫୁଲ ଫୁଟିବ । ସେଦିନ ସେ ଅରବିନ୍ଦକୁ କହିଥିଲା ଯେ ଗଛର ପ୍ରଥମ ଫୁଲ ସେ ଉପହାର ଦବ ତାକୁ । କିନ୍ତୁ ସେଇ ସ୍ଵପ୍ନ ଭାସିଯିବ ଶୂନ୍ୟରେ ଭସା ବଉଦ ପରି ବର୍ଷା ନ କରି ।

 

ବାପା ମା’ ପ୍ରସ୍ତୁତ ହୋଇଗଲେଣି, ଅପେକ୍ଷା କରୁଛନ୍ତି ତା’ ପାଇଁ । ଜଳଖିଆ ଖାଇ ସାରିବା ପରେ ବାହାରିଯିବେ ଆର୍‌କୁ ଅଭିମୁଖେ । ଗାଡ଼ି ପ୍ରସ୍ତୁତ ହୋଇ ରହିଛି ।

 

ଖବର ପାଇ ତରତର ହୋଇ ତଳକୁ ଓହ୍ଲାଇ ଗଲା ଶ୍ରୀୟା ।

 

ଡାଇନିଂ ଟେବୁଲରେ ଥୁଆ ହୋଇଥିଲା ପ୍ରାତଃଭୋଜନର ସାମଗ୍ରୀ । ପରିଜ୍‌ରେ ଦୁଧ ମିଶାଇ ଖାଇଲା ଟିକେ । ଟୋଷ୍ଟ ସହିତ ପୋଚ ଖାଇ ଉଠିବାବେଳକୁ ମା’ କହିଲେ–“ଦୂର ବାଟ, ଆଉ ଟିକେ କିଛି ଖାଇଲୁନି... ।”

 

ନା, ମା’, ପେଟ ଭର୍ତ୍ତି.... ବେଶୀ ଖାଇଲେ ମାନ୍ଦା ମାନ୍ଦା ଲାଗିବ ।

 

ଜଳଖିଆ ଖାଇସାରି ସରୋଜ କଫି ପିଇଲେ ସ୍ତ୍ରୀଙ୍କ ସହିତ । ସବୁ ପ୍ରସ୍ତୁତ ହୋଇ ରହିଥିଲା । ସେମାନେ ଗାଡ଼ିରେ ବସିବାକ୍ଷଣି ଡ୍ରାଇଭର ଗାଡ଼ି ଷ୍ଟାର୍ଟ କଲା ।

 

ତାଳଗଛ, ନଡ଼ିଆଗଛ, କାଜୁଗଛ ଓ ଝାଉଁଗଛର ସବୁଜିମା ମନକୁ ବି ସବୁଜ କରିଦେଉଥାଏ । ବର୍ଷାଦିନ ପାଖେଇ ଆସିଲାଣି । ବର୍ଷାରେ ଭିଜିବା ପାଇଁ ଭଲ ଲାଗେ ଶ୍ରୀୟାକୁ । ଆକାଶରେ ଉଠା ବାଦଲ । ସଡ଼କର ଦୁଇ ପାଖରେ ଚାଷଜମି । ଦୃଷ୍ଟିରେ ପଡ଼ୁଥାଏ ଦାରିଦ୍ର୍ୟ ଛାଡ଼ି ସ୍ଵଚ୍ଛଳତା ଆଡ଼କୁ ଅଗ୍ରସର ହେଉଥିବା ଆନ୍ଧ୍ରପ୍ରଦେଶର ଦୃଶ୍ୟ । ପ୍ରଶସ୍ତ ରାସ୍ତା ଉପରେ ସାମଗ୍ରୀ ଭର୍ତ୍ତି ଟ୍ରକ୍‌ ଚାଲିଥାଏ ଦୂରଦୂରାନ୍ତ ସ୍ଥାନକୁ । ବିଜୟନଗରମ୍‌ ପାରି ହେବାବେଳେ ବାପା କହିଲେ ଯେ ରାୟଗଡ଼ା ବାଟଦେଇ କୋରାପୁଟ ଯିବାପାଇଁ ଆଗେ ଭଲ ରାସ୍ତା ନ ଥିଲା ବୋଲି ଅନେକ ବିଜୟନଗରମ୍‌ ବାଟ ଦେଇ ସୁଙ୍କି ପାହାଡ଼ ଅତିକ୍ରମ କରି ଯାଉଥିଲେ ପଟାଙ୍ଗି, କୋରାପୁଟ । ବିଶାଖାପାଟଣାରୁ କୋରାପୁଟ ଯିବାପାଇଁ ଆଉ ଗୋଟେ ବାଟ ।

ଆରକୁରେ ପହଞ୍ଚିଲାବେଳକୁ ବାରଟା । ସମୁଦ୍ର ପତ୍ତନଠାରୁ ଉଚ୍ଚରେ ଥିବାରୁ ସବୁଜବନାନୀ ଘେରା ଉପତ୍ୟକା ବାସ ପରି ମନୋରମ । ଲବଙ୍ଗ, ଡାଲଚିନି, ତେଜପତ୍ର, ମସଲାଗଛ ଏବଂ ଅନେକ ବନୌଷଧି‌ ତୃଣ ଲତା ଏଠାରେ ମିଳେ ବୋଲି ଆର୍‌କୁ ପ୍ରସିଦ୍ଧ । ଟିକେ ଭିତରକୁ ଗଲେ ରେଳଲାଇନ୍‌ କଡ଼ରେ ଗୋଟିଏ ବଡ଼ ଗୁମ୍ଫା ଅଛି । ହଜାରେ ହଜାରେ ଲୋକ ସେଠାରେ ବସିଶୋଇ ପାରିବେ । ଆହୁରି କିଛି ଦର୍ଶନୀୟ ସ୍ଥାନ ଅଛି । ସେଇ ଦୃଶ୍ୟ ଉପଭୋଗ କରିବା ଏବଂ ଆଦିବାସୀମାନଙ୍କ ଜୀବନଯାତ୍ରା ଲକ୍ଷ୍ୟ କରିବା ପାଇଁ ଆର୍‌କୁ ଉତ୍ତମ ସ୍ଥାନ । ଦୀପଙ୍କର ବାବୁ ଉପତ୍ୟକାର ସବୁଠାରୁ ଉଚ୍ଚ ସ୍ଥାନରେ ଥିବା ଗୋଟିଏ ଅତିଥି ଭବନ ଦୁଇଦିନ ପାଇଁ ସଂରକ୍ଷଣ କରି ରଖିଛନ୍ତି ।

ଅତିଥିଭବନରେ ଜିନିଷପତ୍ର ରଖି ବାଲକୋନିରେ ବସିଲେ ସମସ୍ତେ । ଉପରୁ ଆର୍‌କୁର ଅନିନ୍ଦ୍ୟ ସବୁଜିମାର ଶୋଭା ଦେଖି କହିଲା ଶ୍ରୀୟା–ବେଶ୍‌ ଭଲ ଲାଗୁଛି ନା ବାପା... ଭୁବନେଶ୍ୱରର କଂକ୍ରିଟ ଜଙ୍ଗଲ ଭିତରେ ଅଣନିଶ୍ୱାସୀ ହୋଇଯାଏ ମଣିଷ... ।

ସରୋଜ କହିଲେ–‘‘ଭୁବନେଶ୍ୱର ବି ଦିନେ ସବୁଜ ସୁନ୍ଦର ଥିଲା ମା’ । ପ୍ରାୟ ଦୁଇଶହ ପଚାଶ କିଲୋମିଟର ବ୍ୟାସାର୍ଦ୍ଧରେ ଥିବା ପ୍ରକୃତିଦତ୍ତ ଅରଣ୍ୟ ସଫା କରି ସହର ବସିଲା ରାଜଧାନୀ ନିର୍ମାଣ କରିବା ପାଇଁ । ପଚାଶ ବର୍ଷ ପୂର୍ବେ ବଙ୍ଗ, ବିହାର ଓ ଅନ୍ୟ ରାଜ୍ୟରୁ ଗ୍ରୀଷ୍ମାବକାଶ କଟାଇବା ପାଇଁ ଲୋକ ଆସୁଥିଲେ ଭୁବନେଶ୍ୱର । ଗଛ ସବୁ କାଟିନେବା ପରେ, ନଦୀନାଳ ଶୁଖିଗଲା । ଏବେ ଭୁବନେଶ୍ୱର ଉତ୍ତପ୍ତ ସହର... ବାହାରୁ ଆଉ କେହି ଆସିବା ଦୂରେଥାଉ, ଖରାଛୁଟିରେ ସହର ଛାଡ଼ି ଅନେକ ପଳାଇ ଯାଆନ୍ତି ଶୈଳନିବାସମାନଙ୍କୁ । ଝରଣା ସବୁ ଶୁଖିଯିବା ପରେ ଖାଲଜମି ଜବରଦଖଲ କରି ତଆରି ହୋଇଛି ବଡ଼ ବଡ଼ ଘର । ଲୋକ ନିଜ ସୀମା ଡେଇଁ ରାସ୍ତା ଉପରକୁ ମାଡ଼ିଗଲେଣି ।’’

 

ଆର୍‌କୁ ଭ୍ୟାଲିର ଉତ୍ତରରେ ଓଡ଼ିଶା ସୀମା । ଅତି ନିକଟରେ ଆର୍‌କୁ ବଜାରରେ ତେଲୁଗୁ, ଓଡ଼ିଆ ଲୋକଙ୍କ ସମାଗମ ହୁଏ । ପୁର୍ବରୁ ଏଇ ଅଞ୍ଚଳରେ ଓଡ଼ିଆ ଭାଷା ଚଳୁଥିଲା, କିନ୍ତୁ ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଶିକ୍ଷା ଦବା ପ୍ରତି ଶିକ୍ଷାବିଭାଗ ଧ୍ୟାନ ନ ଦେବାରୁ କ୍ରମଶଃ ତେଲୁଗୁ ବିଦ୍ୟାଳୟରେ ପାଠ ପଢ଼ିଲେ ଓଡ଼ିଆ ପିଲାମାନେ । ଆନ୍ଧ୍ର ସରକାର ତାଙ୍କ ସୀମାନ୍ତରେ ଅନେକ ବିଦ୍ୟାଳୟ ଖୋଲିଛନ୍ତି । ଏମିତିକି ଅନେକ ଲୋକ ଅଛନ୍ତି ଏଇ ସୀମାନ୍ତରେ ଯେଉଁମାନେ ଓଡ଼ିଆ ଭାଷାକୁ ତେଲୁଗୁ ଲିପିରେ ଲେଖନ୍ତି । ଓଡ଼ିଶା ସରକାରଙ୍କ ପ୍ରଭାବ ସୀମାନ୍ତ ଅଞ୍ଚଳରେ ଅନୁଭୂତ ହୁଏ ନାହିଁ । କିନ୍ତୁ ଆନ୍ଧ୍ର ପ୍ରଶାସନ ଅନେକ ଚଳଚଞ୍ଚଳ । ଏଇ ବାଟ ଦେଇ ଆନ୍ଧ୍ରର ବ୍ୟବସାୟୀମାନେ କୋରାପୁଟ ଜିଲ୍ଲାରେ ବ୍ୟାପିଗଲେଣି ।

 

ରାତିରେ ଏ ବିଷୟରେ ଆଲୋଚନା ଚାଲିଥିବାବେଳେ କହିଲେ ଡାକ୍ତର ଚୌଧୁରୀ, ‘‘ସହରମାନଙ୍କରେ ବାସ କରୁଥିବା ଉଚ୍ଚଶିକ୍ଷିତ ଓଡ଼ିଆମାନେ ପୁଅଝିଅଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ପଠାନ୍ତି । ଉପାନ୍ତ ଅଞ୍ଚଳରେ ଓଡ଼ିଆ ବିଦ୍ୟାଳୟ ନ ଥିବାରୁ ପିଲାମାନେ ତେଲୁଗୁ ବା ବଙ୍ଗଳା ସ୍କୁଲରେ ପଢ଼ନ୍ତି । ଫଳରେ ଓଡ଼ିଆଭାଷାର ପ୍ରଭାବ କମିବା ସ୍ଵାଭାବିକ । ଏହାର ପ୍ରତିକାର ନ କରି କେବଳ କଟକ, ଭୁବନେଶ୍ୱରରେ ଭାଷଣ ଦେଲେ ମାତୃଭାଷାର ପ୍ରସାର ହେବ ନାହିଁ ବା ଓଡ଼ିଆମାନଙ୍କର ସ୍ଵାଭିମାନ ଫେରି ଆସିବ ନାହିଁ ।”

 

ଡିନର ଟେବୁଲରେ ବସିଥିବାବେଳେ ଫ୍ରାନସିସ୍‌ କହିଲା–'“କାଲି ଏଠାରେ ହାଟ ବସିବ ସାହେବ । ପ୍ରତି ରବିବାର ଦିନ ହାଟ ବସେ । ଗାଁ ଲୋକମାନେ ଅନେକ ଜିନିଷ ଆଣନ୍ତି ହାଟକୁ । ସେ ସବୁ ବିକ୍ରି କରି ବଜାରରୁ ତେଲ, ଲୁଣ, ଲୁଗା ଆଉ ସବୁ ଦରକାରୀ ଜିନିଷ କିଣି ନିଅନ୍ତି । ଏଇ ବଜାର ଯେତିକି ବଢ଼ୁଛି ସାହୁକାର ବେପାରୀମାନଙ୍କର ଶୋଷଣ ସେତିକି ବଢ଼ୁଛି । ମଦଦୋକାନୀ ଗରିବ ଲୋକଙ୍କୁ ଏମିତି ବାନ୍ଧି ରଖିଛନ୍ତି ଯେ ଜିନିଷ ବିକ୍ରି କରିବାବେଳକୁ ସେ ହାଜର ହୋଇଯାଏ ସେମାନଙ୍କୁ ମଦ ଭାଟିକୁ ନବା ପାଇଁ ।”

 

ଶ୍ରୀୟା ପଚାରିଦେଲା–“ସେମାନେ ଯାଆନ୍ତି କାହିଁକି ? ସେମାନେ କ’ଣ ବୁଝନ୍ତିନି ଯେ ଥରେ ମଦଦୋକାନୀ ପାଲରେ ପଡ଼ିଲେ ହାତ ଖାଲି ହୋଇଯିବ... ।''

 

‘‘ସେମାନଙ୍କୁ ମଦବେପାରୀମାନେ ବାନ୍ଧି ରଖିଛନ୍ତି ଋଣ ଜାଲରେ । ମଦ ପିଇବା ପାଇଁ ଋଣ ନିଅନ୍ତି । ଋଣ ଯାହାର ଦରକାର ନାହିଁ ତାକୁ ବି ଲୋଭ ଦେଖାନ୍ତି ଋଣ କରି ଭଲ ଭଲ ଜିନିଷ କିଣିବା ପାଇଁ । ଆଉ ଥରେ ସେମାନଙ୍କ ଋଣ ଜାଲରେ ପଡ଼ିଲେ ସେଥିରୁ ମୁକୁଳିବା ସମ୍ଭବ ନୁହେଁ-।’’ କହିଲା ଅତିଥି ଭବନର କୁକ୍‌ ଫ୍ରାନ୍‌ସିସ୍‌ ।

 

–‘‘ଲୋକମାନେ ମଦ ଛାଡ଼ିଲେ ରକ୍ଷା ପାଇ ଯାଆନ୍ତେ... କହିଲା ଶ୍ରୀୟା ।’’

 

ଡାକ୍ତର ସରୋଜ ଚୌଧୁରୀ କହିଲେ, ‘‘ତମ ଫାଦର ଏ ବିଷୟରେ କ’ଣ କହନ୍ତି ଫ୍ରାନ୍‌ସିସ୍‌ ?’’

 

‘‘ଚର୍ଚ୍ଚର ଲୋକମାନେ ତ ହାଟରେ ବାଟରେ ଲୋକଙ୍କୁ ବୁଝାନ୍ତି ସାହେବ । କିନ୍ତୁ ବେପାରୀମାନଙ୍କ ପ୍ରଭାବ ଏତେବେଶୀ ଯେ ସେଥିରୁ ଲୋକମାନେ ଖସି ଆସିପାରନ୍ତି ନାହିଁ । କାହାର ମାଆ ମରିଗଲେ ଶୁଦ୍ଧିକ୍ରିୟା କରିବା ପାଇଁ ସାହୁକାର ଟଙ୍କା ଦିଏ । କାହା ପୁଅ ବା ଝିଅ ବାହାଘର ହେଲେ ଧୁମ୍‌ଧାମ୍‌ରେ ବାହାଘର କରିବା ପାଇଁ ସାହୁକାର ଋଣ ଦିଏ... ।’’

 

ଡିନର ଟେବୁଲରେ ଭୋଜନ କଲାବେଳେ ଆଲୋଚନା ହେଉଥାଏ । ଶ୍ରୀୟା କହିଲା, ‘‘କାଲି ଆମକୁ ହାଟକୁ ନେଇଯିବ ଫ୍ରାନ୍‌ସିସ୍‌... ଟିକେ ବୁଲି ଆସନ୍ତେ... ।”

 

‘‘ନିଶ୍ଚୟ, ନିଶ୍ଚୟ...”, କହିଲା ଫ୍ରାନସିସ୍ ।

 

ଚିକେନ ରୋଷ୍ଟ୍‌ରୁ ଖଣ୍ଡେ ପାଟିରେ ପୂରାଇ କହିଲେ ଡାକ୍ତର–‘‘ଚମତ୍କାର ରାନ୍ଧିଛି ଫ୍ରାନ୍‌ସିସ୍‌... କେତେବର୍ଷ ରହିଲଣି ଏଠାରେ ?’’

 

–‘‘ଆରମ୍ଭ ରୁ ତ ଅଛି ସାହେବ... ଏଇ ସାତବର୍ଷ ହେଲା । ଭାଇଜାଗରୁ ଆସିଛି... ପରିବାର ସେଠାରେ ।’’

 

–‘‘ପରିବାର ନେଇ ଆସୁନ ଏଠାକୁ ?’’ କହିଲେ କରୁଣା ।

 

–ପୁଅ ଇଞ୍ଜିନ୍‌ୟରିଂ ପଢ଼ୁଛି । ଝିଅ ନର୍ସ ହେବା ପାଇଁ ଚାହେଁ । ସହରରେ ପଢ଼ିବାର ସୁବିଧା ଅଛି । ଏଠାରେ ତ ସନ୍ଧ୍ୟା ହେଲେ ସବୁଆଡ଼େ ଅନ୍ଧାର ସାହେବ...”

 

ମ୍ୟାଙ୍ଗୋ ଆଇସିକ୍ରିମରୁ ଚାମୁଚାଏ ପାଟିରେ ଦେଇ କହିଲା ଶ୍ରୀୟା–‘‘ଚମତ୍କାର..., ଫ୍ଲେଭର ଯେପରି ସୁଆଦ ବି ସେପରି... ।’'

 

ଧନ୍ୟବାଦ ଜଣାଇ କହିଲା ଫ୍ରାନସିସ୍‌, ‘‘ଆଉ ଗୋଟେ ଆଣୁଛି ଦିଦି’’

ମଥା ହଲାଇଲା ଶ୍ରୀୟା ।

 

ବାଲକୋନିରେ ବସି କିଛି ସମୟ ଗପସପ ହେଲେ ବାପା, ମା’, ଝିଅ । ଆର୍‌କୁର ଏଇ ପ୍ରଶାନ୍ତ ପରିବେଶ କେତେ ଲୋଭନୀୟ ତାହା କେବଳ ସହରର କୋଳାହଳରୁ ଆସିଥିବା ଲୋକ ବୁଝିପାରନ୍ତି ସହଜରେ । ଶାଳଫୁଲର ବାସ୍ନା ଭାସି ଆସୁଥାଏ ପବନରେ... ଭାସି ଆସୁଥାଏ ବଣ କୁକୁଡ଼ାର ଡାକ... ଆଉ ଆଦିବାସୀମାନଙ୍କ ଗୀତର ଲହର... । ସଙ୍ଗୀତ ଶୁଣୁଶୁଣୁ କେତେବେଳେ ଶୋଇପଡ଼ିଲେ ସେମାନେ ତାହା ଜାଣିପାରିଲେ ନାହିଁ ।

 

ସକାଳର ସୂର୍ଯ୍ୟୋଦୟ ଆହୁରି ସୁନ୍ଦର । ସବୁଜ ଶାଖାପ୍ରଶାଖା ଉପରେ ବାଳସୂର୍ଯ୍ୟର ନରମ କିରଣ ଚିକ୍‌ଚିକ୍‌ କରୁଥାଏ ସକାଳେ ।

 

ବାପାଙ୍କ ସହିତ ସେତିକିବେଳେ ସକାଳେ ଘେରାଏ ବୁଲି ଆସିବା ପାଇଁ ବାହାରିଗଲା ଶ୍ରୀୟା ।

 

ସକାଳର ଆହ୍ୱାନ ଶୁଣି ଦଳ ଦଳ ହୋଇ ଆଦିବାସୀ ଜୀବିକାର୍ଜନ କରିବା ପାଇଁ ବାହାରି ଯାଉଥିବାର ଦୃଶ୍ୟ ଆଖିରେ ପଡ଼ିଲା ଡାକ୍ତର ଚୌଧୁରୀଙ୍କର । ସେ କହିଲେ ଶ୍ରୀୟାକୁ–“ଏମାନେ କେଡ଼େ କର୍ମଠ ଦେଖୁଛୁ ଶ୍ରୀ । ଫେରିବେ ସେଇ ସୂର୍ଯ୍ୟାସ୍ତ ପୂର୍ବରୁ... ହୁଏତ ସାରାଦିନ ଖଟି ମଧ୍ୟ ସମସ୍ତଙ୍କ ଭାଗ୍ୟରେ ନ ଥିବ ଦିନକର ଆହାର ସଂଗ୍ରହ କରିବା ପାଇଁ ରୋଜଗାର ।’’

 

ଶ୍ରୀୟା ଏଇ ପ୍ରଥମ ଆସିଛି ସହର ବାହାରକୁ । ଆଦିବାସୀ ଅଧ୍ୟୁଷିତ ଆର୍‌କୁ ଉପତ୍ୟକା ତାକୁ ପ୍ରକୃତି ସଚେତନ କରି ଦେଇଥିଲା । ଗଚ୍ଛବୃଚ୍ଛ ଲତାଗୁଳ୍ମମାନଙ୍କର ସବୁଜ ଶୋଭା, ଫୁଲଫଳର ବାସ୍ନା ଏବଂ ଭୂଇଁର ଆକର୍ଷଣ ତାକୁ ନୂଆ ଲାଗୁଥିଲେ ବି ସେ ଅନୁଭବ କରୁଥିଲା ଯେ ଏଇ ପ୍ରକୃତି କୋଳରେ ବଢ଼ୁଥିବା ମଣିଷମାନଙ୍କ ପାଇଁ ପ୍ରକୃତିକୁ ନଷ୍ଟଭ୍ରଷ୍ଟ କରୁଥିବା ସହରୀ ମଣିଷ ଜଙ୍ଗଲ ରକ୍ଷା କରିବା ଲାଗି କିଛି କରନ୍ତି ନାହିଁ । ବରଂ ସହରବାସୀଙ୍କ ସୁଖସ୍ଵାଚ୍ଛନ୍ଦ୍ୟ ପାଇଁ ଜଳ, ଜମି, ଜଙ୍ଗଲର ଦ୍ରୁତ ଗତିରେ ଅବକ୍ଷୟ ହେଉଛି । ଜଙ୍ଗଲ ସଫାକରି ସହର ବସୁଥିବାରୁ ଜଳାଧାର ସବୁ ଶୁଖିଗଲାଣି । ସହର ବସାଇବା ପାଇଁ ଜମି ଦରକାର । ଆଦିବାସୀମାନଙ୍କୁ ବାସଚ୍ୟୁତକରି ଖଣି ଖୋଳା ହେଉଛି ଏବଂ ସ୍ଥାପନ କରାଯାଉଛି ନୂତନ କାରଖାନା । ବାସଚ୍ୟୁତ ଉଦ୍‌ବାସ୍ତୁମାନେ ଏଇ କାରଣରୁ ଶହଶହ ବର୍ଷ ଧରି ରହି ଆସୁଥିବା ସ୍ଥାନ ଛାଡ଼ି କାମ ଖୋଜି ଖୋଜି ବୁଲନ୍ତି ସହରରେ । ସେଠାରେ ସେମାନଙ୍କୁ ହୁଏତ କାମ ମିଳିଯାଏ, କିନ୍ତୁ ସେମାନଙ୍କର ସ୍ଵାଭିମାନ ଟିକକ ମାଟିରେ ମିଶିଯାଏ । ଯେଉଁମାନେ କାମ ନ ପାଇ ମାଟିକୁ ଜାବୁଡ଼ି ଧରି ପଡ଼ିଥାଆନ୍ତି ସେମାନଙ୍କୁ ଥଇଥାନ କରିବା ପାଇଁ ଭୁଲି ଯାଆନ୍ତି ଶିଳ୍ପପତି ଓ ସରକାର ।

 

ପ୍ରାତଃ ଭ୍ରମଣରୁ ବାପଝିଅ ଫେରିବାବେଳକୁ ଅପେକ୍ଷା କରୁଥିଲେ କରୁଣା ଚା’ ସଜ ନେଇ । ଫ୍ରାନସିସ୍ ଖବର ଦେଲା ଯେ ଦଶଟା ଏଗାରଟାବେଳକୁ ହାଟରେ ଭିଡ଼ ଜମେ । ପସରା ମେଲାଇ ବସନ୍ତି ସ୍ଥାନୀୟ ଲୋକ । ସହଳ ସହଳ ଗଲେ ଖରା ବାଧିବ ନାହିଁ ।

 

କିନ୍ତୁ ସ୍ନାନ ଗୃହରେ ପ୍ରବେଶ କରିବା ପୂର୍ବରୁ ଟିଭି ଖୋଲିଦେଲା ଶ୍ରୀୟା ।

 

ଇଟିଭିରୁ ବିଶେଷ ସମ୍ବାଦର ସୂଚନା ପର୍ଦ୍ଦା ଉପରେ ଭାସି ଉଠିଲା । ହଠାତ୍‌ ଆଖିରେ ପଡ଼ିଗଲା ଗୋଟିଏ ସମ୍ବାଦ । ମୁକ୍ତିଯୋଦ୍ଧାମାନଙ୍କ ଆଡ଼୍‌ଡ଼ା ଉପରେ ପୁଲିସ୍‍ର ରାତି ଅଧରେ ଚଢ଼ାଉ । ଜଣେ ନେତା ଗିରଫ ଏବଂ ପୁଲିସ୍‍ ଗୁଳିରେ ତିନିଜଣ ମୁକ୍ତିଯୋଦ୍ଧା ମୃତ ।

 

ତା’ପରେ ପରେ ମାଲକାନଗିରି ଜିଲ୍ଲା ହେଡ଼କ୍ୱାଟରଠାରୁ ପନ୍ଦର କିଲୋମିଟର ଦୂରରେ ଘଟିଥିବା ଏଇ ଘଟଣାର ସର୍ବଶେଷ ବିବରଣୀ ଦେଇ ଘୋଷିକା କହିଲେ–‘‘ମୁକ୍ତିଯୋଦ୍ଧାମାନେ ଜିଲ୍ଲା ମହକୁମାଠାରୁ ପନ୍ଦର କିଲୋମଟର ଦୂରରେ ଜଙ୍ଗଲ ଭିତରେ ଥିବା ଆଡ୍‍ଡାରେ ନିଭୃତରେ ଆଲୋଚନା କରୁଥିବା ଖବର ପାଇ ସଶସ୍ତ୍ର ପୁଲିସ୍‍ ଅଚାନକ ଆଡ୍‍ଡା ଚାରି ପାଖରେ ଘେରି ଯିବା ଫଳରେ ପଳାଇଯିବା ପାଇଁ ଚେଷ୍ଟା କରୁଥିବାବେଳେ ସେମାନଙ୍କର କମାଣ୍ଡର୍ ଗୋପାଳ ରାଓକୁ ପୁଲିସ୍‍ ଗିରଫ କରିଛି । ଏହାର ପ୍ରତିରୋଧ କରିବାକୁ ପୁଲିସ୍‍ ସହିତ ସେମାନଙ୍କର ଖଣ୍ଡଯୁଦ୍ଧରେ ତିନିଜଣ ଯୋଦ୍ଧା ନିହତ ହୋଇଥିବାବେଳେ କୌଣସି ପୁଲିସ୍‍ ଆହତ ବା ନିହତ ହୋଇ ନ ଥିବା ପ୍ରକାଶ । ଏହାକୁ ପୁଲିସ୍‍ର ଏକ ବଡ଼ ସଫଳତା ବୋଲି ଜିଲ୍ଲା କର୍ତ୍ତୃପକ୍ଷ କହୁଥିବାବେଳେ କୌଣସି କାରଣ ନ ଥାଇ ସେମାନଙ୍କ ଉପରେ ପୁଲିସ୍‍ ଆକ୍ରମଣ କରିଥିବାରୁ ନାଗରିକ ମାନବିକ ଅଧିକାର କମିଟି ପକ୍ଷରୁ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି ।’’ ଘୋଷିକା ପୁଣି କହିଲେ ଯେ “ସାହୁକାର ଏବଂ ମହାଜନମାନଙ୍କ ଚାଷୀମୂଲିଆ ବିରୋଧୀ ନୀତି ପ୍ରତିହତ କରିବା ସକାଶେ ଉପାୟ ନିର୍ଦ୍ଧାରଣ କରିବା ପାଇଁ କେତେକ ସ୍ଥାନୀୟ ଲୋକ ଆଲୋଚନା କରୁଥିବାବେଳେ ସେମାନଙ୍କୁ ମୁକ୍ତି ଯୋଦ୍ଧା ମନେକରି ପୁଲିସ୍‍ ସେମାନଙ୍କ ଆଡ୍‍ଡା ଉପରେ ଚଢ଼ାଉ କରିଥିବାରୁ ନାଗରିକ କମିଟି ଏହାର ନିନ୍ଦା କରିଛି ଏବଂ ବିଚାରବିଭାଗୀୟ ତଦନ୍ତ କରି ଦୋଷୀକୁ ଦଣ୍ଡ ଓ ଉପଯୁକ୍ତ କ୍ଷତିପୂରଣ ଦବା ସକାଶେ ସେମାନେ ସରକାରଙ୍କଠାରେ ଦାବି କରିଛନ୍ତି ।’’

 

ଟିଭିର ସମ୍ବାଦ ଶୁଣି ଉଦାସ ହୋଇଗଲା ଶ୍ରୀୟା । ଗୋପାଳ ରାଓକୁ ସେ ଜାଣେନା, ଯେଉଁମାନେ ପୁଲିସ୍‍ ଗୁଳିରେ ନିହତ ହେଲେ ସେମାନଙ୍କୁ ସେ ଚିହ୍ନେନି । ତଥାପି କାହିଁକି କେଜାଣି ଅନ୍ତରଭିତରେ କାହାର କ୍ରନ୍ଦନଧ୍ଵନି ତାକୁ ମ୍ରିୟମାଣ କରିଦେଲା । ଗୋପାଳରାଓକୁ ନିର୍ଯ୍ୟାତନା ନ ଦେଇ ଯେ ପୁଲିସ୍‍ ସହଜରେ ଛାଡ଼ିଦବ ତାହା ଶ୍ରୀୟା ବିଶ୍ଵାସ କରେ ନାହିଁ । ହୁଏତ ତା ନାମରେ ଜଘନ୍ୟ ଅପରାଧ କରିଥିବାର ମିଥ୍ୟା ଆରୋପ ଲଗାଇ ଅଭିଯୋଗ ଫର୍ଦ୍ଦ ତିଆରି କରିବ । ହାଜତ ଭିତରେ ଥିବା ବନ୍ଦୀମାନଙ୍କ ପ୍ରତି ଅମାନୁଷିକ ବ୍ୟବହାର ବଢ଼ିବାରେ ଲାଗିଛି । ନିକଟରେ ଦୁଇଟି ଥାନାରେ ଦୁଇଜଣ ଅଭିଯୁକ୍ତଙ୍କ ପୁଲିସ୍‍ ହାଜତରେ ମୃତ୍ୟୁ ଘଟିଥିବାରୁ ଉଚ୍ଚସ୍ତରୀୟ ଅନୁସନ୍ଧାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି । ଏଇ ଦୁଇ ସଂକଟ ସମୟରେ ଶ୍ରୀହରି କେଉଁଠି ଅଛି ସେ ଜାଣେନା । ଅରବିନ୍ଦ ମଧ୍ୟ ତା ଠିକଣା ଦେଇନାହିଁ । ମନ ବ୍ୟାକୁଳ ହୁଏ ସେମାନଙ୍କ ବିଷୟରେ ଜାଣିବା ପାଇଁ ।

 

ଶ୍ରୀୟା ଚୁପ୍‌ଚାପ୍‌ ବସିଥିବାବେଳେ ମା’ ଆସି କହିଲେ–“ତୁ ଗାଧୋଇନୁ ... ଆମେତ ପ୍ରସ୍ତୁତ ହୋଇଗଲୁଣି ।’’

 

ଶ୍ରୀୟା ମା’ଙ୍କୁ କିଛି ନ କହି ଦ୍ରୁତ ଗତିରେ ସ୍ନାନଘରେ ପ୍ରବେଶ କଲା ଏବଂ ଶୁଖିଯାଇଥିବା ଲୁହ ଦୁଇବୁନ୍ଦା ଧୋଇଦେଲା ।

 

ସେମାନେ ହାଟରେ ପହଞ୍ଚିବାବେଳକୁ ଲୋକାରଣ୍ୟ ହୋଇ ସାରିଥାଏ ହାଟ । ପସରା ମେଲାଇ ବସିଥାନ୍ତି ଅଦିବାସୀମାନେ । ଆମ୍ବ, ପଣସ, ଜାମୁକୋଳି, କଦଳୀ, କିଛି ପନିପରିବା, କୁକୁଡ଼ା, ଅଣ୍ଡା, ତେଲ, ଲୁଣ, ଲଙ୍କା, ପିଆଜ, ତନ୍ତଲୁଗା ଇତ୍ୟାଦି ବିବିଧ ସାମଗ୍ରୀର କିଣାବିକା ଆରମ୍ଭ ହେଉଥାଏ । ଟିକେ ଦୂରରେ ଆମ୍ବ ଗଛ ଛାଇରେ ମଦ ପିଇବା ପାଇଁ ଠୁଳ ହୋଇଥାନ୍ତି କେତେଜଣ । ଭାଟି ମାଲିକର ସାନଭାଇ ଲକ୍ଷ୍ମୀପତି ସେମାନଙ୍କୁ ପ୍ରବର୍ତ୍ତାଉଥାଏ ମଦ ପିଇବା ପାଇଁ, ମଉଜ କରିବା ପାଇଁ ।

 

ଜଣେ କହିଲା–‘‘ହାତରେ ପଇସା ନାଇଁ ବାବୁ ... ମାଇପ ରୋଗରେ ପଡ଼ିଛି... '’

 

ଟିକେ ଦୂରକୁ ତାକୁ ଟାଣିନେଇ କହିଲା ଲକ୍ଷ୍ମୀପତି–“ତୋ ମାଇପକୁ ଡାକ୍ତର ଦେଖାଇବାକୁ କିଏ ମନା କରୁଛି ? ମଦ ନ ପିଇଲେ ମରଦ ପୁଅର ଜୋର୍ ଆସିବ ନାହିଁ । ଆଉ ତୋ ଅଣ୍ଟାର ଲୁଗାଟା ତ ଚିରିଗଲାଣି । ଲୁଗା ଗୋଟେ କିଣ୍‌,...''

 

ସେ କହିଲା–‘‘ହାତରେ ପଇସା ନାହିଁ ଭାତ ଖାଇବା ପାଇଁ... ମଦ ପିଇବା ପାଇଁ, ଡାକ୍ତର ଦେଖାଇବା ପାଇଁ ପଇସା ଆସିବ କୁଆଡୁ... ?’’

 

–‘‘ନେ ଏଇ କାଗଜରେ ଟିପ ଦେ... ଶହେ ଟଙ୍କା ନେଇଯା ଆଜି... ଆର ପାଳିକୁ ଆଉ ଶହେ ନବୁ... ଫସଲ କାଟିଲେ ଶୁଝିଦବୁ... ଜମିଖଣ୍ଡକ ବନ୍ଧା ରହିଲା ବୁଝିଲୁ... ।’’

 

ଠାକୁରାଣୀଙ୍କ ଆଗରେ ବଳି ପଡ଼ିବା ଆଗରୁ ବୋଦା ଯେପରି ଛଟପଟ ହୁଏ ସେହିପରି ଆଗକୁ ପଛକୁ ହେଉଥିବା ଜଗୁକୁ ଠେଲିଠେଲି ଆମ୍ବଗଛ ମୂଳକୁ ନେଇଗଲା ଲକ୍ଷ୍ମୀପତି । କାଗଜ ଉପରେ ତା’ ବୁଢ଼ା ଆଙ୍ଗୁଠିର ଟିପ ନେଇସାରି ମଦବିକୁଥିବା ଲୋକକୁ କହିଲା–‘‘ଯେତେ ପିଇବ ଦବୁ ... ସେ ପଇସା ଦେଇସାରିଛି... ’’

 

ଶ୍ରୀୟା ଦେଖୁଥିଲା, ଶୁଣୁଥିଲା ସବୁ । ପ୍ରତିବାଦ କରିବା ପାଇଁ ଆଗେଇଯିବାବେଳେ ତା ହାତ ଧରିପକାଇ କହିଲେ କରୁଣା–“ଏ ଲୋକଟା ଭଲ ନୁହେଁ । ତା’ ଚେହେରା ଦେଖି ବୁଝି ହେଉଛି । ତୋ କଥା ଶୁଣିବନି ବରଂ ଅପମାନ କରିବ... ଚାଲ୍‌ଚାଲ୍‌ ତେଣେ ବାପା ଅପେକ୍ଷା କରୁଥିବେ ।’’ ତଥାପି ଶ୍ରୀୟା ତୁଣ୍ଡରୁ ବାହାରିଗଲା କେତୋଟି ଶବ୍ଦ–‘‘ଏ ଲୋକଟା ଶଇତାନ... ପୁଲିସ୍‍ କେତେଜଣ ହାଟରେ ବୁଲୁଥିଲେ ବି କେହି ଏ ଲୋକଟାକୁ ଜବତ କରୁନି କି ଏଇ ବେଆଇନ କାମ କରୁଥିବାବେଳେ ତାକୁ ଗିରଫ କରୁନି ।’’

 

ସେତେବେଳକୁ ମାଲକାନଗିରିର ଖବର ଶୁଣି ଯାଇଥାନ୍ତି ଅନେକ । ହାଟରେ କେତେଜଣ ଯୁବକ ହଠାତ୍ ଧ୍ଵନି ଦେଲେ–‘‘ପୁଲିସ୍‍ ଜୁଲୁମ ଚଳିବ ନାହିଁ । ଆମେ ୟାର ପ୍ରତିଶୋଧ ନବୁ । ମୃତ କୃଷକମାନଙ୍କ ପରିବାରକୁ କ୍ଷତିପୂରଣ ଦିଅ । ଗୋପାଳ ରାଓକୁ ଖଲାସ କର ।’’

ସେମାନଙ୍କୁ ଘେରି ହାଟକୁ ଆସିଥିବା ଆଉ କେତେଜଣ ଲୋକ ଠିଆ ହୋଇଥାନ୍ତି । ପୁଲିସ୍‍ର ନୃଶଂସ ହତ୍ୟାକାଣ୍ଡ ଏବଂ ମହାଜନ, ସାହୁକାର, ଭାଟିମାଲିକ, ଅମଲା ଓ ଦଲାଲ୍‍ମାନଙ୍କ ଶୋଷଣ ଓ ଅତ୍ୟାଚାର ଆଉ ସହ୍ୟ ନ କରିବା ତଥା ଚାଷୀ ମୂଲିଆ ଖଟିଖିଆ ଏକଜୁଟ ହେବା ପାଇଁ ଯୁବକ ଜଣକ ବକ୍ତୃତା ଦେଇଚାଲିଥାଏ । ମଝିରେ ମଝିରେ ସେମାନେ ତାକୁ ସମର୍ଥନ କରି ‘‘ଇନ୍‌କିଲାବ ଜିନ୍ଦାବାଦ’’ ଧ୍ଵନି ଦେଉଥାନ୍ତି ।

 

ହାଟରୁ କିଛି ପାଚିଲା ଆମ୍ବ, ଜାମୁକୋଳି କିଣିଲେ ଡାକ୍ତର ଚୌଧୁରୀ । ଗୋଟିଏ ବଡ଼ ପଣସ କିଣି ଫ୍ରାନ୍‌ସିସ୍‍କୁ କହିଲେ ପିଲାମାନଙ୍କ ମଧ୍ୟରେ ବାଣ୍ଟି ଦବାପାଇଁ । ବାଘଦାନ୍ତର ହାର ଗୋଟିଏ କିଣିଲେ କରୁଣା । ଦେହ ଲୁଚୁ ନ ଥିବା ଜଣେ ସ୍ତ୍ରୀଲୋକର ଥନ ଚୁଷୁଥିବା ପାଞ୍ଚଛଅ ମାସର ଶିଶୁକୁ ଦେଖି ଅଟକି ଗଲା ଶ୍ରୀୟା । ତା’ପାଇଁ ଗୋଟେ ତନ୍ତ ଶାଢ଼ୀ ଏବଂ ତା ପୁଅ ପାଇଁ ଦୁଇଖଣ୍ଡ ଜାମା କିଣିଦେଲା ଶ୍ରୀୟା । ସ୍ତ୍ରୀ ଲୋକଟିକୁ ଶହେଟଙ୍କା ଦେଇ କହିଲା–“ଦରକାରବେଳେ ଖର୍ଚ୍ଚ କରିବ ।’’

 

ସେମାନେ ଘରକୁ ଫେରିବାବେଳେ କରୁଣା କହିଲେ–‘‘ଚାରିପାଞ୍ଚଜଣ ପୁଲିସ୍‍ ହାଟରେ ବୁଲୁଥିଲେ, କାହିଁ ସେମାନେ ସେଇ ଯୁବକମାନଙ୍କ ମୁକାବିଲା କଲେ ନାହିଁ ?”

 

ଫ୍ରାନ୍‌ସିସ୍‌ କହିଲା–‘‘ମେମ୍ ସାହେବ ! ପୁଲିସ୍‍ର ସାଧ୍ୟ ନାହିଁ ହାଟ ଭିତରେ ସେମାନଙ୍କୁ ଜବତ କରିବା ପାଇଁ । ଲୋକମାନେ ସେମାନଙ୍କ ସପକ୍ଷରେ । ଏମିତି କୌଣସି ମେଳା ମହୋତ୍ସବ ବା ହାଟ ବଜାର ନାହିଁ ଯେଉଁଠି ଲୋକ ଭିଡ଼ ମଧ୍ୟରେ ମୁକ୍ତିଯୋଦ୍ଧା ନ ଥାନ୍ତି । ସେମାନେ ଛାଇପରି ଲୋକମାନଙ୍କ ପାଖେପାଖେ ଥାଆନ୍ତି, ଅନ୍ୟାୟ ଅବିଚାର ଦେଖିଲେ ଝାମ୍ପି ପଡ଼ନ୍ତି । ଏମାନେ ଥିଲେ ବୋଲି ବେପାରୀମାନେ ଅଳପ ମୂଲ୍ୟ ଦେଇ ଫଳମୂଳ କିଣି ନେଇ ପାରିଲେ ନାହିଁ କି ଆଗୁଆ ପଇସା ଦେଇ ଆରପାଳି ଆଦିବାସୀମାନେ ଯାହା ଅବଶିଷ୍ଟ ଆଉ କାହାକୁ ବିକ୍ରୀ ନ କରି କେବଳ ସେମାନଙ୍କୁ ବିକିବା ପାଇଁ ବାଧ୍ୟ କରିପାରିବେ ନାହିଁ ।’’

 

କହିଲେ ଡାକ୍ତରବାବୁ–‘‘ଯଦି ସମବାୟ ସମିତି ଜରିଆରେ ଏମାନଙ୍କ ଜିନିଷସବୁ ଉଚିତ ମୂଲ୍ୟରେ କିଣି ନେଇ ସହର ବଜାରରେ ବିକ୍ରୀ କରିବା ପାଇଁ ସରକାର ବ୍ୟବସ୍ଥା କରନ୍ତେ ତେବେ ଏମାନଙ୍କୁ ଉଚ୍ଛନ୍ନ କରି ବେପାରୀମାନେ ବଡ଼ ଲୋକ ହୁଅନ୍ତେ ନାହିଁ ।

 

ସେମାନେ ଅତିଥିଭବନକୁ ଫେରି ଆସିବାବେଳକୁ ସୂର୍ଯ୍ୟ ମଥା ଉପରେ ।

 

ମଧ୍ୟାହ୍ନଭୋଜନ ସଜା ହୋଇଥିଲା ଟେବୁଲ୍ ଉପରେ । କିନ୍ତୁ ଶ୍ରୀୟାର ଭୋକ ନ ଥିଲା କିଛି ଖାଇବା ପାଇଁ । ଯେଉଁ ତିନିଜଣ ମାଲକାନଗିରିରେ ପୁଲିସ୍‍ ଗୁଳିରେ ନିହତ ହେଲେ ସେମାନଙ୍କ କଥା ଓ ସେମାନଙ୍କ ପରିବାରର କଥା ଭାବୁଥିଲା ସେ ।

 

ମା’ କହିଲେ–‘‘ଯିଏ ବେଆଇନ କାମ କରିବ ତାକୁ ଦଣ୍ଡ ଅବଶ୍ୟ ମିଳିବ । ସେମାନଙ୍କ ପାଇଁ ତୁ ଆଖ୍‌ରୁ ଲୁହ ଗଡ଼ାଇବୁ କାହିଁକି ଯେ....’’

 

କିନ୍ତୁ ଝିଅର ପିଠି ଆଉଁସି ଦେଇ କହିଲେ ଡାକ୍ତର ଚୌଧୁରୀ–‘‘ପର ପାଇଁ କାନ୍ଦି ନ ଶିଖିଲେ କେହି ଜନସେବା କରିପାରେ ନାହିଁ ମା’ । ଉତ୍କଳମଣିଙ୍କ କଥା ମନେ ପକା... ତାଙ୍କ ପରି ଆଉ କିଏ ଅଛି ଯେ... ।’’

 

ଅଠର

 

ବିଶାଖାପାଟଣା ଓ ଆର୍‌କୁରେ ଦଶଦିନ କଟାଇବା ପରେ ସଡ଼କ ପଥରେ ଫେରିବାବେଳେ ପାର୍ବତୀପୁରମ୍‌, ପାରଳାଖେମୁଣ୍ଡି ଓ ଗୁଣୁପୁର ଦେଇ ଫେରିବା ପାଇଁ ଯୋଜନା କରିଥିଲେ ଡାକ୍ତର ଚୌଧୁରୀ । ପାରଳାଖେମୁଣ୍ଡିରେ ରାତିଏ ରାଜାଙ୍କ ଉଆସରେ ଅତିଥି ହେବା ପାଇଁ ନିମନ୍ତ୍ରଣ ଥିଲା । ଗୁଣୁପୁର ବାଟରେ ଆସିବାର ଉଦ୍ଦେଶ୍ୟ କିଛି ଭିନ୍ନ । ଗୁଣୁପୁର ସବ୍‌କଲେକ୍ଟରଙ୍କ ପିତା ଫୋନ୍‍ କରି ଦୀପଙ୍କର ବାବୁଙ୍କୁ ଜଣାଇ ଦେଇଥିଲେ ଯେ ଆଇନ ଶୃଖଳା ପରିସ୍ଥିତି ଖରାପ ଥିବାରୁ ପ୍ରିୟରଞ୍ଜନଙ୍କୁ ଛୁଟି ମିଳିବା ସମ୍ଭବ ନୁହେଁ । ତେଣୁ ଭାଇଜାଗରୁ ଭୁବନେଶ୍ଵର ଫେରିବା ବାଟରେ ଯଦି ପାର୍ବତୀପୁରମ୍‌ରୁ ବାଟ ଭାଙ୍ଗି ସେମାନେ ଗୁଣୁପୁର ଦେଇ ଆସନ୍ତି ତେବେ ପାରଳାରେ ଗୋଟିଏ ରାତି ଏବଂ ଗୁଣୁପୁରରେ ଗୋଟିଏ ରାତି କଟାଇବାପାଇଁ କିଛି ଅସୁବିଧା ହେବ ନାହିଁ । ଦୀପଙ୍କରଠାରୁ ଏଇ ପ୍ରସ୍ତାବ ଶୁଣି ଫେରିବା ପ୍ରୋଗ୍ରାମରେ ପରିବର୍ତ୍ତନ କରିଥିଲେ ଡାକ୍ତର ଚୌଧୁରୀ । କିନ୍ତୁ ତାଙ୍କର ଫେରିବା ସମ୍ପର୍କରେ ସେ ଶ୍ରୀୟାକୁ କିଛି କହି ନ ଥିଲେ ସ୍ତ୍ରୀଙ୍କ ଅନୁରୋଧ ରକ୍ଷା କରିବା ପାଇଁ । କରୁଣା କହିଥିଲେ ଶ୍ରୀୟା କିପରି ଏକ ଜିଦିଆ ତମେ ତ ଜାଣିଛ, ତା’ ବାହାଘର ପ୍ରସ୍ତାବ ଆମ ମନରେ ଅଛି ଜାଣିଲେ ସେ ଆଦୌ ରାଜି ହେବନି ଗୁଣୁପୁର ଯିବା ପାଇଁ । ଏବଂ ଯଦି ସେମାନେ ଗୁଣୁପୁର ନ ଯାଆନ୍ତି ତେବେ ପ୍ରିୟରଞ୍ଜନ ସହିତ ସେମାନଙ୍କର ନିକଟ ଭବିଷ୍ୟତରେ ସାକ୍ଷାତ୍‍ ହେବାର ସମ୍ଭାବନା କମ । ପ୍ରିୟରଞ୍ଜନ ସବ୍‌କଲେକ୍ଟର । ଆଇ.ଏ.ଏସ.ରେ ଭଲ ପୋଜିସନ ରଖିଲା । ପ୍ରସ୍ତାବ ତାଙ୍କ ଆଡ଼ୁ ଆସିଛି ଦୀପଙ୍କର ବାବୁଙ୍କ ଜରିଆରେ । ଦୀପଙ୍କର ବାବୁଙ୍କ ଶଳା ହେଉଛି ପ୍ରିୟରଞ୍ଜନ । ପ୍ରସ୍ତାବଟା ବେଶ୍‌ ମନକୁ ପାଇଥିଲା ସ୍ଵାମୀ ସ୍ତ୍ରୀଙ୍କର । ଭାଇଜାଗ ବୁଲି ଆସିବାଦ୍ଵାରା ଦୀପଙ୍କର ସହିତ ଏଇ ପ୍ରସ୍ତାବ ସମ୍ପର୍କରେ ସ୍ଵାମୀ ସ୍ତ୍ରୀ ସବିଶେଷ ଆଲୋଚନା କରିବା ପାଇଁ ସୁଯୋଗ ପାଇଥିଲେ ।

 

କିନ୍ତୁ ବାଟରେ ବାପାଙ୍କଠାରୁ ଇଚ୍ଛାପୁରମ୍‌ ବାଟରେ ସିଧା ନ ଆସି ପାରଳାଖେମୁଣ୍ଡି, ଗୁଣୁପୁର ବାଟରେ ଫେରିବା ପ୍ରସ୍ତାବ ଶୁଣି ଖୁବ୍‌ ଖୁସି ହୋଇଥିଲା ଶ୍ରୀୟା । ହୁଏତ ଏହାହିଁ ଈଶ୍ଵରଙ୍କ ଇଚ୍ଛା । ଯଦି ହଠାତ୍ କାହିଁ ଦେଖା ହୋଇଯାଏ ଅରବିନ୍ଦ ସହିତ । ସେ ଗୁଣୁପୁର ସେ ଛାଡ଼ି ହୁଏତ ଆଉ କୌଣସି ଜାଗାକୁ ଯାଇ ନ ଥିବ । ପାରଳାଖେମୁଣ୍ଡିରେ ରାତିଏ ରହିଲେ ଆଉ ଗୋଟଏ ନୂଆଜାଗା ବି ଦେଖବାକୁ ପାଇବ । ଗଜପତି ଜିଲ୍ଲା, ଗୁଣୁପୁର ଓ ରାୟଗଡ଼ା ଜିଲ୍ଲାର ଦାରିଦ୍ର୍ୟ ଓ ଅନଗ୍ରସରତା ସେ ଅରବିନ୍ଦ ପାଖରୁ ଶୁଣିଛି । ଯଦି ସୁଯୋଗ ମଳେ ତେବେ ସେ ଏଇ ଅଞ୍ଚଳକୁ ବାଚ୍ଛିନବ ସମାଜ ସେବା କରିବା ପାଇଁ । ଅରବିନ୍ଦ ସହିତ ଆକସ୍ମିକ ଦେଖା ହେବାର ସମ୍ଭାବନା ତା’ ଛାତିର କମ୍ପନ ବଢ଼ାଇ ଦେଲା । ଗାଡ଼ି ଲକ୍ଷ୍ୟ ଅଭିମୁଖେ ଛୁଟିଥିବାବେଳେ ସେ ଶୁଣୁଥିଲା କେଉଁ ଏକ ବିରହୀର ବଂଶୀସ୍ଵର ।

 

ଝିଅକୁ ପ୍ରସନ୍ନ ଥିବା ଦେଖି କହିଲେ କରୁଣା–‘‘ଭାଇଜାଗ ପୂର୍ବ ଉପକୂଳରେ ସବୁଠାରୁ ବଡ଼ ଶିଳ୍ପ କେନ୍ଦ୍ର । ଦୁଇ ଦଶନ୍ଧି ମଧ୍ୟରେ ଏ ସହର ଯେପରି ଯୋଜନାବଦ୍ଧଭାବେ ଗଢ଼ି ଉଠିଛି ତାହା ଆମକୁ ସ୍ମରଣ କରାଇଦିଏ ସେଇ ସମୟ ମଧ୍ୟରେ କିପରି ଆମର ନୂଆ ରାଜଧାନୀ ଗୋଟିଏ ବସ୍ତି ଆବର୍ଜନାର ସହରରେ ପରିଣତ ହୋଇଛି । ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରିବା ପାଇଁ ଭାଇଜାଗ୍‌ରେ ଅଛି ଗଭୀର ସମୁଦ୍ର, ସବୁଜ ଶ୍ୟାମଳ ଅରଣ୍ୟ ଓ ସମୁଦ୍ର କୋଳରେ ବସି ଗେଲ ହେଉଥିବା ଛୋଟ ବଡ଼ ଅନେକ ପାହାଡ଼ । ଶିଳ୍ପନଗରୀଭାବେ ଭାଇଜାଗ ପ୍ରସିଦ୍ଧି ଅର୍ଜନ କରିଛି । ଛୁଟି କଟାଇବାପାଇଁ ପାଖ ଆଖରୁ ଧାଇଁ ଆସୁଛନ୍ତି ପର୍ଯ୍ୟଟକମାନେ... । ପାଖରେ ସୀମାଞ୍ଚଳମ୍‌ ।

 

ଶ୍ରୀୟା ସମ୍ମତ ହେଲା ମା’ ସହିତ । ସେ ଆଲୋଚନାରେ ଯୋଗ ଦେଇ କହିଲା–“ସମୁଦ୍ର ଭିତରକୁ ଜାହାଜରେ ଗଲାବେଳେ ସବ୍‍ମେରିନ୍‍ଗୁଡ଼ାକୁ ଦେଖିବି ବୋଲି ମୁଁ ଆଦୌ ଭାବି ନ ଥିଲି । ଦୀପଙ୍କର ମଉସାଙ୍କ ସାହାଯ୍ୟରୁ ଏସବୁ ସମ୍ଭବ ହେଲା । ବହିରେ ପଢ଼ିଥିଲି ଯେ ପାକିସ୍ଥାନ ସହିତ ବଙ୍ଗଳାଦେଶ ମୁକ୍ତି ସଂଗ୍ରାମବେଳେ ଇଣ୍ଡିଆନ ନେଭିର ଇଷ୍ଟ୍‍ଜୋନ କମାଣ୍ଡ ଏଇ ଭାଇଜାଗରୁ ଯୋଜନା କରିଥିଲେ, ଦରକାର ହେଲେ ଚିଟାଗଙ୍ଗ ଦଖଲ କରିବା ପାଇଁ... । ଭାଇଜାଗ୍‌ର ସବ୍‌ମେରିନ ଘାଟିର ତୁଳନା ନାହିଁ । ଏଇ କ୍ଷମତାଶାଳୀ ବୁଡ଼ାଜାହାଜଗୁଡ଼ା ଢିଙ୍କିଆ କୁମ୍ଭୀର ପରି ସମୁଦ୍ର କୂଳରେ ପଡ଼ିଥିବା ଦେଖି ମୁଁ ପ୍ରଥମେ ବିଶ୍ୱାସ କରି ନ ଥିଲି... ।’’

 

କିନ୍ତୁ ସେମାନଙ୍କୁ କବି ସମ୍ମିଳନୀରେ ଓଡ଼ିଆମାନେ ଦେଇଥିବା ସାନ୍ନିଧ୍ୟ ମନେରହିବ ଅନେକ ଦିନ । ପ୍ରବାସୀ ଓଡ଼ିଆ ସାହିତ୍ୟ ସଭାର ବାର୍ଷିକ ଉତ୍ସବକୁ ସେମାନଙ୍କୁ ଆମନ୍ତ୍ରଣ କରିଥିଲେ ଦୀପଙ୍କର ବାବୁଙ୍କ ସହଧର୍ମିଣୀ ସଂଗୀତା ପଟ୍ଟନାୟକ । ସାହିତ୍ୟ ସଭାର ସମ୍ପାଦିକାଭାବେ ସଙ୍ଗୀତା ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ପ୍ରସାର ପାଇଁ ଅନେକ କାମ କରିଥିଲେ ସେଠାରେ । ସେମାନଙ୍କୁ ଯେତେବେଳେ ସଙ୍ଗୀତା ନିୟନ୍ତ୍ରଣ କଲେ ସରୋଜ ଚୌଧୁରୀ କହିଲେ କବିମାନଙ୍କ ସଭାରେ ମୋ ପରି ଅକବି କରିବ କ’ଣ ? କିନ୍ତୁ ତାଙ୍କୁ ଅବାକ୍‌ କରିବା ପାଇଁ କହିଥିଲେ ସଙ୍ଗୀତା–‘‘ଜଣେ ନବାଗତାଙ୍କ କବିତା ଶୁଣିବେ ଆପଣ... ।’’

 

ଡାକ୍ତର ଚୌଧୁରୀ ଜାଣିବାକୁ ଚାହିଁଥିଲେ ସେଇ ନବାଗତାଙ୍କ ସମ୍ପର୍କରେ । କିନ୍ତୁ ଯେତେବେଳେ ସଙ୍ଗୀତା ଦେବୀ ଶ୍ରୀୟା ଆଡ଼କୁ ମୁଗ୍‍ଧ ଦୃଷ୍ଟିରେ ଚାହିଁ କହିଥିଲେ–‘‘ଆପଣଙ୍କ ଝିଅର କବିତା କେବେ ଶୁଣିଛନ୍ତି ଡାକ୍ତର ? ସେତେବେଳେ କରୁଣା ଓ ସରୋଜ ଉଭୟେ ଅବାକ୍‌ ବିସ୍ମୟରେ ଚାହିଁଥିଲେ ଶ୍ରୀୟା ମୁହଁକୁ । ଶ୍ରୀୟା କହିଲା–‘‘ମାଉସୀ, ଆପଣ ଏକଥା ଏଇନେ ନ କହି ସଭାରେ କହିଥିଲେ ବାପା ମା’ ଚମକି ଥାଆନ୍ତେ ଆହୁରି ବେଶୀ ।’’

 

ସଙ୍ଗୀତା କହିଥିଲେ–‘‘ସଭାରେ କହିଥିଲେ ତୋ ବାପା ମା’ ଭାବିଥାନ୍ତେ.....ସେମାନେ ଝିଅର ପ୍ରତିଭା ଜାଣିବା ପୂର୍ବରୁ ମୁଁ କିପରି ଆବିଷ୍କାର କଲି ବୋଲି...’’

 

ମନେପଡ଼ୁଥାଏ ଦଶଦିନ ଅବସରରେ ମଧୁର ସ୍ମୃତି । ଦୀପଙ୍କର ଆଉ ସଙ୍ଗୀତା ଏବଂ ସେମାନଙ୍କ ପିଲାମାନଙ୍କ ଶ୍ରଦ୍ଧା ସମ୍ମାନ । ସରୋଜ ମନକୁ ମନ କହିଲେ ଜୀବନଟା ସାରା କେବଳ ମଣିଷର ଶିରାପ୍ରଶିରା, ସ୍ନାୟୁ, ହୃତ୍‌ପିଣ୍ଡ, ଫୁସ୍‌ଫୁସ୍‌ର ଗତିବିଧି ଜାଣିବା ପାଇଁ ସେ ଖର୍ଚ୍ଚ କରି ଦେଲେ, କିନ୍ତୁ ମଣିଷର ରକ୍ତ ପ୍ରବାହରେ ପ୍ରୀତି ଓ ମୈତ୍ରୀର ଫଲ୍‍ଗୁଧାରାକୁ ଚିହ୍ନିବା ପାଇଁ ସେ କେବେ ଚେଷ୍ଟାକରି ନାହାଁନ୍ତି । ଈଶ୍ଵରଙ୍କ ଏଇ ବିପୁଳ ମହାନ୍‌ ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ମଣିଷ ଏବେବି ତାଙ୍କ ପାଖରେ ପୃଥୁବୀର ସବୁଠାରୁ ବଡ଼ ରହସ୍ୟ... ଏବଂ ମଣିଷ ମନର କ୍ରିୟାକୁ ସୃଷ୍ଟିକର୍ତ୍ତାଙ୍କ ବିନା ଆଉ କାହାର ସାଧ୍ୟ ନାହିଁ ଜାଣିବା ପାଇଁ ।

 

ଗାଡ଼ି ଚାଲୁଥାଏ ତୀର ବେଗରେ । ଦୁଇ ପାଖରେ ସାରି ସାରି ତାଳଗଛ, କାଜୁଗଛ, ଆମ୍ବ, ବର, ଶାଳ, ଅଶ୍ଵତ୍‌ଥ ଗଛ । ଦୁଇ ପାଖରେ ଲଙ୍ଗଳ ଲାଗିଥିବା ଚାଷ ଜମି । ବର୍ଷା ଆସିବା ପୂର୍ବରୁ ଧାନଗଛମାନେ ମୁଣ୍ଡ ଟେକିଥି‌ବେ ମେଘକୁ ଆବାହାନ କରିବା ପାଇଁ । ଶୁଖି ଆସୁଥିବା ତୃଷିତ ଧରିତ୍ରୀର ଛାତିଚିରି ରସ ଶୋଷୁଥିବା ଦୁର୍ବାଦଳମାନଙ୍କର ସ୍ପର୍ଦ୍ଧା ଦେଖି ଖୁସି ହେଉଥାଏ ଶ୍ରୀୟା ଏବଂ ମନକୁ ମନ କହୁଥାଏ ସେ ଦୁର୍ବାଦଳର ସୌଷ୍ଠବ, ସହ୍ୟଶକ୍ତି ଏବଂ ପ୍ରାଣଶକ୍ତି ପାଇଥାନ୍ତା କି !

 

ପାର୍ବତୀପୁରମ୍‌ରେ ଗିଲାସେ ଗିଲାସେ ଘୋଳଦହି ପିଇଲେ ସେମାନେ । କିଣିନେଲେ ପାର୍ବତୀରପୁରମ୍‌ର ଖୁଆପେଡ଼ା । ଓଡ଼ିଶା ସୀମାନ୍ତରେ ଏଇ ସହରର ଅଧେ ଲୋକ ଓଡ଼ିଆ ଅଧେ ତେଲୁଗୁ । ପ୍ରାୟ ସମସ୍ତେ ଦୋଭାଷୀ । ଭାଷା, ବିବାଦର କାରଣ ହୋଇନାହିଁ, ବରଂ ତାହାଦ୍ଵାରା ସଂହତି ଓ ସମନ୍ଵୟର ଧାରା ଦୃଢ଼ ହୋଇଛି ।

 

ପାରଳାଖେମୁଣ୍ଡି ରାଜନଅରରେ ପହଞ୍ଚିବାବେଳକୁ ସାଢ଼େ ବାରଟା ବାଜି ଯାଇଥିଲା । ରାଜ ପରିବାର ପକ୍ଷରୁ ସେମାନଙ୍କୁ ରାଜଦରବାରରେ ସ୍ଵାଗତ କରାଗଲା । ଡାକ୍ତର ଚୌଧୁରୀଙ୍କର ପିତାଙ୍କ ସହିତ ପୂର୍ବତନ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଘନିଷ୍ଠ ବନ୍ଧୁତ୍ଵ ଥିଲା । ସେଇ ସୂତ୍ରରେ ଏବେବି ଦୁଇ ପରିବାର ମଧ୍ୟରେ ନିବିଡ଼ ବନ୍ଧୁତ୍ୱ ରହିଛି । ନଅରରେ ରାଜକୀୟ ଠାଣିରେ ମଧ୍ୟାହ୍ନ ଭୋଜନ ସମାପ୍ତ କରି ଦୁଇଘଣ୍ଟା ବିଶ୍ରାମ ନବା ପରେ ସେମାନେ ପାରଳାର ରାଜପ୍ରାସାଦ, ଐତିହାସିକ ସ୍ଥାନ ଓ ସହର ବୁଲି ଦେଖି‌ଲେ । ସିଙ୍ଗପାନିଆ ଓ ସିଙ୍ଗ ଖେଳଣା ପାଇଁ ପାରଳାଖେମୁଣ୍ଡି ବିଖ୍ୟାତ । ଆହୁରି ସେମାନେ ଜାଣି ଖୁସି ହେଲେ ଯେ ଏଇଠାରେ ମହାରାଜାଙ୍କ ପୃଷ୍ଠପୋଷକତାରେ ଗଢ଼ିଉଠିଥିଲା ପ୍ରଥମ ରଙ୍ଗମଞ୍ଚ । ରାତ୍ରି ଯାପନ ପରେ ସକାଳେ ପ୍ରାତଃଭୋଜନ ସାରି ସେମାନେ ବାହାରିଗଲେ ଗୁଣୁପୁର ଅଭିମୁଖେ । ଯିବା ପୂର୍ବରୁ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ଗଠନରେ ପ୍ରମୁଖ ଆଖ୍ୟା ଗ୍ରହଣ କରିଥିବା ପ୍ରାତଃ ସ୍ମରଣରେ ମହାରାଜା କୃଷ୍ଣ ଚନ୍ଦ୍ରଗଜପତିଙ୍କ ପ୍ରତିମୂର୍ତ୍ତି ଆଗରେ ନତ ମସ୍ତକ ହୋଇ ଛିଡ଼ା ହେଲେ ସମସ୍ତେ । ମଧୁବାବୁ ଯେଉଁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ସମୟ ପାଇ ନ ଥିଲେ ଗଜପତି ମହାରାଜା ସେଇ କାମ ସମ୍ପୂର୍ଣ୍ଣ କରିବାଦ୍ଵାରା ଅମର ହୋଇ ରହିଗଲେ ଇତିହାସ ପୃଷ୍ଠାରେ । ରାଜତ୍ୱ ଚାଲିଗଲାଣି, ରାଜାମାନେ ମଧ୍ୟ ଇତିହାସ ସହିତ ଚରିତ୍ର ହୋଇଗଲେଣି, କିନ୍ତୁ କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ଵଦେଶ ପ୍ରୀତି ଓ ତ୍ୟାଗ ଏ ଯାଏ ଲୋକମୁଖରେ ଉଚ୍ଚାରିତ ହେଉଛି । ପାରଳାଖେମୁଣ୍ଡି ଛାଡ଼ିବା ପୂର୍ବରୁ ପ୍ରଖ୍ୟାତ ଗବେଷକ, ଇତିହାସକାର ଓ ପଣ୍ଡିତ ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁଙ୍କ ବାସସ୍ଥାନ ମଧ୍ୟ ବୁଲି ଆସିଲେ ।

 

ଗୁଣୁପୁର ଯିବା ବାଟରେ ରାସ୍ତା ଦୁଇ ପାଖରେ ଥିବା ଆଦିବାସୀ ଗ୍ରାମ ଦୃଷ୍ଟିରେ ପଡ଼ିଲା ସେମାନଙ୍କର । ବର୍ଷା ପାଇଁ ଅପେକ୍ଷା କରିଥାନ୍ତି ଚାଷୀମାନେ । ଗହୀର ଭୂଇଁରେ ଠାଏ ଠାଏ ନୂଆ ଧାନଗଛ ଉଠିଥିବା ଦେଖି ଖୁସି ହେଲେ ଡାକ୍ତର । କିନ୍ତୁ ରାସ୍ତାକଡ଼ରେ ଖେଳୁଥିବା ଅଧିକାଂଶ ପିଲାଙ୍କ ଦେହରେ ଲୁଗାଜାମା କିଛି ନ ଥିଲା । ସେଇ ନଙ୍ଗଳା, ନୁଖୁରା ଶିଶୁମାନଙ୍କ ସ୍ଵାସ୍ଥ୍ୟ ବି ଆକର୍ଷଣୀୟ ନ ଥିଲା । ପୁଷ୍ଟିକର ଖାଦ୍ୟ ଅଭାବରୁ ସେମାନଙ୍କ ଆଖିର ଜ୍ୟୋତି, ଦେହର ଲାବଣ୍ୟ ମଇଳା ଦିଶୁଥିଲା ।

 

ଗୁଣୁପୁର ଆଇ.ବି.ରେ ସେମାନଙ୍କୁ ସ୍ଵାଗତ କରିବା ପାଇଁ ଅପେକ୍ଷା କରୁଥିଲେ ସବ୍‌କଲେକ୍ଟର ପ୍ରିୟରଞ୍ଜନ ମହାନ୍ତି । ଦୀପଙ୍କର ବାବୁ ତାଙ୍କୁ ପୂର୍ବରୁ ଖବର ଦେଇଥିଲେ । କେବଳ ଶ୍ରୀୟାକୁ ସେମାନଙ୍କ ଗସ୍ତର ଉଦ୍ଦେଶ୍ୟ ସମ୍ପର୍କରେ କିଛି କୁହା ଯାଇ ନ ଥିଲା । ବରଂ ପାରଳାଖେମୁଣ୍ଡି ଛାଡ଼ିବା ପୂର୍ବରୁ ତାକୁ କୁହାଯାଇଥିଲା ଯେ ଦୀପଙ୍କର ବାବୁ ଏବଂ ତାଙ୍କ ସମଧର୍ମଣୀ ସଙ୍ଗୀତା ଦେବୀଙ୍କ ଅନୁରୋଧ ରକ୍ଷା କରି ସେମାନେ ଗୁଣୁପୁର ବାଟ ଦେଇ ବ୍ରହ୍ମପୁର ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଗୁଣୁପୁର ଅଞ୍ଚଳରେ ଶିଶୁ ମୃତ୍ୟୁ ଅନେକ ବେଶୀ । ପ୍ରସୂତୀମାନଙ୍କ ମଧ୍ୟରୁ ଅନେକ ସନ୍ତାନ ଜନ୍ମ କରିବା ପରେ ମୃତ୍ୟୁ ମୁହଁରେ ପଡ଼ିଥାନ୍ତି । ଆଦିବାସୀ ଓ ଗରିବ ଲୋଙ୍କ ମଧ୍ୟରେ ସ୍ଵାସ୍ଥ୍ୟସଚେତନତା ନାହିଁ । କେତେକ ସ୍ଵେଚ୍ଛାସେବୀ ସଙ୍ଗଠନ ସେ ଅଞ୍ଚଳରେ ଆଦିବାସୀମାନଙ୍କ ମଧ୍ୟରେ ସେବା କାର୍ଯ୍ୟ କରୁଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ପଣା ପରି । ରାଜ୍ୟବାହାରରୁ ଏପରିକି ଦେଶ ବାହାରୁ କେତେକ ମିଶନାରୀ ସ୍ଵାସ୍ଥ୍ୟ ଓ ଶିକ୍ଷା ସେବାର ଉନ୍ନତି କରିବା ପାଇଁ ଆଗ୍ରହ ପ୍ରକାଶ କରୁଥିବାରୁ ଡାକ୍ତର ଚୌଧୁରୀଙ୍କ ସହିତ ପ୍ରିୟରଞ୍ଜନ ଏ ବିଷୟରେ ଆଲୋଚନା କରିବା ପାଇଁ ସୁଯୋଗ ପାଇବେ । ଗୁଣୁପୁର ଆସିବାର ଉଦ୍ଦେଶ୍ୟ ଶ୍ରୀୟାକୁ ମଧ୍ୟ ଉତ୍ସାହିତ କରୁଥିଲା । ସେ ବି ବାସ୍ତବସ୍ଥିତି ସମ୍ପର୍କରେ କିଛି ଜାଣିବ ଏବଂ ଅରବିନ୍ଦ ସହିତ ଦେଖା ନ ହେଲେ ମଧ୍ୟ ତା’ର କାର୍ଯ୍ୟ ସମ୍ପର୍କରେ କିଛି ଖବର ସଂଗ୍ରହ କରିପାରିବ ।

 

ସେମାନଙ୍କର ଗାଡ଼ି ଡାକବଙ୍ଗଳାର ଫାଟକ ପାଖରେ ପହଞ୍ଚିବାକ୍ଷଣି ଫାଟକ ଖୋଲିଦେଇ ସଲାମ୍‍ ଠୁଙ୍କିଲା ଆଇ.ବି. ଦାୟିତ୍ୱରେ ଥିବା କେଆର୍ ଟେକର୍ । ଗାଡ଼ିର ଦରଜା ଖୋଲିଦେଇ ସେମାନଙ୍କୁ ସ୍ଵାଗତ କରି କହିଲା ପ୍ରିୟରଞ୍ଜନ–“ଶୁଭ ଦିନ ସାର୍‌.. ମୁଁ ପ୍ରିୟରଞ୍ଜନ ମହାନ୍ତି..ଅପା ଫୋନ୍‍ କରିଥିଲା ଆପଣ ଆସି ପହଞ୍ଚିବା ପୂର୍ବରୁ... ’’

 

କରୁଣାଙ୍କୁ ପ୍ରଥମେ ପରିଚୟ କରାଇ ଦେଇ ତାପରେ କହିଲେ ଡାକ୍ତର–‘‘ଶ୍ରୀୟା ... ମୋ ଝିଅ... ’’

 

ନମସ୍କାର ବିନିମୟ କଲେ ପ୍ରିୟରଞ୍ଜନ ଓ ଶ୍ରୀୟା ।

 

ଡାକ୍ତର ଚୌଧୁରୀ ଆହୁରି ବି କହିଲେ ଯେ ଶ୍ରୀୟା ଜେ.ଏନ୍.ୟୁ.ରୁ ଏ ବର୍ଷ ପ୍ରଥମ ଶ୍ରେଣୀରେ ଏମ.ଏ. ପାସ୍‌ କରିଛି ସୋସିଓଲୋଜିରେ... ।

 

‘‘କଙ୍ଗ୍ରାଟ୍‌ସ୍‌ ଅଦ୍ଭୁତ ସଂଯୋଗ... ମୁଁ ମଧ୍ୟ ଜେ.ଏନ.ୟୁ.ର ପୂର୍ବତନ ଛାତ୍ର । ଇକୋନୋମିକ୍ସରେ ଏମ୍‌.ଏ. କରିଥିଲି ସେଠାରୁ... ।’’

 

କରୁଣା କହିଲେ–“ତୁମେ ଦୁହେଁ ଗଳ୍ପ କରୁଥାଅ... ଆମେ ବରଂ ଶୀଘ୍ର ଫ୍ରେସ୍‌ ହୋଇ ଆସୁ ... ତାପରେ ଏକତ୍ର ମଧ୍ୟାହ୍ନ ଭୋଜନ କରିବା ।’’ ସ୍ଵାମୀ ସ୍ତ୍ରୀ ଆଇ.ବି. ଭିତରକୁ ଚାଲିଗଲା ପରେ ପ୍ରିୟରଞ୍ଜନ କହିଲେ–“ମୁଁ ଜେ.ଏନ.ୟୁ.ରୁ ଆସି ବର୍ଷେ ରେଭେନ୍ସାରେ ଅଧ୍ୟାପକ ଥିଲି । ତାପରେ ସିଭିଲ ସର୍ଭିସରେ ପଶିଲି.. ।’’
 

–‘‘କିମିତି ଲାଗୁଛି ଚାକିରୀ ? ମଷ୍ଟ୍ ବି ଏକ୍ସାଇଟିଂ...’’ ପଚାରିଲା ଶ୍ରୀୟା ।

 

–‘‘ଖରାପ ଲାଗୁନି.. କିନ୍ତୁ ସତ କହିଲେ ଏହା ନିଶ୍ଚୟ କହିବି ଯେ ସିଭିଲ ସର୍ଭିସ୍‌ର ଔପଚାରିକତା ଓ ଅମଲାତାନ୍ତ୍ରିକ ବିଧି‌ବିଧାନ ମଧ୍ୟରେ କିଛି ନୂଆ କାମ କରିବା ସହଜ ନୁହେଁ.... ଆମର ପ୍ରଭୁମାନେ ହେଲେ ରାଜନେତା ସେମାନଙ୍କ ପସନ୍ଦ ମୁତାବକ କାମ ନ କଲେ ଅସୁବିଧା...’’ କହିଲା ପ୍ରିୟରଞ୍ଜନ ।

 

–‘‘ସିଷ୍ଟମ୍‌ଟା ଗଢ଼ି ଉଠିଚି ସେଇପରି । କିଛି ଇନିସିଏଟିଭ୍‌ ନବାର ସୁଯୋଗ କମ୍‌ ଥାଏ ସରକାରୀ ଚାକିରୀରେ...ଏହା ଆପଣଙ୍କୁ ବିବ୍ରତ କରୁନି ?’’ କହିଲା ଶ୍ରୀୟା ।

 

–‘‘କରୁଛି । କିନ୍ତୁ ନାଚାର । କ୍ୟାରିଅର ବାଛି ନବାପରେ ଆଉ ସହଜରେ ବଦଳ କରି ହୁଏ ନାହିଁ । ଆମ ଦେଶରେ ସେପରି ଫ୍ଲେକ୍ସିବିଲିଟି ନାହିଁ । ନ ହେଲେ ମୁଁ କୋଉଦିନୁ ଏଇ ଚାକିରୀ ଛାଡ଼ି ଓ୍ୱାର୍ଲଡ଼ ବ୍ୟାଙ୍କ ବା ଇଣ୍ଟରନ୍ୟାସନାଲ ମନିଟାରିଫଣ୍ଡରେ ଯୋଗ ଦେଇଥାନ୍ତି ।’’

 

–‘‘ଦୁଃଖ ଲାଗୁନି... ?’’ ପଚାରିଲା ଶ୍ରୀୟା ।

 

–‘‘ଠିକ୍‌ ଦୁଃଖ ନୁହେଁ, ବେଳେବେଳେ ଗତାନୁଗତିକତାକୁ ଜଗି କାମ କରିବାକୁ ପଡ଼ୁଥିବାରୁ ବିରକ୍ତ ଲାଗୁଛି । ନୂଆକିଛି କରିବା ପାଇଁ ଚାହିଁଲେ ଉପରିସ୍ଥ ବାଧା ଦେଉଛନ୍ତି । ରାଜନେତାମାନେ କ’ଣ କଲେ ଲୋକଙ୍କ ଉପକାର ହେବ ତାହା କରନ୍ତି ନାହିଁ, ସେମାନେ ଚିନ୍ତିତ କିପରି ସେମାନଙ୍କ ଚେଲାଚାମୁଣ୍ଡା ଉପକୃତ ହେବେ । ଫଳରେ ଦରିଦ୍ରଙ୍କ ପାଇଁ ଯେଉଁ କାମ ହେବା କଥା ସେମାନଙ୍କ ପାଇଁ ତାହା ନ କରି କ’ଣ କଲେ ମନ୍ତ୍ରୀ ବିଧାୟକଙ୍କ ସମର୍ଥକମାନେ ତୃପ୍ତ ହେବେ ସେଇ କାମଟି ଗୁରୁତ୍ୱ ପାଏ ।’’

 

ପ୍ରିୟରଞ୍ଜନର ତୁଣ୍ଡରୁ କଥା ସରି ନ ଥିଲା, କହିଲା ଶ୍ରୀୟା–‘‘ପ୍ରତିବାଦ ନ କରି କେବଳ ଆଦେଶ ଗ୍ରହଣ କରନ୍ତି ଆପଣ ?’’

 

–‘‘ବେଳେବେଳେ ସେପରି କରିବାକୁ ହୁଏ । ବେଳେବେଳେ ସେକ୍ରେଟାରୀ ବା କମିଶନରଙ୍କୁ କହି ମନ୍ତ୍ରୀଙ୍କୁ ପ୍ରବର୍ତ୍ତାଇବା ସକାଶେ ଚେଷ୍ଟା ହୁଏ ବାଟ ଭାଙ୍ଗି ନୂଆ ଢଙ୍ଗରେ କାମ କରିବା ପାଇଁ.. ।’’

 

ସେମାନଙ୍କ କଥା ଶେଷ ହୋଇ ନ ଥାଏ, ଭିତରୁ ଡାକ୍ତର ସରୋଜ ଚୌଧୁରୀ ବାହାରି ଆସିଲେ କରୁଣାଙ୍କ ସହିତ ।

 

ଚାରିଜଣ ବସିଲେ ଗୋଲଟେବୁଲ ଚାରିପାଖରେ । ମଧ୍ୟାହ୍ନଭୋଜନ ପ୍ରସ୍ତୁତ ହୋଇ ସାରିଥିଲା । ସେମାନେ ଟେବୁଲରେ ମୁହାମୁହିଁ ବସିବାପରେ ସୁପ୍‌ ପରଶିଲା ପୂଝାରୀ ।

 

ଦ୍ୱିତୀୟ କୋର୍ସରେ ପ୍ରନ୍‌ କଟଲେଟ ଓ ବଏଲ୍ଡ ଭେଜିଟେବୁଲ । ଚିଙ୍ଗୁଡ଼ି କଟଲେଟରୁ ଖଣ୍ଡେ ପାଟିରେ ପୂରାଇ କହିଲେ ଡାକ୍ତର–‘‘ତୁମ ଇଲାକାରେ ଶିଶୁ ମୃତ୍ୟୁ ବେଶୀ । ପୁଷ୍ଟିକର ଖାଦ୍ୟ ନ ପାଇ ପ୍ରସୂତିମାନେ ଠେଲିହୋଇ ଯାଉଛନ୍ତି ମରଣ ମୁହଁକୁ । ତମର କିଛି ସଜେସନ୍ ଅଛି କି ?’’

 

–‘‘ଲୋକମାନେ ଅଧିକାଂଶ ନିରକ୍ଷର, ଅଜ୍ଞ ଏବଂ ଗରିବ । ଦାରିଦ୍ର୍ୟର ସୀମାରେଖା ତଳେ ଷାଠିଏ ଭାଗ ଲୋକ ଗୁଣୁପୁର ସବ୍‌ଡିଭିଜନରେ । କାମ ଧନ୍ଦା ନାହିଁ । ଉପାର୍ଜନ ନାହିଁ । ଦୁଇବେଳା ଭୋଜନ ମିଳେନା ଏମାନକୁ... ।’’ କହିଲା ପ୍ରିୟରଞ୍ଜନ ।

 

ପଚାରି ଦେଲେ କରୁଣା–‘‘ସରକାର ଗରିବମାନଙ୍କୁ ରିହାତି ମୂଲ୍ୟରେ ଚାଉଳ ଦିଅନ୍ତି...’’

 

–‘‘ସତ । କିଛୁ ତାହା ଠିକ୍‌ ସମୟରେ ଲୋକଙ୍କ ପାଖରେ ପହଞ୍ଚେ ନାହିଁ । ରିହାତି ମୂଲ୍ୟରେ ମଧ୍ୟ ଚାଉଳ କିଣିବା ପାଇଁ ପଇସା ନାହିଁ ଏମାନଙ୍କର । ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନାହିଁ କି ଔଷଧ ନାହିଁ... ଗୁଣୁପୁର ହାସ୍‌ପାତାଳରେ ସର୍ଜନ ନାହାନ୍ତି ବରଷେ ହେବ । ଦୁଇଟା ପୋଷ୍ଟ ଖାଲି ପଡ଼ିଛି । ଇମରଜେନ୍ସିରେ ବ୍ରହ୍ମପୁରରୁ ଡାକ୍ତର ଆଣିବାକୁ ହୁଏ ବା ରୋଗୀକୁ ବ୍ରହ୍ମପୁର ପଠାଇବାକୁ ହୁଏ... କିନ୍ତୁ ଆମ୍ବୁଲାନ୍ସ ଅଚଳ ହୋଇପଡ଼ିଛି ଛଅମାସ ହେଲା । ସ୍ଵାସ୍ଥ୍ୟ ବିଭାଗ ଟଙ୍କା ମଞ୍ଜୁର କରି ନାହାନ୍ତି ମରାମତି ପାଇଁ ।’’

 

ଡାକ୍ତର କହିଲେ–‘‘ଓଡ଼ିଶାର ସବୁ ଜିଲ୍ଲାର ଚିତ୍ର ଏକାପରି.... ।’’

ଶ୍ରୀୟ କହିଲା–‘‘ଏନ୍‌.ଜି.ଓ.ମାନଙ୍କ ସାହାଯ୍ୟ ନିଆଯାଇପାରେ... ।’’

 

–‘‘ନିଆଯାଉଛି; କିନ୍ତୁ ସେମାନେ ତ ଡାକ୍ତର ଯେଗାଇ ଦେଇପାରିବେ ନାହିଁ । ସେମାନେ ସ୍ଵାସ୍ଥ୍ୟ ସଚେତନତା ସମ୍ପର୍କରେ ଲୋକମାନଙ୍କୁ ବୁଝାନ୍ତି... ମଲ୍ଟିଭିଟାମିନ୍‌ ଟେବଲେଟ୍, ଶିଶୁ ଖାଦ୍ୟ ମଧ୍ୟ ବିତରଣ କରନ୍ତି । କିନ୍ତୁ ସମସ୍ୟାକୁ ଚାହିଁ ଏହା ସମୁଦ୍ରକୁ ଶଙ୍ଖେ ପଣା ପରି ।’’

 

ଡାକ୍ତର ଚୌଧୁରୀ ଏତିକିବେଳେ କହିଲେ–‘‘ସରକାରୀ କଳ କାମ କରୁନି, ସମାଜ ବ୍ୟବସ୍ଥା ବି ଗରିବକୁ ସାହାଯ୍ୟ କରୁନାହିଁ; ବରଂ ସେମାନଙ୍କୁ ଶୋଷଣ କରୁଥିବା ସାହୁକାର, ମହାଜନ, ଅମଲା ଅଫିସରମାନଙ୍କୁ ହାତକରି ରାଜନେତାମାନେ ଲୋକମାନଙ୍କ ପାଇଁ ଆସିଥିବା ସାହାଯ୍ୟରୁ କିଛି ବାଟମାରଣା କରନ୍ତି । ଫଳରେ ହାତାଶା ଭିତରୁ ମୁକ୍ତି ପାଇବା ପାଇଁ ଜନ୍ମ ନେଇଛି ନକ୍ସଲବାଦ... ’’

 

–‘‘ସେମାନେ ମୋ ଇଲାକାରେ ବେଶ୍‌ ସକ୍ରିୟ... କିନ୍ତୁ ସମ୍ଭ୍ରାନ୍ତମାନେ ଯେପରି ଭାବନ୍ତି ସବୁ ନକ୍ସଲବାଦୀ ସେପରି ନୁହଁନ୍ତି–ସେମାନଙ୍କ ମଧ୍ୟରୁ ଅଳ୍ପ କିଛି ଳୋକ ହିଂସାକାଣ୍ଡରେ ଲିପ୍ତ... ଏପରିକି ବାଧ୍ୟକରି ଲୋକଙ୍କଠାରୁ ଚାନ୍ଦାଭେଦା ବି ଆଦାୟ କରନ୍ତି । କିନ୍ତୁ ଅନ୍ୟମାନେ ସମର୍ପିତ କର୍ମୀ । ସେମାନଙ୍କ ମଧ୍ୟରୁ ଅନେକ ଉଚ୍ଚଶିକ୍ଷିତ-ଗ୍ରାଜୁଏଟ, ଇଞ୍ଜିନିଅର, ଓକିଲ ବା ଏମ୍‌.ସି,ଏ...”

 

ଛାତିତଳେ ଅତଡ଼ା ଖସିଲା ଶ୍ରୀୟାର । କିନ୍ତୁ ସାହସ କରି ପଚାରି ପାରିଲାନାହିଁ ଅରବିନ୍ଦ ମିଶ୍ରର ଠିକଣା ବା ତା’ ସମ୍ବନ୍ଧରେ ସେ କିଛି ଜାଣନ୍ତି କି ନାହିଁ । କିନ୍ତୁ ଶୁଣି ଖୁସି ହେଲା ଯେ ନକ୍ସଲମାନେ ନିଷ୍ଠାବାନ୍... ଗୋଟାଏ ଆଦର୍ଶ ପଛରେ ଧାଆଁନ୍ତି.... ସମାଜରୁ ଶୋଷଣ, ନିର୍ଯ୍ୟାତନା, ଅବିଚାର ନିର୍ମୂଳ କରି ସାମ୍ୟବାଦୀ ସମାଜ ସ୍ଥାପନ କରିବା ପାଇଁ କାର୍ଯ୍ୟ କରନ୍ତି । ସେମାନଙ୍କର ସ୍ଵପ୍ନ କେବେ ସାକାର ହେବ ସେମାନେ ନିର୍ଦ୍ଦିଷ୍ଟ କରି କହିପାରିବେ ନାହିଁ ବା ସରକାର ମଧ୍ୟ କହିପାରିବେ ନାହିଁ କେବେ ସାଧାରଣ ଲୋକ କ୍ଷୁଧା, ଅନ୍ୟାୟ ଓ ଅସହାୟତା ଭିତରୁ ମୁକ୍ତି ପାଇବେ । ସ୍ଵପ୍ନ ସ୍ଵପ୍ନରେହିଁ ରହିଯାଉଛି, ଅନ୍ୟାୟ ଓ ଅସହାୟତା ଭିତରୁ ମୁକ୍ତି ପାଇବା ଆକାଶ କୁସୁମ ହୋଇ ରହିଛି । ସ୍ଵପ୍ନ ସାକାର ହେବା ପୂର୍ବରୁ ନାଗଭୂଷଣ ପଟ୍ଟନାୟକ ଇହଲୀଳା ଶେଷ କରି ଚାଲିଗଲେ । କିନ୍ତୁ ବିପ୍ଳବର ଯଦି ମୃତ୍ୟୁ ନାହିଁ ତେବେ ସେମାନଙ୍କର ଆଦର୍ଶର ମଧ୍ୟ ମୃତ୍ୟୁ ହେବନି କେବେ... । ମନକୁ ମନ କହିଲା ଶ୍ରୀୟା ।

 

ଚାରିଟାବେଳେ ସହର, ବଂଶଧାରା ନଦୀକୂଳ ଏବଂ ସହରପାଖରେ ଗୋଟିଏ ଗାଁକୁ ବୁଲିଗଲେ ସେମାନେ । ସଂଧ୍ୟାବେଳେ ଚା’ ପାନ ପରେ ଲନ୍‌ରେ ବସିଲେ ସମସ୍ତେ । ସଂଧ୍ୟା ନଇଁ ଆସୁଥିଲା । ତାରାମାନେ ଆବିର୍ଭୂତ ହେଉଥିଲେ ଆକାଶରେ ।

 

ଧ୍ରୁବତାରାଆଡ଼କୁ ଅନାଇଲା ଶ୍ରୀୟା । ସେ ମନେ ମନେ କାହାକୁ ଖୋଜୁଥିଲା ଯେପରି... କିନ୍ତୁ ତା’ର ଦର୍ଶନ ନ ପାଇ ମଧ୍ୟ ସେ ନିରାଶ ହେଲା ନାହିଁ । ଧ୍ରୁବତାରା ଯେପରି ଅନାଦିକାଳରୁ ବାଟକଢ଼ାଇ ଆସିଛି ମଣିଷମାନଙ୍କୁ ଏବଂ ସତ୍ୟମାର୍ଗରେ ଅବିଚଳିତ ରହିବା ପାଇଁ ପ୍ରେରଣା ଦେଇ ଆସିଛି ସମସ୍ତଙ୍କୁ, ସେହିପରି ଅରବିନ୍ଦର ମଶାଲ ବି ଜଳୁଥିବ ଚିରକାଳ.... ।

 

କିନ୍ତୁ ରାତ୍ରିଭୋଜନର ବ୍ୟବସ୍ଥା ଆଇ.ବି.ରେ ନ କରି ନିଜର ସରକାରୀ ବଙ୍ଗଳାରେ କରିଥଲା ପ୍ରିୟରଞ୍ଜନ । ବଙ୍ଗଳା ହତା ଭିତରେ ସାଗୁଆନ, ଦେବଦାରୁ, କୃଷ୍ଣଚୂଡ଼ା, ଆମ୍ବ, ପଣସ, ପ୍ରଭୃତି ଅନେକ ବନସ୍ପତି ଦେଖି ମୁଗ୍‍ଧ ହେଲେ ଡାକ୍ତର ଚୌଧୁରୀ । ଜୁନମାସର ଶେଷ । ପାଗ ଭଲ ଥଲା । ସେଥିପାଇଁ ଭିତରେ ଖାଇବା ଘରେ ନ ବସି ସେମାନେ ବସିଲେ ପ୍ରଶସ୍ତ ବାରଣ୍ଡାରେ-। କରୁଣାଙ୍କ ପ୍ରସ୍ତାବ ଅନୁସାରେ ପଖାଳ ପରଷିବା ପାଇଁ ବ୍ୟବସ୍ଥା କରିଥିଲା ପ୍ରିୟରଞ୍ଜନ । ବଂଶଧାରା ନଦୀର ସଜମାଛ ଭଜା, ବଡ଼ିଚୂରା, ଶାଗଭଜା, ଆଳୁଚଟଣି, ପୋସ୍ତ ପତ୍ରପୋଡ଼ା, ପିଆଜ ଭଜା ଟେବୁଲ ଉପରେ ଥୁଆ ହେବା ପରେ ଶ୍ରୀୟା କହିଲା ବାପାଙ୍କୁ “ବାପା ! ଇଟ୍‌ ଲୁକ୍‌ସ୍‌ ଓ୍ୱାଣ୍ଡରଫୁଲ୍‌... ଖାଣ୍ଟି ଓଡ଼ିଆ ଖାଦ୍ୟ... ।’’

 

ପ୍ରିୟରଞ୍ଜନ ଲାଜୁଆ ମୁହଁରେ କହିଲା–‘‘ଗରିବ ଲୋକର ସାଧାରଣ ଖାଦ୍ୟ ପଖାଳ ପରଷି ଦେଇଛି ବୋଲି ମନରେ ଆଶଙ୍କା ଥିଲା, ଯଦି ପସନ୍ଦ ନ ହୁଏ... ।’’

 

‘‘ନା, ନା.. ବରଂ ଏଇଟା ଅତି ସୁଖାଦ୍ୟ... ରାତି ..ନିଦ ହେବ ଭଲ .. ପେଟ ବି ଥଣ୍ଡା ରହିବ...’’ କହିଲେ କରୁଣା ।

 

ଗୁଣୁପୁରର ଅର୍ଥନୀତିକ ବିକାଶ ଅଟକି ରହିଛି ଯୋଗାଯୋଗର ଅଭାବରୁ । ଶହେବର୍ଷ ପୂର୍ବେ ମହାରାଜାଙ୍କ ଉଦ୍ୟମରୁ ନଉପଡ଼ାରୁ ଗୁଣୁପୁର ରେଳପଥ ନିର୍ମାଣ କରାଯାଇଥିଲା, କିନ୍ତୁ ତାହା ସେହିପରି ରହିଛି ଯଦିବା ସମୟ ନିତ୍ୟ ପ୍ରବହମାନ ଥିଲେ ବି ଅଚଳ ଅବସ୍ଥାରେ ଅଛି ରେଳପଥ । ବ୍ରଡ଼ଗେଜ୍ କରିବା ପାଇଁ ଦାବି ହେଉଛି, ନିର୍ବାଚନ ସମୟ ହେଲେ ନେତାମାନେ 'ନିଶ୍ଚିତଭାବେ ବ୍ରଡ଼ଗେଜ୍ ହେବ’ ବୋଲି ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । ସଡ଼କ ଏବଂ ଟେଲି ଯୋଗାଯୋଗର ଉନ୍ନତି ହେବ ବୋଲି ମଧ୍ୟ ଭରସା ଦେଇଛନ୍ତି । କିନ୍ତୁ ଦେଶ ସ୍ଵାଧୀନ ହେବାର ପଚାଶ ବର୍ଷ ବିତିଗଲାଣି–କିଛି ଯେ ହୋଇନାହିଁ ତାହା ନୁହେଁ–କିନ୍ତୁ ଅନେକ କାମ ବାକି ଅଛି କରିବା ପାଇଁ । କୃଷିର ବିକାଶ ଜଳସେଚନ ଉପରେ ନିର୍ଭରଶୀଳ । ବଂଶଧାରା ନଦୀର ପାଣି ଆନ୍ଧପ୍ରଦେଶ ଦେଇ ସମୁଦ୍ରକୁ ବହିଯାଉଛି, କିନ୍ତୁ ବନ୍ଧବାନ୍ଧିବା, କେନାଲ ଖୋଳିବା କାମ ହୋଇନାହିଁ-। ନେତାମାନଙ୍କ ସ୍ଵପ୍ନରେ ସୁଜଳା ସଫଳା, ଶସ୍ୟଶାମଳା ଓଡ଼ିଶାର ଚିତ୍ର ଭାସି ଉଠିନାହିଁ-। ନେରେଡ଼ିଠାରେ ବନ୍ଧ ବାନ୍ଧି ବଂଶଧାରା ନଦୀର ଜଳ ଜଳସେଚନ ପାଇଁ ଉପଯୋଗ କରିବା ଲାଗି ଆନ୍ଧ୍ରସରକାର କାମ ଆରମ୍ଭ କଲେଣି ।

 

ଗପ ସରୁ ନ ଥାଏ । ରାତି ବଢ଼ୁଥାଏ । ଶେଷରେ କହିଲେ ଡାକ୍ତର–‘‘ଲେଟ୍‌ ଆସ୍‌ କଲ୍‌ ଇଟ୍‌ ଏ ଡ଼େ ... ସକାଳ ପାହିଲେ କେତେ କାମ ଅଛି କରିବା ପାଇଁ... କିନ୍ତୁ ତୁମେ ଯଦି ଚାହଁ ଯେ ଏଠାରେ କିଛି କରାଯାଉ ତେବେ ଭଲ କଥା । ଶ୍ରୀୟା ଗୋଟେ ଏନ୍‌.ଜି.ଓ. କରିବ ସ୍ଥିର କରିଛି । ଏଇ ପାରଳା ଓ ଗୁଣୁପୁରରୁ କାମ ଆରମ୍ଭ କରୁ’’... ତା’ପରେ ଝିଅ ମୁହଁକୁ ଚାହିଁ କହିଲେ–‘‘କ’ଣ କହୁଛୁ ଶ୍ରୀୟା ?’’

 

ଶ୍ରୀୟା ଧ୍ରୂବତାରା ଆଡ଼କୁ ଚାହିଁଲା ଏବଂ ମଥା ନାଡ଼ିଲା ।

 

ପ୍ରିୟରଞ୍ଜନର ଆଥିଥେୟତା, ନମ୍ର ବିନୟ ବ୍ୟବହାର ମୁଗ୍‍ଧ କରିଥିଲା ସେମାନଙ୍କୁ । ସେମାନଙ୍କୁ ଆଇ.ବି.ରେ ଛାଡ଼ି ଫେରିବାବେଳେ କହିଲା ପ୍ରିୟରଞ୍ଜନ–“ଆପଣମାନେ ତ ଆଠଟାବେଳେ ବାହାରିବେ.. ତା’ ଆଗରୁ ମୁଁ ଆସିଥିବି...’’

 

ସେ ଶୁଭରାତ୍ରି ଜଣାଇ ଚାଲିଯିବା ପରେ କହିଲେ କରୁଣା–‘‘ଭାଗ୍ୟରେ ଥିଲେ ଏମିତି ରତ୍ନ ମିଳେ... ।’’

 

ଶ୍ରୀୟା କିନ୍ତୁ ମା’ କଥା ଶୁଣି ପାରିଲା ନାହିଁ, ସେତେବେଳକୁ ସେ ଶୋଇବା କୋଠରୀ ଭିତରକୁ ପଶି ଯାଇଥିଲା । ଡାକ୍ତର କହିଲେ–‘‘ମୁଁ ତୁମ ସହିତ ଏକମତ । ଏ ୟଙ୍ଗମ୍ୟାନ୍‌ ଉଇଥ୍‌ ଏ ମିଶନ୍‌... ଦେଶ ସେବା କରି ସେ ଦେଖାଇଦେବାକୁ ଚାହେଁ ଯେ ରାଜନେତାମାନଙ୍କଠାରୁ କର୍ମଚାରୀ ବି ଆହୁରି ବଡ଼ ଦେଶପ୍ରେମୀ...ବଡ଼ ଜନସେବକ...।’’

 

ଝରକାର ଫାଙ୍କ ଦେଇ ବହି ଆସୁଥାଏ ବଂଶଧାରାଆଡ଼ୁ ଶୀତଳ ପବନ । ବାହାରୁ ଭାସି ଆସୁଥାଏ ବୁଲା କୁକୁରର ଶବ୍ଦ । କେହି ଜଣେ ମଗ୍ନମାଟିକୁ ଉଚ୍ଚାଟିତ କରିବା ପାଇଁ ସ୍ଵର ଦେଇଥାଏ ବଂଶୀରେ । ବଂଶଧାରାର ପ୍ରବାହରେ ଭାସିଯାଉଥାଏ କେତେ ନିରୀହ, ଅତ୍ୟାଚାରିତ, ଉତ୍ପୀଡ଼ିତ ମାନଙ୍କର ଅସହାୟ କାତରତା.. ସେମାନଙ୍କର ପୁଞ୍ଜିଭୂତ ଦୁଃଖ, ଯନ୍ତ୍ରଣାର ଲମ୍ବା ଏକ ଦୀର୍ଘଶ୍ଵାସ ।

 

କେତେଟା ବାଜିଥିବ କେଜାଣି, କବାଟରେ ଠକ୍‌ଠକ୍‌ ଶବ୍ଦ ଶୁଣି ଉଠି ବସିଲେ ଡାକ୍ତର ଚୌଧୁରୀ ।

 

କବାଟ ଖୋଲିବା କ୍ଷଣି ଆଗରେ ଦେଖିଲେ ସବ୍‌କଲେକ୍ଟର ପ୍ରିୟରଞ୍ଜନ ମହାନ୍ତିଙ୍କୁ ।

–‘‘ଏଇ ଅସମୟରେ ! କ’ଣ ହୋଇଛି ?’’ ପଚାରିଲେ ଡାକ୍ତର ।

 

–‘‘ଆପଣ ଡାକ୍ତର । ବେଳ ଅବେଳ ସବୁ ସମାନ କର୍ତ୍ତବ୍ୟର ଡାକରା ଆସିଲେ । ମୁଁ ଗୋଟିଏ ଅନୁରୋଧ ନେଇ ଆସିଛି । ଜଣେ ସଙ୍କଟାପନ୍ନ ଆହତ ମଣିଷର ଚିକିତ୍ସା ଦରକାର ... ଦୁଇଟି ଡାକ୍ତର ପଦ ଖାଲି ପଡ଼ିଛି ବରଷେ ହେଲା । କାନ୍ଧରେ ଗୁଳି ବାଜିଛି । ସାଙ୍ଗେ ସାଙ୍ଗେ ଅସ୍ତ୍ରୋପଚାର ହେବା ଦରକାର ।’’

 

ଡାକ୍ତର ବାହାରି ପଡ଼ିଲେ ବିଳମ୍ବ ନ କରି । ବାଟରେ ଯିବାବେଳେ ଆହତ ସମ୍ପର୍କରେ ପଚାରିଲେ–‘‘କିନ୍ତୁ ଗୁଳି କଲା କିଏ ?’’

 

–‘‘ସେତ ପୁଲିସ୍‍ ଅନୁସନ୍ଧାନର ବିଷୟ । କିନ୍ତୁ ଲୋକଟାର ଯଦି କିଛି ହୋଇଯାଏ ଗୁଣୁପୁର ଅବସ୍ଥା ସମ୍ଭାଳିବା ମୁସ୍କିଲ ହେବ.. କାରଣ...’’

 

ପ୍ରିୟରଞ୍ଜନ କହିବା ପୂର୍ବରୁ କହିଲେ ଡାକ୍ତର–‘‘କାରଣ...’’

 

–‘‘ସେ ଜଣେ ମୁକ୍ତିଯୋଦ୍ଧା । ଜଣେ ଗରିବ ଚାଷୀର ଜମି ଜବରଦଖଲ କରିଥିଲା ସାହୁକାର । ତା’ କବଳରୁ ଜମି ଉଦ୍ଧାର କରିବା ପାଇଁ ଯାଇଥିଲେ ପାଞ୍ଚଜଣ । ସାହୁକାରର ଜଣେ ସମର୍ଥକର ଗୁଳିରେ ଆହତ ହୋଇଛି ଜଣେ ମୁକ୍ତିଯୋଦ୍ଧା । ପୁଲିସ୍‍ ଅନୁସନ୍ଧାନ କରୁଛି କିଏ ଗୁଳି କରିଛି ଜାଣିବା ପାଇଁ । କିନ୍ତୁ ଏଇ ଅନୁସନ୍ଧାନ ଯେ ଏକପାଖିଆ ହେବ ତାହା ମୁଁ କହିପାରେ.. ସେ ଯାହା ହେଉ ଆହତକୁ ଯେପରି ହେଉ ବଞ୍ଚାଇବାକୁ ହେବ ସାର୍‌...।’’

 

ପ୍ରିୟରଞ୍ଜନର ବ୍ୟାକୁଳତା ଦେଖି ତା’ ମୁହଁକୁ ଅନାଇଲେ ସରୋଜ ଚୌଧୁରୀ । ତାଙ୍କ ଆଗରେ ସବ୍‌କଲେକ୍ଟରଙ୍କ ସ୍ଥାନରେ ବସିଥିଲେ ଜଣେ ମାନବପ୍ରେମୀ ଦରଦୀ ଯୁବକ !

 

ରାତି ତିନିଟାବେଳେ ଅସ୍ତ୍ରୋପଚାର ଆରମ୍ଭ ହେଲା ଏବଂ ଶେଷ ହେଲା ପାଞ୍ଚାଟାରେ । ଆହତର ଚେତା ଶୀଘ୍ର ଫେରି ଆସିବ କହି ଅପରେସନ ଥିଏଟର ବାହାରକୁ ଆସି କହିଲେ ଡାକ୍ତର ଚୌଧୁରୀ–‘‘କିଛି ଭୟ ନାହିଁ, ଆଇ ଏମ୍‌ ହୋପ୍‌ଫୁଲ୍‌.. ହି ଉଇଲ କମ୍‌ରାଉଣ୍ଡ...’’।

 

ମୁହୂର୍ତ୍ତକ ପାଇଁ ଚେନାଏ ଦୁର୍ଲଭ ଉଜ୍ଜ୍ୱଳତା ଚହଟି ଉଠି ପୁଣି ଲୀନ ହୋଇଗଲା ପ୍ରିୟରଞ୍ଜନର ମୁହଁ ଉପରେ ।

 

ଉଣେଇଶ

 

ସଭ୍ୟତା ମଣିଷକୁ ଗତିଶୀଳ କରିଛି । ସକାଳ ହେଲେ ତା’ ହାତରେ ଧରାଦିଏ ନୂତନ ପୃଥିବୀ । ମଣିଷ ଆଉ ରବିନସନ୍ କସୋଙ୍କ ନିର୍ଜନ ଦ୍ୱୀପରେ ବିଳାପ ଶୁଣୁନାହିଁ, ତା’ ହାତରେ ଧରାଦେଇଛି ପୃଥିବୀ । ବିଜ୍ଞାନ ଓ ପ୍ରଯୁକ୍ତି ବଳରେ ପୃଥିବୀ ପାଲଟି ଯାଇଛି ଆଧୁନିକ ମଣିଷର ଖେଳଭୂମି । ଅନେକ ଆହ୍ୱାନର ପ୍ରତ୍ୟୁତ୍ତର ଦେଇ ଦେଇ ଗଢ଼ିଉଠିଛି ଏଇ ସଭ୍ୟତା । ଦିନଥିଲା ଯେତେବେଳେ ମଣିଷ ଶାସ୍ତ୍ର, ପୁରାଣ ଓ କାବ୍ୟରେ ରଚନା କରୁଥିଲା ସ୍ଵର୍ଗ–ଯେଉଁଠି ଥିଲା କେବଳ ଦେବତାମାନଙ୍କର ନିରଙ୍କୁଶ ଅଧିକାର । ମଣିଷ ପାଇଁ ପ୍ରବେଶ ନିଷେଧ ସେ ରାଜ୍ୟରେ । ମଣିଷ ଉଚ୍ଚତର ଅନ୍ଵେଷଣ କରୁ କରୁ ଯେତେବେଳେ ଉଚ୍ଚତର ଚେତନା ତାକୁ ଇଶାରା ଦେଲା ଉପରକୁ ଉଠିବା ପାଇଁ, କାଳେ ସେ ସ୍ଵର୍ଗାଲୋକରେ ପ୍ରବେଶ କରିବ ସେଇ ଭୟରେ, ଦେବତାମାନେ କାମିନୀକାଞ୍ଚନର ଲୋଭ ଦେଖାଇ ତାକୁ ପଥଭ୍ରଷ୍ଟ କରିବା ସକାଶେ ଚେଷ୍ଟା କଲେ । ତା’ ସତ୍ତ୍ୱେ ବିଶ୍ୱାମିତ୍ର, ହରିଶ୍ଚନ୍ଦ୍ରଙ୍କ ପରି ଜଣେ ଜଣେ ମଣିଷ ସବୁ ପ୍ରଲୋଭନ ତ୍ୟାଗ କରି ସ୍ୱର୍ଗକୁ ଯାଇଛନ୍ତି । ସିଂହାସନ କାଳେ ତାଙ୍କ ଦଖଲରୁ ଚାଲିଯିବ ଏଇ ଆଶଙ୍କା ନେଇ ଦେବତାମାନେ ସତ୍ୟ ସ୍ଥାନରେ ଛଳନାର, ଧର୍ମ ସ୍ଥାନରେ ଅଧର୍ମର ଆଶ୍ରୟ ନେଇଛନ୍ତି କୁଣ୍ଠା ନ କରି । ଦେବତାମାନଙ୍କ ହାତରୁ ଯୋର୍‌ କରି ସ୍ଵର୍ଗଲୋକ ଛଡ଼ାଇ ନବାପାଇଁ ଯୁଦ୍ଧ କରିଛନ୍ତି ଅସୁରମାନେ । ବର୍ତ୍ତମାନ ଶୂଦ୍ରମାନେ ତପସ୍ୟା ଓ ସାଧନା କରୁଛନ୍ତି ସାମାଜିକ ସମାନତା ଓ ସର୍ବୋଚ୍ଚ ଆସନ ଦଖଲ କରିବା ପାଇଁ । ସମୟ ପ୍ରବାହରେ ବେଦବର୍ଣ୍ଣିତ ଦାରୁ ଭାସି ଆସିଛି ମହୋଦଧି କୂଳକୁ ଏବଂ ଶୂଦ୍ରମାନଙ୍କ ଦାରୁରୂପୀ ବ୍ରହ୍ମ କଳିଯୁଗର ପୁରୁଷୋତ୍ତମ କ୍ଷେତ୍ରରେ ଅଧିଷ୍ଠିତ । ବ୍ରାହ୍ମଣ ହାତରୁ ଦାରୁଦେବତାଙ୍କ ପୂଜାର୍ଚ୍ଚନାର ଅଧିକାର ଛଡ଼ାଇ ନେଇଛି ଶୂଦ୍ର ନିଜର ଭକ୍ତି ଓ ନିଷ୍ଠା ବଳରେ ।

 

ଗୁଣ ଓ କର୍ମର ବିଭାଜନ ଅନୁସାରେ ଚାରି ବର୍ଣ୍ଣ ସୃଷ୍ଟି କଲେ ବୋଲି ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଅର୍ଜୁନଙ୍କୁ । କିନ୍ତୁ ସେଇ ବର୍ଣ୍ଣାଶ୍ରମ ପରବର୍ତ୍ତୀ କାଳରେ ମଣିଷ ଜାତିକୁ ଭାଗ ଭାଗ କରିବାର କାରଣ ହୋଇଛି–ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ରୂପରେ । ଏଇ ଚାରିବର୍ଣ୍ଣରୁ ସୃଷ୍ଟି ହୋଇଛି ଅସଂଖ୍ୟ ଜାତି ଗୋଷ୍ଠୀ ଓ ଗୋତ୍ର ଭିନ୍ନ ଭିନ୍ନ ପରିଚୟ ଓ ବଂଶଲତା ନେଇ । କର୍ମବିଭାଜନର ଚେତନା ଜାତିବାଦ ଓ ଜାତିଭେଦକୁ ଜନ୍ମ ଦେଇଛି । ସାମ୍ୟବାଦୀ ଦେଶରେ ମଧ୍ୟ ବର୍ତ୍ତମାନ ମଣିଷ ସମାଜର ଗୁଣ ଓ କର୍ମର ବିଭାଜନ ଘଟିଛି ଏବଂ ସେମାନେ ବାଣ୍ଟି ହୋଇଯାଇଛନ୍ତି ଶାସକ, ବୁର୍ଜୁଆ, ବ୍ୟବସାୟୀ, ବୁଦ୍ଧିଜୀବୀ ଓ ସାଧାରଣ ଶ୍ରମଜୀବୀ ରୂପରେ । ଋଷିଆ ଓ ଚୀନରେ ନବ୍ୟ ଅର୍ଥନୀତିକୁ ଆଶ୍ରୟକରି ଗଢ଼ି ଉଠିଥିବା ଏଇ ଅସମାନତା ଦୂର ହେବା ପରିବର୍ତ୍ତେ ବଢ଼ି ଚାଲିଛି ।

 

ଭାବୁ ଭାବୁ ଗୋଟିଏ ଚୌଛକିରେ ଅଟକି ଗଲା ଅରବିନ୍ଦ । ମାର୍କସଙ୍କ ‘ଦାସ କ୍ୟାପିଟାଲ’ ଓ ମାଓଙ୍କ ‘ରେଡ୍‍ ବୁକ୍‌’ ଇତି ମଧ୍ୟରେ ସେ ପଢ଼ିସାରିଛି । ପଢ଼ିସାରିଛି ଶ୍ରେଣୀ ସଂଘର୍ଷର ମୂଳକଥା ଓ ସାମାଜିକ ବିପ୍ଳବର କାହାଣୀ । ଗୋଟିଏ ଶତାବ୍ଦୀ ଶେଷ ହେବା ଆଗରୁ ସୋଭିଏତ ସଂଘର ସାମ୍ୟବାଦୀ ଶାସନ ବ୍ୟବସ୍ଥା ଭାଙ୍ଗି ପଡ଼ିଲା । ଜଗତର ସର୍ବହରା ମେହନତି ମଣିଷମାନେ ଏକତ୍ର ହେଲେ ଦେଶ ଓ ଦେଶ ମଧ୍ୟରେ ଥିବା ଭୌଗୋଳିକ ସୀମା ଉଭେଇଯିବ ଏବଂ ସମଗ୍ର ପୃଥିବୀରେ ସର୍ବହରାର ଶାସନ ପ୍ରତିଷ୍ଠିତହେବ ବୋଲି ମାର୍କସ୍ ଭବିଷ୍ୟତ ବାଣୀ କରିଥିଲେ । ତାହା ସତ ହେଲା ? ବରଂ ମାଓସେତୁଙ୍ଗଙ୍କ ପରେ ଚୀନ ତ ସ୍ଵାଗତ କରୁଛି ବିଦେଶୀ ପୁଞ୍ଜିପତିମାନଙ୍କୁ ଭିତ୍ତିଭୂମି ଓ ଶିଳ୍ପର ବିକାଶ ପାଇଁ । ବ୍ୟକ୍ତିଗତ ସମ୍ପତ୍ତି ପୁଣି ସ୍ଵୀକୃତି ପାଇଛି ଶାସନର । ଟିଏନମିନ୍ ସ୍କୋୟାରର ଛାତ୍ର ନିଧନ ପରେ ବ୍ୟକ୍ତି ସ୍ଵାଧୀନତା ଓ ଗଣତନ୍ତ୍ର ହଟିଯାଇଛି ଦୂରକୁ । କିନ୍ତୁ ତାହା ଯେ ପୁଣି ନୂଆ ଶକ୍ତି ସଂଗ୍ରହ କରି ଫେରି ନ ଆସିବ କିଏ କହିବ ?

ଅରବିନ୍ଦ କୌଣସି ନିର୍ଣ୍ଣୟାତ୍ମକ ମୀମାଂସାରେ ପହଞ୍ଚିପାରେନାହିଁ । ଶ୍ରୀହରି ତାକୁ ଜନସେବାର ଯେଉଁ ନୂତନ ମନ୍ତ୍ର ଦେଇଯାଇଛି ତାହା ମଧ୍ୟ ଛାଡ଼ିପାରେ ନାହଁ । କିନ୍ତୁ ମାନସିକ ଦ୍ୱନ୍ଦ ଭିତରୁ ନୂଆ ଚେତନା ଉଙ୍କିମାରେ, ଉଷାର ନବାଲୋକ ଝରକାର ଫାଙ୍କ ଦେଇ କୋଠରୀ ଭିତରକୁ ଉଙ୍କି ମାରିବା ପରି ଏବଂ ମୁହଁରୁ ବେଦମନ୍ତ୍ର ନିସୃତ ହୁଏ ସ୍ଵାଭାବିକ ସାବଲୀଳ ରୀତିରେ ‘‘ସମାନମନ୍ତ୍ର ସମିତି ସମାନି ....’’

 

ଏକା ସାଙ୍ଗରେ ପାଦକୁ ପାଦ ମିଳାଇ ସୁଖଦୁଃଖରୁ ସମଭାଗୀ ହେବା ପାଇଁ ଆହ୍ଵାନ କେବଳ ଭାରତବର୍ଷର ବୈଦିକ ସାହିତ୍ୟରେ ଦେଖିବାକୁ ମିଳେ । ମାନବିକତାର ଉଚ୍ଚ ଭୂମିରୁ ହିମାଳୟର ମନ୍ଦାକିନୀ ପରି ଯେଉଁ ସବୁ ମନ୍ତ୍ର ଋଷିମାନଙ୍କ ତୁଣ୍ଡରୁ ଝରି ପଡ଼ୁଥିଲା ତାହା ଏବେବି ପ୍ରାଚୀନ ସହିତ ନୂତନକୁ ସ୍ପନ୍ଦିତ କରି ରଖିଛି । ବୁଦ୍ଧ, ଯୀଶୁଖ୍ରୀଷ୍ଠ, କାର୍ଲମାର୍କ୍ସ, ମାଓସେତୁଙ୍ଗ୍, ଗାନ୍ଧିଙ୍କ କଣ୍ଠରୁ ସେଇ ମାନବବାଦର ଜୟଗାନ ଶୁଣାଯାଉଛି । ଉତ୍ତରାଧିକାର ସୂତ୍ରରେ ଏକବିଂଶ ଶତାବ୍ଦୀର ମଣିଷ ପାଉଛି ଏଇ ସମ୍ପଦ । ସମତା ପାଇଁ ହେଉ ବା ସ୍ଵାଧୀନତା ପାଇଁ ହେଉ, ସମସ୍ତ ସାମାଜିକ ଓ ରାଜନୀତିକ ଲକ୍ଷ୍ୟର ମୂଳାଧାର ହେଉଛି ମାନବିକତା । ମୁକ୍ତ ଓ ସ୍ଵାଧୀନ ମଣିଷହିଁ ଅନ୍ୟ ସହିତ ସମାନ ହେବାର ସ୍ୱପ୍ନ ଦେଖି‌ପାରେ ଏବଂ ବିଭାଜନ ଓ ଶ୍ରେଣୀବଦ୍ଧତାଦ୍ଵାରା କାତର ହେଉଥିବା ମଣିଷମାନଙ୍କୁ ମୁକ୍ତି ସମାନତା ଓ ମାନବିକତାର ମହିମ୍ନ ସ୍ତବ ଶୁଣାଇପାରେ ।

 

ଶ୍ରୀହରି ତାକୁ ଦେଇଥିବା ମନ୍ତ୍ର ସେ ଭୁଲି ନାହିଁ । ଲକ୍ଷ୍ୟରେ ପହଞ୍ଚିବା ପାଇଁ ଦରକାର ହେଲେ ହିଂସାର ଆଶ୍ରୟ ନବା ପାଇଁ ସେ କହିଥିଲା ତାକୁ । ଗୀତାରେ ଶ୍ରୀକୃଷ୍ଣ ମଧ୍ୟ ଏଇ କଥା କହିଥିଲେ ଅର୍ଜୁନକୁ । ପାଞ୍ଚପାଣ୍ଡବଙ୍କୁ ପାଞ୍ଚଟି ଗ୍ରାମ ଛାଡ଼ିଦେବାପାଇଁ ଦୁର୍ଯ୍ୟୋଧନ ଯଦି ରାଜି ହୋଇଥାନ୍ତା ତେବେ ମହାଭାରତ ଯୁଦ୍ଧ ହୋଇନଥାନ୍ତା । କିନ୍ତୁ ଅତି ଅହଙ୍କାର, ଅତି ଲୋଭ ବିନାଶର କାରଣ ହୋଇଛି ସବୁକାଳରେ । ଶହଶହ ବର୍ଷ ଧରି ବଣ ଜଙ୍ଗଲରେ ବାସ କରି ଆସୁଥିବା ଆଦିବାସୀମାନଙ୍କୁ ଶୋଷଣ ନ କରି ସେମାନଙ୍କ ଅଧିକାର ସେମାନଙ୍କୁ ଦେଇଥିଲେ ସାହୁକାର, ଅମଲା, ଦଲାଲ୍‍ମାନଙ୍କ ସହିତ ସଂଘର୍ଷ ହେଉ ନ ଥାନ୍ତା । ତଥାପି ସେମାନଙ୍କ ସହ୍ୟଶକ୍ତି ଅସୀମ । ଅସମାନତା, ଅବିଚାର ଓ ଦାରିଦ୍ର୍ୟକୁ କପାଳ ଲିଖନ ବୋଲି ଧରି ନେଇଛନ୍ତି ସେମାନେ । ସେମାନଙ୍କ ମଙ୍ଗଳ କରିବା ନାମରେ ସରକାର ବ୍ୟୟ କରୁଥିବା ଅର୍ଥରୁ କାଣିଚାଏ ମାତ୍ର ପହଞ୍ଚୁଛି ସେମାନଙ୍କ ହାତରେ । ଏତିକିରେ ବି ସନ୍ତୁଷ୍ଟ ନୁହଁନ୍ତି ଅମଲା ଅଫିସର ଓ ଥିଲାବାଲାମାନେ । ଆଦିବାସୀମାନଙ୍କ ହାତରେ ଥବା ଜମି ଚଞ୍ଚକତା କରି ନାମକୁ ମାତ୍ର ମୂଲ୍ୟରେ କିଣି ନେଉଛନ୍ତି । ଗରିବ ଲୋକଙ୍କୁ ମାତାଲ କରି ସେମାନଙ୍କ ଟିପଚିହ୍ନ ନେଇ ସର୍ବସ୍ଵ ଲୁଟି ନେଉଛନ୍ତି ।

 

ତା’ ଭାବନାରେ ବ୍ୟାଘାତ ସୃଷ୍ଟି କରି କହିଲା ଶିବୁ ଦଳେଇ–‘‘ବଡ଼ ଅଘଟଣ ଘଟିଯାଇଛି-। ଗୋବିନ୍ଦ ସାହୁକାର ଭୋଳି ଗଉଡ଼ର ଜମି ଜବର ଦଖଲ କରିଥିଲା । ତା’ ସହିତ ଏ ବିଷୟରେ ମାଣିଆ ମାଷ୍ଟର କଥା ହେଉଥିବାବେଳେ ସାହୁକାର ରାଗିଗଲା ଏବଂ ଆମ ଲୋକଙ୍କୁ ଘଉଡ଼ାଇ ଦବା ପାଇଁ ସାହୁକାରର ପିଆଦା ନବ ଭୋଇ ଗୁଳିକଲା ।’’

 

–‘‘ତା’ ପରେ ?’’ ଉତ୍କଣ୍ଠା ରୋକି ନ ପାରି କହିଲା ପଚାରିଲା ଅରବିନ୍ଦ ।

 

–‘‘ତା’ ପରେ କୌଣସି ସୂତ୍ରରୁ ଖବର ପାଇ ପହଞ୍ଚିଲା ପୁଲିସ୍‍ । ଆହତ ମାଣିଆ ମାଷ୍ଟରଙ୍କୁ ପୁଲିସ୍‍ ନେଇଗଲା ଜିପ୍‌ରେ । ଗୋବିନ୍ଦ ସାହୁକାର ପୁଲିସ୍‍ ସହିତ ଗଲା ଥାନାକୁ ।’’

 

–‘‘ଇଏ କେତେ ବେଳର କଥା ?’’

 

–‘‘ରାତି ଦୁଇ ଘଡ଼ି ହୋଇଥିବ । ମାଣିଆ ମାଷ୍ଟରଙ୍କ ସାଙ୍ଗରେ ଥିଲେ ନରି, ଶୁକୁରା, ଲକ୍ଷ୍ମଣ ଆଉ ଚଇତା । ସେମାନଙ୍କୁ ମଧ୍ୟ ପୁଲିସ୍‍ ଥାନାକୁ ନେଇ ଯାଇଛି ।’’

 

–‘‘ମାଣିଆ ମାଷ୍ଟର କୋଉଠି ? ତାଙ୍କର ଚିକିତ୍ସା ?’’ ଅରବିନ୍ଦ ପ୍ରଶ୍ନକଲା ।

 

–‘‘ହୁଏତ ତାଙ୍କୁ ଡାକ୍ତରଖାନା ନେଇଥିବେ । କିନ୍ତୁ ଭୋର ସକାଳୁ ଚାରିଜଣଙ୍କୁ ଥାନାବାଲା ଛାଡ଼ି ଦେଇଛି । ସେମାନେ ଆସି ଏଇ ଖବର ଦେଲେ ।’’

 

ଅରବିନ୍ଦ କ’ଣ କରିବ ସାଙ୍ଗେ ସାଙ୍ଗେ କିଛି ସ୍ଥିର କରିପାରିଲା ନାହିଁ । ତା’ର ହଠାତ୍ ମନେପଡ଼ିଲା ଯେ ସେଦିନ ସବ୍‌କଲେକ୍ଟର ତାକୁ କହିଥିଲେ ଦରକାର ହେଲେ ତାଙ୍କ ସହିତ ଯୋଗାଯୋଗ କରିବା ପାଇଁ । ଏତେବଡ଼ ଘଟଣା ଘଟିଯାଇଛି । ଏଇ ସୁଯୋଗରେ ତାଙ୍କୁ ପଚାରିବା ଠିକ୍‌ ହେବ ।

 

ସେ ରାସ୍ତାକଡ଼ରେ ଥିବା କେବିନରୁ ଫୋନ୍‌ କଲା ସବ୍‌କଲେକ୍ଟରଙ୍କୁ ।

 

ସେ ଟେଲିଫୋନ୍‌ ଧରିଲେ ସେ ପାଖରେ । ତାଙ୍କୁ ପରିଚୟ ଦେଇ କହିଲା ଅରବିନ୍ଦ–‘‘ସାର୍‌, ସାଥୀ ମାଣିଆ ମାଷ୍ଟରଙ୍କୁ କାଲି ରାତିରେ ଗୁଳି କରିଥିଲା ସାହୁକାର ଲୋକ । ତାଙ୍କୁ ପୁଲିସ୍‍ ନେଇଯାଇଛି । ତାଙ୍କ ନିରାପତ୍ତା ସମ୍ବନ୍ଧରେ ଉଦ୍‌ବେଗ ବଢ଼ୁଛି । ସାଥୀମାନେ ଏଇନେ ଆସି ପହଞ୍ଚିବେ ଜାଣିବା ପାଇଁ...’’

 

ତାକୁ ଶାନ୍ତ ହବାକୁ କହି ଆରମ୍ଭ କଲା ପ୍ରିୟରଞ୍ଜନ–‘‘ଦେଖ, ଯାହା ଘଟିବାର ଘଟିଯାଇଛି । ମାଷ୍ଟର ମାଣିଆଙ୍କ କାନ୍ଧତଳୁ ଗୁଳି ବାହାର କରାଯାଇଚି । ସେ ଡାକ୍ତରଖାନାରେ । ଚେତା ଆସିଛି । ଆପାତତଃ ଭଲ ଅଛନ୍ତି...’’

 

–‘‘କିନ୍ତୁ ଗୋବିନ୍ଦ ସାହୁକାରକୁ ତ ଏଯାଏ ଗିରଫ କରିନି ପୁଲିସ୍‍...’’ କହିଲା ଅରବିନ୍ଦ ।

 

‘‘ସେ ଓ ତା ପିଆଦା ନବ ଥାନାରେ ଅଛନ୍ତି । ପୁଲିସ୍‍ ଅନୁସନ୍ଧାନ କରୁଛି । ସେ ତମ ଲୋକମାନଙ୍କ ବିରୁଦ୍ଧରେ ଗୋଟେ ଏତଲା ଦେଇଛି ଥାନାରେ । ଚାରିପାଞ୍ଚ ଜଣ ଲୋକ ଯାଇ ତା’ ଉପରେ ହାମଲା କରୁଥିଲେ...।’’ ପ୍ରିୟରଞ୍ଜନ ଶେଷ କରିବା ପୂର୍ବରୁ କହିଲା ଅରବିନ୍ଦ–‘‘ସବୁ ମିଛ ସାର୍‌ । ନିଜକୁ ରକ୍ଷା କରିବା ପାଇଁ ସବୁ ମନଗଢ଼ା କାହାଣୀ । କିନ୍ତୁ ଆମ ଲୋକଙ୍କ ଏତାଲା ତ ପୁଲିସ୍‍ ନେଇନି ଏଯାଏ ?’’ ଉତ୍ତେଜିତ ସ୍ଵରରେ କହିଲା ଅରବିନ୍ଦ ।

 

–‘‘ଶୁଣ, ଧୈର୍ଯ୍ୟଧରି କାମ କର । ମାଣିଆ ମାଷ୍ଟରଙ୍କ ଚିକିତ୍ସାରେ ହେଳା କରାଯାଇନି । ସେ ଭଲ ଅଛନ୍ତି । ଦୁଇତିନି ଦିନ ରହିବାକୁ ହେବ ଡାକ୍ତରଖାନାରେ । ତୁମେ ବରଂ ତମ ଲୋକଙ୍କୁ ବୁଝାଅ । ଉତ୍ତେଜନା ବଢ଼ିଲେ ଆଇନଶୃଙ୍ଖଳା ସମସ୍ୟା ସୃଷ୍ଟି ହେବ । ପୁଲିସ୍‍ ଅନୁସନ୍ଧାନ ଶେଷ କରୁ । ତମ ଲୋକଙ୍କୁ ପଠାଅ ଥାନାକୁ, ମୁଁ ପୁଲିସ୍‍କୁ କହୁଛି ସେମାନଙ୍କ ଅଭିଯୋଗ ଶୁଣିବା ପାଇଁ । ରାତିସାରା ମୁଁ ଥିଲି ଡାକ୍ତରଖାନାରେ ଅଧଘଣ୍ଟା ହେଲା ଫେରିଛି । ମୋତେ ଟିକେ ସମୟ ଦିଅ... ।’’ ସେ ଟେଲିଫୋନ୍‍ ଛାଡ଼ିଦେଲେ ।

 

ଅରବିନ୍ଦ ଭାବୁଥିଲା କିପରି ସାଥୀମାନଙ୍କୁ ଶାନ୍ତ କରିବ । ଏଇନେ ଠୁଳ ହେବେ ସମସ୍ତେ । ପ୍ରଥମେ ସେ ନରି ଓ ଲକ୍ଷ୍ମଣଙ୍କୁ ଏତଲା ଦବା ପାଇଁ ପଠାଇ ଦେଇ ଶିବୁ ଦଳେଇକୁ କହିଲା–“କର୍ମୀମାନଙ୍କୁ ବୁଝାଅ... ହଠାତ୍‌ କିଛି କଲେ ପୁଲିସ୍‍ ଜୁଲୁମ୍‌ ବଢ଼ିବ । ସେଥିରେ ଗୋବିନ୍ଦ ସାହୁକାରର କିଛି କ୍ଷତି ହେବନି । କ୍ଷତି ହେବ ଗରିବମାନଙ୍କର ।’’

 

ଶିବୁଦଳେଇ ଲୋକମାନଙ୍କୁ ବୁଝାଇବା ପାଇଁ ଚାଲିଗଲା ।

 

କିନ୍ତୁ ମାଲକାନଗିରିରେ ପୁଲିସ୍‍ ଗୁଳିରେ ତିନିଜଣ କମ୍ରେଡ୍ ସହିଦ ହେବାର ସପ୍ତାହେ ଆଗରୁ ଗୁଣୁପୁରରେ ମାଷ୍ଟର ମାଣିଆ ଗୁଳିରେ ଆହତ ହେବା ଘଟଣା ପରିସ୍ଥିତିକୁ ଯେ ଉତ୍ତେଜିତ କରିବ ତାହା ସେ ବୁଝୁଥିଲା । କିନ୍ତୁ ସର୍ଜନ ପଦ ଖାଲି ଥିବାବେଳେ ମାଣିଆ ମାଷ୍ଟରଙ୍କ ଦେହରୁ ଗୁଳି ବାହାର କଲା କିଏ ? ଅପରେସନ କିଏ କଲା ?

 

ଶ୍ରୀହରି ଥିଲେ ଉପସ୍ଥିତ ବୁଦ୍ଧି ଖଟେଇ କିଛି ନିର୍ଦ୍ଦେଶ ଦେଇଥାନ୍ତା । ମାଲକାନଗିରି ଗୁଳିକାଣ୍ଡରେ ପ୍ରତିବାଦ କରିବାକୁ ଯାଇ ରବିବାର ହାଟଦିନ ମାଳକାନଗିରି ବନ୍ଦ କରିବା ପାଇଁ ମୁକ୍ତି ଯୋଦ୍ଧାମାନେ ନିଷ୍ପତ୍ତି ନେଇଥିଲେ । ସେମାନଙ୍କୁ ସହାନୁଭୂତି ଜଣାଇବା ପାଇଁ ସେହିଦିନ ଗୁଣୁପୁର ସହର ବନ୍ଦ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବରଂ ମାଣିଆ ମାଷ୍ଟରଙ୍କୁ ଗୋବିନ୍ଦ ସାହୁକାରର ପିଆଦା ଗୁଳିମାରି ଆହତ କରିଥିବାରୁ ଗୁଣୁପୁର ବନ୍ଦକୁ ପୂରାପୂରି ସଫଳ କରିବା ପାଇଁ କର୍ମୀମାନଙ୍କୁ ଏକଜୁଟ କରିବା ଉଚିତ ହେବ ।

 

ଶ୍ରୀହରିର ସଙ୍ଗଠନରେ ଯୋଗଦେବା ପରେ ଏଇ ପ୍ରଥମ ଘଟଣା ଅରବିନ୍ଦର ନେତୃତ୍ଵ ପରୀକ୍ଷା କରିବା ପାଇଁ । ଯଦି ଗୁଣୁପୁରର ବନ୍ଦ ସଫଳ ହୁଏ ତେବେ ଶ୍ରୀହରି ନିଶ୍ଚୟ ଜାଣିବ । ତା’ ଆଗରୁ ତାକୁ ଯଦି ପାଆନ୍ତା ତେବେ ପରାମର୍ଶ କରନ୍ତା ଆଇ କ’ଣ କରିବ ।

 

ସେହିଦିନ ମଧ୍ୟାହ୍ନରେ ଜଣେ କର୍ମୀ ଆସି ଖବର ଦେଲେ ଯେ ମାଣିଆ ମାଷ୍ଟରଙ୍କ କାନ୍ଧରୁ ଗୁଳି ବାହାର କରିଥିଲେ ଭୁବନେଶ୍ୱରରୁ ବୁଲିବା ପାଇଁ ଆସିଥିବା ଜଣେ ବଡ଼ ଡାକ୍ତର । ସେ ପରିବାର ସହିତ ସକାଳ ଦଶଟା ଗୁଣୁପୁର ଛାଡ଼ି ଫେରିଗଲେଣି ଭୁବନେଶ୍ଵର । ତାଙ୍କ ସହିତ ଥିଲେ ତାଙ୍କ ପରିବାର । କିନ୍ତୁ ସେମାନଙ୍କର ସଠିକ ପରିଚୟ ଆଉ ଜାଣି ହେଲା ନାହିଁ । ହୁଏତ ସେ ପଚାରିଥାଆନ୍ତା ଡାକ୍ତରଙ୍କ ନାମ ଧାମ ସମ୍ପର୍କରେ, କିନ୍ତୁ ଏଇ ସମୟରେ ନିୟତିର ଚିଠି ନେଇ ସେଠାରେ ପହଞ୍ଚିଲା ଧନୁ ଶବର ।

 

ସେଇ ଚିଠିରୁ ସୁରାକ ପାଇଲ ଅରବିନ୍ଦ ଯେ ପୁଲିସ୍‍ କେବଳ ମାଲକାନଗିରି ବନ୍ଦପାଳନ ପୂର୍ବରୁ ଅନେକକର୍ମୀଙ୍କୁ ଗିରଫ କରିବ ନାହିଁ, ଗୁଣପୁର, ରାୟଗଡ଼ା, ନରଙ୍ଗପୁର, କୋରାପୁଟ ଓ ଗଜପତିରୁ ମୁଖିଆମାନଙ୍କୁ ବନ୍ଦପାଳନ ତାରିଖ ପୂର୍ବରୁ ଗିରଫ କରିବାର ସମ୍ଭାବନା ଅଛି । କଟକ ଓ ଭୁବନେଶ୍ୱରରୁ ମିଳିଥିବା ସୂଚନାରୁ ଏହା ମଧ୍ୟ ଜଣାପଡ଼ିଛି ଯେ ମୁକ୍ତିଯୁଦ୍ଧ ଆନ୍ଦୋଳନ ପ୍ରତିହତ କରିବା ପାଇଁ ଅଧିକ ମିଲିଟାରୀ ଆସୁଛନ୍ତି ଝାରସୁଗୁଡ଼ା ଓ ଚୌଦ୍ୱାରରୁ । ମୁକ୍ତିଯୁଦ୍ଧ ଆନ୍ଦୋଳନ କାହିଁକି ବ୍ୟାପୁଛି ତାହାର କାରଣ ଜାଣି ସମାଧାନ କରିବା ପରିବର୍ତ୍ତେ ସରକାର ମୁକାବିଲା ମନୋଭାବ ପୋଷଣ କରୁଥିବାରୁ ଦଳର ଆଗୁଆ ନେତା ଓ ସଙ୍ଗଠନ ଦାୟିତ୍ୱରେ ଥିବା ଲଢ଼ୁଆ କର୍ମୀମାନଙ୍କୁ ଆତ୍ମଗୋପନ କରିବା ବ୍ୟତୀତ ଆଉ ଚାରା ନାହିଁ । ପୁଲିସ୍‍ ଆଖିରେ ଧୂଳିଦେଇ ଅଣ୍ଡରଗ୍ରାଉଣ୍ଡ ଆନ୍ଦୋଳନ ଚାଲୁ ରଖିବାକୁ ହିଁ ଏକମାତ୍ର ବିକକ୍ପ । ବର୍ତ୍ତମାନ ପୁଲିସ୍‍ ଓ ପ୍ରଶାସନ ସହିତ ମୁହାଁମୁହିଁ ହେବା ପରିବର୍ତ୍ତେ ସୁବିଧା ଓ ସୁଯୋଗ ଉଣ୍ଡି ମୁକ୍ତିଯୋଦ୍ଧାମାନେ ଯୋଜନାବଦ୍ଧଭାବେ ନିର୍ଦ୍ଧାରିତ ସମୟରେ ପାଲଟା ଆକ୍ରମଣ କରିବେ । ତେଣୁ ସାଙ୍ଗେ ସାଙ୍ଗେ ଆଉ ବିଳମ୍ବ ନ କରି ଅରବିନ୍ଦ ଅନ୍ୟମାନଙ୍କୁ ବଣ ଭିତରକୁ ପଳାଇ ଯିବା ପାଇଁ ସୂଚନା ଦେଲା ।

 

ସବୁ କାମସାରି ଧନୁ ଫେରିବା ବେଳକୁ ରାତି ଅନେକ । ବଂଶଧାରାର କଳକଳଧ୍ଵନି କାନରେ ପଡ଼ୁଥାଏ ବେଦମନ୍ତ୍ରର ମୂର୍ଚ୍ଛନା ପରି । ଅରବିନ୍ଦ ଅନ୍ଧାର ଭିତର ଦେଇ ଅନାଇଲା ବାହାରକୁ । କିଛି ଦେଖାଯାଉ ନ ଥାଏ । ଶାଳବଣ ଭିତରୁ ଭାସି ଆସୁଥାଏ ମୌନବ୍ରତରେ ବସିଥିବା ତପସ୍ଵୀଙ୍କ ନିଃଶ୍ଵାସପ୍ରଶ୍ଵାସର କୋମଳ ମଧୁର ସଂକେତ । ଅନନ୍ତ କାଳଧରି ମଗ୍ନମାଟିର ଏଇ ରୂପ ଆକର୍ଷଣ କରୁଛି ଜଗତକୁ । ପୃଥିବୀର ଐଶ୍ଵର୍ଯ୍ୟ ଦେଖିବା ପାଇଁ ନକ୍ଷତ୍ରମାନେ ଚାହିଁ ରହିଥାନ୍ତି ଅନ୍ତରୀକ୍ଷରୁ । ରାତିର ଏଇ ଉଦାର ରୂପର ତୁଳନା ନାହିଁ ।

 

ଅରବିନ୍ଦ ଧନୁକୁ ବସିବାକୁ ଇଙ୍ଗିତ ଦେଲା । କିଛିକ୍ଷଣ ପରେ ଅନୁଚ୍ଚ ସ୍ଵରରେ କହିଲା–‘‘କ’ଣ କରିବ କିଛି ଠିକ୍‌ ହେଲା ?’’

 

କାନ୍ଥ ଶୁଣି ନ ପାରିବା ପରି ଆହୁରି ଅନୁଚ୍ଚ ସ୍ଵରରେ କହିଲା ଧନୁ ଶବର–‘‘ନଦୀ ସେପାଖରେ ଏଠାକୁ ପ୍ରାୟ କୋଡ଼ିଏ କୋଶ ଦୂରରେ ନୂଆକରି ତିଆରି ହୋଇଥିବା ପୁଲିସ୍‍ ଫାଣ୍ଡି ସହଜରେ ଅକ୍ତିଆର କରିନେଇ ହେବ ବା ଉଡ଼ାଇ ଦେଇ ହେବ... ଯେପରି କହିବ ସେପରି । ସରକାର କାନରେ ବାଜିବ ପ୍ରଥମ ବିସ୍ଫୋରଣର ଶବ୍ଦ । ଫାଣ୍ଡି ଉପରେ ଲାଲ୍‍ ପତାକା ଉଡ଼ାଇ ଦେଲେ ଉଚିତ ଜବାବ ମିଳିବ ସରକାରକୁ ।’’

 

–‘‘କିନ୍ତୁ ଲାଭ ହେବ କ’ଣ ? କେତେଜଣ ନିରୀହ ପୁଲିସ୍‍ ଆହତ ହେବେ ବା ବଳିପଡ଼ିବେ ସିନା, ଆମେ ତ ସିଂହାସନ ଦଖଲ କରିପାରିବା ନାହିଁ ।’’ କହିଲା ଅରବିନ୍ଦ ।

 

ଧନୁଶବର ଶ୍ରୀହରିର ବିଶ୍ଵାସୀ ଅନୁଗତ । ପ୍ରାୟ ପାଞ୍ଚବର୍ଷ ହେବ କାମ କରୁଛି ଦଳରେ-। ଶ୍ରୀହରି କିନ୍ତୁ ତାକୁ ସେନାପତିର ଦାୟିତ୍ୱ ନ ଦେଇ ଅରବିନ୍ଦକୁ ବାଛିଛି । ଏଇ ପ୍ରଥମ ଅଭିଯାନ ଯଦି ଭୁଲ ହୋଇଯାଏ ଦଳକ୍ଷମା ଦବନି କି ସେ ମଥା ଟେକି ଚାଲିପାରିବ ନାହିଁ ।

 

କୁଆଁତାରା ଆକାଶରେ ଉଠିବାବେଳକୁ ସେମାନଙ୍କର ଗୁପ୍ତ ଆଲୋଚନା ଶେଷ ହେଲା-। ଜଙ୍ଗଲ ଭିତରେ ଏଇ ଦୁର୍ଗମ ସ୍ଥାନରେ ଶ୍ଵାପଦ ଓ ସରୀସୃପମାନଙ୍କ ଗହଣରେ ବାସ କରିବା କେଡ଼େ ଭୟଙ୍କର ତାହା ସେଇଦିନ ବୁଝିଲା ଅରବିନ୍ଦ । ଧନୁଶବର ତାକୁ ଆଶ୍ଵାସନା ଦବାପରି କହିଲା–‘‘ତମେ ଟିକେ ଶୋଇପଡ଼ ବାବୁ.... ମୁଁ ନିଘା ରଖୁଛି । ଏଠାକୁ କେହି ଆସିବାର ଭୟ ନାହିଁ.... ଯଦି ବି କେହି ଦୁଃସାହାସ କରେ ତେବେ ତାକୁ ଆମ ସାଥୀମାନଙ୍କର ତିନୋଟି ଘାଟି ଅତିକ୍ରମ କରିବାକୁ ହେବ । କର୍ମୀମାନେ ଜୀବନ ଦେବେ ସିନା କିନ୍ତୁ ଶତ୍ରୁ ଆଗରେ ଆତ୍ମ ସମର୍ପଣ କରିବେ ନାହିଁ ।’’

 

କୋଡ଼ିଏ

 

ମୁକ୍ତିଯୁଦ୍ଧର ବନ୍ଦ ଡାକରା ସଫଳ ହେଲା ନାହିଁ । ନିର୍ଦ୍ଦିଷ୍ଟ ଦିନ ଆଗରୁ କେତେକ ନେତା ଓ କର୍ମୀମାନଙ୍କୁ ପୁଲିସ୍‍ ଗିରଫ କରି ନେଲା ଏବଂ ମାଲକାନଗିରି, କୋରାପୁଟଠାରୁ ଆରମ୍ଭକରି କାଶୀପୁର, ରାୟଗଡ଼ା, ଗଜପତି ପ୍ରଭୃତି ଘାଟିସ୍ଥାନମାନଙ୍କରେ ସଶସ୍ତ୍ର ପୁଲିସ୍‍ ମୁତୟନ କରାଗଲା ଏବଂ ଟ୍ରେନ୍ ଓ ବସ୍‌ରେ ଯେପରି କେହି ଖସିଯାଇ ନ ପାରନ୍ତି ସେଥିପାଇଁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଗଲା ।

 

ତଥାପି ବାଲିମେଳା ଓ ଗଜପତିଠାରେ ପ୍ରତୀକାତ୍ମକ ବନ୍ଦ ପାଳିତ ହେଲା । ବ୍ୟବସାୟୀମାନଙ୍କୁ ପୁଲିସ୍‍ ଦୋକାନ ବଜାର ଖୋଲା ରଖିବା ପାଇଁ ଧମକଚମକ ଦବା ସତ୍ତ୍ୱେ ସେମାନେ କବାଟ ଖୋଲିଲେ ନାହିଁ । ମୁକ୍ତିଯୋଦ୍ଧାମାନଙ୍କ ମୁକାବିଲା କରିବା ପାଇଁ ସେମାନେ ଚାହୁଁ ନ ଥିଲେ । ପୁଲିସ୍‍ ସପ୍ତାହେ କିମ୍ବା ଦୁଇ ସପ୍ତାହ ରହିବ; କିନ୍ତୁ ତା’ପରେ ସେମାନଙ୍କ ନିରାପତ୍ତା ନିଜକୁ ସମ୍ଭାଳିବାକୁ ହେବ । ତାପରେ ମୁକ୍ତିଯୋଦ୍ଧାମାନେ ତ ସମସ୍ତ ବ୍ୟବସାୟୀ, ସରକାରୀ କର୍ମଚାରୀଙ୍କ ବିରୋଧ କରନ୍ତି ନାହିଁ, କେବଳ ସେଇମାନଙ୍କର ବିରୋଧ କରନ୍ତି ଯେଉଁମାନେ ସାଧାରଣ ଲୋକଙ୍କୁ ହାଇରାଣ ହରକତ କରନ୍ତି । ମଦ ପିଇବା ପାଇଁ ଉତ୍ସାହ ଦେଇ ସର୍ବସ୍ଵ ଛଡ଼ାଇ ନିଅନ୍ତି ଏବଂ ଚିରକାଳ ସେମାନଙ୍କ ଭୋଗ ଦଖଲରେ ଥିବା ଘରଡ଼ିହ ଓ ସାମାନ୍ୟ ଚାଷ ଜମି ଚଞ୍ଚକତା କରି ଛଡ଼ାଇ ନିଅନ୍ତି । ଗରିବ ଲୋକମାନଙ୍କ ହିତ ସାଧନ କରିବା ପାଇଁ ପ୍ରଚୁର ଟଙ୍କା ଆସୁଛି । କିନ୍ତୁ ରାସ୍ତା ବା ପୋଲ ନିର୍ମାଣ ନ କରି, ପାଣିକଳ ନ ବସାଇ ବା ବିଦ୍ୟାଳୟ ନ ଖୋଲି ସେଇ ଅର୍ଥ ଆତ୍ମସାତ କରୁଥିବା ଲୋକଙ୍କୁ ସେମାନେ କେବେ କ୍ଷମା କରନ୍ତି ନାହିଁ ।

 

କିନ୍ତୁ ଯେତେବେଳେ ବିଭିନ୍ନ ଅଞ୍ଚଳରେ ଗିରଫ ହୋଇ ଜେଲରେ ଥିବା କର୍ମୀମାନଙ୍କ ଗଣନା କରାଗଲା ସେତେବେଳେ ଶ୍ରୀହରି ଜାଣିଲା ଯେ ଦେଢ଼ଶହ ଅନୁଗତ କର୍ମୀ ଜଙ୍ଗଲରେ । କିନ୍ତୁ ସେମାନଙ୍କ ମଧ୍ୟରେ ଅରବିନ୍ଦର ନାମ ନ ଥିଲା ।

 

ଧନୁ ଶବର ତା’ ପାଖେ ପାଖେ ଥାଏ, ତଥାପି ଅରବିନ୍ଦ କୁଆଡ଼େ ଗଲା ସେ ଖବର ସେ ଦେଇପାରିଲା ନାହିଁ । ଶ୍ରୀହରି ବିରକ୍ତ ହେଲା ଏବଂ କହିଲା–‘‘ତମ ସମସ୍ତଙ୍କୁ ବାରମ୍ବାର ଚେତାଇ ଦେଇଥିଲି ଅରବିନ୍ଦର ତତ୍ତ୍ଵ ନବ । ସେ ଏ ଅଞ୍ଚଳ ପାଇଁ ନୂଆ । ପରିସ୍ଥିତି ସହିତ ପରିଚିତ ନୁହେଁ । କର୍ମୀମାନଙ୍କ ସମ୍ବନ୍ଧରେ ପୂରା ତଥ୍ୟ ନାହିଁ ତା’ ପାଖରେ । ଏ ସବୁ ଜାଣିବି ମୁଁ ତାକୁ ଦାୟିତ୍ୱ ଦେଇଥିଲି ଏଇଥି ପାଇଁ ଯେ ତା’ ଉପରେ ମୋର ପୂରା ଭରସା ଥିଲା ସେ କେବେ ବିଶ୍ଵାସଘାତକତା କରିବ ନାହିଁ କି ଅନ୍ୟାୟ କରୁଥିବା ଲୋକଙ୍କ ସହିତ ସାଲିସ କରିବ ନାହିଁ । ଯଦି ଗୁଣୁପୁରରେ ସେ ସଫଳ ହୁଏ ତେବେ ଅନେକ ବଡ଼ ଦାୟିତ୍ଵ ତାକୁ ଦିଆଯାଇ ପାରିବ ।’’

 

ଧନୁ ଶବର ନେତାଜୀଙ୍କୁ ସଲାମ୍‍ କରି କହିଲା–“ମୋର ଭୁଲ୍‌ ସ୍ୱୀକାର କରୁଛି... ମୁଁ ତାଙ୍କୁ ପେଯରି ହେଉ ଠାବ କରିବି ।’’

 

ତା’ କାନ୍ଧ ଉପରେ ହାତ ରଖି କହିଲା ଶ୍ରୀହରି–‘‘ହନୁମାନ ଉପରେ ରାମଚନ୍ଦ୍ରଙ୍କ ଅଗାଧ ବିଶ୍ଵାସ ଥିଲା, ତୋ ଉପରେ ମୋର ସେଇପରି ବିଶ୍ଵାସ ଅଛି ଧନୁ.... ।’’

 

କ୍ଷଣକ ମଧ୍ୟରେ ଧନୁ ଶବର ଅବସନ୍ନ ମୁହଁ ପୁଣି ସତେଜ ସରସତାରେ ଭରି ଗଲା ।

 

ଶ୍ରୀହରି ଯେପରି ଝଡ଼ ବେଗରେ ଆସିଥିଲା ସେହିପରି ଝଡ଼ବେଗରେ ଅନ୍ଧାର ଭିତରେ ଅଦୃଶ୍ୟ ହୋଇଗଲା । କୁଆଡ଼େ ଗଲା, କେତେବେଳେ ଫେରିବ ବା କେଉଁଠାରେ ରାତି କଟାଇବ ସେ ବିଷୟରେ କିଛି ସୂଚନା ଦେଇଗଲା ନାହିଁ । ତା’ର ଗତିବିଧି ଧନୁଶବର ଠଉରେଇ ଦେଲା ଯେ ସେ ଗୋଟେ ବିଶେଷ ଜରୁରୀ କାର୍ଯ୍ୟରେ ଯାଉଛି, ଲକ୍ଷ୍ୟଭେଦ କରିବ କିମ୍ବା ବିଫଳ ହୋଇ ଫେରି ଆସିବ । କିନ୍ତୁ ଅନିଶ୍ଚିତ ପଛରେ ଧାଇଁବା ପାଇଁ ତ ସେମାନେ ସମସ୍ତେ ସଂକଳ୍ପ କରିଛନ୍ତି । ସ୍ଵାମୀଙ୍କୁ ଅନୁରୋଧ କଲାବେଳେ ସୀତା କ’ଣ ଜାଣିଥିଲେ ସ୍ଵର୍ଣ୍ଣ ମୃଗ ହେଉଛି ମାୟା ମୃଗ । ଅଦୃଷ୍ଟର ଅଭିଶାପ ତାଙ୍କୁ ଭୋଗିବାକୁ ହେଲା । ଲକ୍ଷ୍ମଣ ରେଖା ପାର ହେବାମାତ୍ରେ ତାଙ୍କୁ ଟାଣି ନେଲା ଭିକ୍ଷାଂ ଦେହି କହୁଥିବା ରାବଣ ।

 

ଅରବିନ୍ଦ କ’ଣ ଆତ୍ମରକ୍ଷା କରିବାକୁ ଯାଇ ବାଟବଣା ହୋଇଗଲା ଘନ ଜଙ୍ଗଲ ଭିତରେ ନା ମାୟାମୃଗ ପଛରେ ଧାଇଁ ଥିଲା ତାକୁ ଧରିବା ପାଇଁ । ତାକୁ ଧରିବା ପାଇଁ ଯଦି ଜାଲ ଫାନ୍ଦି ଥାଏ ପୁଲିସ୍‍ ।

 

ସାରାରାତି ଶୋଇ ପାରିଲା ନାହିଁ ଧନୁ ଶବର । ତାକୁ ଛଟପଟ ହେଉଥିବା ଦେଖି ରାଣୀ କହିଲା–‘‘ବାପା ଶୋଇନା ଯେ.... ମୋଡ଼ି ଦେବି ?’’

 

–‘‘ନା ମା, ନିଦ ହେଉନାହିଁ.. କଡ଼ ଲେଉଟାଉଥିଲି... ବରଂ ତୁ ଶୋଇନୁ ଯେ... ଦେହ ଭଲ ଅଛିତ !'’

 

ମା’ ମନେପଡ଼ୁଥିଲା ରାଣୀର । ସେ ଥିଲେ ବାପା ଏମିତି ତିଳ ତିଳ କରି ନିଜକୁ ନିଗାଡ଼ି ଦେଉ ନ ଥାନ୍ତା ଦେଶ କାମରେ । ମା’ କଥା ଭାବୁଭାବୁ କେତେବେଳେ ଶୋଇପଡ଼ିଲା ରାଣୀ ।

 

ସକାଳ ହେବା ଆଗରୁ କିନ୍ତୁ ଘରୁ ବାହାରି ଯାଇଥଲା ଧନୁଶବର । କେହି ଆସି କିଛି ନା କିଛି ଖବର ଦେଇଥିବ ନିଶ୍ଚୟ । ନଚେତ ତାକୁ କିଛି ନ କହି ସେ ଘରୁ ପାହାନ୍ତାରୁ ଚାଲି ଯାଇ ନ ଥାନ୍ତା । ରାଣୀ କିନ୍ତୁ ଚିନ୍ତା କଲା ନାହିଁ । ବିପ୍ଳବୀମାନଙ୍କ ଭାବନା, ଚଳଣି ଅନ୍ୟମାନଙ୍କଠାରୁ ଅଲଗା-। ଶ୍ରୀହରିବାବୁ କେମିତି ଝଡ଼ ପରି ଆସନ୍ତି ପୁଣି ସେହିପରି ବାହାରି ଯାଆନ୍ତି ତାହା ତ ଆଖିରେ ଦେଖୁଛି । ତାଙ୍କ ମାର୍ଗ ଧରିଛନ୍ତି ବାପା । ଭଲକାମ କରିବା ପାଇଁ ହୁଏତ ନିଜର ସୁଖସୁବିଧା ଛାଡ଼ିବାକୁ ହୁଏ । ପିଲାକୁଟୁମ୍ବର ସ୍ଵାର୍ଥ ବିସର୍ଜନ ଦବାକୁ ହୁଏ ଦରକାର ହେଲେ । କିନ୍ତୁ ରାଣୀ ଆଖିମେଲି ଚାହେଁ ଖୋଲା ଆକାଶକୁ, ଖୋଜେ ସେଇ ଆଦର୍ଶକୁ... କିଛି ସମୟ ପରେ ଧ୍ରୁବତାରା ତା’ ଆଖି ଆଗରେ ଆବିର୍ଭାବ ହୁଏ... ରାଣୀର ସକଳ ଜିଜ୍ଞାସାର ସମାଧାନ କରି ।

 

ଶ୍ରୀହରି ଏଇପରି ବେଳେ ବେଳେ ଅନ୍ତର୍ଦ୍ଧାନ ହୋଇଯାଏ । କେଉଁଆଡ଼େ, କାହା ପାଖକୁ ବା କେଉଁ ଉଦ୍ଦେଶ୍ୟରେ ଯାଏ କହିଯାଏ ନାହିଁ । ଏଥର ମଧ୍ୟ ସେହିପରି ହେଲା । କିନ୍ତୁ ଅରବିନ୍ଦକୁ କେଉଁଠି ଠାବ କରିବ ସେଇ ବିଷୟ ଭାବୁଥିଲା ଧନୁ ଶବର । କୁଆଁତାରା ଆକାଶରେ ଉଠିବାବେଳକୁ ସେ ଉଠି ବସିଲା । ନେତାଜୀ ଦେଇଥିବା ସେଇ ଗୁପ୍ତଅସ୍ତ୍ର ସାଙ୍ଗରେ ନେଇ ସେ ଖାଲଢିପ ଡେଇଁ କଙ୍କରିତ ପଥରେ ବଣବୁଦା ଭିତରେ ଆଗେଇ ଚାଲିଲା । ଶାଳବଣ ଭିତରେ ଯାଉଥିବାବେଳେ ନାକରେ ବାଜୁଥିଲା ଶାଳଫୁଲର ବାସ୍ନା । ଏଇ ବୃକ୍ଷଲତାମାନଙ୍କୁ ଦେଖିଲେ, ସେମାନଙ୍କୁ ଛୁଇଁଲେ ଦେହ ଶିରି ଶିରି କରେ ଏକ ଅନାସକ୍ତ ଆତ୍ମୀୟତାରେ । ଗୋଟେ ପଣସ ଗଛ ଛାଇରେ ବସିଲା ଟିକେ । ପାଚିଲା ପଣସର ମହମହ ବାସ୍ନା ତାକୁ ଆମୋଦିତ କରୁଥିଲା, ପେଟ ଭିତରଟା ଘାଣ୍ଟି ଚକଟି ହେଲା ଭୋକରେ । ଏତେବେଳେ ଧନୁର ମନେପଡ଼ିଲା ଯେ ସକାଳେ କିଛି ଖାଇ ନାହିଁ, ଦିପହର ଗଡ଼ିଗଲାଣି ପେଟରେ ଦାନାପଡ଼ି ନାହିଁ । ହାତ ପାହାନ୍ତାରେ ଝୁଲୁଥିବା ପାଚିଲା ପଣସ ଗୋଟେ ତୋଳି ଆଣିଲା । କୋସା ବାହାର କରି ଖାଉ ଖାଉ କେତେବେଳେ ପଣସର ସବୁ କୋସା ତା’ ପେଟ ଭିତରକୁ ଚାଲିଗଲା ସେ ଜାଣି ବି ପାରିଲା ନାହିଁ ।

ପୁଣି ଆଗକୁ ଚାଲିଲା । ବେଳ ରତ ରତ ହେବାବେଳକୁ ସେ ପହଞ୍ଚି ଯାଇଥିଲା କୁସୁମପଦ ଗାଁ ପାଖରେ । ଗାଁ ଭିତରକୁ ନ ଯାଇ ମୁଣ୍ଡିଆ ପାଖରେ ଅପେକ୍ଷା କଲା । ଆକାଶରେ ମେଘ ଉଠିଥିବା ଦେଖି ମୟୂର ପୁଚ୍ଛ ମେଲାଇ ନାଚୁଥାଏ ମୟୂରୀକୁ ଆକର୍ଷଣ କରିବା ପାଇଁ । ମୟୂରୀ ମୋହିତ ହେଉଥାଏ ମୟୂରର ନୃତ୍ୟ ଦେଖି ।

ମୁଁହ ସଞ୍ଜ ପରେ ବାରିପଟ ରାସ୍ତା ଦେଇ ଭରତ ମାଷ୍ଟରଙ୍କ ଅଗଣାରେ ପହଞ୍ଚିଲା ସେ । ବାଡ଼ କବାଟରେ ଠକ୍‍ ଠକ୍‍ କରିବା ପରେ ଭରତ ମାଷ୍ଟରଙ୍କ ସ୍ତ୍ରୀ କବାଟ ଖୋଲି ଲଣ୍ଠନ ଉପରକୁ ଟେକି କହିଲେ–‘‘କିଏ ସେ ?’’

ଉତ୍ତର ଦବାକୁ ହେଲାନି । ଧନୁକୁ ଦେଖି କହିଲେ–“କି ଅପୂର୍ବ... ଏଇ ଅନ୍ଧାରରେ ବାରିପଟେ ଠିଆ ହୋଇଛ ଯେ... ?’’

ଧନୁଶବର ଘର ଭିତରକୁ ପ୍ରବେଶ କଲା । କବାଟ କିଳି ସୀତା ଦେବୀ କହିଲେ–“ଅନେକ ବାଟ ଯେ ଚାଲି ଆସିଛ ତାହା ତୁମ ଧୂଳିଧୂସର ଦେହରୁ ଜାଣିପାରୁଛି । କୂଅମୂଳେ ଗରାଅଛି, ଦଉଡ଼ି ବି ଅଛି । ଧୁଆଧୋଇ ହୋଇଯାଅ । ସେତେବେଳକୁ ମାଷ୍ଟ୍ରେ ଫେରି ଆସିଥିବେ ।’’

ଭରତ ମାଷ୍ଟର ଧନୁଶବରର ପିଲାଦିନର ସାଙ୍ଗ । ଏକା ସ୍କୁଲରେ ପଢ଼ୁଥିଲେ । ଧନୁ ପଞ୍ଚମରୁ ପାଠ ଛାଡ଼ି ଘରକୁ ଫେରିଆସିଲା, କିନ୍ତୁ ଭରତ ମେଟ୍ରିକ ପାସ୍‌ କରି ଟ୍ରେନିଂ ନେଲେ । ତା’ ପରେ ମିଳିଗଲା ସରକାରୀ ଚାକିରୀ । କୋଡ଼ିଏ ବର୍ଷ ହେଲାଣି ଶିକ୍ଷକତା କରୁଛନ୍ତି । ଦଶ ମାଇଲ ଦୂରରେ ତାଙ୍କ ନିଜ ଗାଁ । ତାଙ୍କ ଗାଁଠାରୁ ଆଉ ପାଞ୍ଚ ମାଇଲ ଦୂରରେ ଧନୁ ଶବର ଗାଁ ।

ସରକାରୀ ଚାକିରୀ କରିବା ପରେ ବି ପିଲାଦିନ କଥା ଭୁଲି ନାହାଁନ୍ତି ଭରତ ମାଷ୍ଟ୍ରେ । ସେ ଶ୍ରୀମା, ଶ୍ରୀ ଅରବିନ୍ଦଙ୍କ ଭକ୍ତ । ନିଜ ଘରେ ସପ୍ତାହକୁ ଥରେ ରବିବାର ସଞ୍ଜବେଳେ ପାଠଚକ୍ର ହୁଏ । ଆଠଦଶଜଣ ମାତୃଭକ୍ତ ଠୁଳ ହୁଅନ୍ତି । ଶ୍ରୀଅରବିନ୍ଦଙ୍କ ରଚନା ପଢ଼ି ଆଲୋଚନା କରନ୍ତି । କେତେବେଳେ କେମିତି ବାବାଜୀ ମହାରାଜଙ୍କ ପ୍ରବଚନ ବି ପଢ଼ାଯାଏ । ଶାସ୍ତ୍ର ପୁରାଣ ବି ଆଲୋଚିତ ହୁଏ ।

ଧନୁଶବର ଧୁଆଧୋଇ ହୋଇ ଆସିବାବେଳକୁ ଭରତ ମାଷ୍ଟେ ଫେରି ଆସିଥିଲେ ହାଟରୁ । ଶନିବାରକୁ ଥରେ ହାଟ ବସେ କୁସୁମପଦା ଗାଁ ମୁଣ୍ଡରେ । ସେଇ ଠାରେ ପଞ୍ଚାୟତ ଅଫିସ, ଶସ୍ୟ ଗୋଲା, ଷ୍ଟକ୍‌ମ୍ୟାନ୍ ଅଫିସ୍‌, ଗ୍ରାମସେବକଙ୍କ ଘର ।

ଧନୁକୁ ନିଜ ଘରେ ଦେଖି କୁଣ୍ଢାଇ ପକାଇଲେ ଭାରତ ମାଷ୍ଟର । ଭଲମନ୍ଦ ବୁଝିଲେ । ରାଣୀ କଥା ପଚାରିଲେ ଏବଂ ତା’ପରେ ଅନୁଚ୍ଚ ସ୍ଵରରେ ପଚାରିଲେ–‘‘କାମ କେମିତି ଚାଲିଛି... ? ନେତାଜୀ ଭଲ ଅଛନ୍ତି ତ ?'’

ଧନୁଠାରୁ ସବୁ ଖବର ଶୁଣିବା ପରେ କହିଲେ ଭରତ ମାଷ୍ଟ୍ରେ–“ଆଜି ହାଟକୁ ଦଳ ବଳ ହୋଇ ଆସିଥିଲେ ଥାନା ବାବୁ । ସାବିତ୍ରୀବ୍ରତ ଉପଲକ୍ଷ୍ୟ କରି ଫଳମୂଳ କିଣିଲେ ହାଟରୁ, କିନ୍ତୁ ତାଙ୍କ ଉଦ୍ଦେଶ୍ୟ ଯେ ନିଆରା ତାହା ତାଙ୍କ ଚକ୍ରପରି ଘୂରୁଥିବା ଆଖିରୁ ବୁଝିଥୁଲି ମୁଁ ।’’

–‘‘କିଛି କହିଲେ ?’’

 

–‘‘ହଁ, ଯିବାବେଳେ ସଭିଙ୍କୁ ଶୁଣାଇବା ପରି କହିଗଲେ ଯେ ବାହାର ଲୋକ ଗାଁକୁ ଆସିଲେ ଖବର ଦବ... ଚୋରୀ ଡକାୟତି ବଢ଼ୁଛି... ତିନିମାସ ଭିତରେ ଦୁଇଟା ମର୍ଡ଼ର କେସ୍‌ ମୋ ଇଲାକାରେ । ମୁଁ କିନ୍ତୁ ଜାଣେ କିଏ ଏସବୁ କରିଛି । କେତେଦିନ ଲୁଚିଲୁଚି ବୁଲିବ ଅପରାଧୀ ? ଆଇନର ହାତ ଅନେକ ଲମ୍ବା...”

 

ଧନୁ ମନକୁ ମନ କହିଲା–“ଭାଗ୍ୟକୁ ମୁଁ ମୁଣ୍ଡିଆ ଆଡ଼ୁ ଆସିଲି । ଗାଁ ଲୋକ କିନ୍ତୁ ଠୁଳ ହୋଇଥିଲେ ପୂର୍ବରେ ଥିବା ହାଟ ଗଡ଼ିଆରେ ।’'

 

ଭରତ ମାଷ୍ଟର କହିଲେ–‘‘ସମୟ ଖରାପ । ସାବଧାନ ଥିବୁ... ।’’ ପଖାଳ କଂସା ପାଖରେ ଦୁଇ ବନ୍ଧୁ ବସିଲେ । ପଖାଳ ସହିତ ଶୁଖୁଆ ପୋଡ଼ା, କୁନ୍ଦୁରି ରାଇ ଆଉ ଶାଗ ଭଜା, ପିଆଜ, ଲଙ୍କା ମରିଚ ।

 

ତୋରାଣିତକ ପିଇ ସାରି ହାକୁଟି ମାରି କହିଲା ଧନୁ ଶବର–‘‘ଭୋକରେ ପେଟ ଘାଣ୍ଟି ଦେଉଥିଲା । ଅନ୍ନ ପଡ଼ିଲା ପେଟରେ । ଏବେ ଶାନ୍ତି...’’

 

ମେଘଭର୍ତ୍ତି ଆକାଶକୁ ଚାହିଁ କହିଲେ ମାଷ୍ଟ୍ରେ–“ଦିନେ ଦି’ଦିନ ମଧ୍ୟରେ ବର୍ଷା ହେବ ବୋଧହୁଏ... ଏସନ ତ ଭଲ ବର୍ଷା ହେବ ବୋଲି ଲେଖୁଛି ପାଞ୍ଜିରେ । ଆଉ ଆଠ ଦଶ ଦିନ ପରେ ମୌସୁମୀ ବର୍ଷା ଓଡ଼ିଶାରେ ପହଞ୍ଚି ଯାଇପାରେ ।’’

 

“କିନ୍ତୁ ରାସ୍ତାଘାଟ ବନ୍ଦ ହୋଇଯିବା ଆଗରୁ ତା’ଙ୍କୁ ଠାବ ନ କଲେ ପରେ ଅବସ୍ଥା ଜଟିଳ ହେବ... ।’’

 

Unknown

–‘‘କାହାକୁ ଠାବ କରିବୁ ?’’ ପଚାରିଲେ ମାଷ୍ଟ୍ରେ ।

 

ଫିସ୍‌ ଫିସ୍‌ କରି ଧନୁଶବର ସବୁ କଥା କହିଗଲା ଭରତ ଆଗରେ । ସବୁ ଶୁଣିସାରି କହିଲେ ମାଷ୍ଟ୍ରେ–“ଅରବିନ୍ଦକୁ କେହି ଅପହରଣ କରିନାହିଁ ତ ?'’

 

–“ହୁଏତ ତାହା ବି ହୋଇପାରେ । ପାଦ ତଳୁ କଣ୍ଟା କାଢ଼ିବା ପରି ତାଙ୍କୁ ଯଦି ଗୁଣୁପୁରରୁ ହଟାଇ ଦିଆଯାଏ ତେବେ ନିଷ୍କଣ୍ଟକ ହେବେ ସାହୁକାର ମହାଜନମାନେ । ପୁଲିସ୍‍ ବି ଶାନ୍ତିରେ ବସିବ ।’’

 

ଦୁଇବନ୍ଧୁ ଏ ବିଷୟରେ ଅନେକ ସମୟ ପର୍ଯ୍ୟନ୍ତ ଆଲୋଚନା କଲେ ।

 

ହଠାତ ଗୋଟେ ଭାବନା ମନକୁ ଆସିଲା ଭରତ ମାଷ୍ଟ୍ରଙ୍କର । ଅରବିନ୍ଦ ଯେ ଗୁଣପୁରରେ ନାହିଁ ଏହା ନିଶ୍ଚିତ । କିନ୍ତୁ ତାଙ୍କୁ ଅପହରଣ କରି ସେମାନେ ରଖିଥିବେ କେଉଁଠି ? ଏହାର ଉତ୍ତର ଦେଇ ସେ ମନକୁ ମନ କହିଲେ ଶିକାର କରିବା ସାଇବମାନଙ୍କର ଥିଲା ଗୋଟେ ସଉକ । ସେଥିପାଇଁ ନିଘଞ୍ଚ ଜଙ୍ଗଲ ଭିତରେ ପାଣି ଧାର ଥବା ଜାଗାରେ ମଞ୍ଚା ବାନ୍ଧୁଥି‌ଲେ । ଟିକିଏ ଦୂରରେ ବଖରାଏ ଘର ବି ତୋଳୁଥିଲେ ଖିଆପିଆ ଓ ମଉଜ ମଜଲିସ କରିବା ପାଇଁ । ସେଇ ଘରଟା ପଞ୍ଚାୟତ ହାତରେ ଅଛି । ସରପଞ୍ଚ ହାତରେ ଚାବିକାଠି । ଯଦି ସରପଞ୍ଚକୁ ହାତକରି ସେଇଠି କିଛି କରାଯାଇଥାଏ ।

 

ଭରତ ମାଷ୍ଟରଙ୍କ କଥା ମନକୁ ପାଇଲା ଧନୁର । ଥରେ ସେଠାରେ ଖୋଜି ଆସିଲେ କ୍ଷତି କ’ଣ ?

 

ମାଷ୍ଟ୍ରେ କହିଲେ–“ତୁ ଦିନସାରା ବାହାରକୁ ଯିବୁ ନାହିଁ । ମୁଁ ଗାଁକୁ ଯିବା ବାହାନା କରି ବାଟଭାଙ୍ଗି ସାଇବ କୋଠି ଦେଖି ଆସିବି ।’’

 

ରାତି ଢେର୍‍ ହୋଇଥିଲା, ମସିଣା ଉପରେ ଆକାଶକୁ ମୁହଁକରି ଦୁଇବନ୍ଧୁ ଶୋଇପଡ଼ିଲେ ।

 

କିନ୍ତୁ ଅସମୟରେ କବାଟରେ ଧକ୍କା ମାରିବାର ଶବ୍ଦ ଶୁଣି ଧନୁ ଶବର ଏକା କୁଦାରେ ଉଠି ବସିବା ବେଳକୁ ବାରି ଦୁଆର ଦେଇ ତାକୁ ବାହାରକୁ ପଠାଇଦେଲେ ଭାରତ ମାଷ୍ଟ୍ର । ତାପରେ ଗୋଟିଏ ମସିଣା ଉଠାଇ ଭିତରେ ରଖିଦେଇ କବାଟ ଖୋଲିବାବେଳକୁ ଚୌକିଦାର ସହିତ ସରପଞ୍ଚବାବୁଙ୍କୁ ଦୁଆର ମୁହଁରେ ଦେଖି କହିଲେ–‘‘ଏତେ ରାତିରେ ?’’

 

–“ହଁ, ବିଡ଼ିଓ ବାବୁ ସରଜମିନରୁ ଫେରିବା ବାଟରେ ଅଟକି ଗଲେ ସ୍କୁଲ୍ ଆଗରେ । ସେଇଠି ରାତି କଟାଇବେ । ଆପଣଙ୍କୁ ବ୍ୟବସ୍ଥା କରିବାକୁ ହେବ ।’’

 

ଚାବିକାଠି ନେଇ ବାହାରି ଯିବା ପୂର୍ବରୁ ସ୍ତ୍ରୀଙ୍କୁ କହିଗଲେ ।

 

ବିଡ଼ିଓ ବାବୁ ଓ ଅନ୍ୟମାନଙ୍କ ଶୋଇବା ପାଇଁ ବ୍ୟବସ୍ଥା କରି ଫେରିବା ପରେ ସୁସୁରି ମାରି ସଂକେତ ଦେଲେ ଧୁନୁକୁ ଆସିବା ପାଇଁ । କିନ୍ତୁ ଭରତ ମାଷ୍ଟରଙ୍କ ପାଖରୁ ରାତିର କଥା ଶୁଣିବା ପରେ କାହିଁକି କେଜାଣି ଧନୁର ସନ୍ଦେହ ଘନୀଭୂତ ହେଲା । ଏତେ ରାତିରେ ସରଜମିନ କରିବା ପାଇଁ ଅଫିସରମାନେ ଆସନ୍ତି ନାହିଁ ଜଙ୍ଗଲ ଇଲାକାକୁ । ନିଶ୍ଚୟ କିଛି ଗୁରୁତର ବିଷୟ ୟା’ ପଛରେ ରହିଛି । ଗଣ୍ଠି ଫିଟିଲେ ସବୁ ରହସ୍ୟ ପଦାରେ ପଡ଼ିବ ।

 

ଭରତ ମାଷ୍ଟ୍ରେ ସମ୍ମତ ହେଲେ ଧନୁ ସହିତ । ସେ କହିଲେ–‘‘ବର୍ତ୍ତମାନ କ’ଣ କରିବୁ ଭାବୁଛୁ...’’

 

–‘‘ଆଉ କାଳ ବିଳମ୍ବ, ନ କରି ମୁଁ ଯିବି ସାହେବ କୋଠିକୁ ବାବୁର ତଲାସ କରିବା ପାଇଁ-। ହୁଏତ ସରକାର ତାଙ୍କୁ କେଉଁଠି ଲୁଚାଇ ରଖିଛି... .’’

 

–‘‘ଏକା ଏକା ଯିବୁ ?’’

 

–“ହଁ, ଏ କାମରେ ଅନ୍ୟ ଲୋକଙ୍କୁ ସାଙ୍ଗରେ ନବା ନିରାପଦ ନୁହେଁ । ତୁ ତ ଚାକିରି କରିଛୁ । ନ ହେଲେ ସାଙ୍ଗ ହେଇ ଯାଇଥାନ୍ତେ.... ।’’

 

ଶୁଭକାମନା ଜଣାଇଲେ ମାଷ୍ଟ୍ରେ । ଆକାଶ ଫର୍ଚ୍ଚା ହେବା ପୂର୍ବରୁ ଧନୁ ବାହାରିଗଲା ସାହେବ କୋଠି ଅଭିମୁଖେ । ବଣବାଟ ତାକୁ ଜଣା । ପାହାନ୍ତା ହେବା ପୂର୍ବରୁ ସେ ପହଞ୍ଚିଗଲା କୋଠି ପାଖରେ । ଚାରିଆଡ଼ ପାତଳ ଅନ୍ଧାର । ସ୍ଵର ଶବ୍ଦ ନାହିଁ । ମେଘାଚ୍ଛନ୍ନ ଆକାଶରୁ ବିନ୍ଦୁଏ ବିନ୍ଦୁଏ ପାଣି ପଡ଼ିବାକୁ ଆରମ୍ଭ କରିଥିଲ ସେତେବେଳେକୁ । ଘର ଭିତରୁ ଚେନାଏ ଆଲୁଅ ଝରକା ଫାଙ୍କ ଦେଇ ଛିଟିକି ପଡ଼ିଥିଲା ବାହାରକୁ ।

 

ଧୀରେ ଧୀରେ ଆଗେଇଲା ଧନୁଶବର । ନେତାଜୀ ଦେଇଥିବା ସେଇ ଗୋପନ ଅସ୍ତ୍ରହିଁ ତାର ସାହାଭରସା । ବାରଣ୍ଡାରେ ଶୋଇ ପଡ଼ିଥିଲେ ଚାରିଜଣ କନେଷ୍ଟବଳ । କବାଟରେ ତାଲା ଝୁଲୁଥିବା ଦେଖି ଧନୁ ଶବରର ବୁଝିବାକୁ ବାକି ରହିଲା ନାହିଁ ଯେ ଭିତରେ ହୁଏତ ଏପରି କିଛି ମୂଲ୍ୟବାନ ଜିନିଷ ଅଛି ଯାହାର ସୁରକ୍ଷା ପାଇଁ ତାଲା କେବଳ ଯଥେଷ୍ଟ ନୁହେଁ, ଚାରିଜଣ ସିପାହୀ ପହରା ଦବା ପାଇଁ ନିଯୁକ୍ତ ହୋଇଛନ୍ତି ।

 

ସାଂକେତିକ କେତେକ ଶବ୍ଦ ଶୁଣି ନିଜ ଭାଙ୍ଗିଗଲା ଅରବିନ୍ଦର । ଧୀରେ ଧୀରେ ଉଠି ଆସି ଲଣ୍ଠନଟା ଲିଭାଇ ଦେଲା ସେ । ତା’ପରେ ଝରକା ପାଖରେ ଠିଆ ହୋଇଥିବା ଛାୟାମୂର୍ତ୍ତିକୁ କହିଲା–‘‘ନେତାଜୀ ପଠାଇଛନ୍ତି ?’’

 

–“ନା, ମୁଁ ନିଜେ ଆସିଛି । ବାହାରି ଆସ... । ରାତି ପାହିବାବେଳକୁ ଆମେ ଘନଜଙ୍ଗଲ ଭିତରେ ପହଞ୍ଚି ଯାଇଥିବା ।’’ ତାଲା ଭାଙ୍ଗିବାର ଉପାୟ ନ ପାଇ କ’ଣ କରିବ ଭାବୁଥିବାବେଳେ ଧନୁଶବର ଝର୍କାର ଦୁଇଟା ଲୁହା ରଡ଼ ବଙ୍କାଇ ଦେଇ କହିଲା–‘‘ଏଇ ବାଟ ଦେଇ ପଳାଇ ଆସ ବାବୁ... ପତଳା ଲୋକ ଅସୁବିଧା ହେବ ନାହିଁ ।’’ ସେତେବେଳକୁ ବର୍ଷାର ବଡ଼ ବଡ଼ ଟୋପା ପଡ଼ୁଥାଏ ମାଟି ଉପରେ, ଶୀତଳ ପବନ ବହିବାକୁ ଆରମ୍ଭ କରିଥାଏ ।

ଅରବିନ୍ଦ ପଦାକୁ ଆସିବା ପରେ ଧନୁଶବର ପଛେ ପଛେ ଦୌଡ଼ିବାକୁ ଲାଗିଲା ଏବଂ ଠିକ୍‌ ସେହି ସମୟରେ ବଣ କୁକୁଡ଼ା ଡାକିଲା ସମସ୍ତଙ୍କୁ ଜଣାଇ ଦବା ପାଇଁ ଯେ ସକାଳ ହେଲାଣି । ମେଘ ଘୋଟିଥାଏ ଆକାଶର ସବୁ ଦିଗରେ । ଅନ୍ଧାର ବହଳ ହୋଇଯାଉଥାଏ ସେଇ ଦିଗରେ । ଶେଷ ରାତିର ବର୍ଷା ଓ କୁଆପଥର ମାଡ଼ ଗଜଲ ପରି ଶୁଣାଯାଉଥାଏ କାନକୁ । ସିପାହୀମାନେ ନିଶ୍ଚିନ୍ତରେ ଶୋଇ ଯାଇଥାନ୍ତି ବର୍ଷା ଭିଜା ଶୀତଳ ପବନର ପରଶ ପାଇ ।

 

ସେମାନେ ଦୌଡ଼ୁଥିଲେ । ବଣ ବୁଦା, କଣ୍ଟା ଓ ଖାଲ ଢିପ ରାସ୍ତା ସେମାନଙ୍କୁ ଆହୁରି ଯୋରରେ ଦୌଡ଼ିବା ପାଇଁ ଆଖି ଠାରୁଥାଏ ଯେପରି । ଗଛର ଡାଳପତ୍ର ଉପରେ ବୃଷ୍ଟିପାତ ତବଲା ବାଦନ ପରି ଶୁଣାଯାଉଥାଏ କାନକୁ । ଶିରିଶିରି ପବନରେ ପୁଲକି ଉଠୁଥାଏ ମାଟି ଫଟାଇ ଉପରକୁ ଉଠୁଥିବା ଦୁର୍ବାଦଳ ।

 

ଗଭୀର ଅରଣ୍ୟ ଭିତରେ ପ୍ରବେଶ କରିବା ପରେ ସେମାନେ ଗୋଟେ ଝଙ୍କାଳିଆ ବରଗଛ ମୂଳେ ଠିଆ ହେଲେ ବର୍ଷାମାଡ଼ରୁ ରକ୍ଷା ପାଇବା ପାଇଁ । ପୂର୍ବ ଦିଗରେ ଠୁଳ ହୋଇଥିବା କଳାହାଣ୍ଡିଆ ମେଘ ଆବୋରି ରଖିଥାଏ ଆକାଶକୁ ।

 

ପ୍ରକୃତି ଯେପରି ସହାୟ ହେଲା ସେମାନଙ୍କୁ । ସାହେବ କୋଠିରୁ ଖସି ଆସିଥିବାରୁ ଅରବିନ୍ଦର ଶିରାପ୍ରଶିରାରେ ବିଦ୍ରୋହର ପ୍ରଥମ ଉଚ୍ଚାରଣ ତାକୁ ଉତ୍ତେଜିତ କରି ରଖିଥାଏ ଏବଂ ତାକୁ ନ କହି ମଧ୍ୟ ଧନୁ ଶବର ଅନୁଭବ କରୁଥାଏ ଗଡ଼ ଜିଣିବାର ଉଲ୍ଲାସ । ନେତାଜୀଙ୍କ ଆଖିରେ ତା’ର ପତିଆରା ଯେ ଆହୁରି ବଢ଼ିଯିବ ଏଇ ଆଶ୍ଵାସନା ଚନ୍ଦନ ବୋଳି ଦେଉଥାଏ ତାର ଅନ୍ତରାତ୍ମାରେ ।

 

ଏତେବେଳେ ସୁଯୋଗ ପାଇ କହିଲା ଅରବିନ୍ଦ–“ଶ୍ରୀ ହରି କେଉଁଠି ? ମୋତେ ତ ବନ୍ଦ ପାଳନର ଅଡ଼ଚାଳିଶ ଘଣ୍ଟା ପୂର୍ବରୁ ପୁଲିସ୍‍ ଗିରଫ କରି ଆଣି ରଖିଥିଲା ଏଇ ନିର୍ଜନ ସାହେବ କୋଠିରେ । ସେମାନେ ମୋତେ କୌଣସି ଶାରୀରିକ ନିର୍ଯ୍ୟାତନା ଦେଇନାହାନ୍ତି ସତ କିନ୍ତୁ ମୋଠାରୁ ଶ୍ରୀହରି ସମ୍ପର୍କରେ ବା ଦଳର କାର୍ଯ୍ୟକ୍ରମ ସମ୍ପର୍କରେ କୌଣସି ନିର୍ଭରଯୋଗ୍ୟ ସୂଚନା ନ ପାଇ ସିଆଇଡ଼ି ଇନିସ୍‌ପେକ୍ଟର ଯେ ସୁବିଧା ପାଇଲେ ମୋତେ ପାନେ ଦେବେ ଏଇ ଚିହ୍ନ ତାଙ୍କ ମୁହଁ ଉପରେ ଫୁଟି ଉଠିବାର ଦେଖୁଛି ମୁଁ ।’’

 

ଧନୁ ତା’ କାନ୍ଧ ଉପରେ ହାତରଖି କହିଲା–‘‘ତମକୁ ସହଜରେ ଛାଡ଼ିବେ ନାହିଁ । ଏଠାରେ ବର୍ତ୍ତମାନ ରହିବା ମଧ୍ୟ ନିରାପଦ ନୁହେଁ । ବରଂ ଗୁଣୁପୁର ଅଞ୍ଚଳ ଛାଡ଼ି ଚିଲିକା ଅଞ୍ଚଳକୁ ଚାଲିଗଲେ ହେବ । ବ୍ରହ୍ମଗିରିରେ ଆମର ବିଶ୍ଵସ୍ତ ସମର୍ଥକ ଅଛନ୍ତି ।’’

 

ଏକୋଇଶ

 

ଦିନସାରା ବଣ ଭିତରେ କଟାଇଦେଲେ ସେମାନେ । ବାଟ ଚାଲି ଚାଲି ଥକ୍କା ଲାଗିଲେ କୌଣସି ଝଙ୍କାଳିଆ ଗଛମୂଳେ କିଛି ସମୟ ବସି ଯାଆନ୍ତି । ଗଛ ଡାଳରେ ବସିଥିବା ପକ୍ଷୀମାନଙ୍କୁ ଦେଖି ଧନୁକୁ ପଚାରେ ଅରବିନ୍ଦ–‘‘ଇଏ କୋଉ ପକ୍ଷୀ ? ଦେଖିବାକୁ କେଡ଼େ ସୁନ୍ଦର... ।’’ ତା’ ପ୍ରଶ୍ନର ଉତ୍ତର ଦେଇ ଧନୁ ଶବର କହେ ଏଇଟା ପରା ହଳଦୀ ବସନ୍ତ । ଆଉ ସେଇ ଗଛକୁ ଖୁମ୍ପୁଥିବା ପକ୍ଷୀକୁ ଦେଖ... ସେଇଟା କାଠହଣା ପକ୍ଷୀ । ତା’ ଥଣ୍ଟର ଧାରୁଆ ମୁନରେ ସେ ଗଛ କାଟି ଚାଲିଥାଏ ମନକୁ ମନ । ବଣର ଶୋଭା ମୁଗ୍‍ଧ କରେ ଅରବିନ୍ଦକୁ । ବଣର ଫୁଲ ଫଳ ଏବଂ ଡାଳପତ୍ରର ବାସ୍ନା ନାକରେ ବାଜିଲେ କ୍ଳାନ୍ତି ଦୂର ହୋଇଯାଏ ଶରୀରରୁ । ଗୋଟେ ପଥୁରିଆ ଜାଗାରେ ଝୁଣ୍ଟି ପଡ଼ିଲା ଅରବିନ୍ଦ । ତା’ର ଡାହାଣ ଗୋଡ଼ର ବୁଢ଼ା ଆଙ୍ଗୁଠିର ମାଉଁସ ମେଞ୍ଚାଏ ଉଠିଯାଇ ରକ୍ତ ଝରିଲା । ତାକୁ ସାହସ ଦେଇ କହିଲା ଧନୁ–‘‘ଏଇନେ ଉଷୁଦ ଲଗାଇ ଦେବି.... ରକ୍ତବନ୍ଦ ହୋଇଯିବ, ବଥା କମିଯିବ... ତମେ ଟିକେ ବସତ ପଥର ଉପରେ ।’’ ଅରବିନ୍ଦକୁ ବସାଇଦେଇ ଧନୁଶବର ହନୁମାନ ପରି ଖୋଜି ବୁଲିଲା ସେଇ ଔଷଧୀୟ ଲତା । ଅଳ୍ପ ସମୟପରେ ସେ ଫେରିଲା ଗୋଟେ ଗଛ ହାତରେ ଧରି । ଗଛମୂଳକୁ ପଥରଦ୍ଵାରା ଛେଚି ରସ ନିଗାଡ଼ି ଲଗାଇ ଦେଲା କ୍ଷତ ସ୍ଥାନରେ ଏବଂ ଚେରରୁ ଟିକେ ଏବଂ କିଛି ରସ କ୍ଷତସ୍ଥାନ ଉପରେ ରଖି ଖଣ୍ଡେ କନା ବାନ୍ଧି ଦେଲା ଆଙ୍ଗୁଳି ଉପରେ ।

 

ଦି’ପହର ଖରାବେଳଟା କଟିଗଲା ବଣ ଭିତରେ । ପେଟ ଜଳୁଥାଏ ଭୋକରେ । ଶୋଷରେ ତଣ୍ଟି ଶୁଖିଯାଉଥାଏ । ଟିକେ ଦୂରରେ ଗୋଟିଏ ଜାମୁକୋଳି ଗଛ ମୂଳରେ ଠିଆ ହୋଇ କହିଲା ଧନୁ–‘‘ଦେଖିଲ ବାବୁ.. କଳା କଳା ପାଚିଲା ଜାମୁକୋଳି ଭର୍ତ୍ତି ହୋଇଛି ଡାଳ ମାନଙ୍କରେ ।’’ ସେ ଗଛ ଉପରକୁ ଉଠିଲା ଏବଂ ପାଚିଲା ଜାମୁକୋଳି ତୋଳି ତଳକୁ ପକାଇଲା । ସେ ଉପରୁ ପକାଉଥାଏ ଏବଂ ଅରବିନ୍ଦ କୁଢ଼ାଉଥାଏ ଭୂଇଁ ଉପରୁ । ପାଛିଆଏ ଜାମୁକୋଳି ପେଟ ଭରି ଖାଇଲେ ଦୁହେଁ । ଭୋକ ଶୋଷ ଅନେକ ପରିମାଣରେ ଶାନ୍ତ ହେଲା ।

 

ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସେମାନେ ବଣ ଭିତରେ ସମୟ କଟାଇ ସନ୍ଧ୍ୟା ଆଗରୁ ବଂଶଧାରା ନଦୀ ଧାରେ ଧାରେ ଚାଲିଲେ । ଗୁଣୁପୁର ସୀମା ପହଞ୍ଚିବା ପୂର୍ବରୁ ସେମାନେ ନଦୀ ପାର ହେଲେ ସଡ଼କ ଆଡ଼କୁ ଯାଉଥିବା ବାଟରେ । ରାତି ଦୁଇଘଡ଼ି ହୋଇଥିବ, ସେମାନେ ସଡ଼କ କଡ଼ର ଗୋଟେ ଆମ୍ବଗଛ ମୂଳେ ଥିବା ଢାବାରେ ପହଞ୍ଚିଲେ । ମୁହଁ ହାତ ଧୋଇ ଜଳଖିଆ ଓ ଚା’ ଖାଇଲେ ।

 

ଅରବିନ୍ଦ ଗୋଟେ ଖଟ ଉପରେ ଟିକେ ଶୋଇପଡ଼ିବାରୁ ଧନୁ ଶବର ଚାଲିଗଲା ଛିଡ଼ାହୋଇଥିବା ଟ୍ରକ୍‌ଗୁଡ଼ା ପାଖକୁ । ଟ୍ରକ୍‌ଚାଳକମାନଙ୍କ ହାବଭାବ ଦେଖି ଫେରି ଆସୁଥିବା ବେଳେ ଗୋଟେ ଟ୍ରକ୍‌ଆସି ଛିଡ଼ା ହେଲା ଢାବା ଆଗରେ । ଡ୍ରାଇଭର ଖପ୍‌କିନା ତକଳୁ ଡେଇଁ ପଡ଼ି ଢାବା ଆଡ଼କୁ ଆଗେଇ ଯାଉଥିବାବେଳେ ତା’ ହାତ ଧରି ପକାଇ କହିଲା ଧନୁ–‘‘ଚିହ୍ନି ପାରୁନ କି ସଙ୍ଗାତ ?’’ କେଶବ ଗଉଡ଼ ତାକୁ କୁଣ୍ଢେଇ ପକାଇ କହିଲା–‘‘କୋଉଠି ଥିଲ, କୁଆଡ଼େ ଯାଉଛ... ସବୁ ଭଲ ତ ! ଆସ ଚା’ ପିଇବା... !’’

 

ଟିକେ ଆଗରୁ ଧନୁ ଚା’ ପିଇଥିଲା, କିନ୍ତୁ ସଙ୍ଗାତର ଅନୁରୋଧ ଏଡ଼ି ନ ପାରି ତା’ ସାଙ୍ଗରେ ବସିଲା ଗୋଟିଏ ବେଞ୍ଚରେ । ପାଉଁରୁଟି ଆଉ ଚା’ ଖାଇଲେ ଦୁହେଁ । ଧନୁ କହିଲା–‘‘ଘର ଖବର କ’ଣ ? କେତେଦିନ ହେଲା ଗାଁକୁ ଯାଇନ ? ଆଉ ସବୁ କିମିତି ଚାଲିଛି .... ।’’

 

ତା’ ହାତ ଚିପି ଦେଇ ସଂକେତ ଦେଲା କେଶବ ଏତେ କଥା ନ ପଚାରିବା ପାଇଁ । ଚା’ ପି ସାରି ଦୁହେଁ ଟ୍ରକ୍‌ପାଖକୁ ଫେରୁଥିବାବେଳେ ଧନୁ କହିଲା–‘‘ମୁଁ ତ ବାହାରେ ବୁଲୁଛି । ମୋ ସାଙ୍ଗରେ ଜଣେ ନିଜ ଲୋକ ଅଛନ୍ତି । ପଢ଼ୁଆ ଟୋକା । ତାଙ୍କୁ ବାଲୁଗାଁ ନେଇ ଯାଇପାରିବ ?’’

 

–‘‘ନିଶ୍ଚୟ ନେଇଯିବି, କିନ୍ତୁ ବାଲୁଗାଁରେ କ’ଣ କାମ ?’’

 

–‘‘ବାଲୁଗାଁରେ କାମ ନାହିଁ, କିନ୍ତୁ ପାରିକୁଦରେ କାମ ଅଛି । ଡଙ୍ଗା ମିଳିଯିବ ସେଠାରୁ । ତମେ ସାହାଯ୍ୟ କଲେ ମୁଁ ଋଣୀ ରହିବି ।’’

 

କେଶବ ଫିସ୍‌ ଫିସ୍‌ କରି ଧନୁର କାନ ପାଖରେ କହିଲା–‘‘ଆଉ ସବୁ ଖବର କ’ଣ ? ନେତାଜୀ କୋଉଠି ? ଖବର କାଗଜରେ ଯାହା ବାହାରିଛି ତମେ ପଢ଼ିଛ ?’’

 

ଧନୁ କହିଲା–‘‘ନା, ଦୁଇଦିନ ହେଲା ମୁଁ ଜଙ୍ଗଲ ଭିତରେ ଥିଲି ... ।’’

 

–‘‘ବିଡ଼ିଓ ଅଫିସ ଉଡ଼ାଇ ଦେଇଛନ୍ତି ବିଦ୍ରୋହୀମାନେ... ଦିନ ଦି'ପହରେ ଏତେବଡ଼ ଦୁଃସାହସ ସେମାନଙ୍କର କିପରି ହେଲା ପୁଲିସ୍‍ ବୁଝିପାରୁନି । ଅବଶ୍ୟ ଛୁଟିଦିନ ଥିଲା ରବିବାର ବୋଲି । କିନ୍ତୁ ଅଫିସ ଭିତରେ ଥିବା ସବୁ କାଗଜପତ୍ର ଆସବାପତ୍ର ନଷ୍ଟ ହୋଇଯାଇଛି । ପୁଲିସ୍‍ ରେଡ୍‍ ଆଲାର୍ଟ ଜାରୀ କରିଛି । ଖୋଜୁଛି ସେମାନଙ୍କୁ... । ସନ୍ଦେହ ନେତାଜୀଙ୍କ ଉପରେ । ଆଉ ଗୋଟେ ଟୋକାକୁ ବନ୍ଦ ପାଳନ ପୂର୍ବରୁ ପୁଲିସ୍‍ ଧରି ନେଇ କୋଉ ସ୍ଥାନରେ ରଖିଛି ।’’

 

କେଶବ ଅତି ବିଶ୍ଵାସୀ ଲୋକ, ସେ ଦଳରେ ଯୋଗ ଦେଇ ନ ଥିଲେ ବି ଦଳପ୍ରତି ତାର ସମର୍ଥନ ଅଛି । ତଥାପି ଅରବିନ୍ଦ ଯେ ଅଜ୍ଞାତ ସ୍ଥାନରେ ପୁଲିସ୍‍ ହେପାଜତରେ ଥିବା ସେଇ ଟୋକା, ସେଇ କଥା ତାକୁ କହିଲା ନାହିଁ ଧନୁଶବର ।

 

ଅରବିନ୍ଦର ଚେହେରା ଇତି ମଧ୍ୟରେ ଇମିତି ବଦଳି ଯାଇଛି ଯେ ତାକୁ ଦେଖି‌ଲେ କେହି ଭାବିବ ନାହିଁ ଯେ ସେ ଜଣେ ଉଚ୍ଚଶିକ୍ଷିତ କମ୍ପ୍ୟୁଟର ବିଜ୍ଞାନୀ ।

 

କେଶବ ସହିତ ଅରବିନ୍ଦର ପରିଚୟ କରାଇ ଦେଇ କହିଲା ଧନୁ ଶବର–‘‘ପିଲା ବୟସ, ଗୋଟେ ଆଦର୍ଶ ପଛରେ ଘୂରିବା ପାଇଁ ଘର ଛାଡ଼ି ପଳାଇ ଆସିଛନ୍ତି । ମାଉସୀ ଘରେ କିଛିଦିନ ନିରୋଳାରେ ରହିଗଲେ ମନ ବଦଳିଯିବ... ତା’ପରେ ଘରକୁ ଫେରିଯିବେ...’’

 

ହସି ଦେଇ କହିଲା କେଶବ–‘‘ଆଦର୍ଶ ପଛରେ ଧାଇଁବା କ’ଣ ଏତେ ସହଜ ସଙ୍ଗାତ ? ପରିବାରର ମୋହ, ଟଙ୍କା ଉପାର୍ଜନ କରିବାର ଲାଳସା, ଭଲ ଖାଇବା, ଭଲ ପିନ୍ଧିବାର କାମନା ଛାଡ଼ି କେତେଜଣ ଗୋଟେ ଶୁଖିଲା ଆଦର୍ଶ ପଛରେ ଧାଉଛନ୍ତି ? ମୋ କଥା କହେ... ମୁଁ କ’ଣ ପାରିଲି ? କିନ୍ତୁ ତୁମେ ପାରିଲ । ସେଥିପାଇଁ ତୁମକୁ ଦେଖି‌ଲେ ଛାତି କୁଣ୍ଢେ ମୋଟ ହୋଇଯାଏ । ଗରିବ ଦୁଃଖୀମାନଙ୍କ ସେବା କରୁଛ । ସେମାନଙ୍କୁ ବଡ଼ ଲୋକଙ୍କ ଅତ୍ୟାଚାରରୁ ରକ୍ଷା କରିବା କ’ଣ କମ୍‌ ପୁଣ୍ୟ କାମ ସଙ୍ଗାତ ? ମୁଁ ତ ଭାବେ ଯେ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କଲେ ବି ଏତେ ପୁଣ୍ୟ ଅର୍ଜନ କରିହୁଏ ନାହିଁ ।’’

 

କେଶବର କାନ ପାଖରେ କ’ଣ ସବୁ ପିସ୍‌ ଫିସ୍‌ କରି କହିଲା ଧନୁଶବର । ନଡ଼ିଆ ବାଝେଇ ଟ୍ରକ୍‌ ଉପରେ ଟିକେ ଜାଗା କରିଦେଲା କେଶବ, ଯେଉଁଠି ବସିଲେ ସେ ଖୋଲା ଆକାଶକୁ ଦେଖିପାରିବ । ସଡ଼କରେ ଯାଉଥିବା ଯାନବାହନ ଓ ମଣିଷମାନେ ତା’ ଆଖିରେ ପଡ଼ିବେ; କିନୁ ସେ ସେମାନଙ୍କ ଆଖରେ ପଡ଼ିବେ ନାହିଁ । ଆଉ ଯଦି ସମୟ ଖରାପ ପଡ଼େ ସେ ସଠିକ ପରିଚୟ ନ ଦେଇ କହିବେ ଯେ ଅଭାବରେ ପଡ଼ି ଟିକଟ କରି ଟ୍ରେନ୍‍ ବା ବସ୍‌ରେ ନ ଯାଇ ଢାବା ପାଖରେ ଛିଡ଼ା ହୋଇଥିବା ଟ୍ରକ ଉପରକୁ ଡ୍ରାଇଭର ଓ କ୍ଲିନରର ଅଜ୍ଞାତରେ ଉଠିଯାଇଛନ୍ତି... ଯିବେ ପାରିକୁଦ... ।

 

ଟ୍ରକ୍‌ ଛାଡ଼ିଦେଲା, ହାତ ହଲାଇ ଅରବିନ୍ଦ ବିଦାୟ ନେବାବେଳେ କେଜାଣି କାହିଁକି ଧନୁଶବର ଆଖି ଜକେଇ ଆସିଲା ଲୁହରେ ।

 

ମାଲ ବୋଝେଇ ଟ୍ରକ୍‌ ଉପରେ ନଡ଼ିଆ ବସ୍ତା ମଝିରେ ଟିକେ ଜାଗା କରିଦେଇଥିଲା କେଶବ । ତା’ ପ୍ରତି ସ୍ଵତଃ କୃତଜ୍ଞତା ଝରିଗଲା ଅନ୍ତରଭିତରେ । ଏଇମିତି ସାଧାରଣ ଛୋଟ ଛୋଟ ମଣିଷମାନଙ୍କ ଭିତରେ ଲୁଚି ରହିଥାଏ ଅନୁଭବ କରିବାପରି ମାନବିକତାର ଗୁପ୍ତଗଙ୍ଗା । ଚିହ୍ନା ନାହିଁ ପରିଚୟ ନାହିଁ, ଧରା ପଡ଼ିଗଲେ ନିଜେ ବିପଦରେ ପଡ଼ିବ ଜାଣି ମଧ୍ୟ ଟ୍ରକ୍‌ ଚଳାଇ ପରିବାର ପ୍ରତିପାଳନ କରୁଥିବା କେଶବ ଗଉଡ଼ ନିଜ ସ୍ଵାର୍ଥ ଜଳାଞ୍ଜଳି ଦେଇ ସଙ୍ଗାତର ଅନୁରୋଧ ଏଡ଼ି ନ ପାରି ନେଇ ଆସିଲା ତାକୁ ଟ୍ରକ ଉପରେ । ଏଇ ସାଧାରଣ ମଣିଷ ଭିତରେ ବଞ୍ଚିଛି ସତ୍ୟ ଶିବ ସୁନ୍ଦରର ମଣିଷ ।

 

କେତେବା ଦେଖିଛି ଏଇ ଦେଶକୁ ! ଯେତିକି ଦେଖିଛି ସେତିକି ତା’ ଅନ୍ତର ଭିତରେ ପ୍ରତ୍ୟୟ ଦୃଢ଼ ହେଉଛି ଯେ ଇଏ ସେଇ ଶାଶ୍ୱତ ଭାରତବର୍ଷ ଯେଉଁଠାରେ ମଣିଷ ନିଜକୁ ଅମୃତର ପୁତ୍ର ବୋଲି ସମ୍ବୋଧନ କରିପାରେ, ସ୍ତୁତି କରିପାରେ ସେଇ ଅନାଦି ଅନନ୍ତ ହିରଣ୍ମୟ ପୁରୁଷଙ୍କୁ । ଏଇ ଭୂମିରେ ଛିଡ଼ା ହୋଇ ସେ ଜଗତର ମଣିଷମାନଙ୍କୁ ଗୋଟିଏ ପରିବାରର ସଦସ୍ୟ ବୋଲି ଭାବିପାରେ । ଏଇ ମାଟିର ଜଣେ ଅମର ସନ୍ତାନ ତପସ୍ୟା କରି ସ୍ଵର୍ଗରୁ ଉହ୍ଲାଇ ଆଣିଥିଲେ ମନ୍ଦାକିନୀ ଗଙ୍ଗାଙ୍କୁ କେବଳ ସଗରବଂଶର ଷାଠିଏ ହଜାର ମଣିଷଙ୍କୁ ଉଦ୍ଧାର କରିବା ପାଇଁ ନୁହେଁ, କୋଟି କୋଟି ମଣିଷଙ୍କୁ ସ୍ଵର୍ଗ ମର୍ତ୍ତ୍ୟ ପାତାଳ ଥିବା ପର୍ଯ୍ୟନ୍ତ ଜଳ ଯୋଗାଇ ଦବା ପାଇଁ, ପୁଣ୍ୟତୋୟା ଭାରତକୁ ଶସ୍ୟଶ୍ୟାମଳା କରିବା ପାଇଁ ।

 

ଆକାଶର ପ୍ରଶସ୍ତ ବକ୍ଷରେ ଚହଟି ଉଠିଲା ସେଇ ଦିବ୍ୟ ପୁରୁଷ ଭଗୀରଥଙ୍କ ମୂର୍ତ୍ତି... ।

 

ହାତଯୋଡ଼ି ନମସ୍କାର କଲା ଅରବିନ୍ଦ । ସେଇ ନିସ୍ୱାର୍ଥପର ସାଧକଙ୍କ ପରି ଜୀବନକୁ ତିଳତିଳ କରି ବ୍ୟୟ କରିବ ସେ ସାଧାରଣ ମଣିଷର କଲ୍ୟାଣ ପାଇଁ ।

 

ଭାବୁ ଭାବୁ କେତେବେଳେ ଶୋଇପଡ଼ିଥିଲା । ଶୀତଳପବନ ଆଉଁସି ଦେଉଥିଲା ତାକୁ, ମାଆର ହାତ ସନ୍ତାନ ଉପରେ ଯେପରି ବୁଲିଆସେ ଧୀରେଧୀରେ ।

 

କେଶବର ଡାକ ଶୁଣି ଉଠି ବସିଲା ଅରବିନ୍ଦ । ପାହାନ୍ତା ପହରର ନିଦମୁଦା ଆଖି ଖୋଲି ସେ ଧୀରେ ଧୀରେ ଉହ୍ଲାଇ ଆସିଲା ତଳକୁ । ବାଲୁଗାଁ ନୁହେଁ ବରକୁଳରେ । ରାସ୍ତା କଡ଼ରେ କେଶବର ଡାକ ଶୁଣି କବାଟ ଖୋଲିଲା ଜଣେ ପ୍ରୌଢ଼ । ତା’ ସହିତ କିଛି ସମୟ କଥାଭାଷା କରିବା ପରେ କେଶବ କହିଲା–‘‘ତମକୁ ଲାଗିଲା ଭାଇ । ବାବୁଙ୍କ ଖିଆଲ ରଖିବ । ଜାଣ ଯେ ମୋ ସାନଭାଇକୁ ତମ ଦାୟିତ୍ୱରେ ଛାଡ଼ି ଯାଉଛି । ତାଙ୍କୁ ପାରିକୁଦରେ ଛାଡ଼ିଦେଲେ ସେ ତାଙ୍କ ମାଉସୀ ଘରକୁ ଚାଲିଯିବେ... ।’’

 

କେଶବର ଲେଖାଯୋଖାର ଭାଇ ଶ୍ରୀନାଥ । ମାଛ ଧରିବା ମୁଖ୍ୟ ଜୀବିକା । ଡଙ୍ଗା ଦୁଇଟାର ମାଲିକ । ଚଳିବାକୁ କଷ୍ଟ ହୁଏନି । ତଥାପି ତା’ ହାତକୁ କେତୋଟି ନୋଟ୍‍ ବଢ଼ାଇ ଦେଇ କହିଲା କେଶବ–‘‘ରଖିଥାଅ, ଦରକାର ବେଳେ କାମରେ ଆସିବ ।’’

 

ଟ୍ରକ୍‌ ଛାଡ଼ିଦେଲା । କେଶବର ଯିବା ବାଟକୁ ଅନାଇ ରହିଲା ଅରବିନ୍ଦ । ଯେତେ ଦେଖୁଛି ଏ ଦେଶର ସାଧାରଣ ମେହେନତି ମଣିଷଙ୍କୁ ସେମାନଙ୍କର ପ୍ରାଣସତ୍ତାର ସ୍ପନ୍ଦନ ତାକୁ ସେତିକି ଅଭିଭୂତ କରୁଛି ।

 

ସୂର୍ଯ୍ୟୋଦୟ ହେବା ପରେ ପରେ ଡଙ୍ଗା ଛାଡ଼ିବ । ଅରବିନ୍ଦ ମୁହଁହାତ ଧୋଇ ନେଇଥିଲା ଶ୍ରୀନାଥ ଘରେ । ଉଖୁଡ଼ା ମୁଠାଏ ଆଉ ଚା’ ପିଇଥିଲା ଶ୍ରୀନାଥ ଘରେ ।

 

ବାଳ ସୂର୍ଯ୍ୟର ନରମ କିରଣ ଚିକ୍‌ ଚିକ୍‌ କରୁଥିଲା ନିଳାମ୍ବୁ ଚିଲିକା ଉପରେ । ମାଛ ଧରିବା ପାଇଁ ଡଙ୍ଗା ନେଇ ବାହାରି ଆସିଥିଲେ ଅନେକ । ଯାତ୍ରୀମାନଙ୍କୁ ପାରି କରିବା ପାଇଁ ବା ବୁଲାଇ ଆଣିବା ପାଇଁ କେତୋଟି ଡଙ୍ଗା ଛାଡ଼ିଥିଲା ବରକୂଳ ପାନ୍ଥଶାଳା ପାଖରୁ । ଶ୍ରୀନାଥର ଡଙ୍ଗାରେ ବସି ନୀଳାମ୍ବୁ ଚିଲିକାର ଅଭିନବ ରୂପ ଦେଖୁଥିଲା ଅରବିନ୍ଦ ।

 

ଚିଲିକା ଜୀବିକାର୍ଜନର ମୁଖ୍ୟ ଆଧାର । କେଉଟମାନେ ଦିନସାରା ମାଛଧରି ବେପାରୀମାନଙ୍କୁ ସଞ୍ଜବେଳକୁ ବିକ୍ରି କରିଦେଇ ଡଙ୍ଗା କୂଳରେ ବାନ୍ଧି, ଜାଲ ଶୁଖାଇ ଫେରି ଆସନ୍ତି ଘରକୁ । ସକାଳ ହେଲେ ପୁଣି ସେଇ ଜୀବିକାର୍ଜନର ଅଭିଯାନ । ଚିଲିକା ସେମାନଙ୍କର ମା’, ସେମାନଙ୍କର ଆରାଧ୍ୟ ଦେବୀ । କାହା କାହା କଣ୍ଠରୁ ଶୁଣାଯାଉଥାଏ କବି ଗୋଦାବରୀଶ ମିଶ୍ରଙ୍କ ସେଇ ଜୀବନ୍ତ କବିତାର ପଦଟିଏ–‘‘ଥିରି ଥିରି ନାଆ ବାହାରେ ନାଉରୀ ଝିଅକୁ ମାଡ଼ୁଛି ଡର .... ।’’

 

ଝିଅମାନେ ସବୁକାଳେ ଡରକୁଳୀ । ଶ୍ରୀୟା ଚିଲିକା ଆସିବା ପାଇଁ କେତେଥର କହିଥିଲା ତାକୁ । କିନ୍ତୁ ଅରବିନ୍ଦ ସାହସ କରି ନ ଥିଲା ତାକୁ ନେଇ ଚିଲିକା ଆସିବା ପାଇଁ ତା’ ବାପା ମା’ଙ୍କ ବିନାନୁମତିରେ । ତାହାରି କଥା ମନେପଡ଼ୁଥିଲା ବେଶୀ । ଶ୍ରୀୟା କିପରି ଅଛି ତାହା ଜାଣିବା ପାଇଁ ବ୍ୟାକୁଳ ହେଉଥିଲା ମନ । ସେ ଦିନ ଯୋଉ ଡାକ୍ତର ବାବୁ ସପରିବାର ଗୁଣୁପୁର ଆସି ରାତି କଟାଇଥିଲେ ଏବଂ ତାଙ୍କରି ଦୟାରୁ ବଞ୍ଚିଗଲା ସାଥୀ ଜଣେ ସେ କ’ଣ ଡାକ୍ତର ସରୋଜ ଚୌଧୁରୀ-! ଏଇ ପ୍ରଶ୍ନ ମନ ଭିତରୁ ଉଠି ମନ ଭିତରେ ମିଳାଇ ଯାଉଥାଏ ।

 

ପାରିକୁଦରେ ନାଆ ଲାଗିବାବେଳକୁ ଦଶଟା । ସେ ବାଟ ପଚାରି ପଚାରି ଚାଲିଲା ଆଗକୁ । ରାଜାଙ୍କ ନଅର ପାଖରେ ମାଉସୀଙ୍କ ଉଆସ । ରାଜା ସାହେବଙ୍କ ମ୍ୟାନେଜର ଥିଲେ ମଉସା । ତିନିବର୍ଷ ହେଲା ପରଲୋକରେ । ମାଉସୀଙ୍କୁ ପାଞ୍ଚବର୍ଷ ପୂର୍ବେ ଦେଖିଥିଲା ସେ, ତା’ ପରେ ଆଉ ଦେଖିନି । ତାକୁ ସେ ଚିହ୍ନି ପାରିବେନି କି ନାହିଁ ଭାବୁଥିବାବେଳେ ନଅର ଭିତରୁ ଆସୁଥିବା ଜଣେ ଲୋକକୁ ପଚାରିଲା–‘‘ସତ୍ୟଶେଖର ଷଡ଼ଙ୍ଗୀଙ୍କ ଘର... ?’’

 

–‘‘ମ୍ୟାନେଜର ବାବୁଙ୍କ ଘରକୁ ଯିବ ?'' ପଚାରିଲା ଲୋକଟି ।

–‘‘ହଁ...’’ ସଂକ୍ଷିପ୍ତ ଉତ୍ତର ଅରବିନ୍ଦର ।

 

ତାକୁ ବାଟ କଢ଼ାଇ ନେଇଗଲା ଲୋକଟି ଏବଂ ଗୋଟିଏ ଏକ ମହଲା ଘର ଆଗରେ ଛିଡ଼ା ହୋଇ କହିଲା–‘‘ଏଇ ତାଙ୍କ ଘର... ସେ ତ ଆଉ ନାହାନ୍ତି... ମା’ ଅଛନ୍ତି.... ବଡ଼ ଭଲ ମଣିଷ ବାବୁ.... ।’’

 

କିଛି ସମୟ ଦ୍ଵାର ମୁହଁରେ ଛିଡ଼ା ହୋଇ ରହିଲା ଅରବିନ୍ଦ । କୌଣସି ସ୍ଵରଶବ୍ଦ ନ ଶୁଣି କବାଟର ଜଞ୍ଜିର ନାଡ଼ିଲା । କିଛି ସମୟ ପରେ ଜଣେ ବୃଦ୍ଧା ବାହାରି ଆସିଲେ ଘର ଭିତରୁ । ତାକୁ ଦ୍ଵାର ମୁହଁରେ ଛିଡ଼ା ହୋଇଥିବା ଦେଖି ନିରେଖିଲେ ତା ମୁହଁକୁ, ତା’ପରେ କହିଲେ–‘‘ତୁ ତ ଅରୁ ପରି ଦିଶୁଛୁ... ସାବିର ପୁଅନା !’’

 

ଅରବିନ୍ଦ ଆଉ ବିଳମ୍ବ ନ କରି ତାଙ୍କୁ ପାଦ ଛୁଇଁ ପ୍ରଣାମ କରି କହିଲା–“ବୁଲି ଆସିଥିଲି... ତମ କଥା ମନେପଡ଼ିଲା ମାଉସୀ । ଚାଲି ଆସିଛି । ଆଗରୁ ଖବର ଦବା ପାଇଁ ସମୟ ନ ଥିଲା... ।’’

 

–‘‘ଆ, ଆ ଭିତରକୁ ଆ...’’ ଅରବିନ୍ଦର ହାତ ଧରି ଆଗେଇ ଗଲେ ମାଉସୀ ।

 

–‘‘ଆଉ ଘରେ ସବୁ ଭଲ ତ । ଗୋଟିଏ ଯୁଗ ଗଲାଣି ତୋ ମା’କୁ ଦେଖିନି । ତୋ ବାପା ବି ଏଯାଡ଼େ ଆଉ ଆସନ୍ତିନି । ତମେ ପିଲାଗୁଡ଼ାକ ହେଲେ ମାଉସୀକୁ ମନେ ପକାନ୍ତ... ।’’

 

ମାଉସୀଙ୍କ ତୁଣ୍ଡରୁ ସୁଆଦିଆ ସ୍ନେହବୋଳା କଥା କେଇପଦ ଶୁଣି ସତେ ଯେପରି ମା’ ସହିତ ଦେଖା ହୋଇଗଲା ସେହିପରି ଅନୁଭବ କଲା ଅରବିନ୍ଦ ।

 

ସେ କହିଲେ–‘‘ବୁଢ଼ୀ ହେଲିଣି । ମଉସା ଚାଲିଗଲା ପରେ ଏକୁଟିଆ ହୋଇଗଲି । ପୁଅ ଚାକିରି ପାଇ ଚାଲି ଯାଇଛି ଦିଲ୍ଲୀ । ବୋହୂ ବି ତା’ ପାଖରେ । ଆଉ ଆସେନା । ତା’ ବାପାଙ୍କ କ୍ରିୟା କରିବା ପାଇଁ ଆସିଥିଲା ଥରେ । ବୋହୂ ଆସିନି ସେ ଏକା ଆସିଥିଲା.... ।’’

 

ଅରବିନ୍ଦ ଶୁଣି ଯାଉଥାଏ । ବୟସ ହେଲେ ମଣିଷ ଏକୁଟିଆ ହୋଇଯାଏ... ଜ୍ଞାତି କୁଟୁମ୍ବଠାରୁ ଦୂରେଇ ଯାଏ ଧୀରେଧୀରେ... ପୁଅ, ଝିଅ, ବୋହୂ, ନାତି ନାତୁଣୀଙ୍କ ସମୟ ହୁଏନା ପାଖରେ ବସି ସୁଖଦୁଃଖ ହେବା ପାଇଁ । ଏଇକଥା ମନରେ ଥିଲା ବୋଲି ଇଣ୍ଟରଭିଉ ଦବା ପାଇଁ ଦିଲ୍ଲୀ ଗଲାବେଳେ ଅରୁ କହିଥଲା ମା’ଙ୍କୁ–ଚାକିରିଟା ଯଦି ହୋଇଯାଏ ମୁଁ ଏକା ରହିବି ନାହିଁ ମା’... ତମ ସମସ୍ତଙ୍କୁ ନେଇଯିବି । ମୋ ପାଖରେ ରହି କୁନି, ଟିନୁ ପାଠ ପଢ଼ିବେ । ବାପା ପ୍ରଚୁର ସୁବିଧା ପାଇବେ ସମାଜ ସେବା କରିବା ପାଇଁ... ।

 

ଏତିକିବେଳେ କହିଲେ ମାଉସୀ–‘‘ପୋଡ଼ି ଯାଉ ମୋ ମନ.... ଗପୁଛି ଯେ ଗପୁଛି.. ତୁ କେତେବେଳୁ ଆସିଲୁଣି...ଆଗ ଦୁଧ ଗିଲାସେ ପିଇ ଦେ... ତା’ ପରେ ଗାଧୁଆପାଧୁଆ ସାରି ଭାତ ଖାଇବୁ । ଏଠାରେ ତ ପନପରିବା ବେଶି ମିଳେନାରେ ଅରୁ.... ହେଲେ ଖଇଁଗା, ଚିଙ୍ଗୁଡ଼ିର ଅଭାବ ନାହିଁ ।’’

 

ଦୁଧ ପିଇ ଅରୁ ଗାଧୋଇବା ପାଇଁ ଚାଲି ଗଲା । ମାଉସୀ ଚାଲିଗଲେ ରୋଷଘରକୁ । ଝିଅଟିଏ ଅଛି ସାହାଯ୍ୟ କରିବା ପାଇଁ । ଘର ସଫା ସୁତୁରା କରିବାଠାରୁ ରାନ୍ଧିବା ବାଢ଼ିବାରେ ସାହାଯ୍ୟ କରିବା, ହାଟ ବଜାର କରିବା ସବୁ କାମରେ ପାରଙ୍ଗମ ।

 

ମାଉସୀଙ୍କ ସ୍ନେହଶ୍ରଦ୍ଧା ପାଇ କେତେଦିନ ନିଶ୍ଚିନ୍ତରେ କଟିଗଲା ଅରବିନ୍ଦର । କିନ୍ତୁ ସେଦିନ ସଂଧ୍ୟାବେଳେ ରେଡ଼ିଓ ଶୁଣୁଥିବାବେଳେ ଘୋଷିକା କହିଲେ–‘‘ଗୁଣୁପୁରଠାରୁ ଚାଳିଶ କିଲୋମିଟର ଦୂରରେ ଥିବା ସାହେବ କୋଠିରୁ ନକ୍ସଲ ନେତା ଅରବିନ୍ଦ ମିଶ୍ର ପୁଲିସ୍‍ ଆଖିରେ ଧୂଳି ଦେଇ ପଳାଇଯିବାର ଚବିଶ ଘଣ୍ଟା ପୂରିବା ଆଗରୁ ବୋମା ଫୁଟାଇ ବିଡ଼ିଓ ଅଫିସ ଉଡ଼ାଇ ଦେଇଛନ୍ତି ମୁକ୍ତିଯୋଦ୍ଧାମାନେ । କେହି ମୃତାହତ ହୋଇ ନ ଥିଲେ ମଧ୍ୟ ଅନେକ ମୂଲ୍ୟବାନ ସରକାରୀ କାଗଜପତ୍ର ପୋଡ଼ିଜଳି ଯାଇଛି । ସମଗ୍ର ଗୁଣୁପୁର ସବ୍‌ଡ଼ିଭିଜନରେ ରେଡ଼ଆଲର୍ଟ ଜାରୀ କରିଛି ପୁଲିସ୍‍ । ସଶସ୍ତ୍ର ପୁଲିସ୍‍ ମୁତୟନ କରାଯାଇଛି ଛକ ଜାଗାମାନଙ୍କରେ । ଗୁଣୁପୁରର ସମସ୍ତ ପ୍ରବେଶ ପଥକୁ ପୁଲିସ୍‍ ସିଲ୍‌ କରିଦେଇଛି... ।’’

 

ଏଇ ସମ୍ବାଦ ଘୋଷଣା କରୁଥିବାବେଳେ ମାଉସୀ ଥିଲେ ରୋଷଘରେ । ନ ହେଲେ ହୁଏତ ତା’ ନାମ ଶୁଣି ଚମକି ପଡ଼ିଥାନ୍ତେ ସେ । ସେ ଜାଣନ୍ତିନି କିଛି । ଜାଣିଲେ ଭାଙ୍ଗିପଡ଼ିବେ ନିଶ୍ଚୟ । ସେ ସିନା ଏଇ ଖବର ଶୁଣି ନାହାଁନ୍ତି, କିନ୍ତୁ ପାରିକୁଦ ଅଞ୍ଚଳର ସବୁଲୋକ ଶୁଣିଥିବେ ଏ ଖବର । ଅବଶ୍ୟ ଜଣେ ଅରବିନ୍ଦ ମିଶ୍ର ନାହିଁ ଓଡ଼ିଶାରେ । ଅନେକ ଥିବେ । ତଥାପି ଅରବିନ୍ଦ ମିଶ୍ରର ପରିଚୟ ଦେଇ ଏଠାରେ ରହିବା ନିରାପଦ ନୁହେଁ । ମାଉସୀଙ୍କୁ ଆଉ କୌଣସି ବାହାନା ଦେଖାଇ କାଲି ପାରିକୁଦ ଛାଡ଼ିବା ପାଇଁ ସ୍ଥିର କଲା ।

 

ଖାଇବାବେଳେ ମାଉସୀଙ୍କୁ କହିଲା–‘‘ତମକୁ ଦେଖିବା ପାଇଁ ଆସିଥିଲି..ତିନିଦିନ ରହିଗଲିଣି । ଆଉ ନୁହେଁ । ଅନେକ କାମ ଅଛି, କାଲି ସକାଳେ ବାହାରିବି ମାଉସୀ ।''

 

ଅନସୂୟା କହିଲେ–‘‘ତୋର କ’ଣ ଏତେ ଜରୁରୀ କାମ ଯେ... ଆଉ ଦି’ଦିନ ରହିଯା.... ସାବି କିଛି ଭାବିବ ନାହିଁ, ବରଂ ଖୁସି ହେବ ଯେ ତୁ ମୋ’ ଘରେ ଥିଲୁ.... ’’

 

ସୂର୍ଯ୍ୟୋଦୟବେଳକୁ ନିତ୍ୟକର୍ମ ଶେଷ କରିଥଲା ଅରବିନ୍ଦ । ତା’ କଥା ନ ଶୁଣି ତାକୁ କିଛି ସରୁ ଚୁଡ଼ା, ଗିନାଏ ବସାଦହି ଆଉ କିଛି ଗୁଡ଼ ବାଢ଼ିଦେଇ କହିଲେ–‘‘ଜଳଖିଆ ନ ଖାଇ ମା’ କୋଳ ଛାଡ଼ି ପୁଅ ବାହାରକୁ ଯିବା ମନାରେ ପୁଅ.... ଖାଇନେ ଏତକ... ।’’

 

ଜଳଖିଆ ଖାଇସାରି ସେ ବାହାରି ପଡ଼ିଲା କୃଷ୍ଣପ୍ରସାଦ ଅଭିମୁଖେ । କୃଷ୍ଣପ୍ରସାଦରେ ମଧୁମ ହାନ୍ତିଙ୍କ ଘର । ବାପାଙ୍କ ପିଲାଦିନର ସାଙ୍ଗ । ମଉସା ଖାଲି ହାତରେ କେବେ ଆସନ୍ତିନି–ହାତରେ ଥାଏ ମାଣିକ ପାଟଣାର ବସାଦହି, ଖଇଙ୍ଗା ନ ହେଲେ ଚିଙ୍ଗୁଡ଼ି... । ତାଙ୍କ ସହିତ ଦେଖାକରିବା ପାଇଁ ସମୟ ନାହିଁ ହାତରେ । ମାଉସୀ ତା’ ସାଙ୍ଗରେ ନନ୍ଦକୁ ପଠାଇଥିଲେ । ନନ୍ଦକୁ କହିଥିଲେ ସାତପଡ଼ାରେ ତାକୁ ଛାଡ଼ି ଫେରି ଆସିବା ପାଇଁ । ସାତପଡ଼ାରୁ ବ୍ରହ୍ମଗିରି ଏବଂ ସେଠାରୁ ପୁରୀ ଯିବା ପାଇଁ ଅନେକ ବସ୍‌, ଅଟୋ ବା ଟାକ୍ସି ମିଳିବ ।

 

କିନ୍ତୁ କୃଷ୍ଣପ୍ରସାଦ ପହଞ୍ଚିବା ପୂର୍ବରୁ ନନ୍ଦକୁ କହି ବୋଲି ବିଦା କରିଦେଲା ଅରବିନ୍ଦ । ସେ ଏକା ଏକା ଚାଲି ଯାଇପାରିବ ବାଟ ପଚାରି ପଚାରି । ବେଶୀ ପରିଚିତ ହେବା ଭଲ ନୁହେଁ । ଏକାଥିଲେ ଚିହ୍ନାଲୋକ ହାବୁଡ଼ରେ ପଡ଼ିଗଲେ ବି କୌଶଳ କରି ଖସିଯାଇ ହେବ ସହଜରେ ।

 

କିନ୍ତୁ ନନ୍ଦ କହିଲା–‘‘ମୁଁ ତ ଫେରିଯିବି ବାବୁ... ତମେ ଅଲାରନାଥଙ୍କୁ ଦର୍ଶନ ନ କରି ଫେରିବନି ଘରକୁ । ଅଣସରରେ ଜଗନ୍ନାଥ ଥିବାବେଳେ ଅଲାରନାଥଙ୍କୁ ଦର୍ଶନ କରିବା ବଡ଼ ପୁଣ୍ୟକାର୍ଯ୍ୟ ବାବୁ.... ।’’

 

ଅଲାରନାଥଙ୍କୁ ଏହା ପୂର୍ବରୁ କେବେ ଦର୍ଶନ କରି ନ ଥିଲା ଅରବିନ୍ଦ । ଏ ସମୟରେ ଭିଡ଼ ଜମିଥିବ ଯାତ୍ରୀମାନଙ୍କର । ଜଗନ୍ନାଥ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସୁଥିବା ଅନେକ ଯାତ୍ରୀ ଚାଲି ଆସନ୍ତି ବ୍ରହ୍ମଗିରି ଅଲାରନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିବା ପାଇଁ ।

 

ବ୍ରହ୍ମଗିରିରେ ପହଞ୍ଚିବାବେଳକୁ ବେଳ ଦୁଇଟା । ପେଟ ଜଳୁଥାଏ ଭୋକରେ । ମାଉସୀ ଠିକ୍‌ କହିଥିଲେ । ତାଙ୍କ କଥାମାନି ସେ ଯଦି ଚୁଡ଼ା ଦହି ଗୁଡ଼ ଖାଇ ନ ଥାନ୍ତା ଏତେବେଳକୁ ଅବସ୍ଥା କାହିଲ୍‌ ହେବା ନିଶ୍ଚିତ ।

 

ଗୋଟେ ଛୋଟ ହୋଟେଲରୁ ଭାତ, ଡାଲମା, ବେସର ଖାଇ ଦଣ୍ତେ ବସିଗଲା ସେଠାରେ । ବ୍ରହ୍ମଗିରିରେ ପୁରୀ ବଡ଼ଦାଣ୍ଡର ଭିଡ଼ । ବଙ୍ଗାଳୀ ଯାତ୍ରୀଙ୍କର ସଂଖ୍ୟା ବେଶି । ଖରା ଟିକେ କମିବା ପରେ ସେ ମଥାରେ ଗାମୁଛା ଭିଡ଼ି ବେଗ୍‌ଟାକୁ ଗାଁ ଲୋକମାନଙ୍କ ପରି ବାନ୍ଧି କାନ୍ଧ ଉପରେ ରଖି ସଡ଼କ କଡ଼େ କଡ଼େ ଚାଲିଲା ମନ୍ଦିର ଆଡ଼କୁ ।

 

ମନ୍ଦିର ବେଢ଼ା ଭିତରକୁ ପ୍ରବେଶ କରିବା ପାଇଁ ଠେଲା ପେଲା ଚାଲିଥାଏ ସେତେବେଳକୁ । ଧାଡ଼ିବାନ୍ଧି ଚାଲିବା ପାଇଁ ପୁଲିସ୍‍ର ନିବେଦନ ଶୁଣିବା ଅବସ୍ଥାରେ କେହି ନ ଥିଲେ ବା ଧୈର୍ଯ୍ୟ ନ ଥିଲା କାହାରି । ମନ୍ଦିର ପାଖରେ ଗୋଟିଏ କଦମ୍ବ ଗଛମୂଳେ ଅଟକି ଗଲା ଅରବିନ୍ଦ । ଗଛ ଛାଇରେ ଠିଆ ହୋଇ ମୁହଁରୁ ଝାଳ ପୋଛିଲା । ଦମକାଏ ପବନ ବାଜିଲା ମୁହଁ ଉପରେ । ଆକାଶର ଐଶାନ୍ୟ କୋଣରେ କେତେବେଳେ ଯେ କଳାହାଣ୍ଡିଆ ମେଘ ଖଣ୍ଡେ ଉଠିଥିଲା ତାହାର ଟେର ପାଇ ନ ଥିଲା ଅରବିନ୍ଦ । ବର୍ଷା ହବ ହବ ପରି ଲାଗୁଥାଏ । ସେ ଛିଡ଼ା ହୋଇ ଲକ୍ଷ୍ୟ କରୁଥାଏ ଜନଗହଳିକୁ । ଅସଂଖ୍ୟ ଲୋକଙ୍କ ଭିଡ଼ । ଦଳେ ପଶ୍ଚିମା ଯାତ୍ରୀଙ୍କ କଣ୍ଠରୁ ଭାସି ଆସୁଥାଏ–‘‘ଜଗନ୍ନାଥ ଭଲେ ବିରାଜୋଜୀ.. ।’’

 

ଏଇ ଜଗନ୍ନାଥଙ୍କ ଲୀଳା ଅପାର । ବେଦରେ ଦାରୁଭାସି ଆସି ମହୋଦଧିକୂଳରେ ଲାଗିଥିବା ବର୍ଣ୍ଣନା ରହିଛି । କିନ୍ତୁ ଏଇ ଦାରୁଦେବତା କ’ଣ ଭାସି ଆସିଥିବା ସେଇ ଦାରୁ ? କେଜାଣି ? କିନ୍ତୁ ସେ ବିଷୟରେ ଭକ୍ତମାନେ ପ୍ରଶ୍ନ ପଚାରନ୍ତି ନାହିଁ । ବିଶ୍ଵାସହିଁ ମୂଳମନ୍ତ୍ର । ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ ଯେ ସବୁ ଧର୍ମ ପରିତ୍ୟାଗ କରି ତାଙ୍କଠାରେ ଶରଣ ନବା ପାଇଁ । ସେ ଅର୍ଜୁନଙ୍କୁ ସବୁମନ୍ତେ ରକ୍ଷା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତଥାପି ସେଇ ପ୍ରଶ୍ନର ଉତ୍ତର ଖୋଜି ଖୋଜି କେତେ ହଜାର ବର୍ଷ ଧରି ଚାଲିଛନ୍ତି ଜ୍ଞାନୀ ଓ ଜିଜ୍ଞାସୁ ମାନେ । ଇତିହାସରେ ସେଇ ଉତ୍ତରର ସୂତ୍ର ଲିପିବଦ୍ଧ ହୋଇନାହିଁ; କୌଣସି ଶିଳାଲେଖ ବା ତାମ୍ରପାତ୍ରରେ ଖୋଦିତ ହୋଇନାହିଁ ଦାରୁଦେବତାଙ୍କ ଇତିବୃତ୍ତ । ସେତ ସେଇ ଅନାଦି, ଅନନ୍ତ ହିରଣ୍ମୟ ପୁରୁଷ, ଯାହାଙ୍କ ଇଚ୍ଛାରୁ ସୃଷ୍ଟି ହୋଇଛି ଏଇ ବିଶ୍ଵ ବ୍ରହ୍ମାଣ୍ଡ ଏବଂ ତାଙ୍କରି ଇଚ୍ଛାରୁହିଁ ଜୀବ, ଜଡ଼ ଓ ଉଦ୍ଭିଦ ଜଗତ ସୃଷ୍ଟି ହୋଇଛି । ଏଇ ଜଗତର ଅଣୁ, ପରମାଣୁରେ କେତେବେଳେ ବ୍ୟକ୍ତ ତ ଆଉ କେତେବେଳେ ଅବ୍ୟକ୍ତ ସେ । ଜଡ଼ତାର ସେଇ ଗୋପନ ଗୁହା ଭିତରୁ କାହାର ଦିବ୍ୟ ସ୍ପର୍ଶ ପାଇ ପଥର ଫଟାଇ ସୃଷ୍ଟି ହୁଏ ଚାରା ଗଛଟିଏ ?

 

ନିଜ ଭାବନାରେ ବୁଡ଼ି ଯାଇଥିଲା ଅରବିନ୍ଦ । ତା’ ଆଗରେ ଅଗଣିତ ଲୋକଙ୍କ ପଟୁଆର । ସବୁ ଧର୍ମ, ଜାତି ଓ ସମ୍ପ୍ରଦାୟର ମଣିଷ ଏକାକାର ହୋଇଯାଇଛନ୍ତି ମହାସ୍ରୋତରେ । କାହାରି ମୁହଁ ଦିଶୁ ନାହିଁ, କାହାରି ପରିଚୟ ସୂକ୍ଷ୍ମ ହେଉ ନାହିଁ ବା ଉଚ୍ଚାରଣ କାନରେ ପଡ଼ୁ ନାହିଁ । ସମସ୍ତେ ଏକାପରି ଦିଶୁଛନ୍ତି–ଶାନ୍ତ ସମାହିତ ଦିଶୁଛି ସବୁ । କେବଳ ପ୍ରତି ମଣିଷ ଦିଶିଯାଉଛନ୍ତି ସେଇ ଶାନ୍ତି, ମୈତ୍ରୀ, ମମତାର ଦେବତାଙ୍କ ପରି । ସବୁ ମଣିଷ ଜଗନ୍ନାଥଙ୍କ ପରି ଝଟକୁଛନ୍ତି ତା’ ଚେତନାରେ ।

 

ଅରବିନ୍ଦ ଆତ୍ମବିଭୋର ହୋଇ କେବଳ ଦେଖି ଯାଉଥାଏ ସେଇ ଦିବ୍ୟ ରୂପାନ୍ତର । ଆପେ ଆପେ ହାତ ଯୋଡ଼ି ହୋଇଗଲା କପାଳରେ–‘‘ପ୍ରଣାମ ମହାପ୍ରଭୁ, କୋଟି କୋଟି ପ୍ରଣାମ ।’’ ଜଗନ୍ନାଥ ସ୍ଵାମୀ ନୟନପଥଗାମୀ ଭବତୁମେ.... ଝରି ପଡ଼ୁଛି କାହା କଣ୍ଠରୁ । ଜଡ଼, ଉଦ୍ଭିଦ, ଜୀବ ଜଗତ ହଠାତ୍ ବାଙ୍‍ମୟ ହୋଇ ଉଠିଛି ସେଇ ପରମଙ୍କ ପାଦପଦ୍ମ ହୃଦୟରେ ଧାରଣ କରିବା ପାଇଁ ।

 

କାହାର ସ୍ପର୍ଶପାଇ ଚମକି ପଡ଼ି ଆଖି ଖୋଲି ଚାହିଁଲା ଅରବିନ୍ଦ । ତା’ ଆଗରେ ଛିଡ଼ା ହୋଇଥିବା ଝିଅଟିଏ ତା’ ହାତ ଉପରେ ହାତ ରଖି ପଚାରୁଥିଲା–‘‘ଆର ୟୁ ଅରବିନ୍ଦ ମଶ୍ର ? ତମେ କ’ଣ ଅରବିନ୍ଦ ମିଶ୍ର ?’’

 

କିଛି ନ ଶୁଣିବା ପରି ନିରୁତ୍ତର ରହିଗଲା ଅରବିନ୍ଦ । ପୁଣି ତୀକ୍ଷ୍‍ଣ ଦୃଷ୍ଟିରେ ଅନାଇଲା ଝିଅ ମୁହଁକୁ ।

 

ଏଥର ଆଉ ସନ୍ଦେହ ରହିଲା ନାହିଁ ମନରେ । ସୂର୍ଯ୍ୟୋଦୟ ଯେପରି କୁହୁଡ଼ି ଦୂର କରିଦିଏ ସେଇପରି ତା’ ଦୃଷ୍ଟି ଆଗରେ ଥିବା ସୃକ୍ଷ୍ମ ପର୍ଦ୍ଦାଟି ହଟିଗଲା ଅକସ୍ମାତ ଏବଂ ଅରବିନ୍ଦର ଶୁଖିଲା ଗମ୍ଭୀର ମୁହଁର ଗୋଟିଏ କୋଣରୁ ଗାରେ ହସ ଛିଟିକି ପଡ଼ିଲା ଅମୃତ ଭାଣ୍ଡରୁ କଣିକାଏ ହାତରେ ପଡ଼ିବା ପରି ।

 

ସେ ଫିସ୍‌ ଫିସ୍‌ କରି କହିଲା–‘‘ନା, ଏଠାରେ ନୁହେଁ, ଚାଲ ହଜିଯିବା ଆଉ କେଉଁଠାରେ... ।’’

 

ଦୁଇଜଣ ଜନ ସମୁଦ୍ର ପାର ହେବା ପରେ ଯେଉଁଠି ପହଞ୍ଚିଲେ ସେଠାରେ ଭିଡ଼ ନାହିଁ କି କୋଳାହଳ ନାହିଁ । ଗଛ ଡାଳରୁ କେବଳ ଭାସି ଆସୁଥାଏ ପକ୍ଷୀମାନଙ୍କର କିଚିରିମିଚିରି... ।

 

ଶ୍ରୀୟା ଆବେଗଭରା ସ୍ଵରରେ କହିଲା–‘‘ତମେ ମୋତେ ଠକି ଦେଇ ଚାଲିଗଲ କାହିଁକି ଯେ...।’’

ଅରବିନ୍ଦ ସହସା ଉତ୍ତର ଦେଇ ନ ପାରି କେବଳ ଏତିକି କହିଲା–‘‘ଯା ହେବାର ହୋଇଯାଇଛି । ମୁଁ ହଠାତ୍ ନିରୁଦ୍ଦିଷ୍ଟ ହେବା ମୋ ଆୟତ୍ତରେ ନ ଥିଲା–କିଏ ଯେପରି ମୋତେ ଠେଲି ଠେଲି ଯୋର୍‌ କରି ନେଇଗଲା... ! ଛାଡ଼.... କିପରି ଅଛ କୁହ... ।’’

ଶ୍ରୀୟାର ଆଖୁରୁ ଝରି ପଡ଼ୁଥିବା ଦୁଇ ବୁନ୍ଦା ଉଷ୍ଣ ଲୁହ ପୋଛି ଦେଇ ତାକ୍’ କାନ ପାଖରେ କହିଲା ଅରୁ–‘‘ମୁଁ ତୁମକୁ ଭଲପାଏ ଶ୍ରୀ.... ସେଥିପାଇଁ ତମକୁ ଦେଖି ତରଳିଯାଏ ମହମବତୀ ପରି... ।’'

ନାରୀର ହୃଦୟକୁ ଶାନ୍ତ କରିବା ପାଇଁ ସୃଷ୍ଟିର ଆରମ୍ଭରୁ ଏଇ ଭଲ ପାଇବା ଗୀତ ଶୁଣାଇ ଆସିଛି ପୁରୁଷ । ସେଇ ପଦକ କଥା ଶୁଣି ନାରୀ ବି ଧନ୍ୟ ହୋଇଯାଇଛି । ସେଇ ପରମ ଉପଲବ୍ଧିକୁ ସାଇତି ରଖିବା ପାଇଁ ସେ ଆଉ ପ୍ରଶ୍ନ ନ କରି କେବଳ ସମର୍ପଣ କରି ଆସିଛି ।

ଜନଗହଳି ବଢ଼ୁଥାଏ । ଅନେକ ଲୋକ ମନ୍ଦିରରୁ ଦୂରକୁ ଠେଲି ହୋଇ ଆସୁଥାନ୍ତି । ଆଉ ଟିକେ ପରେ ସଂଧ୍ୟା ହେବ ।

କିନ୍ତୁ ଶ୍ରୀୟାର କଥା ସରୁ ନ ଥାଏ କି ଅରବିନ୍ଦର ଧୈର୍ଯ୍ୟ ଚ୍ୟୁତି ହେଉ ନ ଥାଏ । ସେମାନେ ଯୁଗେ ପରେ ପରସ୍ପରକୁ ଭେଟିଛନ୍ତି । ସେଇ ମିଳନର ତନ୍ମୟ ମଧୁରତା ଦୁହିଁଙ୍କ ହୃଦୟରେ ।

ଜନସମୁଦ୍ର ମାଡ଼ି ଆସୁଥାଏ ସେମାନଙ୍କ ଆଡ଼କୁ । ଲୋକମାନେ ଦୌଡ଼ା ଦୌଡ଼ି ଆରମ୍ଭ କରିଦବା ପରି ଜଣାପଡ଼ୁଥାଏ । ତା’ ସହିତ ଭାସିଆସୁଥାଏ ଅଜସ୍ର ଲୋକଙ୍କ କୋଳାହଳ । ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଗଲା–‘‘ମନ୍ଦିର ବେଢ଼ାରେ ଆଉ ଜାଗାନାହିଁ । ତେଣୁ ବାହାରେ ଅପେକ୍ଷା କରନ୍ତୁ... ଠେଲାପେଲାରେ କେତେଜଣ ଆହତ ହେଲେଣି... ସେମାନଙ୍କ ସେବା ଶୁଶ୍ରୂଷା ଚାଲିଛି.. ଉଦ୍‌ବେଗର କାରଣ ନାହିଁ... ଶାନ୍ତି ଶୃଙ୍ଖଳା ରକ୍ଷା କରନ୍ତୁ... ।’

ଶ୍ରୀୟା କହିଲା–‘‘ମୁଁ ତୁମ ସହିତ ଯିବା ପାଇଁ ପ୍ରସ୍ତୁତ...’’

–‘‘କିନ୍ତୁ ବାପା, ମା’ଙ୍କୁ ଛାଡ଼ି ମୋ ସହିତ ଚାଲିଯିବା ନିଷ୍ଠୁରତା ହେବ ଶ୍ରୀୟା... ।’’ କହିଲା ଅରବିନ୍ଦ ।

–‘‘ମୁଁ ଆଉ ଅନିଶ୍ଚିତର ଦୋଳାରେ ଦୋଳି ଖେଳିବାକୁ ପସନ୍ଦ କରୁନି । ନିଷ୍ପତ୍ତି ନେଇସାରିଛି... ଗୁଣୁପୁର ଅଞ୍ଚଳରେ ଆଦିବାସୀମାନଙ୍କ ମଧ୍ୟରେ କାମ କରିବା ପାଇଁ ନିଷ୍ପତ୍ତି କରିଛି-। ତା’ପରେ ଗଜପତିକୁ ଏଇ କାମ ସମ୍ପ୍ରସାରିତ ହେବ ।’’ କହିଲା ଶ୍ରୀୟା ।

–‘‘ଭଲ । କିନ୍ତୁ ଏଠାରୁ ପଳାଇ ନ ଯାଇ ତମେ ବରଂ ଘରୁ ଆସିବ । ଗୁଣୁପୁର ତ ଦେଖି ଆସିଛ ସେଦିନ । ମୁଁ ଜାଣିଥିଲେ କେତେ ଭଲ ହୋଇଥାନ୍ତା । କିନ୍ତୁ ସେଇଠି ଆରମ୍ଭ କର ତମ ଜନସେବା କେନ୍ଦ୍ର... । ତାହାରି ମାଧ୍ୟମରେ ଆମେ ମିଳିମିଶି କାମ କରିବା ।’’

ଶ୍ରୀୟା କାନରେ ପଡ଼ିଲା ପୁଲିସ୍‍ର ହୁଇସିଲ । ଦଳେ ପୁଲିସ୍‍ ସେମାନଙ୍କ ଆଡ଼କୁ ଛୁଟି ଆସୁଥିବା ପରି ଅନୁମାନ କରି ଅରବିନ୍ଦକୁ ଠେଲି ଦେଇ କହିଲା–‘‘ସେମାନେ ପାଖକୁ ଆସିଗଲେଣି–ତମେ ପଳାଅ ଅରୁ... ପଳାଅ.... ।’'

ପରେ ନିଶ୍ଚୟ ଦେଖାହେବ କହି ଶ୍ରୀୟାକୁ ଆଶ୍ଵସନା ବାଣୀ ଶୁଣାଇ ଆଖି ପିଛୁଳାରେ ଅରବିନ୍ଦ ଜନଗହଳି ଭିତରେ କେଉଁଆଡ଼େ ଅଦୃଶ୍ୟ ହୋଇଗଲା ପୁଲିସ୍‍ ଜାଣିପାରିଲା ନାହିଁ କି ତାକୁ ଧରିପାରିଲା ନାହିଁ । ପୁଲିସ୍‍ ଧରି ନେଇଥିଲା ଯେ ଡାକ୍ତର ସରୋଜ ଚୌଧୁରୀ ସପରିବାର ଭୁବନେଶ୍ୱରରୁ ଅଲାରନାଥଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା କେବଳ ଏକ ବାହାନା ହୋଇପାରେ; ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନକ୍ସଲ ନେତା ଅରବିନ୍ଦ ମିଶ୍ର ସହିତ ଗୋଟେ କିଛି ସାଲିସ କରିବା । ଗୁଣୁପୁରର ସବ୍‌କଲେକ୍ଟ‌ର ପ୍ରିୟରଞ୍ଜନ ମହାନ୍ତିଙ୍କ ସହିତ ଝିଅର ବିବାହ ପ୍ରସ୍ତାବ ପକ୍‍କା କରିବା ପୂର୍ବରୁ ଅରବିନ୍ଦକୁ ଶ୍ରୀୟା ଜୀବନରୁ ହଟାଇ ଦବା ହେଉଛି ଅସଲ ଉଦ୍ଦେଶ୍ୟ ।

 

ରାତି ହେବା ପରେ ନଡ଼ିଆ ବଗିଚାର ସେଇ ନିରୋଳା ସ୍ଥାନ ଛାଡ଼ି ସାବଧାନତାର ସହିତ ଆଗକୁ ଅଗ୍ରସର ହେଲା ଅରବିନ୍ଦ । ସେ ମନ୍ଦିର ପାଖକୁ ନ ଯାଇ ବୁଲା ରାସ୍ତା ଦେଇ ସହରର ଗଳି କନ୍ଦି ଦେଇ ଚାଲିଯାଉଥିବାବେଳେ ହଠାତ୍‍ ଗୋଟିଏ ନିଛାଟିଆ ସ୍ଥାନରେ ଠିଆ ହୋଇଗଲା । ତା’ ପଛେ ପଛେ କେହି ଜଣେ ଆସୁଥିବାର ସନ୍ଦେହ ହେଲା । କେହି ସାଧାରଣ ପଥଚାରୀ ନା ପୁଲିସ୍‍ର ଲୋକ ହୋଇପାରେ । ସେ ବାଟ ଭାଙ୍ଗି ଆଉ ଏକ ଗଳି ଭିତରେ ପ୍ରବେଶ କରିବାବେଳକୁ ତାକୁ ସଂଶୟ ମୁକ୍ତ କରି ପଛରୁ ଭାସି ଆସିଲା ପରଚିତ ସ୍ଵର–‘‘ମୁଁ ନନ୍ଦ... ଟିକେ ରହିଯାଅ ବାବୁ ।’’

 

ବିଶ୍ଵାସ ହେଉ ନ ଥାଏ ଅରବିନ୍ଦର । ନନ୍ଦ ତା’ଠାରୁ ବିଦାୟ ନେଇ ଚାଲିଯାଇଥିଲା, ପୁଣି କେଉଁଠୁ ଆସିଲା ସେ ? କିନ୍ତୁ ଅରବିନ୍ଦର ସଂଶୟ ମୋଚନ କରି ନନ୍ଦ କହିଲା–‘‘ତୁମେ ସିନା ମୋତେ ବିଦା କରି ଦେଇଥିଲ କୃଷ୍ଣପ୍ରସାଦରେ, ମୁଁ କିନ୍ତୁ ଦୋଦୋ ପାଞ୍ଚ ହୋଇ ତମଠାରୁ ଦୂରତ୍ୱ ରକ୍ଷା କରି ତମ ପଛେ ଚାଲିଥିଲି । କାଳେ ଯଦି କୌଣସି ବିପଦ ଆପଦ ପଡ଼େ ତେବେ କୋଉ ମୁହଁ ନେଇ ମାଉସୀଙ୍କୁ ଦେଖା କରିବି ?’’

 

ନନ୍ଦର କର୍ତ୍ତବ୍ୟନିଷ୍ଠା ଅଭିଭୂତ କଲା ଅରବିନ୍ଦକୁ । ମାଉସୀଙ୍କ ଆଜ୍ଞା ପାଳନ କରିବାକୁ ଯାଇ ନିଜ ଅସୁବିଧା ସୁବିଧା କଥା ଭୁଲି ଯାଇଛି । ତାକୁ ରକ୍ଷା କରିବାକୁ ଯାଇ ନନ୍ଦ ନିଜକୁ ଅସୁରକ୍ଷିତ କରିଛି ।

 

ନନ୍ଦ କହିଲା–‘‘ଏଇନେ ତମେ ତ ଆଉ ବ୍ରହୁଗିରି–ପୁରୀ ବାଟ ଦେଇ ଫେରିପାରିବନି । କଡ଼ାକଡ଼ି ପୁଲିସ୍‍ ବ୍ୟବସ୍ଥା ହୋଇଥିବ । ବରଂ ରାତିଟା ଶୋଇପଡ଼, ବଡ଼ିଭୋର ଡଙ୍ଗାରେ ତମକୁ ନେଇ ଛାଡ଼ି ଆସିବି ରମ୍ଭା, ବାଲୁଗାଁ ଯେଉଁଠି କହିବ ।’’

 

ରାତିଟା ଜଣେ ପରିଚିତ ଲୋକ ଘରେ କଟାଇ ଦେଲେ ଦୁହେଁ । ନିଜର ପାଞ୍ଚପ୍ରାଣୀ କୁଟୁମ୍ବକୁ କଷ୍ଟେମଷ୍ଟେ ପୋଷୁ ଥିବା ନନ୍ଦର ପରିଚିତ ଗୌରାଙ୍ଗ ସେ ଦୁହିଁଙ୍କୁ ରାତ୍ରିରେ ଆଶ୍ରୟ ଦେଲା, ଚୁଡ଼ା ଭଜା ଗୁଡ଼ ଖାଇବାକୁ ଦେଲା ଏବଂ ବଡ଼ିଭୋର ଡଙ୍ଗାରେ ବସାଇ ଦେଇ କହିଲା–‘‘ଚିନ୍ତା ନାହିଁ, ନାଉରୀ ମୋ ମାମୁ ପୁଅ ଭାଇ, ଠିକ୍‌ ଜାଗାରେ ପହୁଞ୍ଚାଇ ଦବ । ଭଡ଼ା ଦବନି-। ତମେ ମୋର ଅତିଥି । ସେ ନବନି, ତାକୁ ଯାଚିଲେ ଅପମାନ ହେବ... ।’’

 

ଏଇ ଗାଁ ଲୋକଙ୍କର ସମ୍ଭ୍ରମବୋଧ ଦେଖି ଅଭିଭୂତ ହେଲା ଅରବିନ୍ଦ । ଏମାନେ ଯୁଗ ଯୁଗ ଧରି ମାଟିକାମୁଡ଼ି ପଡ଼ିଛନ୍ତି ଏଇ ଅପନ୍ତରା ଜାଗାରେ । ନିଜର ଅଧିକାର ସମ୍ପର୍କରେ ଜାଣନ୍ତି ନାହିଁ, କେବଳ କର୍ତ୍ତବ୍ୟ କରି ଚାଲିଛନ୍ତି ଶୂନ୍ୟ ଦୃଷ୍ଟିରେ । ଏମାନଙ୍କର ବର୍ତ୍ତମାନ ଯେପରି ଅନିଶ୍ଚିତ, ଭବିଷ୍ୟତ ଆହୁରି ବେଶୀ ଅନିଶ୍ଚିତ । ଆଜିର ସୂର୍ଯ୍ୟୋଦୟ ବଡ଼ ଏମାନଙ୍କ ପାଖରେ, କାଲି ସୂର୍ଯ୍ୟୋଦୟ ହେବ କି ନାହିଁ ଜାଣନ୍ତି ନାହିଁ ଏମାନେ ।

 

ସତରେ ରମ୍ଭାରେ ଯେତେଳେ ଦିନ ଦୁଇଟାବେଳକୁ ଡଙ୍ଗା ଲାଗିଲା କୂଳରେ ସନାତନ ନାଉରୀ ଭଡ଼ା ନେଲା ନାହିଁ, ବରଂ ଦୁହିଁଙ୍କୁ ମୁଢ଼ିମୁଆଁରୁ କିଛି କିଛି ଦେଲା ଖାଇସାରି ପାଣି ପିଇବା ପାଇଁ ।

 

ରମ୍ଭାରେ ସଂଧ୍ୟା ପର୍ଯ୍ୟନ୍ତ ଅଟକି ଗଲେ ଦୁହେଁ । ସଂଧ୍ୟା ହବ ହବ ହେଉଥାଏ । ସେଠାରେ ଅଟକୁ ନ ଥିବା ଗୋଟେ ଏକ୍ସପ୍ରେସ୍‌ଗାଡ଼ି ସିଗନାଲ ନ ପାଇ ଅଟକି ଗଲା ମିନିଟିଏ । ସେଇ ଅବସରରେ ଅରବିନ୍ଦକୁ ଗୋଟେ ଡବା ଭିତରକୁ ଠେଲି ଦେଇ କହିଲା ନନ୍ଦ–‘‘ତମେ ନିଶ୍ଚିନ୍ତରେ ଚାଲିଯାଅ ବାବୁ । ନଉପଡ଼ାରେ କିନ୍ତୁ ଓହ୍ଲାଇବ ନାହିଁ, ବରଂ ପଲାସାରେ ଓହ୍ଲାଇ ବସ୍‌ ଧରି ଚାଲିଯିବ । ହଁ, ତମେ ସିନା ରେଡ଼ିଓ ଖବର କହି ନ ଥିଲ ମାଉସୀଙ୍କୁ । ମୁଁ ତାଙ୍କୁ କହିଥିଲି ସେ କଥା । ମୋ କଥା ଶୁଣି ତାଙ୍କ ମୁହଁ ଉଜ୍ଜ୍ୱଳ ହୋଇ ଉଠିଥିଲା, ସେ ଆଖ୍‌ରୁ ଲୁହ ପୋଛି କ’ଣ କହିଲେ ଜାଣ–‘‘ମୋ ସାବିର ପୁଅ କେତେ ବଡ଼ କାମ କରୁଛି ଲୋକଙ୍କ ପାଇଁ । ନିଜ ଜୀବନକୁ ପାଣି ଛଡ଼ାଇ ଦୁଃଖୀ ଦୀନଙ୍କୁ ରକ୍ଷା କରିବା ପାଇଁ ଲଢ଼ୁଛି ସେଇ ଧନୀ, ଲୁଟିଖୁଆମାନଙ୍କ ବିରୁଦ୍ଧରେ-।’’

 

ଅରୁ ହାତକୁ ଗୋଟେ କାଗଜ ବଢ଼ାଇ ଦେଇ କହିଲା–‘‘ଏଇ କାଗଜ ଥଳିରେ ପାଞ୍ଚଶହ ଟଙ୍କା ଅଛି । ମାଉସୀ ଦେଇଛନ୍ତି । ଦରକାରବେଳେ କାମରେ ଆସିବ ।’’

 

ଗାଡ଼ି ଛାଡ଼ିଦେଲା ।

ନନ୍ଦ କପାଳରେ ହାତ ଲଗାଇ କହିଲା–ଲାଲ୍‌ ସଲାମ୍‌ ।

 

ଅରବିନ୍ଦର ଆଖି ଓଦା ହୋଇ ଆସିଲା, ସେ ମନେମନେ କହିଲା–ସାଧାରଣ ମଣିଷର ଜୟ ହେଉ, ବିପ୍ଲବୀ ଦୀର୍ଘଜୀବୀ ହେଉ ।

 

ବାଇଶ

 

ପଲାସା ଷ୍ଟେସନରେ ଓହ୍ଲାଇବା ପାଇଁ କହିଥିଲା ନନ୍ଦ । କିନ୍ତୁ ପ୍ଲାଟ୍‍ ଫର୍ମରେ ପୁଲିସ୍‍ ପଇଁତରା ମାରୁଥିବା ଦେଖି ବିପରୀତଦିଗକୁ ଡେଇଁ ପଡ଼ିବାକୁ ଯାଉଥିବାବେଳେ ସେ ପାଖରେ ମଧ୍ୟ ପୁଲିସ୍‍ ପହରା ଦେଉଥିବା ଦେଖି ଓହ୍ଲାଇଲା ନାହିଁ । ପାଞ୍ଚମିନିଟ୍‌ ରହିବା ପରେ ଗାଡ଼ି ଛାଡ଼ିଦେଲା । କିନ୍ତୁ ଶ୍ରୀକାକୁଲମରେ ଗାଡ଼ି ପହଞ୍ଚିବା ପୂର୍ବରୁ ଚେନ ଟାଣି ବାଟରେ ଗାଡ଼ି ଅଟକାଇ ଦେଲା କିଏ । ଏଇ ସୁଯୋଗରେ ସେ ଡେଇଁ ପଡ଼ି ଅନ୍ଧାରରେ ମିଶିଗଲା କେଉଁଠି । ହୁଇସିଲ ବାଜିବାର ଶବ୍ଦ ଶୁଣିଲା, ପଛରୁ କେତେଜଣ ଧାଇଁ ଆସୁଥିବାର ଶବ୍ଦ ଶୁଣିଲା, କିନ୍ତୁ ଏତେ ବଳ, ଏତେ ସାହସ ସେ କେଉଁଠୁ ପାଇଲା କେଜାଣି କୁଦା ମାରି ମାରି ରେଳଲାଇନ ପାର ହୋଇ ଅନ୍ଧାର ଭିତରେ ଅଦୃଶ୍ୟ ହୋଇଗଲା । କେହି ତା’ର ନାଗାଲ ପାଇଲେ ନାହିଁ ।

 

ବ୍ରହ୍ମପୁର ଷ୍ଟେସନରୁ କିଣି ଆଣିଥିବା ଖବର କାଗଜଟା ପଢ଼ିବା ପାଇଁ ସମୟ ହୋଇ ନ ଥିଲା ଏ ଯାଏ । ଆଲୁଅକୁ ଗଲେ ପଢ଼ିବ । ବରଂ ସେ ଶ୍ରୀକାକୁଲମରେ କମ୍ରେଡ଼୍‌ ରାମାରାଓଙ୍କୁ ସାକ୍ଷାତ୍‍ କଲେ ଏ ଅଞ୍ଚଳର ସବୁ ଖବର ଜାଣିପାରିବ । ସେ ହୁଏତ ଜାଣିଥିବେ ଗୁଣୁପୁରରେ କ’ଣ ହେଉଛି, ଶ୍ରୀହରି ବର୍ତ୍ତମାନ କେଉଁଠି ?

 

ରାତି ଦଶଟା ବାଜିବ ବୋଧହୁଏ । ଖୋଜି ଖୋଜି ଶେଷରେ ଗୋଟେ ଟିଣ ଛପର ହୋଇଥିବା ଇଟା କାନ୍ଥର ଘର ଆଗରେ ପହଞ୍ଚିଲା । ଚତୁର୍ଦ୍ଦିଗରେ ପରିବ୍ୟାପ୍ତ ଅନ୍ଧାର । ସ୍ଵରଶବ୍ଦ ନାହିଁ । ସହରର ଉପାନ୍ତରେ ଶ୍ରମିକ ବସ୍ତିରେ ଏଇ ଘର । ଦିନସାରା ହାଡ଼ଭଙ୍ଗା ପରିଶ୍ରମ କରି ଘରକୁ ଫେରିବା ପରେ, ଦୁଇଟା ପିଆଜ ଓ ଲଙ୍କା ମରିଚ ବଳରେ କଂସାଏ କଂସାଏ ପଖାଳ ଖାଇ ଶୋଇପଡ଼ିଥିବେ ଖଟିଖିଆ ଭାଇମାନେ, ଆସନ୍ତାକାଲି ପୁଣି ସେଇ ଧରାବନ୍ଧା ରୁଟିନ୍‌ ଆରମ୍ଭ କରିବା ପାଇଁ । ସୂଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଏମାନେ ଖଟନ୍ତି । ବେପାରୀମାନଙ୍କ ମାଲ୍‌ ବୋଝେଇ ଶଗଡ଼ ଟାଣନ୍ତି, ଥିଲାବାଲାମାନଙ୍କର ନୂଆଘର ତୋଳିବ ପାଇଁ ନିଅଁ ଖୋଳନ୍ତି, ସଡ଼କ ତିଆରି କରିବା ପାଇଁ ପଥର ଭାଙ୍ଗି, ମୁଣ୍ଡଝାଳ ତୁଣ୍ଡରେ ମାରି କାଠ ପାଲିସ କରନ୍ତି ବା ରକ୍ତ ପାଣିକରି ରିକ୍ସା ଟାଣନ୍ତି ।

 

ସାଂକେତିକ ଶବ୍ଦ ଶୁଣି ଧୀରେ ଧୀରେ କବାଟ ଖୋଲିଦେଇ ଚାଳିଶବର୍ଷର ଜଣେ ସମର୍ଥ ପୁରୁଷ ଅରବିନ୍ଦକୁ ଇଙ୍ଗିତ ଦେଲା ଭିତରକୁ ଆସିବା ପାଇଁ । ଲଣ୍ଠନ ଆଲୁଅରେ ଦିଶି ଯାଉଥାଏ ରାମାରାଓର ଚିହ୍ନା ମୁହଁ ଉପରେ ଝଟକୁ ଥିବା ଶାଣିତ ସଂକଳ୍ପ ।

 

ପ୍ରାୟ ଅଧରାତି ପର୍ଯ୍ୟନ୍ତ ଦୁଇ ବନ୍ଧୁଙ୍କ ମଧ୍ୟରେ ଆଲୋଚନା ଚାଲିଲା । ତାହାରିଠାରୁ ଅରବିନ୍ଦ ପ୍ରଥମ ଶୁଣିଲା ଯେ ବ୍ଳକ ଅଫିସ ପୋଡ଼ି ଶ୍ରୀହରି ନେତୃତ୍ଵରେ ହୋଇଥିଲା । ତାଙ୍କ ସହିତ ଯାଇଥିବା ପ୍ରାୟ ତିରିଶ ଜଣ କର୍ମୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ଶ୍ରୀହରି ପୁଲିସ୍‍ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ମାତ୍ର ତିନିଜଣଙ୍କୁ ପୁଲିସ୍‍ ଗିରଫ କରିପାରିଛି । ସେମାନଙ୍କୁ ବ୍ରହ୍ମପୁର କେନ୍ଦ୍ର ଜେଲରେ ରଖାଯାଇଛି । ପୁଲିସ୍‍ ଅନୁସନ୍ଧାନ ଶେଷ ହୋଇନାହିଁ, କିନ୍ତୁ ଶ୍ରୀହରିକୁ ଯେପରି ହେଉ ଧରିବା ପାଇଁ ଅଭିଯାନ ଜାରି ରହିଛି । ଶ୍ରୀହରି ସମ୍ବନ୍ଧରେ ପୁଲିସ୍‍କୁ ପ୍ରାସଙ୍ଗିକ ତଥ୍ୟ ଦେଲେ ଏବଂ ତାକୁ ଧରିବାରେ ପୁଲିସ୍‍କୁ ସହାୟତା କଲେ ଅର୍ଥ ପୁରସ୍କାର ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି । ଯେଉଁ ବିଶ୍ୱାସଘାତକମାନେ ଏହା କରିବେ ସେମାନଙ୍କୁ ସାବାଡ଼୍‌ କରିବା ପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରାମାରାଓଠାରୁ ଅରବିନ୍ଦ ପ୍ରଥମ ଶୁଣିଲା ଯେ ତା’ ଉପରେ ପୁଲିସ୍‍ ନିଘା ରଖିଛି ଏବଂ ତା’ର ବଢ଼ୁଥିବା ପ୍ରଭାବକୁ ପ୍ରତିହତ କରିବା ପାଇଁ ତାକୁ କୌଣସି ନା କୌଣସି ଗୁରୁତର ଅପରାଧରେ ଫସେଇ ଦେଇ ଆଇନର ଆଶ୍ରୟ ନବା ପାଇଁ ମସୁଧା ଚାଲିଥିବା ଗୋପନ ଖବର ଦଳର ହସ୍ତଗତ ହୋଇଛି । ସେ ଯେ ସାହେବ କୋଠିରୁ ଖସିଗଲା ଏହା ପୁଲିସ୍‍ର ଅକର୍ମଣ୍ୟତାର ପ୍ରମାଣ ହେଇଥିବାରୁ ତାକୁ ଶୀଘ୍ର ଗିରଫ କରିବା ପାଇଁ ମଧ୍ୟ ଉପରୁ ନିର୍ଦ୍ଦେଶ ଆସିଛି । ଶ୍ରୀହରି ରାମାରାଓ ମାରଫତ୍‌ ପଠାଇଥିବା ପରାମର୍ଶରୁ ଅରବିନ୍ଦ ଜାଣିଲା ଯେ ଆତ୍ମ ପ୍ରକାଶ ନ କରି ଆତ୍ମଗୋପନ କରି କାର୍ଯ୍ୟ କରିବା ହିଁ ଉଚିତ ହେବ । ତେଣୁ ସେ ଗୁଣୁପୁର ଫେରି ନ ଯାଇ ଗଜପତି ଓ ଗୁଣୁପୁରର ଜଙ୍ଗଲ ଅଞ୍ଚଳରେ ନୂଆ ଶିବିର ସ୍ଥାପନ କରି ସେହିଠାରୁ ଦୁଇ ଅଞ୍ଚଳର ଦାୟିତ୍ୱ ସମ୍ପାଦନ କରିବା ପାଇଁ ନିଷ୍ପରି ନେଲା-। ଏହାପରେ ଯଦି ଶ୍ରୀୟା ଗଜପତି–ଗୁଣୁପୁର ଇଲାକାରେ ଲୋକମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ସହିତ ସାମାଜିକ ପରିବର୍ତ୍ତନ ପାଇଁ କାମ ଆରମ୍ଭ କରେ ତେବେ ପରସ୍ପରର ପରିପୂରକ ହେବେ ଦୁହେଁ । ଏପରି ଅନେକକାମ ଅଛି ଯାହା ରାଜନୀତିକ ଦୃଷ୍ଟିକୋଣରୁ ଲୋକଙ୍କ ହିତ ସାଧନ ସକାଶେ ଉଦ୍ଦିଷ୍ଟ ହେଲେ ମଧ୍ୟ ରାଜକ୍ଷତି କରୁ ନ ଥିବା ଲୋକଙ୍କର ଏଇ କାମରେ ସହଯୋଗ ମିଳିବା କଷ୍ଟ ହୁଏ । ମୁକ୍ତିଯୁଦ୍ଧ ଆନ୍ଦୋଳନ ତ କେବଳ ସାମାଜିକ ପରିବର୍ତ୍ତନ ପାଇଁ ଉଦ୍ଦିଷ୍ଟ ନୁହେଁ, ଏହାର ପ୍ରଧାନ ଲକ୍ଷ୍ୟ ସାମ୍ୟବାଦୀ ସମାଜର ବ୍ୟବସ୍ଥା ସ୍ଥାପନ ସହିତ ସଶସ୍ତ୍ର ସଂଗ୍ରାମଦ୍ଵାରା କ୍ଷମତା ଦଖଲ କରିବା । ସେ ରାଜନୈତିକ ଦିଗଟି ପ୍ରତି ଦୃଷ୍ଟି ଦେଇ କାମ କରୁଥିବାରୁ ଯଦି ସାମାଜିକ ଅଙ୍ଗୀକାର ନେଇ ସମାଜରୁ ଅଶିକ୍ଷା, ଅନ୍ଧବିଶ୍ଵାସ ଦୂର କରିବା ଏବଂ ଲୋକଙ୍କୁ ପ୍ରଥାମିକ ସ୍ଵାସ୍ଥ୍ୟସେବା ଯୋଗାଇଦବା ସହିତ ସେମାନଙ୍କ ମଧ୍ୟରେ ଶିକ୍ଷା ଓ ସ୍ଵାସ୍ଥ୍ୟ ସଚେତନତା ପ୍ରସାର କରାଯାଏ ତେବେ ଅନେକ କିଛି ହୋଇପାରିବ । ହିଂସା ଯେ ପରିବର୍ତ୍ତନ ପାଇଁ ଅପରିହାର୍ଯ୍ୟ ନୁହେଁ ତାହା ତାର ହୃଦବୋଧ ହେଇଛି । ମାଓସେତୁଙ୍ଗ ଆହୁରି ବି କହିଛନ୍ତି ଯେ ସମୟ ସହିତ ଚାଲ । କୌଣସି ଭାବନା, ଦର୍ଶନ ବା ମତ ଚିରନ୍ତନ ବା ଅପରିବର୍ତ୍ତନୀୟ ନୁହେଁ । ସେଇଥିପାଇଁ ତ ସେ କହିଥିଲେ ଶହେ ଫୁଲ ଫୁଟିବାକୁ ଦିଅ ।

 

ଅରବିନ୍ଦ ରହିଗଲା ଶ୍ରୀକାକୁଲମ୍‌ରେ । ବ୍ରହ୍ମପୁର ଷ୍ଟେସନରୁ କିଣି ଆଣିଥିବା ଓଡ଼ିଆ ଖବରକାଗଚ୍ଚ ସବୁ ଗୋଟି ଗୋଟି କରି ପଢ଼ିଲା । ପୁଲିସ୍‍ ଓ ପ୍ରଶାସନ ଯେ ସେମାନଙ୍କ ଆନ୍ଦୋଳନକୁ କେବଳ ଆଇନ ଶୃଙ୍ଖଳା ସମସ୍ୟାଭାବେ ଧରିନେଇ ଦମନମୂଳକ ପଦକ୍ଷେପଦ୍ଵାରା ଆନ୍ଦୋଳନ ଭାଙ୍ଗି ଦବା ପାଇଁ ଏକମାତ୍ର ପନ୍ଥା ବୋଲି ଭାବୁଛନ୍ତି ଏହା ଏକ ବିରାଟ ଭୁଲ । ସାମ୍ୟବାଦୀ ଚେତନା ଶୂନ୍ୟରୁ ଏକମାତ୍ର ପନ୍ଥା ବୋଲି ଭାବୁଛନ୍ତି ଏହା ଏକ ବିରାଟ ଭୁଲ । ସାମ୍ୟବାଦୀ ଚେତନା ଶୂନ୍ୟରୁ ଖସି ନାହିଁ, ଶାସକ ଓ ନ୍ୟସ୍ତସ୍ଵାର୍ଥର ଶୋଷଣ ଓ ଉତ୍ପୀଡ଼ନରୁ ଏହାର ସୃଷ୍ଟି । ନ୍ୟାୟ ପାଇବା ଆଶାରେ ସେମାନେ ଯେ ଲଢ଼େଇ କରୁଛନ୍ତି ଏକଥା ଶାସକମାନେ ବୁଝୁନାହାଁନ୍ତି କାହିଁକି !

 

ଶ୍ରୀହରି ଗୁଣୁପୁର ଅଞ୍ଚଳନରେ ଅଛି ନା ଆଉ କେଉଁଠି ଆତ୍ମଗୋପନ କରିଛି ତାହାର ବିନ୍ଦୁ ବିସର୍ଗ ନ ଜାଣି ମନ ଅସ୍ଥିର ହେଉଥିଲା ଅରବିନ୍ଦର । ରାମାରାଓ କିନ୍ତୁ ସଂଧ୍ୟାବେଳକୁ ଯେଉଁ ଖବର ଦେଲା ତାହା ହତବାକ୍‌ କରିଦେଲା ଅରବିନ୍ଦକୁ ।

 

ଗତରାତି ଗୁଣୁପୁରରୁ ଗଜପତି ଆସିବା ବାଟରେ ଶ୍ରୀହରି, ଧନୁଶବର ଏବଂ ମାଣିଆ ମାଷ୍ଟରଙ୍କୁ ଗିରଫ କରିଛି ପୁଲିସ୍‍ । ସେମାନେ ଗୋଟେ ମାଲ ବୋଝେଇ ଟ୍ରକରେ ଛଦ୍ମବେଶରେ ଆସୁଥିବାବେଳେ ତନଖି ଫାଟକରେ ଟ୍ରକ୍‌ ଅଟକାଇ ସର୍ଚ୍ଚ କଲା ପୁଲିସ୍‍ । ବୋଧହୁଏ ଆଗରୁ କେହି ଖବର ଦେଇଥିଲା ପୁଲିସ୍‍କୁ । ନଚେତ ସମ୍ପୂର୍ଣ୍ଣ ଗୋପନୀୟ ଅଭିଯାନ ସମ୍ପର୍କରେ ହଠାତ୍‌ ପୁଲିସ୍‍ ଜାଣିବାର ସୁଯୋଗ ନ ଥିଲା । ସେମାନଙ୍କୁ ଗୁଣୁପୁର ଜେଲ୍‌ରେ ରଖାଯାଇଛି ।

 

ଅରବିନ୍ଦକୁ ମୂକ ହୋଇଯିବା ଦେଖି କହିଲା ରାମାରାଓ, ‘‘ତମେ ସ୍ତବ୍ଧ ହୋଇଗଲା ଯେ ଏକାବେଳେ ! ସଂକଟର ସାମନା କରିବା ହିଁ ସଂଗ୍ରାମୀର ଧର୍ମ । ରଣକ୍ଷେତ୍ରରୁ ପଳାଇ ନ ଯାଇ ଶତ୍ରୁ ହାତରୁ ସେମାନଙ୍କୁ ଛଡ଼ାଇ ନବାହିଁ ବାହାଦୁରୀ ।’’

 

–‘‘କିନ୍ତୁ କିପରି ? ପୁଲିସ୍‍ ତ ସେମାନଙ୍କୁ ଏତେବେଳକୁ ହାଜତରେ ରଖିଥିବ ଏବଂ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିବ ।’’ କହିଲା ଅରବିନ୍ଦ ।

 

–‘‘ତାହା ତ କରିବ, କିନ୍ତୁ ଏକଥା ସଦାବେଳେ ମନେରଖିବ ଯେ କୌଣସି ଦୁର୍ଗ ଅଭେଦ୍ୟ ନୁହେଁ, କୌଣସି ଶତ୍ରୁ ଅଜେୟ ନୁହେଁ ।’’

 

ଦୁଇ କମ୍ରେଡ଼୍‌ ନିରୋଳାରେ ବସି ଆଲୋଚନା କଲେ କିଛି ସମୟ । ଅନ୍ଧାର ଭିତରେ ବିଜୁଳି ପୋକର ଆଲୁଅ ବି ମନରେ ଆଶା ଓ ବିଶ୍ଵାସ ସୃଷ୍ଟି କରେ । ରାମା ରାଓ କହିଲା–‘‘ସେମାନଙ୍କୁ ହାଜତରେ କେତେଦିନ ରଖିବ ପୁଲିସ୍‍ ? ମାଜିଷ୍ଟ୍ରେଟ୍‌ ଆଗରେ ସେମାନଙ୍କୁ ଛିଡ଼ା କରାଇବ ନିଶ୍ଚୟ...

 

–‘‘କିନ୍ତୁ ?’’

 

–‘‘ମନ ଦୃଢ଼କର । ହାଜତରୁ ଅଦାଲତକୁ ନବାବେଳେ ବା ସେଠାରୁ ଫେରିବାବେଳେ କୌଣସି ଅସତର୍କ ମୁହୂର୍ତ୍ତରେ ସେମାନଙ୍କୁ ପୁଲିସ୍‍ ହାତରୁ ଛଡ଼ାଇ ନବାକୁ ହେବ...’’ । ରାମାରାଓ ବଜ୍ରମୁଷ୍ଟି ଉତ୍ତୋଳନ କଲା ।

 

ଅରବିନ୍ଦ କହିଲା ପ୍ଳାନ ପ୍ରସ୍ତୁତ କର । ବିପଦ ଭିତରକୁ ଡେଇଁପଡ଼ିବା ପାଇଁ ମୁଁ ରାଜି । ପୁଲିସ୍‍ ବ୍ୟୁହ ଭାଙ୍ଗିବା ପାଇଁ ସଶସ୍ତ୍ର ଆକ୍ରମଣ କରିବା ଦରକାର ହୋଇପାରେ... ।’’

 

–‘‘ଏଇଟା ତ ଗୋଟେ ବାଟ । କିନ୍ତୁ ସବୁଠାରୁ କମ୍‌ ରକ୍ତପାତ କରି ଏ କାମ କିପରି କରାଯିବ ତାହାହିଁ ହେବ ଆମର ଲକ୍ଷ୍ୟ ।’’

 

ରାତି ଦଶଟାବେଳକୁ ଆଉ କେତେକ କମ୍ରେଡ଼୍‍ ଆସି ପହଞ୍ଚିଲେ ସାଲୁର, ପାର୍ବତୀପୁରମ୍‌ ଅଞ୍ଚଳକୁ । ସେମାନେ ଯେ ଖାଲି ହାତରେ ଆସି ନ ଥିଲେ ତାହା ବିସ୍ଫୋରକ ଟିଣ ଦେଖି ବୁଝି ପାରିଲା ଅରବିନ୍ଦ ।

 

ତିନିଦିନ ପରେ ଅପରାହ୍ନ ଦୁଇଟାବେଳେ ଥାନା ହାଜତରୁ ସଶସ୍ତ୍ର ପୁଲିସ୍‍ ଗହଣରେ ଶ୍ରୀହରି ଓ ସାଥିମାନଙ୍କୁ କୋର୍ଟକୁ ନବାବେଳେ ସେମାନଙ୍କର ସଂଖ୍ୟା, ଯାନବାହନ ବ୍ୟବସ୍ଥା ଓ ଯିବା ଆସିବା ରାସ୍ତା ସମ୍ପର୍କରେ ଆଗୁଆ ଖବର ସଂଗ୍ରହ କରିଥିଲେ ପାର୍ବତୀପୁରମରୁ ଆସିଥିବା ଦୁର୍ଦ୍ଧଷ ସଂଗ୍ରାମୀ ରଙ୍ଗାରେଡ଼ି ଏବଂ ଅନୁପ ପଣ୍ଡା । ଯୋଜନା ପ୍ରସ୍ତୁତ ହେଲା । ପୁଲିସ୍‍ କନଭୟ ଭିତରେ ଅପେକ୍ଷାକୃତ ନିରୋଳା ସ୍ଥାନରେ ଆକ୍ରମଣ ବା ବାଟବଣା କରିବା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଗଲା । ତା’ପରେ ପୁଲିସ୍‍ କନଭୟରୁ କମ୍ରେଡ଼୍‍ମାନଙ୍କୁ ମୁକ୍ତ କରିବାକ୍ଷଣି ସେମାନଙ୍କୁ ଓଡ଼ିଶା ସୀମାନ୍ତ ଅତିକ୍ରମ କରି ଆନ୍ଧ୍ରର ସମୁଦ୍ରକୂଳବର୍ତ୍ତୀ ଜଙ୍ଗଲକୁ ନେଇଯିବାକୁ ହେବ । ସେଇ ବିସ୍ତୃତ ନିଛାଟିଆ ଅଞ୍ଚଳ ମୁକ୍ତିଯୁଦ୍ଧ ସଙ୍ଗଠନର ନିୟନ୍ତ୍ରଣରେ ଅଛି କେତେମାସ ହେଲା । ପୁଲିସ୍‍ ଓ ପ୍ରଶାସନର ସେ ସ୍ଥାନ ଉପରେ ଏ ପର୍ଯ୍ୟନ୍ତ ଦୃଷ୍ଟି ପଡ଼ିନାହିଁ । ସେଠାରୁ ସମୁଦ୍ର କୂଳେକୂଳେ ବିଶାଖାପାଟଣା ପର୍ଯ୍ୟନ୍ତ ପଳାଇଯିବା ଅସମ୍ଭବ ହେବନାହିଁ । ରାମାରାଓ, ରଙ୍ଗାରେଡ଼ି, ଅନୁପ ପଣ୍ଡା, ଅରବିନ୍ଦ ଓ ଆଉ କେତେଜଣ ସାଥୀ ବାହାରିଗଲେ ଗଜପତି ଅଭିମୁଖେ । ସେଠାରୁ ଗୁଣୁପୁର ଯିବା ସୁବିଧା ହେବ ।

 

ଅଦାଲତରେ ବିପ୍ଲବୀମାନଙ୍କୁ ହାଜର କରି ପୁଲିସ୍‍ ପକ୍ଷରୁ କୁହାଗଲା ସେମାନେ ଅନେକ ନରହତ୍ୟା, ଡକାୟତି କରିବା ସହିତ ସାମ୍ବିଧାନିକ ଶାସନ ବ୍ୟବସ୍ଥାକୁ ହିଂସାମାର୍ଗରେ ଭାଙ୍ଗି କ୍ଷମତା ଦଖଲ କରିବା ସେମାନଙ୍କର ଉଦ୍ଦେଶ୍ୟ । ଆଇନର ଶାସନ ଓ ଦେଶର ନିରାପତ୍ତା ବିପନ୍ନ କରିବା ପାଇଁ ଅଭିଯୁକ୍ତମାନେ ସଶସ୍ତ୍ର ସଂଗ୍ରାମ କରିବା କେବଳ ଆଇନ ବିରୁଦ୍ଧ ନୁହେଁ, ଦେଶର ସାର୍ବଭୌମତ୍ଵ ଓ ସାମ୍ବିଧାନିକ ବ୍ୟବସ୍ଥା ବିରୁଦ୍ଧରେ ମଧ୍ୟ ଯୁଦ୍ଧ ଘୋଷଣା ସହିତ ସମାନ ।

 

ପୁଲିସ୍‍ର ଅଭିଯୋଗ ବିରୁଦ୍ଧରେ ଆସାମୀମାନଙ୍କର କିଛି କହିବାର ଅଛି କି ବୋଲି ବିଚାରପତି ପ୍ରଶ୍ନ ପଚାରିବା ମାତ୍ରେ ପ୍ରଥମେ ଶ୍ରୀହରି ଏବଂ ପରେ ଅନ୍ୟମାନେ ସେଇ ଗୋଟିଏ କଥା କହିଲେ ଶୋଷଣ, ଉତ୍ପୀଡ଼ନ, ଅନ୍ୟାୟ ଓ ଅବିଚାର ବିରୁଦ୍ଧରେ ଲଢ଼ିବା ପ୍ରତ୍ୟେକ ମଣିଷର ମାନବିକ ଅଧିକାର । ଏହି ଅଧିକାର ସରକାର ହରଣ କରିପାରିବ ନାହିଁ.... । ତେଣୁ ସେମାନେ ନିର୍ଦ୍ଦୋଷ... ।’’

 

ସେମାନଙ୍କ ବୟାନ ଶୁଣିବାପରେ ବିଚାରପତି ଘୋଷଣା କଲେ–‘‘ସେମାନଙ୍କୁ ଜେଲ ହାଜତରେ ରଖାଯିବ ଏବଂ ପୁଲିସ୍‍ ସମୟସୀମା ମଧ୍ୟରେ ଅଭିଯୋଗ ଫର୍ଦ୍ଦ ଅଦାଲତରେ ଦାଖଲ କରିବ । ତା’ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।’’

 

ଏହାପରେ ଅଦାଲତ ସେହିଦିନ ପାଇଁ ମୁଲତବି ରହିଲା ଏବଂ ଆସାମୀମାନଙ୍କୁ ପୁଲିସ୍‍ ବ୍ୟୁହ ମଧ୍ୟରେ ବାହାରେ ଅପେକ୍ଷା କରୁଥିବା ପୁଲିସ୍‍ ଭ୍ୟାନ ପାଖକୁ ନିଆଗଲା ।

 

ବାହାରେ ଠୁଳ ହୋଇଥିବା ଦର୍ଶକମାନଙ୍କ ଆଡ଼କୁ ହାତ ହଲାଇ ବିଦାୟ ନେବାବେଳେ ଆସାମୀମାନେ ସମସ୍ଵରରେ ବଜ୍ରମୁଷ୍ଟି ଉତ୍ତୋଳନ କରି ଧ୍ଵନି ଦେଲେ–‘‘ଇନ୍‌କିଲାବ୍‌ ଜିନ୍ଦାବାଦ୍‌... । ମୁକ୍ତିଯୁଦ୍ଧ ସଫଳ ହେବ... ସଫଳ ହେବ ।’’

 

ଆସାମୀମାନଙ୍କୁ ଭ୍ୟାନ ଭିତରେ ଭର୍ତ୍ତି କରି ଦ୍ଵାରବନ୍ଦ କରି ତାଲା ଲଗାଇ ଦେଲା ପୁଲିସ୍‍ । ସେମାନଙ୍କ ପାଖରେ ଦୁଇଜଣ ସଶସ୍ତ୍ର ପୁଲିସ୍‍, ଆଗରେ ଦୁଇଜଣ ଏବଂ ପଛ ଗାଡ଼ିରେ ଆଉ ପାଞ୍ଚଜଣ ସଶସ୍ତ୍ର ପୁଲିସ୍‍ ଗହଣରେ ଜେଲ ଅଭିମୁଖେ ବାହାରିବା ପୂର୍ବରୁ ସିଗ୍‌ନାଲ ଦେଇ ଗାଡ଼ି ଅଟକାଇ ଦେଲେ ଇନ୍‌ସିପେକ୍ଟର । ପୁଲିସ୍‍ ବେତାର ଯୋଗେ ଖବର ପହଞ୍ଚିଲା ଯେ ଆଦିବାସୀ ମହିଳାମାନଙ୍କର ଗୋଟିଏ ବଡ଼ ପଟୁଆର ଆସୁଛି ସେଇ ବାଟଦେଇ । ପାଞ୍ଚ ମିନିଟ୍‌ ଯାଇଥିବ କି ନାହିଁ ଆଉ ଗୋଟାଏ ଖବର ଆସିଲା ବିପରୀତ ଦିଗରୁ ଆଉ ଗୋଟିଏ ଶୋଭାଯାତ୍ରା ବାହାରିଥିବା ବିଷୟରେ । ଏ ଦୁଇଟି ଶୋଭାଯାତ୍ରା ଆସୁଥିବାବେଳେ ସେଇବାଟ ଦେଇ ଆସାମୀମାନଙ୍କୁ ନେଇ ପୁଲିସ୍‍ଭ୍ୟାନ ଯଦି ଯାତ୍ରା କରେ ତେବେ ରାସ୍ତାରେ ଅଟକି ଯିବାର ଆଶଙ୍କା ଅଛି । କିଛି ଅଘଟଣ ଘଟିଯିବାର ସମ୍ଭାବନା ବି ଅଛି । ବରଂ ଭଲ ହେବ ଯଦି ଅଦାଲତ ପରିସର ମଧ୍ୟରେ ପୁଲିସ୍‍ ଭ୍ୟାନ ଅଟକି ରହେ । ଅଦାଲତ ସୁରକ୍ଷିତ ସ୍ଥାନ । ଏଠାରେ ଗଣ୍ଡଗୋଳ ହେବାର ଆଶଙ୍କା ନାହିଁ । ଅନ୍ୟମାର୍ଗ ଦେଇ ଯିବା ମଧ୍ୟ ନିରାପଦ ନୁହେଁ ।

 

ବିପରୀତ ଦିଗରୁ ଆସୁଥିବା ଦୁଇଟି ଶୋଭାଯାତ୍ରା । ପୁଲିସ୍‍ ଓ ପ୍ରଶାସନକୁ ଚିନ୍ତାରେ ପକାଇଦେଲା । ଏ ବିଷୟରେ ପୂର୍ବରୁ ଗୁଇନ୍ଦା ବିଭାଗରୁ କୌଣସି ସୂଚନା ମିଳି ନ ଥିଲା । ଅବସ୍ଥା ନିରୀକ୍ଷଣ କରିବା ପାଇଁ ସବ୍‌କଲେକ୍ଟର ଓ ଡି.ଏସ.ପି. ଆସି ବୁଲିଗଲେ ଏବଂ ସଜାଗ ରହିବା ପାଇଁ ପରମର୍ଶ ଦେଇଗଲେ ।

 

କିନ୍ତୁ ମହିଳାମାନଙ୍କ ଲମ୍ବା ଶୋଭାଯାତ୍ରାର ଆଗେ ଆଗେ ଚାଲିଥିଲା ନିୟତି । ତାହାରି ନେତୃତ୍ଵରେ ଆଦିବାସୀ ମହିଳାମାନେ ରାସ୍ତା ଉପରକୁ ବାହାରି ପଡ଼ିଥିଲେ ସେମାନଙ୍କର ଅଧିକାର ସାବ୍ୟସ୍ତ କରିବା ପାଇଁ । ସେମାନେ ମଦ ବିରୋଧୀ ସ୍ଲୋଗାନ୍‌ ଦେବା ସହିତ ଶାସନର ଜନସ୍ୱାର୍ଥ ବିରୋଧୀ ନୀତି ଏବଂ ସାହୁକାରମାନଙ୍କର ଶୋଷଣ ଏବଂ ଦୁର୍ନୀତି ବିରୁଦ୍ଧରେ ଧ୍ଵନି ଦେଉଥିଲେ । ଶୋଭାଯାତ୍ରାକାରିଣୀମାନଙ୍କୁ ଉତ୍ସାହିତ କରିବା ପାଇଁ ରାସ୍ତା କଡ଼ରେ ଅନେକ ଲୋକ ଠୁଳ ହେଉଥିବା ଦେଖାଗଲା । ବିପରୀତ ଦିଗରୁ ଆସୁଥିବା ଶୋଭାଯାତ୍ରାରେ ଆଦିବାସୀମାନେ ତୀର ଧନୁଶର, ଟାଙ୍ଗିଆ ଇତ୍ୟାଦି ଅସ୍ତ୍ରଶସ୍ତ୍ର ଧରି ବାଜା ବଜାଇ ଆସୁଥିବା ଖବର ପହଞ୍ଚିବା ପରେ ପୁଲିସ୍‍ ଅଫିସର ଓ ମାଜିଷ୍ଟ୍ରେଟ୍‌ ଚିନ୍ତାରେ ପଡ଼ିଗଲେ । ସେମାନଙ୍କ ମଧ୍ୟରେ ଘନଘନ ଆଲୋଚନା ହେଲା କିପରି ଶାନ୍ତି ଓ ଶୃଙ୍ଖଳା ସହିତ ଶୋଭାଯାତ୍ରା ସମାପ୍ତ ହୁଏ । ଏ ବିଷୟରେ ଆଗରୁ କୌଣସି ସୂଚନା ନ ଥିବାରୁ ବ୍ରହ୍ମପୁରରୁ ଫୋର୍ସ ମଗାଇବା ସମ୍ଭବ ନ ଥିଲା । ସାମାନ୍ୟକାରଣରୁ ଯେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇପାରେ ଏହି ଶଙ୍କା ଥିବାରୁ ପୁଲିସ୍‍ ଗାଡ଼ି ଅବସ୍ଥା ନିରୀକ୍ଷଣ କରିବା ସଙ୍ଗେ ସଙ୍ଗେ ଘନ ଘନ ଯିବା ଆସିବା କରୁଥିଲା ।

 

ସଂଧ୍ୟା ଘନେଇ ଆସୁଥିବାରୁ ପୁଲିସ୍‍ର ଚିନ୍ତା ବଢ଼ିବା ସ୍ଵାଭାବିକ । ଶୋଭାଯାତ୍ରା ସେଇ ବାଟ ଦେଇ ଚାଲି ନ ଯିବା ପର୍ଯ୍ୟନ୍ତ ଆସାମୀମାନଙ୍କୁ ନେଇ ପୁଲିସ୍‍ ଗାଡ଼ି ଜେଲରୋଡ଼ରେ ଯିବାପାଇଁ ସବ୍‌କଲେକ୍ଟର ମନା କରିଦେଇଥିଲେ । ଉତ୍ତେଜନା ସୃଷ୍ଟି କରିବା ପରି କୌଣସି ଅବସ୍ଥା ଯେପରି ସୃଷ୍ଟି ନ ହୁଏ ସେଥିପ୍ରତି ସମ୍ପୂର୍ଣ୍ଣ ସଜାଗ ରହିବା ସକାଶେ ପୁଲିସ୍‍କୁ ନିର୍ଦ୍ଦେଶ ଦିଆଯାଇଥିଲା । ମୁଖ୍ୟରାସ୍ତା ଶୋଭାଯାତ୍ରାକାରୀମାନଙ୍କ ପାଇଁ ଛାଡ଼ି ଦେଇ ଅନ୍ୟ ରାସ୍ତାରେ ଦୁଇଚକିଆ ଯାନବାହନ ଚଳାଚଳ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା ।

 

ମହିଳାମାନଙ୍କ ଶୋଭାଯାତ୍ରା କଚେରୀ ଆଗରେ ଯାଉଥିବାବେଳେ ରାସ୍ତାକଡ଼ରେ ଠୁଳ ହୋଇଥିବା ଦର୍ଶକମାନଙ୍କ ମଧ୍ୟରୁ କେହି ଜଣେ ଦୁଇଜଣ ଯୁବତୀଙ୍କ ଉପରକୁ ଫୁଲ ଫିଙ୍ଗି ସୁସୁରି ମାରିବାରୁ ମହିଳାମାନେ ପ୍ରତିବାଦ କଲେ ଏବଂ ସେମାନେ ରାସ୍ତାକଡ଼ରେ ବସିପଡ଼ିବାରୁ ଯାତାୟାତ ବନ୍ଦ ହୋଇଗଲା । ଫୁଲ ଫିଙ୍ଗିଥିବା ଲୋକକୁ ପୁଲିସ୍‍ ନ ଧରିବା ପର୍ଯ୍ୟନ୍ତ ସେମାନେ ଉଠିବେ ନାହିଁ ବୋଲି ନିୟତି ଘୋଷଣା କଲା । ମାଜିଷ୍ଟ୍ରେଟ୍‌ ନିୟତିକୁ ବୁଝେଇଲେ । ସେମାନଙ୍କ ମଧ୍ୟରେ କିଛି ସମୟ ଆଲୋଚନା ଚାଲିଲା । କିନ୍ତୁ ନିୟତି ନିଜ ଜିଦ୍‌ରେ ଅଟଳ ରହିଲା । ଅଗତ୍ୟା ଅନ୍ୟ ଉପାୟ ନ ଦେଖି ଦୁର୍ବୃତ୍ତକୁ ଗିରଫ କରିବା ପାଇଁ ପୁଲିସ୍‍ ନିଶ୍ଚିତ ଉଦ୍ୟମ କରିବ ବୋଲି ସେମାନଙ୍କୁ କହିବା ପରେ ନିୟତି କେତେଜଣଙ୍କ ସହିତ ପରାମର୍ଶ କରି କହିଲା–‘‘ମଦ ଭାଟି ମାଲିକର ଭଡ଼ାଟିଆ ଗୁଣ୍ଡାମାନେ ଏଇ କାମ କରିଥିବେ । ସେମାନେ ମରଦମାନଙ୍କୁ ମଦ ଖୁଆଇ ଝିଅ ବୋହୂଙ୍କ ଇଜ୍ଜତ୍‌ ଲୁଟୁଥିବା ଜାଣି ମଧ୍ୟ ପୁଲିସ୍‍ ନିରବଦ୍ରଷ୍ଟା ସାଜିଛି । ଏହାର ପ୍ରତିକାର କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଲେ ସେମାନେ ଶାନ୍ତିପୂର୍ଣ୍ଣଭାବେ ଚାଲିଯିବେ ।’’ ସେୟା ହେଲା । କିନ୍ତୁ ଏସବୁ ଶେଷ ହେବାବେଳକୁ ସଂଧ୍ୟା ଉତ୍ତୀର୍ଣ୍ଣ ହୋଇସାରିଥିଲା । ବିଦ୍ୟୁତ୍‌ କଟ୍‌ ଲାଗି ରହିଥିବାରୁ ରାସ୍ତାକଡ଼ର ବିଦ୍ୟୁତବତୀ ଜଳୁ ନ ଥିଲା । ସହର ଅନ୍ଧାର ଭିତରେ ବୁଡ଼ି ରହିଥିଲା ।

 

ମହିଳାମାନଙ୍କ ଶୋଭାଯାତ୍ରା ଚାଲିଯିବା ପରେ ବିପରୀତ ଦିଗରୁ ଆସୁଥିବା ଶୋଭାଯାତ୍ରା ସେଇ ସ୍ଥାନରେ ପହଞ୍ଚିବା ଆଗରୁ ପୁଲିସ୍‍ ଗାଡ଼ି ଆସାସୀମାନଙ୍କୁ ନେଇ ରାସ୍ତା ଉପରକୁ ଆସୁଥିବାବେଳେ ଅଦାଲତ ପରିସର ମଧ୍ୟରେ ଏବଂ ରାସ୍ତା ଉପରେ ଦୁଇଟା ବଡ଼ ଧରଣର ବିସ୍ଫୋରଣ ହେଲା । ସେଇ ଶବ୍ଦରେ ପ୍ରାଣ ବିକଳରେ ଯିଏ ଯେଉଁଆଡ଼େ ପାରନ୍ତି ଦୌଡ଼ିବାକୁ ଲାଗିଲେ । ସେଇ ସମୟରେ ପୁଲିସ୍‍ ଗାଡ଼ି ପାଖରେ ଆଉ ଗୋଟିଏ ବିସ୍ଫୋରଣ ହେବାରୁ ଚାରିଆଡ଼ ଧୂଆଁରେ ଭର୍ଭି ହୋଇଗଲା ଏବଂ ସେଇ ବିଶୃଙ୍ଖଳା ମଧ୍ୟରେ ଆସାମୀମାନଙ୍କୁ ଜଗିଥିବା ସଶସ୍ତ୍ର ପୁଲିସ୍‍ ଉପରେ ଅତର୍କିତ ଆକ୍ରମଣ କରି ଭ୍ୟାନର ଦରଜା ଭାଙ୍ଗି ଆସାମୀମାନଙ୍କୁ ଉଦ୍ଧାର କରି ନେଲେ ମୁକ୍ତି ଯୋଦ୍ଧାମାନେ । ତା’ପରେ ପରିବ୍ୟାପ୍ତ ଅନ୍ଧାର ଭିତରେ ସେମାନେ ଅଦୃଶ୍ୟ ହୋଇଗଲେ । ନିଆଁ ଲିଭାଇବା ପାଇଁ ଦମକଳ ଆସିବାବେଳକୁ ନିଆଁ ନିଭିଯାଇଥିଲା । କିନ୍ତୁ ଧୂଆଁରେ ଭର୍ତ୍ତି ହୋଇଥିଲା କଚେରୀ ପରିସର ।

 

ସବ୍‌କଲେକ୍ଟର ପ୍ରିୟରଞ୍ଜନ ମହାନ୍ତି ଏବଂ ଡି.ଏସ୍‌.ପି. ସର୍ବେଶ୍ୱର ନାଏକ ସେଠାରେ ପହଞ୍ଚିବାବେଳକୁ ଶୋଭାଯାତ୍ରାରେ ଆସିଥିବା ଆଦିବାସୀମାନେ ମଧ୍ୟ ନ ଥିଲେ । ରାସ୍ତାକଡ଼ରେ ଓ କଚେରୀ ହତାରେ ଠୁଳ ହୋଇଥିବା ଦର୍ଶକମାନେ ଆଗରୁ ସ୍ଥାନ ଛାଡ଼ି ପଳାଇଥି‌ଲେ । କିନ୍ତୁ ଦୁଇଜଣ ପୁଲିସ୍‍, ଜଣେ ସରକାରୀ କର୍ମଚାରୀ ଏବଂ ଜଣେ ଦର୍ଶକଙ୍କୁ ଗୁରୁତର ଆହତ ଅବସ୍ଥାରେ ପଠାଇ ଦିଆଗଲା ହାସ୍‌ପାତାଳକୁ ।

 

ଗଳିକନ୍ଦି ଅତିକ୍ରମ କରି ମୁକ୍ତିଯୋଦ୍ଧାମାନେ ବଂଶଧାରା ନଦୀ କୂଳରେ ପହଞ୍ଚିଲାବେଳକୁ ନଦୀକୂଳର ଶୂନ୍ୟତା ସେମାନଙ୍କୁ ସ୍ଵାଗତ କଲା ବାହୁ ପ୍ରସାରିତ କରି । ଅନାଦି କାଳରୁ ପ୍ରବାହିତ ହେଉଛି ବଂଶଧାରା । ଲୋକମାନଙ୍କୁ, ଜୀବଜନ୍ତୁ, ବନସ୍ପତି ଓ ଉଦ୍ଭିଦ ଜଗତକୁ ବଞ୍ଚାଇ ରଖି ବଂଶଧାରା । କାହାରିଠାରୁ କିଛି ମାଗି ନାହିଁ, କେବଳ କଳ୍ପତରୁ ପରି ଯିଏ ହାତ ପାତିଛି ତାକୁ ନିରାଶ କରିନାହିଁ ।

 

ଶ୍ରୀହରି ଆଞ୍ଜୁଳାଏ ପାଣି ଆଣି ମୁହଁ ଧୋଇଲା ଏବଂ କହିଲା–‘‘ଏଇ ନଦୀ ଆମର ମା’-। ଜନନୀ ଯେପରି ସନ୍ତାନଠାରୁ କିଛି ପାଇବା ଆଶା ନ ରଖି କେବଳ ଦେଇଯାଏ, ବଂଶଧାରା ମଧ୍ୟ ସେହିପରି ସୁଖ ଦୁଃଖରେ ଆମକୁ ସାନିଧ୍ୟ, ସାନ୍ତ୍ୱନା ଓ ସାହସ ଦେଇଛି । ତ୍ୟାଗ କରିବାକୁ ଶିଖାଇଛି । ବଂଶଧାରାର ପ୍ରବାହ ଜଳତରଙ୍ଗ ସୃଷ୍ଟି କରି ଧାଉଁଛି ସମୁଦ୍ରଆଡ଼କୁ ମଣିଷ ଯେପରି ଧାଏଁ ନିଜର ଲକ୍ଷ୍ୟଆଡ଼କୁ ।’’

 

ସେମାନେ ଅଳ୍ପ ସମୟ ବିଶ୍ରାମ କଲେ ସେଠାରେ । ବିଶ୍ଵସ୍ତ ସାଥୀମାନେ ସେମାନଙ୍କୁ ଚୁଡ଼ା, ଗୁଡ଼ ଓ ଚା’ ଖୁଆଇ ଅପ୍ୟାୟିତ କଲେ ଏବଂ ରାତି ବହଳ ହେବାପରେ କିଛି ଦୂରରେ ଅପେକ୍ଷା କରୁଥିବା ଗୋଟିଏ ମୋଟରଗାଡ଼ି ସେମାନଙ୍କୁ ନେଇ ଅଗ୍ରସର ହେଲା ପାଲୁର ଅଭିମୁଖେ-। ସେଠାରୁ ସେମାନଙ୍କୁ ବିଶାଖାପାଟଣା ନେଇଯିବା ପାଇଁ ଗୋଟିଏ ମୋଟରବୋଟ୍‌ ଅପେକ୍ଷା କରି ରହିଥିଲା । ଯିବା ଆଗରୁ ଏକାନ୍ତରେ ଅରବିନ୍ଦଙ୍କୁ କହିଲା ଶ୍ରୀହରି–‘‘ଜୀବନ ଉତ୍ସର୍ଗ କରିବାଦ୍ଵାରା ବିପ୍ଳବ ଦୀର୍ଘଜୀବୀ ହୁଏ ଏବଂ ବିବେକ ମଧ୍ୟରେ ଜୀବନ ହୁଏ ଆୟୁଷ୍ମାନ୍‌ । ତୁ ଠିକ୍‌ ବାଟରେ ଚାଲିଛୁ । ଭୟ କ’ଣ ?’’ ତା’ ମଥା ଉପରେ ହାତ ବୁଲେଇ ଆଣି ଆଶୀର୍ବାଦ କଲା ଶ୍ରୀହରି-

 

ସକାଳର ସୂର୍ଯ୍ୟୋଦୟବେଳକୁ ଦେଶବାସୀ ଶୁଣିଲେ ମୁକ୍ତିଯୋଦ୍ଧାମାନଙ୍କର ଏଇ ଅପୂର୍ବ ଦୁଃସାହସିକ ଅଭିଯାନର ରୋମାଞ୍ଚକର କାହାଣୀ । ରାମାରାଓ କହିଲା–‘‘ଏଥର ତମେ ଯୁଆଡ଼େ ଇଚ୍ଛା ଯାଇପାର । ନେତାଜୀ ବିଶାଖାପାଟଣାରୁ ଆନ୍ଧ୍ରର ଅଭ୍ୟନ୍ତରକୁ ଯାଇ ଭଦ୍ରାଚଳମ୍‌ ଶିବିରରେ କିଛିଦିନ ରହିବା ପରେ ପୁଣି ଫେରିବେ ମାଲାକାନଗିରି । ସେ ପର୍ଯ୍ୟନ୍ତ ଅନ୍ତତଃ ପୁଲିସ୍‍ ମୁଖ୍ୟ ନିଦ୍ରାରେ ଶୋଇପାରିବେ ।’’

 

କିନ୍ତୁ ବିପ୍ଲବୀମାନଙ୍କର ସୁଖନିଦ୍ରା ହୁଏନି କେବେ । ବିପ୍ଲବର ଅଗ୍ନି ପ୍ରଶମିତ ହୁଏ ନାହିଁ କସ୍ମିନକାଳେ; ଶୋଷଣ, ଉତ୍ପୀଡ଼ନ, ଅନ୍ୟାୟ, ଅବିଚାର ଥିବା ପର୍ଯ୍ୟନ୍ତ । ଜୀବନର ଶେଷମୁହୂର୍ତ୍ତ ପର୍ଯ୍ୟନ୍ତ ସେମାନେ ଗାଉଥାନ୍ତି ବିପ୍ଲବର ଗୀତ, ସେମାନଙ୍କର ବିଶ୍ୱାସରେ ବହୁଥାଏ ଅତ୍ୟାଚାର ଓ ଅନ୍ୟାୟକୁ ପୋଡ଼ିଜାଳି ଦବାପାଇଁ ଜ୍ଵଳନ୍ତ ଅଗ୍ନିଶିଖା ।

 

ରଙ୍ଗାରେଡ୍‍ଡି, ରାମାରାଓ, ଅରବିନ୍ଦ ଓ ଅନୁପ ବଜ୍ର ମୁଷ୍ଟି ଉତ୍ତୋଳନ କରି ସମ୍ମାନ ଜଣାଇଲେ ବିପ୍ଲବକୁ ।

 

ତେଇଶ

 

ଇଣ୍ଡୋନେସିଆର ସୁମାତ୍ରା ଦ୍ଵୀପ ନିକଟରେ ଭୂଗର୍ଭରେ ପ୍ରବଳ ଭୂମିକମ୍ପ ହେବାରୁ ପରିଣାମ ଯେ ଏତେ ଭୟଙ୍କର ହେବ ତାହା କେହି ଭାବି ନ ଥିଲେ। ‘ସୁନାମି’ ସାମୁଦ୍ରିକ ଝଡ଼ର ଉତ୍ତାଳ ତରଙ୍ଗ ଆଣ୍ଡାମାନ ଦ୍ଵୀପପୁଞ୍ଜର ଶହ ଶହ ବସତି ଗ୍ରାସ କରି ଆଗେଇ ଆସିଛି ଶ୍ରୀଲଙ୍କା ଓ ତାମିଲନାଡ଼ୁ ଉପକୂଳକୁ ବିପର୍ଯ୍ୟସ୍ତ କରିବାପାଇଁ । କେବଳ ଇଣ୍ଡୋନେସିଆରେ ଦେଢ଼ଲକ୍ଷ ଲୋକ ମରିବା ସହିତ ଶ୍ରୀଲଙ୍କା, ତାମିଲନାଡ଼ୁ, ଆଣ୍ଡାମାନ ପ୍ରଭୃତିରେ ଆଉ ପଚାଶ ହଜାରରୁ ଅଧିକ ଲୋକଙ୍କୁ ଗ୍ରାସ କରିଛି ସମୁଦ୍ର । ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟ ଆହୁରି ଘନ ଘନ ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଭୂବିଜ୍ଞାନୀମାନେ । ସାତମାସ ଅତୀତ ହେଲାଣି କିନ୍ତୁ ଲୋକଙ୍କ ଥଇଥାନ ବ୍ୟବସ୍ଥା ଏଯାଏ ସମ୍ଭବ ହୋଇନାହିଁ ।

 

ଶ୍ରୀହରି ପାଲୁରରୁ ସମୁଦ୍ର ପଥରେ ବିଶାଖାପାଟଣା ଆସିବାବେଳେ ଭାବୁଥିଲା ସୁନାମି ସମ୍ବନ୍ଧରେ । ପ୍ରକୃତିକୁ ନଷ୍ଟକରି ମଣିଷ ଯେ ସୁଖରେ ବଞ୍ଚିପାରିବ ନାହିଁ ଏହା ସମସ୍ତେ ଭାବିବା ଦରକାର । ଭାଇଜାଗ୍‌ରୁ ଶ୍ରୀହରି ଆସିଲା ଭଦ୍ରାଚଳମ୍‌ । ସେଠାରୁ ମାଲାକାନଗିରି ଏବଂ ତା’ପରେ ପୁଣି ଗଜପତି । ପୁଲିସ୍‍ ଭ୍ୟାନରୁ ସେମାନଙ୍କୁ ସାଥୀମାନେ ମୁକ୍ତ କରିବା ପରେ ଏବେ ଗଜପତି, ଗୁଣୁପୁର ଅଞ୍ଚଳରେ କୋକୁଆ ଭୟ ଲୋକଙ୍କର । ମୁକ୍ତିଯୋଦ୍ଧାମାନଙ୍କୁ ଧରିବା ପାଇଁ ପୁଲିସ୍‍ ତଲାସି ଏତେବେଶୀ ବଢ଼ିଯାଇଛି ଯେ, ଲୋକମାନେ ତ୍ରାହି ତ୍ରାହି ଡାକ ଦେଲେଣି । ସେମାନଙ୍କର ମନୋବଳ ଭାଙ୍ଗି ଯାଉଥିବା ଖବର ପାଇ ଶ୍ରୀହରି ପୁଣି ଲେଉଟି ଆସିଛି, କିନ୍ତୁ ସେ ପାରଳାଖେମୁଣ୍ଡି ଗୁଣୁପୁରରେ ନ ରହି ଆନ୍ଧ୍ର ସୀମାନ୍ତରେ ଗୋଟିଏ ଜଙ୍ଗଲ ଶିବିରରେ ଅବସ୍ଥାନ କରୁଛି ଦଳବଳ ନେଇ । ସେଠାରୁ ଯେତେବେଳେ ଯେପରି ସୁବିଧା ବିଭିନ୍ନ ସ୍ଥାନକୁ ଯାଇ ସଙ୍ଗଠନକୁ ଆହୁରି ମଜବୁତ୍‌ କରିବା କାମ ମଧ୍ୟ କରୁଛି ।

 

ଇତି ମଧ୍ୟରେ ମାସଟିଏ ଅତିକ୍ରାନ୍ତ ହୋଇଯାଇଛି । ଏଇ ମାସକ ଭିତରେ ପୃଥିବୀର ଏତେ ପରିବର୍ତ୍ତନ ହେବ ବୋଲି କିଏ ଭାବିଥିଲା ? ନେପାଳର ରାଜୁଡ଼ା ଶାସନ ବିରୁଦ୍ଧରେ ମାଓବାଦୀମାନେ ବିଦ୍ରୋହ କରୁଛନ୍ତି ।

 

ବର୍ଷାଋତୁ ଆସିବା ପରେ ନଦୀନାଳ, ବିଲବାଡ଼ିର ଦୃଶ୍ୟ ବଦଳି ଗଲା । ମେଘାଚ୍ଛନ୍ନ ଆକାଶକୁ ଚାହିଁ ମୟୂର ମୟୂରୀ ନୃତ୍ୟ କଲେ । ଡାହୁକର ଡାକ ଶୁଣାଗଲା ଗଛ ଡାଳରୁ । ବଗବଗୁଲି ଉଡ଼ି ଯାଉଥିବାର ଦୃଶ୍ୟ ଦେଖି ଦଣ୍ଡେ ଚାହିଁଲା ଶ୍ରୀୟା ଆକାଶକୁ । ଅଲାରନାଥଙ୍କୁ ଦର୍ଶନ କରି ଫେରିବା ପରେ ସେ ଆଉ ସ୍ଥିର ହୋଇ ବସିପାରିଲା ନାହିଁ । ନିଷ୍ପତ୍ତି ନବାର ବେଳ ଆସିଛି, ଆଉ ଡେରି କଲେ ଚଳିବ ନାହିଁ । ଶୁଭଲଗ୍ନ ସବୁବେଳେ ଆସେ ନାହିଁ । ବିଧି ନିର୍ଦ୍ଦିଷ୍ଟ ସେଇ ଲଗ୍ନ ବାରମ୍ବାର ଧରାଦିଏନି । ଗୁଣୁପୁରରୁ ଫେରିବା ପରେ ସେ ବାଟରେ ବାପା ମା’ଙ୍କୁ ଜଣାଇ ଦେଇଥିଲା ତା’ର ନିଷ୍ପତ୍ତି । କିନ୍ତୁ ଅଲାରନାଥଠାରେ ଅକସ୍ମାତ୍ ଅରବିନ୍ଦ ସହିତ ଦେଖା ହେବାପରେ ସେ ବିପ୍ଲବରେ ଝାସ ଦବାପାଇଁ ସ୍ଥିର କଲା । ସମସ୍ତେ ସମ୍ମୁଖ ସମରରେ ଇଢ଼ନ୍ତି ନାହିଁ, ଦରକାର ମଧ୍ୟ ହୁଏନା । ସମ୍ମୁଖ ସମରରେ ଲଢ଼ୁଥିବା ସେନାମାନଙ୍କୁ ସମର୍ଥନ ଓ ଯୁଦ୍ଧ ସାମଗ୍ରୀ ଯୋଗାଇଦବା ପାଇଁ ପଛଭାଗରେ ଯେଉଁମାନେ ରହନ୍ତି ସେମାନଙ୍କର କାମ ଗୌଣ ନୁହେଁ । ବରଂ କେତେକାଂଶରେ ସଫଳତା ସେମାନଙ୍କ ଦକ୍ଷତା ଉପରେ ନିର୍ଭର କରେ ।

 

ପାରଳାଖେମୁଣ୍ଡିରେ ରହିବା ସବୁଆଡ଼କୁ ସୁବିଧା ହେବ ଭାବି ଶେଷରେ ସେହିଠାରେ କାମ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଲା ସେ ।

 

ସାଙ୍ଗରେ ଡ୍ରାଇଭର ଏବଂ ଆଉ ଦୁଇଜଣ କର୍ମୀଙ୍କୁ ନେଇ ସେ ବାହାରିପଡ଼ିଲା ତା’ ପାଇଁ ବାପା କିଣି ଦେଇଥିବା ନୂଆ ମାରୁତି ଭ୍ୟାନ୍‌ରେ । ବ୍ରହ୍ମପୁରରେ ମଧ୍ୟାହ୍ନ ଭୋଜନ ଶେଷ କରି କିଛି ଅତ୍ୟାବଶ୍ୟକ ସାମଗ୍ରୀ କିଣିଲା ବଜାରରୁ । ତା’ପରେ ପାରଳାଖେମୁଣ୍ଡି ଅଭିମୁଖେ ବାହାରି ପଡ଼ିବାବେଳକୁ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଥିଲା । ସହରର ଟିକେ ଦୂରରେ ଗୋଟିଏ ଭଡ଼ାଘର ଠିକ୍‌ କରି ଦେଇଥିଲେ ଡାକ୍ତର ଚୌଧୁରୀ । ସେଠାରେ ପହଞ୍ଚିଗଲେ ଆଉସବୁ ବ୍ୟବସ୍ଥା ହୋଇଯିବ । ଜଣେ ବିଶ୍ଵାସୀ, ଅନୁଗତ ଲୋକ ନିଯୁକ୍ତ କରିଛନ୍ତି ଡାକ୍ତର ଚୌଧୁରୀ ଝିଅର ତତ୍ତ୍ୱନବାପାଇଁ ।

 

ବାଟସାରା ଝମାଝମ୍‌ ବର୍ଷା । ସଡ଼କର ଦୁଇ ପାଖରେ ଛୁଟିଥାଏ ପାଣିର ସୁଅ । ମେଘଡମ୍ବରୁରୁ ଭାସି ଆସୁଥାଏ ଦେବତାମାନଙ୍କର ଯୁଦ୍ଧଂ ଦେହି ଆହ୍ଵାନ । ଅସୁର ସେନା ଖେଦି ଯାଇଥାନ୍ତି ସବୁଆଡ଼େ । ମାରୁତିଭ୍ୟାନରେ କିଏ ଆସିଛି ଯାଞ୍ଚ୍‌ କରିବା ପାଇଁ ପୁଲିସ୍‍ ବାଟରେ ଗାଡ଼ି ଅଟକାଇଥିଲା ଦୁଇଥର । ଶ୍ରୀୟା ମନକୁ ମନ ହସୁଥାଏ ମୁକ୍ତିଯୋଦ୍ଧାମାନଙ୍କୁ ଧରିବା ପାଇଁ ପ୍ରଶାସନିକ ତତ୍ପରତା ଦେଖି ।

 

ଆସିବାବେଳେ ମା’ ତାକୁ ଚେତାଇ ଦେଇ କହିଥିଲେ କିଛି ବିପଦ ଆପଦ ପଡ଼ିଲେ ପ୍ରିୟରଞ୍ଜନ ସହିତ ଯୋଗାଯୋଗ କରିବା ପାଇଁ । ମା’ କାହିଁକି ଓ କେଉଁ ଉଦ୍ଦେଶ୍ୟ ନେଇ ଏଇ ପରାମର୍ଶ ଦେଇଥିଲେ ତାହା ଭାବିଲାବେଳକୁ ମୁହଁ ଉପରେ ହସ କେରାଏ ଖେଳିଗଲା ଶ୍ରୀୟାର । ପୃଥି‌ବୀର ସବୁ ଜରୁରୀ କାମଠାରୁ ଝିଅକୁ ସତ୍ ପାତ୍ରରେ ଦାନ କରିବା ଯେପରି ସର୍ବାପେକ୍ଷା ବେଶୀ ଜରୁରୀ ଓ ଗୁରୁତ୍ଵପୂର୍ଣ୍ଣ ବିଷୟ । କିନ୍ତୁ ତାଙ୍କୁ କିଛି କହି ନ ଥିଲା ଶ୍ରୀୟା । କିପରି ବାପା ମା’ଙ୍କୁ ସେ ବୁଝେଇବ ଯେ ଜୀବନସାଥୀ ନିର୍ବାଚନ ଅନେକ ଆଗରୁ କରିସାରିଛି ସେ, ସେଥିରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ । ଆଉ ଅରବିନ୍ଦ ସଂଗ୍ରାମରେ ଝାସ ଦେବାପରେ ଯଦି ତା’ ପାଇଁ ତାକୁ ଜୀବନସାରା ଅପେକ୍ଷା କରିବାକୁ ପଡ଼େ ତେବେ ସେ କରିବ । ଦୀର୍ଘକାଳ କବାଟ ଝରକା ଖୋଲି ବସିଥିବ ଅପେକ୍ଷମାଣା ନାରୀର ଆକୁଳତା ନେଇ । କିନ୍ତୁ ଯଦି ସ୍ଵାର୍ଥ ବଳିଦେଇ ପରହିତ ପାଇଁ ଶପଥ ନେଇଥିବା ନାରୀ ନିଜର ଶକ୍ତି ଓ ସତ୍ତା ଜଣେ ବ୍ୟକ୍ତିକୁ ସମର୍ପଣ କରି ଇନ୍ଦ୍ରିୟ ସୁଅରେ ଦୋଳି ଖେଳିପାରେ ନାହିଁ । ଅରବିନ୍ଦ ତାର ସାଥୀ, ସାରଥୀ ଓ ସମଧର୍ମା ସବୁକିଛି ।

 

ଡ୍ରାଇଭର ଅନବରତ କାଚ ଉପରୁ ପାଣି ସଫା କରୁଥିଲେ ବି ମୂଷଳ ଧାରାର ବର୍ଷା ଯୋଗୁ ଦୂରରେ କ’ଣ ଅଛି ତାହା ଦିଶୁ ନ ଥାଏ ଗାଡ଼ି ଚାଳକକୁ । ରାସ୍ତାକଡ଼ରେ ଥିବା ଗୋଟିଏ ଚା’ ଦୋକାଳରେ ଆଶ୍ରୟ ନେଇଥାନ୍ତି କେତେଜଣ ପଥଚାରୀ । ଦୋକାନ ଆଗରେ ଗାଡ଼ି ଛିଡ଼ା କରିବାକୁ କହିଲା ଶ୍ରୀୟା । ଡ୍ରାଇଭରକୁ କପେ ଚା’ ଓ ଜଳଖିଆ କିଛି ଖୁଆଇଦେଲେ ସେ ସଜାଗ ହୋଇଯିବ ପୁଣି । ସେମାନେ ମଧ୍ୟ ଚା’ ପିଇବେ ଏଇ ସୁଯୋଗରେ ।

 

ହଠାତ୍ ଦରଜା ଖୋଲି ବାହାରକୁ ଡେଇଁ ପଡ଼ିଲା ଶ୍ରୀୟା । ଅବଶ୍ୟ ଉପରେ ବର୍ଷାତିଟାକୁ ଘୋଡ଼ାଇ ହବା ପାଇଁ ଭୁଲି ନ ଥିଲା । ମଥା ଉପରେ ଟୋପି । ତାକୁ ଦୋକାନ ଭିତରେ ପ୍ରବେଶ କରୁଥିବା ଦେଖି କେହି ଜଣେ ବଡ଼ ଅଫିସର ହୋଇଥିବେ ଭାବି ବାଟ ଛାଡ଼ିଦେଲେ ସେମାନେ ।

 

ଶ୍ରୀୟା ପଚାରିଲା–‘‘ଚା’ ମିଳିବ ? ଜଳଖିଆ କିଛି ଅଛିକି ? ଗରମ ଗରମ ।’’ ତା’ ନାକରେ ପକୋଡ଼ିର ସେଇ ପରିଚିତ ବାସ୍ନା ବାଜୁଥିଲା ।

 

ଚା’ ଦୋକାନୀ କହିଲା–‘‘ପକୋଡ଼ି ଛାଣୁଛି, ବରା ବି ଗରମ ଗରମ ମିଳିବ । ଚା’ ଜଳଖିଆ କେତେଜଣଙ୍କ ପାଇଁ ଦେବି ।’’

 

ଶ୍ରୀୟା କହିଲା–ଚା’ ଜଳଖିଆ ତିନିଜଣଙ୍କ ପାଇଁ । ମୋ ପାଇଁ କେବଳ ଚା’ । ଯୋଉ ଗ୍ଲାସରେ ଦବ ଭଲ କରି ପରିଷ୍କାର କରି ନିଅ । ସ୍ପେଶାଲ୍‌ ଚା’, ଦୁଧ ବେଶୀ ଢାଳିବ ନାହିଁ, ଚିନି କମ୍‌ ଦବ... ।’’

 

ତା’ ମୁହଁକୁ ଚାହିଁ ଦୋକାନୀ କହିଲା–‘‘ଆପଣ ବସନ୍ତୁ । ମୁଁ ସେମାନଙ୍କ ପାଇଁ ଚା’ ଜଳଖିଆ ଗାଡ଼ି ଭିତରକୁ ପଠାଇ ଦେଉଛି ।’’

 

ବର୍ଷାତିଟାକୁ ଦେହରୁ ଖସାଇ ରଖିଦେଲା ଗୋଟିଏ କୋଣରେ ଏବଂ ଗୋଟିଏ ବେଞ୍ଚର ଏକାଂଶରେ ବସିଲା ଶ୍ରୀୟା ।’’

 

ଚା’ ଆସିବା ଆଗରୁ ମଥା ଉପରେ ପଗଡ଼ି ବାନ୍ଧି ଥିବା ଚଷାଭୂଷା ବେଶରେ ଅଧାଭିଜା ଥିବା ଜଣେ ଲୋକ ତା’ ଆଗକୁ ଆସି କହିଲା–‘‘ଚିହ୍ନିପାରୁଛ ?'’

 

କଥାଶୁଣି ଆଶ୍ଚର୍ଯ୍ୟ ଚକିତି ଦୃଷ୍ଟିରେ ତା’ ମୁହଁକୁ ଅନାଇଲା ଶ୍ରୀୟା ।

 

ଶ୍ରୀୟା କୌଣସି ଉତ୍ତର ନ ଦବା ଦେଖି ସେଇ ଅପରିଚିତ କହିଲା–‘‘ମୁଁ କିନ୍ତୁ ଅନୁମାନ କରୁଛି ତମେ ସେଇ... ମୋର ଅନୁମାନ କେବେ ଭୁଲ ହୁଏ ନାହିଁ... ।’’

 

–‘‘ମୁଁ କିନ୍ତୁ ଜମା ମନେପକାଇ ପାରୁନି..... କ୍ଷମା କରିବେ...’’

–‘‘ଦିଲ୍ଲୀରୁ ଫେରିବାବେଳେ ତମକୁ ଦେଖିଥିଲି ଟ୍ରେନ୍‍ରେ...’’

–‘‘ଟ୍ରେନ୍‌ରେ ?’’

–‘‘ହଁ, ଅରବିନ୍ଦ ସାଙ୍ଗରେ....’’

 

ଉଠିପଡ଼ି ନରମ ସ୍ଵରରେ କହିଲା ଶ୍ରୀୟା–‘‘ମୋତେ କ୍ଷମା କରିବେ... ମନେପଡ଼ୁଛି ସବୁ... ’’

 

ଶ୍ରହରି ମୁହଁ ଉପରେ ଆଙ୍ଗୁଠି ରଖିଲା ଆଉ କିଛି ଉଚ୍ଚାରଣ ନ କରିବା ପାଇଁ ସଂକେତ ଦେଇ ।

 

ଗୋଟେ ନୁହଁ, ସେମାନଙ୍କ ପାଇଁ ଦୁଇଟା ଚା’ ଦେଇଗଲା ଦୋକାନୀ ।

 

ଅନ୍ୟମାନେ ଗାଁ ଲୋକ । ସେମାନେ କେତେବେଳେ ବର୍ଷା କମିବ ସେଇ ଅପେକ୍ଷାରେ ଥିଲେ । ଶ୍ରୀୟା ଓ ଶ୍ରୀ ହରି ବିଷୟରେ ଜାଣିବା ପାଇଁ ଆଗ୍ରହ ନ ଥିଲା ସେମାନଙ୍କର ।

 

ଶ୍ରୀୟା ଓଡ଼ିଆ ବ୍ୟବହାର ନ କରି ଇଂରାଜୀରେ ଆରମ୍ଭ କଲା । ଶ୍ରୀହରି ମୁହଁ ଉପରେ ରହସ୍ୟମୟ ହସର ସରୁ ରେଖା ଖେଳାଇ କହିଲା–‘‘ଥ୍ୟାଙ୍କ୍‌ ୟୁ..’’

 

ଶ୍ରୀୟା କହିଲା ଇଂରାଜୀରେ–‘‘ମୁଁ ପାରଳାଖେମୁଣ୍ଡି ଆସୁଛି । ଦଳିତ, ଆଦିବାସୀମାନଙ୍କର ସେବା କରିବା ପାଇଁ ।’’

 

ଶ୍ରୀହରି କହିଲା–‘‘ବରଂ ତମ ଠିକଣାଟା ଦିଅ....ଟେଲିଫୋନ୍‌ ନମ୍ବର ଯଦି ଥାଏ କୁହ....ମୁଁ ପରେ ଯୋଗାଯୋଗ କରିବି । ତମେ ଦୋକାନ ଛାଡ଼ିବା ଆଗରୁ ଚାଲିଯିବି । ମୋ ଲୋକ ବାହାରେ ଅଛନ୍ତି ଇସାରା ଦବା ପାଇଁ ।

 

ଶ୍ରୀୟା କାଗଜ ଟୁକୁରାଏ ତା’ ହାତକୁ ବଢ଼ାଇ ଦେଇ କହିଲା–‘‘ମୁଁ ଆପଣଙ୍କର ପରାମର୍ଶ ଚାହେଁ...ଗାଇଡେନ୍ସ...’’

 

ଶ୍ରୀୟାର ମଥା ଉପରେ ହାତ ରଖିଲା ଶ୍ରୀହରି । ଶ୍ରୀୟା ନଇଁ ପଡ଼ି ପାଦଧୂଳି ନେଲା ।

 

ତା’ପରେ ଶ୍ରୀହରି ନୀରବରେ ଦୋକାନ ଛାଡ଼ି ବାହାରିଗଲା ଯଦି ବି ବର୍ଷାର ବେଗ କମି ନ ଥିଲା ।

 

କିନ୍ତୁ ସଂଧ୍ୟା ନଇଁ ଆସିଥିଲା ପୃଥିବୀ ଉପରେ ।

 

ଶ୍ରୀହରିକୁ ସେଦିନ ଯେଉଁ ବେଶରେ ଦେଖିଥିଲା ସେ ଆଜିର ବେଶ ତା’ଠାରୁ କେତେ ତଫାତ୍‌ । ସେଦିନ ଗୈରିକ ବସନ ପରିହିତ ସାଧୁ, ଆଜିର ଶ୍ରୀହରିକୁ ଯେ କେହି କହିବ ଜଣେ କୃଷକ... ନିପଟ ଗାଉଁଲି... ମୁହଁ ଭର୍ତ୍ତି ଦାଢ଼ି, ନୁଖୁରା ବାଳ, ଖାଲି ପାଦ, ଅଣ୍ଟାତଳେ ସାଉଁଟା ଧୋତି ଏବଂ ଦେହ ଢାଙ୍କିବା ପାଇଁ ଚିରା ହାଫ୍‌ସାର୍ଟ... ।

 

ଏଇ ତା’ହେଲେ ବିଦ୍ରୋହୀ ।

 

ଏଇ ତା’ହେଲେ ବିପ୍ଳବର ଗୀତ ଗାଇ ଗାଇ ନୂଆ ଜଗତର ପତାକା ଧରି ଚାଲିଛି ସମସ୍ତଙ୍କ ଆଗେ ଆଗେ ।

 

ସେମାନେ ସେଇ ଝଡ଼ବର୍ଷାରେ କେଉଁ ଦିଗରେ ଗଲେ ତାହା ଜାଣିବାର ଉପାୟ ନ ଥିଲା ।

 

ଶ୍ରୀୟା ଦୀର୍ଘନିଶ୍ଵାସ ପକାଇଲା । ଶ୍ରୀହରି ଚାଲିଯିବା ପରେ ବିଜୁଳି ଚମକିଲା ପରି ତା’ ମନ ଭିତରେ ଗୋଟେ ପ୍ରଶ୍ନ ନିଆଁହୁଳା ପରି ଚମକି ଉଠିଲା–‘‘ପଚାରିଥିଲେ ସେ ହୁଏ ତ କହିପାରିଥାନ୍ତେ ଅରବିନ୍ଦ ବର୍ତ୍ତମାନ କେଉଁଠାରେ ?’’

 

ଗାଡ଼ି ଷ୍ଟାର୍ଟ କଲା ଡ୍ରାଇଭର । ଗତି ବଢ଼ାଇବା ପୂର୍ବରୁ ଗୋଟେ ଅଠର କୋଡ଼ିଏ ବର୍ଷର ଟୋକା ଗାଡ଼ି ଅଟକାଇବା ପାଇଁ ହାତ ଦେଖାଇଲେ ଏବଂ ଗାଡ଼ି ଛିଡ଼ା ହେବାକ୍ଷଣି ଗୋଟାଏ କାଗଜ ବାହାର କରି ଶ୍ରୀୟା ଆଡ଼କୁ ହାତ ବଢ଼ାଇ ଦେଲା ।

 

କାଚ ଖୋଲି ଖପ୍‌କିନା କାଗଜ ଖଣ୍ଡକ ତା’ ହାତରୁ ନେଇଗଲା ଶ୍ରୀୟା । ଲେଖାଥିଲା ସେଥିରେ–‘‘ଅରବିନ୍ଦ ଭଲ ଅଛି । କିନ୍ତୁ ତାକୁ ଖୋଜିବ ନାହିଁ । ସେ ବରଂ ତମକୁ ଖୋଜିନବ ଦରକାର ପଡ଼ିଲେ । ଆଶୀର୍ବାଦ’’ ବଡ଼ଭାଇ ।

ଶ୍ରୀୟା ପଢ଼ିସାରି କାଗଜଟାକୁ ଦଳିଚକଟି ଫିଙ୍ଗିଦେଲା ସଡ଼କ କଡ଼ର ପାଣି ସୁଅ ଉପରକୁ । ସେଇ ସୁଅରେ କାଗଜ ଖଣ୍ଡିକ ସିନା ନିଶ୍ଚିହ୍ନ ହୋଇଗଲା, କିନ୍ତୁ ଶ୍ରୀୟାର ମନରେ ଚିହ୍ନ ରଖି ଦେଇଗଲା ବଡ଼ ଭାଇର ସ୍ନେହାଶୀର୍ବାଦ ।

ଭାଇ ବା ଭଉଣୀ ନ ଥିବା ଶ୍ରୀୟା ଆଜି ପ୍ରଥମ ଥର ଅନୁଭବ କଲା ଯେ ତାର ବି ଜଣେ ଭାଇ ଅଛି–ବଡ଼ଭାଇ... ଯିଏ ଦୁଃଖରେ ସୁଖରେ, ତା’ କଥା ଭାବିବ.... ବାଟବଣା ହେଲେ ବାଟ କଢ଼ାଇ ନବ... । ନଇଁ ପଡ଼ିଲେ ଆଶୀର୍ବାଦ କରିବ ।

ବାହାରର ବର୍ଷା ଟୋପା ପରି ଅଲକ୍ଷ୍ୟରେ ତା’ ଆଖିରୁ ଝରିପଡ଼ିଲା ଦୁଇଟୋପା ଲୁହ ।

ଗାଡ଼ି ଚାଲିଥାଏ ପାରଳାଖେମୁଣ୍ଡି ଅଭିମୁଖେ । ଘର ଖୋଜିବାକୁ ହେଲା ନାହିଁ । ଠିକ୍‌ ସହର ଆରମ୍ଭରେ ଦ୍ୱାରପାଳ ପରି କେଉଁ ଯୁଗରୁ ଛିଡ଼ା ହୋଇଥିବା ବଟବୃକ୍ଷ ତଳେ କେହି ଜଣେ ଛିଡ଼ା ହୋଇଥିବା ଦେଖି ଗାଡ଼ି ଅଟକାଇବା ପାଇଁ କହିଲା ଶ୍ରୀୟା । ବାପା ତାକୁ କହିଥିଲେ ଲକ୍ଷ୍ମଣ ବିଷୟରେ । ସେ ବରଗଛ ମୂଳେ ଅପେକ୍ଷା କରିଥିବ ତା’ ପାଇଁ ।

ଲକ୍ଷ୍ମଣ ଗାଡ଼ି ଭିତରକୁ ଉଠିଲା । ସେ ଯୁଆଡ଼େ ବାଟ ଦେଖାଇଲା ସେଇବାଟରେ ଗାଡ଼ି ଚଲାଇଲା ଡ୍ରାଇଭର୍‌ । ଘର ଆଗରେ ଗାଡ଼ି ଅଟିକିବା କ୍ଷଣି ତାକୁ ପାଛୋଟି ନବା ପାଇଁ ଛତାଧରି ଆଗେଇ ଆସିଲେ ଦୁଇଜଣ ।

ବର୍ଷା ସେତେବେଳକୁ କମି ଯାଇଥିଲା । ବରଂ ବାହାରେ ବର୍ଷାଭିଜା ବିଲବାଡ଼ିରୁ ଭାସି ଆସୁଥିଲା ବେଙ୍ଗମାନଙ୍କର ରଡ଼ି ଏବଂ ଝିଣ୍ଟିକାର ଝିଁ ଝିଁ ଶବ୍ଦ ।

 

ରାତିଟା ସେହିପରି ହୁଏତ ନିର୍ବଘ୍ନରେ ପାହି ଯାଇଥାନ୍ତା । କିନ୍ତୁ ସେମାନେ ଖିଆପିଆ ଶେଷ କରି ଶୋଇବା ପୂର୍ବରୁ ଦରଜା ଆଗରେ କେହି ଜଣେ ଡାକିବା ଶବ୍ଦ ଶୁଣି ଲକ୍ଷ୍ମଣ କବାଟ ଖୋଲିଦେଲା ।

 

ଶ୍ରୀୟା ଆଗେଇ ଆସି ପଚାଲିଲା–‘‘କ’ଣ ଦରକାର ?’’

 

–‘‘ନା, ମାଡ଼ାମ୍‌, ମୁଁ ଜାଣିବାକୁ ଚାହୁଁଥିଲି ଆପଣ ଆସିଲେ କେତେବେଳେ ?’’ ଆଉ କିଏ କିଏ ସାଙ୍ଗରେ ଅଛନ୍ତି ? ମୁଁ ଥାନାରୁ ଆସିଛି–ସବ୍‌ଇନସ୍‌ପେକ୍ଟର ଦେବରାଜ ସାହୁ ।’’

 

ଶ୍ରୀୟା ମୁହଁ ଉପରେ ହସ ଖେଳାଇ କହିଲା–‘‘ମୁଁ, ଡ୍ରାଇଭର ଓ ଆଉ ଦୁଇଜଣ ଏପରି ଚାରିଜଣ ଆସିଛୁ ଆମେ । ଲକ୍ଷ୍ମଣ ତ ଏଇ ପାରଳାଖେମୁଣ୍ଡିର ଲୋକ ।’’

 

ଘର ଭିତରେ ଯିଏ ଅଛି ତା ନାମ ରଙ୍ଗାରାଓ । ରାନ୍ଧିବା ବାଢ଼ିବା ଦାୟିତ୍ଵ ତା’ର । ତା’ ଘର ପାର୍ବତୀପୁରମ୍‌ । ଆଉ ମୋ ଡ୍ରାଇଭର ନାମ ରଘୁନାଥ । ଆଉ କିଛି ?’’

 

–‘‘ନା,ମାଡ଼ାମ୍‌ ! ଗୁଣୁପୁର ସବ୍‌କଲେକ୍ଟର ଜାଣିବା ପାଇଁ ଫୋନ୍‌ କରିଥିଲେ ଥାନାବାବୁଙ୍କୁ । ସେଥିପାଇଁ ଆସିଥିଲି ମୁଁ । ଡିଷ୍ଟର୍ବ କଲି ବୋଲି କିଛି ଭାବିବେ ନାହିଁ । କାଳେ କୌଣସି ଅର୍ଜେଣ୍ଟ ଥିବ ବୋଲି ଚାଲି ଆସିଥିଲି ବୁଝିବା ପାଇଁ । ଆପଣଙ୍କର କିଛି ଅସୁବିଧା ନାହିଁ ତ-?’’

 

–‘‘ନା, ନା । ସବୁ ଠିକ୍‌ ଅଛି । ଏ ଜାଗାଟା ବେଶ୍‌ ନିରୋଳା । ବାଟରେ ଯୋଉ ପ୍ରବଳ ବର୍ଷା ।’’

 

ଦେବରାଜ ସାହୁ ସଲାମ୍‌ ଠୁଙ୍କି ଚାଲିଗଲେ ।

 

ଚବିଶ

 

ଅରବିନ୍ଦ ଯେ ପାଖରେ ନ ଥିଲେ ମଧ୍ୟ ବେଶୀଦୂରରେ ନାହିଁ ସେତିକି ଜାଣି ଆଶ୍ଵସ୍ତ ହେଲା ଶ୍ରୀୟା । ହନୁମାନଠାରୁ ସବୁଶୁଣି ମଧ୍ୟ ସୀତା ବିଶ୍ଵାସ କରୁ ନ ଥିଲେ ଯେ ସତରେ ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରଭୁ ଶ୍ରୀରାମଚନ୍ଦ୍ର ସମୁଦ୍ର ସେପାଖରେ ଅପେକ୍ଷା କରିଛନ୍ତି । ହନୁମାନ ଯେତେବେଳେ ପ୍ରଭୁଙ୍କ ମୁଦ୍ରିକା ବଢ଼ାଇଦେଲା ସୀତାଙ୍କର କୌଣସି ସନ୍ଦେହ ରହିଲାନି ଆଉ । ବଡ଼ ଭାଇଙ୍କ ସନ୍ଦେଶ ପାଇ ସେ ଜାଣିଗଲା ଯେ ଶ୍ରୀହରି ଉପରେ କଠୋର ନକ୍‍ସଲବାଦୀ ହେଲେ ବି ଭିତରେ ସାଇତି ରଖୁଛି ଫୁଲର ହୃଦୟ । ସେଥିପାଇଁ ହନୁମାନ ଯେପରି ଚିରକାଳ ଆଶା ଓ ବିଶ୍ଵାସର ପ୍ରତୀକ ହୋଇ ରହିଛି, ସେହିପରି ଶ୍ରୀହରିର ଅନ୍ତର ଭିତରେ ଲାଳିତ ହେଉଥିବ ମଣିଷ ପ୍ରତି ମମତା ଓ ଭଲପାଇବା । ସେ ନିଜ ପାଇଁ ନୁହେଁ ଅନ୍ୟମାନଙ୍କ ପାଇଁ ବିଶ୍ଵାସର ଦୀପଜାଳି ଅପେକ୍ଷା କରିବ ଭରସା ଦବା ପାଇଁ । ଶ୍ରୀହରି ସହିତ ତା’ର ପରିଚୟ ବା କେତେଦିନର । କିନ୍ତୁ ଅରବିନ୍ଦକୁ ସେ ଭଲପାଏ । ବିଶ୍ୱାସ କରେ ବୋଲି ତାକୁ ମଧ୍ୟ ଭଲପାଏ... ତାର ଶୁଭାକାଂକ୍ଷୀ ହୋଇ ରହିବାକୁ ଚାହେଁ । ଏଇ ମାନବିକ ବନ୍ଧନହିଁ ବାନ୍ଧି ରଖିଛି ମଣିଷ ସମାଜକୁ । ସେଥିପାଇଁ ମଣ୍ଟେସ୍କି କହିଥିଲେ ଯେ ଦଳେ ଲୋକଙ୍କୁ ନେଇ ସମାଜ ଗଠିତ ହୁଏନାହିଁ । କିନ୍ତୁ ଦଳେ ଲୋକ ଯେତେବେଳେ ମିଳିମିଶି ବାସ କରିବା ପାଇଁ ଏକତ୍ର ରହନ୍ତି ଏବଂ ସେମାନଙ୍କ ମଧ୍ୟରେ ମିଳାମିଶା ହୁଏ, ମନ ମିଳେ, ସେତେବେଳେ ସେମାନଙ୍କ ମଧ୍ୟରେ ଗୋଟିଏ ଅଲିଖିତ ଚୁକ୍ତି ହୋଇଯାଏ ଯେ ସମସ୍ତେ ମିଳିମିଶି ଚଳିବେ, ତେବେ ସମାଜ ଗଠିତ ହୁଏ । ସେଇ ସମାଜ ସେମାନଙ୍କୁ ଦିଏ ସୁରକ୍ଷା ଓ ନିରାପତ୍ତା । ତା’ବଦଳରେ ସମାଜକୁ ସେମାନେ ସଙ୍ଗଠିତ, ଶକ୍ତିଶାଳୀ କରିବା ପାଇଁ ସ୍ଵତଃପ୍ରବୃତ୍ତ ହୋଇ କାମ କରନ୍ତି । ବିନିମୟର ଧାରା ଯେତିକି ବେଗଗାମୀ ହୁଏ ବୁଝାମଣା ସେତିକି ବଢ଼େ । ଭିତରେ ରହି ସମାଜକୁ ସଜାଡ଼ିବା ପାଇଁ, ଏହାର ସଂସ୍କାର କରିବାପାଇଁ ତ୍ୟାଗ କରିବା ସକାଶେ ସ୍ପୃହା ଜାଗେ ମନରେ । ସେତେବେଳେ ସ୍ଵାର୍ଥ ସମର୍ପଣ କରି ଶ୍ରେଷ୍ଠତ୍ୱ ଅର୍ଜନ କରିବା ପାଇଁ ଇଚ୍ଛା ହୁଏ ।

 

ଏସବୁ ବହିରେ ପଢ଼ିଛି ଶ୍ରୀୟା । ବର୍ତ୍ତମାନ କାମ କରି ଦେଖାଇବାର ବେଳ ଆସଛି । ପୋଥି ବାଇଗଣକୁ ବାରି ବାଇଗଣରେ ପରିଣତ କରିବା ସହଜ ନୁହେଁ । କିନ୍ତୁ ତଥାପି ଚେଷ୍ଟା କରିବାକୁ ହେବ । ଧର୍ମ ସାଧନ କରିବା ପାଇଁ ତପସ୍ୱୀମାନେ ଶରୀର ତ୍ୟାଗ କରନ୍ତି ସ୍ଵେଚ୍ଛାରେ । ସେବାର ସେ ମାଧ୍ୟମ ହୋଇପାରିବ ନାହିଁ ?

 

ନିଜ ପ୍ରଶ୍ନର ନିଜେ ଉତ୍ତର ଦେଲା ଶ୍ରୀୟା–ପାରିବ... ନିଶ୍ଚୟ ପାରିବ... ।

 

କୋଠରୀ ଭିତରକୁ କେହି ଜଣେ ପ୍ରବେଶ କଲା ପରି ଲାଗିଲା ତାକୁ । ସେ ମଥା ଉଠାଇ ଚାହିଁଲା । ଜଣେ ଅପରିଚିତ ବ୍ୟକ୍ତି ତା’ ଆଗରେ ଛିଡ଼ା ହୋଇଥିବାର ଦେଖି କହିଲା–‘‘ଆପଣଙ୍କ ପରିଚୟ ? କିଛି କାମ ଅଛି... ?’’

 

Unknown

ପୁରୁଷ ଲୋକଟି ହଠାତ୍ ଭିତରକୁ ପଶି ଆସିଥିବାରୁ ଅନ୍ୟାୟ କରିଛି ବୋଲି ଭାବୁଥିଲା-। କିନ୍ତୁ ସେତେବେଳେ ସେ କ’ଣ ଜାଣିଥିଲା ଯେ ସେ ଏକା ବସିଥିବେ କୋଠରୀ ଭିତରେ !

 

ପ୍ରାୟ ଅସ୍ପଷ୍ଟ ନରମ ସ୍ଵରରେ କହିଲା ଆଗନ୍ତୁକ–ମୁଁ ଶ୍ରୀକାକୁଲମରୁ ଆସିଛି । ଆପଣଙ୍କୁ ଖବର ଦେଇ ଫେରିଯିବି । ଅରବିନ୍ଦବାବୁ ଅପେକ୍ଷା କରୁଥିବେ ।

 

ଆଗନ୍ତୁକ ମୁହଁରୁ କଥା ଶେଷ ହେବାପୂର୍ବରୁ ଚୌକିରୁ ଉଠି ଠିଆ ହୋଇଯାଇଥିଲା ଶ୍ରୀୟା । ତା’ ମେରୁଦଣ୍ଡ ଦେଇ ତଡ଼ିତ୍ ପ୍ରବାହିତ ହେବାପରି ଅନୁଭବ କରୁଥିଲା ସେ । ଆଗନ୍ତୁକର ମୁହଁକୁ ସିଧା ଚାହିଁ ରହିଲା ମୁହୂର୍ତ୍ତେ । ଉନ୍ମୁଖ ପ୍ରାଣପାଚୁର୍ଯ୍ୟରେ ଝଲମଲ କରୁଥିଲା ଯୁବକ । ବୟସ କୋଡ଼ିଏ କି ଏକୋଇଶି ହେବ । ମୁହଁ ଭର୍ତ୍ତି ଛୋଟ ଛୋଟ ଦାଢ଼ି । ନାକଟି ତୀକ୍ଷ୍‍ଣ । ଦୃଷ୍ଟିରେ ଦୀପ୍ତି-। ଉଚ୍ଚତା ସାଢ଼େ ପାଞ୍ଚଫୁଟ ହେବାପରି ଅନୁମାନ କଲା ଶ୍ରୀୟା । ଗହମ ରଙ୍ଗ । ଖେଳୱାଡ଼୍‌ ପିଲାପରି ସତେଜ ଦିଶୁଥିଲା ସେ । ମଥାରେ ଅବିନ୍ୟସ୍ତ କେଶ ଆଗନ୍ତୁକର ବ୍ୟକ୍ତିତ୍ୱକୁ ଆହୁରି ଶାଣିତ କରିଥିଲା ।

 

ଶ୍ରୀୟା କହିଲା–‘‘ନିସଙ୍କୋଚରେ କହିଯାଅ... ।’’

 

ଏଠାରେ ଝଡ଼ ପୂର୍ବର ଅବସ୍ଥା । ଉପରକୁ ସବୁ ଠିକ୍‌ ଠାକ୍‌ ଲାଗୁଥିଲେ ବି ଗମ୍ଭୀର ଭାବଟା ଆଖିରେ ପଡ଼ୁଥିବ ଆପଣଙ୍କର... ସାବଧାନ ରହିବେ... ଆପଣଙ୍କ ପ୍ରତି ପଦକ୍ଷେପ ଉପରେ ଆଖି ରଖିଛନ୍ତି ସେମାନେ । ସାଦାପୋଷାକ ପିନ୍ଧି ଦୁଇଜଣ ଗୁଇନ୍ଦା ନିକଟରେ ଅଛନ୍ତି । ସେମାନଙ୍କ ଗତିବିଧି ପ୍ରତି ଦୃଷ୍ଟି ରଖିବେ ।’’

 

କହିସାରି ଶ୍ରୀୟା ହାତକୁ ଗୋଟେ ଛୋଟ ଲଫାପା ବଢ଼ାଇ ଦେଲା ଆଗନ୍ତୁକ ଏବଂ କହିଲା ‘‘ଏଇ ଫଟୋ ଦେଖିବା ପରେ ସେମାନଙ୍କୁ ଚିହ୍ନିବା କଷ୍ଟକର ହେବ ନାହିଁ... ।’’

 

ସେ ଚାଲିଯିବା ପୂର୍ବରୁ କହିଗଲା–‘‘ରେଡ଼ିଓ ଥିବ ଆପଣଙ୍କର... ରାତି ବାରଟା ପନ୍ଦର ମିନିଟିରେ ୩୭୦ ବ୍ୟାଣ୍ଡରେ ଶୁଣିବେ ଆମ ସଙ୍ଗଠନର ବାର୍ତ୍ତା । କେବଳ କର୍ମୀମାନଙ୍କ ପାଇଁ ଉଦ୍ଦିଷ୍ଟ । କେତେକ କୋଡ଼୍‌ ବ୍ୟବହାର କରାଯାଏ । ସେସବୁର ଅର୍ଥ ଏଇ ଫଟୋ ଥିବା ଲଫାପା ଭିତରେ ଅଛି ।’’

 

ଯୁବକ ଯିବାପୂର୍ବରୁ କେବଳ ଏତିକି କହିଲା–‘‘ଅତ୍ୟନ୍ତ ଜରୁରୀ ଅବସ୍ଥା ସୃଷ୍ଟି ନ ହେଲେ ଅରୁବାବୁ ଆସିବା ଦରକାର ନାହିଁ । ମୁଁ ମଧ୍ୟେ ମଧ୍ୟେ ଆସିବି... ଖବର ଦେଇଯିବି ଖବର ନେଇଯିବି... ମୋ ନାମ ପ୍ରଳୟ... ।’’

 

ପ୍ରଳୟ ଯେପରି ଅପରିଚିତ ପରି କୋଠରୀ ଭିତରେ ପ୍ରବେଶ କରିଥିଲା ସେହିପରି ଆଉ କୌଣସି ଉପକ୍ରମ ନ କରି ବିଦାୟ ନେଇ ଦ୍ଵାର ଅତିକ୍ରମ କଲାବେଳକୁ ପଛରୁ ଡାକିଲ ଶ୍ରୀୟା–‘‘ଶୁଣ.... ।’’

 

‘‘ମୁଁ ଭୁଲିଯାଇଥିଲି କହିବା ପାଇଁ... ମନେରଖ ଗୋଟେ ନମ୍ବର । ୯୮୩୦୦୦୦୦୫୫ । ଏଇ ନମ୍ବରରେ ଡାଏଲ କଲେ ମୁଁ ଧରିବି । ମୁଁ କାମ ଆରମ୍ଭ କରିଛି ଏତକ କହିଦେବ ।’’

 

ଅରବିନ୍ଦ ସମ୍ବନ୍ଧରେ ଆଉ କିଛି ଜାଣିବା ପାଇଁ ଇଚ୍ଛା ହେଉଥିଲା ଶ୍ରୀୟାର । ତା’ପାଇଁ ଆଉ ବାର୍ତ୍ତା ପଠାଇବା ସକାଶେ ଖଲବଲ ହେଉଥିଲା ତୁଣ୍ଡ । କିନ୍ତୁ ସେ କିଛି ଉଚ୍ଚାରଣ କରିପାରିଲା ନାହିଁ । ତୁଣ୍ଡରୁ ଶବ୍ଦଟିଏ ଉଚ୍ଚାରଣ ହେବା ପୂର୍ବରୁ ସ୍ଥାନ ତ୍ୟାଗ କରି ପବନ ପରି ଅଦୃଶ୍ୟ ହୋଇଯାଇଥିଲା ପ୍ରଳୟ ।

 

ଶ୍ରୀୟା ଭରସା ପାଇଲା ଏବଂ ମନକୁ ମନ କହିଲା ଯେ, ମୁଁ ଏକା ନୁହଁ ଅରବିନ୍ଦ ବି ଅଛି ନିକଟରେ । ଅଜ୍ଞାତବାସରେ ପାଣ୍ଡବମାନେ ବିରାଟ ରାଜାଙ୍କ ଘୋଡ଼ାଶାଳାରେ ଦିନ କାଟୁଥିଲାବେଳେ ବି କଦବା କ୍ୱଚିତ୍ ଅର୍ଜୁନଙ୍କ ସହିତ ଦ୍ରୌପଦୀଙ୍କ ସହିତ ସାକ୍ଷାତ୍‍ ହେବାପରି ଦିନେ ହୁଏତ ଅକସ୍ମାତ୍‌ ଦେଖା ହୋଇଯିବ ଅରୁ ସହିତ ।

 

କିନ୍ତୁ ରୋମାଞ୍ଚିତ ହେବାପାଇଁ ତ ଘରଛାଡ଼ି ପାରଳାଖେମୁଣ୍ଡି ଆସିନାହିଁ ଶ୍ରୀୟା । ଗଜପତି ଜିଲ୍ଲାରେ ଅନେକ କାମ ଅଛି କରିବାପାଇଁ । ମାଓସେତୁଙ୍ଗ୍‍ଙ୍କ ବାଣୀ ମନେଅଛି ତାର । ସେ କହିଥିଲେ–‘‘ହଜାର ହଜାର କାମ ପଡ଼ିରହିଛି କରିବା ପାଇଁ । ମୁଁ ହଜାରେ ବର୍ଷ ଅପେକ୍ଷା କରିପାରିବି ନାହିଁ । ପୃଥିବୀ ବୁଲୁଛି... ସମୟ ଅତିକ୍ରାନ୍ତ ହେଉଛି.... ପ୍ରତିଦିନ ପ୍ରତି ମୁହୂର୍ତ୍ତର ଉପଯୋଗ କର ।’’

 

ଶ୍ରୀୟା ମାରୁତିଭ୍ୟାନରେ କିଛି ଔଷଧ, ବିସ୍କୁଟ, ଶିଶୁଖାଦ୍ୟ ରଖିଲା । ଲକ୍ଷ୍ମଣ ତା’ ସହିତ ଗଲା । ଡ୍ରାଇଭରକୁ ସେ ନେଲାନାହିଁ । ସେ ନିଜେ ଗାଡ଼ି ନ ଚଳାଇଲେ ରାସ୍ତା ଘାଟ ମନେରହିବ ନାହିଁ ।

 

ଜଣେ ଝିଅ ଗାଡ଼ି ଚଳାଇ ଆଗକୁ ମାଡ଼ି ଯାଉଥବା ଦେଖି କୌତୂହଳ ଲାଗୁଥିଲା ରାସ୍ତାକଡ଼ର ଲୋକଙ୍କୁ । ଆଖିରେ ପଡ଼ୁଥାନ୍ତି ବିଲରେ କାମ କରୁଥିବା ଲୋକମାନେ । ବିଲ ଭିତରେ ଧାନ ରୁଆ ଚାଲିଥାଏ । ଗୋଟିଏ ଜାଗାରେ ପନ୍ଦର କୋଡ଼ିଏ ଜଣ ସ୍ତ୍ରୀଲୋକ କାମ କରୁଥବା ଦେଖି ସେ ଗଛମୂଳେ ଗାଡ଼ି ରଖିଲା । ଲକ୍ଷ୍ମଣ ତା’ ପଛେ ପଛେ ଆସୁଥିଲା । କିନ୍ତୁ ତାକୁ ବାରଣ କରି ସେ ଏକା ବିଲ ଆଡ଼ିରେ ଆଗକୁ ଚାଲିଲା ।

 

ତାକୁ ଦେଖି ଆଖି ତରାଟି ଚାହିଁଲେ ମହିଳାମାନେ । ଇଏତ ପାଖ ଆଖର ଝିଅ ପରି ଜଣାପଡ଼ୁନି । ବାହାରୁ ଆସିଥିବେ । ଇଂରେଜୀ ପଢ଼ୁଆ ସହରିଆ ଝିଅ । ପରିଧାନରେ ପୁରୁଷ ପରି ପେଣ୍ଟସାର୍ଟ । ମଥାରେ ଅଳ୍ପ କେଶ । ଠିକ୍‌ ପୁରୁଷମାନଙ୍କ ପରି । କପାଳରେ ସିନ୍ଦୂର ଟୋପା ନାହିଁକି ହାତରେ କାଚ କି ସୁନାବଳା ନାହିଁ । କେବଳ ଚକ୍‌ ଚକ୍‌ କରୁଛି ଘଡ଼ିଟିଏ ।

 

ହାତ ଠାରି ଡାକିଲା ଶ୍ରୀୟା ।

 

ସେମାନଙ୍କ ମଧ୍ୟରୁ ଦୁଇଜଣ ଆଗେଇ ଆସିଲେ । ଜଣେ ଗର୍ଭବତୀ ଥବା ପରି ଜଣାପଡ଼ୁଥି‌ଲା । ତାଙ୍କୁ ଉଦ୍ଦେଶ୍ୟ କରି କହିଲା ଶ୍ରୀୟା–‘‘କିଛି ଅସୁବିଧା ହେଉନି ?’’

 

ସ୍ତ୍ରୀ ଲୋକଟି ଲାଜେଇଗଲା । ପାଖରେ ଥିବା ସ୍ତ୍ରୀଲୋକଟି କହିଲା–‘‘ଅସୁବିଧା କ’ଣ ହେବ ଯେ ? କାମ ନ କଲେ ପେଟକୁ ଦାନା ମିଳିବ କେଉଁଠୁ... ରୋଜଗାର ନାହିଁ । ସକାଳ ପାହିଲେ ଛୁଆଙ୍କ ଅଳିଅର୍ଦ୍ଦଳୀ । ତା’ ମରଦ ତ ବେମାର ପଡ଼ିଛି ମାସେ ହେଲା । ଶାଶୁ ବିଛଣା ଧରିଚି ବରଷେ ହେବ... ।’’

 

–‘‘କ’ଣ ହେଇଚି ? ଡାକ୍ତର ଦେଖୁଛନ୍ତି ? ଔଷଧ ପତ୍ର ...’’

 

–‘‘ନା ନା ନା... ଆମକୁ କିଏ ଦେଖିବ, ଓଷଧ ଦେବ ଯେ.... । ଭାଗ୍ୟକୁ ଆଦରି ଦିନ ଗଣିବା କଥା...ଚେରମୂଳ ତୁଟୁକା ଚାଲିଛି.... । ମେଲେରିଆ ହୋଇଥିବ... ଆଉ କେତେଜଣ ବି ଭୋଗୁଛନ୍ତି... ।’’ କହିଲା ସେ ।

 

ଶ୍ରୀୟା ସ୍ତବ୍ଧ ହୋଇ ଶୁଣୁଥିଲା । ସେମାନଙ୍କୁ କ’ଣ କହିବ ଭାଷା ପାଉ ନ ଥିଲା । କିଛି ସମୟ ପରେ କହିଲା–‘‘ତୁମ ଗାଁ ତ ଏଇ ପାଖରେ... ମୁଁ ଆସିବି ମଝିରେ ମଝିରେ... ।’’

 

ସ୍ତ୍ରୀଲୋକଟି କହିଲା–‘‘ମୋ ନାମ ସୀତା...ୟାର ନାମ ଫୁଲ.... ।’’ –‘‘ଦିନକୁ ମଜୁରୀ କେତେ ପାଅ ? ଶ୍ରୀୟାର ପ୍ରଶ୍ନର ଉତ୍ତର ଦେଇ କହିଲା ସୀତା-‘‘ଦୁଇ କିଲୋ ଚାଉଳ ଆଉ ତିନିଟଙ୍କା ଦିଅନ୍ତି... ’’

 

ଶ୍ରୀୟା କହିଲା–‘‘କିନ୍ତୁ ଦିନକୁ ମଜୁରୀ ତ ପଚାଶ ଟଙ୍କା କହୁଥିଲେ ଲକ୍ଷ୍ମଣ ।’’ ସୀତା କୌଣସି ଉତ୍ତର ଦେଲାନାହିଁ ।

 

–‘‘ଫୁଲ ଯଦି ମୋ ସାଙ୍ଗରେ ଯାଆନ୍ତେ ମୁଁ ତାଙ୍କ ସ୍ୱାମୀଙ୍କ ଔଷଧ ଦେଇ ଆସନ୍ତି... ପରେ ଡାକ୍ତର ଆଣି ଦେଖାନ୍ତି... ଯିବ ? ଫେରିବା ବାଟରେ ତାଙ୍କୁ ଏଇଠି ଛାଡ଼ି ଦେଇଯିବି.... ।’’

 

ଡରି ଡରି କହିଲା ସୀତା–‘‘କିଛୁ ସାହୁକାର ଯଦି ଜାଣିବ କାମ ଛାଡ଼ି ଘରକୁ ଯାଇଚି ତେବେ ଅଧା ମୂଲ କାଟିଦବ... ।’’

 

ଶ୍ରୀୟା ବୁଝିଲା ତା’ ଅସୁବିଧା । ସେ କହିଲା–‘‘ତମେ କାମସାରି ଆସ... ମୁଁ ତମ ଗାଁରେ ଅପେକ୍ଷା କରିଥିବି... ହଁ ତମ ଗାଁ ନା ଟା କ’ଣ ଯେ ?’’

 

–‘‘ବନମାଳୀପୁର, ଏଇ ଟିକେ ଆଗରେ । ରାସ୍ତା ବାଁକୁ ଢଳିଲେ ଆମ ଗାଁ । ଗାଁ ମୁଣ୍ଡରେ ଠାକୁରାଣୀ ।’’

 

ସେମାନଙ୍କୁ ସେଇଠି ଛାଡ଼ି ଶ୍ରୀୟା ଆଗେଇବାବେଳେ ଭାବୁଥିଲା ଏମାନଙ୍କ କଥା । ପେଟପୂରା ଖାଇବାକୁ ମିଳେନି, ବାଧିକି ପଡ଼ିଲେ ପଥି ନାହିଁକି ଔଷଧ ନାହିଁ । ଅଥଚ ଏମାନେ ଏ ଦେଶର ସ୍ଵାଧୀନ ନାଗରିକ । ଏମାନଙ୍କ ଭୋଟ ପାଇ ସରକାର ଚାଲେ ।

 

ବନମାଳୀପୁର ଗାଁର ପ୍ରତି ଘରକୁ ଗଲା ଶ୍ରୀୟା । ଫୁଲର ଅବସ୍ଥା ପରି ଉଣାଅଧିକେ ସମାନ ଅବସ୍ଥା ସମସ୍ତଙ୍କର । କାହାଘରେ କାଲିପାଇଁ କିଛି ଜମା ନାହିଁ । କେବଳ ସାଆନ୍ତ ସାହିରେ ସ୍ଵଚ୍ଛଳ ବର୍ଗଙ୍କ ନିବାସ । ବ୍ରାହ୍ମଣ, କରଣ, ଆଉ କେତେକ ଖଣ୍ଡାୟତଙ୍କୁ ନେଇ ଗଢ଼ି ଉଠିଛି ବନମାଳୀପୁରର ସାଆନ୍ତ ସାହି । ଏଠାରେ ଖାଇବା ପିନ୍ଧିବାର ଅଭାବ ନାହିଁ । ସେମାନଙ୍କ ବିଲବାଡ଼ିରେ ବର୍ଷସାରା କାମ କରିବା ପାଇଁ ବନ୍ଧା ପଡ଼ିଛନ୍ତି ବନମାଳୀପୁର ଗାଁଆର ପାଣ, କନ୍ଧ ଓ ଅନ୍ୟ ଜାତିର ଗରିବମାନେ ।

 

ସାଙ୍ଗରେ କିଛି ଔଷଧ, ଗୁଣ୍ଡଦୁଧ, ଭିଟାମିନ୍‌ ବଟିକା ଓ ଶିଶୁ ଖାଦ୍ୟ ଆଣିଥିଲା ଶ୍ରୀୟା । କାଳେ କାହା ଘରେ ଦରକାର ହୋଇପାରେ ସେଥିପାଇଁ ବିସ୍କୁଟ ଟିଣଟି ବି ଆଣିଥିଲା । ସେଥରୁ ବାଣ୍ଟିଲା କିଛି । ମେଲେରିଆ ରୋଗୀମାନଙ୍କୁ ଔଷଧ ଦେଲା, ଶିଶୁ ଓ ପ୍ରସୂତିମାନଙ୍କ ପାଇଁ ଭିଟାମିନ୍‌ ବଟିକା ଦେଲା । କାମ ସାରିବାବେଳକୁ ବିଲ କାମ ସାରି ଫୁଲ, ସୀତା ଓ ଆଉ କେତେଜଣ ଫେରିଆସିଲେ । ଫୁଲକୁ ଭିଟାମିନ ତା’ ବର ପାଇଁ ମେଲେରିଆ ଔଷଧ ଏବଂ ବୁଢ଼ୀ ଶାଶୁ ପାଇଁ ଚା’ ଓ ଗୁଣ୍ଡ ଦୁଧ ଦେଲା । ତାକୁ କହିଲା ଯେ ତା’ ଭିତରେ ଆଉ ଜଣେ ବଢ଼ୁଛି । ତାକୁ ଆହାର ଦବା ଦରକାର । ପୃଷ୍ଟିକର ଖାଦ୍ୟ ଖାଇବା ଦରକାର । ଶାଗ, ଅମୃତଭଣ୍ଡା, ମାଛ ଯାହା ମିଳିବ ଗାଁରେ ସେଥିରୁ ନିଶ୍ଚୟ ଖାଇବ...।

 

ଫୁଲ ହସି ଦେଇ କହିଲା–‘‘ହଉ..’’ ସେଇ ହସ ବ୍ୟଙ୍ଗର କିମ୍ବା ଖୁସିର ତାହା ବୁଝିପାରିଲେ ନାହିଁ କେହି । ଶ୍ରୀୟା କହିଲା–‘‘ଏଇ ଥରକ ନୁହେଁ, ମୁଁ ମଝିରେ ମଝିରେ ଆସିବି । ପାରଳାରେ ଅଛି । ଦରକାର ହେଲେ ଖବର ଦବ । ଡାକ୍ତର ପଠାଇବାପାଇଁ ଚେଷ୍ଟା କରିବି ।’’

 

ସେ ବାହାରି ଆସୁଥିବାବେଳେ ତା’ ବାଟ ଓଗାଳି କହିଲା ଫୁଲ–‘‘ନା ନା ଟିକେ ରୁହ..’’

 

ଶ୍ରୀୟା ଛିଡ଼ା ହୋଇ ରହିଲା । ଭିତରକୁ ପଶି ଗଲାବେଳେ ଭାବୁଥିଲା ଫୁଲ–ତା’ ପାଇଁ, ଗିରସ୍ତ ପାଇଁ ଏତେ ଓଷଦ ଆଣିଲେ... ଏମିତି ଏମିତି ଦ୍ୱାର ମୁହଁରୁ ଚାଲିଯିବାଟା ଭଲ ଦିଶିବ ନି ଆଖିକୁ । ବାରି ପଛପଟେ ଥିବା ପିଜୁଳି ଗଛରୁ କେତୋଟି ପାଚଲା ପିଜୁଳି ଝଟ୍‌କରି ତୋଳି ଆଣି ପତର ଠୁଙ୍ଗାରେ ରଖିଲା ।

 

ଶ୍ରୀୟା ଆଡ଼କୁ ବଢ଼ାଇ ଦେଇ କହିଲା ‘‘ଆମ ଗଛର ଫଳ...”

 

ଫୁଲ ମୁହଁକୁ ଚାହିଁଲା ଶ୍ରୀୟୀ, କହିଲା–‘‘ଏତେଗୁଡ଼ାଏ କ’ଣ ହେବ, ମୋ ପାଇଁ ଦୁଇଟା ନେଉଛି... ଆର ତକ ତମର...’’

 

ଫୁଲ କୃତ୍ୟକୃତ୍ୟ ହେଲାପରି ଲାଗିଲା । ତା’ ଆଖିପତା ଓଦା ହୋଇ ଆସିଲା ଏଇ ସହରୀ ବଡ଼ ଲୋକର ଝିଅ କୋଉ ଦୁଃଖରେ ଦଉଡ଼ି ଆସିଛି ଗଜପତି ସହରକୁ ଦୁଃଖୀରଙ୍କି ପୀଡ଼ିତଙ୍କ ସେବା କରିବା ପାଇଁ । ସଂସାରର ମିଠା ନ ଚାଖି ଜୀବନ ସମର୍ପି ଦେଇଛି ପରର ସେବା କରିବା ପାଇଁ !

 

ଫୁଲର କାନ୍ଧ ଉପରେ ହାତ ରଖି କହିଲା ଶ୍ରୀୟା–‘‘ଦେବକୀ ପେଟରେ କାହ୍ନୁ ବଢ଼ୁଛନ୍ତି....ନିଜ କଥା ବୁଝିବ.. ଭୋକ ଉପାସରେ ରହିବ ନାହିଁ... ! ମୁଁ ପୁଣି ଆସିବି...”

 

ଗାଡ଼ି ଚାଲିବା ପରେ ବି ତାହାରି ଆଡ଼କୁ କୋଟିନିଧି ପାଇବା ପରି କୃତଜ୍ଞତାରେ ଚାହିଁ ରହିଥିଲା ଫୁଲ ।

 

ହାତ ହଲାଇ ବିଦାୟ ଜଣାଇଲା ଶ୍ରୀୟା । ।

 

ବନମାଳୀପୁର ଗାଁ ମୁଣ୍ଡରେ ଥିବା ଠାକୁରାଣୀ ମନ୍ଦିର ଆଗରେ ଦଣ୍ଡେ ଗାଡ଼ି ଅଟକାଇଲା ଶ୍ରୀୟା, ଆପେ ଆପେ ତା’ ତୁଣ୍ଡରୁ ବାହାରିଗଲା–‘‘ଫୁଲକୁ ଦେଖିବ, ସମସ୍ତଙ୍କ କଥା ବୁଝିବ, କେତେ ଦୁଃଖୀ ଏମାନେ... ।’’

 

ବନମାଳୀପୁର ଗାଁର ପାଞ୍ଚଶହ ଲୋକଙ୍କ ମଧ୍ୟରୁ ଶହେ ଜଣ ଉଚ୍ଚଜାତିର, ଆଉ ସମସ୍ତେ ନିମ୍ନ ଜାତିର । ହଜାର ହଜାର ବର୍ଷ ଧରି ଜାତିପ୍ରଥା ସେମାନଙ୍କୁ ବାନ୍ଧି ରଖିବା ଫଳରେ ସେମାନେ ଉଚ୍ଚ ଜାତି ଲୋକଙ୍କ ପାଖେ ବନ୍ଧା ପଡ଼ିଛନ୍ତି । ଅଭାବ ଅସୁବିଧା ପଡ଼ିଲେ ସେମାନେ ଧାର କରଜ ଦିଅନ୍ତି ଏବଂ ଆଗୁଆ ଟଙ୍କା ନେଇ ଅଳପ ମୂଲରେ ସେମାନଙ୍କ ବିଲବାଡ଼ିରେ କାମ କରନ୍ତି ।

 

ମନେପଡ଼ୁଥିଲା ଫୁଲର କଥା । ତା’ ପୁରୁଷ ବେଶ୍‌ କାମିକା ମଣିଷ । କିନ୍ତୁ ତା’ ବାପ ରଖିଯାଇଥିବା ମାଣେ ଜମି ହାତେଇ ନବା ପାଇଁ ଶିବକୁ ନିଶାଭାଙ୍ଗ କରିବା ଶିଖାଇଲା ସାହୁକାର । ଫୁଲର ହାତଧରି ଘରକୁ ଆଣିବାବେଳକୁ ସେ ଜମିଖଣ୍ଡିକ ହାତଛଡ଼ା ହୋଇସାରିଥିଲା ଶିବର । ମେଲେରିଆ ଭୋଗି ଭୋଗି ଦେହ କଣ୍ଟା ହେଲାଣି ।

 

ଶ୍ରୀୟା ଭାବନାରେ ବୁଡ଼ି ରହିଥିଲା ବୋଲି ଜାଣିପାରୁ ନ ଥିଲା, ସଂଧ୍ୟା ଯାଇ ରାତି ହେଲାଣି ।

 

ହଠାତ୍‌ ଗାଡ଼ିର ହେଡ଼ଲାଇଟ୍‌ ଆଗରେ ଝଲସି ଉଠିଲା ଜଣେ ଅପରିଚିତର ମୁହଁ ।

 

ନିଶାରେ ଟଳୁଥିଲା ଲୋକଟା । ବ୍ରେକ୍‌କରି ଗାଡ଼ିଟା କାଟି ଦେଇ ନ ଥିଲେ ଦୁର୍ଘଟଣା ଘଟିଥାଆନ୍ତା । ମରୁ ମରୁ ବଞ୍ଚିଗଲା ଲୋକଟା ।

 

ଗାଡ଼ିରୁ ଉହ୍ଲେଇ ତା’ ଗାଲରେ ଚଟକଣାଏ ବସାଇ ଦେଲା ଶ୍ରୀୟା ।

 

ହାଁ ହାଁ କରି ଗାଡ଼ିରୁ ଉଦହ୍ଲାଇ ଆସି ଲକ୍ଷ୍ମଣ କହିଲା–‘‘ମାତାଲ ହେବାକୁ ସମୟ ପାଇଲୁ ନାହିଁ.... ’’

 

ତା’ କଥା ଶୁଣିବା ପାଇଁ ଧୈର୍ଯ୍ୟ ନ ଥିଲା ମଦୁଆର । ସେ ଗଛମୂଳେ ଶୋଇପଡ଼ିଲା ଲମ୍ବ ହୋଇ ।

 

–‘‘ଆମେ ଯିବା ଦେଈ... ଏମିତି ଦୃଶ୍ୟ ପ୍ରତିଦିନ ଦେଖିବ ଏ ରାସ୍ତାରେ... ଇଏ ମଦ ଖାଇନି ଯେ ମଦ ୟାକୁ ଖାଉଚି... ।’’ କହିଲା ଲକ୍ଷ୍ମଣ ।

 

–‘‘ଏମିତି ପଡ଼ିରହିବ ଗଛମୂଳେ ?’’

 

–‘‘ଆଉ କ’ଣ କରିବ ଯେ... ତାର କ’ଣ ହୋସ୍‌ଅଛି ଯେ ବାଟ ଚାଲିବ ? ଗାଁ ଲୋକ କେହି ହାବୁଡ଼ରେ ପଡ଼ିଲେ ନେଇଯିବ ହାତ ଧରି.. ନ ହେଲେ ଏଇ ଗଛତଳେ ରାତି ପାହିବ ।’’ ଉତ୍ତର ଦେଲା ଲକ୍ଷ୍ମଣ ।

 

ପରାଧୀନତା କୋଉ ଦିନୁ ଗଲାଣି । କିନ୍ତୁ ସ୍ଵାଧୀନ ଜାତିର ସୂର୍ଯ୍ୟୋଦୟ ହୋଇନି ଏଯାଏ... ମନକୁ ମନ କହିଲା ଶ୍ରୀୟା ।

 

ଗାଡ଼ି ଭିତରକୁ ଆସି ପୁଣି ଷ୍ଟାର୍ଟ କଲା, ବନମାଳୀପୁର ପଡ଼ି ରହିଗଲା ପଛରେ ।

 

ଫେରିବା ପରେ ଧୁଆଧୋଇ ହୋଇ କପେ କଫି ପିଇଲା ଶ୍ରୀୟା । କ୍ଳାନ୍ତ ଲାଗୁଥିଲେ ବି ମନ ପ୍ରସନ୍ନ ଥିଲା ଏଇ କାରଣରୁ ଯେ ପ୍ରଥମ ଦିନର ଅନୁଭୂତି ତାକୁ ନିରୁତ୍ସାହିତ ନ କରି ବରଂ ଠେଲି ଦେଇଥିଲା ଆଗକୁ ଗୋଟେ ନୂତନ ଆହ୍ଵାନର ମୁକାବିଲା କରିବା ପାଇଁ । ଏପର୍ଯ୍ୟନ୍ତ ସେ ଭାବି ଆସିଥିଲା ନିଜ ସମ୍ପର୍କରେ, ନିଜର ଭବିଷ୍ୟତ ସମ୍ପର୍କରେ । ଆଜିଠାରୁ ସେ ଭାବିବ ଅନ୍ୟମାନଙ୍କ ବିଷୟରେ । ଲକ୍ଷ୍ୟ ତା’ର ବଦଳି ଯାଇଛି । ବାଟ ବଦଳି ଯାଇଛି ।

 

ମୋବାଇଲ ଫୋନ୍‌ଟା ଉଠାଇ ନେଇ ଫୋନ୍‌କଲା ପ୍ରିୟରଞ୍ଜନ ପାଖକୁ । ସେ କାହିଁକି କେଜାଣି ଭାବୁଥିଲା ଯେ ଏଇ କାମରେ ଆଗେଇବା ପାଇଁ କିଛି ସାହାଯ୍ୟ ଲୋଡ଼ା ତା’ର । ସେ ଡାକ୍ତର ନୁହେଁ । କିନ୍ତୁ ବନମାଳୀପୁର ପରି ସବୁ ଗାଁରେ ଯେଉଁ ସ୍ଵାସ୍ଥ୍ୟ ସମସ୍ୟା ରହିଛି ସେଥିପାଇଁ ଡାକ୍ତର ଆବଶ୍ୟକ । ମେଲେରିଆ, ପେଟରୋଗ ବ୍ୟାପିଛି । ଯତ୍ନ ଅଭାବରୁ ପ୍ରସୂତି ଓ ଶିଶୁମାନେ ମରଣ ମୁହଁକୁ ଠେଲି ହୋଇ ଯାଉଛନ୍ତି । ବାପାଙ୍କୁ କହିବା ଅପେକ୍ଷା ପ୍ରିୟରଞ୍ଜନକୁ କହିଲେ ସେ ହୁଏତ ସାହାଯ୍ୟ କରିପାରିବ । ତା’ ସାଙ୍ଗ ହୁଏତ ଗଜପତି ଜିଲ୍ଲା ଦାୟିତ୍ୱରେ ଥିବେ ।

 

ସେ ପାଖରୁ ଭାସି ଆସିଲା ପ୍ରିୟରଞ୍ଜନର ସ୍ଵର । ‘‘ହ୍ୟାଲୋ’’ ... ।

 

ଶ୍ରୀୟା କହିଲା–‘‘ମୁଁ ଗଜପତି ଜିଲ୍ଲାରେ କାମ ଆରମ୍ଭ କରିଛି । ପାରଳାରେ ଗୋଟେ ଘର ନେଇଛି । ଆଜି ଯାଇଥିଲି ଗାଁ ବୁଲିବା ପାଇଁ । ଅବସ୍ଥା ଖରାପ । ମେଲେରିଆ ବ୍ୟାପିଛି । ପ୍ରସୂତି ଓ ଶିଶୁମାନଙ୍କ ସେବା ଯତ୍ନ ପାଇଁ କିଛି ବ୍ୟବସ୍ଥା ନାହିଁ । ମୁଁ ଏଠାରେ ନୂଆ । ସାଙ୍ଗରେ ଡାକ୍ତର ନ ଥିଲେ କେବଳ ମୋ ଯିବାଦ୍ଵାରା ସମସ୍ୟାର ସମାଧାନ ହେବ ନାହିଁ । ତମେ କିଛି ସାହାଯ୍ୟ କରିପାରିବ କି ?’’

 

ପ୍ରିୟ ରଞ୍ଜନ କହିଲା–‘‘ମୁଁ ଗଜପତିର ସବ୍‌କଲେକ୍ଟରଙ୍କୁ କହିବି ସେ ସାହାଯ୍ୟ କରିବେ-। ଡାକ୍ତର, ନର୍ସ ତମ ସାଙ୍ଗରେ ଗଲେ କାମ ସହଜ ହେବ । ତମ ନମ୍ୱର ତାଙ୍କୁ ଦେବି..... ଆଣ୍ଡ ଆଇ ଉଇଲ୍‌ କଲ ୟୁ ବ୍ୟାକ୍‌... ଟେକ୍‌ କେୟାର.. ଦେଖାହେଲେ ଆଉସବୁ ଆଲୋଚନା କରିବା... ବାଇ... ।’’

 

ଖାଇସାରି ବିଛଣାରେ କଡ଼ ଲେଉଟାଇବାବେଳେ ତାକୁ ଲାଗୁଥିଲା ଯେପରି ଅତି ପାଖରେ ଅଛି ଅରବିନ୍ଦ... । ସେ ଯଦି ତା’ ସହିତ ମିଶି କାମ କରନ୍ତା ତେବେ ଅଶିକ୍ଷା, ରୋଗବ୍ୟାଧି ବିରୁଦ୍ଧରେ ସେମାନଙ୍କ କାମ କେଡ଼େ ସହଜ ହୁଅନ୍ତା ସତରେ । କେବଳ ବନ୍ଧୁକର ନଳି ଭିତରେ କ୍ଷମତା ନ ଥାଏ... ଲୋକସେବା ମଧ୍ୟ କ୍ଷମତା ଅର୍ଜନ କରିବାର ଏକ ଉତ୍ସ । ଲେଟ୍‌ ହଣ୍ଡ୍ରେଡ଼ ଫ୍ଲାୱାର୍‌ସ୍‌ ବ୍ଲସମ୍‌... ଶହେ ଫୁଲ ଫୁଟିବାକୁ ଦିଅ... କ୍ଷମତାର ଉତ୍ସ ସବୁ ଆପେ ଆପେ ଉଷ୍ଣପ୍ରସ୍ରବଣ ପରି ଜୀବନ୍ତ ହୋଇଉଠିବ । ଗଣଙ୍କ ପାଇଁ କାମ କଲେ, ସେମାନଙ୍କ ସେବା କଲେ, ତାହାରି ମାଧ୍ୟମରେ କ୍ଷମତା ଆସିବ... ଆଉ ସେଇ କ୍ଷମତାର ଉପଯୋଗ କରିବା ପାଇଁ ବନ୍ଧୁକ ବା ବୋମା ଦରକାର ହେବ ନାହିଁ ।

 

ପଚିଶ

 

ଅକସ୍ମାତ୍‌ ସୋମବାର ଦିନ ଶ୍ରୀକାକୁଲମ ବଜାରରୁ କିଛି ଔଷଧ, ଶିଶୁଖାଦ୍ୟ, ଭିଟାମିନ, ବିସ୍କୁଟ୍‍ ଓ ଲୁଗାପଟା ନେଇ ଫେରୁଥିବାବେଳେ ଗୋଟେ ନିର୍ଜନ ସ୍ଥାନରେ ଗାଡ଼ି ଅଟକିଲା ଲାଲ୍‍ପତାକା ଦେଖି । ଲକ୍ଷ୍ମଣ ଉହ୍ଲାଉଥିଲା କିନ୍ତୁ ତାକୁ ଗାଡ଼ି ଭିତରେ ରହିବାପାଇଁ କହି ଶ୍ରୀୟା ଓହ୍ଲାଇ ପଡ଼ିଲା । କାହିଁ କାହାକୁ ନ ଦେଖି ସେ ଆଶ୍ଚର୍ଯ୍ୟ ହେଲା କିଏ ଏଠାରେ ଲାଲ୍‍ ସଂକେତ ରଖିଲା ତାହା ଜାଣିବା ପାଇଁ । ବ୍ରହ୍ମଗିରିରେ ତାକୁ ଅରବିନ୍ଦ କହିଥିଲା ଯେ ଲାଲ୍‍ ସଂକେତ ଦେଖିଲେ ଲକ୍ଷ୍ୟ କରିବ କିଏ କେଉଁଠି ହୁଏତ ଅପେକ୍ଷା କରିଥିବ କୌଣସି ବାର୍ତ୍ତ ଦବା ପାଇଁ ।

 

ଚାରିପାଞ୍ଚ ମିନିଟ୍‌ ଅପେକ୍ଷା କରିବା ପରେ କି କାହା ସହିତ ଭେଟ ନ ହେବାରୁ ସେ ଗାଡ଼ି ଭିତରକୁ ଉଠିଲା ପୁଣି ।

 

ସେତେବେଳକୁ ସଂଧ୍ୟା ନଇଁ ଆସୁଥଲା । ପାରଳାରେ ପହଞ୍ଚିବା ପାଇଁ ଦୁଇଘଣ୍ଟା ଲାଗିଯିବ । ସେ ଗାଡ଼ି ଚଳାଇ ଟିକେ ଆଗକୁ ଯିବା ପରେ ନିଛାଟିଆ ଜାଗାରେ ଗୋଟେ ଢାବା ଦେଖି ଭାବିଲା କପେ ଚା’ ପିଇବା ପାଇଁ ।

 

ଲକ୍ଷ୍ମଣ ଗାଡ଼ିରୁ ଉହ୍ଲାଇ ଯାଇ ଢାବାରୁ ବୁଲି ଆସିଲା । ଚା’ କରିବା ପାଇଁ ବେଶୀ ସମୟ ଲାଗିବ ନାହିଁ । ପକୋଡ଼ି ଛଣା ଶେଷ ହେଲେ ଦୋକାନୀ ଚା’ ପାଇଁ ପାଣି ଗରମ କରିବ ।

 

କୋରାପୁଟର ଶବରମାନଙ୍କ ମଧ୍ୟରୁ ଜଣେ ଯେ ଆସି ଏଠରେ ଢାବା ଖୋଲିଥିବ ତାହା ଦେଖି ଆଶ୍ଚର୍ଯ୍ୟ ହେଲା ଶ୍ରୀୟା । ପକୋଡ଼ି ଛାଣୁଥିବା ଟୋକା ସହିତ ଆଉ ଜଣେ ଥିଲା ସେଠାରେ-। ସେ କହିଲା–‘‘କ୍ୟାଟେଲି ବସାଉଛି ମାଡ଼ାମ, ବେଶୀ ସମୟ ଲାଗିବ ନାହିଁ । କିନ୍ତୁ ତା’ ଆଗରୁ ଗରମ ପକୋଡ଼ି ଦି’ ଖଣ୍ଡ ଖାଆନ୍ତୁନା କେବେ ଭୁଲି ପାରିବେ ନାହିଁ.... ।’’ ସେହି ପିଲାଟିକୁ କୌଣସିଠାରେ କେବେ ଦେଖିଥିବା ପରି ମନେହେଲା । କିନ୍ତୁ ଶ୍ରୀୟା ମନେପକାଇ ପାରିଲା ନାହିଁ କେଉଁଠି ତା’ ସହିତ ଦେଖା ହୋଇଥିଲା । ହୁଏତ ସାଦୃଶ୍ୟ ଥିବା ଏହିପରି ଆଉ କେହି ହୋଇଥିବ । ବେଳେବେଳେ ଜଣେ ଆଉ ଜଣକ ପରି ଦେଖାଯାଏ ।

 

ଶ୍ରୀୟା ଗାଡ଼ିରୁ ଉହ୍ଲାଇ ଢାବା ଆଗରେ ଥିବା ବେଞ୍ଚରେ ବସିଲା ।

 

ପକୋଡ଼ି ପ୍ଲେଟ୍‌ ତା’ ହାତକୁ ବଢ଼ାଇଦବାବେଳେ ଶ୍ରୀୟା ଚମକି ପଡ଼ିଲା ଅରବିନ୍ଦକୁ ଦେଖି । କୋରାପୁଟର ଶବର ବେଶ ଭିତରୁ ଫୁଟି ପଡ଼ୁଥିଲା ମୁହଁର ବଙ୍କା ହସ ଏବଂ କଣ୍ଠର ମିଠା ସ୍ଵର ।

 

ଅରବିନ୍ଦ ସଂକେତ ଦେଲା ଚୁପ୍‌ ରହିବା ପାଇଁ । କିନ୍ତୁ ସେ ଏମିତିଭାବେ ଆରମ୍ଭ କଲା ଆଗନ୍ତୁକା ସମ୍ପୂର୍ଣ୍ଣ ଅପରିଚିତା ।

 

–‘‘ପକୋଡ଼ି କେମିତି ଲାଗୁଛି ମାଡ଼ାମ୍‌... ’’

–‘‘ଖୁବ୍‌ଭଲ... ଖୁବ୍‌ଭଲ...’’ ପକୋଡ଼ି କେତେଟା ପାଟିରେ ପୂରାଇ କହିଲା ଶ୍ରୀୟା ।

 

–‘‘ଏ ଅପନ୍ତରା ଜାଗାରେ ଆଉ ବା କ’ଣ ମିଳିବ ଯେ.... ପକୋଡ଼ି ଛାଣୁଥିଲି... ହଠାତ୍‌ ଆପଣଙ୍କ ଗାଡ଼ି ଥମିଯିବାରୁ ଭାବିଲି ଭାଗ୍ୟ ଭଲ ଜଣେ କିଏ ଆସିଲେ....।”

 

–‘‘ତମ ସାଙ୍ଗରେ ଏଇ ପିଲାଟି କି ତମ ଗାଁଆର ?

–“ହଁ, ସେ ମୋ ଲେଖାଯୋଖା ଭାଇ... ଭାରି ବିଶ୍ଵାସୀ । ତା ନାମ ପ୍ରଳୟ... ।’’

 

ନାମ ଶୁଣି ଚିହ୍ନିଲା ଶ୍ରୀୟା ମାତ୍ର କେଇଦିନ ଆଗେ ସେ ଅରବିନ୍ଦର ବାର୍ତ୍ତା ନେଇ ଯାଇଥିଲା ତା’ ପାଖକୁ ।

 

ପକୋଡ଼ି ଖାଇସାରି ଚା’ ପିଇବାବେଳେ କହିଲା ଶ୍ରୀୟା–’’ଏଇ ଆକସ୍ମିକ ଆତିଥେୟତା ପାଇଁ ଧନ୍ୟବାଦ । ପୁଣି କେବେ ?’’

 

ଅରବିନ୍ଦ ଫିସ୍‌ଫିସ୍‌ କରି କହିଲା–‘‘ଯେତେବେଳେ ଡାକିବ... ।’’

–“ମୁଁ କାମ ଆରମ୍ଭ କରିଦେଇଛି ପାରଳାରେ... ’’

–‘‘ସବୁ ଖବର ପାଇଛି ।’’

ସାଇକେଲରେ କିଏ ଆସୁଥିବା ଦେଖି ପ୍ଲେଟ୍‌ନେଇ ଚାଲିଗଲା ଶବର ।

 

ସାଇକେଲ ଆରୋହୀ ପକୋଡ଼ି ଆଉ ଚା’ ପିଉଥିବାବେଳେ ଗୋପନୀୟ ସଂକେତ ପାଇ ଗାଡ଼ି ପାଖରୁ ଘେରାଏ ବୁଲି ଆସିଲା ଶ୍ରୀୟା ।

 

ଲକ୍ଷ୍ମଣ କହିଲା–‘‘ବଡ଼ ଭୋକ ଲାଗୁଥିଲା.... ଗୁଡ଼ାଏ ପକୋଡ଼ି ଖାଇଦେଲି... ବେଶ୍‌ ସୁଆଦିଆ..... ।”

 

ଶ୍ରୀୟାର ଇଛା ହେଉଥଲା ଅନେକ କିଛି କହିବା ପାଇଁ, ମଝିରେ ମଝିରେ ପ୍ରେମ କବିତାରୁ କଳିଟିଏ ଆବୃତ୍ତି କରିବା ପାଇଁ, କିନ୍ତୁ ସେ ନିଜକୁ ନିୟନ୍ତ୍ରଣ କରୁଥଲା ଅରବିନ୍ଦର ନିରାପତ୍ତା ପାଇଁ ।

 

‘‘ବେଶୀ ନୁହଁ, ପଦେଅଧେ କଥା, ଗୋଟେ ଦୁଇଟା ଉଚ୍ଚାରଣ ଦୁହିଁଙ୍କୁ ଉଚ୍ଚକିତ କରୁଥଲା ଗରମ ପକୋଡ଼ିର ସୁଖାଦ୍ୟ ପରି ।

 

ଫେରି ଆସିବାରୁ ପାଖରେ ଆଉ କେହି ନ ଥିବା ଦେଖି କହିଲା ଶ୍ରୀୟା–‘‘ବିପ୍ଲବର ନିଆଁ ଭିତରକୁ ଡେଇଁ ନ ପଡ଼ି ମୁଁ ଯେଉଁ କାମ ଆରମ୍ଭ କରିଛି ଗଜପତି ଜିଲ୍ଲାରେ ତାହା ଆହୁରି ଉତ୍ତେଜନାପୂର୍ଣ୍ଣ । ସେଥିରେ ପ୍ରତିଟି ମୁହୂର୍ତ୍ତ ଉପଭୋଗ କରିହୁଏ ।’’

 

ଅରବିନ୍ଦ ଚୁପ୍‌ହୋଇ ତା’ କଥା ଶୁଣୁଥିବା ଦେଖି ସେ ପୁଣି କହିଲା–ଭୋକ ଉପାସରେ ଦିନକାଟି ଶୁଖି ଯାଉଥିବା ଗୋଟିଏ ମୂଲ୍ୟବାନ ଜୀବନକୁ ରକ୍ଷା କରିବା ଏବଂ ଜୀବନ ଜୁଆରରେ ତାକୁ ପୁଣି ଭାସିବାର ଦେଖିବା କ’ଣ କମ୍‌ ରୋମାଞ୍ଚକର ?’’

 

ଆଉ ଜଣେ କେହି ଆଗେଇ ଆସୁଥିଲା ସେମାନଙ୍କ ଆଡ଼କୁ ।

 

ଗୋଟିଏ ଶବ୍ଦ ଉଚ୍ଚାରଣ ନ କରି ମଧ୍ୟ ଆଖିରେ ଆଖିରେ ଏତେକଥା କୁହାଯାଇପାରେ, ମୁହଁର ରେଖା ପରିବର୍ତ୍ତନ କରି ଏତେ ଭାବ ବିନିମୟ କରାଯାଇପାରେ ଏଇ ପ୍ରଥମ ବୁଝିଲା ଶ୍ରୀୟା-

 

ଆଉ ଅଧିକ ସମୟ ଏକତ୍ର ରହିବା ବିପଦର କାରଣ ହୋଇପାରେ ଭାବି ସେ ଉଠି ବସିଲା ଏବଂ ସଂକେତରେ କହିଦେଲା ଯେ ଯିବାବେଳ ହୋଇଗଲାଣି ।

ଗାଡ଼ି ଭିତରକୁ ଯିବା ପୂର୍ବରୁ କହିଲା ଶ୍ରୟା–‘‘ଚିନ୍ତା କର କ’ଣ କରିବ... କିନ୍ତୁ ତମେ ଯାହା ନିଷ୍ପତ୍ତି ନବ ମୁଁ ତା’ର ସଫଳତା ପାଇଁ କାମ କରିବି । ଦେଶସେବାର ଅନେକ ରୂପ । ସେମାନଙ୍କୁ ଅଶିକ୍ଷା, ଦାରିଦ୍ର୍ୟ, ରୋଗଯନ୍ତ୍ରଣାରୁ ମୁକ୍ତ କରିବା ମଧ୍ୟ ଅଟେ ନୀରବ ବିପ୍ଲବ ।’’

ଅରବିନ୍ଦ ମଥା ହଲାଇ ସମ୍ମତି ଜଣାଇଲା । ଶ୍ରୀୟା ଗାଡ଼ି ଛାଡ଼ିବା ପୂର୍ବରୁ ଅରବିନ୍ଦ କେବଳ ଅନୁଚ୍ଚ ସ୍ଵରରେ ଏତିକି କହିଲା–‘‘ଲେଟ୍‌ ଦି ଫାଷ୍ଟ ଫେଜ୍‌ ବି ଓଭର୍‌ ।’’

ଆଖି ଆଗରେ ଅଦୃଶ୍ୟ ହୋଇଗଲା ମାରୁତି ଭ୍ୟାନ । କିନ୍ତୁ ପଛରେ ରହିଗଲା ଅନେକ ସ୍ମୃତି, ଅନେକ ଅନୁଭବ ।

ଗୋଟିଏ ସଂକେତ ଧ୍ୱନି ଶୁଣି ଚମକି ପଡ଼ିଲା ଅରବିନ୍ଦ । ସେତେବେଳକୁ ପ୍ରଳୟ ଫେରି ଆସିଥିଲା ଦୋକାନକୁ । ତାକୁ ଇସାରା ଦେଇ କ’ଣ କହିଲା ଅରବିନ୍ଦ ଏବଂ ମୁହୂର୍ତ୍ତକ ମଧ୍ୟରେ ପୁଣି ଜଙ୍ଗଲ ଭିତରେ ଅଦୃଶ୍ୟ ହୋଇଗଲା ସେ ।

ପୁଲିସ୍‍ ଜିପ୍‌ଟା ଆସି ଠିଆ ହେଲା ଢାବା ଆଗରେ । ଚାରିପାଞ୍ଚଜଣ ସାଙ୍ଗେ ସାଙ୍ଗେ ଡେଇଁ ପଡ଼ିଲେ ଗାଡ଼ି ଭିତରୁ । ସଂଧ୍ୟାର ପତଳା ଅନ୍ଧାର ଭେଦ କରି ସେମାନଙ୍କ ଟର୍ଚ୍ଚ ଆଲୁଅରେ ଉଦ୍ଭାସିତ ହୋଇ ଉଠିଲା ସେଇ ଜାଗା ।

ରୋହିତ ପାଖକୁ ଆସି କହିଲା–“ଚା’ ଆଣିବି ବାବୁ ।

–‘‘ପାଞ୍ଚଟା ଚା’ ତିଆରି କର । ଭଲ କରି କରିବୁ । ଆଉ କେହି ଆସିନି ?’’

 

‘‘ଆସିଥିଲେ ଚାଲିଗଲେଣି ଚା’ ପକୋଡ଼ି ଖାଇ । ବଣୁଆ ରାସ୍ତା । ଗାଡ଼ି ଚଳାଚଳ କମ୍‌ ହୁଏ... ।’’

 

–‘‘ତୋ କାରବାର ତେବେ କେମିତି ଚାଲିଛି ?

 

–‘‘ଭଲ ନୁହେଁ । ତଥାପି ନାହିଁ ମାମୁଁଠାରୁ କଣା ମାମୁଁ ଭଲ । ବଞ୍ଚିବା ପାଇଁ କିଛି ଉପାୟ କରିବା ଭଲ ।’’

 

ପ୍ରଳୟ ଚା’ ତିଆରି କରିବାକୁ ଚାଲିଗଲା । ପୁଲିସ୍‍ ବାଲା ଚାରିଆଡ଼ ତନ୍ନ ତନ୍ନ କରି ଘାଣ୍ଟି ପକାଇଲେ । ଇନିସ୍‌ପେକ୍ଟର ବାବୁ କହୁଥିବା ଶୁଣିଲା ପ୍ରଳୟ–‘‘ହୁଏତ ଆମେ ତା’ ପିଛା କରୁଥିବା ଜାଣି ଲୁଚି ଗଲା କୋଉ ରାସ୍ତା କଡ଼ରେ । କିନ୍ତୁ କେତେଦିନ ଲୁଚିରହିବ ଦେଖାଯାଉ । ପାଣ୍ଡବମାନଙ୍କ ଅଜ୍ଞାତବାସ ସମୟ ବି ଦିନେ ଶେଷ ହୋଇଥିଲା...।’’

 

ପ୍ରଳୟ ମନେ ମନେ ହସିଲା ଏବଂ ଜିପ୍‌ ଛାଡ଼ିବା ପୂର୍ବରୁ ସେଇ କାମଟା ଯେପରି ଯଥାରୀତି ସମ୍ପନ୍ନ ହୁଏ ତାହା ଶୁଣିବା ପାଇଁ ବ୍ୟାକୁଳ ହେଉଥିଲା ।

 

ଗରମ ଚା’ ପାଞ୍ଚ ଗିଲାସ ସେମାନଙ୍କ ହାତକୁ ବଢ଼ାଇ ଦେଲା ପ୍ରଳୟ । ସେମାନେ ବସି ବସି ଚା’ ପିଇବାବେଳେ ଜଣେ ସାଇକେଲବାଲା ଆସି ଠିଆ ହେଲା ଦୋକାନ ଆଗରେ । ସେ ବି ଚା’ ପିଇଲା ଏବଂ ଆଖିରେ ଜଣାଇ ଦେଇ ଚାଲିଗଲା ଯେ ସବୁ ପ୍ରସ୍ତୁତ ରହିଛି... !

 

ରାତି ପ୍ରାୟ ନଅଟା ବେଳକୁ ଶ୍ରୀୟା ଆସି ପହଞ୍ଚିଲା ପାରଳାଖେମୁଣ୍ଡିରେ ।

 

ସକାକୁ ଯାଇଥଲା ଯେ ଫେରିଛି ରାତି ନଅଟାରେ । ତଥାପି ମନଫୁର୍ତ୍ତିରେ ଗୁଣୁ ଗୁଣୁ କରି ଗୀତ ଗାଉଥିଲା ଶ୍ରୀୟା । ପଥଶ୍ରମ ଆଦୌ କ୍ଲାନ୍ତ କରି ନ ଥିଲା ତାକୁ । ଧୁଆଧୋଇ ସାରିବାବେଳକୁ ଟେବୁଲ ଉପରେ ଖାଇବା ବଢ଼ା ସରିଲାଣି । ରୋଟି ଦୁଇଖଣ୍ଡ, ସନ୍ତୁଳା ଓ ଦୁଧ ଖାଇସାରି ବିଛଣା ଉପରେ ପାଦ ଲମ୍ବାଇ ଦେଇଛି ହଠାତ୍ ଟେଲିଫୋନ୍‌ ବାଜି ଉଠିଲା । ରିସିଭରଟା ଉଠାଇ ଦେଲା ଶ୍ରୀୟା !

 

ସେପାଖରୁ ପ୍ରିୟରଞ୍ଜନ କହୁଥିଲା ‘‘ତମେ ଶ୍ରୀକାକୁଲାମ ଯାଇଥିଲ ଥାନାରୁ ଖବର ପାଇଥିଲି । କେତେବେଳେ ଫେରିଲ ?

 

–‘‘ଏଇ ଘଣ୍ଟାଏ ହେବ...’’

 

–‘‘କିନ୍ତୁ ତମ ପଛେ ପଛେ ପ୍ରାୟ ଘଣ୍ଟାକ ବ୍ୟବଧାନରେ ଆସୁଥିବା ପୁଲିସ୍‍ଗାଡ଼ି ବୋମା ବିସ୍ଫୋରଣ ଯୋଗୁ ଜଳିଯାଇଛି । ଜଣେ ଇନିସ୍‍ପେକ୍ଟର ସହିତ ଆଉ ଚାରିଜଣ ପୁଲିସ୍‍ ମରିଥିବା ଖବର ମିଳିଛି । ଆନ୍ଧ୍ର ସୀମାନ୍ତକୁ ସିଲ୍‌ କରି ଦିଆଯାଇଛି । ଭାଗ୍ୟ ଭଲ ତୁମେ ନିରାପଦରେ ଫେରିଆସିଛ.. ।’’

 

–‘‘ଏ କାମ କିଏ କରିଥିବ ଭାବୁଛ ?’’

 

–“ମୁକ୍ତିଯୋଦ୍ଧା ଗୋଷ୍ଠୀ ଛଡ଼ା ଏପରି କାମ କରିବାକୁ କେହି ସାହସ କରିବେ ନାହିଁ ।’’ ପ୍ରିୟରଞ୍ଜନ ପୁଣି ଯୋଗ କଲା–

–‘‘ତମେ ଟିକେ ସତର୍କ ଥିବ । ଦରକାର ହେଲେ ଟେଲିଫୋନ୍‍ କରିବ ଡାକ୍ତର ଓ ନର୍ସ ତମ ସହିତ ଗ୍ରାମାଞ୍ଚଳକୁ ଯିବା ପାଇଁ କଲେକ୍ଟର ରାଜି ହୋଇଛନ୍ତି । ସେ ଖୁସି ଯେ ତମେ ଏମିତି ସାହସିକ ଉଦ୍ୟମ ଆରମ୍ଭ କରିଛ... ।”

ପ୍ରିୟରଞ୍ଜନ ଟେଲିଫୋନ୍‌ ରଖିଦେଲା । ଶ୍ରୀୟା ରିସିଭରଟା କ୍ରାଡ଼ଲ ଉପରେ ରଖିଦେଇ ଭାବୁଥିଲା–ଏପରି କାହିଁକି ସେମାନେ କଲେ ? କେବଳ ମଣିଷ ମାରିବାଦ୍ଵାରା ବିପ୍ଳବ ହୁଏ ନାହିଁ.... ସେମାନଙ୍କ ସ୍ତ୍ରୀ ପିଲା ହୁଏତ ଏବେ ବି ସେମାନଙ୍କୁ ଅପେକ୍ଷା କରୁଥିବେ ।

ଶ୍ରୀୟା କେବଳ ଭାବୁଥିଲା ଏବଂ ମନକୁ ମନ କହୁଥିଲା ହିଂସା କ’ଣ ବିପ୍ଲବ ପାଇଁ ଅପରିହାର୍ଯ୍ୟ ? କେଉଁଟା ଆଗ ବିପ୍ଲବ ନା ନରହତ୍ୟା ? ମଣିଷର ଚିନ୍ତା ଓ ଚେତନାର ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ବିପ୍ଲବ ସଫଳ ହୁଏ ନାହିଁ ।

କିନ୍ତୁ ବାରମ୍ବାର ସେ ଏଇ ପ୍ରଶ୍ନ ନିଜକୁ ପଚାରିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ତା’ ମନରେ ଆଉ ଗୋଟିଏ ସନ୍ଦେହ ଉଦ୍ରେକ ହେଲାକ୍ଷଣି ସେ ଶିହରି ଉଠିଲା ।

ସେଇ ପୋଲ ଅତିକ୍ରମ କରିବାର ଘଣ୍ଟାଏ କି ଦେଢ଼ ଘଣ୍ଟା ମଧ୍ୟରେ ଏଇ ବିସ୍ଫୋରଣ ନିଶ୍ଚୟ ଘଟିଥିବ । ଯଦି ତା’ ଆଗରୁ ବୋମା ଖଞ୍ଜା ଯାଇଥାନ୍ତା ତେବେ ମାରୁତି ଭ୍ୟାନଟା ଉଡ଼ିଯାଇଥାନ୍ତା ଏବଂ ତା’ ସହିତ ସେ ବି ରାସ୍ତାରେ ସହିଦ୍‌ ହୋଇଯାଇଥାନ୍ତା । ସେ ଢାବା ଛାଡ଼ିବାର କିଛି ସମୟ ପରେ ଯେ କେହି ବୋମା ଖଞ୍ଜିଛି ତାହା ନିଶ୍ଚିତ । ଅର୍ଥାତ୍‍ ସେ ଚାଲିଯିବା ପରେ ପୁଲିସ୍‍ ପାର୍ଟି ଯେ ତା’ ପଛେ ପଛେ ଶ୍ରୀକାକୁଲମରୁ ଆସୁଥିଲା ତାହା ମଧ୍ୟ ସତ୍ୟ । ହୁଏତ ତା’ର ଗତିବିଧି ପରେ ନଜର ରଖିବାପାଇଁ ବା ତାର ଶ୍ରୀକାକୁଲାମ ଆସିବା ସମ୍ବନ୍ଧରେ ଅଧିକ କିଛି ଜାଣିବା ପାଇଁ ସେମାନେ ଆସୁଥିଲେ । କିନ୍ତୁ ସେ ଢାବାରେ ଥିବାବେଳେ ଅରବିନ୍ଦ ହିଁ ସେଠାରେ ଥିଲା । କିଛି ସମୟ ପାଇଁ ପ୍ରଳୟ କୁଆଡ଼େ ଚାଲିଯାଇଥିଲା । ଅରୁ, ରୋହିତ ଓ ପ୍ରଳୟ ଏବଂ ବିସ୍ଫୋରଣ ମଧ୍ୟରେ ଗୋଟିଏ ଅଦୃଶ୍ୟ ଯୋଗସୂତ୍ର ଥିବା ମନକୁ ଆସିବାମାତ୍ରେ ତା’ ମେରୁଦଣ୍ଡ ଦେଇ ହିମପ୍ରବାହ ସଞ୍ଚରିଗଲା ଏବଂ ତା’ ମୁହଁରୁ ବାହାରିଗଲା–’’ନୋ, ନୋ.... ଦିସ୍‌ ଇଜ୍‌ କାୱାର୍ଡିସ୍‌... ।’’ ଏହା ଭୀରୁତା ବ୍ୟତୀତ ଅନ୍ୟକିଛି ନୁହଁ ।’’

 

କିନ୍ତୁ କୌଣସି କାରଣ ନ ଥାଇ ପାଞ୍ଚଜଣ ପୁଲିସ୍‍ଙ୍କ ଉପରେ ଆକ୍ରମଣ କରିବା ଯେ ବର୍ବରୋଚିତ ଏବଂ ଏହା ପଛରେ କୌଣସି ଆଦର୍ଶଗତ ତାଡ଼ନା ନାହିଁ ଏଇ ଅନୁଭବ ତାକୁ ବ୍ୟସ୍ତ ବିବ୍ରତ କରୁଥିଲା ବେଶୀ ।

 

ଏହା ମଧ୍ୟ ଶ୍ରୀୟା ଜାଣୁଥିଲା ଯେ ଏଇ ହିଂସାକାଣ୍ଡ ଏଇଠି ସମାପ୍ତ ହେବନାହିଁ । ହିଂସା ବଦଳରେ ହିଂସା । ହିଂସା ମାଧ୍ୟମରେ ଉଦ୍ଦେଶ୍ୟ ସାଧନ କରିବା ପାଇଁ ସଂକଳ୍ପ କରିଥିଲା ମୁକ୍ତିଯୋଦ୍ଧା ଦଳ । ଲୋକଶକ୍ତି ଗଣତନ୍ତ୍ରର ଉତ୍ସ ବିବେଚିତ ହେଉଥିବାରୁ ଲକ୍ଷ୍ୟସାଧନ ସକାଶେ ହିଂସାର ଆଶ୍ରୟ ନ ନେଇ ଲୋକଶକ୍ତିକୁ ଜାଗ୍ରତ ଓ ସଚେତନ କରିବାକୁ ହେବ । ସେଇ କାମ ଆଉ ସବୁ କାମ ଅପେକ୍ଷା ଅଧିକ ଗୁରୁତ୍ଵପୂର୍ଣ । ଲୋକମାନେ ଶିକ୍ଷିତ ସଚେତନ ଓ ଜାଗ୍ରତ ହେଲେ ଅନ୍ୟାୟ ଓ ଅବିଚାରର ପ୍ରତିରୋଧ ସ୍ଵତଃପ୍ରବୃତ୍ତ ହୋଇ କରିବେ । ସେମାନଙ୍କୁ ସେଥିପାଇଁ ବାଧ୍ୟ କରିବାକୁ ପଡ଼ିବ ନାହିଁ ବା ହିଂସାର ଆଶ୍ରୟ ନବାପାଇଁ ସୁଯୋଗ ଖୋଜିବା ଦରକାର ହେବ ନାହିଁ ।
 

ଅନେକ ରାତି ପର୍ଯ୍ୟନ୍ତ ଭାବୁଥିଲା ଶ୍ରୀୟା । ଅରବିନ୍ଦ ଯେଉଁ ମାର୍ଗ ବାଛି ନେଇଛି ତାହାଦ୍ଵାରା ଯେ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ ଏ ସମ୍ଭାବନା କ୍ଷୀଣ । ପଶ୍ଚିମବଙ୍ଗରେ ତିରିଶ ବର୍ଷ ପୂର୍ବେ ଏହା ପ୍ରମାଣିତ ହୋଇସାରିଛି । ତଥାପି ଶୋଷିତ ଓ ଅସହାୟମାନଙ୍କୁ ଜାଗ୍ରତ କରିବାର ବେଳ ଆସିଛି । ନ୍ୟାୟ ପାଇବା ସକାଶେ ସେମାନେ ଲଢ଼େଇ କରି ଶିଖିଲେ ଶୋଷକମାନଙ୍କର ସାହସ ହେବନି ସେମାନଙ୍କୁ ମାଡ଼ିମକଚି ଆଗକୁ ଯିବାପାଇଁ । ସାମାଜିକ ଅସମାନତା ଦୂର ନ ହେଲେ ସାମାଜିକ ନ୍ୟାୟ ମଧ୍ୟ ସୁଦୂର ପରାହତ ହୋଇରହିବ । ତା’ପରେ ନିର୍ବାଚିତ ସରକାରକୁ ହିଂସା ବଳରେ ବଦଳାଇବା ନୀତି ଅତି ବିପଦଜନକ । ଭାରତ ପରି ଗୋଟିଏ ଗଣତାନ୍ତ୍ରିକ ଦେଶରେ ଏହା ସମ୍ଭବ ହେବାର ଆଶା ନାହିଁ । କେବଳ ଲୋକକ୍ଷୟ ହିଁ ସାର ହେବ... ।

 

ରାତି ଅଧରେ କେହି ଜଣେ ହଠାତ୍‌ ପହଞ୍ଚିଯିବ ଏହା ଆଶା କରି ନ ଥିଲା ଶ୍ରୀୟା । ଭାବନାରେ ଭାରାକ୍ରାନ୍ତ ମନକୁ ସେ ଶାନ୍ତ ସ୍ଥିର କରିପାରୁ ନ ଥିଲା । ତେଣୁ ଶୋଇବା ପାଇଁ ଚେଷ୍ଟା କରି ବି ସେ କଡ଼ ଲେଉଟାଉଥିଲା ସିନା ଶୋଇପାରୁ ନ ଥିଲା ।

 

ସେଇ ଶବ୍ଦ ଶୁଣି ସେ ଉଠି ବସିଲା ଏବଂ ଆଲୁଅ ନ ଜାଳି ବାହାରେ ବିଛେଇ ହୋଇ ପଡ଼ୁଥିବା ଚନ୍ଦ୍ରାଲୋକରେ ଆଉ କାହାର ଛବି ଦେଖିବା ପାଇଁ ଝରକାର ପର୍ଦ୍ଦା ଉଠାଇ ବାହାରକୁ ଚାହିଁଲା ।

 

ସେଇ ପରିଚିତ ମୁହଁ ଦେଖି ଶ୍ରୀୟା କହିଲୀ–‘‘ଏତେ ରାତିରେ ?’’

 

ଆଗନ୍ତୁକ କହିଲା–‘‘ପୁଲିସ୍‍ ଜିପ୍‌ଧ୍ଵଂସ ହେବା କଥା ଶୁଣିଥିବ । କେହି ବଞ୍ଚି ନାହାନ୍ତି । ଏତେ ବଡ଼ ଧକ୍କା ସରକାର ମୁହଁ ବୁଜି ସହ୍ୟ କରିବ ନାହିଁ । ସୀମାନ୍ତ ଇଲାକା ସିଲ୍‌ କରିଦିଆ ଯାଇଛି । ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଚଳାଚଳ ପ୍ରାୟ ବନ୍ଦ ହୋଇଯାଇଛି । ମୁଁ ଗୋଟାଏ ଦୁର୍ଗମ ପଥରେ ଲୁଚିଛପି ଚାଲିଆସିଲି ତୁମକୁ ଜଣାଇବାପାଇଁ ଯେ କାଲି ସକାଳେ କ’ଣ ହେବ କହିହେବ ନାହିଁ । କିନ୍ତୁ ତମେ ଘାଟି ଜଗି ବସିଥିବ । ଲୋକଙ୍କ ସେବା କରୁଥିବ । ବିଦ୍ରୋହୀମାନଙ୍କୁ ଗିରଫ କରିବା ପାଇଁ ସବୁ ଦିଗରେ ପୁଲିସ୍‍ ଦଳ ବାହାରି ଯାଇଛନ୍ତି । ଅରବିନ୍ଦ, ରାମାରାଓ ଓ ଆଉ ଦୁଇଜଣ ସାଥୀ ବଂଶଧାରା ନଦୀ କୂଳେ କୂଳେ ଯାଉଛନ୍ତି ସମୁଦ୍ର ଆଡ଼କୁ । ଯଦି ବାଧାବିଘ୍ନ ନ ଥାଏ ତେବେ ସମୁଦ୍ର ବାଟ ଦେଇ ଆଉ କୌଣସି ଜାଗାକୁ ଚାଲିଯିବେ ଆତ୍ମଗୋପନ କରିବା ପାଇଁ.... ।’’

 

ଶ୍ରୀୟା ଦୁରୁଦୁରୁ ଛାତିରେ ସବୁ ଶୁଣିସାରି କିଛି କହିବା ପୂର୍ବରୁ ଆଗନ୍ତୁକ କହିଲା–‘‘ସେମାନଙ୍କୁ ଖୋଜିବ ନାହିଁ, ସେମାନଙ୍କ ଭଲମନ୍ଦ ଜାଣିବାପାଇଁ ଚେଷ୍ଟା କରିବ ନାହିଁ । ଦରକାର ହେଲେ ମୁଁ ଆସିବି ବାକୀ କଥା କହିବା ପାଇଁ... ।’’ ଆଉ ଅପେକ୍ଷା ନ କରି ପ୍ରଳୟ ଅନ୍ତର୍ଦ୍ଧାନ ହୋଇଗଲା ।

 

ଛବିଶ

 

ଜଙ୍ଗଲରେ ତିନିଦିନ କଟାଇଦେଲେ ସେମାନେ । ହଠାତ୍‌ ଘରଛାଡ଼ି ବାହାରି ଯିବାରୁ ସାଙ୍ଗରେ କିଛି ନେଇପାରି ନ ଥିଲେ । ଖାଦ୍ୟ ନାହିଁ, ପାଣି ନାହିଁ, ନିଦ୍ରା ନାହିଁ, ତଥାପି ସେମାନଙ୍କ ଭିତରେ ଯେ ଉଦ୍‌ଜୀବିତ ପ୍ରାଣଶକ୍ତି ଏତେ ପ୍ରଚୁର ରହିଛି ତାହା ଭାବି ବିସ୍ମିତ ହେଉଥାଏ ଅରବିନ୍ଦ । କେଉଁଠୁ ଏତେ ସାହସ ଆସିଲା ? କିଏ ସେମାନଙ୍କୁ ବିଶ୍ଵାସ ଦେଲା ଯେପରି ହେଉ ବଞ୍ଚିବାକୁ ହେବ ନିଜ ପାଇଁ ନୁହଁ..... ସଂଗ୍ରାମକୁ ବଞ୍ଚାଇ ରଖିବା ପାଇଁ । ମଣିଷ ଅଳ୍ପାୟୁ, କିନ୍ତୁ ବିପ୍ଲବ ଦୀର୍ଘଜୀବୀ ହେଉ । ଅନ୍ୟାୟ ବିରୁଦ୍ଧରେ ମଣିଷର ସଂଗ୍ରାମ ଚାଲିଥାଉ ପବନର ଅପ୍ରତିହତ ବେଗ ପରି । ପାଲୁରଠାରୁ ସେମାନଙ୍କୁ ଆଣିବା ପାଇଁ ଡଙ୍ଗା ପ୍ରସ୍ତୁତ ହୋଇ ରହିଥିଲା ।

ତିନିଦିନ ଏବଂ ଦୁଇଟି ରାତ୍ରି ସମୁଦ୍ର ଭିତରେ କଟାଇବା ପରେ ପାହାନ୍ତି ତାରା ଆକାଶରେ ଉଦ୍ଭାସିତ ହବାବେଳକୁ ଗୋଟେ ଅପନ୍ତରା ଜାଗାରେ କୂଳରେ ଲାଗିଲା ଡଙ୍ଗା । ସେମାନେ ଡେଇଁ ପଡ଼ିଲେ ବାଲି ଉପରକୁ । ଟିକେ ଉପରକୁ ଉଠିଯାଇ ଚାରିଆଡ଼କୁ ସତର୍କ ଦୃଷ୍ଟି ଫେରାଇ ଆଣିଲେ । ପହରା ଦେଉଥିବା କୋଷ୍ଟଗାର୍ଡ଼ର ସଶସ୍ତ୍ର ମୋଟର ବୋଟ ହାବୁଡ଼ରେ ନ ପଡ଼ି ସେମାନେ କିପରି ଖସି ଆସିଲେ ତାହା ଆଚମ୍ବିତ କରୁଥାଏ ଅରବିନ୍ଦକୁ ।

ରାମାରାଓ କହିଲା–ଏ ଜାଗାଟା ବିଶାଖାପାଟଣାଠାରୁ ପନ୍ଦର କୋଡ଼ିଏ କିଲୋମିଟର ଦୂରରେ ଥିବାପରି ଲାଗୁଛି । ଆକାଶ ଫାର୍ଚ୍ଚା ହୋଇଆସୁଛି । ଆଉ କିଛି ସମୟ ପରେ ଉଷାର କୋମଳ ଆଲୁଅରେ ଉଦ୍ଭାସିତ ହେବ ପୂର୍ବଦିଗ । ତା’ ଆଗରୁ ଏ ଜାଗାଛାଡ଼ି ପଳାଇଯିବାକୁ ହେବ ଆମକୁ । ଆମେ ପ୍ରକୃତରେ କେଉଁଠି ପହଞ୍ଚିଛୁ ତାହା ଜାଣିବା ପାଇଁ କିଛି ନା କିଛି ବ୍ୟବସ୍ଥା ହୋଇଯିବ ।

ସେମାନେ ସମୁଦ୍ର କୂଳର ଗୋଟିଏ ଛୋଟ ପାହାଡ଼ ଉପରକୁ ଉଠିଲେ । ପାହାଡ଼ ସେପାଖରେ ଗୋଟିଏ ଛୋଟ ଗାଁ ଦୃଷ୍ଟିରେ ପଡ଼ିଲା ସେମାନଙ୍କର । ସେମାନଙ୍କୁ ପାହାଡ଼ ଉପରେ ଗଛମୂଳେ ବିଶ୍ରାମ କରିବା ପାଇଁ ଛାଡ଼ି ରାମାରାଓ ଚାଲିଲା ଗାଁ ଆଡ଼କୁ ।

 

ସେହି ଗାଁର ଶିକ୍ଷକ ମନୋହର ନାଇଡ଼ୁଙ୍କ ସହିତ ବାଟରେ ଚିହ୍ନା ପରିଚୟ ହେଲା । ଆଳାପ ଆଲୋଚନା ଛଳରେ ରାମାରାଓ ଜାଣିଲା ଯେ ତାଙ୍କ ବାପା ଗୋପାଲ ନାଇଡ଼ୁ ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ ଦୁଇବରଷ ଜେଲ ଯାଇଥିଲେ । ସମୁଦ୍ରରୁ ଲୁଣ ମାରିବା ଥିଲା ତାଙ୍କର ଅପରାଧ । ଦେଶ ସ୍ଵାଧୀନ ହେବାପରେ ସେ ସରପଞ୍ଚ ହୋଇଥଲେ । ତାଙ୍କ ମୃତ୍ୟୁପରେ ଗ୍ରାମବାସୀଙ୍କ ଚେଷ୍ଟାରେ ଗାଁ ମୁଣ୍ଡରେ ଗୋପାଳ ନାଇଡ଼ୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ମନୋହର ନାଇଡ଼ୁ ଗ୍ରାମ ବିଦ୍ୟାଳୟରେ ଶିକ୍ଷକତା କରନ୍ତି ।

 

ରାମାରାଓ ଠିକେ ଠିକେ ତାଙ୍କୁ କହିଲେ ସବୁକଥା । ସମାଜ ଓ ଶାସନକୁ ବଦଳାଇବା ଉଦ୍ଦେଶ୍ୟରେ ସେମାନେ ଲଢ଼େଇ କରୁଛନ୍ତି । ସମୁଦ୍ର ପଥରେ ଚାଲି ଆସିଛନ୍ତି ଏତେଦୂର । ଅଜଣା ଜାଗା, ଅଚିହ୍ନା ଲୋକ । ସେମାନଙ୍କୁ ଯଦି ଦୁଇଦିନ ଆଶ୍ରୟ ଦିଆଯାଆନ୍ତା, ତେବେ ସେମାନେ ଆଜୀବନ କୃତଜ୍ଞ ରହନ୍ତେ ।

 

ମନୋହର ରେଡ୍‍ଡି କୃତକୃତ୍ୟ ହେବାପରି କହିଲେ–‘‘ମୋ ଘରଟି ସାନ, ମାତ୍ର ତିନି ବଖରା, କିନ୍ତୁ ଗୋଟିଏ କୋଠରୀରେ ଆପଣମାନେ ରହିବାରେ କିଛି ଅସୁବିଧା ହେବନାହିଁ । ଭାତ ସମ୍ବର ତ ଅଭାବ ନାହିଁ ।

 

ଆଉ ଗାଁ ଭିତରକୁ ନ ଯାଇ ମନୋହର ନାଇଡ଼ୁଙ୍କୁ ସାଙ୍ଗରେ ଧରି ପାହାଡ଼କୁ ଫେରିଗଲା ରାମାରାଓ ।

 

ଶ୍ରାନ୍ତକ୍ଲାନ୍ତ ସାଥୀମାନଙ୍କ ସହିତ ମନୋହର ନାଇଡ଼ୁଙ୍କୁ ପରିଚୟ କରାଇ ଦେଇ କହିଲା ରାମାରାଓ–‘‘ସେ ନିଜେ ଆସିଛନ୍ତି ଆମ ସମସ୍ତଙ୍କୁ ସଙ୍ଖୋଳି ନେବାପାଇଁ । ଉଠ, ସୂର୍ଯ୍ୟ ଉପରକୁ ଉଠିଲେଣି.... ।’’

 

ସେମାନେ ନାଇଡ଼ୁଙ୍କ ବାସଭବନରେ ପହଞ୍ଚି ନିତ୍ୟକର୍ମ ସାରିନେଲେ । କ୍ଷୁଧା, ତୃଷାରେ ଆତୁର ଅରବିନ୍ଦ ଓ ସାଥୀମାନଙ୍କୁ ଚର୍ଚ୍ଚା କରିବାରେ ହେଳା କରି ନ ଥିଲେ ମନୋହର ନାଇଡ଼ୁ । ଗରମ ଇଡ଼୍‌ଲି ଓ ଚଟଣି ଜଳଖିଆ କରି ସାରିବା ପରେ ବାମ୍ପ ବାହାରୁ ଥିବା ଚା’ ଗିଲା ସେ ପିଇ ସେମାନେ ପ୍ରାୟ ସମସ୍ଵରରେ କହିଲେ–“ଆପଣ ଆମର ଆଶ୍ରୟଦାତା...,.. ଆପଣ ଦେଶଭକ୍ତ । ଆମେ କୃତଜ୍ଞ ।’’

 

ଅତିଥିମାନଙ୍କୁ ବିଶ୍ରାମ କରିବାପାଇଁ ସମସ୍ତ ସୁବିଧା କରି ମନୋହର ବିଦ୍ୟାଳୟକୁ ଚାଲିଗଲେ । କିନ୍ତୁ ଯିବା ପୂର୍ବରୁ ସ୍ତ୍ରୀଙ୍କୁ କହିଯାଇଥିଲେ ଏମାନେ ଆସିଥିବା ବିଷୟରେ ଯଦି କେହି ଜାଣିବାକୁ ଚାହାଁନ୍ତି ତେବେ ସେମାନଙ୍କୁ କେବଳ ଏତିକି କହିବେ ଯେ ସେମାନେ ସମ୍ପର୍କୀୟ ଏବଂ ବୁଲିବା ପାଇଁ ଆସିଛନ୍ତି ।

 

କେତେବେଳ ପର୍ଯ୍ୟନ୍ତ ନିର୍ବିଘ୍ନରେ ସେମାନେ ଶୋଇଥିବେ କେଜାଣି ହଠାତ୍ ମନୋହର ନାଇଡ଼ୁ ବିଦ୍ୟାଳୟରୁ ଫେରିଆସି ସେମାନଙ୍କୁ କହିଲେ–‘‘ଗୁଇନ୍ଦା ପୁଲିସ୍‍ର ସୂଚନାଦାତା ନନ୍ଦକିଶୋର କୌଣସି ସୂତ୍ରରୁ ଖବର ପାଇ ବୁଲିଗଲାଣି । କଥା ଯେ ଏହିଠାରେ ଶେଷ ହେବନାହିଁ ତା’ର ଆଭାସ ମିଳିଛି । ସୀମାଞ୍ଚଳାମ୍‌ ଏଠାରୁ ପନ୍ଦର କିଲୋମିଟର ଦୂରରେ । ପୁଲିସ୍‍ ଥାନାରୁ ଯେକୌଣସି ମୁହୂର୍ତ୍ତରେ କେହି ଆସିଯାଇପାରେ ।’’

 

ରାମାରାଓ ମୁହଁକୁ ଅନାଇ ରହିଲା ଅରବିନ୍ଦ ।

 

ରାମାରାଓ କହିଲା–‘‘ଆଉ ବିଳମ୍ବ ନ କରି ଆମେ ଗ୍ରାମ ତ୍ୟାଗ କରି ବିପରୀତ ଦିଗରେ ଗଲେ କୋଟ୍ଟାଭଲସାରେ ପହଞ୍ଚିବା । ସେଠାରୁ ଟ୍ରେନ୍‍ରେ ଅନ୍ୟତ୍ର ଚାଲିଯିବାହିଁ ଶ୍ରେୟସ୍କର ।’’

 

ପନ୍ଦର ମିନିଟ୍‌ ମଧ୍ୟରେ ସେମାନେ ନାଇଡ଼ୁଙ୍କ ବାସସ୍ଥାନ ଛାଡ଼ି ବିଲ ବାଟରେ ଉତ୍ତର ଦିଗକୁ ଯାତ୍ରା କଲେ । ଶରତ ରତୁର ସବୁଜ ଧାନକ୍ଷେତ, ତାଳ ଓ ତମାଳ ଗଛମାନଙ୍କର ଶ୍ୟାମଳିମାର ସ୍ନିଗ୍‍ଧ ପ୍ରଲେପ ଲାଗୁଥାଏ ମୁହଁ ଉପରେ । ଉପରେ ଅନନ୍ତ ନୀଳ ଆକାଶ ଝଲମଲ କରୁଥାଏ ଭାଦ୍ରବ ମାସର ସୂର୍ଯ୍ୟକିରଣରେ ।

 

ବିଲରେ କାମ କରୁଥିବା କୃଷକମାନଙ୍କ ମଧ୍ୟାହ୍ନ ବିରତିର ସମୟ । ଗଛମୂଳେ ପାଞ୍ଚଜଣ କୃଷକଙ୍କୁ ଦେଖି ସେମାନେ ଛିଡ଼ା ହେଲେ ଏବଂ ସୁଖଦୁଃଖ ହେଲେ । ସେମାନଙ୍କ ମଧ୍ୟରୁ ଜଣେ ଯୁବକ କହିଲା ଯେ ଚାଷ କରି ଜୀବିକାନିର୍ବାହ କରିବା କଷ୍ଟସାଧ୍ୟ । କେବଳ ଅନ୍ୟକିଛି ବିକଳ୍ପ ନାହିଁ ବୋଲି ସେମାନେ ମାଟି କାମୁଡ଼ି ପଡ଼ି ରହିଛନ୍ତି । ଜଳସେଚନର ସୁବିଧା ନାହିଁ । ବର୍ଷା ଠିକ୍‌ ସମୟରେ ନ ହେଲେ ଚାଷୀର ସର୍ବନାଶ । ଋଣରେ କେତେକ ବୁଡ଼ିଗଲେଣି । ଋଣ ଶୁଝି ନ ପାରି ଗଜପତିପାଟଣାର କୃଷ୍ଣ ରାଓ ମାସେ ପୂର୍ବରୁ ଆତ୍ମହତ୍ୟା କରିଛି । ଶ୍ରୀନିବାସ ଘର ଛାଡ଼ି ପଳାଇ ଯାଇଛି ସାହୁକାରର ଅତ୍ୟାଚାର ସହି ନ ପାରି ।

 

ସେମାନଙ୍କ ସହିତ ସୁଖଦୁଃଖ ହେବାପାଇଁ ଇଚ୍ଛା ହେଉଥିଲା ଅରବିନ୍ଦର । କିନ୍ତୁ ସେମାନଙ୍କ ହାତରେ ସମୟ ନ ଥିଲା ସେଥିପାଇଁ । ପୁଣି ଦେଖା ହେବ କହି ସେମାନଙ୍କଠାରୁ ବିଦାୟ ନେଇ ଚାଲିଗଲେ ସତ କିନ୍ତୁ ଚାଷୀମାନଙ୍କ ଦୁର୍ଦ୍ଦଶା ମୋଚନ ପାଇଁ ସରକାର ଯେ ବ୍ୟାକୁଳ ନୁହଁନ୍ତି ଏୟା ଅନୁଭବ କଲେ ସେମାନେ ।

 

ଧାନ ବିଲ ଉପରେ ଲହଡ଼ି ଭାଙ୍ଗୁଥାଏ ଅପରାହ୍ନର ପବନ । ଅଳ୍ପ ଦୂରରେ ସମୁଦ୍ର । ଦିନେ ସାତ ସମୁଦ୍ର ପାରି ହୋଇ ସାଧବ ପୁଅମାନେ ଯାଇଥିଲେ ଦୂରଦେଶମାନଙ୍କୁ ବାଣିଜ୍ୟ କରିବା ପାଇଁ । ରାଜମହେନ୍ଦ୍ରି ଥିଲା ଉତ୍କଳର ଶାସନ ଦକ୍ଷିଣ ଘାଟି । ବିଶାଖାପାଟଣା, ଗଜପତି ନଗର, ପାର୍ବତୀପୁର ଏସବୁ ଥିଲା ଉତ୍କଳ ଶାସନାଧୀନ । ତା’ ପୂର୍ବରୁ କଳିଙ୍ଗ ସାମ୍ରାଜ୍ୟ ଦକ୍ଷିଣରେ କେତେବେଳେ ଦାକ୍ଷିଣାତ୍ୟର କାବେରୀ ନଦୀରୁ ଉତ୍ତରରେ ଗଙ୍ଗାନଦୀ ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା ତ ଆଉ କେତେବେଳେ ରାଜସ୍ଥାନ ପର୍ଯ୍ୟନ୍ତ ମାଡ଼ି ଯାଇଥିଲେ ମହାମେଘବାହନ ଐର ଖାରବେଳ ।

 

ସେତେବେଳେ ରାଜ୍ୟଜୟ କରିବା ଥିଲା ରାଜଧର୍ମ । ପ୍ରଜାମାନଙ୍କୁ ପୁତ୍ରବତ୍ ସୁରକ୍ଷା ଦବା ଥିଲା ଶାସନର ନୀତି । ଭାଷା, ଧର୍ମ, ସଂସ୍କୃତି ନାମରେ ପ୍ରଜାମାନଙ୍କୁ ନ ବାଣ୍ଟି ସେମାନଙ୍କୁ ଈଶ୍ଵରଙ୍କ ପୁତ୍ର ପରି ସମାନ ଦୃଷ୍ଟିରେ ଦେଖୁଥିଲେ କଳିଙ୍ଗ ଓ ଉତ୍କଳର ନରପତିମାନେ । ସମ୍ରାଟ୍‍ ଖାରବେଳ ଜୈନଧର୍ମର ଉପାସକ ଥିଲେ, କିନ୍ତୁ ସବୁ ଧର୍ମ ଓ ସମ୍ପ୍ରଦାୟର ପ୍ରଜାମାନଙ୍କୁ ତାଙ୍କର ପୁତ୍ର ବୋଲି ଘୋଷଣା କରିଥିଲେ । କପିଳେନ୍ଦ୍ର ଦେବ, ଅନଙ୍ଗଭୀମ ଦେବ ଏମାନେ ନିଜକୁ ପୁରୁଷୋତ୍ତମ ପୁତ୍ର ବୋଲି ଘୋଷଣା କରିଥିଲେ ପ୍ରଜାରଞ୍ଜନ ପାଇଁ । ଜଗନ୍ନାଥ ସେତେବେଳେ ମଧ୍ୟ ଥିଲେ ଜାତୀୟ ଐକ୍ୟ, ସଂହତି ଓ ସମତାବୋଧର ପ୍ରତୀକ । ଗର୍ଭସ୍ଥ ସନ୍ତାନକୁ ମା’ ଯେପରି ରକ୍ଷା କରନ୍ତି ପ୍ରଜାମାନଙ୍କୁ ସେହିପରି ରକ୍ଷା କରିବା ଥିଲା ରାଜଧର୍ମ ।

 

ସେମାନେ ରେଳ ଲାଇନ୍‌ କଡ଼େ କଡ଼େ ଅଗ୍ରସର ହେଉଥିବାବେଳେ ରାମାରାଓ କହିଲା, ‘‘ଆଗରେ ଷ୍ଟେସନ, କୌଣସି ନା କୌଣସି ଗାଡ଼ି ମିଳିଯିବ ।’’

 

ଭାଇଜାକ୍‌ ବନ୍ଦରରେ ଲୁହାପଥର ଓହ୍ଲାଇ କୋଟ୍ଟାଭାଲସା ବାଟଦେଇ କିରିଣ୍ଡୁଲ ପର୍ଯ୍ୟନ୍ତ ଦୀର୍ଘ ରେଳପଥ ପାହାଡ଼ ପର୍ବତ କାଟି ସୁଡ଼ଙ୍ଗ ଭିତରେ ଗଲାବେଳେ ଜ୍ଞାନବିଜ୍ଞାନର କୌଶଳ କିପରି ଲୋକହିତ କାର୍ଯ୍ୟରେ ଲାଗିପାରେ ତାହାର ନିଦର୍ଶନ ଯେ ଏଇ ରେଳପଥ ଏହା ଅନୁଭବ କରିହୁଏ ।

 

ଗୋଟେ ମାଲଗାଡ଼ି ଛିଡ଼ା ହୋଇଥିଲା । ଷ୍ଟେସନରୁ ବୁଝି ଆସିଲା ରାମାରାଓ ଯେ ଏଇ ମାଲଗାଡ଼ି ଯିବ ଆରକୁ ଉପତ୍ୟକା ଓ କୋରାପୁଟ ବାଟରେ ।

 

ଡ୍ରାଇଭର ହ୍ଵିଇସିଲ ବଜାଇଲା । ଅଧ କିଲୋମିଟର ଲମ୍ବା ଗାଡ଼ି । ରାମାରାଓ ଠାରି ଦେଲା ସାଥୀମାନଙ୍କୁ । ଶତ୍ରୁ ଆଶଙ୍କାକରି ବେଙ୍ଗମାନେ ଯେପରି ପାଣି ଭିତରକୁ ଡିଆଁ ମାରନ୍ତି ସେହିପରି ଦରଜା ଖୋଲାଥିବା ଗୋଟେ ଡବା ଭିତରକୁ ପଶିଗଲେ ସେମାନେ ଏବଂ ଧୀରେ ଧୀରେ ଦରଜା ଆଉଜାଇ ଦେଲେ ।

 

ମାଲବଡ଼ବା ଭିତରେ ବସିବାର ଅନୁଭୂତି ନ ଥିଲା ଅରବିନ୍ଦର । ରାମାରାଓ ଲୁଚିଛପି କେତେଥର ଯାଇଛି ମାଲଗାଡ଼ିରେ ଆରକୁ ଉପତ୍ୟକାରେ ପହଞ୍ଚିବା ପାଇଁ । ବିଜୟନଗର ଓ ସାଲୁର ବାଟ ଦେଇ କୋରାପୁଟ ଯିବା ସହଜ । କିନ୍ତୁ ବସ୍‌ରେ ଗଲେ ପୁଲିସ୍‍ ହାବୁଡ଼ରେ ପଡ଼ିବାର ଆଶଙ୍କା ଥାଏ ବୋଲି ବିଦ୍ରୋହୀମାନେ ମାଲଗାଡ଼ିରେ ବା ଟ୍ରେନ୍‍ରେ ଯାଆନ୍ତି ଆରକୁ ଓ କୋରପୁଟର ବିଭିନ୍ନ ସ୍ଥାନକୁ ଦଳର ଆଦର୍ଶ ପ୍ରଚାର କରିବା ପାଇଁ, କାମ କରିବା ପାଇଁ ।

 

ଲୁହାପଥରର ଲାଲ୍‍ ରଙ୍ଗର ଧୂଳି ଉପରେ ବସିବା ବ୍ୟତୀତ ଅନ୍ୟ ଉପାୟ ନ ଥିଲା ସେମାନଙ୍କର । ବରଗୁହାଲୁ ଷ୍ଟେସନରୁ ସିଗ୍‌ନାଲ ନ ପାଇ ଗାଡ଼ି ଛିଡ଼ା ହେଲା ବାଟରେ । ଯେପରି ସମସ୍ତଙ୍କର ଅଲକ୍ଷ୍ୟରେ ମାଲଗାଡ଼ି ଭିତରକୁ ଉଠି ଯାଇଥିଲେ ସେମାନେ, ସେହିପରି ସମସ୍ତଙ୍କ ଅଲକ୍ଷ୍ୟରେ ଓହ୍ଲାଇ ପଡ଼ିଲେ ଡବା ଭିତରୁ ଏବଂ ଜଙ୍ଗଲ ଭିତରେ ଅଦୃଶ୍ୟ ହୋଇଗଲେ ।

 

ସେସବୁ ଜାଗା ସହିତ ରାମାରାଓ ପରିଚିତ । ବାଟ କଢ଼ାଇ ସମସ୍ତଙ୍କୁ ନେଇ ଶିବରରେ ପହଞ୍ଚିବାବେଳକୁ ସଂଧ୍ୟା ହୋଇସାରିଥିଲା ।

 

ମନୋବଳ ଅତୁଟ ଥିଲେ ମଧ୍ୟ ଶରୀର ଅବଶ ହୋଇ ଆସୁଥିଲା କ୍ଲାନ୍ତିରେ । ଶିବିରରେ ପହଞ୍ଚିବା ପରେ ମନରେ ଦମ୍ଭ ଆସିଲା ସଙ୍କଟ କଟି ଯିବାରୁ । ମୁଢ଼ି ମୁଆଁ ସହିତ ଗୁଡ଼ ଚା’ ଗିଲାସେ ଗିଲାସେ ଖାଇସାରି ଥକ୍‍କା ମାରିବା ପାଇଁ ତାଳପତ୍ର ପଟ୍ଟି ଉପରେ ଶରୀର ଲମ୍ବାଇ ଦେଲେ ସେମାନେ । କିନ୍ତୁ ଶ୍ରୀୟା ହଠାତ୍‍ ମନେ ପଡ଼ିଯିବାରୁ ଅରବିନ୍ଦ ଶିବିର ବାହାରେ ଠୁଳ ହେଉଥିବା ଅନ୍ଧାର ଭିତରକୁ ଚାହିଁ ରହିଲା କିଛିକ୍ଷଣ । ଶ୍ରୀୟା ପାଖରେ ଥିଲେ ଏପରି ଅବସ୍ଥାର କିପରି ସାମନା କରିଥାନ୍ତା କେଜାଣି, କିନ୍ତୁ ଅରବିନ୍ଦର ଅନ୍ତର ଭିତରୁ କେହି ଯେପରି କହିଲା ଯେ ବିପ୍ଳବର ମାର୍ଗ ଏହିପରି ଅନ୍ଧାର । ସେଇ ଅନ୍ଧାର ଭିତରେ ଯଦି କେହି ଦୀପଟିଏ ଜାଳି ଦିଏ ତାହାହିଁ ମଶାଲର କାମ କରିବ । କିନ୍ତୁ ଦୀପ ଜାଳିବା କ’ଣ ଏତେ ସହଜ ! ତଥାପି ସେ ଆଉଥରେ ସଂକଳ୍ପ ଦୋହରାଇଲା ଯେ ଆଉ ପଛକୁ ଫେରିବା ଅସମ୍ଭବ । ଦୀପ ଜଳିବା ପାଇଁ ଅପେକ୍ଷା କଲେ ହୁଏତ ଆହୁରି ଯୁଗଟିଏ ବିତିଯିବ, କିନ୍ତୁ କେହି ନା କେହି ଯେ ଦିନେ ଦୀପଟିଏ ଜାଳିବ ଏବଂ ଏଇ କିଟିକିଟିଆ ଅନ୍ଧାର ଅପସରି ଯିବ ଏଇ ଆଶା ଓ ବିଶ୍ଵାସ ନେଇ ସେ ଶୋଇପଡ଼ିଲା ନିଶ୍ଚିନ୍ତରେ ।

 

ସତେଇଶି

 

ପ୍ରିୟରଞ୍ଜନ ମହାନ୍ତି ପଦୋନ୍ନତି ପାଇ ଗଜପତିରେ ଜିଲ୍ଲାପାଳ ପଦରେ ନିଯୁକ୍ତ ହେବା ସୂଚନା ବାପାଙ୍କଠାରୁ ପାଇ ଶ୍ରୀୟା ଖୁସିହେଲା । ଜିଲ୍ଲା ପ୍ରଶାସନ ସହିତ ମିଳିମିଶି କାମ କରିବାର ଅନେକ ସୁବିଧା ରହିଛି । କ୍ଷମତା ବଳରେ ଦେଶ ସେବା କରିହୁଏ ନାହିଁ ବା ଉନ୍ନୟନ କାମରେ ଅଂଶଗ୍ରହଣ କରିବା ପାଇଁ ଲୋକମାନଙ୍କୁ ବାଧ୍ୟ କରାଯାଇପାରେ ନାହିଁ । ଦେଶ ସ୍ୱାଧୀନ ହେବାପରେ ମଧ୍ୟ ଆଇନ ଓ ଶୃଙ୍ଖଳା ରକ୍ଷାକରିବା ଜିଲ୍ଲା ପ୍ରଶାସନର ଏବେ ବି ମୁଖ୍ୟ ଦାୟିତ୍ଵ ହୋଇ ରହିଛି । ଲୋକମାନେ ସଚେତନ ହେବା ଯୋଗୁ ଅଧିକାରବୋଧ କର୍ତ୍ତବ୍ୟବୋଧଠାରୁ ଅଗ୍ରାଧିକାର ପାଇଯାଇଛି । ସେଥିପାଇଁ ସତ୍ୟ, ଧର୍ମ ପ୍ରତି ଯୁଗ ଯୁଗ ଧରି ଗ୍ରାମ୍ୟ ଜୀବନରେ ଥିବା ଭାବବୋଧ ଏବେ ଆଉନାହିଁ । ସହରପରି ଗ୍ରାମରେ ମଧ୍ୟ ରାଜନୀତିର ପ୍ରସାର । ନୀତି ଓ ନୈତିକତାର ମୂଲ୍ୟ ସବୁକାର୍ଯ୍ୟରେ ସତ୍ୟ ଓ ଧର୍ମ ସହିତ ଯୋଡ଼ି ହୋଇ ରହିଥାଏ, କିନ୍ତୁ ଶାସକ ଓ ଶାସିତ ଉଭୟଙ୍କ ଚରିତ୍ରରୁ ଏଇ ଅଙ୍ଗୀକାରବଦ୍ଧତା ଲୋପ ପାଇ ଆସୁଛି । ଏଇ ଅବସ୍ଥାରେ ଲୋକଙ୍କୁ ଭୁଲାଇ ବା ଭୟ ଦେଖାଇ କିଛି କହିବା ସମ୍ଭବ ନୁହେଁ, କିନ୍ତୁ ସେମାନଙ୍କ ମନ ଓ ଆଭିମୁଖ୍ୟର ପରିବର୍ତ୍ତନ କରିବା ପାଇଁ ନିଷ୍ଠାର ସହିତ କାମ କଲେ ଉନ୍ନୟନ କାମ ଯେ ସେମାନଙ୍କ ମର୍ଯ୍ୟାଦା ପାଇଁ ଉଦ୍ଦିଷ୍ଟ ଏବଂ ଏଥିରେ ସେମାନେ ଅଂଶଗ୍ରହଣ କଲେ ଭ୍ରଷ୍ଟାଚାର ଆପେ ଆପେ ହଟିବ ଏବଂ ଜନମଙ୍ଗଳ କାର୍ଯ୍ୟର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବ ଏଇ ଭାବନା ଜାଗ୍ରତ ହେବ ସେମାନଙ୍କ ମନରେ ।

 

ଶ୍ରୀୟା ଭାବେ ଯେ ପ୍ରିୟରଞ୍ଜନ ବା ତା’ର ସାଥୀମାନଙ୍କଠାରୁ ତା’ର କାମ ଅଧିକ କଷ୍ଟସାଧ୍ୟ । ଆଦେଶ ଦେଇ ଲୋକଙ୍କୁ ସହଯୋଗ ପାଇବା ଦିନ ଆଉ ନାହିଁ । ବରଂ ଆଦର୍ଶର ମହିମା ଯଦି ସେମାନଙ୍କ ମନ ପରିବର୍ତ୍ତନ କରିବାର ଭୂମିକା ନିଏ ତେବେ ସମାଜରେ ଧର୍ମ, ନୀତି, ପ୍ରଥା, ପରମ୍ପରା ନାମରେ ଠୁଳ ହୋଇଥିବା ଅଳନ୍ଧୁ ମଧ୍ୟ ପରିଷ୍କାର କରାଯାଇ ପାରିବ ।

 

ପ୍ରିୟରଞ୍ଜନକୁ ଫୋନ୍‌ କରି ଅଭିନନ୍ଦନ ଜଣାଇବା ପାଇଁ ମନ ଖଲବଲ ହେଲା । କିନ୍ତୁ ଶ୍ରୀୟା ଫୋନ୍‌ କରିବା ଆଗରୁ ସେ ପାଖରୁ କିଏ ଫୋନ୍‍ କଲା ।

 

ରିସିଭର୍‌ ଉଠାଇ ନେଲା ଶ୍ରୀୟା ।

–ମୁଁ ପ୍ରିୟରଞ୍ଜନ କହୁଛି....

 

ତାକୁ ଶେଷ କରିବାକୁ ନ ଦେଇ ଶ୍ରୀୟା କହି ପକାଇଲା–‘‘ମୁଁ ଫୋନ୍‌ କରିବାକୁ ଯାଉଥିଲି । ଅନେକ ଅନେକ ଅଭିନନ୍ଦନ, ଶୁଭେଚ୍ଛା;... ତମେ କେବେ ଜଏନ୍‌ କରିବ ?’’

 

ଏତେଗୁଡ଼ାଏ କଥା କହିଦେଇ ଫରୱାର୍ଡ଼ ଖେଳାଳୀ ପ୍ରଥମ ଗୋଲ୍‌ ଦେବାର ସୁଖ ସାଉଁଟି ନବା ପରି ଖୁସି ହେଲା ଶ୍ରୀୟା । ସେ ପାଖରୁ ପ୍ରିୟରଞ୍ଜନ କହିଲା–“ତମକୁ ଅଶେଷ ଧନ୍ୟବାଦ..... ମୁଁ କ’ଣ ଭାବୁଛି ଜାଣ ? ଏଥର ସାଙ୍ଗ ହୋଇ କାମ କରିବା ପାଇଁ ସୁଯୋଗ ମିଳିବ...।’’

 

‘‘ଶ୍ରୀୟା ଟିକେ ଲାଜେଇ ଗଲା । କିନ୍ତୁ ପରମୁହୂର୍ତ୍ତରେ ନିଜକୁ ସଜାଡ଼ି ନେଇ କହିଲା–“ମୁଁ ବି ସେଇ କଥା ଭାବୁଥିଲି.... ଭଲ କାମଟିଏ କରିବା ସହଜ ହୁଏ । ଅକୁଣ୍ଠ ସହଯୋଗ, ସାହାଯ୍ୟ ମିଳିଲେ... ତମପରି ଜଣେ ଲୋକପ୍ରିୟ ଜିଲ୍ଲାପାଳ ଏ ଜିଲ୍ଲାର ଦାୟିତ୍ୱ ନେଇଥିବାରୁ ଅନେକ ବାଧା ଅସୁବିଧା ଯେ ଦୂର ହେବ ତାହା ମୁଁ ଧରି ନେଇଛି... ।’’

 

ପ୍ରିୟରଞ୍ଜନ ଉଚ୍ଛ୍ୱସିତ ସ୍ଵରରେ କହିଲା–“ଶୀଘ୍ର ଦେଖାହେବ... ଆଗୁଆ ନିମନ୍ତ୍ରଣ ରହିଲା... ତମ ସହିତ ପ୍ରଥମ ସାକ୍ଷାତ୍‍ ହେବ ଗଜପତିର ଦାୟିତ୍ୱ ନେବାପରେ... ।’’

 

ଟେଲିଫୋନ୍‌ ରଖିଦେଇ ପ୍ରଥମ ଦିନର କାର୍ଯ୍ୟକ୍ରମ ସ୍ଥିର କରିବା ପୂର୍ବରୁ କର୍ମଚାରୀମାନଙ୍କ ସହିତ ପରାମର୍ଶ କଲା । ଗ୍ରାମାଞ୍ଚଳରୁ ଦେଖା କରିବା ପାଇଁ ଆସିଥିବା କେତେଜଣ ଅପେକ୍ଷା କରୁଥିଲେ । ସେମାନଙ୍କ ସହିତ ସାକ୍ଷାତ୍‍ କଲା । ସେମାନଙ୍କଠାରୁ ଶୁଣିଲା ଯେ ସେ ଆରମ୍ଭ କରୁଥିବା ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ପ୍ରତି ଲୋକମାନଙ୍କ ସମର୍ଥନ ବଢ଼ୁଛି । ଏ ପର୍ଯ୍ୟନ୍ତ ସରକାରୀ ଡାକ୍ତରଙ୍କ ଦେଖା ନ ଥିଲା ଗାଁରେ । ତା’ ସହିତ ସେଦିନ ଡାକ୍ତର ଓ ନର୍ସଙ୍କୁ ଦେଖି ଗାଁ ଲୋକଙ୍କ ଭରସା ହୋଇଛି ଯେ ମହାମାରି ବା ମେଲେରିଆ ବ୍ୟାପିଲେ ସେମାନଙ୍କୁ ସହରକୁ ଯିବା ପାଇଁ ପଡ଼ିବନି; ଡାକ୍ତର ବାବୁ ନିଜେ ଆସିବେ ଗାଁକୁ ରୋଗୀମାନଙ୍କୁ ଦେଖିବାପାଇଁ ।

 

ପ୍ରସୂତି, ଶିଶୁ ଓ ରୋଗଶଯ୍ୟାରୁ ଉଠିଥିବା ରୋଗୀଙ୍କ ପାଇଁ କିଛି ଭିଟାମିନ୍‌, ଗୁଣ୍ଡଦୁଧ ଓ ଶିଶୁ ଖାଦ୍ୟ ସେମାନଙ୍କୁ ଦେଲା ଗାଁରେ ବାଣ୍ଟିବା ପାଇଁ । ତା’ ସହିତ ସେମାନଙ୍କୁ ସାବଧାନ କରାଇ ଦେଲା ଯେ ଏସବୁ ପାଇଁ ସେମାନଙ୍କୁ କିଛି ଦେବାକୁ ପଡ଼ିବ ନାହିଁ । ଦାତବ୍ୟ ଅନୁଷ୍ଠାନମାନଙ୍କ ସାହାଯ୍ୟରୁ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସେ ହାତକୁ ନେଇଛି । ଯେଉଁମାନେ ଆରୋଗ୍ୟ ହେଲେ ବା ଅନ୍ୟଭାବେ ଉପକୃତ ହେଲେ ସେମାନଙ୍କୁ ଧର୍ମ ବଦଳ କରିବାକୁ ପଡ଼ିବ ନାହିଁ । ନିଜର ବିଶ୍ଵାସ ଅନୁସାରେ ପୂଜା, ପ୍ରାର୍ଥନା କରିବାର ଅଧିକାର ସମସ୍ତଙ୍କର ଅଛି । ରୋଗୀକୁ ଔଷଧ, କ୍ଷୁଧାର୍ତ୍ତକୁ ଆହାର ଏବଂ ଗରିବଙ୍କୁ ବସ୍ତ୍ର, ଶିଶୁମାନଙ୍କୁ ଶିକ୍ଷା ଦେବା ଜାତୀୟ କର୍ତ୍ତବ୍ୟ, ଏଥିପାଇଁ ଧର୍ମାନ୍ତର କରିବା ଦରକାର ହୁଏନି ।

 

ଆଦିବାସୀମାନଙ୍କର ଧର୍ମାନ୍ତରୀକରଣ ନେଇ ବିବାଦ ସୃଷ୍ଟି ହେଉଛି । ଧର୍ମ ନାମରେ କେତେଙ୍କ ସହିତ ତିକ୍ତତା ସୃଷ୍ଟି ହେଉଛି । ଏଇ ସାମ୍ପ୍ରଦାୟିକ ଭେଦଭାବହିଁ ସାମାଜିକ ଅସ୍ଥିରତାର କାରଣ ।

 

ଶ୍ରୀୟା ଆଗନ୍ତୁକମାନଙ୍କୁ କହିଲା–‘‘କୌଣସି ଉଦ୍ଦେଶ୍ୟ ନେଇ ଆମ ସଙ୍ଗଠନ କାମ କରୁନାହିଁ । ଆମର ଗୋଟିଏ ଉଦ୍ଦେଶ୍ୟ–ସେବା । ନିସ୍ୱାର୍ଥ ସେବା । ହିନ୍ଦୁ କିଏ, କିଏ ମୁସଲମାନ୍‍ ବା ଖ୍ରୀଷ୍ଟାନ୍ ସେ ପରିଚୟ ଆମର ଲୋଡ଼ାନାହିଁ । ମଣିଷର ସେବା କରିବା, ଅସହାୟକୁ ସହାୟତା ଦବାହିଁ ଆମ ସଙ୍ଗଠନର ମୂଳଲକ୍ଷ୍ୟ ।’’

 

ଗାଁ ଲୋକ ଚାଲିଗଲେ । ସେମାନେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଗଲେ । ବନମାଳିପୁର ଫୁଲର ସ୍ଵାମୀ ଆରୋଗ୍ୟ ହେଲାଣି ଏବଂ ଆଉ କେତେକ ମଧ୍ୟ ମ୍ୟାଲେରିଆରୁ ମୁକ୍ତି ପାଇଲେଣି । ଏହାପରେ ଅନ୍ୟ ଗୋଟେ ନୂଆ ଗାଁ ବଛାଯାଇଛି । ଶ୍ରୀୟା କହିଲା–‘‘ରତନପୁର ଗାଁରେ ଅତିକମ୍‌ରେ ପନ୍ଦର ଜଣ କୁଷ୍ଠରୋଗୀ । କୁଷ୍ଠ ଆଉ ଅସାଧ୍ୟ ରୋଗ ନୁହେଁ । ଭଲ ଔଷଧ ବାହାରିଲାଣି । ଠିକ୍‌ ସମୟରେ ଚିକିତ୍ସା ଆରମ୍ଭ କଲେ ରୋଗ ଭଲ ହେବା ନିଶ୍ଚିତ । କେବଳ ରୋଗ ଭଲ କଲେ ଚଳିବ ନାହିଁ, ସେମାନଙ୍କୁ ପୁଣି ପରିବାରକୁ ଫେରାଇ ଆଣିବା ଦରକାର ।’’

 

ଦିନବେଳେ ହସ୍‌ପିଟାଲକୁ ଯାଇ ସିଡ଼ିଏମ୍‌ଙ୍କୁ ସୌଜନ୍ୟ ସାକ୍ଷାତ୍‍ କରି ଆସିଲା ଏବଂ ଫେରିବା ବାଟରେ ଜିଲ୍ଲା ଲେପ୍ରୋସି ଅଫିସର ହେନେରୀ ଚାର୍ଲସଙ୍କ ସହିତ ଦେଖାହେଲା । ସେ ଚାକିରି କରିବା ପୂର୍ବରୁ ମିଶନାରୀମାନଙ୍କ ସହିତ କାମ କରୁଥିଲେ । କିନ୍ତୁ ଲୋକଟି ଭଲ, ସାମ୍ପ୍ରଦାୟିକ ଭେଦ ଭାବ ନାହିଁ । ସେବାହିଁ ସ୍ଵର୍ଗକୁ ବାଟ ଖୋଲିଦିଏ ବୋଲି ଚାର୍ଲସ ବିଶ୍ୱାସ କରନ୍ତି-

 

ଚାର୍ଲସ ରାଜି ହେଲେ ଶ୍ରୀୟା ସହିତ ରତନପୁର ଗାଁକୁ ଯିବାପାଇଁ । ସକାଳ ଓଳି ଗାଁ ଲୋକ ବିଲବାଡ଼ି କାମରେ ବ୍ୟସ୍ତ ରହନ୍ତି । ଫେରୁ ଫେରୁ ମଧ୍ୟାହ୍ନ ଗଡ଼ିଯାଏ । କିନ୍ତୁ ଯେଉଁମାନେ ଘରେ ରହନ୍ତି ସେମାନଙ୍କ ସହିତ ନିରୋଳାରେ ଦୁଃଖସୁଖ ହେବାପାଇଁ ମଧ୍ୟାହ୍ନହିଁ ଉତ୍କୃଷ୍ଟ ସମୟ ।

 

ସେମାନେ ମଧ୍ୟାହ୍ନ ଭୋଜନ ଶୀଘ୍ର ଶେଷ କରି ବାହାରିଗଲେ । ରତନପୁର ପାରଳାରୁ କୋଡ଼ିଏ କିଲୋମିଟର । ଅଧଘଣ୍ଟା ଲାଗିଯିବ କଚା ରାସ୍ତାରେ ଗଲେ ।

 

ଗାଁରେ ପହଞ୍ଚିବାବେଳକୁ ଦୁଇଟା । ଶ୍ରୀୟା ଚାର୍ଲସ ଓ ଅନ୍ୟମାନଙ୍କୁ ବିଦ୍ୟାଳୟ ଘରେ ଅପେକ୍ଷା କରିବା ପାଇଁ କହି ନିଜେ ଗାଁ ଭିତରକୁ ଗଲା ଏବଂ ପ୍ରାୟ ଘଣ୍ଟାକ ମଧ୍ୟରେ ସାତ ଆଠ ଜଣଙ୍କୁ ସାଙ୍ଗରେ ନେଇ ଫେରି ଆସିଲା ।

 

ସମସ୍ତଙ୍କୁ ପରୀକ୍ଷା କଲେ ଡାକ୍ତର ମାଝୀ ଏବଂ ଚାର୍ଲସ । ଆଠଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ପ୍ରାଥମିକ ସ୍ତରରେ, କିନ୍ତୁ ଚିକିତ୍ସା ଅଭାବରୁ ଅନ୍ୟମାନଙ୍କ ଶରୀରରେ ରୋଗର ସୁସ୍ପଷ୍ଟ ଲକ୍ଷଣ । ସେମାନେ ପରିବାର ଭିତରେ ରହିଲେ ରୋଗ ବ୍ୟାପିବ, ସେଥିପାଇଁ ସେମାନଙ୍କୁ ଗୋଟିଏ ଅଲଗା ଘରେ ରଖି ଚିକିତ୍ସା କରିବା ପାଇଁ ସ୍ଥିର ହେଲା । ଚାର୍ଲସ ଔଷଧ ଯୋଗାଇ ଦବାପାଇଁ ରାଜିହେଲେ । କ୍ୟାଥଲିକ୍‌ ଚର୍ଚ୍ଚରୁ ଦୁଇଜଣ ନନ୍‌ ପ୍ରତି ସପ୍ତାହରେ ଦୁଇଥର ଆସି ଘା’ ସଫାକରି ବ୍ୟାଣ୍ଡେଜ୍‌ ଲଗାଇବା ପାଇଁ ବ୍ୟବସ୍ଥା ହେଲା । କାମ ସରିବାବେଳକୁ ଛଅଟା ବାଜିଲା । ପାହାଡ଼ ଚୂଡ଼ା ସେପାଖରୁ ସୂର୍ଯ୍ୟର ଶେଷ ସୁନେଲି କିରଣ ଭାସି ଆସୁଥିଲା ପାହାଡ଼ ପର୍ବତର ଫାଙ୍କ ଦେଇ । ଚଢ଼େଇମାନେ ବସାକୁ ଫେରୁଥିବାର ଆନନ୍ଦ କୋଳାହଳରେ ମୁଖରିତ ହେଉଥିଲା ଆକାଶ ।

 

ବିଲକାମ ସାରି ପୋଖରୀରେ ଧୁଆଧୋଇ ହେବା ପରେ ଗାଁକୁ ଫେରୁଥିଲେ ଚାଷୀ ଓ ମୂଲିଆମାନେ । ସାରାଦିନର ପରିଶ୍ରମର ଚିହ୍ନ ଉକୁଟି ଉଠୁଥିଲା ସେମାନଙ୍କ ଦେହ ମୁହଁରୁ । କେତେଜଣ ବିଲରୁ ଧରିଥିବା ମାଛ ହାତରେ ଧରି ମନ ଉଷତରେ ଫେରିବାବେଳେ ଗାଁ ଦାଣ୍ଡରେ ପୁଅ ଝିଅଙ୍କ ହାତକୁ ମାଛ ବଢ଼ାଇଦବାରୁ ପିଲାମାନେ ବାପା ଭାଇମାନଙ୍କ ଆଗେ ଆଗେ ଧାଇଁଲେ ଯେ ଯାହା ଘରକୁ । ଗାଁ ଦାଣ୍ଡ ଉଛୁଳି ଉଠିଲା କାମିକା ମଣିଷଙ୍କ କଣ୍ଠସ୍ଵରରେ ।

 

ଶ୍ରୀୟା ଗାଡ଼ି ଚଳାଉଥିଲା । ତା’ ପାଖରେ ଆଗ ସିଟ୍‌ରେ ବସିଥିଲେ ଚାର୍ଲସ ଏବଂ ପଛ ସିଟ୍‌ରେ ଥିଲେ ଡାକ୍ତର ମାଝୀ । ତାଙ୍କ ପାଖରେ ବସିଥିଲେ ନର୍ସ କିଶୋରୀ ନାଏକ ଏବଂ ଆଉଜଣେ ସହକାରୀ ।

 

ଗୋଧୂଳି ସମୟ ।

 

ଗାଡ଼ି ଅଟକାଇ ଅଚାନକ ରାସ୍ତା ଉପରେ ଠିଆ ହୋଇଗଲେ କେତେଜଣ ଲୋକ । ସେମାନଙ୍କ ହାତରେ ଲାଠି, କଟୁରୀ, ସାଇକେଲ ଚେନ୍‌ ।

 

ଚାର୍ଲସ ଫିସ୍‌ଫିସ୍‌ କରି କହିଲେ ଶ୍ରୀୟାକୁ–‘‘ସେମାନେ ପ୍ରସ୍ତୁତ ହୋଇ ରହିଛନ୍ତି । ଧୀରସ୍ଥିର ଭାବେ ବୁଝେଇବେ... । ଲୋକଗୁଡ଼ା ନିଜ ଇଚ୍ଛାରେ ଆସିନାହାନ୍ତି, କେହି ଯୋଗାଡ଼ କରି ପଠେଇଛି....।’’

 

ଗାଡ଼ି ଛିଡ଼ା କଲା ଶ୍ରୀୟା ।

 

ସେମାନଙ୍କ ମଧ୍ୟରୁ ଦୁଇଜଣ ପାଖକୁ ଆସି ଉଚ୍ଚସ୍ତରରେ କହିଲେ–‘‘ତମେ କାହିଁକି ଆସିଛ ? ଭାବିଛ ଯେ ମାଗଣାରେ ଔଷଧ ଦେଇ ସେମାନଙ୍କୁ କିଣିନେବ ? ସେମାନେ ହିନ୍ଦୁ ଧର୍ମ ଛାଡ଼ି ନିଜ ଇଚ୍ଛାରେ ଖ୍ରୀଷ୍ଟାନ୍‍ ଧର୍ମଗ୍ରହଣ କରିଛନ୍ତି । ପୁଣି କାହିଁକି ସେମାନଙ୍କୁ ହିନ୍ଦୁ କରିବା ପାଇଁ ଉଦ୍ୟମ ଆରମ୍ଭ କରୁଛ ?’’

 

ଶ୍ରୀୟା ବୁଝିପାରିଲା ସେମାନଙ୍କ ଉଦ୍ଦେଶ୍ୟ । ସେ ନରମ ସ୍ଵରରେ କହିଲା–‘‘ଭାଇମାନେ-! କୌଣସି ଧର୍ମ ପ୍ରଚାର ବା ଧର୍ମାନ୍ତରୀକରଣ କରିବା ଉଦ୍ଦେଶ୍ୟ ଆମର ନାହିଁ । ସେଥି‌ପାଇଁ ଆମେ ଆସି ନାହୁଁ । ଆମେ ଆସିଥିଲୁ ରୋଗୀଙ୍କ ସେବା କରିବା ପାଇଁ, ରୋଗର ବିନାଶ ପାଇଁ... ।’’

 

ଜଣେ ଗାଡ଼ିର ହୁଡ଼୍‌ ଉପରେ ଯୋରରେ ଚାପୁଡ଼ା ମାରି କହିଲା–‘‘ତମ କଥା ଆମେ ଏତେ ସହଜରେ ବିଶ୍ଵାସ କରିଯିବୁ ? ତମେ ଯଦି ଆଉ ଥରେ ଏଇ ବାଟଦେଇ ଆସ ଆଉ ଫେରିଯାଇ ପାରିବ ନାହିଁ...।’’

 

ଶ୍ରୀୟା କହିଲା–‘‘ଭାଇ ଘରକୁ ଭଉଣୀ ଆସିବ ନାହିଁ ଏ କିମିତି କଥା... ? ମୁଁ ତମର ଭଉଣୀ... ତମେ ସବୁ ମୋ ଭାଇ.... ମୁଁ ଯଦି ତୁମ ଘରକୁ ଯାଏ ମୋତେ ବାହାର କରିଦେବ ?’’

 

ଶ୍ରୀୟାର ସ୍ଵରରେ ଏତେ ଅନ୍ତରଙ୍ଗତା ଓ ଭାବପ୍ରବଣତା ଥିଲା ଯେ ସେଇ ଯୁବକମାନଙ୍କ ମୁହଁର ଚେହେରା ବଦଳିଗଲା । ପଛରେ କଟୁରୀ ଧରି ଛିଡ଼ା ହୋଇଥିବା ଜଣେ ବେଶ୍‌ ହୃଷ୍ଟପୃଷ୍ଟ ଯୁବକ ଆଗକୁ ଆସି କହିଲା–‘‘ଯଦି ଭଉଣୀ ହେବାପାଇଁ ଇଚ୍ଛା ତେବେ ଭାଇମାନଙ୍କ କଥାମାନି ଧର୍ମାନ୍ତରୀ କାର୍ଯ୍ୟ କରିବ ନାହିଁ ।’’

 

ସେମାନେ ଆଉ ଉଚ୍ଚବାଚ୍ଚ ନ କରି ଛାଡ଼ିଦେଲେ ଗାଡ଼ି । କିନ୍ତୁ ଚାର୍ଲସ କହିଲା ଯେ ଏବେବି ବିପଦ କଟି ନାହିଁ । ଆଗରେ କ’ଣ ଅଛି କେଜାଣି....

 

ସନ୍ଧ୍ୟା ନଇଁ ଆସିଥାଏ ପୃଥିବୀ ଉପରେ । ରାସାକଡ଼ରେ ଗଛବୃଚ୍ଛ ବାରି ହେଉ ନ ଥାଏ ଦୂରରୁ ।

 

ମଣିଷମାନଙ୍କ ସେବା କରିବା, ପରର ଉପକାର କରିବା ଧର୍ମ କାମ ବୋଲି ବାପାଙ୍କ ମୁହଁରୁ ଶୁଣି ଆସିଛି ପିଲାଦିନୁ । କିନ୍ତୁ ଗଜପତି ଜିଲ୍ଲାକୁ ଆସିବା ପରେ ଧର୍ମ ଏକତ୍ରୀକରଣର ଆଧାର ହେବା ପରିବର୍ତ୍ତେ ଯେ ସାମାଜିକ ବିଭାଜନର କାରଣ ହୋଇଛି ତାହା ବାରି ହୋଇପଡ଼ୁଛି-। ଧର୍ମକୁ ନେଇ ଲୋକମାନେ ଦୁଇଗୋଷ୍ଠୀରେ ବାଣ୍ଟି ହୋଇ ଯାଇଛନ୍ତି । ହିନ୍ଦୁମାନେ ଖ୍ରୀଷ୍ଟିୟାନମାନଙ୍କ ବିରୋଧ କରିବା ଓ ଖ୍ରୀଷ୍ଟାନ୍‍ମାନେ ହିନ୍ଦୁମାନଙ୍କ ବିରୋଧ କରିବା ଯୋଗୁ ମଧ୍ୟେ ମଧ୍ୟେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସାମ୍ପ୍ରଦାୟିକ ସଂଘର୍ଷ ଘଟୁଥିବା କହିଲେ ଡାକ୍ତର ମାଝୀ ।

 

ଆଗରେ ଅନ୍ଧାର ଠୁଳ ହୋଇଥିବା ପରି ଲାଗୁଥିଲା । ଝଙ୍କାଳିଆ ବରଗଛ ଆଗରେ ଗୋଟେ ପୋଲ । ଗଛ ପାଖରେ ଗାଡ଼ି ପହଞ୍ଚିବା କ୍ଷଣି ପୋଲ ପାଖରେ ପ୍ରଚଣ୍ଡ ବିସ୍ଫୋରଣ ହେବାରୁ ଧୂଆଁରେ ଭର୍ତ୍ତି ହୋଇଗଲା ସେଇ ସ୍ଥାନ । ସେହି ଶବ୍ଦ ବାଜି ଗାଡ଼ିର ଆଗ କାଚ ଭାଙ୍ଗିଗଲା ଏବଂ ଗୋଟେ ଚକ ଜଖମ ହେଲା । ପୋଲ ଉପରେ ଯେ ବିସ୍ଫୋରକ ଖଞ୍ଜା ଯାଇଥିଲା ଏଥିରେ ସନ୍ଦେହ ନାହିଁ । ଷ୍ଟେପିନ ବାହାର କରି ଆଗଚକ ବଦଳ କଲା ଶ୍ରୀୟା ଏବଂ ଭଙ୍ଗାକାଚଗୁଡ଼ାକୁ ସଫା କରିଦେଲା । କିନ୍ତୁ ପୋଲ ଉପରେ ପାରିହେବା ନିରାପଦ କି ନୁହେଁ ତାହା ନ ଜାଣି ଗାଡ଼ି ଆଗକୁ ନବା ଉଚିତ ହେବନାହିଁ ଭାବି ଶ୍ରୀୟା ଗାଡ଼ିରୁ ଓହ୍ଲାଇଲା । ତା’ ପଛେ ପଛେ ଚାର୍ଲସ ଏବଂ ଡାକ୍ତର ମାଝୀ ମଧ୍ୟ ଓହ୍ଲାଇ ପଡ଼ିଲେ । କୌଣସି ବ୍ୟକ୍ତି ନ ଥିଲା ସେଠାରେ । ପୋଲର ଏକପାଖ ଉଡ଼ିଯାଇଥିଲେ ମଧ୍ୟ ସେପାଖକୁ ଯିବା ନିରାପଦ ଭାବି ଗାଡ଼ି ପୋଲ ସେପାଖକୁ ନେଇ ପୁଣି ଛିଡ଼ା କଲା ଶ୍ରୀୟା । ମୋବାଇଲ୍‌ ଟେଲିଫୋନ୍‌ରେ ପ୍ରଥମେ ପାରଳାଖେମୁଣ୍ଡିର ଥାନାବାବୁଙ୍କୁ ଜଣାଇଲା । କଲେକ୍ଟରଙ୍କୁ ଜଣାଇବା ଉଚିତ ହେବ ଭାବି ତା’ପରେ ଫୋନ୍‌ କଲା ତାଙ୍କୁ । ତାଙ୍କ ମୋବାଇଲ୍‌ ବନ୍ଦ ଥିଲା । ଅନ୍ୟ ଉପାୟରେ ନ ଦେଖି ସେ ବାଧ୍ୟ ହୋଇ ପ୍ରିୟରଞ୍ଜନକୁ ଫୋନ୍‌ କଲା । ଭାଗ୍ୟକୁ ସେ ଅନ୍ୟ ପାଖରୁ ଉତ୍ତର ଦେବାରୁ ଶ୍ରୀୟା ବଖାଣିଗଲା ଫେରିବା ବାଟର ଘଟଣାବଳୀ । ପ୍ରିୟରଞ୍ଜନ କହିଲା–‘‘ମୁଁ ତ ଚାର୍ଜ ନେବାକୁ ବାକୀ ଅଛି କିଛିଦିନ । କିନ୍ତୁ ଏସ୍‌.ପି.ଙ୍କୁ ତୁରନ୍ତ ଜଣାଇ ଦେବି । ହୁଏତ ଅଧଘଣ୍ଟା ମଧ୍ୟରେ ପୁଲିସ୍‍ ଗାଡ଼ି ପହଞ୍ଚିଯିବ ପୋଲ ପାଖରେ ।’’

 

ସେପର୍ଯ୍ୟନ୍ତ ଅଟକି ରହିବା ଉଚିତ ହେବ ଭାବିଲା ଶ୍ରୀୟା । କିନ୍ତୁ ଅଧଘଣ୍ଟାଏ ହୋଇ ନ ଥିବ ବିପରୀତ ଦିଗରୁ ଉଜ୍ଜ୍ୱଳ ହେଡ଼୍‌ଲାଇଟ ସଡ଼କ ଉପରେ ପହଁରି ଆସୁଥିବା ଦେଖି ଶ୍ରୀୟା ଭାବିଲା ପୁଲିସ୍‍ଗାଡ଼ି ହୋଇଥିବ ।

 

ଡି.ଏସ୍‌.ପି. ଦଳବଳ ନେଇ ଆସିଥିଲେ । ଏମାନଙ୍କଠାରୁ ସବୁ ଶୁଣିଲେ ଏବଂ ବିସ୍ଫୋରଣ ସ୍ଥଳ ଓ ପାଖଆଖ ଜାଗା ତନ୍ନତନ୍ନ କରି ପରୀକ୍ଷା କଲେ । ବିସ୍ଫୋରଣ ସ୍ଥଳ ଓ ନିକଟରେ ପଡ଼ିଥିବା କିଛି ଜିନିଷ ସଂଗ୍ରହ କଲେ ଫୋରେନ୍‌ସିକ ପରୀକ୍ଷା ପାଇଁ । ଏହା ମୁଷ୍ଟିଯୋଦ୍ଧାମାନଙ୍କ କାମ ନୁହେଁ କୌଣସି ଧର୍ମୀୟ ଉଗ୍ରବାଦୀଙ୍କ କାମ ହୋଇଥିବ ବୋଲି ଆଶଙ୍କା ହେଲା ଡି.ଏସ.ପି.ଙ୍କର । ତିନିମାସ ପୂର୍ବେ ଆଦିବାସୀ ଖ୍ରୀଷ୍ଟାନ୍‍ ଓ ହିନ୍ଦୁ ଆଦିବାସୀମାନଙ୍କ ମଧ୍ୟରେ ଘଟିଥିବା ସଂଘର୍ଷ ପରେ ଏ ଅଞ୍ଚଳରେ ଉତ୍ତେଜନା ପୁରାପୁରି ପ୍ରଶମିତ ହୋଇନାହିଁ । ହୁଏତ ସମାନଙ୍କ ମଧ୍ୟରୁ ଗୋଟିଏ ଦଳ ଏହି କାଣ୍ଡ କରିଥିବେ ।

 

ପୁଲିସ୍‍ ଗାଡ଼ି ଆଗେ ଆଗେ ଚାଲିଲା ଏବଂ ତା’ ପଛେ ପଛେ ଶ୍ରୀୟା ଗାଡ଼ି ଚଲାଇଲା । ସମସ୍ତେ ଥାନାକୁ ଗଲେ ଏବଂ ସେମାନଙ୍କଠାରୁ ପ୍ରାସଙ୍ଗିକ ତଥ୍ୟ ଓ ସେମାନଙ୍କର ବୟାନ ଲିପିବଦ୍ଧ ହେଲା । ଏଫ୍‌. ଆଇ. ଆର୍‌.ରେ ଶ୍ରୀୟା ଦସ୍ତଖତ କଲାବେଳେ ଡି.ଏସ.ପି. ନବେନ୍ଦୁ କାନୁନ୍‌ଗୋ କହିଲେ–‘‘ଆପଣଙ୍କୁ ଆଜିଠାରୁ ପୁଲିସ୍‍ ସୁରକ୍ଷା ମିଳିବ । ଘରଛାଡ଼ି ବାହାରକୁ ଗଲେ ଥାନାକୁ ଖବର ଦେବେ, ପୁଲିସ୍‍ ଆପଣଙ୍କ ସହିତ ଯିବ । ଆପଣଙ୍କ ଘରେ ମଧ୍ୟ ଜଣେ ଆର୍ମଡ଼ ଗାର୍ଡ଼ ସଦାବେଳେ ଡିଉଟିରେ ରହିବ ।’’

 

କିନ୍ତୁ ଶ୍ରୀୟା କହିଲା–‘‘ମୋର ତ କେହି ଶତ୍ରୁ ନାହାନ୍ତି... ତା’ଛଡ଼ା ମୁଁ ଭୟ ବି କରେନି ଏମାନଙ୍କୁ । ଏମାନେ ଯେତେଯାହା କଲେବି ମୋତେ କର୍ତ୍ତବ୍ୟଚ୍ୟୁତ କରିପାରିବେ ନାହିଁ । ଆଉ ସେମାନଙ୍କୁ ପ୍ରତିରୋଧ କରିବାକୁ ଯାଇ ମୁଁ ଯଦି ବଳି ପଡ଼େ, ତେବେ ତ ସହିଦ ହେବାର ଗୌରବ ମିଳିବ.....।’’

 

–‘‘ନା, ନା, ମ୍ୟାଡ଼ାମ୍‌.... ଆପଣ ନିକ ଜୀବନକୁ ଏତେ ତୁଚ୍ଛ ଭାବନ୍ତୁ ନାହିଁ । ଆମ ନୂଆ କଲେକ୍ଟର ଆଉ ସପ୍ତାହେ ପରେ ଜଏନ୍‌ କରିବେ । ତାଙ୍କର କଡ଼ା ତାଗିଦ୍‍ ଆପଣଙ୍କୁ ସୁରକ୍ଷା ଦବା ପାଇଁ । ତଥାକଥିତ ଏଇ ବଦମାସଗୁଡ଼ାଙ୍କୁ ମୁଁ ଚିହ୍ନେ । ସେମାନଙ୍କ ଦମ୍‌ ନାହିଁ ମୁକାବିଲା କରିବାପାଇଁ ।’’ କହିଲେ ଡି.ଏସ.ପି. ନବେନ୍ଦୁ କାନୁନ୍‍ଗୋ ।

ଶ୍ରୀୟା ଓ ଅନ୍ୟମାନଙ୍କର ବୟାନ ଲିପିବଦ୍ଧ କରିବା ପରେ ସେମାନଙ୍କୁ ନିଜେ ନେଇ ଘରେ ଛାଡ଼ି ଆସିଲେ ଡି.ଏସ.ପି. ।

ସେତେବେଳକୁ ରାତି ପ୍ରାୟ ଦଶଟା । ଭୋକରେ ପେଟ ଜଳୁଥିଲା । ରତନପୁର ଗାଁ ଛାଡ଼ିବା ପରେ ପାଣି ଗିଲାସେ ପିଇବା ପାଇଁ ବି ସମୟ ନାହିଁ । ଚା’ ପିଇବାକୁ ତ ଏକାବେଳକେ ଭୁଲି ଯାଇଥିଲା ଶ୍ରୀୟା । ଖାଇବାବେଳ ଉତ୍ତୀର୍ଣ୍ଣ ହୋଇଗଲାଣି ବୋଲି ଟେବୁଲ ସଜାଇ ଅପେକ୍ଷା କରୁଥିଲା ରଙ୍ଗାରାଓ ।

କିଛି ସ୍ନାନାଗାରକୁ ପ୍ରବେଶ କରିବା ପୂର୍ବରୁ କ’ଣ ଗରମ କଫି ଦବା ପାଇଁ କହିଲା ଶ୍ରୀୟା ।

ରଙ୍ଗାରାଓ ପ୍ରସ୍ତୁତ ଥିଲା । ଶ୍ରୀୟା ହାତକୁ କଫି କପ୍‌ଟା ବଢ଼ାଇ ଦେଇ କହିଲା–‘‘ଆପଣ ଧୁଆଧୋଇ ହୋଇସାରିବା ବେଳକୁ ମୁଁ ସବୁ ଗରମ କରି ରଖିଥିବି... ।’’

ଶ୍ରୀୟା କଫି ପିଇସାରି କପ୍‌ଟା ବଢ଼ାଇ ଦବାବେଳେ ପଚାରିଲା ଲକ୍ଷ୍ମଣକୁ ‘‘ଆଉ କେହି ଟେଲିଫୋନ୍‌ କରିଥିଲେ?’’

‘‘ଗୁଣୁପୁରର ସବୁକଲେକ୍ଟର ଜାଣିବାକୁ ଚାହୁଁଥିଲେ କେତେବେଳେ ଫେରିବ । ଫେରିବା ପରେ ତାଙ୍କ ସହିତ କଥା ହେବା ପାଇଁ କହିଥିଲେ... ।’’

 

ଶ୍ରୀୟା ପରେ ଫୋନ୍‌ କଲେ ଚଳିବ ଭାବି ବାଥ୍‌ରୁମ୍‌କୁ ପଶିଗଲା । ସ୍ନାନ ସାରି ଲୁଗା ବଦଳାଇ ଆସିବା ବେଳକୁ ଏଗାରଟା ପାଖାପାଖି । ଡାଇନିଂ ଟେବୁଲରେ ସବୁ ସଜାଇ ଅପେକ୍ଷା କରିଥିଲା ରଙ୍ଗାରାଓ ।

 

ଶ୍ରୀୟା ଖାଇବାପାଇଁ ବସିବାବେଳକୁ ଟେଲିଫୋନ୍‍ ବାଜି ଉଠିଲା ।

–‘‘ହ୍ୟାଲୋ.... ।

 

ସେ ପାଖରୁ ପଚାରିଲା ପ୍ରିୟରଞ୍ଜନ– ‘‘ତମ ସ୍ୱର ଶୁଣିବା ପାଇଁ ମୁଁ ଅପେକ୍ଷା କରିଥିଲି । ଆଉ କିଛି ଅସୁବିଧା ହୋଇ ନାହିଁ ତ ?”

 

–“ନା, ନା, ସବୁ ଠିକ୍‌ଅଛି । ତୁମର ତତ୍ତ୍ୱାବଧାନ ଯୋଗୁ ମୁଁ ଭିଆପିଙ୍କ ଟ୍ରିଟ୍‌ମେଣ୍ଟ ପାଉଛି । ମୋ ଦ୍ଵାର ମୁହଁରେ ସଶସ୍ତ୍ର ପୁଲିସ୍‍ ଗାର୍ଡ଼..... ।’’

 

–‘‘ଦରକାର ଅଛି । ସେମାନଙ୍କୁ ଏତେ ଅପାରଗ ମନେକରନା । ଅନିଷ୍ଟ କରିବା ଶକ୍ତି ସେମାନଙ୍କର ଅଛି । ଆମେ ସତର୍କ ରହିବା ଭଲ... । ତମେ ତ ସାମାନ୍ୟ ଲୋକ ନୁହେଁ ।’’

 

ହସି ଦେଇ ଶ୍ରୀୟା କହିଲା–‘‘କୁସୁମ ପରଶେ ପଟ ନିସ୍ତରେ.....ଠିକ୍‌ ସେଇପରି କଥା । ନ ହେଲେ ମୋତେ ଏତେ ଗୁରୁତ୍ୱ ଦିଅନ୍ତାନି ପୁଲିସ୍‍.... ମୁଁ ତୁମଠାରେ କୃତଜ୍ଞ....ଅଶେଷ ଧନ୍ୟବାଦ୍‌-।’’

 

–‘‘ମୁଁ ସାତ ତାରିଖ ଅକ୍ଟୋବର ଜଏନ୍‌ କରିବି । ସେଦିନ ସନ୍ଧ୍ୟାବେଳେ ଡିନର ଖାଇବା ସାଙ୍ଗ ହୋଇ... ଭୁଲି ଯିବନି... ଏନ୍‌ଗେଜମେଣ୍ଟ ପ୍ୟାଡ଼୍‌ରେ ଲେଖିରଖ....।’’

 

ଶ୍ରୀୟା ପୁଣି ଧନ୍ୟବାଦ ଜଣାଇଲା ।

 

ପ୍ରିୟରଞ୍ଜନ ଶୁଭରାତ୍ରି ଜଣାଇବା ପୂର୍ବରୁ କହିଲା–‘‘ନିଜର ଯତ୍ନ ନବ, ସତର୍କ ରହିବ .... ଆଇ ଏମ୍‌ ଉଇଥ୍‌ ୟୁ.... ଗୁଡ଼୍‌ ନାଇଟ୍‌।’’

 

ତାକୁ କିଛି ଉତ୍ତର ଦେଇ ପାରିଲାନି ଶ୍ରୀୟା । ତା’ ତଣ୍ଟି ଭିତରେ ଶବ୍ଦ କେଉଁଠି ଅଟକିଗଲା ଯେପରି .... ।

 

ଅଠେଇଶି

 

ପାରଳାଖେମୁଣ୍ଡି ରାସ୍ତାରେ ଦେଖା ହୋଇଥିଲା ଶ୍ରୀୟା ସହିତ । ଅରବିନ୍ଦ ଭିତରେ ଦେଖିଥିବା ସ୍ଫୁଲିଙ୍ଗ ମଧ୍ୟ ଶ୍ରୀୟା ଭିତରେ ଦେଖି ଅଭିଭୂତ ହୋଇଥଲା ଶ୍ରୀହରି । ବିପ୍ଲବର ଏନ୍ତୁଡ଼ିଶାଳ କେଉଁଠି ତାହା ଜାଣେ ଶ୍ରୀହରି । ସେଇ ଏନ୍ତୁଡ଼ିଶାଳରୁ ଅଗ୍ନି କେବେ ନିର୍ବାପିତ ହୁଏ ନାହିଁ । ଉପରେ ପାଉଁଶ ଆଞ୍ଜୁଳାଏ ପଡ଼ିଥିବାପରି ଦିଶୁଥିଲେ ବି ଭିତରେ ଜଗତର ସେଇ ଆଦି ତେଜକୁ ସହଜରେ ଠାବ କରିହୁଏ ।

 

ସମସ୍ତେ ସମ୍ମୁଖ ରଣାଙ୍ଗନାରେ ତରବାରୀ ଧରି ଲଢ଼େଇ କରନ୍ତି ନାହିଁ । ସୈନିକମାନଙ୍କୁ ପଛରୁ ଖାଦ୍ୟ ଗୋଳାବାରୁଦ ଯୋଗାଇବା କମ୍‌ ଗୌରବର କାମ ନୁହେଁ । ଶ୍ରୀୟା ଯେ ଠିକ୍‌ ପଥ ବାଛି ନେଇଛି ଏଥିରେ ସନ୍ଦେହ ନାହିଁ । ରୋଗ, ଅଜ୍ଞତା, ଦାରିଦ୍ର୍ୟରେ ବର୍ଷ ବର୍ଷ ସଢ଼ୁଥିବା ଲୋକଙ୍କ ମୁହଁର ଭାଷା ହଜିଯାଏ, ବିଶ୍ଵାସ ମରିଯାଏ ଏବଂ ଆଶା ମରୀଚିକାର ବିଭୀଷିକା ହୋଇ ରହିଯାଏ । ସେମାନଙ୍କ ଦୁଃଖ ଦୈନ୍ୟ ଦୂର କରିବା ସହିତ ସେମାନଙ୍କ କାମକୁ ଅଗ୍ରାଧିକାର ଦବାକୁ ହେବ । ସେମାନଙ୍କ ମନରେ ଆଶା ଓ ବିଶ୍ୱାସକୁ ପୁଣି ସଞ୍ଜୀବିତ କରିବାକୁ ପଡ଼ିବ । ବିଶ୍ୱାସ ନ ଥିଲେ ସାହସ ହୁଏନାହିଁ । ନିଜ ଶକ୍ତିର ପରିଚୟ ମିଳେ ନାହିଁ । ବିଶ୍ଵାସୀ ଯେପରି ଈଶ୍ଵରଙ୍କୁ ପାଇବା ଆଶାରେ ଅଗ୍ନିରେ ଝାସ ଦେଇପାରେ କୁଣ୍ଠା ନ କରି, ବିପ୍ଲବୀ ମଧ୍ୟ ସେଇପରି ସବୁକିଛି ତ୍ୟାଗ କରିପାରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ।

 

ପ୍ରାୟ ଦୁଇ ମାସ ହେଲା ବୁଲି ବୁଲି ଶେଷରେ ଶ୍ରୀହରି ଫେରି ଆସିଛି ମାଲାକାନଗିରି । ବାଲିମେଳା, ମୋଟୁ ଓ ଅନ୍ୟତ୍ର ଖେଦି ଯାଇଥିବା କମ୍ରେଡ଼୍‌ମାନଙ୍କୁ ଯଥାର୍ଥ ଦିଗ୍‌ଦର୍ଶନ ନ ଦେଲେ ଅଘଟଣ ଘଟି ଯାଇପାରେ । ଶ୍ରୀକାକୁଲମ୍‌ ଜିଲ୍ଲାରେ ମାଇନ ବିସ୍ଫୋରଣଦ୍ଵାରା ପୁଲିସ୍‍ ଜିପ୍‌କୁ ଉଡ଼ାଇ ଦବା ଆଗରୁ ଯେଉଁମାନେ ସେଇ ଜିପ୍‌ରେ ଥିଲେ ସେମାନଙ୍କ ଉଦ୍ଦେଶ୍ୟ ଜାଣିବା ଉଚିତ ଥିଲା । ସେମାନେ କେବଳ ଉପରିସ୍ଥଙ୍କ ଆଦେଶ ତାଲିମ କରିବା ପାଇଁ ସୀମାନ୍ତରେ ପହରା ଦବାପାଇଁ ନିଯୁକ୍ତ ହୋଇଥିଲେ ନା କମ୍ରେଡ଼୍‌ମାନଙ୍କୁ ହତ୍ୟା କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା ଏହା ନ ଜାଣି ଏପରି ନିଷ୍ପତ୍ତି ନବା ଉଚିତ ନ ଥିଲା ।

 

ମାଲାକାନଗିରି ଅବସ୍ଥା ଭିନ୍ନ । ସ୍ଵାଧୀନତା ଆସିବା ପରେ ସରକାର ଯେଉଁସବୁ ଜନକଲ୍ୟାଣ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କଲେ ତାହାର ସୁଫଳ ପାଇଲେ ନାହିଁ ଜନସାଧାରଣ । ସେମାନେ ନିଜ ସମସ୍ୟା ନେଇ ଝାଳନାଳ ହେଉଥିବାବେଳେ ଅମଲା ଅଫିସର ନେତା ଦଲାଲ୍‍ ସବୁ ଚଳୁ କରି ଦବା ପରେ ବି ଯଦି ସରକାର ବୁଝି ନ ପାରେ ଦୋଷ କେଉଁଠି ଓ ଦୋଷୀ କିଏ ତେବେ ସରକାରର ଆଜ୍ଞାବହ ରୂପରେ ଯିଏ ଆସିବ ତାକୁ ଉପଯୁକ୍ତ ଶାସ୍ତି ମଳିବ ନିଶ୍ଚୟ ।

 

ମୋଟୁଠାରୁ କୋଡ଼ିଏ କିଲୋମିଟର ଗଭୀର ଜଙ୍ଗଲ ଭିତରେ ଶିବିର ସ୍ଥାପନ କରିଛନ୍ତି କମ୍ରେଡ଼୍‌ମାନେ । ସବୁ ପ୍ରବେଶ ପଥର ଅହୋରାତ୍ର ଜଗୁଆଳି ଅଛନ୍ତି କମ୍ରେଡ଼୍‌ମାନେ । ନିର୍ଗମନ ପଥ ଅତ୍ୟନ୍ତ ଗୋପନୀୟ ।

 

ବନବାସରେ ଥିବାବେଳେ ଶ୍ରୀରାମଚନ୍ଦ୍ର ହୁଏତ ଏଇପରି ନିଗୃହୀତ ଜୀବନ ଯାପନ କରିଥିବେ । କ୍ଷୁଧା, ତୃଷ୍ଣାକୁ ପରାସ୍ତ କରି ନିଜକୁ ପ୍ରସ୍ତୁତ କରୁଥିବେ ଶତ୍ରୁର ସାମନା କରିବାପାଇଁ । ଠିକ୍‌ ସେହିପରି ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏ କମ୍ରେଡ଼୍‌ମାନେ ଶିବିରର ନିୟମ ଓ ଶୃଙ୍ଖଳା ମାନି ଚଳନ୍ତି । ରାତିରେ ଶୃଙ୍ଖଳା ଆହୁରି କଠୋର । ସକାଳେ ଚୁଡ଼ା ବା ମୁଢ଼ି, ମଧ୍ୟାହ୍ନରେ ଭାତ ଡାଲି ଏବଂ ରାତ୍ରିରେ ରୋଟି ଆଉ ଗୁଡ଼ । ବଣର ଫଳମୂଳ ବଣ୍ଟାବଣ୍ଟି କରି ସମସ୍ତେ ଖାଆନ୍ତି । ଶ୍ୱାପଦ ସଙ୍କୁଳ ଅରଣ୍ୟ ଭିତରେ ଶତ୍ରୁ ଭୟ ଅପେକ୍ଷା ହିଂସ୍ରଜନ୍ତୁ ସରୀସୃପମାନଙ୍କ ଆକ୍ରମଣର ଭୟ ଅନେକ ବେଶୀ । କିନ୍ତୁ ମରିବା ପାଇଁ ପଣ କରିଥିବା ଲୋକଗୁଡ଼ା ମରଣ ବିଜୟୀ ବୀର ପରି ଲଢ଼ନ୍ତି ପ୍ରତିକୂଳତା ବିରୁଦ୍ଧରେ ।

 

ଯଦି କେହି ଅଜଗର ହାବୁଡ଼ରେ ପଡ଼ିଯାଏ ବା କାହାକୁ ବାଘ ଆକ୍ରମଣ କରେ ସେ ଲଢ଼େ ରଣାଙ୍ଗନର ବୀର ସୈନିକ ପରି । ପୁଲିସ୍‍ ଏପରି ଭୟଙ୍କର ସ୍ଥାନକୁ ଆସିବା ପାଇଁ ସାହସ କରିବ ନାହିଁ । କମ୍ରେଡ଼୍‍ମାନେ କିନ୍ତୁ ସାଧାରଣ ଲୋକର ବେଶ ପୋଷାକରେ ଗାଁ, ହାଟବଜାର, ସହର ସବୁ ବୁଲନ୍ତି ଖବର ସଂଗ୍ରହ କରିବା ପାଇଁ । ସେମାନେ ଫେରି ଆସିଲେ ଯୋଜନା ପ୍ରସ୍ତୁତ ହୁଏ ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ।

 

ମୋଟୁ ଥାନାର ଦୁଇ କିଲୋମିଟର ଦୂରରେ ସଶସ୍ତ୍ର ସ୍ଵତନ୍ତ୍ର ପୁଲିସ୍‍ ଛାଉଣୀ ।

 

ମୁକ୍ତିଯୁଦ୍ଧ ପକ୍ଷରୁ ସମଗ୍ର କୋରାପୁଟ ଜିଲ୍ଲାରେ ବନ୍ଦ ପାଳନ କରିବା ପାଇଁ ନିଷ୍ପତ୍ତି ହେଲା । ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ–ବାଆର ଘଣ୍ଟା ବନ୍ଦ । ନିଜ ଜମିରୁ ବେଦଖଲ ହୋଇଥିବା ଆଦିବାସୀମାନଙ୍କୁ ସେମାନଙ୍କ ଜମି ଫେରାଇ ଦବା ଦାବି ତାଲିକାର ଶୀର୍ଷରେ । ଚଞ୍ଚକତା କରି ସେମାନଙ୍କଠାରୁ କିଣି ନେଇଥିବା ଜମି ଫେରାଇଦବା ଦ୍ୱିତୀୟ ଦାବି । ବଣରୁ ଫଳମୂଳ ପତ୍ର ସଂଗ୍ରହ କରୁଥିବା ଲୋକଙ୍କ ନାମରେ ପୁଲିସ୍‍ ଯେଉଁସବୁ ମାମଲା ଦାଏର କରିଛି ତାହା ପ୍ରତ୍ୟାହାର କରି ନବା ତୃତୀୟ ଦାବି । ଏହାଛଡ଼ା ପିଇବା ପାଣିର ସୁବ୍ୟବସ୍ଥା, ସ୍ଵାସ୍ଥ୍ୟସେବାର ଉନ୍ନତି, ପିଲାମାନଙ୍କ ପଢ଼ାପଢ଼ି ବ୍ୟବସ୍ଥା, ଗାଁମାନଙ୍କୁ ସଂଯୋଗପଥ ନିର୍ମାଣ ଓ ଘରଡ଼ିହ ଯୋଗାଇଦବା ସହିତ ନିଯୁକ୍ତି ସୁବିଧା ପ୍ରଦାନ ଅନ୍ୟାନ୍ୟ ଦାବି ।

 

ଗାଁ ଗାଁ ଘର ଘର ବୁଲି ଲୋକମାନଙ୍କୁ ବୁଝାଇ ଦେଉଥାନ୍ତି କର୍ମୀମାନେ । ସରକାର ଆବେଦନ ନିବେଦନକୁ ଦୁର୍ବଳତା ମନେକରୁଥିବାରୁ ହିଂସା ମାର୍ଗ ଧରିବା ବ୍ୟତୀତ ଅନ୍ୟପନ୍ଥା ନାହିଁ-। ଶାସନ କାର୍ଯ୍ୟକୁ ଅଚଳ କରିଦେଲେ ସରକାର ଜାଣିବ ଲୋକଶକ୍ତିର କରାମତି ।

 

ବନ୍ଧୁକଚାଳନା ଶିକ୍ଷା କେନ୍ଦ୍ରରୁ ଫେରିବା ପରେ ଶ୍ରୀହରି କର୍ମୀମାନଙ୍କଠାରୁ ସବୁ ଅଞ୍ଚଳର ଖବର ସଂଗ୍ରହ କଲା । ସବୁ ସହର, ପଞ୍ଚାୟତ ଓ ଥାନାମାନଙ୍କର ଟିକିନିଖି ଖବର ନେଲା । ସେମାନଙ୍କଠାରୁ ଶୁଣି ସେ ଖୁସି ହେଲା ଯେ ମହିଳାମାନଙ୍କ ମଦ ବିରୋଧୀ ଆନ୍ଦୋଳନ ସଫଳ ହୋଇଛି । କୋର।ପୁଟ, ମାଲକ।ନଗିରି, ଜୟପୁର, ଦାମନଯୋଡ଼ି ପ୍ରଭୃତି ସହରରେ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ସରକାରୀ ଘୋଷଣା ଅକାମୀ ହୋଇଯାଇଛି । ମହିଳାମାନଙ୍କ ପ୍ରତିରୋଧ ଯୋଗୁ ମଦ ଦୋକାନୀମାନେ ଦୋକାନ ନ ଖୋଲି ଘରେ ବସିଛନ୍ତି । ଚୋରା କାରବାର ରୋକିବା ପାଇ ମଧ୍ୟ ଦଳ ପଦକ୍ଷେପ ନେଇଛି । ଭାଇଜାଗ୍‌ ଆରକୁ ରାସ୍ତା ବା ବିଜୟନଗରମ୍‌ ପଟାଙ୍ଗୀ ରାସ୍ତା ବା ଆଉ କୌଣସି ରାସ୍ତାରେ ଯେପରି, ଭାଇଜାଗ୍‌, ବ୍ରହ୍ମପୁର ବା ଅନ୍ୟ କୌଣସି ସ୍ଥାନରୁ ଯେପରି ମଦ ଆମଦାନୀ ନ ହୁଏ ତାହା ନିଶ୍ଚୟ କରାଯାଇଛି । ଆନ୍ଦୋଳନକାରୀଙ୍କ ଚକ୍ରବ୍ୟୁହ ଭେଦ କରିବା ପାଇଁ ଅବକାରୀ ବିଭାଗ ଓ ପୁଲିସ୍‍ର ମିଳିତ ଯୋଜନା ଫସର ଫାଟି ଯାଇଛି ।

 

ସେଇ ଆରକୁ ଜଙ୍ଗଲ ଭିତରେ ଥିବା ଗୋଟିଏ ସୁଡ଼ଙ୍ଗ ଭିତରେ ଇତି ମଧ୍ୟରେ ମୁକ୍ତିଯୋଦ୍ଧାମାନଙ୍କ ରେଡ଼ିଓ ଷ୍ଟେସନ କାର୍ଯ୍ୟ ଆରମ୍ଭ କରିଛି । ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ନକ୍ସଲ ଅଧ୍ୟୁଷିତ ଅଞ୍ଚଳର ସବୁ ଦରକାରୀ ଖବର ଓ ଦଳୀୟ ନିର୍ଦ୍ଦେଶ ରେଡ଼ିଓ ମାଧ୍ୟମରେ ଘାଟିସ୍ଥାନକୁ ଯୋଗାଇ ଦିଆଯାଉଛି ।

ସେମାନଙ୍କ ଅଭେଦ୍ୟ ଦୁର୍ଗ ଭିତରେ ପୁଲିସ୍‍ ପ୍ରବେଶ କରିବା ଅସମ୍ଭବ । ଆଉ ଯଦି ବି ସେଇ ଦୁର୍ଯ୍ୟୋଗ କେବେ ଆସେ, ତେବେ ପୁଲିସ୍‍ ଦଳ କେନ୍ଦ୍ର ଶିବିର ଆକ୍ରମଣ କଲାବେଳକୁ ସେଠାରେ କେହି ନ ଥିବେ ବା ସମସ୍ତେ ଶେଷନିଶ୍ଵାସ ଥିବା ପର୍ଯ୍ୟନ୍ତ ଲଢ଼ିବା ପାଇଁ ଲମ୍ଫ ଦେଇଥିବେ ।

ଦୁଇଜଣ ବିଶ୍ଵାସୀଙ୍କୁ ପଠାଇଲା ଶ୍ରୀହରି ଶ୍ରୀକାକୁଲମ୍‌, ଗଜପତି ଓ ଗୁଣୁପୁର ଅଞ୍ଚଳରୁ ସର୍ବଶେଷ ଖବର ଆଣିବା ପାଇଁ । ପୁଲିସ୍‍ ଜିପ୍‌ ମାଇନ୍‌ ବିସ୍ଫୋରଣରେ ଉଡ଼ିଯିବା ପରିବର୍ତ୍ତୀ ପରିସ୍ଥିତି, ଜନସାଧାରଣଙ୍କ ପ୍ରତିକ୍ରିୟା ଏବଂ ସରକାରର ସମର ଯୋଜନା ସମ୍ପର୍କରେ ସଠିକ୍‌ ତଥ୍ୟ ଜାଣିବା ଆବଶ୍ୟକ । ଶାସନର ସମ୍ବଳ, ଅସ୍ତ୍ରଶସ୍ତ୍ର ଓ ଆକ୍ରମଣ ଶକ୍ତି ଅନେକ ବେଶୀ । କିନ୍ତୁ ମୁକ୍ତିଯୋଦ୍ଧାମାନଙ୍କର ମନୋବଳ, ଆତ୍ମବଳି ଦବାଇ ସଂକଳ୍ପ ଏବଂ ଶତ୍ରୁ ନିଧନ କରିବାର ଶକ୍ତି ପୁଲିସ୍‍ଠାରୁ ଅନେକ ବେଶୀ । ସେମାନେ ଚାକିରି ପାଇଁ ଯୂପ କାଠରେ ମୁଣ୍ଡ ଗଳାନ୍ତି, ମୁକ୍ତିଯୋଦ୍ଧାମାନେ ଜନସ୍ୱାର୍ଥ ରକ୍ଷା କରିବା ପାଇଁ ହସି ହସି ମରଣକୁ ବରଣ କରନ୍ତି ।

ପ୍ରଳୟ ପ୍ରବେଶ କଲାକ୍ଷଣି ପଚାରିଲା ଶ୍ରୀହରି–‘‘ତୋର ତ ଆସିବାର ନ ଥିଲା....’’

–‘‘କ୍ଷମା ମାଗୁଛି, କିନ୍ତୁ ଆସିବାକୁ ବାଧ୍ୟ ହେଲି, ଗୋଟେ ଅତି ଗୋପନୀୟ ଜରୁରୀ ଖବର ଅଛି... ।’’

ପାଖ କୋଠରୀୟକୁ ଯାଇ କବାଟ ଭିତରୁ ବନ୍ଦ କରିଦେଲା ଶ୍ରୀହରି ।

ପ୍ରଳୟ କହିଲା–“ଜିଲ୍ଲା ବନ୍ଦ ଯେପରି ସଫଳ ନ ହୁଏ ତାହା ନିଶ୍ଚିତ କରିବା ପାଇଁ ପୁଲିସ୍‍ ଆଇ.ଜି. ନିଜେ କ୍ୟାମ୍ପ କରିବେ କୋରାପୁଟରେ । ଅଧିକ ଫୋର୍ସ ମଧ୍ୟ ଆଣୁଛନ୍ତି ସାଙ୍ଗରେ-।’’

–‘‘ଆଉ କ’ଣ ? ପଚାରିଲା ଶ୍ରୀହରି...।’’

–‘‘ଆମର ରେଡ଼ିଓ ଚ୍ୟାନେଲର ସନ୍ଧାନ ବୋଧହୁଏ ପୁଲିସ୍‍ ପାଇ ସାରିଛି, ବା ଅନ୍ୟ କୌଣସି ସୂତ୍ରରୁ ଜାଣିଛି ଆମର ପ୍ଲାନ୍‌ ସମ୍ପର୍କରେ । ଆପଣଙ୍କର କଥାବାର୍ତ୍ତାର କିଛି ଅଂଶ ସେମାନେ ଟ୍ୟାପ କରି ନେଇଥିବା ସତ । କିନ୍ତୁ କେଉଁଠୁ କିପରି ଏହା ସେମାନେ କଲେ ସେଇ ତଥ୍ୟ ମିଳିନାହିଁ ।’’

ଆଶ୍ଚର୍ଯ୍ୟ ଚକିତ ସ୍ଵରରେ କହିଲା ଶ୍ରୀହରି କେହି ବିଶ୍ୱାସଘାତକ ହୁଏତ ଏ ଖବର ଦେଇଛି । ମୁଁ ସେ ବିଷୟରେ ବୁଝୁଛି.... ତୁ ବରଂ ଆଉ କ’ଣ ଜାଣିଛୁ କହ ।’’

ପ୍ରଳୟ କହିଲା–‘‘କମାଣ୍ଡ ଶିବିର ଦଖଲ କରିବା ପାଇଁ ଷଣ୍ଢୁଆସି ଆକ୍ରମଣ କରିବା ପାଇଁ ଯୋଜନା ଚାଲିଛି । ଆନ୍ଧ୍ର ପୁଲିସ୍‍ ଦକ୍ଷିଣ ଓ ପଶ୍ଚିମ ଦିଗରୁ ଏବଂ ଓଡ଼ିଶା ପୁଲିସ୍‍ ଉତ୍ତର ଓ ପୂର୍ବ ଦିଗରୁ ପ୍ରବେଶ କରିବା ପାଇଁ ଚୂଡ଼ାନ୍ତ ହୋଇଛି.....

ଶ୍ରୀହରିର ମୁହଁ କଠୋର ହେଲା ଏବଂ ତା’ ଉଜ୍ଜ୍ୱଳ ଆଖିରୁ ସ୍ଫୁଲିଙ୍ଗ ବାହାରୁଥିବା ପରି ଦିଶିଲା । ପ୍ରଳୟ ବାହାରି ଯିବା ପୂର୍ବରୁ କହିଲା “ମୋ ପ୍ରତି ଆଉ କ’ଣ ଆଦେଶ ଅଛି ?’’

ଶ୍ରୀହରି କହିଲା–‘‘ଆମ ସାଥୀମାନେ ଯେମିତି ହେଉ ଟ୍ୟାପ୍‌ କରାଯାଇଥିବା ଆମର କଥାବାର୍ତ୍ତା ଯେଉଁଠାରେ ଥିବ ସେଇ ଅଫିସ ଧ୍ଵଂସ କରିଦିଅନ୍ତୁ..... ଯେତେ ମୂଲ୍ୟ ଦେବାକୁ ପଡ଼ୁ ପଛେ... କମାଣ୍ଡ ଶିବିର ଦଖଲ କରିବା ପାଇଁ ସେମାନଙ୍କ ଯୋଜନା ପଣ୍ଡ କରିବାକୁ ହେବ । କମ୍ରେଡ଼୍‌ମାନେ ଜୀବନମୂର୍ଚ୍ଛା ଲଢ଼େଇ ପାଇଁ ପ୍ରସ୍ତୁତ । କିନ୍ତୁ ଆଉ ଗୋଟେ କାମ କରିବାକୁ ହେବ ।’’

 

ତା’ପରେ ଟିକେ ଚିନ୍ତା କରି ସେ ପୁଣି ଗୋଟେ ମାନଚିତ୍ର ଟେବୁଲ ଉପରେ ରଖି କହିଲା–‘‘ମୁଁ ନାଲିଛକ ଦେଇଥିବା ସବୁ ସ୍ଥାନରେ ବିଛାଇଦିଅ, ଯେପରି ପୋଲସ ବା ପ୍ରଶାସନର ଗାଡ଼ି ସେଇବାଟ ଅତିକ୍ରମ କରି ନ ପାରେ ।’’

 

ତା’ ମୁହଁରୁ କଥା ସରିବାବେଳକୁ ଅନ୍ଧାର ଭିତରେ କାହାର ପାଦ ଶବ୍ଦ ଲୀନ ହୋଇଯିବା ପରି ଲାଗିଲା ।

 

ଶ୍ରୀହରି ବସିବା ସ୍ଥାନରୁ ତଳକୁ ଡ଼େଇଁ ପଡ଼ି ଦୌଡ଼ିଗଲା କବାଟ ଆଡ଼କୁ । ଘର ଚାରିପାଖରେ ପହରୀ ଦେଉଥିବା କର୍ମୀମାନେ ସଜାଗ ହୋଇଗଲେ ।

 

ସମସ୍ତଙ୍କୁ ସତର୍କ କରି ଦବା ପାଇଁ ବଣ କୁକୁଡ଼ାର ଶବ୍ଦ ପରି ଗୋଟାଏ ତୀକ୍ଷ୍‍ଣ ଶବ୍ଦ ଅନ୍ଧାରର ଛାତି ବିଦୀର୍ଣ୍ଣ କଲା ଏବଂ ପାହାଡ଼ ଦେହରେ ବାଜି ପୁଣି ପ୍ରତିଧ୍ଵନି ହୋଇ ଫେରିଆସିଲା ।

 

ବଡ଼ ଟର୍ଚ୍ଚ ଲାଇଟ୍‌ର ଆଲୁଅ ତୀର ପରି ଛୁଟିଗଲା ସେଇ ଅଜ୍ଞାତ ଲୋକର ପଦ ଶବ୍ଦର ଅନ୍ଵେଷଣ କରି । କିନ୍ତୁ ଗଭୀର ରାତିର ସେଇ ନିରନ୍ଧ୍ର ଅନ୍ଧକାର ମଧ୍ୟରେ ସରୀସୃପ ଓ ଶ୍ଵାପଦଠାରୁ ଭୟଙ୍କର ଲୋକଟା କେଉଁଠାରେ ଲୁଚିଗଲା ତାହା ଶ୍ରୀହରିର ଛଞ୍ଚାଣ ଆଖି ମଧ୍ୟ ଚିହ୍ନଟ କରିପାରିଲା ନାହିଁ ।

କିଛି ସମୟ ପରେ ବାହାରେ ଏଣେତେଣେ ଦୃଷ୍ଟି ପକାଇ ଫେରି ଆସିଲା ଶ୍ରୀହରି କୋଠରୀ ଭିତରକୁ ।

ଶିବିର ଜଗିବା ଦାୟିତ୍ଵରେ ଥିବା କର୍ମୀମାନେ ଆସି ମୁହଁ ତଳକୁ କରି ଛିଡ଼ା ହେଲେ ତା’ ଆଗରେ । ଲଣ୍ଠନର ମଳିନ ଆଲୁଅରେ ସେମାନଙ୍କ ମୁହଁ ଆହୁରି ନିସ୍ତେଜ ଦିଶୁଥାଏ..... ।

ଶ୍ରୀହରି କଠୋର ସ୍ଵରରେ କହିଲା–‘‘ତମେ ସବୁ କ’ଣ କରୁଥିଲ ? ମୋ ଉପସ୍ଥିତିରେ ଯଦି ଏଇ ଘଟଣା ଘଟିଗଲା ଶିବରରେ ତେବେ ତମେମାନେ କେତେ ହୁସିଆର ଅଛ ତାହା ମୁଁ ଭାବିପାରୁନାହିଁ । ଦକ୍ଷିଣ ଦିଗରେ କିଏ ପହରା ଦେଉଥିଲା ?’’

ଏପର୍ଯ୍ୟନ୍ତ ଦକ୍ଷିଣ ଦିଗର ଜଗୁଆଳୀ କୁର୍ମାରାଓ ଉପରେ କାହାର ଦୃଷ୍ଟି ପଡ଼ି ନ ଥିଲା, କିମ୍ବା ତାକୁ କେହି ଖୋଜି ନ ଥିଲେ ।

ଶ୍ରୀହରି ତୀବ୍ର ସ୍ଵରରେ କହିଲା–‘‘କୁର୍ମା ରାଓ କାହିଁ, ତାକୁ ଦେଖୁନି ତ ?’’

ସମସ୍ତେ ସ୍ତବ୍ଧ ହୋଇଗଲେ ନେତାଜୀଙ୍କ ପ୍ରଶ୍ନ ଶୁଣି । କିନ୍ତୁ କାହାରି ମୁହଁରୁ ଶବ୍ଦଟିଏ ବି ବାହାରିଲା ନାହିଁ ।

ଶ୍ରୀହରି କହିଲା–“ଏଇ ନିରନ୍ଧ୍ର ଅନ୍ଧାର ରାତିରେ ସେ ବେଶୀଦୂର ଯାଇ ନ ଥିବ । ହୁଏତ ସେ ଏକା ନୁହେଁ ଆଉ କେହି ତା’ ସହିତ ଥିବ । କିନ୍ତୁ ଚୁପ୍‌ହୋଇ ବସି ରହିବା ବେଳ ଇଏ ନୁହେଁ । ସେ ଆମ କଥାବାର୍ତ୍ତା ସବୁ ଶୁଣିଛି । ତାକୁ ଯେମିତି ହେଲେ ଧରିବାକୁ ହେବ । ଏବଂ ସେ ଯଦି ଧରାପଡ଼େ, ତାକୁ କ’ଣ ଶାସ୍ତି ମଳିବ ତାହା ତମେ ସମସ୍ତେ ଜାଣ...।’’

ଚାରିଜଣ ଦୁର୍ଦ୍ଧଷ କର୍ମୀ ବାହାରିଗଲେ ବିଶ୍ଵାସଘାତକକୁ ଖୋଜି ବାହାର କରିବା ପାଇଁ । ସାରାରାତି ବିତିଗଲା, କିନ୍ତୁ ସେମାନେ ସେଇ ଗୁପ୍ତଚରର କୌଣସି ସନ୍ଧାନ ନ ପାଇ ଫେରିଆସିଲେ ସୂର୍ଯ୍ୟୋଦୟବେଳକୁ ।

ଶ୍ରୀହରି ଶୋଇ ନ ଥିଲା ସାରାରାତି, ସେ ଧରି ଦେଇଥିଲା ଯେ ଦଳର ସେଇ ଜଣେ କର୍ମୀ ବିକ୍ରି ହୋଇ ଯାଇଛି । କିନ୍ତୁ ତାକୁ କ୍ରୟ କରିବାଦ୍ଵାରା ପୁଲିସ୍‍ର ଅଭୀଷ୍ଟ ସିଦ୍ଧି ଯେ ହେବନାହିଁ ଏହା ନିଶ୍ଚିତ କରିବା ପାଇଁ ସେ ଯୋଜନାର ଓଲଟପାଲଟ କରି ଦେଲା । କୁର୍ମାରାଓକୁ ନ ପାଇ ସେମାନେ ନିରାଶ ହୋଇ ଫେରିବା କ୍ଷଣି କାଳବିଳମ୍ବ ନ କରି ଶ୍ରୀହରି ପରିବର୍ତ୍ତୀ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସମସ୍ତଙ୍କୁ ଜଣାଇ ଦେଲା । ଏବଂ ନିଜେ ଏଇ ଅଭିଯାନର ନେତୃତ୍ୱ ନବା ପାଇଁ ସ୍ଥିର କଲା ।

ସକାଳର ପ୍ରଥମ ଆଲୁଅ ପାହାଡ଼ ପର୍ବତ ଗଛପତ୍ର ଭେଦକରି ବିଛେଇ ହୋଇ ପଡ଼ିଥିଲା ଚତୁର୍ଦ୍ଦିଗରେ । ସେଇ ସକାଳକୁ ସଂକଳ୍ପ ନବାର ଆଉ ଗୋଟିଏ ସୁଯୋଗ ଭାବି ବଜ୍ର ମୁଷ୍ଟି ଉତ୍ତୋଳନ କଲା ଶ୍ରୀହରି ।

 

ଅଣତିରିଶ

 

ତୁଣ୍ଡ ବାଇଦ ସହସ୍ର କୋଶ । ତୁଣ୍ଡରୁ ତୁଣ୍ଡକୁ ପ୍ରସରି ଗଲା ମାଲାକାନାଗିରି ମୁକ୍ତିଯୁଦ୍ଧର ଦୁର୍ଗରେ ପରିଣତ ହେଉଥିବା କାହାଣୀ । ବାଲିମେଳା, କାଲିମେଳା, ମୋଟୁ, ଖାଟୁ ଓ ଅନ୍ୟାନ୍ୟ ସମସ୍ତ ସ୍ଥାନରେ ଯେ ଲାଲ୍‍ ସୂର୍ଯ୍ୟ ଉଦୟ ହୋଇଛି ଏଇ ବାର୍ତ୍ତା ପହଞ୍ଚୁଥି‌ଲା କାନରେ । ଚାରଣ କବିର ତୁଣ୍ଡରୁ ଶୁଣାଯାଇଥିଲା ଦୁଇପଦ ବିଦ୍ରୋହ ସଙ୍ଗୀତ–

 

ଦୁର୍ଗମଗିରି କନ୍ଦର ଭେଦି ଶୁଭଇ ଗୋଟିଏ ସ୍ଵର

ଭାଗ୍ୟ ସହିତ ମଣିଷ ଜାତିର ନୂତନ ଏ ଅଭିସାର ।

 

ପୂର୍ବଦିଗକୁ ଚାହିଁଥିଲା ନିୟତି ରେଳଡବାର ଝରକା ଦେଇ । ବାଳ ସୂର୍ଯ୍ୟର ଅରୁଣକିରଣ ବିଛାଇ ହୋଇ ପଡ଼ୁଥିଲା ଧରଣୀ ଉପରେ । ସେଥିରୁ ମେଞ୍ଚାଏ ଦେହରେ ମୁହଁରେ ବୋଳି ହେବା ପାଇଁ ଇଚ୍ଛା ହେଉଥିଲା ନିୟତିର ।

 

ଧନୁ ତା’ ଆଡ଼କୁ ଗିଲାସେ ଚା’ ବଢ଼ାଇ ଦେଇ କହିଲା–‘‘ରାତି ଉଜଜାଗରରେ କଟାଇଛୁ ଦେଈ, ଗରମ ଚା’ ପିଇଲେ ଟିକେ ଭଲ ଲାଗିବ...।’’

 

ନିୟତି ଚା’ ଗିଲାସ ହାତରେ ଧରି କହିଲା–“ଆମେ ବିଜୟନଗରମରେ ନ ଓହ୍ଲାଇ ଭଲ କରିଛୁ । ଭାଇଜାଗ୍‌ ଷ୍ଟେସନରେ ଲୋକଗହଳି ଭିତରେ ଚିହ୍ନାମୁହଁ ହାବୁଡ଼ରେ ପଡ଼ିବାର ଭୟ ଅଛି । କିନ୍ତୁ କୋଟ୍ଟାଭାଲସା ବା ସୀମାଞ୍ଚଳମ୍‌ ଷ୍ଟେସନରେ ଓହ୍ଲାଇଗଲେ ଭଲ ହେବ । ସେଠାରୁ ବସ୍‌ଧରି ଆଗକୁ ଯିବା ସହଜ ।’’

 

ତା’ ସହିତ ସହମତ ହେଲା ଧନୁ ଏବଂ କହିଲା–‘‘ନେତାଜୀ କେଉଁଠି ଥିବେ କେଜାଣି ? ତେବେ କିଛି ନା କିଛି ଆଭାସ ମିଳିଯିବ ସେଠାରୁ... ।’’

 

ଚା’ ପିଇସାରି କାଗଜ ଗିଲାସଟା ବାହାରକୁ ଫୋପାଡ଼ି ଦବାବେଳେ ଟିଟିଇ ବାବୁ ସେଇ ଡବା ଭିତରକୁ ପ୍ରବେଶ କରୁଥିବା ଦେଖିଲା ନିୟତି । ସେ ଓଢ଼ଣା ଟାଣି ଦେଇ ସେହିପରି ବାହାରକୁ ଅନାଇ ରହିଲା । ଧନୁ ତା’ ଜାଗାକୁ ଉଠି ଯାଇ ନିର୍ବିକାରଭାବେ ବହିପଢ଼ିଲା ।

 

ଟିଟିଇ ବାବୁ ଟିକଟ ପରୀକ୍ଷା କରି ଚାଲିଗଲେ । ତାଙ୍କ ପଛେ ପଛେ ପୁଲିସ୍‍ ପୋଷାକ ପିନ୍ଧି ଚାଲିଥିବା ରେଳବାଇ ସୁରକ୍ଷା ବାହିନୀର କର୍ମଚାରୀ ଜଣେ ଧନୁ ପାଖରେ ଅଟକି ଯାଇ ପଚାରିଲେ ହିନ୍ଦୀରେ–‘‘କହାଁ ଯାଓଗେ?’’

 

ମୁଣ୍ଡମାଡ଼ି ଉଉର ଦେଲା ଧନୁ ତେଲୁଗୁରେ ଯେ ସେ ବୁଝିପାରିନି ।

ସେଇ ଲୋକ ଚାଲିଗଲା ଆଗକୁ ।

ଧନୁ ନିୟତି ଆଡ଼କୁ ଚାହିଁ ଆଖିର ଇଶାରାରେ ଜଣାଇଦେଲା ଯେ ବିପଦ କଟିଗଲା ।

 

ନିୟତିର ଅନ୍ତର ଭିତର ଆଉଟି ପାଉଟି ହେଉଥାଏ ଗୋଟିଏ ବିଷୟ ଭାବି ଶ୍ରୀହରି କୋଉଠି ଥିବ, ତା’ ସହିତ ଦେଖା ହେବ କି ନାହିଁ ? ସେ ଆସିଥିବା ଖବର ପାଇ ଯଦି ନେତାଜୀ ଚିଡ଼ି ଯାଆନ୍ତି ? ଆଦେଶ ଅମାନ୍ୟ କରି ସେ ଗୁଣୁପୁର ଛାଡ଼ିଛି । ଯେଉଁସବୁ ଗୁପ୍ତ ଖବର ତା’ ପାଖରେ ଅଛି ସେ ଖବର ଆଉ କାହା ମାରଫତ ନେତାଜୀଙ୍କ ପାଖକୁ ପଠାଇବା ସମ୍ଭବ ନୁହେଁ । ସେଥିପାଇଁ ହାତରେ ସମୟ ମଧ୍ୟ ନ ଥିଲା । ଗୋଟେ ରିସ୍କ ନେଇ ନିୟତି ନିଜେ ଧନୁକୁ ସାଥିରେ ନେଇ ବାହାରି ଆସିଛି । ଠିକଣା ସ୍ଥାନରେ ନ ପହଞ୍ଚିବା ପର୍ଯ୍ୟନ୍ତ ଛାତି ତଳର ଅତଡ଼ା ଖସିବା ଶବ୍ଦ ଆତଙ୍କିତ କରୁଥିବ ତାକୁ । ବାହାରେ ସିନା ସେ ନିର୍ଭୀକ ସୈନିକ ପରି ବସି ରହିଛି କିନ୍ତୁ ଅନ୍ତର ଭିତରଟା ଗୋଳେଇ ଘାଣ୍ଟି ହେଉଛି ଉଦ୍‌ବେଗରେ । ନିଜର ନିରାପତ୍ତା ପାଇଁ ଚିନ୍ତା ନାହିଁ, କିନ୍ତୁ ନେତାଜୀଙ୍କ ନିରାପତ୍ତା ଉପରେ ନିର୍ଭର କରେ ଏଇ ମୁକ୍ତିଯୁଦ୍ଧର ପରିଣତି । ଯେପରି ହେଉ ତାଙ୍କୁ ଠାବ କରିବାକୁ ହେବ ଏବଂ ଗୁପ୍ତ ଖବର ତାଙ୍କୁ ଜଣାଇଦେବା ପରେ ଦରକାର ହେଲେ ସେ ନିଆଁକୁ ଡେଇଁ ପଡ଼ିବା ପାଇଁ କୁଣ୍ଠାବୋଧ କରିବ ନାହିଁ ।

 

ସେମାନେ ସୀମାଞ୍ଚଳମ୍‌ରୁ ବସ୍‌ଧରି ବିଜୟନଗରମ୍‌ ବାଟ ଦେଇ ଆଗକୁ ଆଗକୁ ଅଗ୍ରସର ହେଲେ । ଧନୁ ତେଲୁଗୁରେ କଥା କହିବା ଆରମ୍ଭ କରିଦେଇଥାଏ । ସୀମାଞ୍ଚଳମ୍‌ରୁ ନିୟତି ଓଡ଼ିଆ ନ କହି ହିନ୍ଦୀ କହୁଥାଏ । ହିନ୍ଦୀ ଶିକ୍ଷକ ଥିଲା ସେ କେତେମାସ । ତେଣୁ ହିନ୍ଦୀ କହିବାବେଳେ ପ୍ରକୃତରେ ତାର ମାତୃଭାଷା କ’ଣ ଜାଣିବା କଷ୍ଟ ।

 

ଆରକୁ ସହର ଭିତରକୁ ନ ଯାଇ ଦୁଇ କିଲୋମିଟର ପୂର୍ବରୁ ଓହ୍ଲାଇ ପଡ଼ିଲେ ସେମାନେ । ଦୁହେଁ ପାଖାପାଖି ନ ଚାଲି କିଛି ବ୍ୟବଧାନ ରଖି ବାଟ ଚାଲିଲେ ।

 

ବଜାର ଭିତରକୁ ପ୍ରବେଶ ନ କରି ସେମାନେ ଜଙ୍ଗଲ ରାସ୍ତାରେ ବାଟ ଭାଙ୍ଗିଲେ ଡାହାଣ ଦିଗକୁ । ପ୍ରାୟ ଦୁଇ କିଲୋମିଟର ଚାଲିବା ପରେ ଗୋଟେ ଛୋଟ ଗାଁ ପଡ଼ିଲା ଏବଂ ସେଠାରେ ପସରା ମେଲାଇ ଫଳ ବିକ୍ରିହେଉଥିବା ଗୋଟିଏ ଜାଗାରେ ବିଶ୍ରାମ କଲେ । ସେଇଠୁ ଧନୁ ଖବର ସଂଗ୍ରହ କରି ନେଲା ଆପୁଲ ସ୍ୱାମୀ ସମ୍ୱନ୍ଧରେ । ଆହୁରି ଦୁଇ କିଲୋମିଟର ପରେ ଜଙ୍ଗଲ ଭିତରେ ଛୋଟ ଗାଁ । ସୀତାପଲ୍ଲୀ । ସେଠାରେ ପହଞ୍ଚିବାବେଳକୁ ମଧ୍ୟାହ୍ନ ସୂର୍ଯ୍ୟ କିରଣର ତୀବ୍ରତା ବେଶ୍‌ ଅନୁଭବ କରିହେଲା । ଗୋଟିଏ ପିଲା ସେମାନଙ୍କୁ ବାଟ କଢ଼ାଇ ନେଇଗଲା ଆପୁଲୁ ସ୍ୱାମୀର ଘରକୁ ।

ତିନି ବଖରା ଘର । ସେ ଘରେ ନ ଥିଲେ ବି ତା’ ସ୍ତ୍ରୀ ଲକ୍ଷ୍ମୀ ସେମାନଙ୍କୁ ଘର ଭିତରକୁ ପାଛୋଟି ନେଲା । ଗୋଡ଼, ହାତ ଧୋଇବା ପାଇଁ ପାଣି ଦୁଇଢାଳ ଦେଲା । ଆପୁଲୁ ସ୍ଵାମୀ ଖବର ପାଇ ଘରେ ପହଞ୍ଚିବାବେଳକୁ ଦୁହିଁଙ୍କ ପାଇଁ ଭୋଜନ ବ୍ୟବସ୍ଥା କରୁଥିଲା ଲକ୍ଷ୍ମୀ ।

ଆପୁଲୁ ସ୍ୱାମୀ ଧନୁକୁ କୁଣ୍ଢାଇ ପକାଇ କହିଲ।–‘‘ଯୁଗଟିଏ ପରେ ଦେଖାହେଉଛି । ଆଉ ସବୁ ଖବର ଭଲ ତ ? ରାଣୀ କେମିତି ଅଛି, କେଡ଼େଟିଏ ହେଲାଣି ? ମୁଁ ତ ଚାରିବରଷ ପରେ ଆଜି ତମକୁ ଦେଖୁଛି... ।’’

ନିୟତିକୁ ଚିହ୍ନାଇ ଦେଲା ଧନୁ । ତା’ପରେ କହିଲା–“ରାଣୀ ବଡ଼ ହେଲାଣି, ଘର ସମ୍ଭାଳି ପାରୁଛି । କିଛି ପାଠ ବି ପଢ଼ିଛି ।’’

ନିୟତିକୁ ରୋଷେଇ ଘରକୁ ନେଇଗଲା ଆପୁଲୁ ସ୍ଵାମୀ । ସ୍ତ୍ରୀ ସହିତ ପରିଚୟ କରାଇ ଦେଇ କହିଲା–‘‘ଆମ ନେତାଜୀଙ୍କ ଆତ୍ମୀୟା । ଦେଖାଶୁଣାରେ ହେଳା ନ ହୁଏ ଯେପରି... ।’’

ଗପ ଯୋଡ଼ି ଦେଲା ନିୟତି । ଲକ୍ଷ୍ମୀଠାରୁ ନିୟତି ଜାଣିଲା ଯେ ତା’ ବାପଘର ବ୍ରହ୍ମପୁର କମାପଲ୍ଲୀରେ । ତା’ ବାପାଙ୍କର ଗୋଟେ ଛୋଟ ଦୋକାନ ଅଛି କମାପଲ୍ଲୀରେ । ନିୟତିର ଅସୁବିଧା ହେଲାନି ତା’ ସହିତ ଓଡ଼ିଆରେ କଥାଭାଷା ହେବାପାଇଁ । ଅତିଥି ଦୁଇଜଣ ଆଉ ସ୍ଵାମୀଙ୍କୁ ବାଢ଼ିଦେଲା ଭାତ, ସମ୍ବର, ଦହି, ଆଚାର । ଭୋଜନପରେ ନିୟତି ଜାଣିବାକୁ ଚାହିଁଲା କେଉଁଠି ଦେଖାମିଳିବ ନେତାଜୀଙ୍କର । ଆପୁଲୁ ସ୍ୱାମୀ କହିଲା ଯେ ସେ ନେତାଜୀଙ୍କ ଠିକଣା ଜାଣେନା, ସେ କେଉଁଠାରେ ଥିବେ କେଜାଣି । ତେବେ ଦଳର ଜଣେ ଉପର ଥାକର ନେତାଙ୍କ ଘରେ ସେମାନଙ୍କୁ ନେଇ ସେ ପହୁଞ୍ଚାଇଦବ ସଂଧ୍ୟା ସୁଦ୍ଧା ।

ସେୟା ହେଲା । ସେଠାରୁ ଆଉ ପାଞ୍ଚକିଲୋମିଟର ଦୂର ଜଙ୍ଗଲ ଭିତରେ କୋଣ୍ଡଲ ରାଓଙ୍କ ଘର । ସ୍ଵଚ୍ଛଳ ଅବସ୍ଥା । ମଧ୍ୟମ ଧରଣର ଚାଷୀ ।

ସେମାନଙ୍କୁ ସ୍ଵାଗତ କଲା କୋଣ୍ଡଲ ରାଓ । ଭଲମନ୍ଦ ପଚାରି ବୁଝିବା ପରେ ନିୟତିର ପ୍ରଶ୍ନର ଉତ୍ତର ଦବାକୁ ଯାଇ କହିଲା ସେ–‘‘ନେତାଜୀ ଖୁବ୍‌ ବ୍ୟସ୍ତ । କୌଣସି ନିର୍ଦ୍ଦିଷ୍ଟ ଠିକଣା ନାହିଁ । ତଥାପି ସେ ଆଉ ଜଣେ ସାଥୀ ସହିତ ଚିହ୍ନା କରାଇଦବ ଏବଂ ଯଦି ନେତାଜୀ ରାଜି ହୁଅନ୍ତି ତେବେ ସେ ଦେଖା କରାଇଦେଇ ପାରିବ ।’’

ସେମାନଙ୍କୁ କୋଣ୍ଡଲ ରାଓ ଘରେ ଛାଡ଼ି ଘରକୁ ଫେରିଗଲା ଆପୁଲୁ ସ୍ଵାମୀ । ଅଧରାତ୍ରି ପର୍ଯ୍ୟନ୍ତ ସେମାନେ ଆଲୋଚନା କଲେ ସେ ଅଞ୍ଚଳର ଆନ୍ଦୋଳନ ସମ୍ପର୍କରେ । ଆନ୍ଧ୍ରର ମୁକ୍ତିଯୋଦ୍ଧାମାନେ ଯେ ବେଶୀ ସଙ୍ଗଠିତ ଓ ଶକ୍ତିଶାଳୀ ଏହା ଜାଣିବାକୁ ବାକି ରହିଲା ନାହିଁ ନିୟତିର । ସେ ଆଗରୁ ଜାଣି ଖୁସି ହେଲା ଯେ କୋରାପୁଟ ଜିଲ୍ଲା ବନ୍ଦ କରିବା ପାଇଁ ଆନ୍ଧ୍ରର ସଂଲଗ୍ନ ଅଞ୍ଚଳର ସାଥୀମାନେ ପ୍ରାଣମୂର୍ଚ୍ଚା ଉଦ୍ୟମ ଚଳାଇଛନ୍ତି । ଏବଂ ଆନ୍ଧ୍ରର ଜଣେ ବଡ଼ ନେତା ରାମ ରେଡ୍‍ଡି ଆରକୁ ଅଞ୍ଚଳରେ ରହି ଓଡ଼ିଶାର ସାଥୀମାନଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛନ୍ତି ।

କୋଣ୍ଡଲ ଘରେ ରାତି କଟାଇଲେ ସେମାନେ । ସେମାନଙ୍କୁ ଆଉଜଣେ ସାଥୀ ସକାଳ ଆଠଟାରେ ନେଇ ଗଭୀର ଜଙ୍ଗଲ ଭିତରେ ପ୍ରବେଶ କଲେ । ଘନ ଜଙ୍ଗଲ ମଧ୍ୟରେ ଅବସ୍ଥିତ ନେତାଜୀଙ୍କ ଶିବିରରେ ପହଞ୍ଚିବାବେଳକୁ ଅପରାହ୍ନ ଦୁଇଟା ବାଜିଗଲା । ଏତେବାଟ ଚାଲି ଆସିବା ପରେ ବେଶ୍‌ କ୍ଲାନ୍ତ ଅନୁଭବ କରୁଥିଲା ନିୟତି ।

କିଛି ଜଳଖିଆ ଆଉ ଚା’ ଖାଇ ସାରିବାପରେ ଅନୁମତି ମିଳିଲା ସଂଧ୍ୟାପରେ ସେମାନଙ୍କୁ ଶିବିରକୁ ଯିବାପାଇଁ । ନିୟତି ଓ ଧନୁକୁ ସାଥୀମାନେ ବାଟ କଢ଼ାଇ ନେଇଗଲେ ଆହୁରି ବହୁଦୂରକୁ ।

 

ସେଇ ଦୁର୍ଗମ ଜଙ୍ଗଲ ରାସ୍ତାରେ ଯିବାବେଳେ ନିୟତି ଅନୁମାନ କରି ପାରୁଥିଲା କିପରି ବିପଦସଙ୍କୁଳ ସ୍ଥାନରେ ଜୀବନ ଓ ମୃତ୍ୟୁ ମଧ୍ୟରେ ସନ୍ଧିସ୍ଥାପନ କରି ଦୁର୍ଦ୍ଦଣ୍ଡ ପ୍ରତାପୀ ନେତାଜୀ ଲଢ଼ୁଥିବେ ଶୋଷିତ, ନିଷ୍ପେଷିତମାନଙ୍କ ଅଧିକାର ହାସଲ କରିବାପାଇଁ । କେବେ ଇପ୍‌ସିତ ଲକ୍ଷ୍ୟରେ ସେମାନେ ପହଞ୍ଚିବେ ଏବେ ମଧ୍ୟ ତାହା ସୂଦୂର ସ୍ଵପ୍ନ ହୋଇରହିଛି । କିନ୍ତୁ ସ୍ଵପ୍ନ ଯେ ଦିନେ ସାକାର ହେବ ଏଇ ବିଶ୍ଵାସ ନେଇ ସାଥୀମାନେ ଲଢ଼ୁଛନ୍ତି ସ୍ଥିତାବସ୍ଥା ବିରୁଦ୍ଧରେ ।

 

ଗଛଲତାର ବାସ୍ନା ମୁହଁରେ ବାଜୁଥାଏ । ବଣ କୁକୁଡ଼ାର ଡାକ ଥରେ ଅଧେ ଭାସି ଆସୁଥାଏ ଦୂରରୁ । ଆହୁରି ଶୁଣାଯାଉଥାଏ ଶାର୍ଦ୍ଦୁଳର ହୁଙ୍କାର... । ବାଘଭାଲୁ, ସରୀସୃପମାନଙ୍କ ଗହଣରେ କେମିତି ଦିନରାତି କଟାନ୍ତି ନେତାଜୀ ତାହା ଭାବିଲେ ଲୋମ ଟାଙ୍କୁରି ଉଠେ ନିୟତିର ।

 

ସେମାନଙ୍କୁ ଗୋଟିଏ ଜାଗାରେ ବସିବାକୁ କୁହାଗଲା । କିଛି ସମୟପରେ ଆଉ ଦୁଇଜଣ ସାଥୀ ଆସି ସେମାନଙ୍କୁ କିଛି ପ୍ରଶ୍ନ ପଚାରିଲେ ଏବଂ ସେମାନଙ୍କ ଉତ୍ତରରେ ସନ୍ତୁଷ୍ଟ ହେବାପରେ ଆଖିରେ ପଟି ଖୋଲି ଦେଇ ନେଇଗଲେ ଭିତରକୁ ।

 

ଗୋଟିଏ ଦଶ ହାତ ଲମ୍ବା ଦଶ ହାତ ଚୌଡ଼ାର କୋଠରୀ । ସେଇଠି କାଠ ବେଞ୍ଚ ଉପରେ ବସିଥିଲେ ନେତାଜୀ ।

 

ଟିକିଏ ଦୂରରୁ ଗୋଟେ ଲଣ୍ଠନର ସ୍ତିମିତ ଆଲୁଅ ଛିଟିକି ପଡ଼ିଥିଲା ଭୂଇଁ ଉପରେ ।

 

ନେତାଜୀଙ୍କ ସୂଚନା ପାଇ ଅନ୍ୟମାନେ କୋଠରୀ ବାହାରକୁ ଚୀଲିଗଲେ । ଧନୁଠାରୁ ଖବର ଶୁଣିସାରି ତାକୁ ମଧ୍ୟ ବାହାରକୁ ପଠାଇ ଦେଲେ ନେତାଜୀ ।

 

ନିୟତିର ଦେହରୁ ସେତେବେଳକୁ ନେତାଜୀଙ୍କୁ ଦର୍ଶନ କରିବାର ପୁଲକ ସବୁ ମଉଳି ସାରିଥାଏ ।

 

ତାଙ୍କ ବଜ୍ର କଠିନ ମୁହଁ କୋମଳ ହେଲାନାହିଁ ।

ସେ କହିଲେ–“ଆଦେଶ ଅମାନ୍ୟ କରି ଏତେ ବାଟ କାହିଁକି ଆସିଲ ନିୟତି ?’’

 

ନିୟତି ଧୀରେ ଧୀରେ ଉତ୍ତର ଦେଲା–‘‘ଚାରା ନ ଥିଲା ନ ଆସିବା ପାଇଁ । ମୁଁ କେତେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ତୁମକୁ ଦବାପାଇଁ ବାଧ୍ୟ ହୋଇ ଆସିଲି, କାରଣ ସେସବୁ ତୁମ ପାଖକୁ ପଠାଇବାପାଇଁ ସେପରି କୌଣସି ଉପଯୁକ୍ତ ଲୋକ ମୋ ପାଖରେ ନ ଥିଲେ... ।

 

–‘‘କହିପାର... ’’

 

ତା’ପରେ ଗୋଟି ଗୋଟି କରି ନିୟତି କହିଗଲା ସେଇସବୁ ଲୋମହର୍ଷକ କାହାଣୀ ।

 

ନିୟତିର ମୁହଁରୁ ଭାଷା ଶେଷ ହେବା ପରେ କହିଲେ ନେତାଜୀ–‘‘ତମର କ’ଣ ବିଶ୍ଵାସ ହେଉଛି ଯେ ସେମାନେ ମୋତେ ଏନକାଉଣ୍ଟରରେ ମାରି ଦେଇପାରିବେ ?’’

 

ନେତାଜୀଙ୍କ ସ୍ଵରରେ ଆଦୌ କମ୍ପନ ନ ଥିଲା । ବରଂ ତାଙ୍କ ମୁହଁର ହନୁହାଡ଼ କଠିନ ଦେଖାଯାଉଥିଲା ।

 

ନିୟତି କହିଲା–‘‘ସେମାନଙ୍କ ଯୋଜନା ବିଷୟରେ ମୋ ନେତାଙ୍କୁ ଜଣାଇବା ମୋର କର୍ଭବ୍ୟ । ମୋର ବିଶ୍ଵାସ ଥାଉ ବା ନ ଥାଉ ସେଥିରେ କିଛି ଯାଏ ଆସେ ନାହିଁ । ଏତେ ବଡ଼ ରିସ୍କ୍ ମୁଁ ନେଇପାରି ନ ଥାନ୍ତି... ।

 

କଠୋର ହନୁହାଡ଼ ଉପରେ ଟିକେ କୋମଳତା ସଞ୍ଚରିଗଲା ପରି ଲାଗିଲା ନିୟତିକୁ ।

 

ଏହି ସମୟରେ ବାହାରୁ ସଂକେତ ପାଇ ସେମାନଙ୍କୁ ଭିତରକୁ ଆସିବା ପାଇଁ ଅନୁମତି ଦେଲେ ନେତାଜୀ । ହାତରେ ଦଉଡ଼ି ଏବଂ ଅଣ୍ଟାରେ ବେଡ଼ି ପଡ଼ିଥିବା ଜଣେ ତିରିଶ ପଇଁତିରିଶ ବର୍ଷର ତରୁଣକୁ ତାଙ୍କ ଆଗକୁ ଠେଲି ଦେଇ ପାଖରେ ଠିଆ ହୋଇ ରହିଲେ ଦୁଇଜଣ ସଶସ୍ତ୍ର ଯୋଦ୍ଧା ।

 

–‘‘ଏଇ ସେଇ ବିଶ୍ଵାସଘାତକ ଯିଏ ଲୁଚିଛିପି ଆମର କଥା ଶୁଣୁଥିଲା ରାତିରେ ?’’

–‘‘ହଁ ନେତାଜୀ !’’

 

ନେତାଜୀଙ୍କର ଆଖି ଦୁଇଟା ଦପ୍‌କରି ଉଠିଲା ହଠାତ୍‍ ଜଳି ଉଠିଥିବା ଟର୍ଚ୍ଚ ଆଲୁଅପରି-

 

ସେଇ ଲୋକଟା ମୁହଁ ଉପରେ ହାତ ଜାକି କାନ୍ଦ ବନ୍ଦ କରିବାକୁ ଚେଷ୍ଟା କଲା... ।

 

–‘‘ତୁ କେବଳ ବିଶ୍ଵାସଘାତକ ନୋହୁ, ତୁ ଭୀରୁ କାପୁରୁଷ । ତୋର ବଞ୍ଚିବାର ଅଧିକାର ନାହିଁ ।’’

 

ତାଙ୍କ ମୁହଁରୁ କଥା ଶେଷ ହେବା ମାତ୍ରେ ସେଇ ଦୁଇଜଣ ସଶସ୍ତ୍ର ସାଥୀ ତାଙ୍କୁ ଘୋଷାରି ନବାବେଳେ ନେତାଜୀ କହିଲେ–ଆଉ ଡେରି କରନା ।

 

ନିୟତିର ରୋମ ଟାଙ୍କୁରି ଉଠିଲା ଏବଂ ଏହି ଆଦେଶର ପରିଣତି କ’ଣ ହୋଇପାରେ ତାହା ସେ ଜାଣି ସାରିଥିଲା ।

 

କେତେ ମିନିଟ ପରେ ଗୁଳି ଫୁଟିବାର ଆବାଜ ସହିତ ଗୋଟେ ଆର୍ତ୍ତଚିତ୍କାର ବନଭୂଇଁ ପ୍ରକମ୍ପିତ କରି ଧୀରେ ଧୀରେ ମିଳାଇଗଲା ଶୂନ୍ୟରେ ।

 

ତା’ପରେ ପୁଣି ସ୍ଵାଭାବିକ ଅବସ୍ଥାକୁ ଫେରି ଆସି କହିଲେ ନେତାଜୀ–ଏଇ ରାତି ମୁଁ ଏ ଶିବିର ତ୍ୟାଗ କରିବି ନିୟତି । ତମକୁ ସାଙ୍ଗରେ ନବାର ଉପାୟ ନାହିଁ । ମୁଁ ତ ଯାଯାବର ପରି ବୁଲୁଛି । କିନ୍ତୁ ତମେ ଯଦି ପାର ଗୁଣୁପୁର ଫେରିଯାଅ... ପାରଳାରେ ଶ୍ରୀୟା ଯେଉଁକାମ ଆରମ୍ଭ କରିଛି ଏବଂ ଗୁଣପୁରରେ ତମେ ଯେତିକି କରିଛ ଏ ଦୁଇଟି ଧାରା ମଧ୍ୟରେ ଯଦି ସଂଯୋଗ ସ୍ଥାପନ କରି ତେବେ ଗରିବ, ଦୁଃଖୀ, ଦୁସ୍ଥ ଓ ପୀଡ଼ିତ ଉପକୃତ ହେବେ ।’’

 

ନିୟତି କହିଲା–‘‘ତମର ଅନୁରୋଧ ମୁଁ ଆଦେଶଭାବେ ପାଳନ କରିବି... କିନ୍ତୁ ମୁଁ କ’ଣ ଚାହିଁଥିଲି ଜାଣ ତମ ପାଖେ ପାଖେ ଥାଇ ସହଯୋଗ କରିବି... ତମ ପଦାଙ୍କ ଅନୁସରଣ କରି ଜୀବନ ଧନ୍ୟ କରିବି... !” ଆଖିରୁ ଲୁହ ପୋଛି କହିଲା ନିୟତି ।

 

–‘‘ତାହା ହେବାର ନାହିଁ ନିୟତି... ବିପ୍ଳବ ଓ ପ୍ରେମ ହାତ ଧରାଧରି ହୋଇ ଏକାସାଙ୍ଗରେ ଚାଲିନାହାଁନ୍ତି କସ୍ମିନ୍‌କାଳେ... ବୃହତ୍ତର ସ୍ଵାର୍ଥସାଧନ କରିବା ସକାଶେ ବିପ୍ଲବର ପ୍ରୟୋଜନ ଅଛି, ପ୍ରେମ ସେଥିରେ ପ୍ରତିବନ୍ଧକ ସୃଷ୍ଟି କରେ ।”

 

–‘‘କିଛୁ ପ୍ରେମକୁ ମହତ୍ତର କରିହେବନି କାହିଁକି ? ସ୍ଵାମୀ ଓ ସ୍ତ୍ରୀ ବାହାରେ ମାତା ଓ ସନ୍ତାନ ମଧରେ ବା ଭାଇ ଓ ଭଉଣୀ ମଧ୍ୟରେ ମୋର ଅଛି ସେହି ପ୍ରେମ ତ କାମନା ଶୂନ୍ୟ.. । ନାରୀ ଓ ପୁରୁଷ ମଧ୍ୟରେ ଦେହାତୀତ ସମ୍ୱନ୍ଧର ସ୍ଥାନ ଅଛି ଏଇ ସତ୍ୟ ପୁରୁଷ ଗ୍ରହଣ କରିପାରେନା କାହିଁକି ?’’

 

ନିୟତିର ପ୍ରଶ୍ନର ଉତ୍ତର ତଥାପି ପାଉ ନ ଥିଲା ଶ୍ରୀହରି । ସେ ନେତାଜୀର ଭୂମିକାରୁ ଶ୍ରୀହରିର ଭୂମିକାକୁ କେତେବେଳେ ଓହ୍ଲାଇ ଆସିଥିଲା ଠିକ୍‌ କରିପାରିଲା ନାହିଁ ।

 

ନୟତି ପାଦ ବଢ଼ାଇଲା ଦ୍ୱାରଆଡ଼କୁ । ତାକୁ ରୋକିଦେଇ କହିଲା ଶ୍ରାହରି–ଏଇ କାଗଜ ଖଣ୍ଡ ନେଇଯାଅ.... ଦରକାରବେଳେ କାମରେ ଆସିବ... ।’’

 

ନିୟତି ହାତକୁ ଗୋଟିଏ ବଡ଼ ଲଫାପା ବଢ଼ାଇ ଦବାବେଳେ ତା’ ହାତର ଆଙ୍ଗୁଳି ଉପରେ ଶ୍ରୀହରିର ଅଙ୍ଗୁଳି ଥାପି ହୋଇଗଲା ଏବଂ ସେଇକ୍ଷଣି ବିଦ୍ୟୁତ୍‌ ଯେପରି ମେଘ ଦେହରେ ଚମକି ଉଠେ ସେହିପରି ଶିହରଣ ସୃଷ୍ଟି ହେଲା ଦୁଇଟି ଉନ୍ମୁଖ ମନରେ ।

 

କିନ୍ତୁ ପରମୁହୂର୍ତ୍ତରେ ସଜାଗ ହୋଇଗଲା ଶ୍ରୀହରି ଏବଂ ନିଜକୁ ନିୟନ୍ତ୍ରଣ କରିନେଇ କହିଲା–‘‘ଆଉ କେବେ ଦେଖାହେବ ଜାଣେନା... ହୁଏତ ଆଦୌ ଆଉ ସୁଯୋଗ ମିଳିବ ନାହିଁ ମିଳିତ ହେବାପାଇଁ । ତଥାପି ଯେଉଁ ଆଦର୍ଶ ପାଇଁ ଆମେ ଜୀବନ ଉତ୍ସର୍ଗ କରିଛୁ ସେଇ ବିପ୍ଲବ ଯଦି କେବେ ସାକାର ହୁଏ, ସେତେବେଳେ ତାହାହିଁ ହେବ ଆମ ପ୍ରେମର ରୂପାନ୍ତର । ସେଇ ରୂପାନ୍ତର ମଣିଷମାନଙ୍କ ମଧ୍ୟରେ ପ୍ରତିଷ୍ଠା କରିବ ପ୍ରେମର ମାନବିକ ବନ୍ଧନ । ସମତା, ଶାନ୍ତି ଓ ସମନ୍ଵୟର ମିଳନ ଭୂମି ଉପରେ ତୋଳାଯିବ ମାନବିକ ପ୍ରେମ ଓ ମୈତ୍ରୀର ନୂତନ ସେତୁବନ୍ଧ ।”

 

ନିୟତି ଲକ୍ଷ୍ୟ କରୁଥିଲା ଶେଷବେଳକୁ ଶ୍ରୀହରିର ଉଚ୍ଚାରଣରେ ଅନ୍ତରର ଗଭୀର ପ୍ରବଣତା କିପରି ସ୍ପନ୍ଦିତ ହେଉଥଲା ଆଦିତ୍ୟ ଆଡ଼କୁ ଚାହିଁ ଉଷା ପୁଲକିତ ଓ ପୁଷ୍ପିତ ହେବାପରି ।

 

ତା’ ଆଗରେ ଶ୍ରୀହରି ଛୋଟ ହୋଇଯାଉ ଏହା ଚାହୁଁ ନ ଥିଲା ନିୟତି । ସେ ନିଜର ଶକ୍ତି ଓ ଦୁର୍ବଳତାକୁ ନାରୀର ପଣତ ତଳେ ଢାଙ୍କି ରଖି ଶ୍ରୀହରିର ପୁରୁଷ ସିଂହର ସମ୍ଭ୍ରାନ୍ତ ପଣକୁ ନେଇ ବଞ୍ଚିବାପାଇଁ ଶ୍ରେୟ ମଣିଲା ଏବଂ ଶ୍ରୀହରିର ଆଖରେ ଟଳମଳ ହେଉଥିବା ଦୁଇ ବୁନ୍ଦା ଅଶ୍ରୁ ଝରିପଡ଼ିବା ଆଗରୁ ନିୟତି ସନ୍ତର୍ପଣର ସହିତ ପାଦ ବଢ଼ାଇଲା କବାଟ ସେପାଖକୁ ।

 

ତିରିଶ

 

ମାଣବସା ଗୁରୁବାର ଦିନ ଜନ୍ମିଥିଲା ବୋଲି ବାପା ମା’ ନାମ ଦେଇଥିଲେ ଶ୍ରୀୟା । ସେତେବେଳେ ଜେଜେବାପା ବଞ୍ଚିଥିଲେ । ସେ ଶିଶୁର ମଥା ଆଉଁସି ଦେଇ କହୁଥିଲେ ଶ୍ରୀୟା ପରି ଇଏ ବି ଦୃଷ୍ଟାନ୍ତ ସୃଷ୍ଟି କରିବ ସମୟ ପିଠିରେ ପାଦ ଚିହ୍ନ ରଖିଯିବ ।

 

ଜେଜେବାପାଙ୍କ ସେଇ ଆଶୀର୍ବଚନ ମା’ ତାକୁ ସ୍ମରଣ କରାଇ ଦେଇ କେତେଥର କହିଛନ୍ତି–ଲକ୍ଷ୍ମୀ ପୁରାଣ ଓ ଶ୍ରୀୟା ଚଣ୍ଡାଳୁଣୀ ଭକ୍ତ କବି ବଳରାମ ଦାସଙ୍କ ଅନବଦ୍ୟ ସୃଷ୍ଟି । ଭାରତର ସାମାଜିକ ଜୀବନକୁ ଯେତେବେଳେ ଅକ୍ଟୋପାସ ପରି ମାତି ବସିଥିଲା ଜାତିଭେଦ, ସାମ୍ପ୍ରଦାୟିକ ପାର୍ଥକ୍ୟ ଏବଂ ଧର୍ମୀୟ କୁସଂସ୍କାର, ସେତିକିବେଳେ ଲକ୍ଷ୍ମୀ ପୁରାଣ ରଚନା କରିଥିଲେ ଭକ୍ତକବି । କେବଳ ଚଣ୍ଡାଳୁଣୀ ଘରକୁ ମାର୍ଗଶୀର ମାସ ମାଣବସା ଗୁରୁବାର ଦିନ ଜଗତଜନନୀ ମହାଲକ୍ଷ୍ମୀଙ୍କୁ ବିଜେ କରାଇଲେ ନାହିଁ, ଶ୍ରୀୟାର ନୈବେଦ୍ୟ ଗ୍ରହଣ କରି ଚାରିଯୁଗ ପାଇଁ ଜାତି ପ୍ରଥାକୁ ଭାଙ୍ଗି ଚୁରମାର କରିବାକୁ ନିଆଁ ଦେଇଗଲେ । ସେହି ମୁହୂର୍ତ୍ତରେ ଅଜ୍ଞ ମଣିଷର ଚେତନାରେ ସୃଷ୍ଟି ହେଲା ସ୍ଫୁଲିଙ୍ଗଟିଏ । ସେଇ ଅଗ୍ନିକଣା ଦିନେ ଯେ ଦାବାଗ୍ନିରେ ପରିଣତ ହେବ ଏହା କ’ଣ ସେତେବେଳେ କେହି ଭାବିଥିଲା ? କିନ୍ତୁ ନୂତନ ଭାବନାଟିଏ ଥରେ ଚେତନାରେ ଜନ୍ମ ନେଲେ ତାହା ଦାବାଗ୍ନି ପରି ମାଡ଼ି ଚାଲେ, ତାର ପଥରୋଧ କରିବା ସମ୍ଭବ ହୁଏନାହିଁ । ଏହାସତ୍ତ୍ୱେ ଏବେ ବି ମଣିଷ ମନର ଅନ୍ଧଗଳିରୁ ସମ୍ପୂର୍ଣ୍ଣରୂପେ ନିର୍ବାସିତ ହୋଇନାହିଁ ଅଜ୍ଞତା, ମୂଢ଼ତା ଓ ଭେଦଭାବ । ରଣାଙ୍ଗନରେ ନୁହେଁ ଚେତନାରେ ସେଦିନ ଭକ୍ତକବି ଯେଉଁ ଯୁଦ୍ଧ ଆରମ୍ଭ କରିଥିଲେ ତାହା ସରିନାହିଁ ।

 

ଅସରନ୍ତି ଯୁଦ୍ଧର ସେନାପତି କିନ୍ତୁ ସେଇଦିନୁ ମଶାଲ ଧରି ଆଗେ ଆଗେ ଚାଲିଛି । ସାମାଜିକ ସମତା, ସାମାଜିକ ନ୍ୟାୟ, ପ୍ରତିଷ୍ଠା କରିବା ପାଇଁ ଗୋଟିକ ପରେ ଗୋଟିଏ ବିପ୍ଲବ ସଂଘଟିତ ହୋଇଛି । ବିପ୍ଲବର ମୃତ୍ୟୁ ନାହିଁ । ମଣିଷର ଜୟଯାତ୍ରା ଚାଲିଛି । ସହର, ଜନପଦ, ଅରଣ୍ୟ, ପ୍ରାନ୍ତର, ପାହାଡ଼, ପର୍ବତ ଓ ସାଗର ଅତିକ୍ରମ କରି ନୂତନ ଚେତନାର ଅଗ୍ନିଶିଖା ଆଜିବି ମଣିଷର ଅନ୍ତସ୍ଥଳରୁ ନିର୍ବାପିତ ହୋଇନାହିଁ । କୃଷି, ବିପ୍ଲବ, ଶିଳ୍ପ ବିପ୍ଲବ, ଫରାସୀ ବିପ୍ଲବ, ସାମ୍ୟବାଦୀର ବିପ୍ଲବ ମଣିଷ ମନରୁ ଅନ୍ଧ ସଫା କରିଛାଲିଛି ।

 

ଏ ଅବିରାମ ଯୁଦ୍ଧର ନାୟକ ଆଉ ବୁଦ୍ଧିଜୀବୀର ବ୍ରତ ହୋଇ ରହିନାହିଁ, ସାଧାରଣ ମଣିଷର ମହାନାୟକ ପାଲଟି ଯାଇଛି ।

 

ଶ୍ରୀୟାର ମାନସପଟରେ ଇତିହାସର ପୃଷ୍ଠା କିଏ ଓଲଟାଇ ଥିଲା ତାହା ସେ ଜାଣିବା ଆଗରୁ ବାହାରେ ଗାଡ଼ି ଛିଡ଼ା ହେବାର ଶବ୍ଦ ହେଲା ।

 

କିଏ ଆସିଲା ସକାଳୁ ସକାଳୁ !

 

ସେ କବାଟ ଖୋଲିବା କ୍ଷଣି ସତେଜ କୋମଳ ଆଲୋକ ସହିତ ପ୍ରବେଶ କଲା ପ୍ରିୟରଞ୍ଜନ ।

 

ତା’ ମୁହଁରୁ ଝରି ପଡ଼ୁଥିଲା ପ୍ରୀତିପୀୟୁଷର ସମ୍ଭାଷଣ–ଗୋଟାଏ ପ୍ଲିଜେଣ୍ଟ ସର୍‌ପ୍ରାଇଜ୍‌ ଦବାପାଇଁ ଚାଲି ଆସିଲି... ଗୁଡ଼୍‌ମର୍ଣ୍ଣିଂ...’’

 

“ଗୁଡ଼୍‍ମର୍ଣ୍ଣିଂ...’’ ସମ୍ଭାଷଣ ଜଣାଇ ସ୍ନିଗ୍‍ଧ ସ୍ଵରରେ କହିଲା ଶ୍ରୀୟା ।

ବାରନ୍ଦାରେ ପଡ଼ିଥିବା ଦୁଇଟି ବେତଚୌକି ଟାଣିନେଇ ବସିଲେ ଦୁହେଁ ।

 

–‘‘ତମକୁ ଅସୁବିଧାରେ ପକାଇ ଦେଇ ନାହିଁତ ?’’ ମୁହଁ ଉପରେ ହସ ଖେଳାଇ କହିଲା ପ୍ରିୟରଞ୍ଜନ ।

 

–‘‘ନା, ନା, ବରଂ ତମେ କେମିତି ଦରିଦ୍ର କୁଟୀରରେ ପାଦ ଥାପିଲ ସେଇକଥା ଆଶ୍ଚର୍ଯ୍ୟ କରିଛି ମୋତେ ।”

 

–‘‘ଆଜି ଜଏନ କରିବା ଦିନ । ଅଫିସକୁ ଯିବା ପୂର୍ବରୁ ଭାବିଲି ତୁମକୁ ଦର୍ଶନ କରିଯିବି... ନୂଆ ମଣିଷ, ନୂଆ ମନ ନେଇ ତମେ ଯେଉଁ କାମ ଆରମ୍ଭ କରିଛ ତାହା ତ ମୋ କାମକୁ ଆହୁରି ସହଜ କରିଦବ ।’’

 

ଚକିତ ଅବସ୍ଥାରୁ ଏବେବି ସମ୍ପୂର୍ଣ୍ଣ ମୁକୁଳି ପାରି ନ ଥିଲା ଶ୍ରୀୟା ।

 

ଆଗରୁ ଅବା ଜାଣିଥିଲେ ସେ ପ୍ରିୟରଞ୍ଜନକୁ ସ୍ଵାଗତ କରିବା ପାଇଁ ରଜନୀଗନ୍ଧାର ସ୍ତବକଟିଏ ରଖିଥାନ୍ତା ପାଖରେ । ଖାଲି ହାତରେ.... ଖାଲି ମନରେ... ଅତିଥିଙ୍କୁ ସ୍ଵାଗତ କରିବା ଏ ଦେଶର ପରମ୍ପରା ବିରୋଧୀ ।

 

–‘‘ଚୁପ୍‌ ହୋଇଗଲ ଯେ ?’’ କହିଲ ପ୍ରିୟରଞ୍ଜନ ।

 

–‘‘ଭାବୁଛି କ’ଣ କଲେ ବିଶିଷ୍ଠ ଅତିଥିକୁ ଉପଯୁକ୍ତ ସମ୍ମାନ ଦିଆଯାଇ ପାରିବ...’’

 

ତା’ ପରେ ଟିକେ ରହିଯାଇ କହିଲା–‘‘ମୋ କାମ ଏଥର ସହଜ ହେବ,... କାହିଁକି କେଜାଣି ଭାବୁଛି ଯେ ମୁଁ ଏକାନୁହେଁ... ମୋ ପାଖେ ପାଖେ ମିତ୍ର ବି ଅଛନ୍ତି.... ସୁଯୋଗ ବି ରହିଛି...।’’

 

ପ୍ରିୟରଞ୍ଜନ କ’ଣ ବୁଝିଲା କେଜାଣି ପୁଲକିତ ହେଲା । ଫୁଲ ଫୁଟିବା ମୁହୂର୍ତ୍ତ ଯେପରି ପ୍ରଚୁର ସମ୍ଭାବନା ନେଇ ମୁଖରିତ ହୁଏ ସେଇପରି ଅନୁଭବ କଲା ସେ ।

 

ସେ କହିଲା–“ଚ୍ୟାଲେଞ୍ଜଭାବେ ଯଦି ସବୁ କାମକୁ ଗ୍ରହଣ କର ତେବେ ହଟିଯିବନି... ମନ ଓ ଶରୀରରେ ସେଇ ଆହ୍ୱାନର ସାମନା କରିବା ପାଇଁ ଅସରନ୍ତି ପ୍ରବଣତା ଜାତ ହେବ...।’’

 

ଶ୍ରୀୟା କହିଲା–“ବ୍ରେକ୍‌ଫାଷ୍ଟ ଖାଇବ ମୋ ସହିତ .....ତମର ପସନ୍ଦ ହେଉ ବା ନ ହେଉ ଗରିବ କୁଟୀରରେ ଯାହା ଅଛି ଖାଇବାକୁ ହେବ... ।”

 

ପ୍ରିୟରଞ୍ଜନର ଦେହ ଓ ମନରେ ବୋଳି ହୋଇଯାଉଥିଲା ଏକ ଅନାସ୍ଵାଦିତ ଅନ୍ତରଙ୍ଗ ଆତ୍ମୀୟତାର ପୁଲକ । ଶ୍ରୀୟା ଭିତରକୁ ଯାଇ ଜଳଖିଆ ପ୍ରସ୍ତୁତ କରିବା ପାଇଁ ରଙ୍ଗାରାଓକୁ କହି ଆସିଲା । କୋଠରୀଟାକୁ ସଜାଡ଼ି ନବା ପାଇଁ ଲକ୍ଷ୍ମଣକୁ କହି ଫେରିବାବେଳକୁ ତାର ଉଦ୍‌ବେଗ ଅନୁଭବ କରି କହିଲା ପ୍ରିୟରଞ୍ଜନ–‘‘ମୋ ପାଇଁ ବ୍ୟସ୍ତ ହୁଅନା... ମୁଁ ସାଧାରଣ, ଅତି ସାଧାରଣଭାବେ ଚଳିବାକୁ ପସନ୍ଦ କରେ ।’’

 

ଇଡ଼ିଲି, ସମ୍ବର ଦୋସା, ନଡ଼ିଆ ଚଟଣିର ସୁସ୍ଵାଦୁ ଜଳଖିଆ ଖାଇସାରି କଫି ପିଇବାବେଳେ କହିଲା ପ୍ରିୟରଞ୍ଜନ–“ମୁଖରୋଚକ ଖାଦ୍ୟର ପ୍ରଶଂସା ସବୁବେଳେ କରିଥାଏ ମୁଁ । ତୁମର ନିର୍ଦ୍ଦେଶ ଆଉ ରଙ୍ଗାରାଓର ହାତ ଯଶରୁ ପ୍ରାତଃଭୋଜନ ସ୍ମରଣୀୟ ହୋଇରହିବ ।’’

 

–‘‘ମୋର କିଛି ବାହାଦୂରି ନାହିଁ.....ସବୁ ରଙ୍ଗାରାଓର ’’

 

ପ୍ରସଙ୍ଗ ଉପରକୁ ଆସି ଶ୍ରୀୟା କହିଲା–‘‘ଏଇ ଅନଗ୍ରସର ଜିଲ୍ଲାକୁ ମୁଁ ବାଛି ନେଇଛି ଜନସେବା କରିବାପାଇଁ । ଭାରତର ଆତ୍ମା ଗ୍ରାମରେ ଅଛି ବୋଲି ମହାତ୍ମାଗାନ୍ଧୀ କହୁଥିଲେ । ଅଜ୍ଞତା, ଅଶିକ୍ଷା, କୁସଂସ୍କାର ସହିତ ରୋଗବ୍ୟାଧି ଦାରିଦ୍ର୍ୟ ଓ ଅସହାୟତା ଲୋକଙ୍କୁ ପଙ୍ଗୁ କରି ରଖିଛି । ସେମାନଙ୍କୁ କେବଳ ଦାରିଦ୍ରରୁ ମୁକ୍ତ କଲେ ସେମାନଙ୍କର ଉଦୟ ହେବ ନାହିଁ, ଶୋଷଣ ଓ ନିପୀଡ଼ନରୁ ସେମାନଙ୍କୁ ଉଦ୍ଧାର କରିବାକୁ ହେବ । ମଣିଷର ମର୍ଯ୍ୟାଦା ସେ ପାଇବା ଦରକାର । ଇଏ ଦୁର୍ଲଂଘ୍ୟ ମନେହେଉଥିଲେ ବି ମୁଁ ଭାବୁଛି ସଚେତନ ଲୋକ ଏହି ଅଭିଯାନରେ ଲମ୍ଫ ଦେଲେ ଶୀଘ୍ର ନ ହେଲେ ମଧ୍ୟ ଆମ ଜୀବନକାଳରେ ଆମେ ଦେଖିପାରିବା ଆମର ଇପ୍‌ସିତ ଭାରତକୁ ଯେଉଁଠାରେ ଉତ୍ପାଦନର ମୁଖ୍ୟଶକ୍ତି ଅବହେଳିତ ହେବନାହିଁ, ଅର୍ଦ୍ଧାହାର ବା ଅନାହାରରେ ଲୋକ କାଳ କାଟିବେ ନାହିଁ ଓ ରୋଗ ହେଲେ ଚିକିତ୍ସା ଅଭାବରୁ ମରିବେ ନାହିଁ... ।”

 

ପ୍ରିୟରଞ୍ଜନ ଶ୍ରୀୟା ମୁହଁରୁ କଥା ଛଡ଼ାଇ ନେଇ କହିଲା–‘‘ଆମର ଜୀବନକାଳରେ ଏଇ ଲକ୍ଷ୍ୟ ହାସଲ କରିବାକୁ ହେବ । ଅନ୍ୟମାନେ ଅନେକ ଆଗେଇ ଗଲେଣି । ଗଜପତି, ଗୁଣୁପୁର, ରାୟଗଡ଼ା, ମାଲାକାନଗିରି ଓ ଅନ୍ୟତ୍ର ବାସ କରୁଥିବା ଲୋକଙ୍କୁ ଦୌଡ଼ିବାକୁ ହେବ ସେମାନଙ୍କ ପାଖରେ ପହଞ୍ଚିବା ପାଇଁ । ମୁଁ ଚ୍ୟାଲେଞ୍ଜ ଗ୍ରହଣ କରି ସିଭିଲ ସର୍ଭିସରେ ଯୋଗଦେଇଛି । ଏକା ଏକା ଅଶ୍ଵାରୋହୀ ଯୁଦ୍ଧ ଜୟ କରିପାରେ ନାହିଁ । ଆମକୁ ସାଙ୍ଗ ହୋଇ ଲଢ଼ିବାକୁ ହେବ. ।’’

 

ଶ୍ରୀୟାର ପ୍ରସନ୍ନତା ତାର ଆୟତ ନୟନ ଏବଂ ମୁକୁଳିତ ମନରୁହିଁ ବିକଶିତ ହେଉଥିଲା-। ମନେପଡ଼ି ଯାଉଥିଲା ଅରବିନ୍ଦ । ସେ ବି ଏମିତି କହେ.... ଦୁହେଁ ଗୋଟିଏ ବୃନ୍ତର ଦୁଇଟି ଫୁଲ ପରି । ଆଶ୍ଚର୍ଯ୍ୟ ।

 

‘‘ଏଇ ଅଭିଯାନରେ କେନ୍‌ ଓ୍ୱି ବି ଫ୍ରେଣ୍ଡସ୍‌–ଆମେ ବନ୍ଧୁ ହୋଇପାରିବା ?’’ ହଠାତ୍‌ ଏଇ ଶବ୍ଦ କେତୋଟି ଖସିଗଲା ପ୍ରିୟରଞ୍ଜନର ତୁଣ୍ଡରୁ ।

 

ଶ୍ରୀୟା ଭାବିବା ପାଇଁ ଅପେକ୍ଷା ନ କରି କହିଲା–‘‘ସିଓରଲି । ଓ୍ୱି ହେଭ୍‌ ଅଲ୍‌ରେଡ଼ି ବି କମ୍‌ ଫ୍ରେଣ୍ଡସ୍‌... । ଆମେତ ବନ୍ଧୁ ହୋଇସାରିଛୁ...।’’

 

ତାକୁ ଧନ୍ୟବାଦ ଦେଇ ଉଠିଲା ପ୍ରିୟରଞ୍ଜନ । “ଆଜି ଜଏନ୍‌ କରିବା କଥା । କଲେକ୍ଟରୀଏଟ୍‌ ଅମଲା ଅଫିସରମାନେ ଅପେକ୍ଷା କରିଥିବେ ବାଟ ଚାହିଁ । ଆଉ କେହି ଆସନ୍ତୁ ବା ନ ଆସନ୍ତୁ ଲାଭଖୋର କଳା ବଜାରୀ, କଣ୍ଟ୍ରାକ୍ଟର, ଫିକ୍ସିଂ କରୁଥିବା ଠିକାଦାର ଆଖିରେ ପଡ଼ିବା ପରି ପାଖରେ ଅପେକ୍ଷା କରୁଥିବେ ସୁଯୋଗ ପାଇବା କ୍ଷଣି ପରିଚୟ ଦବା ପାଇଁ ।’’

 

ଶ୍ରୀୟା ତାକୁ ଆଗେଇ ଦବାବେଳେ କହିଲା–“ଲଞ୍ଚପାଇଁ ଆସିପାରିଲେ ଖୁସି ହେବି... ।’’

 

-ଆଉ କେବେ । ଆଜି ପ୍ରଥମ ଦିନ । ପୁଲିସ୍‍ ସୁପରିଟେଣ୍ଡେଣ୍ଟ ଅମରେଶ କୁଲକର୍ଣ୍ଣି ଲଞ୍ଚ ପାଇଁ ନିମନ୍ତ୍ରଣ କରିଛି । ରାତ୍ରିରେ ଅଫିସରମାନେ ମିଳିତଭାବେ କ୍ଲବ୍‌ରେ ଡିନର ଦେବେ । ବରଂ ତମେ ଯଦି ଡିନରକୁ ଆସିପାରନ୍ତ ଅନେକଙ୍କ ସହିତ ପରିଚୟ ହୁଅନ୍ତା ।

 

ଶ୍ରୀୟା ସହସା କିଛି କହିପାରିଲା ନାହିଁ ।

–‘‘ଭାବି ଦେଖ....ମୁଁ ପରେ ଫୋନ୍‌ କରିବି...।’’

ପ୍ରିୟରଞ୍ଜନ ଗାଡ଼ି ଚଳାଇ ଚାଲିଗଲା ।

 

ଶ୍ରୀୟାର ବେଶୀ ମନେପଡ଼ୁଥିଲା ଅରବିନ୍ଦ । କେଉଁଠି ଥିବ, କ’ଣ ଖାଉଥିବ, କିପରି ସମୟ କଟାଉଥିବ କେଜାଣି ! ସେଦିନ ମାଇନ ବିସ୍ଫୋରଣ ଯୋଗୁ ଜିପ୍‌ ସହିତ ଆରୋହୀମାନଙ୍କର ମୃତ୍ୟୁ ହେବାପରେ ସନ୍ଦିଗ୍‍ଧ ଅପରାଧୀମାନଙ୍କୁ ଧରିବା ପାଇଁ ପୁଲିସ୍‍ ରେଡ଼୍‌ ଆଲର୍ଟ ଜାରୀ କରିଥିଲା । ସୀମା ସିଲ୍‌ କରି ଦିଆଯାଇଥିଲା । ଅରବିନ୍ଦର ଗିରଫ ହେବା ଖବର ମିଳିନି ଯେତେବେଳେ ସେ ଯେ ଶୀକାକୁଲମ୍‌ ଛାଡ଼ି ଆଉ କେଉଁଠି ଆତ୍ମଗୋପନ କରିଥିବ ଏ ଧାରଣା ଦୃଢ଼ ହୋଇଥଲା ଶ୍ରୀୟା ମନରେ ।

 

ବିପ୍ଲବୀମାନଙ୍କର ଶୟନ, ଭୋଜନ, ବିଶ୍ରାମର ସମୟ ନ ଥାଏ । ବେଳେବେଳେ ଦିନ ଦିନ ଧରି ଅନିଦ୍ରାରେ କଟିଯାଏ ବୋଲି ସେଦିନ କହୁଥିଲା ଅରବିନ୍ଦ । ଆହାର କେବେ ଜୁଟେ, କେବେ ନାହିଁ । ଚା’ ଓ ଚିନାବାଦାମ ଖାଇ ଦିନ ଦିନ ବିତିଯାଏ । ଆରାମ୍‌ ତ ହାରାମ୍‌ ହୈ । ସମସ୍ତେ ଶୋଇଥିବାବେଳେ ଈଶ୍ଵରଙ୍କ ପରି ବିପ୍ଲବୀମାନେ ଜାଗ୍ରତ ରହନ୍ତି । ସେମାନଙ୍କ ସଂସାର ଅଲଗା । ଆଦର୍ଶ ପାଇଁ ଜୀବନକୁ ପାଣି ଛଡ଼ାଇ ଦିଅନ୍ତି ବୋଲି ସମୟ ସେମାନଙ୍କୁ ମନେରଖେ । ଯମଙ୍କୁ ଭୟ ନାହିଁ ସେମାନଙ୍କର, ବରଂ ଯମ ଭୟ କରନ୍ତି ସଂସାରରେ ଥାଇ ବି ନିଜ ସଂସାର ଛାଡ଼ି ଜଗତ–ଜଞ୍ଜାଳରେ ପାଗଳ ହେଉଥିବା ବିପ୍ଲବୀମାନଙ୍କୁ ।

 

ଅରବିନ୍ଦ ଯଦି ଏକା ଏକା ଲଢ଼ିବା ପାଇଁ ଭିନ୍ନ ପଥ ବାଛି ନେଇଥାଆନ୍ତା ତେବେ ସାଙ୍ଗ ହୋଇ ଲଢ଼ୁଥାଆନ୍ତେ ସେମାନେ । ସେଇ ସୁଯୋଗ ସେ ଦେଇନି ତାକୁ । ଏକଥା ଭାବିବାକ୍ଷଣି ଅନ୍ତର ଭିତରେ ନିଃସଙ୍ଗ ହୋଇଗଲା ଶ୍ରୀୟା ।

 

ନିରାପଦ ଆଶ୍ରୟ ଅନ୍ୱେଷଣ କରୁଥିବା ସନ୍ଦିଗ୍‍ଧ ଅପରାଧୀ ପରେ ସେ ବି ହୁଏତ କେଉଁ ଅପନ୍ତରାରେ ଆତ୍ମଗୋପନ କରିଥବ କିମ୍ବା ବଣ ଜଙ୍ଗଲ ଭିତରେ ସାଥୀ ଓ ସମଧର୍ମାମାନଙ୍କ ସହିତ ଆଗାମୀ ସଂଗ୍ରାମରେ ଝାସ ଦବା ପାଇଁ ପ୍ରସ୍ତୁତ ହେଉଥିବ । ପ୍ରବଳ ପ୍ରତାପୀ ରାଷ୍ଟ୍ରଶକ୍ତି ବିରୁଦ୍ଧରେ କେତେଦିନ ଲଢ଼ିବେ ସେମାନେ ? ଦେଶୀ ଓ ପୁରୁଣା ଅସ୍ତ୍ରଶସ୍ତ୍ର ନେଇ ସେମାନେ କେତେଦିନ ଲଢ଼ିବେ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ସଶସ୍ତ୍ର ପୁଲିସ୍‍ ଫୌଜ ସହିତ । ପାଗଳ ହାତୀର ପ୍ରକୋପ ବେଶୀଦିନ ରହେ ନାହିଁ । ସେ ନିଜେ ନିଜର ସର୍ବନାଶ ଡାକି ଆଣେ ।

 

କୋଠରୀ ଭିତରକୁ ଯାଇ କବାଟ ବନ୍ଦ କରିଥଲା ଶ୍ରୀୟା । ମୋବାଇଲ୍‌ ଫୋନଟା ଉଠାଇ ନେଇ ଡାଏଲା କଲା ସେ ଅରବିନ୍ଦକୁ ।

 

ଆଉଟ୍‌ ଅଫ୍‌ ରେଞ୍ଜ... ପ୍ରତିଥର ସେଇ ଗୋଟିଏ ରେକର୍ଡ଼ କରାଯାଇଥିବା ଉତ୍ତର କାନରେ ବାଜିଲା ଶ୍ରୀୟାର ।

 

ସେଦିନର ଏତେବଡ଼ କାଣ୍ଡ କରିବା ପୂର୍ବରୁ ସେ ତାକୁ କୌଣସି ସୂଚନା ଦେଇ ନ ଥିଲା-। ତେବେ କ’ଣ ଅରବିନ୍ଦର ବିଶ୍ଵାସ ନାହିଁ ତା’ ଉପରେ ?

 

ଅରବିନ୍ଦକୁ ଶ୍ରୀୟା ଅଲାରନାଥଙ୍କ ମନ୍ଦିର ବାହାରେ ବାରମ୍ବାର ଏଇ କଥା ପଚାରିଥିଲା, କିନ୍ତୁ ଏହାର ସିଧା ଉତ୍ତର ନ ଦେଇ ଅନ୍ୟପ୍ରସଙ୍ଗ ଉପରକୁ ଚାଲି ଯାଇଥଲା ଅରବିନ୍ଦ । ବିଦାୟ ନବା ପୂର୍ବରୁ କେବଳ ଏତିକି କହିଥିଲା ଯେ ସେ ଯେଉଁଠି ଥାଉ, ଯେପରି ଅବସ୍ଥାରେ ଥାଉ ଶ୍ରୀୟାକୁ ଭୁଲିବ ନାହିଁ, ଶେଷମୁହୂର୍ତ୍ତ ପର୍ଯ୍ୟନ୍ତ ଅନୁଭବ କରୁଥିବ ତାର ଉପସ୍ଥିତିର ସାନିଧ୍ୟ ।

 

ଏତିକି କ’ଣ ଯଥେଷ୍ଟ ବଞ୍ଚିବା ପାଇଁ, ଲଢ଼ିବା ପାଇଁ ?

 

ଏଇ ପ୍ରଶ୍ନ ମନରେ ଉଠି ପୁଣି ବୁଦ୍‌ବୁଦ୍‌ ପରି ମିଳେଇଗଲା ସିନା କିନ୍ତୁ ଅରବିନ୍ଦର ଅନୁପସ୍ଥିତି ଯୋଗୁ ଖାଁ ଖାଁ ହେଉଥିବା ଅନ୍ତର ଭିତରେ କାହାର ସ୍ଵର ଶବ୍ଦ ଶୁଣାଗଲା ନାହିଁ । ସେଇ ନିଶବ୍ଦ ମର୍ମାନ୍ତିକ ଶୂନ୍ୟତା ଭିତରେ ସେ ମୁହୂର୍ତ୍ତକ ପାଇଁ ପାଷାଣୀ ପାଲଟିଗଲା ।

 

ଏକତିରିଶ

 

ଗୁପ୍ତତଥ୍ୟ ପାଇବା ପରେ ନିୟତି ପାଖରୁ ବିଦାୟ ନେଇ ଅଧରାତିରେ ଶିବିର ଛାଡ଼ିଲା ଶ୍ରୀହରି । ଅତି ଦୁର୍ଦ୍ଧଷ ପଚିଶ ଜଣ କମ୍ରେଡ଼୍‌ ଅନୁସରଣ କଲେ ନେତାଜୀଙ୍କୁ । ପ୍ରଶ୍ନ ପଚାରିବାର ବେଳ ନାହିଁ, ଉତ୍ତର ଦବା ପାଇଁ ମଧ୍ୟ ସମୟ ନାହିଁ । ଦୀର୍ଘଦିନ ଧରି ଦୁର୍ଭେଦ୍ୟ ଦୁର୍ଗଭାବେ ସେମାନେ ବ୍ୟବହାର କରି ଆସୁଥିବା ଶିବିର ଛାଡ଼ିବା ପାଇଁ ସେମାନଙ୍କୁ ଦୁଇଘଣ୍ଟାରୁ ବେଶୀ ସମୟ ଲାଗିଲା ନାହିଁ । ଯେତିକି କାଗଜପତ୍ର, ଆବଶ୍ୟକ ଉପକରଣ ଏବଂ ଅସ୍ତ୍ରଶସ୍ତ୍ର ସାଙ୍ଗରେ ନବା ସମ୍ଭବ ସେତିକି ନେଇ ସେମାନେ ଛତିଶଗଡ଼ ସୀମାନ୍ତ ଡେଇଁ ଚିତ୍ରକୋଣ୍ଡା ଜଙ୍ଗଲ ଭିତରେ ଆଶ୍ରୟ ନବା ପାଇଁ ବାହାରିଗଲେ । ଦୁଇଟା କାଠ ବୋଝେଇ ଟ୍ରକ ଏବଂ ଗୋଟିଏ ଜିପ୍‌ରେ ଆସବାବ, ଅସ୍ତ୍ରଶସ୍ତ୍ର ଓ ସାଥୀମାନଙ୍କୁ ନେଇ ଶିବିର ଛାଡ଼ିବା ପୂର୍ବରୁ ଭୂମି ଉପରେ ମଥା ସ୍ପର୍ଶ କରି ଶ୍ରୀହରି ବଜ୍ର ମୁଷ୍ଟି ଉତ୍ତୋଳନ କରିବା କ୍ଷଣି ସମସ୍ତ ସାଥୀ ଦୃଢ଼ ସ୍ଵରରେ ବିପ୍ଳବର ମନ୍ତ୍ର ଉଚ୍ଚାରଣ କଲେ–ଇନ୍‌କିଲାବ ଜିନ୍ଦାବାଦ... । ଆଉ ଯାହା ରହିଗଲା ସେସବୁ ଜାଳି ଦିଆଗଲା ସେମାନେ ଶିବିର ଛାଡ଼ିବା ପୂର୍ବରୁ ।

 

କେତେବେଳେ ମୁଖ୍ୟ ରାସ୍ତା, ଆଉ କେତେବେଳେ ବାଟ ଭାଙ୍ଗି ଅପନ୍ତରା ରାସ୍ତାରେ ସେମାନେ ଅନିର୍ବାଣ ନିଆଁ ପରି ବିପ୍ଲବର ବାର୍ତ୍ତା ନେଇ ଅନ୍ଧାର ଚିରି ଅଗ୍ରସର ହେଉଥିବାବେଳେ ଦୂରରୁ ଦିଶିଲା ଶିବିର ଆଡ଼କୁ ମାଡ଼ି ଚାଲିଥିବା ପୁଲିସ୍‍ ବାହିନୀର ଗାଡ଼ିସବୁ । ସୀମାନ୍ତ ଅତିକ୍ରମ କରିବା ପରେ ସେମାନେ ନିରାପଦ ସ୍ଥାନରେ ପହଞ୍ଚିଗଲେ । ପୁଲିସ୍‍ ବାହିନୀ କୁଆଁତାରା ଉଠିବା ପୂର୍ବରୁ ଆକ୍ରମଣ କରିବେ ନାହିଁ । ସେମାନେ କେବଳ ଶିବିର ଘେରି ରହିବେ ଶୁଭମୁହୂର୍ତ୍ତର ପ୍ରତୀକ୍ଷା କରି । ସେତେବେଳକୁ ଚିତ୍ରକୋଣ୍ଡାରେ ପହଞ୍ଚି ସାରିଥିବେ ସେମାନେ ।

 

ଶ୍ରୀହରିକୁ ଭାବିବା ପାଇଁ ସମୟ ମିଳିଲା ଏଥର । ଏ ପର୍ଯ୍ୟନ୍ତ ଆଗାମୀ ଯୁଦ୍ଧର ରଣକୌଶଳ ନେଇ ମନ ତା’ର ଭାରାକ୍ରାନ୍ତ ଥିଲା । ଓଡ଼ିଶାର ସୀମାନ୍ତରେ ଥବା ଚେକ୍‌ଗେଟ୍‌ ସମ୍ବନ୍ଧରେ ଟିକିନିଖି ସବୁ ଖବର ସଂଗ୍ରହ କରିଥିଲେ ସାଥୀମାନେ । ଚେକ୍‌ଗେଟ୍‌ ବନ୍ଦ ଥିଲେ ସେମାନଙ୍କୁ ଅସ୍ତ୍ର ବ୍ୟବହାର କରିବାକୁ ପଡ଼ିପାରେ, ଏଥପାଇଁ ପ୍ରସ୍ତୁତ ଥଲେ ଯୋଦ୍ଧାମାନେ । କିନ୍ତୁ ସ୍ଥାନୀୟ କମ୍ରେଡ଼୍‌ମାନଙ୍କ କୌଶଳରୁ ଫାଟକ ଖୋଲାଥିଲା ଛତଶିଗଡ଼ ଆଡୁ ଓଡ଼ିଶା ଭିତରକୁ ପ୍ରବେଶ କରୁଥିବା ଗୋଟେ ବସ୍‌କୁ ବାଟ ଛାଡ଼ି ଦବାପାଇଁ । ବସ ଚାଲିଗଲା କ୍ଷଣି ଫାଟକ ବନ୍ଦ କରିବା ପାଇଁ ବାଉଁଶ ପକାଇବା କାମରେ ନିଯୁକ୍ତ ଥିବା ଦୁଇଜଣ କର୍ମଚାରୀଙ୍କୁ ବାନ୍ଧି ପକାଇ ଜିପ୍‌ ଓ ଟ୍ରକ୍‌ ଫାଟକ ପାରକଲାବେଳେ ସେଠାରେ ସେମାନଙ୍କ ସହିତ ସହଯୋଗ କରିଥିବା ସାଥୀମାନେ ମଧ୍ୟ ଟ୍ରକ୍‌ ଉପରକୁ ଚଢ଼ିଗଲେ ଆଖି ପିଛୁଳାକେ । ଫାଟକ ଜଗିଥିବା ଦୁଇଜଣ ସଶସ୍ତ୍ର ପ୍ରହରୀ ମଧ୍ୟରୁ ଜଣେ ନ ଥିଲା ସେଠାରେ । ଆଉ ଜଣେ କର୍ତ୍ତବ୍ୟରତ ପ୍ରହରୀ ବନ୍ଧୁକ ଉଠାଇ ଗୁଳି କରିବା ପୂର୍ବରୁ ଟଳି ପଡ଼ିଲା କୌଣସି ଯୋଦ୍ଧାର ଗୁଳିମାଡ଼ରେ । ଦ୍ୱିତୀୟ ପ୍ରହରୀ ଗୁଳି ଶବ୍ଦ ଶୁଣି ଦୌଡ଼ି ଆସିବାବେଳକୁ ଏମାନେ ତାର ଲକ୍ଷ୍ୟ ଭେଦି ଦୂରକୁ ଅତିକ୍ରମ କରିସାରିଥିଲେ । ତଥାପି ତା’ ମନରେ ତ୍ରାସ ସୃଷ୍ଟି କରିବା ପାଇଁ ଗୋଟେ ଫାଙ୍କା ଗୁଳି ଫୁଟିଲା ଆକାଶରେ ।

 

ସୀମାନ୍ତରେ କାଠତସ୍କରମାନେ ରାତିରେ ମୂଲ୍ୟବାନ୍‌ କାଠ ନେଇ ପଳାଉଥବାବେଳେ ଫାଟକ ଜଗିଥିବା ରକ୍ଷୀମାନେ ପ୍ରତିରୋଧ କରିବାରୁ ଜଣକୁ ସେମାନେ ହତ୍ୟା କରି ନିରାପଦରେ ଜଙ୍ଗଲ ଅଭିମୁଖେ ଚାଲିଯାଇଥିବା ଖବର ସକାଳେ ପ୍ରଚାରିତ ହୋଇଗଲା । ଏକଥା ଲୋକମାନେ ଏବଂ କର୍ତ୍ତୃପକ୍ଷ ମଧ୍ୟ ସହଜରେ ବିଶ୍ୱାସ କରିଗଲେ । କାରଣ ଏପରି ଦୁର୍ଘଟଣା ମଝିରେ ମଝିରେ ଘଟିଥାଏ । କାଠଚୋରମାନେ ଯେ ଏତେବେଳକୁ ବାଟରେ କଞ୍ଚା ଚନ୍ଦନକାଠ ବିକ୍ରି କରି ସାରିଥିବେ ଏଥିରେ ସଂଶୟ ନ ଥିଲା କାହାର ।

 

ସେତେବେଳକୁ ଶ୍ରୀହରି ପାଖରେ ରେଡ଼ିଓ ମାଧ୍ୟମରେ ଖବର ପହଞ୍ଚି ସାରିଥିଲା ଯେ ପ୍ରତି ଆକ୍ରମଣ ନ ହେବାରୁ ପୁଲିସ୍‍ ସହଜରେ ଶିବିର ଦଖଲ କଲା ସତ କିନ୍ତୁ ସେଠାରୁ କାହାକୁ ଗିରଫ କରିବା ଦୂରେଥାଉ କୌଣସି ଗୋପନୀୟ ଚିଠିପତ୍ର ବା ଅନ୍ୟାନ୍ୟ ସାମଗ୍ରୀ ନ ପାଇ ନିରାଶ ହୋଇ ଫେରିଗଲେ ସେମାନେ । କିନ୍ତୁ ସକାଳ ଦଶଟାବେଳେ ତାଜା ଖବର ଦେଇ ଦୂରଦର୍ଶନର ଘୋଷିକା କହିଲେ ଯେ ପୁଲିସ୍‍ ଆକ୍ରମଣ କରିବାର ସୁରାକ ପାଇ ମୁକ୍ତିଯୋଦ୍ଧାମାନେ ପୂର୍ବରୁ ଶିବିର ଛାଡ଼ି ପଳାଇ ଯାଇଥିବାରୁ ପୁଲିସ୍‍ ଫୌଜ ନିରାଶ ହୋଇ କୋରାପୁଟ ଫେରିଯାଇଛନ୍ତି । କିନ୍ତୁ ସେମାନଙ୍କୁ ଧରିବା ପାଇଁ ସ୍ଥାନୀୟ ପୁଲିସ୍‍ ଅନୁସନ୍ଧାନ ଜାରୀ ରଖିଛନ୍ତି ।

 

ପ୍ରଥମ ପାଦରେ ସେମାନେ ପୁଲିସ୍‍କୁ ବୁଦ୍ଧି ବଳରେ ହରାଇ ପଳାଇ ଆସିଲେ ସତ, କିନ୍ତୁ ଏହାପରେ ଯେ ସେମାନେ ନୀରବରେ ଘରେ ବସି ନ ରହି ମୁକ୍ତିଯୁଦ୍ଧର ମୂଳୋତ୍ପାଟନ କରିବା ସକାଶେ ଯୋଜନା ନ କରିବେ ତାହା କେହି କହିପାରିବେ ନାହିଁ ।

 

ଏଇ ଅନୁମାନ ଉପରେ ନିର୍ଭର କରି ସାଥୀମାନଙ୍କୁ ସଦା ପ୍ରସ୍ତୁତ ରହିବା ସକାଶେ ସତର୍କ କରିଦେଲା ଶ୍ରୀହରି । କୋରାପୁଟ ବନ୍ଦ ଦିନ ପାଖେଇ ଆସୁଥିବାରୁ ମୁଖ୍ୟଯୋଦ୍ଧାମାନଙ୍କ ସମ୍ପର୍କରେ ଭ୍ରମାତ୍ମକ ସୂଚନା ଦେଲେ ସ୍ଥାନୀୟ କର୍ମୀ ଓ ସମର୍ଥକମାନଙ୍କ ମନୋବଳ ଭାଙ୍ଗିଯିବ ଏହାଥିଲା ପୁଲିସ୍‍ର ଆଉ ଏକ ରଣକୌଶଳ ।

 

କୋରାପୁଟ ବନ୍ଦର ନିର୍ଦ୍ଧାରିତ ସମୟ ପୂର୍ବରୁ ପୁଲିସ୍‍ ଯେ ଅନେକ ମୁକ୍ତିଯୋଦ୍ଧା ଓ ସମର୍ଥକମାନଙ୍କୁ ଗିରଫ କରିବ ଏ ବିଷୟ ଜାଣିଥିଲା ଶୀହରି । କିନ୍ତୁ ସେ ଓ ତାର ବିଶ୍ଵସ୍ତ ସାଥୀମାନଙ୍କର ଅବସ୍ଥାନ ସମ୍ପର୍କରେ ପୁଲିସ୍‍ ଯେ କିଛି ଜାଣେ ନାହିଁ ଏବଂ କେବଳ ଅନୁମାନ ଉପରେ ନିର୍ଭର କରି ପ୍ରଚାର ଚଳାଇଛି ପରବର୍ତ୍ତୀ ଘଟଣାରୁ ଏହା ସତ୍ୟ ପ୍ରମାଣିତ ହେଲା ।

 

ତଥାପି ଶ୍ରୀହରି ନିଶ୍ଚିନ୍ତ ହୋଇ ବସିଲା ନାହିଁ । କୋରାପୁଟ ଜିଲ୍ଲାର ଜୀବନଯାତ୍ରା ଏବଂ ଶାସନ କଳକୁ ଅଚଳ କରିବା ବିଷୟରେ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା କାର୍ଯ୍ୟସୂଚୀ ପୂରାପୂରି ବଦଳାଇ ଦେଇ ନୂତନ ରଣକୌଶଳ ପ୍ରସ୍ତୁତ କଲା । ନୂତନ କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ କୋରାପୁଟ ବନ୍ଦ ପାଳନ ପ୍ରତ୍ୟାହାର କରି ନିଆଗଲା ବୋଲି ଗୁଜବ ରଟାଇ ଦେଲେ ସରକାରୀ ଦମନଲୀଳା ଆପେ ଆପେ କୋହଳ ହୋଇଯିବ । ପୁଲିସ୍‍ ବାହିନୀର ଲୋକମାନଙ୍କୁ ଛୁଟିରେ ନ ଯିବାପାଇଁ ଥିବା କଟକଣା ମଧ୍ୟ କୋହଳ ହୋଇଯିବ ଏବଂ ସାଧାରଣ ଅବସ୍ଥା ସମୟରେ ଥାନା ଓ ଅସ୍ତ୍ରାଗାରରେ ଥିବା ଜଗୁଆଳି ବ୍ୟବସ୍ଥା ମଧ୍ୟ ଆପେ କୋହଳ ହୋଇଯିବ । ଦକ୍ଷିଣ ଦିଗରୁ ଆନ୍ଧ୍ରର ମୁକ୍ତିଯୋଦ୍ଧାମାନେ ଓଡ଼ିଶା ଭିତରକୁ ବହୁ ସଂଖ୍ୟାରେ ପ୍ରବେଶ କରୁଥିବା ଖବର ପ୍ରଚାର କରିଦେଲେ ଦକ୍ଷିଣ ସୀମାନ୍ତରେ ଥିବା ଥାନା ଓ ଘାଟି ସ୍ଥାନ ଜଗିବା ପାଇଁ ପୁଲିସ୍‍ ତତ୍ପର ହୋଇପଡ଼ିବ । ସେଇ ସମୟରେ ଷଣ୍ଢୁଆସି ଆକ୍ରମଣ କରି ଥାନା ଓ ଅସ୍ତ୍ରାଗାର ଦଖଲ କରିବା ସମ୍ଭବ ହେବ ।

 

ଗୁପ୍ତ ରେଡ଼ିଓ ମାଧ୍ୟମରେ ସମଗ୍ର ଜିଲ୍ଲାର ଶିବିରଗୁଡ଼ିକୁ ମୁକ୍ତି ଯୁଦ୍ଧର ରଣକୌଶଳ ଜଣାଇ ଦିଆଗଲା ଏବଂ କେବଳ ଅଭିଯାନ ଆରମ୍ଭ କରିବାର ନିର୍ଦ୍ଦିଷ୍ଟ ନିର୍ଘଣ୍ଟ ପରେ ଗୁପ୍ତ ସଂକେତ ସାହାଯ୍ୟରେ କର୍ମୀମାନଙ୍କୁ ଜଣାଇ ଦବା ଦାୟିତ୍ଵ ଶ୍ରୀହରି ଉପରେ ରହିଲା ।

 

ଗୋଟିଏ ଜିଲ୍ଲାର ଜୀବନଯାତ୍ରା ଓ ଶାସନକୁ ଯଦି ଅଚଳ କରିବା ସମ୍ଭବ ହୁଏ ତେବେ ସାରା ରାଜ୍ୟରେ ସେପରି କରିବା ଅସମ୍ଭବ ହେବ କାହିଁକି ? ଶକ୍ତି କେବଳ ବନ୍ଧୁକର ନଳି ଭିତରେ ଥାଏ ନାହିଁ, ବୁଦ୍ଧି ହିଁ ଶକ୍ତିର ଉତ୍ସ ।

 

ଶ୍ରୀହରି କେତେବେଳେ କେଉଁ ରୂପରେ ଏବଂ କେଉଁଠାରେ ଆବିର୍ଭାବ ହେବ ତାହା ଈଶ୍ଵରଙ୍କୁ ମଧ୍ୟ ଅଗୋଚର ବୋଲି କର୍ମୀମାନେ ବିଶ୍ଵାସ କରନ୍ତି । ସେ ଯେ ଦୁର୍ଦ୍ଧଷ ସେନାପତି ଏବଂ ତା’ର ସମକକ୍ଷ ଖଣ୍ଡମଣ୍ଡଳରେ କେହି ନାହାନ୍ତି ଏଇ ଧ୍ରୁବ ଧାରଣା ନେଇ କର୍ମୀମାନେ ସେ ଆଦେଶ ଦବା ମାତ୍ରେ ଜ୍ୱଳନ୍ତ ଅଗ୍ନିରେ ପ୍ରବେଶ କରିବାକୁ ପଶ୍ଚାତ୍‌ପଦ ହେବେନାହିଁ । ଦଳର ନୀତି, ନିୟମ ଓ ଶୃଙ୍ଖଳା ଏବଂ ରଣକୌଶଳ ସବୁ ରେଡ଼୍‌ ବୁକ୍‌ ବା ଲାଲ୍‍ ବହିରେ ଲିପିବଦ୍ଧ ହୋଇ ରହିଛି । ସେଇ କୁନି ବହିଟି ସମସ୍ତ ମୁକ୍ତିଯୋଦ୍ଧାଙ୍କ ପାଖରେ ଥାଏ ସଦାବେଳେ ସବୁଠାରେ । ମଠ ଓ ମନ୍ଦିର, ଗୀର୍ଜା ଓ ମସ୍‌ଜିଦ୍‌ମାନଙ୍କର ପୁରୋହିତମାନଙ୍କ ପାଖରେ ଗୀତା, ବାଇବେଲ୍‍, କୋରାନ୍‌ ଓ ଭାଗବତ ଯେତିକି ପବିତ୍ର ଓ ଗୁରୁତ୍ଵପୂର୍ଣ୍ଣ, ‘ଲାଲ୍‍ବହି’ର ପ୍ରତି ଶବ୍ଦର ମହତ୍ତ୍ଵ ତାହାଠାରୁ ଅଧିକ । କୌଣସି ଆଦେଶ ବା ଉପଦେଶର ବିକଳ୍ପ ନାହିଁ ବା ବ୍ୟତିକ୍ରମ ନାହିଁ । ଯିଏ ଏହା ଉଲ୍ଲଂଘନ କରିବ ତା’ ପାଇଁ କେବଳ ଗୋଟିଏ ଦଣ୍ତ–‘ମୃତ୍ୟୁ ।' କେବଳ ବିଶ୍ୱାସୀ ଓ ଶତ ପ୍ରତିଶତ ଅନୁଗତମାନଙ୍କୁ ହିଁ ଦଳଭୁକ୍ତ ହେବାର ମର୍ଯ୍ୟାଦା ମିଳେ ।

 

ଶ୍ରୀହରି ଧାପେ ଧାପେ ସିଡ଼ି ଅତିକ୍ରମ କରିଛି, ସବୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି ସଫଳତାର ସହିତ । ଦଳର ସର୍ବୋଚ୍ଚ ସ୍ଥାନ ଅଧିକାର କରିବା କେଡ଼େ ଗୌରବର କଥା ତାହା ମୁକ୍ତିଯୋଦ୍ଧା ମାତ୍ରେହିଁ କାୟମନୋବାକ୍ୟରେ ବିଶ୍ଵାସ କରେ । ଏଇ ମାଟିର ବାସ୍ନା ସହିତ ଅନ୍ତରଙ୍ଗ ସମ୍ପର୍କ ଶ୍ରୀହରିର । ନୁଖୁରା, ମଳିମୁଣ୍ଡିଆ, ଝାଳୁଆ କାମିକା ଲୋକମାନଙ୍କ ଦେହର ଗନ୍ଧ ସହିତ ତାର ପରମ ଆତ୍ମୀୟତା । ସେଥିପାଇଁ କାହିଁ ଯଦି ପତର ଖଣ୍ଡେବି ପଡ଼େ ଦୁର୍ବଳର ମଥା ଉପରେ ସେ ଖବର ପହଞ୍ଚିଯାଏ ଶ୍ରୀହରି ପାଖରେ । କୁଆ କା’ କଲେ ସକାଳ ହେଉଥିବା ଖବର ଯେପରି ଚହଟି ଯାଏ ଜଗତରେ, ଜଗତର ମେହନତି ମଣିଷ ମାନଙ୍କର ପ୍ରତିନିଧି ସେ । ସେମାନଙ୍କ ଦାବି ଶୁଣାଯାଏ ତା’ ଭାଷାରେ, ସେମାନଙ୍କ ପ୍ରତ୍ୟାଶା ଅନୁରଣିତ ହୁଏ ତା’ କବିତାରେ । ସେଇ ଲୋହିତ ପୁରୁଷର ଚକ୍ଷୁର ଦୀପ୍ତିରେ ଉଦ୍ଭାସିତ ହୁଏ ଦୁର୍ବଳ, ଦୁସ୍ଥ, ଦରିଦ୍ର ଆଶାଭରସା ।

 

ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ଅନୁସାରେ ମୁଷ୍ଚିଯୋଦ୍ଧାମାନେ ଖେଦିଗଲେ ଚତୁର୍ଦ୍ଦିଗରେ । କର ବା ମର । ଦୁର୍ଗ ଅଧିକାର କରିବା ପାଇଁ ଯେ କୌଣସି ତ୍ୟାଗ କରିବା ପାଇଁ ପ୍ରସ୍ତୁତ ସାଥୀମାନେ ।

 

ଶ୍ରୀକୃଷ୍ଣଙ୍କ ପାଞ୍ଚଜନ୍ୟ ଶଙ୍ଖନାଦ ଶୁଣି ଯୁଦ୍ଧ ଅନିବାର୍ଯ୍ୟ ମନେହେଲା-। ଶ୍ରୀହରିର ରଣକୌଶଳ ଶୁଣି ଆଉ କାହାମନରେ ଟିକେ ବି ସନ୍ଦେହ ରହିଲା ନାହିଁ ଯେ ଯୁଦ୍ଧାର୍ଥେ କୃତ ନିଶ୍ଚୟ-

 

ଅସ୍ତ୍ରାଗାର ଲୁଣ୍ଠନ କରି ବୀରଦର୍ପରେ ଫେରିଆସିଲେ ସାଥୀମାନେ । ତାସର ଘର ଉଜୁଡ଼ି ପଡ଼ିବା ପରି ଦୁଇଟି ଥାନା ଅଧିକାର କରିନବାର ଖବର ଯଥା ସମୟରେ ପହଞ୍ଚିଲା ନେତାଜୀଙ୍କ ପାଖରେ । ଶତ୍ରୁ ପଛଘୁଞ୍ଚା ଦେଉଥିବାର ସୂଚନା ବି ମିଳିଲା ସମ୍ମୁଖ ସମରରୁ ।

 

ରାତିର ଅନ୍ଧାର ଭିତରେ ଯେଉଁମାନେ ଲମ୍ପ ଦେଇଥିଲେ ପ୍ରତ୍ୟୁଷର ଆଲୋକରେ ସେମାନଙ୍କ ବିଜୟ ଭେରି ଶୁଣାଗଲା ।

 

ସେମାନଙ୍କୁ ଲାଲ୍‍ ସଲାମ୍‍ ଦେଇ ସ୍ଵାଗତ ଜଣାଇଲେ ନେତାଜୀ ।

 

ରାଜଧାନୀରେ ଖବର ପହଞ୍ଚିଲା । ଦରମାଖିଆ ନୌକର-ସାହିର ପରାଜୟ ଦେଖି ଥରି ଉଠିଲା ସିଂହାସନ । ରାଷ୍ଟ୍ରଶକ୍ତି ଏଡ଼େ ତୁଚ୍ଛ ନୁହେଁ । କୌରବମାନଙ୍କୁ ରକ୍ଷା କରିବା ପାଇଁ ନୁହେଁ, ସିଂହାସନକୁ ରକ୍ଷା କରିବା ପାଇଁ ଯୁଦ୍ଧକ୍ଷେତ୍ରକୁ ଯାଇଥିଲେ ଭୀଷ୍ମ, ଦ୍ରୋଣ, କୃପାଚାର୍ଯ୍ୟ, କର୍ଣ୍ଣ ପ୍ରଭୃତି ମହାରଥୀମାନେ । ନିର୍ବାଚିତ ସାମ୍ବିଧାନିକ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ରାଜଦ୍ରୋହ ଅପରାଧ-। ସେଥିପାଇଁ ପ୍ରାଣଦଣ୍ଡ ବି ଦିଆଯାଇପାରେ ।

 

ଦୁର୍ଦ୍ଦମନୀୟ ସେନାବାହିନୀ ଆସିଲେ ଦୁର୍ଗରକ୍ଷା କରିବା ପାଇଁ । ମାତ୍ର ତିନିଦିନ ପୂର୍ବେ ଯେଉଁସବୁ ଘାଟି ଅଧିକାର କରି ଲାଲ୍‍ ପତାକା ଉଡ଼ାଇ ଦେଇଥିଲେ ମୁକ୍ତିଯୋଦ୍ଧାମାନେ, ସେସବୁ ଘାଟି ମାତ୍ର କେତେ ମିନିଟ୍‌ରେ ଦଖଲ କରିନେଲେ ରାଷ୍ଟ୍ରୀୟ ସେନା । କିଛି ସୈନ୍ୟ ଆହତ ହେଲେ-

 

ସେଇ ଯୁଦ୍ଧରେ ପଚିଶ ଜଣ ମୁକ୍ତିଯୋଦ୍ଧା ନିହତ ହେଲେ । ସତୁରି ଜଣ ଆହତ ଏବଂ ଏକୋଇଶ ଜଣ ହେଲେ ନିରୁଦ୍ଦିଷ୍ଟ ।

 

ମୃତ କମ୍ରେଡ଼୍‌ମାନଙ୍କୁ ସନାକ୍ତ କରାଗଲା । ସେମାନଙ୍କର ଫଟୋ ନିଆଗଲା । ଦେହରେ ଗୋଟେ ଗୋଟେ ନମ୍ବର ଲଗାଇ ଦିଆଗଲା । ମୁକ୍ତିଯୁଦ୍ଧର କୋରାପୁଟର ଏରିଆ କମାଣ୍ଡର, ତାଙ୍କ ସହକାରୀ ଓ ଆଉ ତିନିଜଣ ପଦସ୍ଥ କମ୍ରେଡ଼୍‌ ନିହତ ହୋଇଥିବା ଘୋଷଣା କଲେ ସରକାରୀ ମୁଖପାତ୍ର ।

 

ଗୁଇନ୍ଦା ବିଭାଗର ଉପମୁଖ୍ୟ ଆଗେଇ ଆସି କହିଲେ–‘କିନ୍ତୁ ମୁଖ୍ୟ ସେନାପତି ଶ୍ରୀହରିର ଶବ ଏମାନଙ୍କ ମଧ୍ୟରେ ନାହିଁ ।’’

 

ଜଣେ ସାମ୍ବାଦିକ କହିଲେ–‘‘ତେବେ କ’ଣ ସେ ପବନରେ ମିଳାଇ ଗଲା ।’’

 

‘‘ବିପ୍ଳବର ମୃତ୍ୟୁ ନାହିଁ । ଅଗ୍ନିରେ ପୋଡ଼େ ନାହିଁ, ସାଗରରେ ବୁଡ଼େନାହିଁ, ପବନରେ ଉଡ଼ି ଯାଏନାହିଁ... ।’’ କହିଲା କିଏ ଅନୁଚ୍ଚ ସ୍ଵରରେ । କିନ୍ତୁ କାହାର ଥିଲା ସେଇ ସ୍ଵର ତାହା କେହି ଠାବ କରିପାରିଲେ ନାହିଁ ।’’

 

‘‘ସେଇ ଅମର ଅଜେୟ ବିପ୍ଳବୀ ତେବେ ଗଲା କୁଆଡ଼େ ?’’ ଆଉଜଣେ ପ୍ରଶ୍ନକଲେ ।

 

–‘‘ହୁଏତ ସୀମା ଡେଇଁ ଛତିଶଗଡ଼କୁ ପଳାଇଯାଇଥିବେ ଲୁଚିବା ପାଇଁ...।’’ କେହିଜଣେ ଅଧିକାରୀ କହିଲେ ହସି ହସି ।

 

–‘‘ସେ ଆତ୍ମଗୋପନ କରିଥିବାର ପ୍ରମାଣ ନାହିଁ । ହୁଏତ ଅଣ୍ଡର ଗ୍ରାଉଣ୍ଡରେ ରହି ବିପ୍ଳବ ଚାଲୁ ରଖିବା ସକାଶେ ପ୍ରାଣମର୍ଚ୍ଛା ଉଦ୍ୟମ ଚଳାଇଥିବେ କେତେଜଣ-।’’ ଆଉ କିଏ କହିଲା-

 

–‘‘ସେୟା ହୋଇପାରେ । ଶ୍ରୀହରିର ଅବମୂଲ୍ୟାୟନ କରନାହିଁ । ସେ ପୁଣି ଆତ୍ମପ୍ରକାଶ କରି ସମସ୍ତଙ୍କୁ ଚକିତ କରି ଦେଇପାରେ, କିମ୍ବା ଅପ୍ରତ୍ୟାଶିତଭାବେ ଆଉ କେଉଁଠାରେ ସମର୍ଥକମାନଙ୍କୁ ସଙ୍ଗଠିତ କରୁଥିବ ସମସ୍ତଙ୍କ ଅଲକ୍ଷ୍ୟରେ ।’’ ଆଉଜଣେ ମନ୍ତବ୍ୟ ଦେଲେ ।

 

ଏତେଲୋକ ସେଇ ଜଣଙ୍କପାଇଁ ଚିନ୍ତିତ ହେବାର ଦେଖି ମନେ ମନେ ହସୁଥିଲା ବରଗଛମୂଳେ ରାତିଦିନ ବିତାଉଥିବା ଭିକାରୀଟିଏ ।

 

ତାକୁ ଘୋଷାରି ଆଣି ସମସ୍ତଙ୍କ ଆଗରେ ଛିଡ଼ା କରାଇ ଦେଇ ଗର୍ଜନ କଲେ ସବ୍‌ଇନିସ୍‌ପେକ୍ଟର–‘‘ଆଉ ଥରେ କହ ପଛରେ ଥାଇ କ’ଣ କହୁଥିଲୁ ?’’

 

ଜିଲ୍ଲା ଅଧିକାରୀ ପଚାରିଲେ–‘‘କ’ଣ କହୁଥିଲା ?’’

 

‘‘କହୁନୁ କାହିଁକି ବେ ହାରାମଜାଦା... ସାହସ ଅଛି ତ କହ ସାହେବଙ୍କ ସାମ୍ନାରେ, ପଛରେ ଥାଇ ଗୁଣୁ ଗୁଣୁ କରି କ’ଣ କହୁଥିଲୁ ?’’

 

‘‘କ’ଣ କହୁଥିଲୁ ?’’ ଗର୍ଜନ କଲେ ଜିଲ୍ଲା ଅଧିକାରୀ ।

 

ଏଥର ନିର୍ଭୀକ ନିସ୍ତରଙ୍ଗ ସ୍ଵରରେ କହିଲା ଭିକାରୀ–‘‘ବିପ୍ଲବର ମୃତ୍ୟୁ ନାହିଁ । ଅଗ୍ନିରେ ପୋଡ଼େ ନାହିଁ, ସାଗରରେ ବୁଡ଼େ ନାହିଁ, ପବନରେ ଉଡ଼ି ଯାଏନାହିଁ.... ବିଜୟ ତାର ଭାଗ୍ୟଲିପି ।’’

 

ଜିଲ୍ଲା ଅଧିକାରୀଙ୍କ ଆଦେଶ ବଳରେ ତାକୁ ଗିରଫ କରାଗଲା ତତ୍‌କ୍ଷଣାତ୍‌ । ଜନସମ୍ପର୍କ ଅଫିସର କହିଲେ–‘‘ସାହସ କମ୍‍ ନୁହେଁ ଦେଖୁଛି । ମାମୁଁ ଘରେ ଘଣା ପେଲିଲେ ଏ ତେଜ ରହିବ ନାହିଁ ।’’

 

‘ମସ୍‌କ୍ୱିଟୋ ଅଲ୍‌ ଆଉଟ’ ମଶା ଘଉଡ଼ାଇବା ଅଭିଯାନ ଯେ ସଫଳ ହୋଇଛି ଏହା ଶାସନର ମୁଖପାତ୍ର ଘୋଷଣା କଲେ । ସାମ୍ବାଦିକମାନଙ୍କୁ ସମସ୍ତ ବିବରଣୀ ପ୍ରଦାନ କରିବା ପରେ ସେମାନଙ୍କୁ ଲିଖିତ ହ୍ୟାଣ୍ଡ ଆଉଟର କପି ଖଣ୍ଡେ ଖଣ୍ଡେ ଧରାଇ ଦେଇ କହିଲେ ଜନସମ୍ପର୍କ ଅଫିସର ଜନ୍‌ ନାୟକ–‘‘ମଧ୍ୟାହ୍ନ ଭୋଜନ ହୋଟେଲ ଗ୍ରିନ୍‌ରେ, ଆଉ ବିଳମ୍ବ ନ କରି ଚାଲନ୍ତୁ ଯିବା... ।’’

 

ସାମ୍ବାଦିକମାନଙ୍କୁ ନେଇ ଚାଲିଗଲେ ଜନ୍ ନାୟକ । ବିଜୟ ଉତ୍ସବ ପାଳନ କରିବା ପାଇଁ ସମସ୍ତେ ଫେରିଗଲେ ବ୍ୟାରାକ୍‌କୁ । ଉଚ୍ଚାପଦାଧିକାରୀମାନେ ରିପୋର୍ଟ ଲେଖିବା ପାଇଁ ଚାଲିଗଲେ ଅଫିସକୁ । ବିଦ୍ରୋହ ଦମନ କରିବା ପାଇଁ କେତେ ଅଧିକ ଗାଡ଼ି, ଅସ୍ତ୍ରଶସ୍ତ୍ର ପୁଲିସ୍‍ ଫୌଜ ଆବଶ୍ୟକ ସେସବୁର ନୂତନ ବିବରଣୀ ସମ୍ପର୍କରେ ଉଲ୍ଲେଖ କରିବା ପାଇଁ ନିର୍ଦ୍ଦେଶ ଆସିଥିଲା ସରକାରରୁ । କିନ୍ତୁ କେହି ଜାଣିବାପାଇଁ ଆଗ୍ରହୀ ନ ଥିଲେ କାହିଁକି ପଚାଶ ବର୍ଷ ଧରି ଗଣତନ୍ତ୍ର ଶାସନର ସ୍ଵାଦ ଚାଖିବା ପରେ ବି ଏବେବି ଜନସଂଖ୍ୟାର ଅଧେ ଲୋକ ଦୁଃଖୀ, ଦାରିଦ୍ୟଗ୍ରସ୍ତ ଅଶିକ୍ଷିତ ? କ’ଣ ସେମାନଙ୍କର ଅଭାବ, କେଉଁଠି ତ୍ରୁଟିରହି ଯାଇଛି ଶାସନର ? କ’ଣ ପ୍ରତିକାର କଲେ ସେମାନେ ଅଂଶଗ୍ରହଣ କରିବେ ଅର୍ଥନୈତିକ ଓ ସାମାଜିକ ଉନ୍ନୟନ ପ୍ରକ୍ରିୟାରେ-?

 

ଗଣମାଧ୍ୟମରେ ସଂଘର୍ଷର ପୂର୍ଣ୍ଣ ବିବିରଣୀ ପ୍ରକଶିତ ହେଲା । ସରକାରଙ୍କ ପକ୍ଷରୁ କୁହାଗଲା ଯେ ନିର୍ବାଚିତ ସରକାରକୁ ବଳପ୍ରୟୋଗ କରି ବଦଳେଇଦବା ପାଇଁ ହିଂସାର ଆଶ୍ରୟ ନେଲେ ଦୃଢ଼ ହସ୍ତରେ ଦମନ କରାଯିବ ।

 

ମଦନା ଭିକାରୀ ଗାନ୍ଧିଜୀଙ୍କ ଫଟୋ ଖଣ୍ଡକ ଥଳି ଭିତରୁ ବାହାର କରି କାନ୍ଦିଲା କିଛି ସମୟ । ବାପୁ ଦେଖୁଥିବା ସ୍ଵପ୍ନ, ମନେ ମନେ ଆଙ୍କିଥିବା ଏ ଦେଶର ଚିତ୍ର ଏତେଶୀଘ୍ର ଯେ ଜନମାନସରୁ ଲିଭିଯିବ ତାହା କିଏ ବା ଜାଣିଥିଲା ? ତାଙ୍କର ସେଇ ଅମୃତବଚନ ମନେଅଛି ମଦନା ଭିକାରୀର । କ’ଣ ନିଷ୍ପତ୍ତି ନବ ସେ ଉଦ୍ଦେଶ୍ୟରେ ତମ ମନର ଯଦି ସଂଶୟ ଉପୁଜେ ତେବେ କେବେ ଦେଖିଥିବା ସେଇ ନୁଖୁରା ମଳିମୁଣ୍ଡିଆ ଗରିବ ଲୋକଟିକୁ ମନେ ପକାଅ । ଦେଖିବ ନିଷ୍ପତ୍ତି ନବାରେ ତମର ଭୁଲ ହେବନାହିଁ ।

 

ସହରର ଶୂନ୍‌ଶାନ୍‌ ରୂପ ମାଡ଼ି ମାଡ଼ି ପଡ଼ୁଥିଲା । ସର୍ବତ୍ର ଶ୍ମଶାନର ନୀରବତା । ପିଲାମାନେ ଲୁଚିଗଲେ ଘର ଭିତରେ । ମୁରବୀମାନେ ପୁଅ ବୋହୂ ଝିଅ ସମସ୍ତଙ୍କୁ ସାବଧାନ କରି ଦେଇଥିଲେ ବିଦ୍ରୋହୀମାନଙ୍କ ପାଖ ନ ମାଡ଼ିବା ପାଇଁ । ବିଦ୍ରୋହୀ ଓ ସମର୍ଥକମାନଙ୍କୁ ଗଳି କନ୍ଦି ଓ ସାହି ବସ୍ତିରୁ ତଥାପି ଖୋଜି ବାହାର କରି ଜେଲକୁ ପଠାଇ ଦେଉଛି ପୁଲିସ୍‍ । କୋକୁଆ ଭୟ ଲୋକମାନଙ୍କ ମନରେ । ସରକାର ସପକ୍ଷରେ କଥା କହିଲେ ମୁକ୍ତିଯୋଦ୍ଧା ଅସନ୍ତୁଷ୍ଟ । ମୁକ୍ତିଯୋଦ୍ଧାଙ୍କୁ ସମର୍ଥନ କଲେ ପୁଲିସ୍‍ର କୋପ ।

 

ତଥାପି ନିଶାର୍ଦ୍ଧରେ ଆକାଶର ପରିବ୍ୟାପ୍ତ ନିରବତା ଭିତରୁ ଭାସିଆସେ ସେଇ ଅନାଦି ଅନନ୍ତ କାଳୁ ପୃଥିବୀର କୋଣ ଅନୁକୋଣରେ ଅନୁରଣିତ ହେଉଥିବା ଉଚ୍ଚାରଣ–‘ତମସୋ ମା ଜ୍ୟୋତିର୍ଗମୟ... ।’

 

ବତିଶ

 

ମୁକ୍ତିଯୁଦ୍ଧ ତା’ହେଲେ କ’ଣ ସମାପ୍ତ ହୋଇଗଲା ? ଅନ୍ୟାୟ, ଉତ୍ପୀଡ଼ନ, ଶୋଷଣ ବିରୁଦ୍ଧରେ ଉଠୁଥିବା ପ୍ରତିରୋଧର ସ୍ଵର ଲୁଚିଗଲା ପାହାଡ଼ ପର୍ବତର ଗୁମ୍ଫାଭିତରେ ?

 

ବିଶ୍ଵାସ ହୁଏନା ଶ୍ରୀହରିର । ଜେଜେବାପାଙ୍କ ତୁଣ୍ଡରୁ ଶୁଣିଥିବା ଗୀତାର ଶ୍ଲୋକ ଏବେବି ତା’ର ମନେଅଛି। ପୃଥିବୀରେ ଧର୍ମର ଗ୍ଲାନି ହେଲେ ସେ ସ୍ଵୟଂ ମନୁଷ୍ୟ ରୂପରେ ଅବତରଣ କରନ୍ତି ଲୀଳା କରିବା ପାଇଁ । ପାପୀ ଓ ଦୁଷ୍ଟମାନଙ୍କୁ ଦମନ କରି ନ୍ୟାୟ, ଧର୍ମ ସ୍ଥାପନ କରିବା ପାଇଁ । ପ୍ରଭୁଙ୍କ ମୁଖ ନିସୃତ ବାଣୀ କସ୍ମିନ୍ କାଳେ ମିଥ୍ୟା ପ୍ରମାଣିତ ହୋଇନାହିଁ । କଳି ଯୁଗରେ ମଧ୍ୟ ହେବ ନାହିଁ... ।

 

ଶ୍ରୀହରି ଅବସନ୍ନ ମନକୁ ପୁଣି କିଏ ଅନ୍ତରାଳରୁ ଉଦ୍‌ଜୀବିତ କରିଦିଏ ଲିଭି ଆସୁଥିବା ଦୀପ ଶିଖାକୁ କେହି ଟେକିଦବା ପରି । ସେ ନିଜକୁ ସାନ୍ତ୍ୱନା ଦିଏ, ବିବର୍ତ୍ତନ ପ୍ରକ୍ରିୟାରେ ମଣିଷ ଆଜି ଯେଉଁଠାରେ ପହଞ୍ଚିଛି ସେଇ କଥା ଭାବି । ସେଇ ପ୍ରକ୍ରିୟା ଏଇଠାରେ ଶେଷ ହୋଇଯିବ ନାହିଁ । ମଣିଷ ସଭ୍ୟତାର ଇତିହାସ କହିଦେଉଛି ଯେ ଏଇ ଅଭିଯାନ ଚାଲିଥିବ ଅହରହ । ସୁତରାଂ ସେ ହଠାତ୍‍ ସବୁ ଶେଷ ହୋଇଗଲା ବୋଲି ଭାବିବ କାହିଁକି ? ଗୋଟିଏ ନୂତନ ପୃଥିବୀ ଜନ୍ମ ନେଇଛି, ନୂତନ ଆଲୋକରେ ଉଦ୍ଭାସିତ ହେଉଛି ପୃଥିବୀ ଏବଂ ମଣିଷକୁ ଈଶ୍ଵର ଦେଇଥିବା ପ୍ରତିଶ୍ରୁତି ଯେ ପୂର୍ଣ୍ଣ ହେବାକୁ ଯାଉଛି ରୂପାନ୍ତରର ସେଇ ଦୀର୍ଘ ଜାଜ୍ଵଲ୍ୟମାନ ଚିତ୍ତାକର୍ଷକ ରୂପ ଆସନ୍ତାକାଲିର ସ୍ଵପ୍ନ ହୋଇରହୁ । କିନ୍ତୁ ତାହା ଦିନେ ଯେ ସାକାର ହେବ ତାହାର ପୂର୍ବାଭାସ ତ ସ୍ପଷ୍ଟ ହୋଇଗଲାଣି ।

 

ବିଦ୍ରୋହ ଦମନ କରିବା ପରେ ସ୍ଥିତାବସ୍ଥାର ଜଗୁଆଳୀମାନେ ଆହୁରି ଉଗ୍ର ହୋଇଉଠିଲେ । ଯେଉଁଠି ପ୍ରତିବାଦ ଓ ପ୍ରତିରୋଧର ସ୍ଵର ଉଠିବ ତାହା ଏହିଠାରେ ଯେପରି ବନ୍ଦ ହୋଇଯାଏ ସେଥିପାଇଁ ସକଳ ପଦକ୍ଷେପ ନିଆଯିବ । ମୁକ୍ତି ଯୋଦ୍ଧାମାନଙ୍କୁ ଗଳିକନ୍ଦି ସାହି ଓ ବସ୍ତିରୁ ଖୋଜି ଖୋଜି ଗିରଫ କରାଗଲା । ଦେଶଦ୍ରୋହୀ ତାଲିକାରେ ଶ୍ରୀହରିର ନାମ ଲେଖା ହୋଇଗଲା ଏବଂ ଜୀବନ୍ତ ବା ମୃତ ଧରି ଆଣିଲେ ବା ଧରାଇଦେଲେ ଲକ୍ଷେଟଙ୍କା ପୁରସ୍କାର ଦିଆଯିବ ଘୋଷଣା କରାଗଲା ।

 

କିନ୍ତୁ ବିଦ୍ରୋହ ଦମନ ସହିତ ସଦ୍‌ବୁଦ୍ଧି ବି ହେଲା ଶାସକର । ଆଦିବାସୀ ବାସ କରୁଥିବା ଘରଡ଼ିହ ସେମାନଙ୍କ ନାମରେ ପଟ୍ଟା କରିଦବା ପାଇଁ ନିଷ୍ପତ୍ତି ନିଆଗଲା । ଚଞ୍ଚକତା କରି ଆଗୁଆ ବର୍ଗର ଲୋକମାନେ ସେମାନଙ୍କ ହାତରୁ ଛଡାଇ ନେଇଥିବା ଜମି ପୁଣି ସେମାନଙ୍କୁ ଯଥାଶୀଘ୍ର ହସ୍ତାନ୍ତର କରାଯିବ ବୋଲି ଘୋଷଣାନାମା ପ୍ରକାଶ ପାଇଲା । ରାସ୍ତାଘାଟର ଉନ୍ନତି, ମାନବ ସମ୍ବଳର ବିକାଶ ନିମନ୍ତେ ସ୍ଵତନ୍ତ୍ର ପଦକ୍ଷେପ ନବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହେଲା ।

 

ଶ୍ରୀୟା ମନକୁ ମନ କହିଲା ଏତକ ଯଦି ଦଶ ବର୍ଷ ଆଗରୁ କରାଯାଇଥାନ୍ତା ତେବେ ପଶ୍ଚିମବଙ୍ଗର ଏକ ଅଖ୍ୟାତ ଗ୍ରାମ ନକ୍ସଲବାଡ଼ିରୁ ବିପ୍ଲବର ଏଇ ନୂତନ ଚେତନା ଏତେଶୀଘ୍ର ବ୍ୟାପି ଯାଇ ନ ଥାନ୍ତା ଦେଶର ବିସ୍ତୃତ ଅଞ୍ଚଳରେ ।

 

ମନକୁ ଯେତେ ସାନ୍ତ୍ୱନା ଦବା ପାଇଁ ଚାହିଁଲେ ବି ମନ ସ୍ଥିର ହେଲାନି । ବ୍ୟାକୁଳତା ବଢ଼ୁଥାଏ ଅରବିନ୍ଦର ନିରାପତ୍ତା ନେଇ ! ଯେପରି କିଛିଦିନ ତା’ ପାଖରେ ଥିବା ସଞ୍ଚିତ ରତ୍ନ ସେ କୋଉଠି ହଜାଇ ଦେଇଛି ।

 

ଟିଭି ଖୋଲିଦେଲା ଶ୍ରୀୟା । ହୁଏତ ଇତି ମଧ୍ୟରେ ଆଉ କିଛି ତାଜା ଖବର ଶୁଣାଯିବ ଏଇ ଆଶାରେ ।

 

ସମାଚାର ଆରମ୍ଭରେହିଁ ଘୋଷିକା କହିଲେ ଯେ କୋରାପୁଟ ବନ୍ଦ ବିଫଳ ହେବାପରେ ମଧ୍ୟ ଗୁଣୁପୁର, ଗଜପତି, କାଶୀପୁର, ମାଲାକାନଗିରି ଅଞ୍ଚଳରେ ଉତ୍ତେଜନା ଲାଗିରହିଛି । ମୁକ୍ତିମଞ୍ଚର ପ୍ରତିବାଦ ସଭାରେ ପ୍ରକାଶ୍ୟରେ ବେଶୀଲୋକ ଯୋଗ ଦେଇ ନ ଥିଲେ ମଧ୍ୟ ବଣ ଜଙ୍ଗଲ ଓ ନିଭୃତ ସ୍ଥାନରେ ପୁଣି ସଙ୍ଗଠିତ ହେବାପାଇଁ ମୁକ୍ତିଯୋଦ୍ଧାମାନେ ବିଚାର ଆଲୋଚନା କରୁଥିବା ଗୁଇନ୍ଦା ବିଭାଗ କହନ୍ତି ।

 

କିନ୍ତୁ ତଥାପି ଏତେଶୀଘ୍ର ଯେ ହଠାତ୍‍ ଆଉ କିଛି ଘଟିବ ନାହିଁ ସେଇ ଆଶା ଅନେକଙ୍କ ମନରେ ଦୃଢ଼ ହେଉଥିବାବେଳେ ଶ୍ରୀୟା ହାତରେ ଜଣେ ଯୁବକ ଆସି ଗୋଟେ ଚିଠି ଦେଇ ଚାଲିଗଲା ଏବଂ ନିୟତିର ସେଇ ଚିଠିରୁ ସେ ଜାଣିଲା ଯେ ମୁକ୍ତିମଞ୍ଚ, ସର୍ବୋଦୟ ମଣ୍ଡପ ଏବଂ ନାଗରିକ ସ୍ଵାଧୀନତା ସଂଘ ପକ୍ଷରୁ ସଂଧ୍ୟାବେଳେ କଚେରୀ ଛକରେ ସଭା ହେବ ଏବଂ ସେଇ ସଭାରେ ଶ୍ରୀହରି ନିୟତି ହାତରେ ଦେଇଥିବା ଦଲିଲ ଜନସାଧାରଣଙ୍କୁ ଜଣାଇ ଦିଆଯିବ ।

 

କ’ଣ ଅଛି ସେଇ ଦଲିଲରେ ? ନିରୁଦ୍ଦିଷ୍ଟ କର୍ମୀମାନଙ୍କ ବିଷୟରେ ହୁଏତ କିଛି ସୂଚନା ଥାଇପାରେ । କିମ୍ବା କିଛି ନ ଥାଇପାରେ ବି । କିମ୍ବା ବିପ୍ଳବ ବନ୍ଦ ନ କରି ପୁଣି ଆନ୍ଦୋଳନ ଚାଲୁ କରିବା ପାଇଁ ଶ୍ରୀହରିର ଅନ୍ତିମ ବାର୍ତ୍ତା ଲେଖାଥିବ ସେଥିରେ ।

 

ସଭାକୁ ଯିବ ବୋଲି ମନେ ମନେ ସ୍ଥିର କଲା ଶ୍ରୀୟା । କିନ୍ତୁ ସେ ବାହାରିବା ପୂବରୁ ଭୁବନେଶ୍ୱରରୁ ଡାକ୍ତର ଚୌଧୁରୀ ଫୋନ୍‍ କରି କହିଲେ ହଠାତ୍‍ ହାର୍ଟ ଆଟାକ୍‌ ଯୋଗୁ ନର୍ସିଂ ହୋମରେ ଭର୍ତ୍ତି ହୋଇଛନ୍ତି କରୁଣା । ଉଦ୍‌ବେଗର କୌଣସି କାରଣ ନାହିଁ । କିନ୍ତୁ ଏହି ଦୁଃଖ ସମୟରେ ଶ୍ରୀୟା ଯେପରି ପ୍ରସ୍ତୁତ ଥାଏ ଦରକାର ହେଲେ ଭୁବନେଶ୍ଵର ଆସିବା ପାଇଁ ।

 

ମା’ଙ୍କ ହାର୍ଟ ଆଟାକ୍‌ ବିଷୟରେ ଶୁଣି ମନର ଉତ୍କଣ୍ଠା ବଢ଼ିଗଲା ଆହୁରି । ଅବିଚାର ଓ ଅନ୍ୟାୟର ପ୍ରତିରୋଧ କରି ସାଧାରଣ ଲୋକ ମୌନ ପାଲଟି ଯାଇଥିଲେ । ଅନେକ ମୁକ୍ତି ଯୋଦ୍ଧା ଗିରଫ ବା ଆତ୍ମଗୋପନ କରିବା ପରେ ହାଟ ବଜାରରେ ବା ସଭାସମିତିରେ ଆଉ ଏ ବିଷୟରେ ଚର୍ଚ୍ଚା କରିବା ପାଇଁ ସାହସ ହେଉ ନ ଥିଲା କାହାରି । ଏଇ ଅବସ୍ଥାରେ ଯଦି ସେ ପାରଳା ଛାଡ଼ି ଚାଲିଯାଏ ତେବେ ଆଉ କେହି ରହିବେ ନାହିଁ ନୈତିକ ସମର୍ଥନ ଜଣାଇବାପାଇଁ ।

 

ପାରଳା ଓ ଗୁଣୁପୁରରେ ମୁକ୍ତି ମଞ୍ଚ ପକ୍ଷରୁ ପ୍ରତିବାଦ ସଭା ତଥାପି ଆୟୋଜନ କରାଗଲା । ଧନୁ ଶବରର ନେତୃତ୍ୱରେ ଆଦିବାସୀମାନେ ବାହାରି ପଡ଼ିଲେ, କିନ୍ତୁ ସହର ବଜାରର ଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଦୂରରେ ରହିଲେ ଆନ୍ଦୋଳନରୁ ।

 

ଶେଷ ମୁହୂର୍ତ୍ତରେ କାହିଁକି କେଜାଣି ସରକାର ଅନୁମତି ଦେଲେ ପ୍ରତିବାଦ ସଭା କରିବା ପାଇଁ । କିନ୍ତୁ ସରକାର ଅନୁମତି ଦବା ପଛରେ ଯେ ଜିଲ୍ଲାପାଳ ପ୍ରିୟରଞ୍ଜନ ମହାନ୍ତିଙ୍କ ହାତ ଥିବ ଏଇ ଧାରଣା କାହିଁକି ଦୃଢ଼ ହେଲା ଶ୍ରୀୟାର । ଜିଲ୍ଲାର ଆଇନ ଶୃଙ୍ଖଳା ପାଇଁ ଜିଲ୍ଲାପାଳ ଦାୟୀ । ତେଣୁ ଏପର୍ଯ୍ୟନ୍ତ ଯାହାକିଛି ହୋଇଛି ତାହା ବହୁତ ହୋଇଗଲା ଭାବି ସେ ଯେ ସଭାସମିତି ଉପରୁ କଟକଣା କୋହଳ କରିବା ପାଇଁ ସୁପାରିଶ କରିଥିବେ ସରକାରକୁ, ସେଥିରେ ସନ୍ଦେହ ନ ଥିଲା ମନରେ ।

 

ତଥାପି ମନ ମାନୁ ନ ଥାଏ । ବାପାଙ୍କୁ ଫୋନ୍‌ କରି ଜାଣିନେଲା ମାଙ୍କ ଅବସ୍ଥା ସମ୍ପର୍କରେ । ମାଇଲ୍ଡ ଆଟାକ୍‌, ଉଦ୍‌ବେଗର କାରଣ ନାହିଁ ବୋଲି କହିଲେ ଡାକ୍ତର ଚୌଧୁରୀ ଏବଂ ଝିଅକୁ ହଠାତ୍‌ ନ ଆସି ଅବସ୍ଥା ଟିକେ ଶାନ୍ତ ହେଲେ ଆସିବା ପାଇଁ ପରାମର୍ଶ ଦେଲେ ।

 

ସଂଧ୍ୟା ଆଗରୁ ପ୍ରତିବାଦ ସଭାସ୍ଥଳରେ ଲୋକ ଠୁଳ ହେବାକୁ ଲାଗିଲେ । ଆଦିବାସୀମାନେ ଦଳ ଦଳ ହୋଇ ଆସିଲେ ନିଜର ଦାବି ଜଣାଇବାପାଇଁ । ପୁଲିସ୍‍ ଜୁଲୁମ ବନ୍ଦ କର, ଆମ ଦାବି ମାନିନିଅ, ଇତ୍ୟାଦି ସ୍ଲୋଗାନ ଦେଇ ସହର ଭିତରକୁ ପ୍ରବେଶ କଲାବେଳେ ଝରକାର ଫାଙ୍କ ଦେଇ ବା ଛାତ ଉପରୁ ଦେଖୁଥାନ୍ତି ଧୋବଧୋବଳିଆ ବାବୁମାନେ ।

 

ଶ୍ରୀୟା କିନ୍ତୁ ଭାବୁଥାଏ ଗଣତନ୍ତ୍ରରେ ମତ ପ୍ରକାଶ କରିବାର ଅଧିକାର ଅଛି ସତ, କିନ୍ତୁ ନିର୍ବାଚିତ ସାମ୍ବିଧାନିକ ସରକାରକୁ ହିଂସାବଳରେ ପଦଚ୍ୟୁତ କରିବାର ଅଧିକାର ନାହିଁ କାହାରି । ସଶସ୍ତ୍ର ଆନ୍ଦୋଳନ କରିବା ମାନସିକତା ଯଦି ନ ବଦଳେ ଏବଂ ଅପୋଷ ସମାଧାନ ପାଇଁ ଉଭୟ ପକ୍ଷ ଆଲୋଚନା କରିବାପାଇଁ ସମ୍ମତି ନ ହୁଅନ୍ତି ତେବେ ରକ୍ତପାତ ହେବ ସିନା, ସମସ୍ୟାର ସମାଧାନ ହେବନାହିଁ । ସଶସ୍ତ୍ର ବିପ୍ଲବର ସମୟ ଆସିନାହିଁ । ପଶ୍ଚିମ ବଙ୍ଗର ସଶସ୍ତ୍ର ଆନ୍ଦୋଳନ ବିଫଳ ହୋଇଛି, ଏଠାରେ ମଧ୍ୟ ବିଫଳ ହେବାକୁ ଯାଉଚି । କିନ୍ତୁ ଏଇ ମଧ୍ୟବର୍ତ୍ତୀ ସମୟରେ ଜନଜୀବନ ଓ ସମାଜ ଉପରେ ଏହା ଯେଉଁ କ୍ଷତ ଛାଡ଼ିଯିବ ତାହା ତ ଦୀର୍ଘଦିନ ଶୁଖିବାର ଆଶା ନାହିଁ ।

 

ପାରଳାଖେମୁଣ୍ଡିର ପ୍ରତିବାଦ ସଭା ଶାନ୍ତିପୂର୍ଣ୍ଣ ପରିବେଶରେ ସମାପ୍ତ ହେବାର ଖବର ମିଳିଲା । କିନ୍ତୁ ଗୁଣୁପୁର ଖବର ଜାଣିବା ପାଇଁ ସେ ଇଟିଭି ଦେଉଥିବା ସଂଧ୍ୟା ସାତଟା ଖବର ଶୁଣିବା ପାଇଁ ଉଦଗ୍ରୀବ୍‌ ହୋଇ ଚାହିଁ ରହିଥିଲା ।

 

ଘୋଷିକା ଟିକେ ପରେ ଘୋଷଣା କଲେ ଯେ ପାରଳା, ମାଲାକାନଗିରି, କାଶୀପୁର, ରାୟଗଡ଼ାରେ ପ୍ରତିବାଦ ସଭା ବିନା ଗଣ୍ଡଗୋଳରେ ଶେଷ ହୋଇଥିବା ବେଳେ ଗୁଣୁପୁରରେ ସଭା ଚାଲିଥିବାବେଳେ ନିୟତିଙ୍କୁ ଶ୍ରୀହରି ଦେଇଥିବା ‘ଦଲିଲ’ ସେ ଯେତେବେଳେ ପଢ଼ି ଶୁଣାଉଥିଲା ସେତେବେଳେ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେଲା ଏବଂ ପୁଲିସ୍‍ ଉପରେ ଢେଲାମାଡ଼ ହେବାରୁ ଅନନ୍ୟୋପାୟ ହୋଇ ପୁଲିସ୍‍ ଗୁଳି ଚଳାଇଲା । ଫଳରେ ନିୟତିର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ଏବଂ ତା’ ହାତରୁ ସେଇ ଦଲିଲ ନେଇ ଆଉ ଜଣେ ମୁକ୍ତିଯୋଦ୍ଧା ମାଇକ ଆଗରେ ପଢ଼ିବାକୁ ଆରମ୍ଭ କଲାବେଳେ ପୁଲିସ୍‍ର ଆଉ ଏକ ରାଉଣ୍ଡ ଗୁଳିରେ ସେ ଆହତ ହୋଇଛନ୍ତି ।

 

କିନ୍ତୁ ତଥାପି ଲୋକମାନେ ଛତ୍ରଭଙ୍ଗ ନ ଦେଇ ପୋଲିସି ଆଡ଼କୁ ମାଡ଼ି ଆସିବାରୁ ଏବଂ ଦୁଇଟି ସରକାରୀ ଗାଡ଼ିରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେବାରୁ ପୁଲିସ୍‍ ବାଧ୍ୟ ହୋଇ ସେମାନଙ୍କୁ ଘଉଡ଼ାଇ ଦବାପାଇଁ ଆଉ କେତେ ରାଉଣ୍ଡ ଗୁଳି ଚଳାଇବାରୁ ଆଉ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।

 

ତାପରେ ପୁଲିସ୍‍ର ହସ୍ତଗତ ହୋଇଥିବା ଶ୍ରୀହରିର ଚିଠିର ଅବିକଳ ଉଦ୍ଧାର କରି କହିଲେ ଘୋଷିକା–

 

‘‘ମୁଁ ତୁମକୁ ଏ ଚିଠି ଲେଖୁଥିଲେ ବି ଏହା ଦେଶବାସୀଙ୍କ ପାଇଁ ଉଦ୍ଦିଷ୍ଟ । ମୋର ଆଶା ଓ ବିଶ୍ୱାସ ତମେ ଏ ଚିଠି ସୁବିଧା ଦେଖି ଦେଶବାସୀଙ୍କୁ ଦେଖାଇବ । ଏ ଚିଠିର ସାରାଂଶ ଜାଣିଲେ ଶାସନ ଓ ସମାଜର କେତେକ ଲୋକଙ୍କ ମୋ ବିଷୟରେ ଥିବା ଭୁଲ ଧାରଣା ଦୂର ହେବ ବୋଲି ମୁଁ ଆଶା କରୁଛି ।

 

ମୁଁ ପ୍ରଥମେ କହିରଖେ ଯେ ମୁଁ ଏକ ସ୍ୱଚ୍ଛଳ ପରିବାରରେ ଜନ୍ମିଥିଲେ ମଧ୍ୟ ଏଇ ସ୍ଵଚ୍ଛଳତା ସ୍ଵଚ୍ଛ ଓ ସାଧୁ ମାର୍ଗରେ ମୋ ପୂର୍ବପୁରୁଷ ଉପାର୍ଜନ କରିନାହାଁନ୍ତି ଏବଂ ଗରିବ ଓ ଦଳିତମାନଙ୍କ ଅସହାୟତାରୁ ସେମାନଙ୍କୁ ଶୋଷଣ କରି ବିପୁଳ ସମ୍ପତ୍ତି ଠୁଳ କରିଥିବା ଯେତେବେଳେ ଜାଣିଲି ସେତେବେଳେ ମୁଁ ନିଶ୍ଚୟ କଲି ଯେ ଉତ୍ତରାଧିକାର ସୂତ୍ରରେ ମୁଁ ଯାହା ପାଇଛି ସେସବୁ ଜନଗଣଙ୍କ କଲ୍ୟାଣ ପାଇଁ ସମର୍ପଣ କରିବି । ବ୍ୟକ୍ତିଗତ ସମ୍ପତ୍ତିରେ ମୁଁ ବିଶ୍ଵାସ କରେନାହିଁ । ଯେଉଁମାନଙ୍କଠାରୁ ଏ ସମ୍ପତ୍ତି ଆସିଛି ସେମାନଙ୍କ ପରିଚୟ ଓ ଠିକଣା ମଧ୍ୟ ମୋ ପାଖରେ ନାହିଁ । ସୁତରାଂ ମୁଁ ତୁମ ନେତୃତ୍ଵରେ ପରିଚାଳିତ ଗୋଟିଏ ଟ୍ରଷ୍ଟକୁ ଏ ସମ୍ପତ୍ତି ଦେଇଯାଉଛି କେବଳ ଗୋଟିଏ ସର୍ତ୍ତରେ ଯେ ଏଥିରୁ ଯେଉଁ ଅର୍ଥ ମିଳିବ ତାହା କେବଳ ଦୁସ୍ଥ, ଦୁର୍ବଳ, ଅସହାୟ ଓ ଉତ୍ପୀଡ଼ିତ ଲୋକଙ୍କ କଲ୍ୟାଣ ପାଇଁ ବ୍ୟୟ କରାଯିବ ।

 

ମୁଁ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଏଇ କାରଣରୁ ବିରୋଧ କଲି ଯେ ଯେଉଁମାନେ ଧନ ଓ ବାହୁବଳରେ ନିର୍ବାଚିତ ହେଲେ ସେମାନଙ୍କର ସାମ୍ବିଧାନିକ କ୍ଷମତାର ଅପବ୍ୟବହାର କରି ସେମାନେ ଗୋଟିଏ ନ୍ୟସ୍ତସ୍ଵାର୍ଥ ଗୋଷ୍ଠୀରେ ପରିଣତ ହେଲେ । ତଥାପି ନିର୍ବାଚନ ପ୍ରକ୍ରିୟାରେ ମୁଁ ପ୍ରଥମେ ଅଂଶଗ୍ରହଣ କରିଥିଲି, କିନ୍ତୁ ମୁଁ ଶୋଷଣ, ଉତ୍ପୀଡ଼ନ, ଅନ୍ୟାୟ ଏବଂ ନ୍ୟସ୍ତସ୍ଵାର୍ଥର ବିରୋଧ କରୁଥିବାରୁ ମୋତେ ଜୀବନରୁ ମାରିଦେବା ପାଇଁ ସେମାନେ ସଙ୍ଗଠିତ ଉଦ୍ୟମ କରିଥିଲେ, ବଳପୂର୍ବକ ଭୋଟ କେନ୍ଦ୍ରରେ ପ୍ରବେଶ କରି କର୍ମଚାରୀମାନଙ୍କୁ ଭୟ ଦେଖାଇ ଭୋଟ ତାଲିକା ଛଡ଼ାଇ ନେଇ ସେମାନଙ୍କ ବାକ୍ସରେ ଭୋଟ ଗଳାଇଥିଲେ । ଦୁର୍ଭାଗ୍ୟର କଥା ଯେ ଏହାର ପ୍ରମାଣ ଥିବା ସତ୍ତ୍ୱେ ପ୍ରଶାସନ ନିଃସହାୟ ପରି ସବୁ ଦେଖିଲା, କିନ୍ତୁ କୌଣସି ପ୍ରତିକାର କଲାନାହିଁ । ସେହି କାରଣରୁ ମୁଁ ଗଣତନ୍ତ୍ର ମାଧ୍ୟମ ଛାଡ଼ି ସଶସ୍ତ୍ର ସଂଗ୍ରାମଦ୍ଵାରା ପ୍ରଚଳିତ ବ୍ୟବସ୍ଥା ବଦଳାଇବା ହିଁ ଏକମାତ୍ର ବାଟ ବୋଲି ଧରି ନେଇ ‘ମୁକ୍ତିଯୁଦ୍ଧ’ରେ ଯୋଗଦେଇଛି..., ଏବଂ ଦୁର୍ଗମ, ଅନିଶ୍ଚିତ ପଥରେ ଯେ କ୍ଷମତା ଦଖଲ କରିବା ସହଜ ନୁହେଁ ତାହା ଜାଣି ମଧ୍ୟ ଏଇ ବାଟରେ ଚାଲିଛି । ମୁଁ ଜାଣେ ନ୍ୟସ୍ତସ୍ଵାର୍ଥର ଜଗୁଆଳିମାନେ ସୁଯୋଗ ପାଇଲେ ଦିନେ ମୋତେ ରାସ୍ତାର ପାଗଳ କୁକୁର ପରି ଗୁଳି କରିବେ । ସେଥିପାଇଁ ବଣ ଜଙ୍ଗଲରେ ବା ଛଦ୍ମବେଶରେ ବୁଲୁଛି ଜନସେବା କରିବା ପାଇଁ ।

 

କମାଣ୍ଡ ଶିବିର ଛାଡ଼ିବା ନିଶ୍ଚିନ୍ତ ଜାଣି ମୁଁ ତୁମକୁ ଏଇ ଇଚ୍ଛାପତ୍ର ଲେଖି ଦେଇଯାଉଛି... ତମ ସମୟ ଶେଷ ହେବାପୂର୍ବରୁ ଦାୟିତ୍ୱ‌ ଯେପରି ଜନସାଧାରଣଙ୍କ ହାତକୁ ଯାଇଥାଏ ତାହା ସମ୍ଭବ ହେଲେ ନିଶ୍ଚୟ କହିବ । ମୁଁ ଶହିଦ୍‍ ହେବି ବା ଆତ୍ମଗୋପନ କରିବି ତାହା ପରିସ୍ଥିତି ହିଁ ଠିକ୍‌ କରିବ । କିନ୍ତୁ ଗୋଟିଏ କଥା କହିରଖେ ଯେ ମନୁଷ୍ୟର ଅନ୍ତଃସତ୍ତାକୁ ଚିରକାଳ ପଦଦଳିତ କରି ରଖାଯାଇ ପାରିବ କାହିଁ । ଭସ୍ମ ଭିତରୁ ସେ ପୁଣି ଉଠିବ... ତାର ଉତ୍‌ଥାନ ଅବଧାରିତ... ଏଇ ବିଶ୍ଵାସ ଦାର୍ଘଜୀବୀ ହେଉ...

 

ସମସ୍ତ ସାଥୀଙ୍କୁ ଲାଲ୍‌ ସଲାମ୍‌.... ବିପ୍ଳବର ଜୟ ହେଉ । ବନ୍ଦେ ମାତରମ୍‌... । ଶ୍ରୀହରି-।’’

 

ପତ୍ରପାଠ କରିବା ପରେ କାଳେ ପୁଣି ଉତ୍ତେଜନା ସୃଷ୍ଟି ହେବ ଏବଂ ଆଇନଶୃଙ୍ଖଳାରେ ବାଧା ପଡ଼ିବ ଏଇ ଆଶଙ୍କା ରହିଛି । କୋରାପୁଟର ବିପର୍ଯ୍ୟୟ ପରେ ମୁକ୍ତିଯୋଦ୍ଧାମାନେ ପୁଣି ରାଷ୍ଟ୍ର ବିରୋଧରେ ଅସ୍ତ୍ର ଧରିବା ପାଇଁ ସାହସ କରିବେ ନାହିଁ ।

 

ଖବର ଶୁଣିଲା ଶ୍ରୀୟା । କିନ୍ତୁ ଆଖିରୁ ଝରି ପଡ଼ୁଥିବା ଦୁଇ ଟୋପା ଲୁହପୋଛି ନେଇପାରିଲା ନାହିଁ, ବରଂ ଉଦ୍‌ଗତ କୋହରେ ଭାଙ୍ଗି ପଡ଼ିଲା ଶିଶୁପରି । କେତେ ସମୟ ସେ କାନ୍ଦିଥିବ କେଜାଣି ତା’ ପିଠି ଉପରେ କାହାର ସ୍ପର୍ଶପାଇ ସେ ଉଠି ବସିବାବେଳେ କହିଲା ପ୍ରିୟରଞ୍ଜନ–‘‘ଶାନ୍ତହୁଅ, ବିଶ୍ଵାସ ରଖ ଶ୍ରୀୟା.....’’

 

ପ୍ରିୟରଞ୍ଜନର ସାନ୍ତ୍ୱାନାବାଣୀ ଶୁଣି ସେ ଆହୁରି ଯୋରରେ କାନ୍ଦି ଉଠିଲା ଏବଂ ତା’ କାନ୍ଧ ଉପରେ ହାତରଖି ସ୍ପଷ୍ଟଭାବରେ କହିଲା ପ୍ରିୟରଞ୍ଜନ–“ମୁଁ ଗୋଟେ ଦୁଃସାହସିକ ନିଷ୍ପତ୍ତି ନେଇଛି ଶ୍ରୀ..... ମୋର ବିଶ୍ୱାସ ତମେ ମୋତେ ନିରାଶ କରିବ ନାହିଁ.... ।’’

 

ଏତେବେଳେ ତା’ ମୁହଁକୁ ଚାହିଁଲା ଶ୍ରୀୟା ।

 

ପ୍ରିୟରଞ୍ଜନ ନିଷ୍କମ୍ପ ସ୍ଵରରେ କହିଲା–‘‘ମୁଁ ଇସ୍ତଫା ଦେଇଛି । ତମର ସ୍ଵେଚ୍ଛାସେବୀ ସଙ୍ଗଠନରେ ଯୋଗଦବା ପାଇଁ ଅନୁମତି ଦବନି ମୋତେ ?’’ ପରିବ୍ୟାପ୍ତ ଅନ୍ଧାର ଭିତରେ ଦୀପ ଶିଖାଟିଏ ଜଳି ଉଠିବା ପରି ଧାରେ ଲାବଣ୍ୟମୟୀ ପ୍ରସନ୍ନତା ଉଜ୍ଜ୍ୱଳି ଉଠିଲା ଶ୍ରୀୟାର ଲୁହଭିଜା ମୁହଁ ଉପରେ ।

 

‘‘ତମେ ବିଶ୍ଵାସ ରଖ ଶ୍ରୀ... ଦାରିଦ୍ର୍ୟ, ଅଜ୍ଞତା, ଅନ୍ୟାୟ ଓ ଅବିଚାର ବିରୁଦ୍ଧରେ ତୁମ ସଂଗ୍ରାମର ମୁଁ ସାରଥୀ ନ ହେଲେ ବି ଜଣେ ଲଢ଼ୁଆ ସୈନିକ ହୋଇପାରିବି ନିଶ୍ଚୟ ।

 

ଶ୍ରୀୟା ମଥା ହଲାଇଲା ।

Image